ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Tuesday, 19 December 2023

ଗପ ପାଇଁ ମୋତେ ମିଳିଲା ଉଦୟରାଗ ସମ୍ମାନ

ସଂଗ୍ରାମ କେଶରୀ ସେନାପତି 10:18 pm 0
ଗପ ପାଇଁ ମୋତେ ମିଳିଲା ଉଦୟରାଗ ସମ୍ମାନ
Udayaraga Samman to Sangram Keshari Senapati

ଗପ ଲେଖିବା ଆରମ୍ଭ ହୋଇଥିଲା ଆମ କଲେଜ ପତ୍ରିକା ପାଇଁ । ଏହାପରେ କିଛି କିଛି ଗପ ଲେଖି ସେୟାର୍ କରିଥିଲି ମୋ ବ୍ଲଗ୍‍‍ରେ । ଉଭୟ ଓଡ଼ିଆ ଇଂରାଜୀରେ କିଛି କିଛି ଭୁଲ୍ ଠିକ୍ ଲେଖିବା ମୋର ଗୋଟେ କାମ ଥିଲା ୨୦୧୫ ଓ ୧୬ରେ । ଏହାପରେ ୨୦୧୭ରେ ତିନୋଟି ଗପ ଆହ୍ୱାନ ଇ-ପତ୍ରିକାରେ ପ୍ରକାଶ ପାଇବା ପରେ ଏକ ମୁଦ୍ରିତ ପତ୍ରିକାକୁ ଗପ ପଠେଇଥିଲି ଆଉ ତାହା ପ୍ରକାଶିତ ହୋଇନଥିଲା ।

ଏହା ପ୍ରକାଶିତ ନହେବାର ଦୁଃଖରୁ ଜାଗି ଉଠିଥିଲା ଏକ ଇ-ପତ୍ରିକା ସମ୍ପାଦନା ଓ ପ୍ରକାଶନର ଇଚ୍ଛା; ୨୦୧୮ ଜାନୁଆରୀରେ ପ୍ରଥମ ତ୍ରୟୋମାସିକ ପତ୍ରିକା ଭାବରେ ଆରମ୍ଭ ହେଲା ଓ ସେହି ବର୍ଷ ନୀଳାଦ୍ରିବିଜେରୁ ଶୁଭପଲ୍ଲବ ରୂପେ ପ୍ରକାଶ ପାଇବା ଆରମ୍ଭ କଲା । ଏହା ପରଠାରୁ ଗପ ଲେଖିବା ବନ୍ଦ ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କବିତା ମୋ ଦ୍ୱାରା ହୁଏନି, ହଁ ଦୁଇ ଚାରିଧାରି ଗାରେଇ ଦେଇପାରେ, କାହାର ଲେଖା କବିତାକୁ ସଜାଡ଼ିବାକୁ ଚେଷ୍ଟା କରେ, କିନ୍ତୁ ମନ ଛୁଆଁ କବିତାଟିଏ ନିଜେ ଲେଖିପାରେନା ।

୨୦୧୭ ମସିହାରେ କଲେଜ ଡାଏରୀର ୮୦ ପ୍ରତିଶତରୁ ଅଧିକ ଲେଖିକି ଡିଲିଟ୍ କରିବା ପରେ ପ୍ରତିଥର ଗପ ଲେଖିବାକୁ ଭାବିଲାବେଳେ ସେବେକାର କଷ୍ଟ ମନେ ପଡ଼ିଯାଏ । ତଥାପି ମଝିରେ ମଝିରେ ଏମିତି ଟିକେ କ'ଣ ଗାରେଇ ଦିଏ । ଗତଥର କଥା ନବ ପ୍ରତିଭା ଓ ଉଦୟରାଗ ପାଇଁ ଗପ ଲେଖିବାକୁ ଚେଷ୍ଟା କରି ବିଫଳ ହେବାପରେ କଲେଜ ଡାଏରୀକୁ ସମ୍ପୂର୍ଣ୍ଣ ନ କରିପାରିବାର ଭୟ ମନକୁ ଭାରାକ୍ରନ୍ତ କରିଦିଏ । ତଥାପି ଏଥର ଉଦୟରାଗ ପ୍ରତିଯୋଗିତା ବେଳେ ଜଣଙ୍କୁ ଠାରୁ ନିର୍ଦ୍ଦେଶ ଆସିଥିଲା ଯେମିତି ବି ହେଲେ ଗପ ପଠେଇବାକୁ । ତେଣୁ ବାଧ୍ୟ ହୋଇଥିଲି ପୁଣିଥରେ କିଛି ଲେଖିବାକୁ । ହଁ ଏଥର ବି ବଫଳ ହେଲି, ହେଲେ ଅଧାଲେଖା ଗପ ଦୁଇଟିକୁ ସମସ୍ତ କରିପାରିଥିଲି । ଗପ ଦୁଇଟି ପ୍ରତିଯୋଗିତାର ସମୟ ସରିବାର କିଛି ସମୟ ପୂର୍ବରୁ ଇ-ମେଲ୍ କରିଥିଲି । ଏତେ ବର୍ଷ ପରେ ଶେଷ କରିଥିବା ଗପଟି ବଛାଯିବା ଓ ଏହାକୁ ନେଇ କୌଣସି ସମ୍ମାନ ପାଇବା ନିହାତି ଭାବରେ ମୋ ପାଇଁ ଏକ ଅକୁହା ମୁହୂର୍ତ୍ତ ।

ଧନ୍ୟବାଦ ଉଦୟରାଗର ସ୍ରଷ୍ଟା ତଥା ଉତ୍‍ସାହିତ୍ୟର ଆୟୋଜକ ସରୋଜ ଭାଇଙ୍କୁ, ଏମିତି ଏକ ପ୍ରତିଯୋଗିତା କରିଥିବାରୁ ଆଉ ମୋର ଗପଟିକୁ ବାଛିଥିବାରୁ ।

- ସଂଗ୍ରାମ କେଶରୀ ସେନାପତି

Full video: https://youtu.be/6Hj7dtF6XhE

Thursday, 16 February 2023

ହାଇ ହିଲ୍

ସଂଗ୍ରାମ କେଶରୀ ସେନାପତି 9:01 pm 2
ହାଇ ହିଲ୍
Odia Story High Heel (ହାଇ ହିଲ୍) by Sangram Keshari Senapati

ମିଶ୍ର ବାବୁଙ୍କର ଅଲିଅଳି ଝିଅ ବନ୍ୟା । ପିଲାଟି ଦିନରୁ ସବୁବେଳେ ହସ ହସ ମୁହଁ ତା'ର । ସବୁଥିରେ ତା'ର ଭଲ, କେବଳ ଗୋଟିଏ ଜିନିଷକୁ ଛାଡ଼ିଲେ; ଯେତେ ବନ୍‌ଭିଟା ପିଇଲେ ବି ମନଲାଖି ଉଚ୍ଚତା ପାଇପାରିଲାନି ସେ । ପିଲାଦିନରୁ ଉଚ୍ଚତା ପ୍ରତି ଦୁର୍ବଳତା ଥିବାରୁ ନିଜକୁ ଡେଙ୍ଗା ଦେଖାଇବାକୁ ହାଇ ହିଲ୍ ପିନ୍ଧିବାକୁ ଭାରି ମନ ହୁଏ ତା'ର । କିନ୍ତୁ ଏମିତି ହାଇ ହିଲ୍ ପିନ୍ଧିଲେ ଗୋଡ଼ ତଥା ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ତାଗିଦ୍ କରନ୍ତି ମିଶ୍ର ବାବୁ ।

କଲେଜ ପଢ଼ିବାବେଳେ କେବେ କେମିତି ଫଙ୍କସନ୍‌ରେ ସେ ରୁମ୍‌ମେଟ୍‌ର ହିଲ୍ ପିନ୍ଧେ ଆଉ ସେଦିନ ସବୁଠାରୁ ବେଶି ଖୁସି ହୁଏ ସିଏ । ଏମିତି ଭିତରେ ପାଠପଢ଼ା ସରିଗଲା ଆଉ ସ୍ନାତକୋତ୍ତର ସାରିବା ପରେ ମାତ୍ର କେଇଟା ଦିନ ଘରେ ରହିଛି କି ନାହିଁ, ବାହାଘର ପାଇଁ ଭଲ ପ୍ରସ୍ତାବଟିଏ ଆସିଲା ଆଉ ସଭିଙ୍କ ହଁରେ ସେ ବି ହଁ ଭରିଲା । ଅବଶ୍ୟ ପିଲାଟିର ଉଚ୍ଚତା ଟିକେ ଅଧିକ ଥିଲା ଆଉ ବନ୍ୟାକୁ ଯେମିତି ପସନ୍ଦ ଥିଲା ସେମିତି ପୁଅଟିଏ ହିଁ ମିଳିଥିଲା, ହେଲେ ଏକାସାଙ୍ଗରେ ଛିଡ଼ାହେଲେ ତା'ର ଉଚ୍ଚତା କମ୍ ଲାଗିବ ବୋଲି ଟିକେ ମନଦୁଃଖ କରୁଥିଲା ସେ ।

ଯାହା ଯେମିତି ହେଉ ବାହାଘର ସରିଗଲା ଆଉ ଯେତେବେଳେ ସେ ରିସେପ୍ସନ୍‌ର ଫଟୋ ଦେଖିଲା, ବଡ଼ ମନଦୁଃଖ ହେଲା ତା'ର । ସ୍ୱାମୀଙ୍କ ସହିତ ଫଟୋଗୁଡ଼ାରେ ବହୁତ ସାନ ଲାଗୁଥିଲା ସେ । ସେଇଥିପାଇଁ ଫଟୋ ଫ୍ରେମ ପାଇଁ ଫଟୋ ବାଛିବାବେଳେ ସେ ଛିଡ଼ା ହୋଇଥିବା ଫଟୋଗୁଡ଼ିକୁ ପ୍ରାଧାନ୍ୟତା ଦେଇନଥିଲେ ।

ବିଭାଘରର ମାତ୍ର କେଇଟା ଦିନ ପରେ ଆସିଗଲା ଭାଲେଣ୍ଟାଇଲ୍ ଡେ । ରକ୍ଷଣଶିଳ ପରିବାର ପାଇଁ ଏସବୁର ଅଭିଜ୍ଞତା ନଥିବା ବନ୍ୟା କିନ୍ତୁ ସେଦିନ ଆଶ୍ଚର୍ଯ୍ୟ ହୋଇଥିଲେ, ଯେତେବେଳେ ସକାଳୁ ସକାଳୁ ସ୍ୱାମୀ ତାକୁ ହଳେ ଜୋତା ଭାଲେଣ୍ଟାଇନ୍ ଡେ ପାଇଁ ଗିଫ୍ଟରେ ଦେଇଥିଲେ ଆଉ ସନ୍ଧ୍ୟାରେ ପାଖ ରେସ୍ତେରାଁରେ ମିଶିକି ଖାଇବାକୁ ଯିବାକୁ ପ୍ରସ୍ତାବ ଦେଇଥିଲେ ।

Odia Story High Heel (ହାଇ ହିଲ୍) by Sangram Keshari Senapati

ବିବାହର ଏଇ କିଛି ଦିନ ଭିତରେ ଉଭୟ ସ୍ୱାମୀସ୍ତ୍ରୀ ପରସ୍ପରଙ୍କୁ ଜାଣୁଥିବାବେଳେ ତାଙ୍କ ମନକଥା ଜାଣିପାରି ସ୍ୱାମୀ ତାଙ୍କୁ ଏହି ସୁନ୍ଦର ହିଲ୍ ହଳକ ଗିପ୍ଟ କରିଥିବାରୁ ସେ ବହୁତ ଖୁସି ହେଲେ ଆଉ ସ୍ୱାମୀ ଅଫିସ୍ ଯିବା ପରେ ପିନ୍ଧିକି ପରଖିନେଲେ କେମିତି ଲାଗୁଛି ତାଙ୍କ ରାଜକୁମାରଙ୍କ ପସନ୍ଦର ପ୍ରଥମ ଉପହାରଟି ।

- ସଂଗ୍ରାମ କେଶରୀ ସେନାପତି

Odia Story based on High Heels

ଏହି ଗପଟି ଇଂରାଜୀରେ ପଢ଼ନ୍ତୁ: https://blogs.gapu.in/2023/04/short-story-high-heel.html

Wednesday, 13 July 2022

ପ୍ରେମମ୍: ରିମିକ୍ସର ରିମିକ୍ସ

ସଂଗ୍ରାମ କେଶରୀ ସେନାପତି 6:42 pm 0
ପ୍ରେମମ୍: ରିମିକ୍ସର ରିମିକ୍ସ
Odia Movie Premam Review by Sangram Keshari Senapati

୨୦୧୧ ମସିହାରେ ତେଲୁଗୁ ଭାଷାରେ ଗୋଟିଏ କଥାଚିତ୍ର ମୁକ୍ତିଲାଭ କରିଥିଲା; ପିଲା ଜମିନ୍‌ଦାର୍ । ୨୦୧୩ କି ୧୪ ମସିହାରେ ତାକୁ ଦେଖିଲା ପରେ ଥରକରେ ମନ ପୂରିନଥିଲା । ଆଉ ଏତେଦିନ ପରେ କାଲି ରାତିରେ ପୁଣିଥରେ ଗୋଟିଏ ଓଡ଼ିଆ କଥାଚିତ୍ର ଦେଖୁଦେଖୁ ସେ ପୁରୁଣା ଦୃଶ୍ୟ ଆସିଗଲା ଆଗରେ । ସେ ଓଡ଼ିଆ କଥାଚିତ୍ରଟି ହେଉଛି ପ୍ରେମମ୍

ବାବୁଶାନ୍ ଓ ପ୍ରକୃତି ମିଶ୍ରଙ୍କ ଅଭିନୀତ ଏକ ପ୍ରେମଭରା କଥାଚିତ୍ର ହେଉଛି ପ୍ରେମମ୍ । କିଛିଦିନ ତଳେ ଯେତେବେଳେ ଏହି କଥାଚିତ୍ରଟିର ଟ୍ରେଲର୍ ଆସିଥିଲା, ସେତେବେଳେ ଅନେକ ତାକୁ ମାଲାୟଲମ୍ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିବା କଥାଚିତ୍ର ପ୍ରେମମ୍‌ର କପି (ରିମେକ୍) ବୋଲି କହିଥିଲେ, ହେଲେ ଏଥିରେ ସେ କାହାଣୀରୁ ଧାଡ଼ିଟିଏ ବି ନାହିଁ, ବାସ୍ ନାମ ହିଁ ସମାନ ।

କାହାଣୀ ଆରମ୍ଭ ହୁଏ ଗୋଟେ ବଦମାସିଆ ଧନୀଘରର ପିଲା ସଞ୍ଜୁ ଶାସ୍ତ୍ରୀଠାରୁ । ସଞ୍ଜୁ କହିଲେ ଓଡ଼ିଆ କଥାଚିତ୍ର ଜଗତରେ ଜଣଙ୍କୁ ହିଁ ବୁଝାଏ, ସେ ଆଉ କେହି ନୁହନ୍ତି ବାବୁଶାନ୍ ମହାନ୍ତି । ଏ ସଞ୍ଜୁର କାହାଣୀ ଆରମ୍ଭ ହୋଇଥିଲା ସଞ୍ଜୁ ଓ ସଞ୍ଜନା କଥାଚିତ୍ରରୁ । ତା'ପରେ ବୋଧେ ୮/୧୦ ଖଣ୍ଡେ କଥାଚିତ୍ରରେ ତାଙ୍କ ଚରିତ୍ରର ନାମ ରହିଛି ସଞ୍ଜୁ । ତେବେ ସେ ଯାହା ବି ହେଉ ଆରମ୍ଭରୁ ହିଁ କଥାଚିତ୍ରର ଦୁର୍ବଳ ନିର୍ଦ୍ଦେଶନା ବିଷୟରେ ଜଣାପଡ଼େ, ଏମିତିକି ଆରମ୍ଭର ୧୦-୧୫ ମିନିଟ୍‌ରେ ଚିତ୍ରନାଟ୍ୟ ତାଳମେଳ ନଖାଇବା ବିଷୟରେ ଧାରଣା ଚାଲିଆସେ ।

ସମ୍ପୂର୍ଣ୍ଣ କଥାଚିତ୍ରଟି ୨ ଘଣ୍ଟା ୨୨ ମିନିଟ୍‌ର, ହେଲେ ଏହାକୁ ବହୁତ କମ୍ କରାଯାଇ ପାରିଥାନ୍ତା । ଅଧିକ ଲମ୍ବା କରିବା ଯୋଜନାରେ ଅନେକ ସ୍ଥାନରେ କାହାଣୀ ବାରମ୍ବାର ବଦଳିବା ପରି ଲାଗେ । ସେ ଯାହା ବି ହେଉ ସଞ୍ଜୁ ତା'ର କାଣ୍ଡ ପରେ ଥାନାରୁ ତ ମୁକୁଳିଯାଏ, ହେଲେ ମହାବିଦ୍ୟାଳୟର ଅଧକ୍ଷଙ୍କ ଦଣ୍ଡରୁ ବଞ୍ଚି ପାରେନାହିଁ; ପହଞ୍ଚେ କେଉଁ ଏକ ଗୁରୁକୁଳରେ । ସେଇଠି ପହଞ୍ଚିବା ପରଠାରୁ ଲାଗେ ପ୍ରେମମ୍ ନୁହେଁ ପିଲା ଜମିନ୍‌ଦାର ଆରମ୍ଭ ହେଇଗଲା । ସେଇଠି ସେ ପରୀକ୍ଷା ଦେବନି ବୋଲି ହାତ ଭାଙ୍ଗିବାର ନାଟକ କରିଥିଲା, ଏଇଠି ନାଟକରେ ଅଭିନୟ କରିବନି ବୋଲି ହାତ ଭାଙ୍ଗିବାର ମିଛ ଅଭିନୟ । ଯାହାହେଉ ଗୋଳିଆମିଶା କରିକି ସଂସ୍କୃତ କେଇଧାଡ଼ି ପୂରେଇ ଦେଇକି ନାଟକରେ ଅଭିନୟ କରିଦିଅନ୍ତି ।

ନାଟକ ସରୁସରୁ ନାୟିକାକୁ ବି ପ୍ରେମ ହେଇଯାଏ ଆଉ ତା'ପରେ କାହାଣୀର କିଛି ଭାଗ ସିଦ୍ଧାର୍ଥର ଓଏ୍ ଫିଲ୍‌ ସହ ମିଶିଯାଏ ହେଲେ ପ୍ରଭାସଙ୍କର ରାଧେଶ୍ୟାମ୍ ଢାଞ୍ଚାରେ । ବାସ୍ ତା'ପରେ ନାୟକ ଲାଗିପଡ଼େ ପ୍ରେମିକାକୁ ବଞ୍ଚେଇବାକୁ ଆଉ ସେଠାଏ ଆବିର୍ଭାବ ହୁଅନ୍ତି ନାୟକର ବାପା । ସେଇଠି ବି ସେମାନଙ୍କର ପୁରୁଣା କାହାଣୀ ସିଦ୍ଧାର୍ଥ ଓ ତମନ୍ନା ଭାଟିଆ ଅଭିନୀତ କୁଞ୍ଚମ୍ ଇଷ୍ଟମ୍ କୁଞ୍ଚମ୍ କଷ୍ଟମ୍ ସହ ଘାଣ୍ଟି ହେଇଯାଏ ।

ତା'ପରେ ପରଦାକୁ ଆସନ୍ତି ସିଦ୍ଧାନ୍ତ ମହାପାତ୍ର ନକଲି ଦାନ୍ତ ଓ ନକଲି ଚୁଟି ଲଗେଇକି । ଯଦିଓ କେହି କେହି ଏହାକୁ ରସିକ ନାଗର ସହିତ ତୁଳନା କରିଥିଲେ, କିନ୍ତୁ ଏହା ଭିନ୍ନ ହେଲେ ଚୁଟି ନକଲି ବୋଲି ଭଲରେ ବାରିହୋଇ ପଡ଼େ । ତା'ପରେ ସେ ତାଙ୍କର ପୂର୍ବର ଟିକେ କାହଣୀ ବଖାଣିକି କାହାଣୀକୁ ଆଗକୁ ବଢ଼ାନ୍ତି । ୨ୟ ଭାଗରେ କାହାଣୀ ଆଉ ଅଭିନୟ ଟିକେ ଚଳନୀୟ । ଆଉ ଶେଷଦୃଶ୍ୟଟି ନିହାତି ଭାବରେ ଭଲ ହୋଇଛି । ହେଲେ ତା'ପରେ ଦେଖାଇଥିବା କିଛି ଦୃଶ୍ୟଟି ଅନେକ କଥାଚିତ୍ରରେ ଦେଖିଥିବେ । ଏମିତିକି ଓଡ଼ିଆ କଥାଚିତ୍ର ଗୋଟେ ଶୁଆ ଗୋଟ ସାରୀରେ ବି ଏମିତି କିଛି ଦେଖିଥିବେ ।

କଥାଚିତ୍ରଟିର କେତେଜଣ ଜଣାଶୁଣା ଅଭିନେତାଙ୍କ ସହିତ ଅନେକ ନୂଆ କଳାକାର ଅଛନ୍ତି ଯେଉଁମାନଙ୍କୁ ଅଭିନୟରେ ଅନେକ କିଛି ଶିଖିବାକୁ ହେବ । କେତେକ ଜାଗାରେ ପୁରଣା କଳାକାରଙ୍କ ଅଭିନୟ ବି ଟିକେ ଅଖାଡ଼ୁଆ ଲାଗିବ । ମୋଟ୍ ଉପରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟିର ପୂରା ଖରାପ କହିହେବ ନାହିଁ କାରଣ ଏବେ ପସ୍ତୁତ ହେଉଥିବା ଅନେକ ଓଡ଼ିଆ କଥାଚିତ୍ର ତୁଳନାରେ କିଛିଟା ଭଲ ଅଛି । ନାହିଁ ମାମୁଁଠାରୁ କଣାମାମୁଁ ଭଲ ନ୍ୟାୟରେ ଦେଖିପାରିବେ ।

କଥାଚିତ୍ରଟି ଡିଜ୍ନି ପ୍ଲସ୍ ହଟ୍‌ଷ୍ଟାର୍‌ରେ ଉପଲବ୍ଧ ଅଛି, ମାଗଣାରେ ଦେଖିପାରିବେ । ଆଉ ହଁ କିଛି ଆଶା ରଖିକି ଦେଖିବେ ନାହିଁ, ନହେଲେ ମନ ଉଣା ହେବ । ମାଗଣାରେ ଏତିକି ମିଳିବ ବୋଲି ଭାବିକି ଦେଖିଦେବେ ।

- ଗପୁ

Tuesday, 8 February 2022

ଗୋଲାପ ଜଳ

ସଂଗ୍ରାମ କେଶରୀ ସେନାପତି 12:08 am 0
ଗୋଲାପ ଜଳ
Golap Jal (Rose Water)

ଗତବର୍ଷ ଗୋଲାପ ଦେବାକୁ ଡର ଲାଗୁଥିଲା, ହେଲେ ସେ ଗୋଲାପ ଦେଇ ସେ ଡରକୁ ଦୂରେଇ ଦେଇଥିଲେ ଆଉ ଏହି ବର୍ଷେ ଭିତରେ ଆମ ଦୂରତା ଶୂନ୍ୟ ହୋଇଯାଇଥିଲା କହିଲେ ଚଳେ । ରୋଜ୍‌ ଡେ'ରେ ମୁଁ ତ୍ରିୟା ପାଇଁ ଗୋଟିଏ ନୁହେଁ ଆମ ବଗିଚାରୁ କିଛି ଗୋଲାପ ତୋଳି ଗୋଟିଏ ଫୁଲ ତୋଡ଼ା କରି ନେଇଥିଲି । ନାଲି ନୁହେଁ ଗୋଲାପି ରଙ୍ଗର ଗୋଲାପ; ଆଉ ସେ ଚଷମା ପିନ୍ଧି ନାହାନ୍ତି ବୋଲି ନାଲି ତାଙ୍କୁ ଗୋଲାପି ଲାଗୁଛି କହି ଭୁଲେଇ ଦେଇଥିଲି ।

ଏବର୍ଷର ରୋଜ୍ ଡେ, ଗତ ବର୍ଷର ସ୍ମୃତିକୁ ମନେ ପକାଇ ପ୍ରାୟ ସରିଗଲା । ପ୍ରପୋଜ୍ ଡେ'ରେ ସେମିତି କିଛି ନଥିଲା ବାସ୍ ତାଙ୍କ କାମ ପାଇଁ ସେ ଆଉ ଆସିନଥିଲେ କିନ୍ତୁ ଚକୋଲେଟ୍ ଡେ'ରେ ଭେଟ ହେଲା ପୁଣି ସେଇଠି; ସେହି ପାର୍କରେ, ସେହି ସମାନ ବେଞ୍ଚ ଉପରେ ଯେଉଁଠି ସେ ମୋ ସ୍ଥାନରେ ବସିଥିଲେ । ସେବେ ସିନା ମନରେ ଡର ଥିଲା, ଗୋଟିଏ ବେଞ୍ଚରେ ବସିଲେ ବି ବେଶ୍ କିଛି ଦୂରତା ରହୁଥିଲା, ହେଲେ ଏବେ ସେ ଦୂରତା ଆଉ ନାହିଁ; ତାଙ୍କ ବାସ୍ନା ଏବେ ମୋ ଦେହରେ ସମାହିତ ହୁଏ ।

Golapa Jala, a story by Sangram Keshari Senapati on Rose Day

ଆଜି କିନ୍ତୁ ତାଙ୍କ ଦେହରୁ କିଛି ଅଲଗା ବାସ୍ନା ଆସୁଥିଲା, ଯାହାକି ତାଙ୍କର ସେ ପରିଚିତ ଅତରର ବାସ୍ନାଠାରୁ ଭିନ୍ନ ଥିଲା, ହଁ ଗୋଲାପର ବାସ୍ନା ଥିଲା । ନିଜକୁ ସମ୍ଭାଳି ନପାରି ପଚାରିଦେଲି, "ଆଜି କ'ଣ ଗୋଲାପର ବାସ୍ନା? ରୋଜ୍ ଡେ'ର ଗୋଲାପଗୁଡ଼ା କ'ଣ ଖୁସିରେ ଖାଇଦେଇଥିଲ କି?"

ଫିଁ କିନା ହସିଦେଇ ସେ କହିଲେ, "ନାହିଁ ଖାଇନାହିଁ, ବୋଳି ହୋଇ ପଡ଼ିଛି ।" ଯଦିଓ ମୋର ପ୍ରଶ୍ନ ବ୍ୟଙ୍ଗ ଥିଲା, କିନ୍ତୁ ତାଙ୍କ ଉତ୍ତରକୁ ବୁଝିବା ସହଜ ନଥିଲା । "ବୋଳି ହୋଇ ପଡ଼ିଛ ମାନେ", ଆଶ୍ଚର୍ଯ୍ୟ ହୋଇ ମୁଁ ପୁଣି ପ୍ରଶ୍ନ କଲି ।

"ତମେ ଦେଇଥିବା ଗୋଲାପକୁ କ'ଣ କରିବି ବୋଲି ଭାବୁଥିଲି । ସାଇତି ରଖିଲେ ଗୋଲାପ ରହିବ ସତ, ହେଲେ ବାସ୍ନା ରହିବ ନାହିଁ । ତେଣୁ ୟୁ-ଟ୍ୟୁବ୍ ଦେଖି ସେ ଗୋଲାପଗୁଡ଼ାକୁ ଗୋଲାପ ଜଳ କରିଦେଇଛି । ସେ ଗୋଲାପ ଭିତରେ ମୁଁ ତୁମକୁ ଅନୁଭବ କରୁଥିଲି, ଆଉ ସେ ଜଳରେ ତମର ବାସ୍ନାକୁ ।"

ସଂଗ୍ରାମ କେଶରୀ ସେନାପତି (ଗପୁ)

Tuesday, 1 February 2022

ନାରୀ ସୁରକ୍ଷା

ସଂଗ୍ରାମ କେଶରୀ ସେନାପତି 11:24 pm 0
ନାରୀ ସୁରକ୍ଷା
Nari Suraksha (ନାରୀ ସୁରକ୍ଷା): An article on Women Safety by Sangram Keshari Senapati

ଏଇ କିଛିଦିନ ତଳେ ଏମିତି ଟୁଇଟର୍‌ରେ ଗୋଟେ ଭିଡିଓ ଦେଖିଲେ, ଯାହାକୁ ଦେଖିକି ଇଚ୍ଛା ହେଉଥିଲା ଏହାକୁ ଅପ୍‌ଲୋଡ୍ କରିଥିବା ସେ ପିଲାକୁ ଦୁଇ ଚାରି ଚାପୁଡ଼ା ଲଗେଇକି ଗୋପନୀୟତା ବିଷୟରେ ଗୋଟେ ପଦ କଥା ଶିଖେଇବାକୁ । ଭିଡିଓ ଗୋଟିଏ ଝିଅର ଥିଲା, ଯିଏକି ବଳାତ୍କାରର ଶିକାର ହୋଇ ଏକ ମେଡିକାଲରେ ପଡ଼ିଥିଲେ । ସେ ଭିଡିଓଟିରେ ଝିଅଟିର ମୁହଁ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଥିଲା ।

ଆମେ ଏ ସମାଜରେ ବଦନାମକୁ ଅଧିକ ଡରୁ, ଲୋକେ କ'ଣ କହିବେ ତାକୁ ଅଧିକ ଡରୁ । ଯାହା ଉଚିତ, ତାକୁ ଲୋକଲଜ୍ୟା ଯୋଗୁଁ ଗ୍ରହଣ କରିବାକୁ ଡରୁ । ଏବେ ଆମେ ଖବର କାଗଜ କିମ୍ବା ଟିଭିରେ ଦୁଷ୍ମର୍ମ ବଢ଼ୁଥିବା ଦେଖୁଛେ; କିନ୍ତୁ ସତ ହେଉଛି ଯେ ଲୋକେ ଏବେ ସଚେତନ ହେଲେଣି, ଆଉ ଏହାର ପ୍ରତିବାଦ କରିବାର ସାହାସ ମଧ୍ୟ କରୁଛନ୍ତି । ଏସବୁ ପାଇଁ ଅଧିକାଂଶ ଲୋକେ ନାରୀର ପୋଷାକକୁ ଦୋଷ ଦେଉଛନ୍ତି ତ କେହି ପୁଣି ଝିଅମାନଙ୍କୁ ଦୋଷ ଦେବାକୁ ପଛାଉ ନାହାନ୍ତି ।

ଏଠାରେ ପ୍ରଶ୍ନ ଉଠେ ନାରୀର ସୁରକ୍ଷାର । ଆଜିର ସମାଜରେ କେତେ ସୁରକ୍ଷିତ ନାରୀମାନେ? ନାରୀକୁ ସବୁବେଳେ ଅବଳା, ଦୁର୍ବଳା ଭାବରେ ଗଣାଯାଇଛି । କିନ୍ତୁ ଆମେ ଭୁଲି ଯାଉଛେ ଯେ ନାରୀ ହେଉଛି ଶକ୍ତି ସ୍ୱରୂପିଣୀ । ଯେବେ ସମାଜରେ ଅନ୍ୟାୟ, ଅନିତି ବଢ଼ିଛି, ସେବେ ନାରୀ ହିଁ ସମାଜକୁ ରକ୍ଷା କରିଛି; କେବେ ଦୁର୍ଗା ସାଜି ମହିଷାସୁରର ସଂହାର କରିଛି ତ କେବେ ଦ୍ରୌପଦୀ ସାଜି କିଛି ପାପୀଙ୍କର ସଂହାର ପାଇଁ ନିଜକୁ ସମର୍ପି ଦେଇଛି ।

ତେଣୁ ନାରୀମାନଙ୍କୁ ନିଜର ସୁରକ୍ଷା ପାଇଁ କାହା ଉପରେ ନିର୍ଭରଶୀଳ ନ ହୋଇ ନିଜେ ନିଜକୁ ସୁରକ୍ଷା ଦେବା ଉଚିତ । କିନ୍ତୁ କେମିତି? ନାରୀଟିଏ ନିଜ ପୁଅ/ଝିଅକୁ ମୂଳରୁ ଉଚିତ ଶିକ୍ଷା ଦେବା ଉଚିତ । କାହାକୁ କେମିତି ସମ୍ମାନ ଦିଆଯାଏ, ତାକୁ ଶିଖେଇବା ଉଚିତ । ସବୁକିଛି ନିଜକୁ ଶିଖେଇବାକୁ ହେବ, କାରଣ ମାଆଟିଏ ହେଉଛି ପିଲାର ପ୍ରଥମ ଗୁରୁ । ମୂଳରୁ ଶିକ୍ଷା ଠିକ୍ ରହିଲେ, ବଡ଼ ହେଲେ ପୁଅଟିଏ ନାରୀକୁ ସୁରକ୍ଷା ଦେଇପାରିବ ଆଉ ସମାଜର ସଂସ୍କାରକ ଭାବରେ ନିଜକୁ ପ୍ରତିଷ୍ଠା କରିପାରିବ ।

- ସଂଗ୍ରାମ କେଶରୀ ସେନାପତି
ପ୍ରତିଷ୍ଠାତା/ସମ୍ପାଦକ, ଶୁଭପଲ୍ଲବ ଓଡ଼ିଆ ପତ୍ରିକା

Monday, 17 May 2021

ମତୁଆଲା ମଧୁପ

ସଂଗ୍ରାମ କେଶରୀ ସେନାପତି 9:35 pm 0
ମତୁଆଲା ମଧୁପ
ମତୁଆଲା ମଧୁପ - Matuala Madhupa Odia Poem by Sangram Keshari Senapati


ତାକୁ କ'ଣ ଛୁଇଁ ହୁଏ?
ନା ସେ ଧରା ଦିଏ ଯେ,
ବାସ୍ କେବଳ ଚାହିଁ ହୁଏ ଆଉ
ବାର୍ ବାର୍ ତା' ପ୍ରେମରେ ପଡ଼ିହୁଏ...


ମୁଁ ତୁମ ପ୍ରେମରେ ମତୁଆଲା ହୋଇ
ମଧୁପ ପ୍ରାୟ ଘୂରିବୁଲେ ତମ ଚତୁଃପାର୍ଶ୍ୱେ ।
କାଳେ ମୋ ସ୍ପର୍ଶରେ ତମକୁ ଆଘାତ ଲାଗିବ,
ସେଥିପାଇଁ ବିନା ଛୁଆଁରେ ଫେରି ଚାଲିଆସେ ॥

Thursday, 13 May 2021

କାଗଜର ଅଭାବ

ସଂଗ୍ରାମ କେଶରୀ ସେନାପତି 8:22 pm 0
କାଗଜର ଅଭାବ
କାଗଜର ଅଭାବ - Kagajara Abhaba

ପୃଥିବୀଠାରୁ ବି ଆହୁରି ଓସାର
ପ୍ରେମର ସେ ସବୁ କଥା ।
ଲେଖିବାକୁ ହେଲେ କାଗଜ ଅଭାବ
ନାହିଁ ମୋର ସେହି ବିଜ୍ଞ ମଥା !!


ପୃଥିବୀ କାହିଁ ଆକାଶଗଙ୍ଗାଠାରୁ ବଡ଼
ହେଉ ପଛେ ପ୍ରେମର କଥା ଆପଣଙ୍କର ।
ଲୋଡ଼ାନାହିଁ କାଗଜ, ବସିକି ଶୁଣେଇବେ,
ଟାଇପ୍ କରିଦେବି ଲାପଟପ୍‌ରେ ମୋର ॥

Tuesday, 11 May 2021

ମନେ ପଡ଼େ

ସଂଗ୍ରାମ କେଶରୀ ସେନାପତି 10:56 pm 0
ମନେ ପଡ଼େ
Mane Pade - ମନେ ପଡ଼େ

ଏମିତି ସଞ୍ଜବେଳେ,
ଦୂର ଦିଗ୍‌ବଳୟରେ ସୂର୍ଯ୍ୟ ବୁଡ଼ିବାବେଳେ...

ଆଜି ବି ତମ କଥା ମନେ ପଡ଼େ,
ଆଜି ବି ତମ ବାସ୍ନା ମୋ ପାଖେ ଉଡ଼େ,
ଆଜି ବି ତମ ସ୍ମୃତି ମୋର ମନେପଡ଼େ...
ଆଜି ବି ତମ କଥା ମନେ ପଡ଼େ...


ମାୟାବିନି ଜହ୍ନ
ମୋତେ ଦେଖି ହସେ
ତୁମକୁ ମୁଁ ଖୋଜେ
ଆଜିବି ମୁଁ ଖୋଜେ...

କଥା ଦେଇଥିଲ ଛାଡ଼ିବନି ହାତ
ଛାଡ଼ି ଚାଲିଗଲ ପଡ଼ୁନି କି ମନେ...

ଆଜିବି ରହିଛି ତୁମ ବାଟ ଚାହିଁ
ଆସିବ ଯଦି ମୁଁ କେବେ ମନେପଡ଼େ...

ଚମତ୍କାର ଲେଖନୀ ସହ ଏକ ସୌନ୍ଦର୍ଯ୍ୟପୂର୍ଣ ଦୃଶ୍ୟ !!🔥
ଦୃଶ୍ୟ ଦେଖି ଦୁଇ ପଦ ଶବ୍ଦ ସଜେଇଦେଲି ।

- ମାଇତି ଶ୍ରେଷ୍ଠା

Saturday, 8 May 2021

ଟୀକା ନିଅନ୍ତୁ

ସଂଗ୍ରାମ କେଶରୀ ସେନାପତି 11:32 am 1
ଟୀକା ନିଅନ୍ତୁ
Tika Niantu - ଟୀକା ନିଅନ୍ତୁ

୩ ଦିନ ତଳେ ମା'କୁ ନେଇକି ଟୀକା ପାଇଁ ଯାଇଥିଲି । ଗୋଟେ ଲୋକ ସ୍କୁଟିରେ ଆସିଥିଲା ଆଉ ପ୍ରବଳ ଭିଡ଼ ଦେଖିକି ବହେ ଚିଲେଇଲା । ଟୁଇଟ୍ କରିବି, କଲେକ୍ଟର୍‌କୁ ଫୋନ୍ କରିବି, ଇତ୍ୟାଦି... ଆଉ କହିଲା ଏମିତି ଲୋକଙ୍କ ପାଇଁ ଏଠି ଟୀକା ନୁହେଁ କରୋନା ନେଇକି ଘରକୁ ଯିବାକୁ ହେବ । ସବୁ ଲୋକ ତା' କଥାକୁ ଶୁଣିଲେ ଆଉ ଦୂରେଇଗଲେ । ସେ ଲୋକ ଏମିତି ଚିଲେଇକି ଭାଷଣ ଦେଇକି ଆଗରେ ପହଞ୍ଚିଗଲା; କିଛି ସମୟରେ ସବୁ ଶାନ୍ତ ହେଲାପରେ ସେ ତ ଆଗରେ ଥିଲା ଆଉ ଚୁପ୍‌କିନା ଯାଇକି ଟୀକା ନେଇଗଲା ।

"ତେଣୁ କିଛି ନଶୁଣି #ଟୀକା ନିଅନ୍ତୁ । ହଁ ଆପଣ ଯୋଗ ବି କରନ୍ତୁ, #କାଢ଼ା ବି ପିଅନ୍ତୁ, ଇଚ୍ଛା ହେଲେ ନାକରେ କି ଯେଉଁଠି ହେଲେ ଲେମ୍ବୁ ବି ପକାନ୍ତୁ, ହେଲେ #ଟୀକାନିଅନ୍ତୁ ।"

- ଗପୁ

Thursday, 15 April 2021

ସମାହିତ

ସଂଗ୍ରାମ କେଶରୀ ସେନାପତି 10:31 pm 0
ସମାହିତ
ସମାହିତ - Samahita Odia poem by Sangram Keshari Senapati (Gapu)

ସାଗର ନୁହେଁ,
ତମେ ରହିଛ ମନର ତରଙ୍ଗରେ ।
ତରଙ୍ଗରେ ନୁହେଁ,
ତମେ ରହିଛ ମୋ' ନିଶ୍ୱାସରେ ।

ପଛରେ ନୁହେଁ,
ତମେ ରହିଛ ମୋ' ହୃଦୟ ଭିତରେ ।
ବେଳାଭୂମିରେ ନୁହେଁ,
ତମେ ତ ସମାହିତ ମୋ' ଭିତରେ ।

#CollegeDiary #କଲେଜଡାଏରୀ

Wednesday, 20 January 2021

ବିଦାୟ ରବି ମିଶ୍ର

ସଂଗ୍ରାମ କେଶରୀ ସେନାପତି 3:23 pm 0
ବିଦାୟ ରବି ମିଶ୍ର

ବିଦାୟ ରବି ମିଶ୍ର - Rabi Mishra Odia Actor passed away on 20 January 2020

ସରକାରୀ ଚାକିରୀ ଥିଲା ତାଙ୍କର ପେଶା ଆଉ ଅଭିନୟ ଥିଲା ନିଶା । ୧୯୭୯ ମସିହାରୁ ରାମାୟଣର ସୁଗ୍ରୀବ ଭୂମିକାରୁ ୨୦୨୦ର ହେ ପ୍ରଭୁ ଧାରାବାହିକର ଜେଜେ ଭୂମିକା ଭିତରେ ସେ ଏମିତି କିଛି ଛାପ ଛାଡ଼ିଯାଇଛନ୍ତି ଓଡ଼ିଆ ଦର୍ଶକଙ୍କ ମନରେ ଯାହା ଅନେକ ବର୍ଷଯାଏଁ ଉଜ୍ଜୀବିତ ହୋଇବ ଓଡ଼ିଆ ପ୍ରାଣରେ ।

କେତେବେଳେ ସେ ଖଳନାୟକ ସାଜି ନେଉଳ ପୋଷୁଥିଲେ ତ ପୁଣି କେବେ ଗୋପାଳ ଭାଣ୍ଡ ସାଜି ଦର୍ଶକମାନଙ୍କୁ ହସେଇ ହସେଇ ବେଦମ କରାଉଥିଲେ ଆଉ ପୁଣି କେବେ ଲକ୍ଷ୍ମୀର ଅଭିସାର କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାତେଇଥିଲେ । ହୁଏତ ଆରମ୍ଭରୁ ଅଭିନୟ ପ୍ରତି ଆକର୍ଷିତ ନଥିଲେ ସେ, କିନ୍ତୁ ଶେଷ ନିଶ୍ୱାସ ତାଙ୍କର ସେହି ଅଭିନୟରେ ଥିଲା ।

ନାଟକର ଶେଷ ଦୃଶ୍ୟରେ ହୃଦ୍‌ଘାତର ଅଭିନୟ କରୁକରୁ ଯେ ସତରେ ସେ ହୃଦ୍‌ଘାତରେ ଚାଲିଯିବେ ତାହା କେହି ଭାବିନଥିଲେ । ସେହି ମହାନ କଳାକାର ରବି ମିଶ୍ରଙ୍କୁ ଶୁଭପଲ୍ଲବ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ ଏବଂ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରୁଛୁ ।

Wednesday, 16 December 2020

ଗୋଲାପ... - କଲେଜଡାଏରୀ

ସଂଗ୍ରାମ କେଶରୀ ସେନାପତି 9:37 am 0
ଗୋଲାପ... - କଲେଜଡାଏରୀ
Golapa - College Diary - ଗୋଲାପ... - କଲେଜଡାଏରୀ

ତୁମକୁ ଦେବାପାଇଁ କେବେ ବି ଗୋଲାପ କିଣିନାହିଁ,
କାଳେ ମଉଳିଗଲେ କେଉଁଠି ଫପୋଡ଼ିଦେବ ବୋଲି ।

ହେଲେ ତମେ ଦେଇଥିବା ପ୍ରତିଟି ଗୋଲାପକୁ ଆଜି ସାଇତି ରଖିଛି,
ଏବେ ବି କଲେଜ ଡାଏରୀ ଖୋଲିଲେ ସେ ମଉଳା ଗୋପାଲ ଝଲସୁଛି ।

Thursday, 13 February 2020

ତୁମ ଅପେକ୍ଷାରେ

ସଂଗ୍ରାମ କେଶରୀ ସେନାପତି 1:41 am 0
ତୁମ ଅପେକ୍ଷାରେ

"ଆଉଥରେ ଆଜି ମୋ ମନର ସେ ଅକୁହା
କଥାକୁ ତମ ଆଗେ ଖୋଲି କହିବାକୁ ଚାହୁଁଛି,
ତମେ ତ ଜାଣିଛ ମୁଁ ତମକୁ କେତେ ଭଲ ପାଉଛି ।"
ଦିନ ପରେ ଦିନ ଗଡ଼ିଚାଲିଛି ଆଉ ଯେତେ ଅଧିକ ସମୟ ବିତି ଚାଲିଛି, ବୋଧେ ସାପର ବିଷ ଚରିଗଲା ଭଳିଆ ଆମର ସେହି କେଇଦିନର ସମ୍ପର୍କର ମିଠା ସ୍ମୃତିସବୁ ମୋ ଭିତରେ ବଢ଼ିବଢ଼ି ଚାଲିଛି । ମୋ ମନର ମାନସ ପଟଳରେ ବାରମ୍ବାର ସେହି ଛବିସବୁ ଆସି ଘୁରିବୁଲୁଛି । ସେଦିନର ସେ ଶେଷ ସାକ୍ଷାତ କଥା ମଧ୍ୟ ଆଜି ସବୁଠୁ ଅଧିକ ପଡ଼ୁଛି ଆଉ ସେଦିନ ତମକୁ କହିପାରିନଥିବା ସେହି କେଇପଦ କଥା ଯେମିତି ମୋତେ ସବୁବେଳେ ଅଟ୍ଟହାସ୍ୟ କରୁଛି ।

ବିନି ତମର ମନେ ଅଛି ନା ତିନି ବର୍ଷ ତଳେ ଯେତେବେଳେ ତମେ ପ୍ରଥମଥର ମୋତେ ଭେଟିବାକୁ ଆସିଥିଲ? ହୁଏତ ତମର ସେ କଥା ସବୁ ମନେ ନଥିବ, କିନ୍ତୁ ମୋର ଭଲ ଭାବରେ ମନେ ଅଛି । ଏହି ଯେଉଁ ସିମେଣ୍ଟର ଚୌକି ଦେଖୁଛ, ସେଇଠି ହିଁ ଆମେ ପ୍ରଥମେ ବସିଥିଲେ । ପ୍ରଥମେ କ'ଣ ଯେ, ଯେତେବେଳେ ଆସୁଥିଲେ ସବୁବେଳେ ହିଁ ଏଇଠି ବସୁଥିଲେ । ସେଦିନ ପ୍ରଥମେ ଦେଖାରେ ତମେ ଯେତିକି ଉତ୍ସାହିତ ଥିଲ, ତମ ଭିତରେ ଥିବା ସେତିକି ଡର ମୁଁ ଭଲ ଭାବରେ ଦେଖିପାରୁଥିଲି ।

ସେ ଡର ଭିତରେ ତମର କଥାସବୁ ଯେତେ ଧୀରେ ଶୁଭୁଥିଲା, ସେତେ ଅଧିକ ମିଠା ଲାଗୁଥିଲା । ପ୍ରଥମେ ଦେଖାର ପ୍ରଥମ ଅନୁଭୂତି ସବୁଠାରୁ ନିଆରା ଅବଶ୍ୟ, ବୋଧେ ସେଦିନର ସେ ମିଠା ଅନୁଭୂତି ସହ ତମର ସେ ଡର ଆଉ ଲାଜ ମିଶା ଆଳାପ ତାକୁ ଦୀର୍ଘସ୍ଥାୟୀ କରିବାକୁ ବାଧ୍ୟ କରିଦେଇଥିଲା । ଏହାପରେ ଅବଶ୍ୟ ଅନେକ ଥର ଦେଖାହେଇଛି, କିନ୍ତୁ ପ୍ରତ୍ୟେକ ଭାଲେଣ୍ଟାଇନ୍ ଡେ'ରେ ଦେଖାହେବାର ସେ ଯେଉଁ ପ୍ରତିଜ୍ଞା ବୋଧେ ତମେ ଭୁଲିଯାଇଛ ! ହେଲେ ଦେଖ ମୁଁ ଆଦୌ ଭୁଲିନି, ସେଇଥିପାଇଁ ତ ଖାଲି ଭାଲେଣ୍ଟାଇନ୍ ଡେ'ରେ ନୁହେଁ ପ୍ରତ୍ୟେକ ଦିନ ଏଠାକୁ ଆସୁଛି ଆଉ କାଳେ କେବେ ତମ ସହ ଦେଖାହେଇଯିବ ସେହି ଆଶା ନେଇ ପାର୍କ ଖୋଲିବାଠାରୁ ବନ୍ଦ ହେବାଯାଏଁ ଏଠାରେ ବସୁଛି ।

Wednesday, 12 February 2020

ଦିଲ୍ଲୀରେ ମୋଦିଙ୍କ ବିଶାଳ ବିଜୟ

ସଂଗ୍ରାମ କେଶରୀ ସେନାପତି 1:30 am 1
ଦିଲ୍ଲୀରେ ମୋଦିଙ୍କ ବିଶାଳ ବିଜୟ

୨୦୨୦ ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ବିଶାଳ ବିଜୟ ପାଇଁ ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣମାନେ କହିବେ, ଶୀର୍ଷକରେ ମୋଦି ଜିତିଲେ ବୋଲି ମିଛ କଥାଗୁଡ଼ା ଲେଖିକି କ'ଣ ୟୁ-ଟ୍ୟୁବ୍ ଭିଡ଼ିଓ ଭଳିଆ ଆଉ କିଛି ଦେଖେଇଲୁଣି; ତେଣୁ ଅଧିକ ବକର ବକର ନ ହେଇକି ସିଧା ମୁଁ ମୋର ମନ୍ତବ୍ୟ ରଖୁଛି । ଅବଶ୍ୟ ୟୁ-ଟ୍ୟୁବ୍ କଥା ଉଠିଲାଣି ମାନେ ଆଗତୁରା ସୂଚେଇ ଦେବାକୁ ଚାହେଁ କି, ଏହା କେବେଳ ଏକ ବ୍ୟଙ୍ଗାତ୍ମକ ଢଙ୍ଗରେ ଲେଖୁଛି, ଆଦୌ ଦେହକୁ ନେବେନି । ଆମେ ଏବେଯାଏଁ ବି ଅଣରାଜନୈତିକ ହେଇକି ଅଛୁ । ଚାଲନ୍ତୁ ଏବେ ଆରମ୍ଭ କରିବା ।

୨୦୧୪ ସାଧାରଣ ନିର୍ବାଚନରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟ ବିଜୟୀ ହେବାପରେ ସେହି ବର୍ଷ ସ୍ୱାଧୀନତା ଦିବସ ଦିନ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିବା ଯୋଜନା ବିଷୟରେ ଜଣେଇଲେ ଏବଂ ପରେ ୨ ଅକ୍ଟୋବର ୨୦୧୪ରେ ହାତରେ "ଝାଡ଼ୁ" ଧରି ଏହାକୁ ବିଧିବଦ୍ଧ ଭାବରେ ଶୁଭାରମ୍ଭ କଲେ । ଗାନ୍ଧୀ ଜୟନ୍ତି ଅବସରରେ ଗାନ୍ଧୀଙ୍କର ସେ ରାମରାଜ୍ୟ ଗଠନ ଦିଗରେ ସେ ପାଦେ ଅଗ୍ରସର ହେଲେ ଆଉ ଅଳିଆ ପୂର୍ଣ୍ଣ ରାମରାଜ୍ୟ କରିବା ଆଗରୁ ସ୍ୱଚ୍ଛ ରାମରାଜ୍ୟ କରିବାକୁ ନିଷ୍ପତ୍ତି ନେଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଝାଡ଼ୁ ଧରି ଆଗେଇ ଆସିବାକୁ ଆହ୍ୱାନ ଦେଲେ ।

ତା'ପରେ ଅନେକ ଲୋକ ହାତରେ ଝାଡ଼ୁ ଧରି କେମିତି କ'ଣ ସବୁ କ'ଣ ଆଉ କେତେ ଅଳିଆ ସଫା କଲେ, ତାହା ତ ଆପଣମାନେ ଜାଣିଛନ୍ତି । ସେ ଯାହା ବି ହେଉ ଖବରରେ ରହିବାକୁ ହେଉ ବା ସୋସିଆଲ ମିଡିଆରେ ପ୍ରଶଂସା ସାଉଁଣ୍ଟିବାକୁ ହେଉ, ଲୋକେ ତ ଝାଡ଼ୁ ଧରିଲେ ହାତରେ । ଯଦି ଆମେ ମଦର ଟେରେସାଙ୍କ କଥାକୁ ମନେ ପକାଇବା, "ତମେ ନିଜେ ନିଜ ଘର ଆଗକୁ ପରିଷ୍କାର ରଖ, ଦେଖିବ ଦୁନିଆ ସଫା ହେଇଯିବ ।" ସେହି ଧାରାରେ ଲୋକମାନେ ବି ନିଜ ଅଞ୍ଚଳ ସଫା ରଖିବାର ଦାୟିତ୍ୱ ନିଜ ହାତକୁ ନେଇ ଝାଡ଼ୁ ଧରି ବାହାରି ପଡ଼ିଲେ, ଆଉ ସଭିଏଁ ସେ ଝାଡ଼ୁ ପ୍ରେମରେ ଉବୁଟୁବୁ ହେଲେ ।

କିନ୍ତୁ ସ୍ୱଚ୍ଛ ଭାରତ ଯୋଜନାରେ ଏ ଝାଡ଼ୁ ଧରି ଫଟୋ ଉଠାଇବାକୁ ଆହ୍ୱାନ ଦେବା ଆଗରୁ ବୋଧେ ମୋଦି ଆଜ୍ଞା ଗୋଟିଏ କଥାକୁ ବୋଧେ ଭୁଲିଯାଇଥିଲେ ଆଉ ତାହା ହେଉଛି ଝାଡ଼ୁ ଆଉ ସାଧାରଣ ଝାଡ଼ୁ ହୋଇନାହିଁ । ୨୦୧୨ ପରେ ସେ ଆମ୍ ଆଦ୍‌ମିର ଏକ ଦଳୀୟ ଚିହ୍ନ ହୋଇସାରିଛି । ଇଏ ହେଉଛି ସେହି ଦଳ ଯେଉଁ ଦଳ ଏଥର ନିର୍ବଚନରେ ଏତେ ସଂଖ୍ୟାରେ ବିଜୟୀ ହେଲା । ହୁଏତ ସାଧାରଣ ଜନମାନସ ଝାଡ଼ୁଧରି ବୁଲିଥିବା ଆମ୍ ଆଦ୍‌ମିର କର୍ମକର୍ତ୍ତା ତଥା କେଜରିୱାଲ ଆଜ୍ଞାଙ୍କର ଅନୁଗାମୀମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଚାର କରୁଥିବା କିମ୍ବା ସ୍ୱଚ୍ଛ ଭାରତ ଅଭିଯାନରେ ସ୍ୱଚ୍ଛତା ପାଇଁ କାମ କରୁଥିବା ମୋଦୀଙ୍କ ଅନୁଗାମୀ ଭାବି ଭୋଟ୍ ବାଡ଼େଇଦେଲେ ।

ଏହି ପରାଜୟ ପାଇଁ ମୋଦି ଆଜ୍ଞା ଦୁଃଖ ନ କରି ଖୁସି ହେବାକୁ ଅନୁରୋଧ । ସଭିଙ୍କ ହାତରେ ଝାଡ଼ୁ ଧରାଇ ଭାରତକୁ ସ୍ୱଚ୍ଛତା ଅଭିମୁଖେ ନେଇଯିବା ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଆଜି ଲୋକମାନେ ପୂରଣ କରିଛନ୍ତି । ଲୋକମାନେ ଫୁଲ ବଦଳରେ ଝାଡ଼ୁକୁ ଅଧିକ ପସନ୍ଦ କରିଛନ୍ତି । ରାଜନୀତିରେ ତେଣିକି ଯେତେ ଛକାପଞ୍ଜା ଥାଉ ନା କାହିଁକି, ଦେଶକୁ ସ୍ୱଚ୍ଛ କରିବା ପାଇଁ ମଧ୍ୟ ହାତରେ ଝାଡ଼ୁ ଉଠାନ୍ତୁ ଆଉ ଯଦି ବି ଝାଡ଼ୁ ଉଠାଇ ପାରୁନାହାନ୍ତି, ତେବେ ଅଳିଆ ଆବର୍ଜନ ସେହି ସ୍ଥାନରେ ପକାନ୍ତୁ, ଯେଉଁସ୍ଥାନରେ ଲୋକମାନେ ଝାଡ଼ୁ ଉଠାଉଛନ୍ତି ।

ଶେଷରେ ମୋଦି ଆଜ୍ଞାଙ୍କୁ ମଧ୍ୟ ଏହି ବିଜୟ ପାଇଁ ଶୁଭେଚ୍ଛା ଜଣାଇବି । ଦିଲ୍ଲୀରେ ସରକାର ଗଠନରେ ସଫଳ ହୋଇନପାରିଲେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନର ସ୍ୱପ୍ନ କିନ୍ତୁ ଫଳବତୀ ହେବାକୁ ଯାଉଛି ।

Saturday, 1 February 2020

ପୁଅମାନେ ରୋଷେଇ ଶିଖିବା କ'ଣ ସତରେ ଜରୁରୀ?

ସଂଗ୍ରାମ କେଶରୀ ସେନାପତି 12:33 am 0
ପୁଅମାନେ ରୋଷେଇ ଶିଖିବା କ'ଣ ସତରେ ଜରୁରୀ?

ମୁଁ ଷଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରଥମଥର ପାଇଁ ନିଜ ହାତରେ ନିଜ ପାଇଁ ରୋଷେଇ କରିଥିଲି । ପୂର୍ବରୁ ଯଦିଓ କେବେ ଗ୍ୟାସ୍ ବି ଲଗେଇନଥିଲି, ଦିନେ ଘରେ କେହି ନଥିବାବେଳେ ଭୋକର ଜ୍ୱାଳା ମେଣ୍ଟେଇବା ପାଇଁ ରୋଷେଇ କରିବା ନିହାତି ଜରୁରୀ ହୋଇ ପଡ଼ିଥିଲା । ଅବଶ୍ୟ ପ୍ରଥମ ରୋଷେଇ ସେତେ ଭଲ ହୋଇନଥିଲା, କିନ୍ତୁ ଖରାପ ବି ହୋଇନଥିଲି । ପରେ ଅନେକ ସମୟରେ ଘରେ କେହି ନଥିବାବେଳେ ମୁଁ ରୋଷେଇ କରିଛି, କିନ୍ତୁ ଇଂଜିନିୟରିଂର ପ୍ରଥମ ବର୍ଷରେ ରୋଷେଇ ନିଜେ କରିବା କେତେ ଜରୁରୀ ସେ ବିଷୟରେ ଅବଗତ ହିଁ ହେଲି । ଦିନେ ଜିଲ୍ଲା କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା, ତେଣୁ ସକାଳଠାରୁ ସନ୍ଧ୍ୟାଯାଏଁ ଭବାନୀପାଟଣା ସହରର ସମସ୍ତ ଦୋକାନ ବନ୍ଦ ଥାଏ, ଫଳରେ ଦିନସାରା ଉପାସ ରହିବାକୁ ପଡ଼ିଲା । ସନ୍ଧ୍ୟାରେ କିନ୍ତୁ ଗୋଟିଏ ସାଙ୍ଗ ଦେଖାହେଲା, ଯାହାର ରୁମ୍‌ରେ ସେମାନେ ନିଜେ ରୋଷେଇ କରୁଥିଲେ, ତେଣୁ ତାଙ୍କପାଇଁ ବନ୍ଦର କୌଣସି ପ୍ରଭାବ ପଡ଼ିଲାନାହିଁ । ଏହାପରଠାରୁ ଆମେ ବି ନିଜେ ନିଜ ରୁମ୍‌ରେ ରୋଷେଇ କଲୁ ଆଉ ଇଂଜିନିୟରିଂରେ ଆମେ ବୈଷୟିକ ବିଦ୍ୟା ଯାହା ଶିଖୁ କି ନଶିଖୁ ରୋଷେଇ ବିଦ୍ୟାଟା ଭଲରେ ଶିଖିଗଲୁ ।

ହେଲେ ଆଜି ୭ ବର୍ଷ ପରେ ପୁଣିଥରେ ସେ ବିଷୟରେ କାହିଁକି ଆଲୋଚନା କରୁଛି? ଏହାର କାରଣ ହେଲା, କିଛିଦିନ ତଳେ ଏକ କାର୍ଯ୍ୟକ୍ରମରେ ନାରୀ ସମ୍ମାନ ଉପରେ ଭାଷଣ ଦେଉଦେଉ ପୋଲିସ୍ କମିଶନର୍ ଡ. ସୁଧାଂଶୁ ଷଡ଼ଙ୍ଗୀ ପଦେ କହିଥିଲେ, "ଯେଉଁ ପୁଅମାନେ ରୋଷେଇ ଶିଖିନାହାନ୍ତି, ତାଙ୍କୁ ଝିଅମାନେ ବିବାହ କରିବା ଉଚିତ ନୁହେଁ ।" ଏହି କଥାର ସାରମର୍ମ କ'ଣ ଥିଲା? ଆଉ ସେ ଏହି କଥା କେତେବେଳେ କେଉଁ ସମୟରେ ଆଉ କେଉଁ ସ୍ଥାନରେ କହିଥିଲେ, ସେ ବିଷୟରେ ଅବଗତ ହେବା ପୂର୍ବରୁ ଅନେକ ନିଜେ ନିଜର ମତ ରଖିଦେଲେ । କିଏ ତାଙ୍କୁ ସିଧାସଳଖ ବିରୋଧ କଲା ତ ପୁଣି କିଏ କେତେ କଟାକ୍ଷ କଲା ।

ଏ ସ୍ୱାଧୀନ ଦେଶରେ ସ୍ୱ-ମତ ରଖିବାର ଅଧିକାର ସମସ୍ତଙ୍କର ଅଛି, ତେଣୁ ସେ ତାଙ୍କର ମତ ରଖିଲେ । ହେଲେ ତାଙ୍କୁ ବିରୋଧ କରୁଥିବା ଲୋକଙ୍କୁ ମୋର ପ୍ରଶ୍ନ, ଯଦି ଆପଣ ରୋଷେଇ କରିବା ଶିଖିବେ ତେବେ କ'ଣ ପାପ ଲାଗିବ ନା ମୃତ୍ୟୁପରେ ଆପଣ ନର୍କକୁ ଯିବେ ବୋଲି ଆପଣଙ୍କର ଜ୍ୟୋତିଷ ମହାଶୟ କହିଛନ୍ତି? ରୋଷେଇ ଶିଖିଥିଲେ ବେଳଅବେଳରେ ବି ସାହାଯ୍ୟ ତ ହୋଇପାରିବ । ଅବଶ୍ୟ କେତେଜଣ ମତ ଦେଲେ କି ଆଜିର ସ୍ମାର୍ଟ ଫୋନ୍‌ର ସ୍ମାର୍ଟ ଯୁଗରେ ଯେତେବେଳେ ଅନ୍‌ଲାଇନ୍‌ରେ ଖାଇବା ଅର୍ଡ଼ର୍ କଲେ ୩୦ ମିନିଟ୍‌ରେ ପହଞ୍ଛୁଛି, ରୋଷେଇ ଶିଖିବା ଦରକାର କ'ଣ? ସେମାନଙ୍କ ପାଇଁ ଗୋଟିଏ ଉପଦେଶ, ଗତବର୍ଷ ଫନି ବାତ୍ୟାରେ ଭୁବନେଶ୍ୱରରେ ଥିବା ବନ୍ଧୁମାନଙ୍କୁ ଥରେ ପଚାରନ୍ତୁ କେମିତି ଥିଲେ ସେମାନେ ।

ନାରୀ ସଶକ୍ତିକରଣ ପାଇଁ ଖାଲି କଥାରେ କହିଲେ କି ଭାଷଣ ଦେଇଦେଲେ ହେବନି, ନାରୀକୁ ବୁଝିବା ଦରକାର, ପ୍ରତ୍ୟେକ ପାହାଚରେ ପାଦ ସହ ପାଦ ମିଶେଇ ଚାଲିବା ଆବଶ୍ୟକ । ଏ ଦେଶର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ନାରୀକୁ କେତେ ସମ୍ମାନ କରୁଥିଲା, ତାହା ପୋଥିପୁରାଣରେ ହଜିଯିବା ପୂର୍ବରୁ ନାରୀଶକ୍ତିର ମହତ୍ୱ ବୁଝିବା ଦରକାର । "ଝିଅ ଜନମ ଚୂଲି ମୁଣ୍ଡକୁ" ପଦକୁ ଯଦି ଆପଣେଇ ବସିବେ, ତେବେ ଆପଣ ବି ସେହି ସମୟକୁ ଫେରିଯିବେ, ଯେଉଁ ସମୟରେ ଏହି ପଦଟି ରଚନା କରାଯାଇଥିଲା ।

ସଂଗ୍ରାମ କେଶରୀ ସେନାପତି
ସମ୍ପାଦକ, ଶୁଭପଲ୍ଲବ
ମୋ- 7008899643

ବି.ଦ୍ର.: ଏହି ଲେଖାଟି ୨୦୨୦ ମସିହାର ଜାନୁଆରୀ ମାସ ୨୨ ତାରିଖରେ ଓଡ଼ିଆ ରିପୋର୍ଟର ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହି ଲିଙ୍କ୍ https://epaper.odishareporter.in/c/48204149 ଜରିଆରେ ଏହାକୁ ମଧ୍ୟ ପଢ଼ିପାରିବେ ।

Thursday, 23 January 2020

ବଡ଼ ଲୋକଙ୍କ ଜୀବନି: ବୀର ସୁରେନ୍ଦ୍ର ସାଏ

ସଂଗ୍ରାମ କେଶରୀ ସେନାପତି 12:55 pm 0
ବଡ଼ ଲୋକଙ୍କ ଜୀବନି: ବୀର ସୁରେନ୍ଦ୍ର ସାଏ

ଯଦିଓ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ପଲାସୀ ଯୁଦ୍ଧପରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଗଣନା କରାଯାଏ, କିନ୍ତୁ ଏହାର ୩୦ ପୂର୍ବରୁ ଜଣେ ଅଗ୍ରଣୀ ନେତା ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହି ବୀର ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ଆଜିର ଦିନରେ ଅର୍ଥାତ ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିବା ସୁରେନ୍ଦ୍ର ସାଏ ୧୮୨୭ ମସିହାରେ ସମ୍ବଲପୁରର ଉତ୍ତରାଧିକାରୀ ପଦକୁ ନେଇ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ସୁରେନ୍ଦ୍ର ସାଏଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧରେ ଇଂରେଜମାନଙ୍କୁ ଅସ୍ତବ୍ୟସ୍ତ କରାପାଇଥିଲେ । ଏହି ଆନ୍ଦୋଳନ ୧୩ ବର୍ଷ ଯାଏଁ ଚାଲିଥିଲା । ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ହାତରେ ବନ୍ଦୀହେବାରୁ ଏହି ଆନ୍ଦୋଳନର ଯବନିକା ପଡ଼ିଥିଲା ।

ସୁରେନ୍ଦ୍ର ସାଏଙ୍କୁ ମାତ୍ର ପାଞ୍ଚ ବର୍ଷର ଜେଲ୍ ଦଣ୍ଡ ଦିଆଯାଇଥିଲେ ମଧ୍ୟ ତାଙ୍କର ଦଣ୍ଡ ଅବଧି ଶେଷ ହେବାପରେ ବି ତାଙ୍କୁ ଇଂରେଜମାନେ ମୁକ୍ତ କରିନଥିଲେ, କିନ୍ତୁ ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ କିଛି ରାମଗଡ଼ର କିଛି ଜବାନମାନେ ଜେଲ୍ ଭାଙ୍ଗି ସାଏଙ୍କ ସମେତ ୩୨ ଜଣଙ୍କୁ ମୁକ୍ତ କରିଥିଲେ । ୧୭ ବର୍ଷ ପରେ ମୁକ୍ତ ହୋଇଥିବା ସାଏଙ୍କୁ ଧରାଇଦେବାପାଇଁ ଇଂରେଜ ସରକାର ସେ ସମୟରେ ୨୫୦ ଟଙ୍କାର ମୁଣ୍ଡ ଜାମିନ ମଧ୍ୟ ରଖିଥିଲେ ।

ମୁକ୍ତିପରେ ସୁରେନ୍ଦ୍ର ସାଏ ପୁଣିଥରେ ସମ୍ବଲପୁରବାସୀଙ୍କୁ ମେଳି କରି ପୁନର୍ବାର ପାହାଡ଼ ଉହାଡ଼ରେ ଲୁଚିରହି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଥିଲେ । ସେ ସମୟରେ ଇଂରେଜାମାନଙ୍କର ଆଧୁନିକ ଯନ୍ତ୍ରପାତି ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ । ପରବର୍ତ୍ତୀ ସମୟରେ ୧୯୬୨ ମସିହାରେ ଇଂରେଜ ମେଜର ଇମ୍ପେଙ୍କ ଶାନ୍ତିପୂର୍ଣ୍ଣ ଆହ୍ୱାନକ୍ରମେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରି ସ୍ୱଭାବିକ ଜୀବନ ବଞ୍ଚିବା ଆରମ୍ଭ କରିଥିଲେ । କିନ୍ତୁ ଇମ୍ପଙ୍କ ମୃତ୍ୟୁପରେ ୧୯୬୪ ମସିହାରେ ସୁରେନ୍ଦ୍ର ସାଏଙ୍କୁ ଶୋଇଥିବା ଅବସ୍ଥାରେ ଗିରିଫ କରାଯାଇଥିଲା ଏବଂ ତାଙ୍କୁ ଆଜୀବନ କାରବାସ ଦିଆଯାଇଥିଲା । ୧୮୮୪ ମସିହାର ଫେବୃଆରୀ ମାସ ୨୮ ତାରିଖରେ ସୁରେନ୍ଦ୍ର ସାଏ ଆଜୀବନ କାରାବାସ କାଟୁଥିବାବେଳେ ଅସୁରଗଡ଼ ଦୁର୍ଗରେ ମୃତ୍ୟୁବରଣ କରିଥିଲେ ।

Friday, 12 October 2018

ସତ ହେଇଥିବା ସ୍ୱପ୍ନ

ସଂଗ୍ରାମ କେଶରୀ ସେନାପତି 7:45 am 3
ସତ ହେଇଥିବା ସ୍ୱପ୍ନ

"ନଈକୂଳିଆ ଜନ, ଛାଡ଼ିଯିବାକୁ ବଳେନି ମନ ।" ନଈର ସେ ସୁନ୍ଦର ଦୃଶ୍ୟ ଦେଖିବାକୁ ମନ ସବୁବେଳେ ବ୍ୟାକୁଳ ଥାଏ । ପିଲାଠୁ ବୁଢ଼ା ସଭିଏଁ ସେ ଦୃଶ୍ୟକୁ ଉପଭୋଗ କରନ୍ତି । ନଈ ବା ସମୁଦ୍ରଠାରୁ କୋଶ କୋଶ ଦୂରରେ ଥିବା ଆମ ଭଳିଆ ଲୋକେ ଭାବନ୍ତି, ଆମ ଘର ସେଇ ପାଖରେ ହୋଇଥାନ୍ତା କି ! ସେଇଥିପାଇଁ ତ ନଈକୂଳରେ ଅଥବା ସମୁଦ୍ର କୂଳରେ ଘରଟିଏ କରିବାକୁ ଅଧିକାଂଶ ଲୋକ ଇଚ୍ଛା କରନ୍ତି । କିନ୍ତୁ ଶାନ୍ତ ଆଉ ନିର୍ମଳ ତ‌ଥା ମନଲୋଭା ସ୍ୱଭାବର ନଈ ବି କେବେ କେବେ ତାଣ୍ଡବ କରିବସେ ।

ସକାଳୁ ସକାଳୁ ଡାକବାଜି ଯନ୍ତ୍ର ସାହାଯ୍ୟରେ, ଦୂରଦର୍ଶନରେ, ଖବରକାଗଜରେ, ଏମିତିକି ସୋସିଆଲ ମିଡ଼ିଆରେ ସବୁଆଡ଼େ ପ୍ରଚାର ଚାଲିଥିଲା ସେ ଗୋଟିଏ କଥା, "ଭୟଙ୍କର ରୂପ ନେଉଛି ତିତ୍‌ଲି ।" ସବୁ ଲୋକମାନଙ୍କ ମନରେ ଛାନକା ପଶିଥିଲା, ମନେ ପଡ଼ିଯାଉଥିଲା ପୂର୍ବରୁ ଘଟିଥିବା ଦୃଶ୍ୟସବୁ । ସମୁଦ୍ରକୂଳିଆ ଲୋକମାନଙ୍କୁ ସିନା ସୁରକ୍ଷିତ ସ୍ଥାନ‌କୁ ସ୍ଥାନାନ୍ତର କରିନିଆଗଲା, ମାତ୍ର ଏ ନଈକୂଳିଆ ଲୋକଙ୍କୁ ପଚାରୁଛି କିଏ । 

ନଈକୂଳରେ ଇନ୍ଦିରାବାସ ଘରଟିଏ କରିଥିବା ସନାତନ ବାବୁ କିନ୍ତୁ ସେତେଟା ବ୍ୟସ୍ତ ବିବ୍ରତ ନ ଥାଆନ୍ତି । ପୂର୍ବ ବାତ୍ୟାରେ ସିନା ପକ୍କା ଘରଟିଏ ନଥିଲା, ତେଣୁ ଘର ଭାଙ୍ଗିଯିବାକୁ ବ‌ହୁତ ହଇରାଣ ହେଇଥିଲେ, ଏଥର କିନ୍ତୁ ନିଜର ପିଅନ ଚାକିରୀରୁ କିଛି ସଞ୍ଚିତ ଅର୍ଥ ଆଉ ସରକାରଙ୍କ ସହାୟତାରେ ଏହି ସୁନ୍ଦର ଘରଟି ତୋଳିଥିଲେ । ଦୁଇ ବଖରା ଘରଟିରେ ସେ ଆଉ ତାଙ୍କ ପୁଣି ନବ ବିବାହିତ ବ‌ଧୂ ସାଙ୍ଗରେ ତାଙ୍କ ପୁଅ । ଏହି ଚାରି ଜଣରେ ତାଙ୍କର ପରିବାର । ଖାଲି ଖାଇବା ଜିନିଷପତ୍ର ସବୁ ରଖିଦେଇ ସେ ଖୁସିରେ ଥାଆନ୍ତି କି ଏଥର ବନ୍ୟା କି ବାତ୍ୟାରେ ସେ ଆଉ ଉଚ୍ଚାସ୍ଥାନଟିଏ ଖୋଜିବେନି, ଯଦି ସେମିତି ଅଧିକ ହୁଏ, ନିଜ ଘର ଉପରେ ଏବେ ତ ଛାତଟିଏ ଅଛି, ତା' ଉପରକୁ ଯାଇପାରିବେ ।

ସନାତନ ବାବୁ ତ ପରିବାର ସ‌ହିତ ଘରେ ଶାନ୍ତିରେ ଶୋଇଥିଲେ । ସେ ସ୍ୱପ୍ନ ଦେଖିଲେ, ବାତ୍ୟା ସ୍ଥଳଭାଗ ଛୁଇଁସାରିଲାଣି ଆଉ ପବନ ମଧ୍ୟ ଭୟଙ୍କର ହେବାରେ ଲାଗିଛି । ବଡ଼ ବଡ଼ ଗଛସବୁ ଭାଙ୍ଗି ଭୂଇଁରେ ଲୋଟିପଡ଼ିଲାଣି । ତୁହାକୁ ତୁହା ବର୍ଷା ମଧ୍ୟ ହେବାରେ ଲାଗିଛି । ସନାତନ ବାବୁ ସ୍ୱପ୍ନରେ ମଧ୍ୟ ଜାଣିପାରୁଥିଲେ ଏହା ତାଙ୍କର ସ୍ୱପ୍ନ ବୋଲି । ତା'ପରେ ଦେଖିଲେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ଆଉ ଧୀରେ ଧୀରେ ନଈର ପାଣି ତାଙ୍କ ଘର ଭିତରକୁ ପଶିବାକୁ ଲାଗୁଛି । ମାତ୍ର ସନାତନ ବାବୁ ତ ଇନ୍ଦିରାବାସ ଘରେ ଅଛନ୍ତି, ପକ୍କା ଘରେ । ସ୍ୱପ୍ନ କ'ଣ ସତ ହୁଏ ଯେ, ତାଙ୍କ ଘରେ ସତରେ ପାଣି ପଶିଥିବ ।

ଏହି ସମୟରେ ତାଙ୍କୁ କେହି ଜଣେ ଉଠିବାକୁ ବାଧ୍ୟ କରୁଥିବା ଅନୁଭବ କଲେ ସିଏ । ହେଲେ ଇଏ କ'ଣ, ସେ ଯାହାସବୁ ଦେଖୁଥିଲେ ସେ ସବୁ ସ୍ୱପ୍ନ ଏବେ ବାସ୍ତବତାରେ ପରିଣତ ହୋଇଯାଇଛି । ତାଙ୍କ ଘର ଆଉ ସେ ସ୍ଥାନରେ ନାହିଁ, ଏବେ ସେମାନେ ନଦୀ ମଧ୍ୟରେ ଅଛନ୍ତି । ଭୟଙ୍କର ଗର୍ଜନ କରୁଥିବା ନଦୀଟି ଏବେ ସେମାନଙ୍କୁ ସେମାନଙ୍କର ଘରସହ ହିଁ ଗ୍ରାସ କରିଯାଇଛି । କିଛି କରିବାକୁ ଯୋଜନା କରିବା ଆଗରୁ ଏକ ବଡ଼ ଭଉଁରୀ ଆସି ତାଙ୍କୁ ଚିରନିଦ୍ରାରେ ଶୁଆଇଦେଲା, ପୁଣିଥରେ ସ୍ୱପ୍ନ ଦେଖିବାକୁ ସାରା ପରିବାରକୁ ସ୍ୱପ୍ନ ରାଇଜକୁ ପଠାଇଦେଲା । 

Monday, 25 June 2018

ଗ୍ରୀଷ୍ମ ଅବକାଶାନ୍ତେ

ସଂଗ୍ରାମ କେଶରୀ ସେନାପତି 10:07 pm 4
ଗ୍ରୀଷ୍ମ ଅବକାଶାନ୍ତେ

କାଲି ସକାଳୁ ସ୍କୁଲ ଖୋଲିବ ବୋଲି ସମସ୍ତଙ୍କର ବଡ଼ ଚିନ୍ତା । ଦେଢ଼ମାସର ଅଧିକ ଦିନ ଧରି ସ୍କୁଲ ଛୁଟି ରହିଥିଲା । ଏହି ସମୟରେ କିଏ କେତେ କ'ଣ ନ କରିଛନ୍ତି । ପିଲାମାନେ ସ୍କୁଲରେ ପଢ଼ାହେବା ଆଗରୁ ଟିଉସନ ଯାଇ ଅଧିକ ପାଠ ପଢ଼ିଦେଇଛନ୍ତି ତ' କେହି କେହି ବର୍ଷକର ପାଠ ପଢ଼ା ବି ଶେଷ କରିଦେଇଛନ୍ତି । ଆଉ ଛୁଟି ଖୋଲିବା ଆଗରୁ ବି ରଜ ଆସେ । ରଜରେ ବି ଏଥର ଭଲ ମଉଜ ହେଲା, କିନ୍ତୁ ରଜ ସରୁ ସରୁ ସ୍କୁଲ । ଏଇଟା କେମିତିକା କଥା ବୋଲି ବସି ଭାବୁଥିଲା ରବିନ୍ଦ୍ର ।

ରବିନ୍ଦ୍ର ଏବେ ଅଷ୍ଟମ ଶ୍ରେଣୀରେ ପଢ଼ୁଛି । ଭାରି ଚୁପଚାପ, ଶାନ୍ତଶିଷ୍ଟ ପିଲାଟି । କେବେ ତା'ର କାହା ସ‌ହ ଝଗଡ଼ା ନାହିଁ । କିନ୍ତୁ ସେ ସବୁବେଳେ ନିଜ ଦୁନିଆରେ, ନିଜ ସ୍ୱପ୍ନ ଭିତରେ ଖୁସି ଥାଏ । ପିଲାଦିନୁ ସେ ଭାବିଥିଲା, ସପ୍ତମ ଶ୍ରେଣୀ ସରିଲେ ଅଧିକ ଦିନ ଛୁଟି ମିଳିବ, ଖରାଛୁଟି ପରେ ଯାଇ ସ୍କୁଲ ଯିବାକୁ ହେବ  ଏମିତି ନୁହେଁ ଯେ ସେ ପଢ଼ାକୁ ଡରେ, କିନ୍ତୁ ତାକୁ ନୂଆ ସ୍କୁଲ, ନୂଆ ଜାଗା, ନୂଆ ବ‌ହି ସବୁ ବ‌ହୁତ ଭଲ ଲାଗେ । ହେଲେ ଏବେ ଆଉ ସେମିତି ହେଉନି, ସପ୍ତମ ଶ୍ରେଣୀର ବୋର୍ଡ଼ ପରୀକ୍ଷା ବି ନାହିଁ, ନୂଆ ସ୍କୁଲ ବି ନାହିଁ । ହାଇସ୍କୁଲରୁ ଏବେ ଅଷ୍ଟମ ଉଠିଆସି ପ୍ରାଇମେରୀ ସ୍କୁଲ ସ‌ହ ମିଶିଯାଇଛି । ତେଣୁ ଏଥର ତାକୁ ପୁଣିଥରେ ସେହି ପୁରୁଣା ସ୍କୁଲକୁ ଯିବାକୁ ହେବ ।

ଏମିତି ଭାବୁ ଭାବୁ ସେ କେତେବେଳେ ଶୋଇ ପଡ଼ିଥିଲା ତାକୁ ଜଣା ନଥିଲା । ସେ ସକାଳୁ ସ୍କୁଲ ବାହାରିଲା, ନୂଆ ସ୍କୁଲ ହେଇଥିଲେ କିଛି ନୂଆ ସାଙ୍ଗ ମିଶିଥାନ୍ତେ, କିନ୍ତୁ ସେ ପୁରୁଣା ସ୍କୁଲରେ ବି ଘନିଷ୍ଠ ସାଙ୍ଗ କମ ନ ଥିଲେ । ପ୍ରାୟ ସଭିଏଁ ସ୍କୁଲ ଆସିଥିଲେ । ପ୍ରାୟ ସମସ୍ତଙ୍କ ସ‌ହ ଏମିତି ହେଉଥିବ, ସକାଳୁ ସ୍କୁଲ ଯିବାକୁ ବ‌ହୁତ କଷ୍ଟ ଲାଗୁଥିବ, କିନ୍ତୁ ଥରେ ସ୍କୁଲରେ ପ‌ହଞ୍ଚିଗଲାପରେ ସେ କଥା ଭୁଲିଯାଇ ସଭିଏଁ ମାତିଯାଆନ୍ତି ସାଙ୍ଗମାନଙ୍କ ସ‌ହ । ଏମିତିରେ ବି ସେମାନଙ୍କର ଦୁଇ ମାସ ହେବ ଦେଖା ହେଇନଥିଲା, ତେଣୁ ପରସ୍ପର ସ‌ହ ଭଲରେ ମିଶିବା ସ୍ୱଭାବିକ । 

ପୁଅଠାରୁ ଝିଅ ସଭିଙ୍କର ପ୍ରାୟ ସେହି ସମାନ କଥୋପକଥନ । ଛୁଟିସାରା କ'ଣ କଲ, କୁଆଡ଼େ ବୁଲିବାକୁ ଯାଇଥିଲ, ରଜର କ'ଣ କଲ, ଏମିତି କେତେ କଥା । ଆଉ ଯେଉଁମାନେ ପାଠୁଆ ପିଲା ଥିବେ, ସେମାନଙ୍କର ପ୍ରଥମ ପ୍ରଶ୍ନ କେତେ ସରିଲା, କାହା ପାଠରେ ଟିଉସନ ହେଉଛୁ, ଇତ୍ୟାଦି ଇତ୍ୟାଦି । ଆଉ ସ୍କୁଲ ଆରମ୍ଭ ପରେ ଶ୍ରେଣୀ ଶିକ୍ଷକ ଆସି ଖରାଛୁଟି ଉପରେ ରଚନା ଲେଖିବାକୁ କୁହନ୍ତି । ଏଇଟା ପ୍ରାୟ ସବୁବେଳ ହୁଏ, ଖରାଦିନ ଛୁଟିରେ, ଦୁର୍ଗାପୂଜା ଛୁଟିରେ, ଧାନ‌କଟା ଛୁଟିରେ ।

ଖାଲି ପିଲାମାନେ ନୁହଁନ୍ତି, ଶିକ୍ଷକ ଶିକ୍ଷୟୀତ୍ରିମାନେ ମଧ୍ୟ ସେହି ସମାନ କଥା ହୁଅନ୍ତି । ଛୁଟିରେ କ'ଣ କୁଆଡ଼େ ବୁଲିବାକୁ ଯାଇଥିଲେ, ବନ୍ଧୁଘରକୁ ଯାଇଥିଲେ କି ନାହିଁ, ପିଲାମାନଙ୍କ ଖବର, ରଜରେ କ'ଣ ସବୁ କଲେ, ଇତ୍ୟାଦି, ଇତ୍ୟାଦି । ଆଉ ଦୁଇଜଣ ଦିଦି ବସିଗଲେ, ସେମାନଙ୍କର ପ୍ରଥମ କଥା ଆରମ୍ଭ ହେବ, ରଜରେ କେଉଁ ନୂଆ କପଡ଼ା କିଣିଲେ, ଏମିତି କେତେ କ'ଣ । ଯାହା ବି ହେଉ ଛୁଟି ଆରମ୍ଭରେ ଯେମିତି ଖୁସି ଆଣି ଆସିଥାଏ, ଛୁଟି ଶେଷରେ ବି ସେମିତି ଟିକିଏ ଦୁଃଖ ଆଣିକିଏ, କିନ୍ତୁ ଘରୁ ବାହାରି ସ୍କୁଲ ପହଞ୍ଚିଲା ପରେ ଖୁସି ଦୁଇଗୁଣା ହେଇଯାଏ । ଖରାଛୁଟି ପ୍ରତିବର୍ଷ ଆସେ ଆଉ ସାଙ୍ଗରେ ଅନେକ ଖୁସି ନେଇଆସେ, ଆଉ ଗଲାବେଳେ ଛାଡ଼ିଯାଏ ଅନେକ ସ୍ମୃତି ।

Saturday, 9 June 2018

ଅସରନ୍ତି କଥା- ୨

ସଂଗ୍ରାମ କେଶରୀ ସେନାପତି 8:28 pm 0
ଅସରନ୍ତି କଥା- ୨
ଆଜି ସକାଳୁ ସକାଳୁ ଟିକେ ଶୀଘ୍ର ନିଦ ଭାଙ୍ଗିଗଲା । ସକଳାର ସେ ସତେଜ ଖରା ଛୁଇଁ ଦେଇଗଲା ମୋ ଦେହକୁ । ଚାହା କପଟିକୁ ହାତରେ ଧରି ସକାଳର ଖବରକାଗଜଟିକୁ ଦେଖିବାରେ ଲାଗିଲି । ରବିବାର, ତେଣୁ କଲେଜ ବି ଛୁଟି । ଅବଶ୍ୟ କେବେ କେବେ ପୂର୍ବରୁ ରବିବାରରେ ମୋତେ କଲେଜ ଯିବାକୁ ପଡ଼ୁଥିଲା । କେବେ ଏକ୍ସଟ୍ରା କ୍ଲାସ ନେବାକୁ ହୁଏ ତ' ପୁଣି କେବେ ପଢ଼େଇବା ଉପରେ କିଛି ପ୍ରଶିକ୍ଷଣ ତ‌ଥା ନୂଆ ନୂଆ କିଛି ଶିଖିବାକୁ ଯିବାକୁ ପଡ଼େ ।


ଏଇ ସକାଳୁ ଉଠି ଚାହା ପିଇବା, ଚାହା ପିଉପିଉ ଖବରକାଗଜ ପଢ଼ିବା, ରବିବାରରେ ବି ଏକ୍ସଟ୍ରା କ୍ଲାସ କରିବା ଏହିସବୁ ଅଭ୍ୟାସ ପ୍ରକୃତରେ ମୋର କଲେଜବେଳୁ ହେଇଯାଇଛି । ସେତେବେଳେ କିନ୍ତୁ ଏବେ ପରି ଏକା ରହୁନଥିଲି । ସେବେ କେତେବେଳେ ହଷ୍ଟେଲରେ ତ ଆଉ କେବେ ମେସ୍‌ରେ ସାଙ୍ଗମାନେ ମିଶିକି ରହୁଥିଲୁ । ଦୁଇ ଦିନ ଛୁଟି ମିଳିଲେ, କିଛି ବାହାନା କରି ସେତେବେଳେ ଘରକୁ ପିଲାବେଳେ ପଳେଇଲେ ବି ମୋ ସ‌ହ କେହି ନା କେହି ହଷ୍ଟେଲରେ ରହୁଥିଲେ । ଧୀରେ ଧୀରେ ସମୟ ସ‌ହ ସେ ସବୁ ବଦଳିଲା ଆଉ ଏକୁଟିଆ ରହିବାଟା ଅଭ୍ୟାସ କରିବାକୁ ପଡ଼ିଲା ।

ଏଇଠିକି ଆସିଲା ପରେ ମୁଁ ଏକା ରହୁନି, ତା' ଆଗରୁ ବରଂ ଏହା ଆରମ୍ଭ ହେଇଥିଲା, ଯେଉଁଦିନ ମୋର ମଧୁ ସ‌ହିତ ଝଗଡ଼ା ହୋଇଥିଲା । ମଧୁ, ସେ କଲେଜବେଳେ ମୋର ସବୁଠାରୁ ଭଲ ସାଙ୍ଗ ଥିଲା । ଦୁହେଁ ଏକାଠି ରହୁଥିଲୁ ଗୋଟିଏ ରୁମ୍‌ରେ ଆଉ ସବୁବେଳେ ସାଙ୍ଗ ହୋଇ ସବୁ କାମ କରୁଥିଲୁ । ପିଲାଦିନରୁ ହେଇ ଆସିଥିବା ସବୁ ସାଙ୍ଗ ଭିତରୁ ସେ ସମ୍ପୂର୍ଣ୍ଣ ଅଲଗା ଥିଲା । ସବୁବେଳେ ମୋ ମାଆ ଭଳି ମୋର ଯତ୍ନ ବି ନେଉଥିଲା । ତେଣୁ ମୋତେ ସେ ହଷ୍ଟେଲଟା ବି ଘର ଭଳି ଲାଗୁଥିଲା । ସେଇଥିପାଇଁ ତ ଅଳ୍ପଦିନ ଛୁଟି ହେଲେ ମୁଁ ଘରକୁ ଯିବାକୁ ମନ କରେନି । ହଷ୍ଟେଲରେ କେହି ନ ଥିଲେ ବି ମଧୁ ମୋ ସ‌ହ ରହୁଥିଲା ।

ଛୁଟିରେ ସବୁ ଘରକୁ ଚାଲିଗଲେ ଆମେ ଦୁହେଁ ଏକାଠି ବ‌ହୁତ ମଜା କରୁଥିଲୁ, ନିଜେ ନିଜେ ରୋଷେଇ କରିବା ପାଇଁ ଚେଷ୍ଟା କରୁଥିଲୁ । ପ୍ରକୃତରେ ସେଇଟା ରୋଷେଇ କରିବା ନଥିଲା, ସେଇଟା ଥିଲା ରୋଷେଇ ଶିଖିବା । ରାତିରେ ଅନ୍ଧାର କରି ମହମ‌ବତୀ ଲଗେଇ ଜଣେ ଭୂତ କାହାଣୀ ପଢ଼େ ଆଉ ଆରକ ତାକୁ ଶୁଣେ । ଏମିତି ଭିତରେ ଚାଲିଥିଲା ଆମର ସେ ମଧୁର ସମ୍ପର୍କ । କିନ୍ତୁ ସେହି ସମ୍ପର୍କ ମଝିରେ ପଶିଆସିଲା ଦିନେ ଗୋଟିଏ ଉଲ୍କାପିଣ୍ଡ, ସୁଶାନ୍ତ । ଉଲ୍କାପିଣ୍ଡ ଯେତେବେଳେ ଆସେ ଏକ ବ‌ହୁତ ବଡ଼ ଆଲୋକ ଆଣିଦିଏ । ସମସ୍ତଙ୍କୁ ଦେଖିବାକୁ ବ‌ହୁତ ଭଲ ଲାଗେ, କିନ୍ତୁ ପାଖକୁ ଗଲେ ସେ ଜାଳିପୋଡ଼ି ପାଉଁଶ କରିଦିଏ ।

ସୁଶାନ୍ତ ଅବଶ୍ୟ ଆମର କ୍ଲାସମେଟ ନ ଥିଲା, ସେ କିନ୍ତୁ ଥରେ କ'ଣ ଗୋଟିଏ ସାହାଯ୍ୟ ପାଇଁ ଆମ ପାଖକୁ ଆସିଥିଲା, ସେତେବେଳେ ମଧୁ ଆଉ ମୁଁ ଲାଇବ୍ରେରୀରେ ବସି ପଢ଼ୁଥିଲୁ । ପିଲାଟି ଦେଖିବାକୁ କିଛି ଖରାପ ନ ଥିଲା ଏବଂ ସ୍ୱଭାବରେ ସେମିତି କିଛି ଖରାପ ନ ଥିଲା । ତା'ର ସେ ନମ୍ର, ଶିଷ୍ଟ ଓ ଭଦ୍ର ବ୍ୟବ‌ହାର ଦେଖି ଆମେ ତାକୁ ଅବଶ୍ୟ ସାହାଯ୍ୟ କରିଥିଲୁ । ଧୀରେ ଧୀରେ ସମୟାନୁକ୍ରମେ ସେ ଆମ ସ‌ହ ଅଧିକ ମିଶିବା ଆରମ୍ଭ କରିଦେଲା । କେତେବେଳେ ଲାଇବ୍ରେରୀରେ ତ କେତେବେଳେ ବାହାରେ ସେ ଆମସ‌ହ ସାଙ୍ଗ ହୋଇ ବୁଲେ । ସୁଶାନ୍ତର କିନ୍ତୁ ଗୋଟିଏ ଗୁଣ ଆମ ଦୁହିଁଙ୍କୁ ସବୁଠାରୁ ଭଲ ଲାଗିଲା, ସେ କେବେ କେତେବେଳେ କାହାକୁ ଅସୁବିଧାରେ ପଡ଼ିବାକୁ ଦିଏନାହିଁ । ଏମିତି ସମୟ ଆସିଗଲା ଯେଉଁଦିନ ଆମେ ସୁଶାନ୍ତ ସ‌ହ କଥା ହେଉନଥିଲୁ, ଆମ ଦୁହିଁଙ୍କୁ ଭଲ ଲାଗୁନଥିଲା ।

ସକାଳର ପ୍ରଥମ ଚାହା କପଟି ମୋର ଖାଲି ହୋଇଗଲା, କିନ୍ତୁ ଖବରକାଗଜ ଆଡ଼େ ଥରେ ବି ନ‌ଜର ଯାଇନଥିଲା । କେଜାଣି କାହିଁକି ଆଜି ମଧୁ କଥା ମୋର ବ‌ହୁତ ମନେ ପଡ଼ୁଥିଲା । ଜଣାନାହିଁ ସେ କେମିତି ଅଛି, କୋଉଠି ଅଛି ଆଉ କ'ଣ କରୁଛି । କିନ୍ତୁ ସେଦିନର ସେ ଝଗଡ଼ା ପରେ ମୁଁ ଥରୁଟିଏ ତା'ଆଡ଼େ ବି ଅନେଇନାହିଁ । ହେଲେ ଏତେଦିନ ପରେ ହଠାତ କାହିଁକି ତା' କଥା ମନେ ପଡ଼ୁଛି ମୋତେ ଜଣା ନାହିଁ ।


Sunday, 3 June 2018

ଇଣ୍ଟରନେଟରେ ଓଡ଼ିଆ ଭାଷା ଓ ଓଡ଼ିଆ ଉଇକିପିଡ଼ିଆ

ସଂଗ୍ରାମ କେଶରୀ ସେନାପତି 1:00 pm 0
ଇଣ୍ଟରନେଟରେ ଓଡ଼ିଆ ଭାଷା ଓ ଓଡ଼ିଆ ଉଇକିପିଡ଼ିଆ
ଚାରିକୋଟି ଲୋକଙ୍କର ମୁଖରୁ ନିସୃତ ବାଣୀ ହେଉଛି ଓଡ଼ିଆ । ଏହାର ପ୍ରାଚୀନତାକୁ ପରକ୍ଷୀ ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା । ତ‌ଥାପି ସେ ଭାଷା ଆଜି ସେହି ରାଜ୍ୟରେ ଅବ‌ହେଳିତ, ଯାହାର ନାମ‌କରଣ ଓଡ଼ିଆକୁ ନେଇ ଓଡ଼ିଶା ରଖାଯାଇଥିଲା । ସେହି ରାଜ୍ୟର ଅଧିବାସୀଙ୍କ ପାଖରେ ଅବ‌ହେଳିତ, ଯାହାର ପୂର୍ବପୁରୁଷ ଭାଷା ତ‌ଥା ଜାତିର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରାଣବଳୀ ଦେବାକୁ ପଛେଇ ନଥିଲେ ।

ଏବେକାର ଏକବିଂଶ ଶତାବ୍ଦୀ ହେଉଛି ଇଣ୍ଟରନେଟର ଯୁଗ, ଯେଉଁଠି ପୃଥିବୀର ଗୋଟିଏ କୋଣରେ ରହି ଆମେ ସମସ୍ତ ତ‌ଥ୍ୟ ଇଣ୍ଟରନେଟ ଜରିଆରେ ପାଇପାରିବା । କିନ୍ତୁ ଏହି ଇଣ୍ଟରନେଟ ମଣିଷ ଭଳି ସେତେ ଉନ୍ନତମାନର ନୁହେଁ କି ନିଜେ ସବୁ ଗ୍ରହଣ କରିନେବ । ଇଣ୍ଟରନେଟର ଉଦ୍ଭାବନ ମଣିଷ କରିଛି ଏବଂ ମଣିଷ ତା'ର ବିକାଶ କରୁଛି ଏବଂ ସେଥିରେ ଗୋଟିଏ ଗୋଟିଏ ଭାଗ ତା' ସ‌ହ ଜଡ଼ିତ ଥିବା ବ୍ୟକ୍ତିବିଶେଷ ତ‌ଥା ଗୋଷ୍ଠୀର ଲୋକମାନେ କରୁଛନ୍ତି । ଆମେ ଗୋଟିଏ ଜିନିଷ ଦେଖୁଛେ କି ଇଣ୍ଟରନେଟରେ ସବୁକିଛି ଇଂରାଜୀ ଭାଷାରେ ହିଁ ରହୁଛି, ଏହାର କାରଣ ହେଉଛି ଏହାର ଅକ୍ଷର ସଂଖ୍ୟା । ମାତ୍ର ୨୬ଗୋଟି ଅକ୍ଷରକୁ ନେଇ ଥିବା ଏହି ଭାଷାକୁ ସବୁଜାଗାରେ ବ୍ୟବ‌ହାର କରିହେଉଛି, ତେଣୁ କମ୍ପୁଟର ଓ ଇଣ୍ଟରନେଟର ଉଦ୍ଭାବନ ବେଳେ ଇଂରାଜୀ ଭାଷାର ପ୍ରାଧାନ୍ୟ ଅଧିକ ଥିଲା ଏବଂ ପରେ ଧୀରେ ଧୀରେ ଅନ୍ୟ ଭାଷା ମଧ୍ୟ ଉପଲବ୍ଧ ହେଲା ।

କିନ୍ତୁ ଏତେ ପୁରୁଣା ଭାଷା ହୋଇ ମଧ୍ୟ ଓଡ଼ିଆ ଭାଷା ଏବେଯାଏଁ ଇଣ୍ଟରନେଟରେ ସେତେ ମାତ୍ରାରେ ଉପଲବ୍ଧ ନାହିଁ । ଗୁଗୁଲ୍‌ ଟ୍ରାନ୍ସଲେଟର ପ୍ରାୟ ଅଧିକାଂଶ ଭାରତୀୟ ଭାଷାରେ ଉପଲବ୍ଧ ଥିଲେ ମଧ୍ୟ ଓଡ଼ିଆରେ ଉପଲବ୍ଧ ନାହିଁ । ଏହାର ସବୁଠାରୁ ବଡ଼ କାରଣ ହେଲା, ଇଣ୍ଟରନେଟରେ ବ୍ୟବ‌ହୃତ ଉଇନିକୋଡ଼ । ଓଡ଼ିଆ ଭାଷାରେ ଥିବା ଅଧିକାଂଶ ଦସ୍ତାବିଜ ଆକୃତି, ଶ୍ରୀଲିପି ଆଦି ଫଣ୍ଟରେ ଲେଖାହୋଇଛି, ତେଣୁ ଇଣ୍ଟରନେଟରେ ଖୋଜି ପାଇବାକୁ ହେଲେ ତାହା ଇଉନିକୋଡ଼ରେ ଥିବା ନିତ୍ୟାନ୍ତ ଆବଶ୍ୟକ । ୫/୬ ବର୍ଷ ତଳେ ଓଡ଼ିଆରେ ଲେଖିବାକୁ ହେଲେ ସେମିତି କିଛି ସଫ୍ଟଓୟାର ମଧ୍ୟ ସ‌ହଜରେ ମିଳୁନଥିଲା, କିନ୍ତୁ ଏବେ ପ୍ରାୟ ସବୁ ମୋବାଇଲ, କମ୍ପୁଟର ଆଦିରେ ଓଡ଼ିଆ ଆସୁଛି ଏବଂ ଗୁଗୁଲ୍‌ ତ‌ଥା ମାଇକ୍ରୋସଫ୍ଟର ଓଡ଼ିଆ ଟାଇପିଂ ଟୁଲ୍ ଓଡ଼ିଆ ଲିପି ଇଉନିକୋଡ଼ରେ ଲେଖିବାରେ ସାହାଯ୍ୟ କରୁଛି । 

ତ‌ଥାପି ଇଣ୍ଟରନେଟରେ ଅନ୍ୟ ଭାଷାରେ ଥିବା ତ‌ଥ୍ୟ ହିସାବରେ ଓଡ଼ିଆର ସ୍ଥାନ ନ୍ୟୁନ । ଜ୍ଞାନ ବାଣ୍ଟିଲେ ବଢ଼େ, ତେଣୁ ତାକୁ ଆମେ ନିଜ ମଧ୍ୟ ସୀମିତ ନ ରଖି ସଭିଙ୍କ ପାଖରେ ପ‌ହ‌ଞ୍ଚାଇବା ନିହାତି ଦରକାର । ଫଳରେ ଆମ ଜ୍ଞାନରେ ଆଉ କିଏ ଶିଖିବ ତ' ଆଉ କାହାର ଜ୍ଞାନରେ ଆମ ମଧ୍ୟ ଶିଖିବା । ଆଜିର ଦିନରେ ଆମେ ସଭିଏଁ ସମାନ ଏବଂ ସବୁକିଛି ସମସ୍ତଙ୍କ ପାଇଁ ମଧ୍ୟ ସମାନ ହେବା ଦରକାର । ସେଇଥିପାଇଁ ୨୦୦୧ ମସିହାରେ ଜାନୁଆରୀ ୧୫ରେ ଉଇକିପଡ଼ିଆର ପ୍ରତିଷ୍ଠା କରିଥିଲେ ଜିମି ଉଏଲ୍ସ, ଯାହାକି ଏକ ଖୋଲା ଜ୍ଞାନ‌କୋଷ ଭାବରେ ଆଜି ସମଗ୍ର ବିଶ୍ୱରେ ଆଦୃତ ହୋଇଛି । ଏଥିରେ ସମସ୍ତେ ତ‌ଥ୍ୟ ଯୋଡ଼ି ପାରିବେ ଏବଂ ଏହି ତ‌ଥ୍ୟଗୁଡ଼ିକର ସତ୍ୱାଧିକାର ମୁକ୍ତ ଭାବରେ ଉପଲବ୍ଧ, ଫଳରେ ଏହାକୁ କେହି ବି ସ‌ହଜରେ ବ୍ୟବ‌ହାର କରିପାରିବେ । ଉଇକିପଡ଼ିଆରେ ଲେଖୁଥିବା ସମସ୍ତ ସଭ୍ୟ ସ୍ୱେଚ୍ଛାରେ ଯୋଗ ଦେଇଥାନ୍ତି, ତେଣୁ ସଭିଏଁ ନିଜ ଇଚ୍ଛାରେ ଯୋଗଦେଇପାରିବେ । ଉଇକିପଡ଼ିଆ ଏବେ ୨୮୯ଟି ଭାଷାରେ ଉପଲବ୍ଧ । ୨୦୦୨ ଜୁନ ମାସରୁ ଓଡ଼ିଆରେ ମଧ୍ୟ ଉଇକପଡ଼ିଆ ଆରମ୍ଭ ହୋଇଥିଲା । ମାତ୍ର ୨୦୧୧ ଯାଏଁ ସେତେ ଅଧିକ ସକ୍ରିୟ ନଥିଲା । କିନ୍ତୁ ୨୦୧୧ରେ ବାଙ୍ଗାଲୋରରେ ଉଇକିପିଡ଼ିଆର ୧୦ବର୍ଷ ପାଳନ ପରେ କିଛି ଓଡ଼ିଆ ଲୋକ ଏହାକୁ ଲୋକଲୋଚନ‌କୁ ଆଣିବା ପାଇଁ ପ୍ରଚେଷ୍ଟାରେ ଲାଗିପଡ଼ିଲେ ଏବଂ ଧୀରେ ଧୀରେ ଯୋଗଦାନ‌କାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ।

ଏଇ ଜୁନ୍ ୩ରେ ଓଡ଼ିଆ ଉଇକିପଡ଼ିଆକୁ ୧୬ବର୍ଷ ପୁରିଲା ଏବଂ ଏବେ ସୁଦ୍ଧା ୧୩,୯୦୦ରୁ ଅଧିକ ପ୍ରସଙ୍ଗ ଓଡ଼ିଆ ଉଇକିପଡ଼ିଆରେ ଉପଲବ୍ଧ ଅଛି । କିନ୍ତୁ ଓଡ଼ିଆ ଉଇକିପଡ଼ିଆରେ ସକ୍ରିୟ ଥିବା ଉଇକିଆଳୀଙ୍କ ସଂଖ୍ୟା ବ‌ହୁତ କମ୍ । ଫଳରେ ଅନ୍ୟ ଭାରତୀୟ ଭାଷା ତୁଳନାରେ ଓଡ଼ିଆ ଉଇକିପଡ଼ିଆର ଅଗ୍ରଗତି ହାର ନ‌ଗଣ୍ୟ । ଇଣ୍ଟରନେଟରେ ଓଡ଼ିଆକୁ ଆଗକୁ ନେବାକୁ ହେଲେ ସଭିଙ୍କୁ ଜଣେ ଜଣଙ୍କର ହାତ ଧରି ଏକଜୁଟ ହୋଇ ଆଗକୁ ଯିବାକୁ ହେବ । ଓଡ଼ିଆରେ ଖାଲି ଉଇକିପିଡ଼ିଆ ନୁହଁ, ଉଇକିପାଠାଗାର ଏବଂ ଉଇକିଅଭିଧାନ ମଧ୍ୟ ଉପଲବ୍ଧ । ଉଇକିପାଠାଗାରରେ କପିରାଇଟ୍ ବାହାରେ ଥିବା ପୁରୁଣା ବ‌ହି, ପୋଥି, ଦସ୍ତାବିଜ ଆଦି ରହିପାରିବ, ଯାହାକୁ ସାଧାରଣ ଲୋକଟିଏ ମାଗଣାରେ ଘରେ ବସି ମଧ୍ୟ ପଢ଼ିପାରିବ । ସେହିପରି ଉଇକିଅଭିଧାନରେ ଏକ ଲକ୍ଷରୁ ଅଧିକ ଓଡ଼ିଆ ଶବ୍ଦର ଶବ୍ଦାର୍ଥ ଏବଂ ଉଚ୍ଚାରଣ ରହିଛି । ଖାଲି ଓଡ଼ିଆ ଭାଷାକୁ ସବୁଥିରେ କାର୍ଯ୍ୟକାରୀ କରିବା ଆମର ଗୋଟିଏ ଲକ୍ଷ୍ୟ ନ ହେବା ଦରକାର, ପରବର୍ତ୍ତୀ ପିଢ଼ୀ ପାଇଁ ଆମର ଭାଷାର ପ୍ରାଚୀନ ରଚନାବଳୀକୁ ସଂରକ୍ଷଣ କରି ରଖିବା ଦରକାର ।

(ଏହି ଲେଖାଟି ଆଜିର (3rd June 2018) ନିର୍ଭୟ ଖବରକାଗଜର ୧୭ ପୃଷ୍ଠାରେ ବହାରିଥିଲା)