୨୦୧୧ ମସିହାରେ ତେଲୁଗୁ ଭାଷାରେ ଗୋଟିଏ କଥାଚିତ୍ର ମୁକ୍ତିଲାଭ କରିଥିଲା; ପିଲା ଜମିନ୍ଦାର୍ । ୨୦୧୩ କି ୧୪ ମସିହାରେ ତାକୁ ଦେଖିଲା ପରେ ଥରକରେ ମନ ପୂରିନଥିଲା । ଆଉ ଏତେଦିନ ପରେ କାଲି ରାତିରେ ପୁଣିଥରେ ଗୋଟିଏ ଓଡ଼ିଆ କଥାଚିତ୍ର ଦେଖୁଦେଖୁ ସେ ପୁରୁଣା ଦୃଶ୍ୟ ଆସିଗଲା ଆଗରେ । ସେ ଓଡ଼ିଆ କଥାଚିତ୍ରଟି ହେଉଛି ପ୍ରେମମ୍ ।
ବାବୁଶାନ୍ ଓ ପ୍ରକୃତି ମିଶ୍ରଙ୍କ ଅଭିନୀତ ଏକ ପ୍ରେମଭରା କଥାଚିତ୍ର ହେଉଛି ପ୍ରେମମ୍ । କିଛିଦିନ ତଳେ ଯେତେବେଳେ ଏହି କଥାଚିତ୍ରଟିର ଟ୍ରେଲର୍ ଆସିଥିଲା, ସେତେବେଳେ ଅନେକ ତାକୁ ମାଲାୟଲମ୍ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିବା କଥାଚିତ୍ର ପ୍ରେମମ୍ର କପି (ରିମେକ୍) ବୋଲି କହିଥିଲେ, ହେଲେ ଏଥିରେ ସେ କାହାଣୀରୁ ଧାଡ଼ିଟିଏ ବି ନାହିଁ, ବାସ୍ ନାମ ହିଁ ସମାନ ।
କାହାଣୀ ଆରମ୍ଭ ହୁଏ ଗୋଟେ ବଦମାସିଆ ଧନୀଘରର ପିଲା ସଞ୍ଜୁ ଶାସ୍ତ୍ରୀଠାରୁ । ସଞ୍ଜୁ କହିଲେ ଓଡ଼ିଆ କଥାଚିତ୍ର ଜଗତରେ ଜଣଙ୍କୁ ହିଁ ବୁଝାଏ, ସେ ଆଉ କେହି ନୁହନ୍ତି ବାବୁଶାନ୍ ମହାନ୍ତି । ଏ ସଞ୍ଜୁର କାହାଣୀ ଆରମ୍ଭ ହୋଇଥିଲା ସଞ୍ଜୁ ଓ ସଞ୍ଜନା କଥାଚିତ୍ରରୁ । ତା'ପରେ ବୋଧେ ୮/୧୦ ଖଣ୍ଡେ କଥାଚିତ୍ରରେ ତାଙ୍କ ଚରିତ୍ରର ନାମ ରହିଛି ସଞ୍ଜୁ । ତେବେ ସେ ଯାହା ବି ହେଉ ଆରମ୍ଭରୁ ହିଁ କଥାଚିତ୍ରର ଦୁର୍ବଳ ନିର୍ଦ୍ଦେଶନା ବିଷୟରେ ଜଣାପଡ଼େ, ଏମିତିକି ଆରମ୍ଭର ୧୦-୧୫ ମିନିଟ୍ରେ ଚିତ୍ରନାଟ୍ୟ ତାଳମେଳ ନଖାଇବା ବିଷୟରେ ଧାରଣା ଚାଲିଆସେ ।
ସମ୍ପୂର୍ଣ୍ଣ କଥାଚିତ୍ରଟି ୨ ଘଣ୍ଟା ୨୨ ମିନିଟ୍ର, ହେଲେ ଏହାକୁ ବହୁତ କମ୍ କରାଯାଇ ପାରିଥାନ୍ତା । ଅଧିକ ଲମ୍ବା କରିବା ଯୋଜନାରେ ଅନେକ ସ୍ଥାନରେ କାହାଣୀ ବାରମ୍ବାର ବଦଳିବା ପରି ଲାଗେ । ସେ ଯାହା ବି ହେଉ ସଞ୍ଜୁ ତା'ର କାଣ୍ଡ ପରେ ଥାନାରୁ ତ ମୁକୁଳିଯାଏ, ହେଲେ ମହାବିଦ୍ୟାଳୟର ଅଧକ୍ଷଙ୍କ ଦଣ୍ଡରୁ ବଞ୍ଚି ପାରେନାହିଁ; ପହଞ୍ଚେ କେଉଁ ଏକ ଗୁରୁକୁଳରେ । ସେଇଠି ପହଞ୍ଚିବା ପରଠାରୁ ଲାଗେ ପ୍ରେମମ୍ ନୁହେଁ ପିଲା ଜମିନ୍ଦାର ଆରମ୍ଭ ହେଇଗଲା । ସେଇଠି ସେ ପରୀକ୍ଷା ଦେବନି ବୋଲି ହାତ ଭାଙ୍ଗିବାର ନାଟକ କରିଥିଲା, ଏଇଠି ନାଟକରେ ଅଭିନୟ କରିବନି ବୋଲି ହାତ ଭାଙ୍ଗିବାର ମିଛ ଅଭିନୟ । ଯାହାହେଉ ଗୋଳିଆମିଶା କରିକି ସଂସ୍କୃତ କେଇଧାଡ଼ି ପୂରେଇ ଦେଇକି ନାଟକରେ ଅଭିନୟ କରିଦିଅନ୍ତି ।
ନାଟକ ସରୁସରୁ ନାୟିକାକୁ ବି ପ୍ରେମ ହେଇଯାଏ ଆଉ ତା'ପରେ କାହାଣୀର କିଛି ଭାଗ ସିଦ୍ଧାର୍ଥର ଓଏ୍ ଫିଲ୍ ସହ ମିଶିଯାଏ ହେଲେ ପ୍ରଭାସଙ୍କର ରାଧେଶ୍ୟାମ୍ ଢାଞ୍ଚାରେ । ବାସ୍ ତା'ପରେ ନାୟକ ଲାଗିପଡ଼େ ପ୍ରେମିକାକୁ ବଞ୍ଚେଇବାକୁ ଆଉ ସେଠାଏ ଆବିର୍ଭାବ ହୁଅନ୍ତି ନାୟକର ବାପା । ସେଇଠି ବି ସେମାନଙ୍କର ପୁରୁଣା କାହାଣୀ ସିଦ୍ଧାର୍ଥ ଓ ତମନ୍ନା ଭାଟିଆ ଅଭିନୀତ କୁଞ୍ଚମ୍ ଇଷ୍ଟମ୍ କୁଞ୍ଚମ୍ କଷ୍ଟମ୍ ସହ ଘାଣ୍ଟି ହେଇଯାଏ ।
ତା'ପରେ ପରଦାକୁ ଆସନ୍ତି ସିଦ୍ଧାନ୍ତ ମହାପାତ୍ର ନକଲି ଦାନ୍ତ ଓ ନକଲି ଚୁଟି ଲଗେଇକି । ଯଦିଓ କେହି କେହି ଏହାକୁ ରସିକ ନାଗର ସହିତ ତୁଳନା କରିଥିଲେ, କିନ୍ତୁ ଏହା ଭିନ୍ନ ହେଲେ ଚୁଟି ନକଲି ବୋଲି ଭଲରେ ବାରିହୋଇ ପଡ଼େ । ତା'ପରେ ସେ ତାଙ୍କର ପୂର୍ବର ଟିକେ କାହଣୀ ବଖାଣିକି କାହାଣୀକୁ ଆଗକୁ ବଢ଼ାନ୍ତି । ୨ୟ ଭାଗରେ କାହାଣୀ ଆଉ ଅଭିନୟ ଟିକେ ଚଳନୀୟ । ଆଉ ଶେଷଦୃଶ୍ୟଟି ନିହାତି ଭାବରେ ଭଲ ହୋଇଛି । ହେଲେ ତା'ପରେ ଦେଖାଇଥିବା କିଛି ଦୃଶ୍ୟଟି ଅନେକ କଥାଚିତ୍ରରେ ଦେଖିଥିବେ । ଏମିତିକି ଓଡ଼ିଆ କଥାଚିତ୍ର ଗୋଟେ ଶୁଆ ଗୋଟ ସାରୀରେ ବି ଏମିତି କିଛି ଦେଖିଥିବେ ।
କଥାଚିତ୍ରଟିର କେତେଜଣ ଜଣାଶୁଣା ଅଭିନେତାଙ୍କ ସହିତ ଅନେକ ନୂଆ କଳାକାର ଅଛନ୍ତି ଯେଉଁମାନଙ୍କୁ ଅଭିନୟରେ ଅନେକ କିଛି ଶିଖିବାକୁ ହେବ । କେତେକ ଜାଗାରେ ପୁରଣା କଳାକାରଙ୍କ ଅଭିନୟ ବି ଟିକେ ଅଖାଡ଼ୁଆ ଲାଗିବ । ମୋଟ୍ ଉପରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟିର ପୂରା ଖରାପ କହିହେବ ନାହିଁ କାରଣ ଏବେ ପସ୍ତୁତ ହେଉଥିବା ଅନେକ ଓଡ଼ିଆ କଥାଚିତ୍ର ତୁଳନାରେ କିଛିଟା ଭଲ ଅଛି । ନାହିଁ ମାମୁଁଠାରୁ କଣାମାମୁଁ ଭଲ ନ୍ୟାୟରେ ଦେଖିପାରିବେ ।
କଥାଚିତ୍ରଟି ଡିଜ୍ନି ପ୍ଲସ୍ ହଟ୍ଷ୍ଟାର୍ରେ ଉପଲବ୍ଧ ଅଛି, ମାଗଣାରେ ଦେଖିପାରିବେ । ଆଉ ହଁ କିଛି ଆଶା ରଖିକି ଦେଖିବେ ନାହିଁ, ନହେଲେ ମନ ଉଣା ହେବ । ମାଗଣାରେ ଏତିକି ମିଳିବ ବୋଲି ଭାବିକି ଦେଖିଦେବେ ।
- ଗପୁ