June 2018 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Monday, 25 June 2018

ଗ୍ରୀଷ୍ମ ଅବକାଶାନ୍ତେ

ସଂଗ୍ରାମ କେଶରୀ ସେନାପତି 10:07 pm 4
ଗ୍ରୀଷ୍ମ ଅବକାଶାନ୍ତେ

କାଲି ସକାଳୁ ସ୍କୁଲ ଖୋଲିବ ବୋଲି ସମସ୍ତଙ୍କର ବଡ଼ ଚିନ୍ତା । ଦେଢ଼ମାସର ଅଧିକ ଦିନ ଧରି ସ୍କୁଲ ଛୁଟି ରହିଥିଲା । ଏହି ସମୟରେ କିଏ କେତେ କ'ଣ ନ କରିଛନ୍ତି । ପିଲାମାନେ ସ୍କୁଲରେ ପଢ଼ାହେବା ଆଗରୁ ଟିଉସନ ଯାଇ ଅଧିକ ପାଠ ପଢ଼ିଦେଇଛନ୍ତି ତ' କେହି କେହି ବର୍ଷକର ପାଠ ପଢ଼ା ବି ଶେଷ କରିଦେଇଛନ୍ତି । ଆଉ ଛୁଟି ଖୋଲିବା ଆଗରୁ ବି ରଜ ଆସେ । ରଜରେ ବି ଏଥର ଭଲ ମଉଜ ହେଲା, କିନ୍ତୁ ରଜ ସରୁ ସରୁ ସ୍କୁଲ । ଏଇଟା କେମିତିକା କଥା ବୋଲି ବସି ଭାବୁଥିଲା ରବିନ୍ଦ୍ର ।

ରବିନ୍ଦ୍ର ଏବେ ଅଷ୍ଟମ ଶ୍ରେଣୀରେ ପଢ଼ୁଛି । ଭାରି ଚୁପଚାପ, ଶାନ୍ତଶିଷ୍ଟ ପିଲାଟି । କେବେ ତା'ର କାହା ସ‌ହ ଝଗଡ଼ା ନାହିଁ । କିନ୍ତୁ ସେ ସବୁବେଳେ ନିଜ ଦୁନିଆରେ, ନିଜ ସ୍ୱପ୍ନ ଭିତରେ ଖୁସି ଥାଏ । ପିଲାଦିନୁ ସେ ଭାବିଥିଲା, ସପ୍ତମ ଶ୍ରେଣୀ ସରିଲେ ଅଧିକ ଦିନ ଛୁଟି ମିଳିବ, ଖରାଛୁଟି ପରେ ଯାଇ ସ୍କୁଲ ଯିବାକୁ ହେବ  ଏମିତି ନୁହେଁ ଯେ ସେ ପଢ଼ାକୁ ଡରେ, କିନ୍ତୁ ତାକୁ ନୂଆ ସ୍କୁଲ, ନୂଆ ଜାଗା, ନୂଆ ବ‌ହି ସବୁ ବ‌ହୁତ ଭଲ ଲାଗେ । ହେଲେ ଏବେ ଆଉ ସେମିତି ହେଉନି, ସପ୍ତମ ଶ୍ରେଣୀର ବୋର୍ଡ଼ ପରୀକ୍ଷା ବି ନାହିଁ, ନୂଆ ସ୍କୁଲ ବି ନାହିଁ । ହାଇସ୍କୁଲରୁ ଏବେ ଅଷ୍ଟମ ଉଠିଆସି ପ୍ରାଇମେରୀ ସ୍କୁଲ ସ‌ହ ମିଶିଯାଇଛି । ତେଣୁ ଏଥର ତାକୁ ପୁଣିଥରେ ସେହି ପୁରୁଣା ସ୍କୁଲକୁ ଯିବାକୁ ହେବ ।

ଏମିତି ଭାବୁ ଭାବୁ ସେ କେତେବେଳେ ଶୋଇ ପଡ଼ିଥିଲା ତାକୁ ଜଣା ନଥିଲା । ସେ ସକାଳୁ ସ୍କୁଲ ବାହାରିଲା, ନୂଆ ସ୍କୁଲ ହେଇଥିଲେ କିଛି ନୂଆ ସାଙ୍ଗ ମିଶିଥାନ୍ତେ, କିନ୍ତୁ ସେ ପୁରୁଣା ସ୍କୁଲରେ ବି ଘନିଷ୍ଠ ସାଙ୍ଗ କମ ନ ଥିଲେ । ପ୍ରାୟ ସଭିଏଁ ସ୍କୁଲ ଆସିଥିଲେ । ପ୍ରାୟ ସମସ୍ତଙ୍କ ସ‌ହ ଏମିତି ହେଉଥିବ, ସକାଳୁ ସ୍କୁଲ ଯିବାକୁ ବ‌ହୁତ କଷ୍ଟ ଲାଗୁଥିବ, କିନ୍ତୁ ଥରେ ସ୍କୁଲରେ ପ‌ହଞ୍ଚିଗଲାପରେ ସେ କଥା ଭୁଲିଯାଇ ସଭିଏଁ ମାତିଯାଆନ୍ତି ସାଙ୍ଗମାନଙ୍କ ସ‌ହ । ଏମିତିରେ ବି ସେମାନଙ୍କର ଦୁଇ ମାସ ହେବ ଦେଖା ହେଇନଥିଲା, ତେଣୁ ପରସ୍ପର ସ‌ହ ଭଲରେ ମିଶିବା ସ୍ୱଭାବିକ । 

ପୁଅଠାରୁ ଝିଅ ସଭିଙ୍କର ପ୍ରାୟ ସେହି ସମାନ କଥୋପକଥନ । ଛୁଟିସାରା କ'ଣ କଲ, କୁଆଡ଼େ ବୁଲିବାକୁ ଯାଇଥିଲ, ରଜର କ'ଣ କଲ, ଏମିତି କେତେ କଥା । ଆଉ ଯେଉଁମାନେ ପାଠୁଆ ପିଲା ଥିବେ, ସେମାନଙ୍କର ପ୍ରଥମ ପ୍ରଶ୍ନ କେତେ ସରିଲା, କାହା ପାଠରେ ଟିଉସନ ହେଉଛୁ, ଇତ୍ୟାଦି ଇତ୍ୟାଦି । ଆଉ ସ୍କୁଲ ଆରମ୍ଭ ପରେ ଶ୍ରେଣୀ ଶିକ୍ଷକ ଆସି ଖରାଛୁଟି ଉପରେ ରଚନା ଲେଖିବାକୁ କୁହନ୍ତି । ଏଇଟା ପ୍ରାୟ ସବୁବେଳ ହୁଏ, ଖରାଦିନ ଛୁଟିରେ, ଦୁର୍ଗାପୂଜା ଛୁଟିରେ, ଧାନ‌କଟା ଛୁଟିରେ ।

ଖାଲି ପିଲାମାନେ ନୁହଁନ୍ତି, ଶିକ୍ଷକ ଶିକ୍ଷୟୀତ୍ରିମାନେ ମଧ୍ୟ ସେହି ସମାନ କଥା ହୁଅନ୍ତି । ଛୁଟିରେ କ'ଣ କୁଆଡ଼େ ବୁଲିବାକୁ ଯାଇଥିଲେ, ବନ୍ଧୁଘରକୁ ଯାଇଥିଲେ କି ନାହିଁ, ପିଲାମାନଙ୍କ ଖବର, ରଜରେ କ'ଣ ସବୁ କଲେ, ଇତ୍ୟାଦି, ଇତ୍ୟାଦି । ଆଉ ଦୁଇଜଣ ଦିଦି ବସିଗଲେ, ସେମାନଙ୍କର ପ୍ରଥମ କଥା ଆରମ୍ଭ ହେବ, ରଜରେ କେଉଁ ନୂଆ କପଡ଼ା କିଣିଲେ, ଏମିତି କେତେ କ'ଣ । ଯାହା ବି ହେଉ ଛୁଟି ଆରମ୍ଭରେ ଯେମିତି ଖୁସି ଆଣି ଆସିଥାଏ, ଛୁଟି ଶେଷରେ ବି ସେମିତି ଟିକିଏ ଦୁଃଖ ଆଣିକିଏ, କିନ୍ତୁ ଘରୁ ବାହାରି ସ୍କୁଲ ପହଞ୍ଚିଲା ପରେ ଖୁସି ଦୁଇଗୁଣା ହେଇଯାଏ । ଖରାଛୁଟି ପ୍ରତିବର୍ଷ ଆସେ ଆଉ ସାଙ୍ଗରେ ଅନେକ ଖୁସି ନେଇଆସେ, ଆଉ ଗଲାବେଳେ ଛାଡ଼ିଯାଏ ଅନେକ ସ୍ମୃତି ।

Saturday, 9 June 2018

ଅସରନ୍ତି କଥା- ୨

ସଂଗ୍ରାମ କେଶରୀ ସେନାପତି 8:28 pm 0
ଅସରନ୍ତି କଥା- ୨
ଆଜି ସକାଳୁ ସକାଳୁ ଟିକେ ଶୀଘ୍ର ନିଦ ଭାଙ୍ଗିଗଲା । ସକଳାର ସେ ସତେଜ ଖରା ଛୁଇଁ ଦେଇଗଲା ମୋ ଦେହକୁ । ଚାହା କପଟିକୁ ହାତରେ ଧରି ସକାଳର ଖବରକାଗଜଟିକୁ ଦେଖିବାରେ ଲାଗିଲି । ରବିବାର, ତେଣୁ କଲେଜ ବି ଛୁଟି । ଅବଶ୍ୟ କେବେ କେବେ ପୂର୍ବରୁ ରବିବାରରେ ମୋତେ କଲେଜ ଯିବାକୁ ପଡ଼ୁଥିଲା । କେବେ ଏକ୍ସଟ୍ରା କ୍ଲାସ ନେବାକୁ ହୁଏ ତ' ପୁଣି କେବେ ପଢ଼େଇବା ଉପରେ କିଛି ପ୍ରଶିକ୍ଷଣ ତ‌ଥା ନୂଆ ନୂଆ କିଛି ଶିଖିବାକୁ ଯିବାକୁ ପଡ଼େ ।


ଏଇ ସକାଳୁ ଉଠି ଚାହା ପିଇବା, ଚାହା ପିଉପିଉ ଖବରକାଗଜ ପଢ଼ିବା, ରବିବାରରେ ବି ଏକ୍ସଟ୍ରା କ୍ଲାସ କରିବା ଏହିସବୁ ଅଭ୍ୟାସ ପ୍ରକୃତରେ ମୋର କଲେଜବେଳୁ ହେଇଯାଇଛି । ସେତେବେଳେ କିନ୍ତୁ ଏବେ ପରି ଏକା ରହୁନଥିଲି । ସେବେ କେତେବେଳେ ହଷ୍ଟେଲରେ ତ ଆଉ କେବେ ମେସ୍‌ରେ ସାଙ୍ଗମାନେ ମିଶିକି ରହୁଥିଲୁ । ଦୁଇ ଦିନ ଛୁଟି ମିଳିଲେ, କିଛି ବାହାନା କରି ସେତେବେଳେ ଘରକୁ ପିଲାବେଳେ ପଳେଇଲେ ବି ମୋ ସ‌ହ କେହି ନା କେହି ହଷ୍ଟେଲରେ ରହୁଥିଲେ । ଧୀରେ ଧୀରେ ସମୟ ସ‌ହ ସେ ସବୁ ବଦଳିଲା ଆଉ ଏକୁଟିଆ ରହିବାଟା ଅଭ୍ୟାସ କରିବାକୁ ପଡ଼ିଲା ।

ଏଇଠିକି ଆସିଲା ପରେ ମୁଁ ଏକା ରହୁନି, ତା' ଆଗରୁ ବରଂ ଏହା ଆରମ୍ଭ ହେଇଥିଲା, ଯେଉଁଦିନ ମୋର ମଧୁ ସ‌ହିତ ଝଗଡ଼ା ହୋଇଥିଲା । ମଧୁ, ସେ କଲେଜବେଳେ ମୋର ସବୁଠାରୁ ଭଲ ସାଙ୍ଗ ଥିଲା । ଦୁହେଁ ଏକାଠି ରହୁଥିଲୁ ଗୋଟିଏ ରୁମ୍‌ରେ ଆଉ ସବୁବେଳେ ସାଙ୍ଗ ହୋଇ ସବୁ କାମ କରୁଥିଲୁ । ପିଲାଦିନରୁ ହେଇ ଆସିଥିବା ସବୁ ସାଙ୍ଗ ଭିତରୁ ସେ ସମ୍ପୂର୍ଣ୍ଣ ଅଲଗା ଥିଲା । ସବୁବେଳେ ମୋ ମାଆ ଭଳି ମୋର ଯତ୍ନ ବି ନେଉଥିଲା । ତେଣୁ ମୋତେ ସେ ହଷ୍ଟେଲଟା ବି ଘର ଭଳି ଲାଗୁଥିଲା । ସେଇଥିପାଇଁ ତ ଅଳ୍ପଦିନ ଛୁଟି ହେଲେ ମୁଁ ଘରକୁ ଯିବାକୁ ମନ କରେନି । ହଷ୍ଟେଲରେ କେହି ନ ଥିଲେ ବି ମଧୁ ମୋ ସ‌ହ ରହୁଥିଲା ।

ଛୁଟିରେ ସବୁ ଘରକୁ ଚାଲିଗଲେ ଆମେ ଦୁହେଁ ଏକାଠି ବ‌ହୁତ ମଜା କରୁଥିଲୁ, ନିଜେ ନିଜେ ରୋଷେଇ କରିବା ପାଇଁ ଚେଷ୍ଟା କରୁଥିଲୁ । ପ୍ରକୃତରେ ସେଇଟା ରୋଷେଇ କରିବା ନଥିଲା, ସେଇଟା ଥିଲା ରୋଷେଇ ଶିଖିବା । ରାତିରେ ଅନ୍ଧାର କରି ମହମ‌ବତୀ ଲଗେଇ ଜଣେ ଭୂତ କାହାଣୀ ପଢ଼େ ଆଉ ଆରକ ତାକୁ ଶୁଣେ । ଏମିତି ଭିତରେ ଚାଲିଥିଲା ଆମର ସେ ମଧୁର ସମ୍ପର୍କ । କିନ୍ତୁ ସେହି ସମ୍ପର୍କ ମଝିରେ ପଶିଆସିଲା ଦିନେ ଗୋଟିଏ ଉଲ୍କାପିଣ୍ଡ, ସୁଶାନ୍ତ । ଉଲ୍କାପିଣ୍ଡ ଯେତେବେଳେ ଆସେ ଏକ ବ‌ହୁତ ବଡ଼ ଆଲୋକ ଆଣିଦିଏ । ସମସ୍ତଙ୍କୁ ଦେଖିବାକୁ ବ‌ହୁତ ଭଲ ଲାଗେ, କିନ୍ତୁ ପାଖକୁ ଗଲେ ସେ ଜାଳିପୋଡ଼ି ପାଉଁଶ କରିଦିଏ ।

ସୁଶାନ୍ତ ଅବଶ୍ୟ ଆମର କ୍ଲାସମେଟ ନ ଥିଲା, ସେ କିନ୍ତୁ ଥରେ କ'ଣ ଗୋଟିଏ ସାହାଯ୍ୟ ପାଇଁ ଆମ ପାଖକୁ ଆସିଥିଲା, ସେତେବେଳେ ମଧୁ ଆଉ ମୁଁ ଲାଇବ୍ରେରୀରେ ବସି ପଢ଼ୁଥିଲୁ । ପିଲାଟି ଦେଖିବାକୁ କିଛି ଖରାପ ନ ଥିଲା ଏବଂ ସ୍ୱଭାବରେ ସେମିତି କିଛି ଖରାପ ନ ଥିଲା । ତା'ର ସେ ନମ୍ର, ଶିଷ୍ଟ ଓ ଭଦ୍ର ବ୍ୟବ‌ହାର ଦେଖି ଆମେ ତାକୁ ଅବଶ୍ୟ ସାହାଯ୍ୟ କରିଥିଲୁ । ଧୀରେ ଧୀରେ ସମୟାନୁକ୍ରମେ ସେ ଆମ ସ‌ହ ଅଧିକ ମିଶିବା ଆରମ୍ଭ କରିଦେଲା । କେତେବେଳେ ଲାଇବ୍ରେରୀରେ ତ କେତେବେଳେ ବାହାରେ ସେ ଆମସ‌ହ ସାଙ୍ଗ ହୋଇ ବୁଲେ । ସୁଶାନ୍ତର କିନ୍ତୁ ଗୋଟିଏ ଗୁଣ ଆମ ଦୁହିଁଙ୍କୁ ସବୁଠାରୁ ଭଲ ଲାଗିଲା, ସେ କେବେ କେତେବେଳେ କାହାକୁ ଅସୁବିଧାରେ ପଡ଼ିବାକୁ ଦିଏନାହିଁ । ଏମିତି ସମୟ ଆସିଗଲା ଯେଉଁଦିନ ଆମେ ସୁଶାନ୍ତ ସ‌ହ କଥା ହେଉନଥିଲୁ, ଆମ ଦୁହିଁଙ୍କୁ ଭଲ ଲାଗୁନଥିଲା ।

ସକାଳର ପ୍ରଥମ ଚାହା କପଟି ମୋର ଖାଲି ହୋଇଗଲା, କିନ୍ତୁ ଖବରକାଗଜ ଆଡ଼େ ଥରେ ବି ନ‌ଜର ଯାଇନଥିଲା । କେଜାଣି କାହିଁକି ଆଜି ମଧୁ କଥା ମୋର ବ‌ହୁତ ମନେ ପଡ଼ୁଥିଲା । ଜଣାନାହିଁ ସେ କେମିତି ଅଛି, କୋଉଠି ଅଛି ଆଉ କ'ଣ କରୁଛି । କିନ୍ତୁ ସେଦିନର ସେ ଝଗଡ଼ା ପରେ ମୁଁ ଥରୁଟିଏ ତା'ଆଡ଼େ ବି ଅନେଇନାହିଁ । ହେଲେ ଏତେଦିନ ପରେ ହଠାତ କାହିଁକି ତା' କଥା ମନେ ପଡ଼ୁଛି ମୋତେ ଜଣା ନାହିଁ ।


Sunday, 3 June 2018

ଇଣ୍ଟରନେଟରେ ଓଡ଼ିଆ ଭାଷା ଓ ଓଡ଼ିଆ ଉଇକିପିଡ଼ିଆ

ସଂଗ୍ରାମ କେଶରୀ ସେନାପତି 1:00 pm 0
ଇଣ୍ଟରନେଟରେ ଓଡ଼ିଆ ଭାଷା ଓ ଓଡ଼ିଆ ଉଇକିପିଡ଼ିଆ
ଚାରିକୋଟି ଲୋକଙ୍କର ମୁଖରୁ ନିସୃତ ବାଣୀ ହେଉଛି ଓଡ଼ିଆ । ଏହାର ପ୍ରାଚୀନତାକୁ ପରକ୍ଷୀ ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା । ତ‌ଥାପି ସେ ଭାଷା ଆଜି ସେହି ରାଜ୍ୟରେ ଅବ‌ହେଳିତ, ଯାହାର ନାମ‌କରଣ ଓଡ଼ିଆକୁ ନେଇ ଓଡ଼ିଶା ରଖାଯାଇଥିଲା । ସେହି ରାଜ୍ୟର ଅଧିବାସୀଙ୍କ ପାଖରେ ଅବ‌ହେଳିତ, ଯାହାର ପୂର୍ବପୁରୁଷ ଭାଷା ତ‌ଥା ଜାତିର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରାଣବଳୀ ଦେବାକୁ ପଛେଇ ନଥିଲେ ।

ଏବେକାର ଏକବିଂଶ ଶତାବ୍ଦୀ ହେଉଛି ଇଣ୍ଟରନେଟର ଯୁଗ, ଯେଉଁଠି ପୃଥିବୀର ଗୋଟିଏ କୋଣରେ ରହି ଆମେ ସମସ୍ତ ତ‌ଥ୍ୟ ଇଣ୍ଟରନେଟ ଜରିଆରେ ପାଇପାରିବା । କିନ୍ତୁ ଏହି ଇଣ୍ଟରନେଟ ମଣିଷ ଭଳି ସେତେ ଉନ୍ନତମାନର ନୁହେଁ କି ନିଜେ ସବୁ ଗ୍ରହଣ କରିନେବ । ଇଣ୍ଟରନେଟର ଉଦ୍ଭାବନ ମଣିଷ କରିଛି ଏବଂ ମଣିଷ ତା'ର ବିକାଶ କରୁଛି ଏବଂ ସେଥିରେ ଗୋଟିଏ ଗୋଟିଏ ଭାଗ ତା' ସ‌ହ ଜଡ଼ିତ ଥିବା ବ୍ୟକ୍ତିବିଶେଷ ତ‌ଥା ଗୋଷ୍ଠୀର ଲୋକମାନେ କରୁଛନ୍ତି । ଆମେ ଗୋଟିଏ ଜିନିଷ ଦେଖୁଛେ କି ଇଣ୍ଟରନେଟରେ ସବୁକିଛି ଇଂରାଜୀ ଭାଷାରେ ହିଁ ରହୁଛି, ଏହାର କାରଣ ହେଉଛି ଏହାର ଅକ୍ଷର ସଂଖ୍ୟା । ମାତ୍ର ୨୬ଗୋଟି ଅକ୍ଷରକୁ ନେଇ ଥିବା ଏହି ଭାଷାକୁ ସବୁଜାଗାରେ ବ୍ୟବ‌ହାର କରିହେଉଛି, ତେଣୁ କମ୍ପୁଟର ଓ ଇଣ୍ଟରନେଟର ଉଦ୍ଭାବନ ବେଳେ ଇଂରାଜୀ ଭାଷାର ପ୍ରାଧାନ୍ୟ ଅଧିକ ଥିଲା ଏବଂ ପରେ ଧୀରେ ଧୀରେ ଅନ୍ୟ ଭାଷା ମଧ୍ୟ ଉପଲବ୍ଧ ହେଲା ।

କିନ୍ତୁ ଏତେ ପୁରୁଣା ଭାଷା ହୋଇ ମଧ୍ୟ ଓଡ଼ିଆ ଭାଷା ଏବେଯାଏଁ ଇଣ୍ଟରନେଟରେ ସେତେ ମାତ୍ରାରେ ଉପଲବ୍ଧ ନାହିଁ । ଗୁଗୁଲ୍‌ ଟ୍ରାନ୍ସଲେଟର ପ୍ରାୟ ଅଧିକାଂଶ ଭାରତୀୟ ଭାଷାରେ ଉପଲବ୍ଧ ଥିଲେ ମଧ୍ୟ ଓଡ଼ିଆରେ ଉପଲବ୍ଧ ନାହିଁ । ଏହାର ସବୁଠାରୁ ବଡ଼ କାରଣ ହେଲା, ଇଣ୍ଟରନେଟରେ ବ୍ୟବ‌ହୃତ ଉଇନିକୋଡ଼ । ଓଡ଼ିଆ ଭାଷାରେ ଥିବା ଅଧିକାଂଶ ଦସ୍ତାବିଜ ଆକୃତି, ଶ୍ରୀଲିପି ଆଦି ଫଣ୍ଟରେ ଲେଖାହୋଇଛି, ତେଣୁ ଇଣ୍ଟରନେଟରେ ଖୋଜି ପାଇବାକୁ ହେଲେ ତାହା ଇଉନିକୋଡ଼ରେ ଥିବା ନିତ୍ୟାନ୍ତ ଆବଶ୍ୟକ । ୫/୬ ବର୍ଷ ତଳେ ଓଡ଼ିଆରେ ଲେଖିବାକୁ ହେଲେ ସେମିତି କିଛି ସଫ୍ଟଓୟାର ମଧ୍ୟ ସ‌ହଜରେ ମିଳୁନଥିଲା, କିନ୍ତୁ ଏବେ ପ୍ରାୟ ସବୁ ମୋବାଇଲ, କମ୍ପୁଟର ଆଦିରେ ଓଡ଼ିଆ ଆସୁଛି ଏବଂ ଗୁଗୁଲ୍‌ ତ‌ଥା ମାଇକ୍ରୋସଫ୍ଟର ଓଡ଼ିଆ ଟାଇପିଂ ଟୁଲ୍ ଓଡ଼ିଆ ଲିପି ଇଉନିକୋଡ଼ରେ ଲେଖିବାରେ ସାହାଯ୍ୟ କରୁଛି । 

ତ‌ଥାପି ଇଣ୍ଟରନେଟରେ ଅନ୍ୟ ଭାଷାରେ ଥିବା ତ‌ଥ୍ୟ ହିସାବରେ ଓଡ଼ିଆର ସ୍ଥାନ ନ୍ୟୁନ । ଜ୍ଞାନ ବାଣ୍ଟିଲେ ବଢ଼େ, ତେଣୁ ତାକୁ ଆମେ ନିଜ ମଧ୍ୟ ସୀମିତ ନ ରଖି ସଭିଙ୍କ ପାଖରେ ପ‌ହ‌ଞ୍ଚାଇବା ନିହାତି ଦରକାର । ଫଳରେ ଆମ ଜ୍ଞାନରେ ଆଉ କିଏ ଶିଖିବ ତ' ଆଉ କାହାର ଜ୍ଞାନରେ ଆମ ମଧ୍ୟ ଶିଖିବା । ଆଜିର ଦିନରେ ଆମେ ସଭିଏଁ ସମାନ ଏବଂ ସବୁକିଛି ସମସ୍ତଙ୍କ ପାଇଁ ମଧ୍ୟ ସମାନ ହେବା ଦରକାର । ସେଇଥିପାଇଁ ୨୦୦୧ ମସିହାରେ ଜାନୁଆରୀ ୧୫ରେ ଉଇକିପଡ଼ିଆର ପ୍ରତିଷ୍ଠା କରିଥିଲେ ଜିମି ଉଏଲ୍ସ, ଯାହାକି ଏକ ଖୋଲା ଜ୍ଞାନ‌କୋଷ ଭାବରେ ଆଜି ସମଗ୍ର ବିଶ୍ୱରେ ଆଦୃତ ହୋଇଛି । ଏଥିରେ ସମସ୍ତେ ତ‌ଥ୍ୟ ଯୋଡ଼ି ପାରିବେ ଏବଂ ଏହି ତ‌ଥ୍ୟଗୁଡ଼ିକର ସତ୍ୱାଧିକାର ମୁକ୍ତ ଭାବରେ ଉପଲବ୍ଧ, ଫଳରେ ଏହାକୁ କେହି ବି ସ‌ହଜରେ ବ୍ୟବ‌ହାର କରିପାରିବେ । ଉଇକିପଡ଼ିଆରେ ଲେଖୁଥିବା ସମସ୍ତ ସଭ୍ୟ ସ୍ୱେଚ୍ଛାରେ ଯୋଗ ଦେଇଥାନ୍ତି, ତେଣୁ ସଭିଏଁ ନିଜ ଇଚ୍ଛାରେ ଯୋଗଦେଇପାରିବେ । ଉଇକିପଡ଼ିଆ ଏବେ ୨୮୯ଟି ଭାଷାରେ ଉପଲବ୍ଧ । ୨୦୦୨ ଜୁନ ମାସରୁ ଓଡ଼ିଆରେ ମଧ୍ୟ ଉଇକପଡ଼ିଆ ଆରମ୍ଭ ହୋଇଥିଲା । ମାତ୍ର ୨୦୧୧ ଯାଏଁ ସେତେ ଅଧିକ ସକ୍ରିୟ ନଥିଲା । କିନ୍ତୁ ୨୦୧୧ରେ ବାଙ୍ଗାଲୋରରେ ଉଇକିପିଡ଼ିଆର ୧୦ବର୍ଷ ପାଳନ ପରେ କିଛି ଓଡ଼ିଆ ଲୋକ ଏହାକୁ ଲୋକଲୋଚନ‌କୁ ଆଣିବା ପାଇଁ ପ୍ରଚେଷ୍ଟାରେ ଲାଗିପଡ଼ିଲେ ଏବଂ ଧୀରେ ଧୀରେ ଯୋଗଦାନ‌କାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ।

ଏଇ ଜୁନ୍ ୩ରେ ଓଡ଼ିଆ ଉଇକିପଡ଼ିଆକୁ ୧୬ବର୍ଷ ପୁରିଲା ଏବଂ ଏବେ ସୁଦ୍ଧା ୧୩,୯୦୦ରୁ ଅଧିକ ପ୍ରସଙ୍ଗ ଓଡ଼ିଆ ଉଇକିପଡ଼ିଆରେ ଉପଲବ୍ଧ ଅଛି । କିନ୍ତୁ ଓଡ଼ିଆ ଉଇକିପଡ଼ିଆରେ ସକ୍ରିୟ ଥିବା ଉଇକିଆଳୀଙ୍କ ସଂଖ୍ୟା ବ‌ହୁତ କମ୍ । ଫଳରେ ଅନ୍ୟ ଭାରତୀୟ ଭାଷା ତୁଳନାରେ ଓଡ଼ିଆ ଉଇକିପଡ଼ିଆର ଅଗ୍ରଗତି ହାର ନ‌ଗଣ୍ୟ । ଇଣ୍ଟରନେଟରେ ଓଡ଼ିଆକୁ ଆଗକୁ ନେବାକୁ ହେଲେ ସଭିଙ୍କୁ ଜଣେ ଜଣଙ୍କର ହାତ ଧରି ଏକଜୁଟ ହୋଇ ଆଗକୁ ଯିବାକୁ ହେବ । ଓଡ଼ିଆରେ ଖାଲି ଉଇକିପିଡ଼ିଆ ନୁହଁ, ଉଇକିପାଠାଗାର ଏବଂ ଉଇକିଅଭିଧାନ ମଧ୍ୟ ଉପଲବ୍ଧ । ଉଇକିପାଠାଗାରରେ କପିରାଇଟ୍ ବାହାରେ ଥିବା ପୁରୁଣା ବ‌ହି, ପୋଥି, ଦସ୍ତାବିଜ ଆଦି ରହିପାରିବ, ଯାହାକୁ ସାଧାରଣ ଲୋକଟିଏ ମାଗଣାରେ ଘରେ ବସି ମଧ୍ୟ ପଢ଼ିପାରିବ । ସେହିପରି ଉଇକିଅଭିଧାନରେ ଏକ ଲକ୍ଷରୁ ଅଧିକ ଓଡ଼ିଆ ଶବ୍ଦର ଶବ୍ଦାର୍ଥ ଏବଂ ଉଚ୍ଚାରଣ ରହିଛି । ଖାଲି ଓଡ଼ିଆ ଭାଷାକୁ ସବୁଥିରେ କାର୍ଯ୍ୟକାରୀ କରିବା ଆମର ଗୋଟିଏ ଲକ୍ଷ୍ୟ ନ ହେବା ଦରକାର, ପରବର୍ତ୍ତୀ ପିଢ଼ୀ ପାଇଁ ଆମର ଭାଷାର ପ୍ରାଚୀନ ରଚନାବଳୀକୁ ସଂରକ୍ଷଣ କରି ରଖିବା ଦରକାର ।

(ଏହି ଲେଖାଟି ଆଜିର (3rd June 2018) ନିର୍ଭୟ ଖବରକାଗଜର ୧୭ ପୃଷ୍ଠାରେ ବହାରିଥିଲା)