September 2017 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Friday 15 September 2017

Software Freedom Day (ସଫ୍ଟଓଏର ସ୍ୱାଧୀନତା ଦିବସ)

ସଂଗ୍ରାମ କେଶରୀ ସେନାପତି 10:44 pm 0
Software Freedom Day (ସଫ୍ଟଓଏର ସ୍ୱାଧୀନତା ଦିବସ)

ଆଜିର ଏହି ଦୁନିଆରେ ଆମେ ପ୍ରାୟତଃ ଡିଜିଟାଲ ଦୁନିଆରେ ସବୁକିଛି କରୁଛନ୍ତି । ଏହି ଡିଜିଟାଲ ଦୁନିଆର ମୁଖ୍ୟ ଉପାଦନା ଦୁଇଟି ହେଲା ଇଣ୍ଟରନେଟ ଆଉ କମ୍ପ୍ୟୁଟର । ଆଉ ଏହିସବୁକୁ ଚଳେଇବା ପାଇଁ ଆମକୁ ଦରକାର ହୋଇଥାଏ ସଫ୍ଟଓଏର । ସଫ୍ଟଓଏର ବିଷୟରେ ପ୍ରାୟ ସଭିଏଁ ଏବ ଉଣା ଅଧିକେ ଜାଣିଲେଣି । ହେଲେ ଆମେ ବ୍ୟବ‌ହାର କରୁଥିବା ସବୁଯାକ ସଫ୍ଟଓଏର ଉପରେ ଆମର ଅଧିକାର ନ ଥାଏ । ଆମେ ଅଧିକାଂଶ ସଫ୍ଟଓଏର ଆମେ ଚୋରାରେ ବ୍ୟବ‌ହାର କରୁଛେ । କାରଣ ଏହିସବୁ ସଫ୍ଟଓଏରକୁ କିଣିବାକୁ ହେଲେ ଆମକୁ ଟଙ୍କା ଦରକାର । ଆଉ ଯଦି ଆମେ ଚୋରାରେ ପାଉଛନ୍ତି, ତେବେ ଟଙ୍କା କିଏ ବା କାହିଁକି ଖର୍ଚ୍ଚ କରିବାକୁ ଚାହିଁବ ଯେ । ହେଲେ ଏହିସବୁ ସଫ୍ଟଓଏରର ନିର୍ମାତା ଯଦି ଏହି ଚୋରା ବିଷୟରେ ଜାଣିବେ ତେବେ ସେମାନେ ଆମମାନଙ୍କ ଉପରେ ନିଶ୍ଚୟ ରୂପରେ ସେମାନଙ୍କର ନିୟମ ଉଲଘଂନ ଏବଂ ଚୋରିର ଦଫା ଗୋଟାଏ ଲେଖାଏଁ ଲଗେଇଦେବେ । ଏହି ସବୁ ଉପରେ ଶୁଭାଶିଷ ଭାଇ ଗତବର୍ଷ "ସଫ୍ଟଓଏର ସ୍ୱାଧୀନତା ଦିବସ: ଆମ ହାତେ ଆମ କୋଡ଼ ଲେଖିବା" ଶୀର୍ଷକ ଲେଖାଟିଏ ଲେଖିଥିଲେ, ତାକୁ ପଢ଼ିଲେ, ଏହି ବିଷୟରେ ଅଧିକ ସୂଚନା ପାଇପାରିବେ ।

ମାତ୍ର ଅନେକ କିଛି ସଫ୍ଟଓଏର ଯଦି ଯାହାକୁ ଆମେ ସ୍ୱାଧିନ ଭାବରେ ବ୍ୟବ‌ହାର କରିପାରିବା । ଏମିତିକି କିଛି ସଫ୍ଟଓଏର ଅଛି, ଯାହାକୁ ଆମେ ମୁକ୍ତଭାବରେ ବ୍ୟବ‌ହାର କରିପାରିବା । ଏହି ସବୁ ସଫ୍ଟଓଏରକୁ ଆମେ ମଧ୍ୟ ଆମର ଦରକାର ଅନୁସାରେ ବଦଳେଇପାରିବା । ମାତ୍ର ଆମେ ସେମାନଙ୍କର ମୂଳ ଆଧାରକୁ ବଦଳି କରିପାରିବା ନାହିଁ । ଯେମିତି ଆମେ ବିଦେଶୀଙ୍କଠାରୁ ସ୍ୱାଧୀନ ହେଇଛେ, ହେଲେ ନିଜ ଦେଶର ସମ୍ବିଧାନ ଅଧିନରେ ଆମେ ଅଛୁ । ସେହିଭଳି ଆମେ ସେହି ସଫ୍ଟଓଏରର ମୂଳ କୋଡ଼୍‌କୁ ବଦଳେଇପାରିବା ମାତ୍ର, ସେମାନଙ୍କର ନାମ ମଧ୍ୟ ଉଲ୍ଲେଖ ହେବା ଦରକାର । ଉଇକିମିଡ଼ିଆର କମନ୍‌ସ୍‌ରେ ଯଦି ଆମେ କୌଣସି ଫଟୋ, ଭିଡ଼ିଓ କିମ୍ବା ଅଡ଼ିଓ ଫାଇଲ ଅପଲୋଡ଼ କରୁଛେ, ଏହାକୁ ସାଧାରଣ ଲୋକ ବିନା ମୂଲ୍ୟରେ ବ୍ୟବ‌ହାର କରିପାରିବେ । ମାତ୍ର, ସେମାନେ ଏହି ଫାଇଲଗୁଡ଼ିକୁ ସେମାନଙ୍କର ନିଜ ପରିଚୟରେ ବ୍ୟବ‌ହାର କରିପାରିବେ ନାହିଁ । ସେମାନେ ଯେଉଁଠି ଏହିସବୁ ଫାଇଲର ବ୍ୟବ‌ହାର କରିବେ, ସେଇଠି ସେମାନେ ଏହି ଫାଇଲଟିର ଉଦ୍ଧୃତି ଏବଂ ଉପଦେଷ୍ଟାଙ୍କ ବିଷୟରେ ଉଲ୍ଲେଖ କରିବା ଅନିର୍ବାଯ୍ୟ । ସେହିଭଳି ହେଉଛି ଏହି ସଫ୍ଟଓଏର ଫ୍ରିଡମ୍ । ଆମେ ତାକୁ ବ୍ୟବ‌ହାର କରିପାରିବା, ଏମିତିକି ବଦଳେଇ ପାରିବା, ମାତ୍ର ବଦଳେଇଲା ପରେ ମୂଳ ସୃଷ୍ଟିକର୍ତ୍ତାଙ୍କ ବିଷୟରେ ଉଲ୍ଲେଖ କରିବା ନିହାତି ଦରକାର । ଯେ କୌଣସି ବ୍ୟକ୍ତିବିଶେଷ ଏହି ସବୁ ସଫ୍ଟଓଏରକୁ ଯେପରି ସୂଚାରୁରୂପେ ବ୍ୟବ‌ହାର କରିପାରିବ ଏବଂ ସେଥିରେ ନିୟମ‌ଭୁକ୍ତ ଥିବା ସାଧାରଣ ସୂଚନା ସେମାନଙ୍କୁ ପ୍ରାପ୍ତ ହେବ, ସେ ବିଷୟରେ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ଜଗତ ସାରା ୨୦୦୪ ମସିହାରୁ ସେପ୍ଟେମ୍ବର ମାସର ତୃତୀୟ ସପ୍ତାହରେ “ସଫ୍ଟଓଏର ଫ୍ରିଡ଼ମ ଡେ” ବା “ସଫ୍ଟଓଏର ସ୍ୱାଧୀନତା ଦିବସ” ପାଳିତ ହୋଇଆସୁଛି ।



ଏଇ ବର୍ଷ ଆମେ ୨୦୧୭ରେ ଆମର ଓଡ଼ିଆ ଉଇକିପଡ଼ିଆ ବ୍ୟବ‌ହାରକାରୀ ସଂଘ ତରଫରୁ ଭୁବନେଶ୍ୱରରେ ସମ୍ବାଦ ଭବନ ପରିସରରେ ଏହି କାର୍ଯ୍ୟକ୍ରମଟି ପାଳନ କରିବାର ଯୋଜନା ରହିଛି । ଏହିସବୁ ସ୍ୱାଧୀନତା ବିଷୟରେ ସାଧାରଣ ଲୋକଙ୍କୁ ଅବଗତି ପାଇଁ ଏହିଭଳି କିଛି କାର୍ଯ୍ୟକ୍ରମମାନ ଆୟୋଜନ କରିବା ନିତ୍ୟାନ୍ତ ଆବଶ୍ୟକ ।

Tuesday 12 September 2017

#BlueWhaleChallenge: ଅଫେରା ପଥର ଯାତ୍ରୀ

ସଂଗ୍ରାମ କେଶରୀ ସେନାପତି 12:13 am 5
#BlueWhaleChallenge: ଅଫେରା ପଥର ଯାତ୍ରୀ

ଏବେ ସୋସିଆଲ ମିଡ଼ିଆରେ, ଟିଭିରେ, ଖବରକାଗଜରେ, ରାମ୍‌ରହିମ୍ ପରେ ଅଧିକ ଚର୍ଚ୍ଚା ଚାଲିଥିବା ବିଷୟଟି ହେଉଛି #BlueWhaleChallenge । ଏହି ଖେଳରେ ଅନେକ ଶିକାର ହେଉଛନ୍ତି । ଶେଷରେ କିଛି ପିଲା ଆତ୍ମହତ୍ୟା ମଧ୍ୟ କରିସାରିଲେଣି । ଅନେକ ମଧ୍ୟ ଏହି ବିଷୟ ଉପରେ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । ଏମିତିକି ଖବରକାଗଜରେ ବି ଅନେକ ପ୍ରକାରର ସାବଧାନତା ସୂଚନା ଦିଆଯାଉଛି । ତ‌ଥାପି ଏବେ ଅଧିକ ସଂଖ୍ୟକ ପିଲା ଏହି ଖେଳରେ ମାତିଯାଉଛନ୍ତି । ଏତେ ବୁଝେଇବା ପରେ ବି ସେମାନେ କେମିତି ପୁଣିଥରେ ସେ ଖେଳରେ ପଶିଯାଉଛନ୍ତି?
ମୁଁ କେଉଁଠୁ ଗୋଟେ କଥା ଶୁଣିଥିଲି ମନେ ନାହିଁ, କିନ୍ତୁ ସେ କଥାଟି ମନେ ଅଛି । ତମେ ଯଦି କାହାକୁ କୌଣସି ଜିନିଷ କରିବାକୁ ମନା କରିବ, ସେତେବେଳେ ସେମାନଙ୍କୁ ସେଇଟା କରିବାର ଆଗ୍ରହ ଅଧିକ ବଢ଼ିବ । ସେଇଥିପାଇଁ ସେମାନେ ସେହି ଜିନିଷ‌ଟା କେମିତି ଆଉ କ'ଣ ହେଇଥିବ, ସେହି ବିଷୟରେ ଜାଣିବା ପାଇଁ ସେହି ମନାକରିଥିବା କାମକୁ କରିବେ । ଏହିସବୁ ମୋ ସ‌ହ ବି ହୋଇଥାଏ । ଯଦି କିଏ ମନା କରିବ, ଏହି ଜିନିଷ‌ଟାରେ ଲାଗିବୁନି, ମୋତେ ତ' ସେଇଥିରେ ଲାଗିବାରେ ବେଶି ଇଚ୍ଛା ହୁଏ । ଅନେକଙ୍କୁ ଏହି ଖେଳ ବିଷୟରେ ଜଣାନଥିବ । ମାତ୍ର ସବୁଜାଗାରେ ସେହି ଗୋଟିଏ ଚର୍ଚ୍ଚା ଦେଖିକି, ସେମାନେ ବି ସେଇ ଖେଳଟି କିଭଳି ପ୍ରକାରର ହୋଇଥାଏ ବୋଲି ଦେଖିବା ପାଇଁ ସେହି ବିଷୟରେ ଖୋଜିଥାନ୍ତି, ଆଉ ଧିରେ ଧିରେ ସେ ବିଷୟରେ ଖୋଜୁ ଖୋଜୁ ନିଜେ ତା' ଭିତରେ ହଜିଯାଆନ୍ତି । କେବେ କେବେ ଗଭୀର ସମୁଦ୍ରରେ ମୁକ୍ତା ଖୋଜିଲା ବେଳେ ନୀଳତିମିର ଖାଦ୍ୟ ପାଲଟିଲା ଭଳି, ଏହିଠାରେ ବି ଠିକ୍ ସେହିପରି ହେଉଛି, କଳ୍ପନିକ ନୀଳତିମିର ଶିକାର ପାଲଟି ଯାଉଛନ୍ତି ।

(ଏହି ଖେଳରୁ ନିବୃତ ରହିବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ।)


ଏହିସବୁ ଖେଳ ଭିତରୁ ବାହାରିବା ବା କାହାକୁ କେମିତି ଦୂରେଇ ରହିବା ବିଷୟରେ ମୋତେ ସେମିତି କିଛି ଜଣା ନାହିଁ । କିନ୍ତୁ ଯେଉଁମାନେ ଶିକାର ହେଉଛନ୍ତି, ସେମାନେ ଏହିସବୁ ବିଷୟରେ ପଶୁଛନ୍ତି କେମିତି? ଇଣ୍ଟରନେଟରେ ଖୋଜିଲେ ଏହି ଖେଳ ବିଷୟରେ କାଇଁ ସେମିତି କିଛି ନିର୍ଦ୍ଦିଷ୍ଟ ଲିଙ୍କ ବି ନାହିଁ, ତ‌ଥାପି ସେମାନେ ଖେଳିବାର ଉତ୍ସ ଜାଣୁଛନ୍ତି କିପରି? ଏମିତିକି ସେହି ଖେଳର ଉଦ୍ଭାବକ ବି ଏବେ କାରାଗାରରେ । ତ‌ଥାପି ସେହିସବୁର ପରିଚାଳନା କିଏ କରୁଛି? ଏମିତି ହେଉ ନାହିଁ ତ, ଆମରି ଆଖପାଖରେ କେହି ସେହି ଖେଳର ନାଁ ନେଇକି ଏମିତି ସବୁ କାର୍ଯ୍ୟ କରୁଥାଇପାରେ । ସେ ସବୁ ଯାହା ବି ହେଉ ନା କାହିଁକି, ଏହି ଖେଳରୁ ବିରତ ରହିବାପାଇଁ ସଭିଙ୍କୁ ସଜାଗ ରହିବାକୁ ପଡ଼ିବ । ପୋକଟିକୁ ଜଣାଥାଏ କି ସେ ନିଆଁକୁ ଗଲେ, ତାକୁ ମିରିବାକୁ ପଡ଼ିବ । ତ‌ଥାପି ସେମାନେ ସେହି ନିଆଁ ଉପରକୁ ଡେଇଁ ପଡ଼ିଥାନ୍ତି । ଏଇଠି ବି ସେଇଆ ହେଉଛି, ସବୁ ଜାଣିବା ପରେ ବି ସେମାନଙ୍କର ପରିଣତି ମୃତ୍ୟୁ ଜାଣି ବି ସେମାନେ ସେଇଥିରେ ପଶୁଛନ୍ତି । କ୍ଷଣିକର ଖୁସି ହିଁ ସାରା ଜୀବନ‌ ପାଇଁ ଅନ୍ୟର ଖୁସି ଛଡ଼ାଇନେଉଛି । ଏହି ଅଫେରା ପଥର ଯାତ୍ରୀକୁ, ତା' ପରିବାର ପାଇଁ ହିଁ ଫେରିବାକୁ ହେବ । ଏହି କଥାଟିକୁ ସଭିଙ୍କୁ ବୁଝିବାକୁ ହେବ ।