February 2020 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Thursday 13 February 2020

ତୁମ ଅପେକ୍ଷାରେ

ସଂଗ୍ରାମ କେଶରୀ ସେନାପତି 1:41 am 0
ତୁମ ଅପେକ୍ଷାରେ

"ଆଉଥରେ ଆଜି ମୋ ମନର ସେ ଅକୁହା
କଥାକୁ ତମ ଆଗେ ଖୋଲି କହିବାକୁ ଚାହୁଁଛି,
ତମେ ତ ଜାଣିଛ ମୁଁ ତମକୁ କେତେ ଭଲ ପାଉଛି ।"
ଦିନ ପରେ ଦିନ ଗଡ଼ିଚାଲିଛି ଆଉ ଯେତେ ଅଧିକ ସମୟ ବିତି ଚାଲିଛି, ବୋଧେ ସାପର ବିଷ ଚରିଗଲା ଭଳିଆ ଆମର ସେହି କେଇଦିନର ସମ୍ପର୍କର ମିଠା ସ୍ମୃତିସବୁ ମୋ ଭିତରେ ବଢ଼ିବଢ଼ି ଚାଲିଛି । ମୋ ମନର ମାନସ ପଟଳରେ ବାରମ୍ବାର ସେହି ଛବିସବୁ ଆସି ଘୁରିବୁଲୁଛି । ସେଦିନର ସେ ଶେଷ ସାକ୍ଷାତ କଥା ମଧ୍ୟ ଆଜି ସବୁଠୁ ଅଧିକ ପଡ଼ୁଛି ଆଉ ସେଦିନ ତମକୁ କହିପାରିନଥିବା ସେହି କେଇପଦ କଥା ଯେମିତି ମୋତେ ସବୁବେଳେ ଅଟ୍ଟହାସ୍ୟ କରୁଛି ।

ବିନି ତମର ମନେ ଅଛି ନା ତିନି ବର୍ଷ ତଳେ ଯେତେବେଳେ ତମେ ପ୍ରଥମଥର ମୋତେ ଭେଟିବାକୁ ଆସିଥିଲ? ହୁଏତ ତମର ସେ କଥା ସବୁ ମନେ ନଥିବ, କିନ୍ତୁ ମୋର ଭଲ ଭାବରେ ମନେ ଅଛି । ଏହି ଯେଉଁ ସିମେଣ୍ଟର ଚୌକି ଦେଖୁଛ, ସେଇଠି ହିଁ ଆମେ ପ୍ରଥମେ ବସିଥିଲେ । ପ୍ରଥମେ କ'ଣ ଯେ, ଯେତେବେଳେ ଆସୁଥିଲେ ସବୁବେଳେ ହିଁ ଏଇଠି ବସୁଥିଲେ । ସେଦିନ ପ୍ରଥମେ ଦେଖାରେ ତମେ ଯେତିକି ଉତ୍ସାହିତ ଥିଲ, ତମ ଭିତରେ ଥିବା ସେତିକି ଡର ମୁଁ ଭଲ ଭାବରେ ଦେଖିପାରୁଥିଲି ।

ସେ ଡର ଭିତରେ ତମର କଥାସବୁ ଯେତେ ଧୀରେ ଶୁଭୁଥିଲା, ସେତେ ଅଧିକ ମିଠା ଲାଗୁଥିଲା । ପ୍ରଥମେ ଦେଖାର ପ୍ରଥମ ଅନୁଭୂତି ସବୁଠାରୁ ନିଆରା ଅବଶ୍ୟ, ବୋଧେ ସେଦିନର ସେ ମିଠା ଅନୁଭୂତି ସହ ତମର ସେ ଡର ଆଉ ଲାଜ ମିଶା ଆଳାପ ତାକୁ ଦୀର୍ଘସ୍ଥାୟୀ କରିବାକୁ ବାଧ୍ୟ କରିଦେଇଥିଲା । ଏହାପରେ ଅବଶ୍ୟ ଅନେକ ଥର ଦେଖାହେଇଛି, କିନ୍ତୁ ପ୍ରତ୍ୟେକ ଭାଲେଣ୍ଟାଇନ୍ ଡେ'ରେ ଦେଖାହେବାର ସେ ଯେଉଁ ପ୍ରତିଜ୍ଞା ବୋଧେ ତମେ ଭୁଲିଯାଇଛ ! ହେଲେ ଦେଖ ମୁଁ ଆଦୌ ଭୁଲିନି, ସେଇଥିପାଇଁ ତ ଖାଲି ଭାଲେଣ୍ଟାଇନ୍ ଡେ'ରେ ନୁହେଁ ପ୍ରତ୍ୟେକ ଦିନ ଏଠାକୁ ଆସୁଛି ଆଉ କାଳେ କେବେ ତମ ସହ ଦେଖାହେଇଯିବ ସେହି ଆଶା ନେଇ ପାର୍କ ଖୋଲିବାଠାରୁ ବନ୍ଦ ହେବାଯାଏଁ ଏଠାରେ ବସୁଛି ।

Wednesday 12 February 2020

ଦିଲ୍ଲୀରେ ମୋଦିଙ୍କ ବିଶାଳ ବିଜୟ

ସଂଗ୍ରାମ କେଶରୀ ସେନାପତି 1:30 am 1
ଦିଲ୍ଲୀରେ ମୋଦିଙ୍କ ବିଶାଳ ବିଜୟ

୨୦୨୦ ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ବିଶାଳ ବିଜୟ ପାଇଁ ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣମାନେ କହିବେ, ଶୀର୍ଷକରେ ମୋଦି ଜିତିଲେ ବୋଲି ମିଛ କଥାଗୁଡ଼ା ଲେଖିକି କ'ଣ ୟୁ-ଟ୍ୟୁବ୍ ଭିଡ଼ିଓ ଭଳିଆ ଆଉ କିଛି ଦେଖେଇଲୁଣି; ତେଣୁ ଅଧିକ ବକର ବକର ନ ହେଇକି ସିଧା ମୁଁ ମୋର ମନ୍ତବ୍ୟ ରଖୁଛି । ଅବଶ୍ୟ ୟୁ-ଟ୍ୟୁବ୍ କଥା ଉଠିଲାଣି ମାନେ ଆଗତୁରା ସୂଚେଇ ଦେବାକୁ ଚାହେଁ କି, ଏହା କେବେଳ ଏକ ବ୍ୟଙ୍ଗାତ୍ମକ ଢଙ୍ଗରେ ଲେଖୁଛି, ଆଦୌ ଦେହକୁ ନେବେନି । ଆମେ ଏବେଯାଏଁ ବି ଅଣରାଜନୈତିକ ହେଇକି ଅଛୁ । ଚାଲନ୍ତୁ ଏବେ ଆରମ୍ଭ କରିବା ।

୨୦୧୪ ସାଧାରଣ ନିର୍ବାଚନରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟ ବିଜୟୀ ହେବାପରେ ସେହି ବର୍ଷ ସ୍ୱାଧୀନତା ଦିବସ ଦିନ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିବା ଯୋଜନା ବିଷୟରେ ଜଣେଇଲେ ଏବଂ ପରେ ୨ ଅକ୍ଟୋବର ୨୦୧୪ରେ ହାତରେ "ଝାଡ଼ୁ" ଧରି ଏହାକୁ ବିଧିବଦ୍ଧ ଭାବରେ ଶୁଭାରମ୍ଭ କଲେ । ଗାନ୍ଧୀ ଜୟନ୍ତି ଅବସରରେ ଗାନ୍ଧୀଙ୍କର ସେ ରାମରାଜ୍ୟ ଗଠନ ଦିଗରେ ସେ ପାଦେ ଅଗ୍ରସର ହେଲେ ଆଉ ଅଳିଆ ପୂର୍ଣ୍ଣ ରାମରାଜ୍ୟ କରିବା ଆଗରୁ ସ୍ୱଚ୍ଛ ରାମରାଜ୍ୟ କରିବାକୁ ନିଷ୍ପତ୍ତି ନେଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଝାଡ଼ୁ ଧରି ଆଗେଇ ଆସିବାକୁ ଆହ୍ୱାନ ଦେଲେ ।

ତା'ପରେ ଅନେକ ଲୋକ ହାତରେ ଝାଡ଼ୁ ଧରି କେମିତି କ'ଣ ସବୁ କ'ଣ ଆଉ କେତେ ଅଳିଆ ସଫା କଲେ, ତାହା ତ ଆପଣମାନେ ଜାଣିଛନ୍ତି । ସେ ଯାହା ବି ହେଉ ଖବରରେ ରହିବାକୁ ହେଉ ବା ସୋସିଆଲ ମିଡିଆରେ ପ୍ରଶଂସା ସାଉଁଣ୍ଟିବାକୁ ହେଉ, ଲୋକେ ତ ଝାଡ଼ୁ ଧରିଲେ ହାତରେ । ଯଦି ଆମେ ମଦର ଟେରେସାଙ୍କ କଥାକୁ ମନେ ପକାଇବା, "ତମେ ନିଜେ ନିଜ ଘର ଆଗକୁ ପରିଷ୍କାର ରଖ, ଦେଖିବ ଦୁନିଆ ସଫା ହେଇଯିବ ।" ସେହି ଧାରାରେ ଲୋକମାନେ ବି ନିଜ ଅଞ୍ଚଳ ସଫା ରଖିବାର ଦାୟିତ୍ୱ ନିଜ ହାତକୁ ନେଇ ଝାଡ଼ୁ ଧରି ବାହାରି ପଡ଼ିଲେ, ଆଉ ସଭିଏଁ ସେ ଝାଡ଼ୁ ପ୍ରେମରେ ଉବୁଟୁବୁ ହେଲେ ।

କିନ୍ତୁ ସ୍ୱଚ୍ଛ ଭାରତ ଯୋଜନାରେ ଏ ଝାଡ଼ୁ ଧରି ଫଟୋ ଉଠାଇବାକୁ ଆହ୍ୱାନ ଦେବା ଆଗରୁ ବୋଧେ ମୋଦି ଆଜ୍ଞା ଗୋଟିଏ କଥାକୁ ବୋଧେ ଭୁଲିଯାଇଥିଲେ ଆଉ ତାହା ହେଉଛି ଝାଡ଼ୁ ଆଉ ସାଧାରଣ ଝାଡ଼ୁ ହୋଇନାହିଁ । ୨୦୧୨ ପରେ ସେ ଆମ୍ ଆଦ୍‌ମିର ଏକ ଦଳୀୟ ଚିହ୍ନ ହୋଇସାରିଛି । ଇଏ ହେଉଛି ସେହି ଦଳ ଯେଉଁ ଦଳ ଏଥର ନିର୍ବଚନରେ ଏତେ ସଂଖ୍ୟାରେ ବିଜୟୀ ହେଲା । ହୁଏତ ସାଧାରଣ ଜନମାନସ ଝାଡ଼ୁଧରି ବୁଲିଥିବା ଆମ୍ ଆଦ୍‌ମିର କର୍ମକର୍ତ୍ତା ତଥା କେଜରିୱାଲ ଆଜ୍ଞାଙ୍କର ଅନୁଗାମୀମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଚାର କରୁଥିବା କିମ୍ବା ସ୍ୱଚ୍ଛ ଭାରତ ଅଭିଯାନରେ ସ୍ୱଚ୍ଛତା ପାଇଁ କାମ କରୁଥିବା ମୋଦୀଙ୍କ ଅନୁଗାମୀ ଭାବି ଭୋଟ୍ ବାଡ଼େଇଦେଲେ ।

ଏହି ପରାଜୟ ପାଇଁ ମୋଦି ଆଜ୍ଞା ଦୁଃଖ ନ କରି ଖୁସି ହେବାକୁ ଅନୁରୋଧ । ସଭିଙ୍କ ହାତରେ ଝାଡ଼ୁ ଧରାଇ ଭାରତକୁ ସ୍ୱଚ୍ଛତା ଅଭିମୁଖେ ନେଇଯିବା ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଆଜି ଲୋକମାନେ ପୂରଣ କରିଛନ୍ତି । ଲୋକମାନେ ଫୁଲ ବଦଳରେ ଝାଡ଼ୁକୁ ଅଧିକ ପସନ୍ଦ କରିଛନ୍ତି । ରାଜନୀତିରେ ତେଣିକି ଯେତେ ଛକାପଞ୍ଜା ଥାଉ ନା କାହିଁକି, ଦେଶକୁ ସ୍ୱଚ୍ଛ କରିବା ପାଇଁ ମଧ୍ୟ ହାତରେ ଝାଡ଼ୁ ଉଠାନ୍ତୁ ଆଉ ଯଦି ବି ଝାଡ଼ୁ ଉଠାଇ ପାରୁନାହାନ୍ତି, ତେବେ ଅଳିଆ ଆବର୍ଜନ ସେହି ସ୍ଥାନରେ ପକାନ୍ତୁ, ଯେଉଁସ୍ଥାନରେ ଲୋକମାନେ ଝାଡ଼ୁ ଉଠାଉଛନ୍ତି ।

ଶେଷରେ ମୋଦି ଆଜ୍ଞାଙ୍କୁ ମଧ୍ୟ ଏହି ବିଜୟ ପାଇଁ ଶୁଭେଚ୍ଛା ଜଣାଇବି । ଦିଲ୍ଲୀରେ ସରକାର ଗଠନରେ ସଫଳ ହୋଇନପାରିଲେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନର ସ୍ୱପ୍ନ କିନ୍ତୁ ଫଳବତୀ ହେବାକୁ ଯାଉଛି ।

Saturday 1 February 2020

ପୁଅମାନେ ରୋଷେଇ ଶିଖିବା କ'ଣ ସତରେ ଜରୁରୀ?

ସଂଗ୍ରାମ କେଶରୀ ସେନାପତି 12:33 am 0
ପୁଅମାନେ ରୋଷେଇ ଶିଖିବା କ'ଣ ସତରେ ଜରୁରୀ?

ମୁଁ ଷଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରଥମଥର ପାଇଁ ନିଜ ହାତରେ ନିଜ ପାଇଁ ରୋଷେଇ କରିଥିଲି । ପୂର୍ବରୁ ଯଦିଓ କେବେ ଗ୍ୟାସ୍ ବି ଲଗେଇନଥିଲି, ଦିନେ ଘରେ କେହି ନଥିବାବେଳେ ଭୋକର ଜ୍ୱାଳା ମେଣ୍ଟେଇବା ପାଇଁ ରୋଷେଇ କରିବା ନିହାତି ଜରୁରୀ ହୋଇ ପଡ଼ିଥିଲା । ଅବଶ୍ୟ ପ୍ରଥମ ରୋଷେଇ ସେତେ ଭଲ ହୋଇନଥିଲା, କିନ୍ତୁ ଖରାପ ବି ହୋଇନଥିଲି । ପରେ ଅନେକ ସମୟରେ ଘରେ କେହି ନଥିବାବେଳେ ମୁଁ ରୋଷେଇ କରିଛି, କିନ୍ତୁ ଇଂଜିନିୟରିଂର ପ୍ରଥମ ବର୍ଷରେ ରୋଷେଇ ନିଜେ କରିବା କେତେ ଜରୁରୀ ସେ ବିଷୟରେ ଅବଗତ ହିଁ ହେଲି । ଦିନେ ଜିଲ୍ଲା କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା, ତେଣୁ ସକାଳଠାରୁ ସନ୍ଧ୍ୟାଯାଏଁ ଭବାନୀପାଟଣା ସହରର ସମସ୍ତ ଦୋକାନ ବନ୍ଦ ଥାଏ, ଫଳରେ ଦିନସାରା ଉପାସ ରହିବାକୁ ପଡ଼ିଲା । ସନ୍ଧ୍ୟାରେ କିନ୍ତୁ ଗୋଟିଏ ସାଙ୍ଗ ଦେଖାହେଲା, ଯାହାର ରୁମ୍‌ରେ ସେମାନେ ନିଜେ ରୋଷେଇ କରୁଥିଲେ, ତେଣୁ ତାଙ୍କପାଇଁ ବନ୍ଦର କୌଣସି ପ୍ରଭାବ ପଡ଼ିଲାନାହିଁ । ଏହାପରଠାରୁ ଆମେ ବି ନିଜେ ନିଜ ରୁମ୍‌ରେ ରୋଷେଇ କଲୁ ଆଉ ଇଂଜିନିୟରିଂରେ ଆମେ ବୈଷୟିକ ବିଦ୍ୟା ଯାହା ଶିଖୁ କି ନଶିଖୁ ରୋଷେଇ ବିଦ୍ୟାଟା ଭଲରେ ଶିଖିଗଲୁ ।

ହେଲେ ଆଜି ୭ ବର୍ଷ ପରେ ପୁଣିଥରେ ସେ ବିଷୟରେ କାହିଁକି ଆଲୋଚନା କରୁଛି? ଏହାର କାରଣ ହେଲା, କିଛିଦିନ ତଳେ ଏକ କାର୍ଯ୍ୟକ୍ରମରେ ନାରୀ ସମ୍ମାନ ଉପରେ ଭାଷଣ ଦେଉଦେଉ ପୋଲିସ୍ କମିଶନର୍ ଡ. ସୁଧାଂଶୁ ଷଡ଼ଙ୍ଗୀ ପଦେ କହିଥିଲେ, "ଯେଉଁ ପୁଅମାନେ ରୋଷେଇ ଶିଖିନାହାନ୍ତି, ତାଙ୍କୁ ଝିଅମାନେ ବିବାହ କରିବା ଉଚିତ ନୁହେଁ ।" ଏହି କଥାର ସାରମର୍ମ କ'ଣ ଥିଲା? ଆଉ ସେ ଏହି କଥା କେତେବେଳେ କେଉଁ ସମୟରେ ଆଉ କେଉଁ ସ୍ଥାନରେ କହିଥିଲେ, ସେ ବିଷୟରେ ଅବଗତ ହେବା ପୂର୍ବରୁ ଅନେକ ନିଜେ ନିଜର ମତ ରଖିଦେଲେ । କିଏ ତାଙ୍କୁ ସିଧାସଳଖ ବିରୋଧ କଲା ତ ପୁଣି କିଏ କେତେ କଟାକ୍ଷ କଲା ।

ଏ ସ୍ୱାଧୀନ ଦେଶରେ ସ୍ୱ-ମତ ରଖିବାର ଅଧିକାର ସମସ୍ତଙ୍କର ଅଛି, ତେଣୁ ସେ ତାଙ୍କର ମତ ରଖିଲେ । ହେଲେ ତାଙ୍କୁ ବିରୋଧ କରୁଥିବା ଲୋକଙ୍କୁ ମୋର ପ୍ରଶ୍ନ, ଯଦି ଆପଣ ରୋଷେଇ କରିବା ଶିଖିବେ ତେବେ କ'ଣ ପାପ ଲାଗିବ ନା ମୃତ୍ୟୁପରେ ଆପଣ ନର୍କକୁ ଯିବେ ବୋଲି ଆପଣଙ୍କର ଜ୍ୟୋତିଷ ମହାଶୟ କହିଛନ୍ତି? ରୋଷେଇ ଶିଖିଥିଲେ ବେଳଅବେଳରେ ବି ସାହାଯ୍ୟ ତ ହୋଇପାରିବ । ଅବଶ୍ୟ କେତେଜଣ ମତ ଦେଲେ କି ଆଜିର ସ୍ମାର୍ଟ ଫୋନ୍‌ର ସ୍ମାର୍ଟ ଯୁଗରେ ଯେତେବେଳେ ଅନ୍‌ଲାଇନ୍‌ରେ ଖାଇବା ଅର୍ଡ଼ର୍ କଲେ ୩୦ ମିନିଟ୍‌ରେ ପହଞ୍ଛୁଛି, ରୋଷେଇ ଶିଖିବା ଦରକାର କ'ଣ? ସେମାନଙ୍କ ପାଇଁ ଗୋଟିଏ ଉପଦେଶ, ଗତବର୍ଷ ଫନି ବାତ୍ୟାରେ ଭୁବନେଶ୍ୱରରେ ଥିବା ବନ୍ଧୁମାନଙ୍କୁ ଥରେ ପଚାରନ୍ତୁ କେମିତି ଥିଲେ ସେମାନେ ।

ନାରୀ ସଶକ୍ତିକରଣ ପାଇଁ ଖାଲି କଥାରେ କହିଲେ କି ଭାଷଣ ଦେଇଦେଲେ ହେବନି, ନାରୀକୁ ବୁଝିବା ଦରକାର, ପ୍ରତ୍ୟେକ ପାହାଚରେ ପାଦ ସହ ପାଦ ମିଶେଇ ଚାଲିବା ଆବଶ୍ୟକ । ଏ ଦେଶର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ନାରୀକୁ କେତେ ସମ୍ମାନ କରୁଥିଲା, ତାହା ପୋଥିପୁରାଣରେ ହଜିଯିବା ପୂର୍ବରୁ ନାରୀଶକ୍ତିର ମହତ୍ୱ ବୁଝିବା ଦରକାର । "ଝିଅ ଜନମ ଚୂଲି ମୁଣ୍ଡକୁ" ପଦକୁ ଯଦି ଆପଣେଇ ବସିବେ, ତେବେ ଆପଣ ବି ସେହି ସମୟକୁ ଫେରିଯିବେ, ଯେଉଁ ସମୟରେ ଏହି ପଦଟି ରଚନା କରାଯାଇଥିଲା ।

ସଂଗ୍ରାମ କେଶରୀ ସେନାପତି
ସମ୍ପାଦକ, ଶୁଭପଲ୍ଲବ
ମୋ- 7008899643

ବି.ଦ୍ର.: ଏହି ଲେଖାଟି ୨୦୨୦ ମସିହାର ଜାନୁଆରୀ ମାସ ୨୨ ତାରିଖରେ ଓଡ଼ିଆ ରିପୋର୍ଟର ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହି ଲିଙ୍କ୍ https://epaper.odishareporter.in/c/48204149 ଜରିଆରେ ଏହାକୁ ମଧ୍ୟ ପଢ଼ିପାରିବେ ।