January 2018 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Thursday 18 January 2018

ଦେଢ଼ ବର୍ଷ ପରେ....

ସଂଗ୍ରାମ କେଶରୀ ସେନାପତି 4:40 pm 0
ଦେଢ଼ ବର୍ଷ ପରେ....


ଜାନୁଆରୀ ୭ ତାରିଖରେ, ଦେଢ଼ ବର୍ଷ ପରେ ହଠାତ୍ ପୁଣିଥରେ ତାଙ୍କୁ ଫୋନ୍ କରିବାକୁ ପଡ଼ିଲା । ଆମର ଏହି ସମ୍ପର୍କ ଆରମ୍ଭ ହେଇଥିଲା ୨୦୧୨ ଗଣେଶ ପୂଜା ସମୟରୁ । ପ୍ରତ୍ୟେକ ଆବଶ୍ୟକତା ବେଳେ ମୁଁ ତାଙ୍କୁ ହିଁ ଫୋନ୍ କରିଥାଏ । କିନ୍ତୁ ୫ ଜୁନ ୨୦୧୫ ପରଠାରୁ ଆଉ ତାଙ୍କ ସ‌ହ ଫୋନ୍‌ରେ ଯୋଗାଯୋଗ ନ ଥିଲା । କେବଳ ମେସେଜ୍‌ରେ ହିଁ ତାଙ୍କ ସ‌ହ କେବେ କବେ କଥା ହୁଏ । ସେ ଆଉ କେହି ନୁହ‌ନ୍ତି, ଭବାନୀପାଟଣାରେ ବସ୍ ଟିକେଟ କଥା ବୁଝାବୁଝି କରୁଥିବା ସର୍ବେଦା । ପ୍ରାୟ ସଭିଏଁ ତାଙ୍କୁ ସର୍ବେଦା ବୋଲି ଡାକନ୍ତି । ତେଣୁ ଯେତେବେଳେ ଦେଢ଼ ବର୍ଷ ପରେ ପୁଣିଥରେ ଭବାନୀପାଟଣା ଯିବାକୁ ପଡ଼ିଥିଲା, ସେତେବେଳେ ପ୍ରଥମେ ତାଙ୍କୁ ହିଁ ଫୋନ୍ କରିବାକୁ ପଡ଼ିଲା ।

ସନ୍ଧ୍ୟାବେଳେ ମୁଁ ଭୁବନେଶ୍ୱର ଷ୍ଟାଣ୍ଡରେ ପ‌ହ‌ଞ୍ଚିଲି । ଅବଶ୍ୟ ସେଠାରୁ ଆସିବା ପରେ ମୁଁ ଆଉ କେବେ ବରମୁଣ୍ଡା ଷ୍ଟାଣ୍ଡ ଭିତରକୁ ଯାଇନଥିଲି । ସେଦିନ ଷ୍ଟାଣ୍ଡରେ ଦେଖିଲାବେଳକୁ ଭବାନୀପାଟଣାକୁ ଯାଉଥିବା ସରକାରୀ ବସ୍‌ସବୁର ରଙ୍ଗ ଢଙ୍ଗ ଏବେ ସମ୍ପୂର୍ଣ୍ଣ ବଦଳିଯାଇଥିଲା । ଭଙ୍ଗା ଦ‌ଦରା ବସ୍‌ ବଦଳରେ ଏବେ ନାଲିଆ ନାଲିଆ ଚକାଚକ୍ ବସ୍ ଚାଲିଛି । ସରକାରୀ ବସ୍‌କୁ ଦେଖିଲେ ମୋତେ ସବୁବେଳେ ୧୯ ଅକ୍ଟୋବର ୨୦୧୨ର ରାତି ମନେପଡ଼ିଯାଏ । ଯାହା ହେଉ ମୋତେ ତ ସେଥିରେ ଯିବାର ନ ଥିଲା । ମୋ ବସ୍ ଆସିବା ପରେ ସେଥିରେ ଚଢ଼ିଗଲି । କିନ୍ତୁ ଏଇ ବସ୍‌ସବୁରେ ସେତେ କିଛି ବିଶେଷ ପରିବର୍ତ୍ତନ ହେଇନଥିଲା ।

ପରଦିନ ସକାଳ ୭ଟା ପାଖାପାଖିରେ ବସ୍ ଲାଗିଲା ଭବାନୀପାଟଣା ବସ୍‌ଷ୍ଟାଣ୍ଡରେ । ଦୀର୍ଘ ଦେଢ଼ବର୍ଷ ପରେ ପୁଣିଥରେ ସେହି ଜାଗାରେ ଓହ୍ଲାଇବାପରେ ପ୍ରଥମେ ଆଖି ଖୋଜିଥିଲା ସର୍ବଦାଙ୍କୁ, କିନ୍ତୁ ସେ ପୂର୍ବଦିନ ସନ୍ଧ୍ୟାରେ ଗାଁକୁ ଚାଲିଯାଇଥିଲେ । ତା' ପରେ ଟିକେ ଫ୍ରେସ୍ ହେଇ ଆଗକୁ ଆଗକୁ ମାଡ଼ିଚାଲିଲି । ସେତେବେଳେ ଅଧିକାଂଶ ସମୟରେ ଆମେ ଦକ୍ଷିଣ ପାର୍ଶ୍ୱରେ ଯାତାୟତ କରୁଥିଲୁ, ତେଣୁ ସେଇ ପୁରୁଣା ଅଭ୍ୟାସକୁ ପୁଣିଥରେ ଦୋହରାଇ ଦକ୍ଷିଣ ପାର୍ଶ୍ୱରେ ଆଗେଇ ଚାଲିଥାଏ । ବସ୍‌ଷ୍ଟାଣ୍ଡରୁ ଟିକେ ବାଟ ଆଗକୁ ଗଲେ ପରେ ଜେଲ୍ ଅତିକ୍ରମ କରିବାପରେ ସବୁଠାରୁ ବଡ଼ ପରିବର୍ତ୍ତନ ନ‌ଜର ଆସିଲ, ତାହା ଥିଲା ସେଠାରେ ଜାତୀୟ ରାଜପଥ ସ‌ହ ଯୋଡ଼ି ହୋଇଥିବା ରାସ୍ତା । ରାସ୍ତାଟିର ଉଭୟ ପାର୍ଶ୍ୱରେ ଥିବା ଛୋଟ ବଡ଼ ଗଛଗଡ଼ିକ ଆଉ ନାହିଁ, ରାସ୍ତାର ଆକାର ବଢ଼ିଯାଇଛି, ମଝିରେ ପୌରପାଳିକା ଦ୍ୱାରା ଆଲୋକ ସଂଯୋଗ କରିଦିଆଯାଇଛି ଏବଂ ତା' କଡ଼ରେ ଥିବା ଛୋଟ ଛୋଟ ଦୋକାନୀଙ୍କର ସତ୍ତା ନାହିଁ । ରାସ୍ତାଟିକୁ ଦେଖି ଖୁସି ଲାଗିଲା, କିନ୍ତୁ ଦୋକାନୀମାନଙ୍କ କଥା ଭାବି ଟିକେ ଦୁଃଖ ବି ଲାଗିଲା । ସେଇ ଦୋକାନୀମାନଙ୍କଠାରୁ କେତେଥର କ'ଣ ଯେ କିଣିଥିବୁ, ତା'ର ହିସାବ ନାହିଁ । ଅବଶ୍ୟ ସେ ରାସ୍ତା ଦେଇ ପୁଣିଥରେ ସେଇ ପୁରୁଣା ଗଳିରେ ଯାଇହେଲାନି ।

ଏଥର ଆଗକୁ ଆଗକୁ ଯିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ପରିବର୍ତ୍ତନ ନ‌ଜର ଆସିଲା । କେଉଁଠାରେ ଥିବା ଛୋଟମୋଟ ଦୋକାନ ଘରସବୁ ଆଉ ନାହିଁ, ତ' କେଉଁଠି ଛୋଟ ଗୁମୁଟି କରିଥିବା ଦୋକାନୀଟି ଏବେ ପକ୍କାଘରେ ତା'ର ବଡ଼ ଦୋକନଟିଏ କରିସାରିଲାଣି । ଏମିତି ଚାଲୁଚାଲୁ ବାମ‌ପଟରେ ନ‌ଜର ଆସିଲା ବେଣୁଦାଦାଙ୍କର ସେ ଦୋକାନଟି । ତାଙ୍କ ଘରର ଗୋଟିଏ ପାର୍ଶ୍ୱରେ ସେ ଦୋକାନଟି । ସେଇ ଦୋକାନଟିର କିନ୍ତୁ କିଛି ବଦଳିନଥିଲା, ଅବଶ୍ୟ ତାଙ୍କୁ ପୁଣିଥରେ ଭେଟି ହେଲାନି । ସେଠାରୁ ଟିକିଏ ଦୂରରେ ଥିଲା ବାଲାଜୀ ମନ୍ଦିର । ସେ ମନ୍ଦିରଟିର ବି ସେତେ କିଛି ବଦଳିନି ବୋଧେ, କିନ୍ତୁ ସେତେବେଳେ ଖରାବେଳେ ବସ୍ ପାଇଁ ଅପେକ୍ଷା କରିଥିବା ସମୟରେ ସେହି ମନ୍ଦିର ପରିସରରେ ଛାଇରେ ଆମକୁ ଘୋଡ଼ାଇ ରଖୁଥିବା ଗଛଗୁଡ଼ା ଆଉ ନ ଥିଲା । ସେହି ବାଟ ଦେଇ ଯାଉଥିବାବେଳେ ଆଉ ଜଣେ ଅତିପରିଚିତ ଲୋକ ସେହି ସମୟରେ ତାଙ୍କ ଗାଡ଼ିରେ ଗଲେ । ଅବଶ୍ୟ ତାଙ୍କ ସ‌ହ ଦେଖା କରିହେଲାନି । କିନ୍ତୁ ତାଙ୍କଠାରେ ବି ବିଶେଷ କିଛି ପରିବର୍ତ୍ତନ ହୋଇନଥିଲା, ସେଇ ସମାନ ଗାଡ଼ି, ସେଇ ସମାନ ସମୟ, ସାମନ ସ୍ଥାନରୁ (ଫୁଟ୍‌ବଲ୍ ଖେଳରୁ) ପ୍ରତ୍ତ୍ୟାବର୍ତ୍ତନ କରୁଥିଲେ କି କ'ଣ । ଆଉ ଗାଡ଼ି ଚଳେଇବା ବି ଠିକ୍ ସେହିଭଳି ହିଁ ଥିଲା ।

ତା'ର ଟିକେ ଆଗକୁ ଗଲାପରେ ଦେଖିଲି ଆମକୁ ପ୍ରତ୍ୟେକଦିନ ସକାଳେ ଜଳଖିଆ ଖୁଆଇଥିବା ସେଇ ଦୋକାନଟି ସେମିତି ଅଛି । ସେଇ ସମାନ ଲୋକ, ସେଠାରେ ଟିକେ ଖିଆପିଆ ହେଇଗଲା ଆଉ ସେ ଲୋକଟି ଏତେଦିନ ପରେ ବି ଠିକ୍‌ରେ ଚିହ୍ନିଗଲା । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଥିଲା କି ସେ ଦୋକାନଟିର ଜିନିଷର ଦର ଦେଢ଼ବର୍ଷ ପରେ ବି ସେମିତି ଥିଲା । ଏହାପରେ ପୁଣି ଚାଲିଲି, କିନ୍ତୁ ଏଇଥର ବାମ‌ପଟରେ । ବ୍ଲକ୍ କେଣ୍ଟିନ୍ ବି ତା' ପୁରୁଣା ଜାଗାରୁ ଆସିଯାଇକି JPR ପାଖରେ ରହିଯାଇଛି ଆଉ ସେ ଆଖପାଖରେ ଥିବା ସବୁ ଖାଲି ଜାଗାରେ ଦୋକନ‌ଘର ହେଇକି ଦୋକାନ ବି ହେଇଗଲାଣି । ସେଇ ସବୁ ଜାଗାରେ ଦୋକନ ଦେଖିଲା ପରେ ୨୦୧୩ରେ ନବୀନ କ‌ହିଥିବା କଥାଟା ମନେ ପଡ଼ିଗଲା । ତା' ପରେ ଆଗକୁ ଆଗକୁ ଚାଲିଲି, ନ‌କ୍‌ଟିଗୁଡ଼ାରେ ସେଇ ସମାନ ଅବସ୍ଥା ଥିଲା, କିଛି ନୂଆ ତ' ପୁଣି କିଛି ପୁରୁଣା । ସେଇ ପୁରୁଣା ଗଳି ସବୁ, କିନ୍ତୁ ସେ ସବୁର ରାସ୍ତା ଏବେ ଭଲ ହେଇଗଲାଣି ।
ଆମର ସେଇ ପୁରୁଣା ଜଳଖିଆ ଦୋକାନ
ଶେଷରେ ନ‌କ୍‌ଟିଗୁଡ଼ା ସରିବା ପରେ ଗୋଟେ ଗଛ ଛାଇରେ ଅପେକ୍ଷା କଲି କଲେଜ ଯିବାକୁ । ସେତେବେଳେ ସିନା କଲେଜକୁ ବସ୍ ଚାଲୁଥିଲା, କିନ୍ତୁ ଏବେ ତ' ଆଉ ନାହିଁ ବୋଧେ । ଅବଶ୍ୟ ସେଇବାଟେ ସେତେବେଳେ ଗୋଟେ ବସ୍ ଗଲା, କିନ୍ତୁ କଲେଜକୁ ଯାଉଥିବା ଭଙ୍ଗା ଦ‌ଦରା ବସ୍ ବଦଳରେ ଏମିତି ଭଲ ବସ୍ ଯାଉଥିବ ବୋଲି ମୋତେ ଲାଗିଲାନି । ତେଣୁ ପୁଣିଥରେ ପୁରୁଣା କଳା ଆପଣେଇବାକୁ ପଡ଼ିଲା, ମୋଟରସାଇକେଲବାଲାଙ୍କୁ ଲିପ୍ଟ ମାଗିବା । ଆଉ ଲିପ୍ଟ ପାଇଁ ହାତ ବଢ଼େଇଲାବେଳକୁ ଜଣେ ସାର୍ ଦେଖାହେଇଗଲେ ଆଉ ଶୀତୁଆ ସକାଳର କୋହଲା ପବନ ମାଡ଼ରେ ଆମେ ପ‌ହ‌ଞ୍ଚିଗଲୁ କଲେଜରେ । କଲେଜର ପରିବେଶ ବି କିଛିଟା ବଦଳିଯାଇଥିଲା । କିଛି ନୂଆ ଶିକ୍ଷକଙ୍କର ଆଗମନ ଏବଂ ପୁରୁଣା ଶିକ୍ଷକଙ୍କର ବି ବଦଳି ହୋଇସାରିଥିଲା । ହେଲେ ପୁରୁଣା ଯେତିକି ଥିଲେ ସଭିଏଁ ସେମିତି ହିଁ ଥିଲେ । ବୋଧେ କଲେଜର ଖାଲି ଗଢ଼ଣ ଟିକେ ବଦଳିଥିଲା, କିନ୍ତୁ ଅନ୍ୟମାନେ ସଭିଏଁ ସେମିତି ଥିଲେ । 
କଲେଜର Wall Magazine
କଲେଜ ହଷ୍ଟେଲ ପରିସରରେ ପିଲାମାନେ ଆଙ୍କିଥିବା ଚିତ୍ର
ହଷ୍ଟେଲରୁ ଶେଷଥର ପାଇଁ ନେଇଥିବା ଫୋଟୋ
ଶେଷରେ ସାର୍ଟିଫିକେଟ ନେଇ ସନ୍ଧ୍ୟାରେ ଫେରିଆସିଲି କଲେଜରୁ । ମୋର ବସ୍ ଆସିବାକୁ ଆହୁରି ଅଢ଼େଇ ଘଣ୍ଟା ବିଳମ୍ବ ଥାଏ, ତେଣୁ ଟିକେ ବସ୍‌ଷ୍ଟାଣ୍ଡରୁ ଗାନ୍ଧି ଛକ ଦେଇ ମାଣିକେଶ୍ୱରୀ ମନ୍ଦିର ପଟେ ବୁଲି ଆସିବାକୁ ଭାବିଲି । ତେଣୁ ଆଗେଇ ଗଲି ଘୋଡ଼ାଘାଟ ଛକ ଦେଇ ଗାନ୍ଧିଛକ ଆଡ଼େ । ଗାନ୍ଧିଛକପଟେ ଯେବେ ଯାଉ ସବୁବେଳେ ସେଠାରେ ମିଳୁଥିବା ମକା-ମିକ୍ଚର ନିହାତି ଖାଇଥାଉ । ଆମର ସଭିଙ୍କର ପ୍ରିୟ ମାଝୀଗୌରୀରୁ ନେଲି । ସେତେବେଳେ କିନ୍ତୁ ଜଣଙ୍କୁ ମୁଁ ସବୁଠୁ ଅଧିକା ମନେପକାଉଥିଲି, ସେ ହେଉଛି ନବୀନ । ମୁଁ ସେଇ ଚାରିବର୍ଷରେ ଯେତେଥର ଏହି ରାସ୍ତାରେ ଯାଇଥିବି, ବୋଧେ ୯୫ ପ୍ରତିଶତରୁ ଅଧିକ ଥର ନବୀନ ଥିବ ସାଙ୍ଗରେ । ସବୁବେଳେ ମୋର ଗୋଟିଏ ହାତ ଥାଏ ତା କାନ୍ଧରେ, କିନ୍ତୁ ଆଜି ଟିକେ ଅଲାଗା ଥିଲା । ମୋ ହାତ କାହା କାନ୍ଧ ଉପରେ ନ ଥିଲା, କିନ୍ତୁ ମୋ କାନ୍ଧ ଉପରେ ଥିଲା ବ୍ୟାଗ୍ ।
ଏହାପରେ ଗାନ୍ଧିଛକରେ ୬/୭ଟି ଛୋଟବଡ଼ ଗଳି । ଯେତେବେଳେ ମୁଁ ୨୦୧୨ରେ ପ୍ରଥମଥର ବାପାମାଆଙ୍କ ସ‌ହ ଯାଇଥିଲି, ସେତେବେଳେ ଆମେ ସେଇଠି କୋଉ ଗଳିରେ ଆସିବୁ ବୋଲି ବାଟ ପାଇନଥିଲୁ । କିନ୍ତୁ ଏବେ ସବୁ ଗଳିର ବାଟ ଭଲଭାବରେ ଜଣା ଥିଲା, ହେଲେ ବି କେଉଁ ଗଳିପଟେ ଯିବି ବୋଲି ଭାବି ହାଟ ବସୁଥିବା ଗଳିଦେଇ ଆଗକୁ ବଢ଼ିଲି । ଇଏ ସେଇ ଗଳି, ଯେଉଁଠି ସବୁଦିନେ ଭିଡ଼ ଜମୁଥିଲା । କିନ୍ତୁ ସେତେ ଭିଡ଼ ନାହିଁ ଆଉ ଏବେ । ସୋମ‌ବାରରେ ବି ରବିବାର ଭଳିଆ ଲୋକ ଥିଲେ ସେ ଗଳିରେ । ଏହାର ଦୁଇପାଖରେ ଥିବା ଦୋକାନ ବୋଧେ ବଦଳିନାହିଁ କି କ'ଣ । ଛୋଟ ଛୋଟ ପରିବା ଦୋକାନୀ, କିଛି କିଛି ମସଲା ନେଇ ବସିଥିବା ଦୋକାନୀମାନେ ବି ସେମିତି ଥିଲେ । କିଛି କିଛି ବଡ଼ ବଡ଼ ଦୋକନ ବୋଧେ ସେମାନଙ୍କର ଟିକେ ଟିକେ ରଙ୍ଗ ବଦଳେଇଥିବେ କି କ'ଣ, ନ ହେଲେ ବାକି ସବୁ ସେମିତି । ଏହାପରେ ସୁବାଷଚନ୍ଦ୍ର ବୋଷଙ୍କର ମୂର୍ତ୍ତି ଦେଖାଗଲା ଏବଂ ସେଠାରୁ ମାଣିକେଶ୍ୱରୀ ମନ୍ଦିରପଟେ ଗଲି । ଏଇ ପାଖରେ ଥାଏ ଛୋଟ ପଡ଼ିଆଟିଏ, ଏହି ପଡ଼ିଆରେ ଏହି ସମୟରେ ମୀନାବଜାର ବସେ । କିନ୍ତୁ କିଛି ନ ଥିଲା, ବୋଧେ ସରିଗଲାଣି କି କ'ଣ । ଏହାର ଡାହାଣକୁ ଆଉ ଗୋଟିଏ ଛୋଟିଆ ଖୋଲା ଜାଗାରେ ଶୀତଦିନିଆ ନେପାଳୀମାନେ (ପ୍ରକୃତରେ ତିଦ୍ଦତରୁ ଆସିଥାନ୍ତି ସେମାନେ ଆଉ ଏବେ ସେମାନେ ଓଡ଼ିଶାର ବ୍ରହ୍ମ‌ପୁରରେ ରହୁଛନ୍ତି) ବସିଥାନ୍ତି ସେମାନଙ୍କର ଦେଶରୁ ଆଣିଥିବା ଶୀତବସ୍ତ୍ର ନେଇ । ସେଠାରେ ରହିଲାବେଳେ ଆମେ ବୋଧେ ପ୍ରତ୍ୟେକ ବର୍ଷ କିଛି ନା କିଛି କିଣିଥିଲୁ, କିନ୍ତୁ ଶେଷବର୍ଷ କାଇଁ ସେମାନେ ନ ଆସିନଥିଲେ । କିନ୍ତୁ ସେଇ ଜାଗାରେ ସେମାନେ ପୁଣିଥରେ ବସିଥିଲେ । ଯଦିଓ ମୋତେ କିଛି କିଣିବାର ନ ଥିଲା, କିନ୍ତୁ ଖାଲିରେ ବି ଟିକେ ବୁଲି ଆସିଲି । ସେଠାରେ ବି ସେଇ ସମାନ କଥା, ସମାନ ଲୋକ ବି ଥିଲେ ସେଠାରେ । ଆମେ ସେଇ ତିନିବର୍ଷରେ ଯାହା ସବୁ କିଣିଥିଲୁ ଗୋଟିଏ ଝିଅପାଖରୁ ହିଁ କିଣିଥିଲୁ ଆଉ ସେ ବି ସେଇଠି ଥିଲା । ଏମିତିକି ପ୍ରତ୍ୟେକ ଥର ଆମେ ଗୋଟିଏ ଜିନିଷ କିଣିବାକୁ ଯାଇଥାଉ କିନ୍ତୁ ଆବଶ୍ୟକ ନ ଥାଇ ବି ନବୀନ ସବୁବେଳେ ତା'ଠାରୁ ଆଉ ଗୋଟିଏ କିଣିଆଣେ । ଆଉ କ‌ହିଥିଲା, ତା' ସ‌ହ ଗୋଟେ ଫଟୋ ଉଠେଇବି, କିନ୍ତୁ ଆମର ଶେଷ ବର୍ଷରେ ସେ ଆସିନଥିଲା । ତେଣୁ ନବୀନର ଆଶ ସେମିତି ରହିଯାଇଥିଲା । ନବୀନ ଯଦି ଆସିଥାନ୍ତା, ବୋଧେ ଫଟୋଟିଏ ନିଶ୍ଚୟ ଉଠେଇଥାନ୍ତା ।

ଏହପରେ ଚାଲିଲି ଆଗକୁ । ବାମ‌ପଟେ ମାଣିକେଶ୍ୱରୀ ମନ୍ଦିର, ତେଣୁ ମନ୍ଦିରକୁ ବି ଯାଇ ଟିକେ ବୁଲି ଆସିଲି । ଅବଶ୍ୟ ମୋ ପାଖରେ ବ୍ୟାଗ୍ ଥିଲା ବୋଲି ମୁଁ ଆଉ ଭିତରକୁ ଗଲିନି, ଖାଲି ଦୂରରୁ ପ୍ରାଣାମ କରି ଆସିଗଲି । ଏହାପରେ ଫେରିବାର ସମୟ, କିନ୍ତୁ ସମାନ ରାସ୍ତାଦେଇ ଫେରିବାର ଆବଶ୍ୟକତା ବି ନାହିଁ । ଘୋଡ଼ାଘାଟ ଛକରେ ପ‌ହ‌ଞ୍ଚିବାକୁ ଯେଉଁ ଗଳିରେ ଗଲେ ବି ଗୋଲ୍ ହୋଇ ଘୁରି ଆସିହେବ । ତେଣୁ ଜଗନ୍ନାଥ ମନ୍ଦିର କଡ଼ ରାସ୍ତାଦେଇ ଫେରିଲି । ବାଟରେ ଥାଏ ପକୁଡ଼ି ଆଉ ଜିଲାପିର ଦୋକାନ । ସେତେବେଳେ ଆମେ ଶୀତଦିନରେ ଯେବେ ଯାଉ କେବେ ବି ନ ଖାଇ ଫେରୁନା, କିନ୍ତୁ ଏକୁଟିଆ ଖାଇବାର ମଜା ଆସେନା । ତେଣୁ ଦେଖିକି ଖାଲି ଆସିଗଲି । ପକୁଡ଼ି ଦୋକାନ ପାର ହେବାପରେ ଜଣାନାହିଁ କାହିଁକି କେଜାଣି ମନଟା ଭାରୀ ହେବାରେ ଲାଗିଲା । ପୂର୍ବଥର ଯେତେବେଳେ ଆମ ପିଲାମାନେ ଭବାନୀପାଟଣା ଛାଡ଼ିଥିଲେ, ବୋଧେ ସବୁ କାନ୍ଦୁଥିଲେ । ସେତେବେଳେ କିନ୍ତୁ ମୋ ମନରେ ଥିଲା କି ମୋତେ ତ ପୁଣିଥରେ ଆସିବାକୁ ହେବ ଆଉ ସେଇଟା ଶେଷ ନ ଥିଲା । ମାତ୍ର ସେଦିନର ଆସିଯିବାପରେ ପୁଣିଥରେ ଯିବାକୁ ଲାଗିଗଲା ଦେଢ଼ବର୍ଷ ଦୁଇଦିନ । ଜଣାନାହିଁ, ଏଇ ଫେରିବା ପରେ ଆଉ କେବେ ଜୀବନରେ ସୁଯୋଗ ମିଳିବ କି ନାହିଁ । ତେଣୁ ମନ ଭିତରେ ସେଇ ଭୟଟା ଖାଇଯାଉଥିଲା । ଅନ୍ୟମନସ୍କ ବସତଃ ଚାଲୁଥିଲି ବସ୍‌ଷ୍ଟାଣ୍ଡ ଆଡ଼େ । ସେତେବେଳେ ବାମ‌ପଟେ ନ‌ଜର ପଡ଼ିଲା ସୋଡ଼ାହବ୍ ଉପରେ । ଅବଶ୍ୟ ଶୀତଦିନରେ ଥଣ୍ଡା ଅଧିକ ହୁଏ ବୋଲି ରାତିରେ ପିଉନା, କିନ୍ତୁ ଶେଷଥର ପାଇଁ ସେ ଦୋକାନରୁ ପୁଣିଥରେ ପିଇବାକୁ ଗଲି । ଅବଶ୍ୟ ମୋର ସବୁବେଳର ପସନ୍ଦ ଲେମନ୍ ସୋଡ଼ା ନ ଥିଲା, ତେଣୁ ତା' ବଡ଼ଭାଇ ଅରେଞ୍ଜ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଲା । ଏହାପରେ ଫେରିଆସିଲି ବସ୍‌ଷ୍ଟାଣ୍ଡ ପାଖକୁ ।

ବଜାର ବୁଲିଆସିବା ଭିତରେ କିନ୍ତୁ ଗୋଟିଏ ଜିନିଷ କେଉଁଠି ବି ନ‌ଜର ଆସିନଥିଲା ପୋଡ଼ା ହୋଇଥିବା ମକା ସ‌ହ ଲେମ୍ବୁ । ମାତ୍ର ବସ୍‌ଷ୍ଟାଣ୍ଡରେ ପ‌ହ‌ଞ୍ଚିବାପରେ ଦେଖିଲି ଗୋଟିଏ ପିଲା ମକା ପୋଡ଼ିବାରେ ଲାଗିଛି, କିନ୍ତୁ ଗ୍ରାହକଙ୍କ ମଧ୍ୟରେ ପୂର୍ବରୁ ବଣ୍ଟାସରିଯାଇଥିଲା ସେସବୁ । ତେଣୁ ମୋ ପାଇଁ ଆଉ ନ ଥିଲା । ସେତେବେଳକୁ ତ‌ଥାପି ବସ୍ ଆସିନଥିଲା । ତେଣୁ ଅପେକ୍ଷା କରି ବସିଲି ବସ୍‌ଷ୍ଟାଣ୍ଡର ବଡ଼ ବଡ଼ ଖମ୍ବ ପାଖରେ ଥିବା ଜାଗା ଉପରେ । ସେତେବେଳେ ମୋ ପାଖରେ ବସିଥିବା ଜଣେ ବୁଢ଼ୀମାଉସୀ ବିକୁଥିଲେ ବାଦାମ । ଆଗରୁ ତାଙ୍କଠାରୁ ଅନେକଥର ଚନା, ବାଦାମ ଆଦି ଖାଇଛୁ । ତେଣୁ ପୁଣିଥରେ ତାଙ୍କଠାରୁ ବାଦମ ନେଇ ଟିକେ ଟିକେ ଖାଇଲି ଆଉ ଅପେକ୍ଷା କରିଥିଲି ବସ୍‌କୁ ଏବଂ ପୁଣିଥରେ ସେଇ ଆପଣାର ଜାଗାକୁ ବିଦାୟ ଦେବାକୁ ।

Saturday 13 January 2018

ପ୍ରଥମ ବିମାନ ଯାତ୍ରା

ସଂଗ୍ରାମ କେଶରୀ ସେନାପତି 1:54 am 0
ପ୍ରଥମ ବିମାନ ଯାତ୍ରା
ଜୀବନରେ ଅନେକ କିଛି ଆସେ ପୁଣି ଚାଲିଯାଏ । କିନ୍ତୁ କୌଣସି ଜିନିଷ ପ୍ରଥମଥର ପାଇଁ ମାତ୍ର ଥରେ ଆସେ । ଯେମିତିକି, ପ୍ରଥମଥର ପାଇଁ କଥା କ‌ହିବା, ପ୍ରଥମ ଥର ପାଇଁ ସ୍କୁଲ ଯିବ, ପ୍ରଥମ ଥର ପାଇଁ ପ୍ରେମରେ ପଡ଼ିବା ଇତ୍ୟାଦି ଇତ୍ୟାଦି । ସେମିତି ମୁଁ ବି ମୋ ଜୀବନରେ ଘଟିଥିବା ସବୁକିଛି ଘଟଣାରୁ ପ୍ରଥମ ଅଭିଜ୍ଞତା ବିଷୟରେ ଜଣେଇଛି । ପ୍ରଥମଥର ପାଇଁ ପିକ୍‌ନିକ୍ ଯିବା ବିଷୟରେ ହୁଏତ ସେତେବେଳେ ଘଟିଥିବା ସବୁକିଛି ଠିକ୍‌ରେ ମନେ ନ ଥିଲା, ତ‌ଥାପି ସେସବୁକୁ ବି ଲେଖିଥିଲି । ସେମିତି ଆଜି ବି ଏହି ପ୍ରଥମ ବିମାନ ଯାତ୍ରା ବିଷୟରେ ଲେଖୁଛି ।

ଛୋଟବେଳେ ଯେତେବେଳେ ୧୯୯୯ ମହାବାତ୍ୟା ହୋଇଥିଲା, ସେତେବେଳେ ବୋଧେ ଆମେ ସବୁଠାରୁ ଅଧିକ ହେଲିକପ୍ଟର ଦେଖିଥିଲୁ । ଆମ ଗାଁ ଉପର ଦେଇ ତ' କେବେକେବେ ହେଲିକପ୍ଟର ଉଡ଼େ, କିନ୍ତୁ ବିମାନ ବା ଉଡ଼ାଜାହାଜ ବୋଧେ ସେତେବେଳେ କାଇଁ କେବେ ଦେଖିଥିବା କଥା ମନେପଡ଼ୁନି । ଅବଶ୍ୟ ଉଡ଼ାଜାହାଜର ଛବି ଖବରକାଗଜ ଏବଂ ଦୂରଦର୍ଶନରେ ଦେଖିଥିଲି । ବୋଧେ କେବେ ଭୁବନେଶ୍ୱର ଆସିଥିବାବେଳେ ପ୍ରଥମଥର ପାଇଁ ବିମାନ ଉଡ଼ିବା ଦେଖିଥିଲି, କିନ୍ତୁ ସବୁବେଳେ ମୋ ମନରେ ଥାଏ, କେମିତି ବିମାନ ଉଡ଼େ, ସେଇଟା ପାଖରୁ ଦେଖିବି । ଅବଶ୍ୟ ଧିରେ ଧିରେ ବଡ଼ ହେବାପରେ କୌଣସି କୌଣସି କଥାଚତ୍ରରେ ଏବଂ ଇଣ୍ଟରନେଟରୁ ବିମାନ ଉଡ଼ିବା ଦେଖିନିଆଯାଇଥିଲା । ଗୋଡ଼ ନ ଥିବା ଲୋକର ଚାଲିବାକୁ ଇଚ୍ଛା ହୁଏ, ଚାଲୁଥିବା ଲୋକର ଦୌଡ଼ିବାକୁ ମନ ହୁଏ । ସେମିତି ମୋର ବି ବିମାଡ଼ ଉଡ଼ାଣ ଦେଖିବାର ଇଚ୍ଛା ଅବଶ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ କେବେ ଉଡ଼ିବାର ସୁଯୋଗ ମିଳିବ, ଏହା ମୋତେ ଜଣାନଥିଲା । କିନ୍ତୁ, ମନରେ ଜିଜ୍ଞାସା ତ' ନିଶ୍ଚିତ ଥିଲା, ଆଉ ଏହି ସୁଯୋଗ ମିଳିଲା ଅବଶ୍ୟ ମିଳିଲା ଓଡ଼ିଆ ଉଇକିପାଠାଗାର ୩ୟ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ।

ଯଦିଓ ଉଇକିପାଠାଗାରର ଜନ୍ମତିଥି ଅକ୍ଟୋବରରେ ପଡ଼େ, ତ‌ଥାପି ସଭିଙ୍କର ସମୟ ସୁବିଧା ଦେଖି ଡିସେମ୍ବରରେ ପାଳନ କରାଗଲା । ତେଣୁ ବାଙ୍ଗାଲୋରରୁ ଯିବା ପାଇଁ ଟିକେଟ ମଧ୍ୟ ମିଳିଗଲା । ଯେହେତୁ ଡିସେମ୍ବର ୩ରେ ପାଳନ ଥିଲା, ତେଣୁ ୧ରେ ମୁଁ ବାହାରିଲି । ଏଇଥରର ଉଇକିପାଠାଗାରର ଜନ୍ମତିଥି ପାଳନ ବିଷୟରେ ଚିନୁ ଟିକିନିଖି ବୁଝାବୁଝି କରୁଥିଲେ । ସେ ଏକୁଟିଆ ସବୁକିଛି ବୁଝିବାସ‌ହ ମୋ ପାଇଁ ଟିକେଟ ମଧ୍ୟ କରିଦେଇଥିଲେ । ଏମିତିକି ବିମାନ ଯାତ୍ର ସମୟରେ ଯେପରି କୌଣସି ବିଷୟରେ ଅସୁବିଧା ନ ହେବ, ସବୁ ବିଷୟରେ ବୁଝାଇଦେଇଥିଲେ । ଶେଷରେ ଯାତ୍ରା ପାଇଁ ବୋର୍ଡ଼ି ପାସ୍ ସ‌ହ ସିଟ୍ ବୁକିଙ୍ଗ୍ ସେ କରିଦେଇଥିଲେ ।

ଶେଷରେ ଯାତ୍ରା କରିବାର ଦିନ ଆସି ପ‌ହ‌ଞ୍ଚିଗଲା । ଘର ଛାଡ଼ି ବାଙ୍ଗାଲୋର ଆସିବା ପରେ ଏହା ଥିଲା ପ୍ରଥମଥର ପାଇଁ ଘରକୁ ଯାତ୍ର, ସେ ପୁଣି ପ୍ରଥମଥର ବିମାନ ଯାତ୍ରା । ଯେଉଁଦିନ ବାହାରିବାର ଥିଲା, ସେଦିନ ବାଙ୍ଗାଲୋରରେ ବର୍ଷା ହେଉଥିଲା । ଏମିତିରେ ବି ସେଇ ସମୟରେ ମାରାଥାଲିରୁ ବିମାନବନ୍ଦରକୁ ସିଧା ବସ୍ ନ ଥିଲା । ତେଣୁ ହେବାଲ୍‌ ଯାଏଁ ବସ୍ ଧରିବାକୁ ହେଲା । ଆଉ ସେ ୨୦ କିଲୋମିଟରର ରାସ୍ତା ଯିବାକୁ ସେଦିନ ଏତେ ଭିଡ଼ ହୋଇଥିଲା ଯେ, କ‌ହିବାକୁ ନାହିଁ । ଅଧଘଣ୍ଟା ଲାଗିବାକୁ ଥିବା ରାସ୍ତା ସେଦିନ ଦେଢ଼ ଘଣ୍ଟାରୁ ଅଧିକ ସମୟ ନେଇଗଲା । ଆଉ ଶେଷରେ ଅତି କଷ୍ଟରେ ଯାଇକି ହେବାଲ୍‌ରୁ ବିମାନବନ୍ଦର ବସ୍ ଧରିଲି । ଯାହାହେଉ ଠିକ୍ ସମୟରେ ଯାଇକି ସେଠାରେ ପ‌ହ‌ଞ୍ଚିଗଲି । ଅବଶ୍ୟ ବ‌ହୁତ ସମୟ ପୂର୍ବରୁ ଯାଇ ସେଠାରେ ପ‌ହ‌ଞ୍ଚିଗଲି କେମ୍ପାଗୌଡ଼ା ବିମାନବନ୍ଦରରେ ।

ମୁଁ ତ' ଆଗରୁ ବୋର୍ଡ଼ିଂ ପାସ୍ ହୋଇସାରିଥିଲା, ତେଣୁ ସିଧା ଚେକ୍ ଇନ୍ ପାଇଁ ଯିବାକୁ ପଡ଼ିଲା । ଚିନୁ ତ' ଆଗରୁ ସବୁକିଛି ବୁଝାଇଦେଇଥିଲେ, ତେଣୁ କୌଣସି ଅସୁବିଧା ହେଲା ନାହିଁ । ଏବେ ଅପେକ୍ଷା ବିମାନ ଛାଡ଼ିବା ସମୟକୁ । ଗେଟ୍ ନଂ ୧ରେ ଯାଇ ବସିଲି, ଧିରେ ଧିରେ ବାକି ଯାତ୍ରୀମାନେ ବି ଆସିଗଲେ ଆଉ ଶେଷରେ ବିମାନ ଭିତରକୁ ଯିବାର ସମୟ ବି ଆସିଗଲା । ଉଡ଼ାଣ ସମୟ ଦିନ ୩ଟା ୨୦ ରଖାଯାଇଥିଲା, ତେଣୁ ନିର୍ଦ୍ଧାରିତ ସମୟରେ ଆମେ ଯାଇ ନିଜ ନିଜର ସ୍ଥାନରେ ବସିଗଲୁ । କିନ୍ତୁ ଗୋଟେ ଦୁଃଖ ରହିଗଲା କି' ପ୍ରଥମଥର ଯାତ୍ରାରେ ଝରକାପାଖ ମିଳିଲାନି । କିଛି କଥା ନାହିଁ, ଯେଉଁଠି ହେଲେ ବି ଚଳିବ । ଆଉ ହଁ ଗୋଟିଏ କଥା ରହିଗଲା, ବିମାନ ପରିଚାରିକାମାନଙ୍କ କଥା । ସବୁବେଳେ ହସୁଥିବା ମୁଖ, ମନରେ ଯାହା ଯେମିତି ଦୁଃଖ ଥିଲେ ବି, ସେମାନେ ବୋଧେ କେବେ ଦୁଃଖ ପ୍ରକାଶ କରନ୍ତିନି କି କ'ଣ । ସବୁବେଳେ ସେମାନେ ମୁହଁରେ ହସ ଭରି ରଖିଥାନ୍ତି । କଥାକ‌ହିବାର ଚତୁରତା ଏବଂ ଯାତ୍ରୀମାନଙ୍କ ମନ‌କୁ ଜିଣିଲା ଭଳି କଥାହେବା ସେମାନଙ୍କର ସବୁଠାରୁ ବଡ଼ କଳା ।

ସମସ୍ତେ ନିଜ ନିଜର ସ୍ଥାନରେ ବସିଗଲା ପରେ ଏବେ ବିମାନ ପରିଚାରିକା ତାଙ୍କର ସମସ୍ତ ସଦସ୍ୟଙ୍କ ସ‌ହ ପରିଚୟ କରାଇଦେଲେ ଏବଂ ଧିରେ ବିମାନ ଗଡ଼ିବା ଆରମ୍ଭ କଲା । ସେତେବେଳେ ସେମାନେ ପୁଣିଥରେ କିଛି ସୁରକ୍ଷା ସୂଚନା ଦେଲେ । ଏହାପରେ ଧୀରେ ଧୀରେ ଚାଲୁଥିବା ବିମାନର ଗତି ହଠାତ୍ କ୍ଷୀପ୍ର ହୋଇଗଲା ଏବଂ ଧୀରେ ଧୀରେ ଉପରକୁ ଉଠିବାକୁ ଲାଗିଲା । ପୂର୍ବରୁ ସାଙ୍ଗମାନେ ଅବଶ୍ୟ ମୋତେ ଟିକେ ଡରେଇ ଦେଇଥିଲେ କି ଉପରକୁ ଉଠିଲାବେଳେ ବ‌ହୁତ ପ୍ରକାରର ଅସୁବିଧା ହେବ ବୋଲି, କିନ୍ତୁ ସେତେଟା ଅଧିକ କିଛି ହେଲା ନାହିଁ । ଅବଶ୍ୟ ଟିକେ ଅଲଗା ଲାଗିଲା । ବିମାନ ଧିରେ ଧିରେ ଉପରକୁ ଲଗିଲା ଏବଂ ତଳେ ଥିବା ଘରଗୁଡ଼ିକସବୁ ଛୋଟ ହେବାକୁ ଲାଗିଲା । ଉଠିଲାବେଳେ ମେଘଖଣ୍ଡ ଦେଇ ଗତି କଲା ଆଉ ଶେଷରେ ବାଦଲ ଉପରକୁ ବି ଉଠିଗଲା । ସେତେବେଳକୁ ତଳେ ଥିବା ଘରଗୁଡ଼ିକ ଆଉ ଦେଖାଗଲାନି । ଏବେ ଉପରେ ଖାଲି ନୀଳ ଆକାଶ ଦେଖାଗଲା ।

ଅବଶ୍ୟ ଝରକା ପାଖ ହୋଇନଥିବାରୁ ସେତେଟା କିଛି ଦେଖାଗଲାନି, ତ‌ଥାପି କିଛିଟା ନ‌ଜରକୁ ଆସିଲା । ସେହି ସମୟରେ ଥିବା ଉଡ଼ାଣ ବେଳେ ସୂର୍ଯ୍ୟାସ୍ତ ଦୃଶ୍ୟ ବ‌ହୁତ ଭଲରେ ଦେଖିହୁଏ, କିନ୍ତୁ ସେ ବି ହାତରୁ ଚାଲିଗଲା । ଏହାପରେ ଧୀରେ ଧୀରେ ଭୁବନେଶ୍ୱରର ପାଖପାଖି ପ‌ହ‌ଞ୍ଚିଗଲୁ । ଏବେ ତଳ‌କୁ ତ‌ଳକୁ ବିମାନ ଖସିବାକୁ ଲାଗିଲା । ଶେଷରେ ଘରଗୁଡ଼ିକ ଛୋଟଛୋଟ ହୋଇ ପୁଣି ଦେଖାଗଲା ଏବଂ ଉଡ଼ାଣର ଠିକ୍ ସମୟରେ ଅର୍ଥାତ ଦୁଇଘଣ୍ଟାପରେ ଆମେ ଅବତରଣ କଲୁ ।