2023 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Tuesday 19 December 2023

ଗପ ପାଇଁ ମୋତେ ମିଳିଲା ଉଦୟରାଗ ସମ୍ମାନ

ସଂଗ୍ରାମ କେଶରୀ ସେନାପତି 10:18 pm 0
ଗପ ପାଇଁ ମୋତେ ମିଳିଲା ଉଦୟରାଗ ସମ୍ମାନ
Udayaraga Samman to Sangram Keshari Senapati

ଗପ ଲେଖିବା ଆରମ୍ଭ ହୋଇଥିଲା ଆମ କଲେଜ ପତ୍ରିକା ପାଇଁ । ଏହାପରେ କିଛି କିଛି ଗପ ଲେଖି ସେୟାର୍ କରିଥିଲି ମୋ ବ୍ଲଗ୍‍‍ରେ । ଉଭୟ ଓଡ଼ିଆ ଇଂରାଜୀରେ କିଛି କିଛି ଭୁଲ୍ ଠିକ୍ ଲେଖିବା ମୋର ଗୋଟେ କାମ ଥିଲା ୨୦୧୫ ଓ ୧୬ରେ । ଏହାପରେ ୨୦୧୭ରେ ତିନୋଟି ଗପ ଆହ୍ୱାନ ଇ-ପତ୍ରିକାରେ ପ୍ରକାଶ ପାଇବା ପରେ ଏକ ମୁଦ୍ରିତ ପତ୍ରିକାକୁ ଗପ ପଠେଇଥିଲି ଆଉ ତାହା ପ୍ରକାଶିତ ହୋଇନଥିଲା ।

ଏହା ପ୍ରକାଶିତ ନହେବାର ଦୁଃଖରୁ ଜାଗି ଉଠିଥିଲା ଏକ ଇ-ପତ୍ରିକା ସମ୍ପାଦନା ଓ ପ୍ରକାଶନର ଇଚ୍ଛା; ୨୦୧୮ ଜାନୁଆରୀରେ ପ୍ରଥମ ତ୍ରୟୋମାସିକ ପତ୍ରିକା ଭାବରେ ଆରମ୍ଭ ହେଲା ଓ ସେହି ବର୍ଷ ନୀଳାଦ୍ରିବିଜେରୁ ଶୁଭପଲ୍ଲବ ରୂପେ ପ୍ରକାଶ ପାଇବା ଆରମ୍ଭ କଲା । ଏହା ପରଠାରୁ ଗପ ଲେଖିବା ବନ୍ଦ ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କବିତା ମୋ ଦ୍ୱାରା ହୁଏନି, ହଁ ଦୁଇ ଚାରିଧାରି ଗାରେଇ ଦେଇପାରେ, କାହାର ଲେଖା କବିତାକୁ ସଜାଡ଼ିବାକୁ ଚେଷ୍ଟା କରେ, କିନ୍ତୁ ମନ ଛୁଆଁ କବିତାଟିଏ ନିଜେ ଲେଖିପାରେନା ।

୨୦୧୭ ମସିହାରେ କଲେଜ ଡାଏରୀର ୮୦ ପ୍ରତିଶତରୁ ଅଧିକ ଲେଖିକି ଡିଲିଟ୍ କରିବା ପରେ ପ୍ରତିଥର ଗପ ଲେଖିବାକୁ ଭାବିଲାବେଳେ ସେବେକାର କଷ୍ଟ ମନେ ପଡ଼ିଯାଏ । ତଥାପି ମଝିରେ ମଝିରେ ଏମିତି ଟିକେ କ'ଣ ଗାରେଇ ଦିଏ । ଗତଥର କଥା ନବ ପ୍ରତିଭା ଓ ଉଦୟରାଗ ପାଇଁ ଗପ ଲେଖିବାକୁ ଚେଷ୍ଟା କରି ବିଫଳ ହେବାପରେ କଲେଜ ଡାଏରୀକୁ ସମ୍ପୂର୍ଣ୍ଣ ନ କରିପାରିବାର ଭୟ ମନକୁ ଭାରାକ୍ରନ୍ତ କରିଦିଏ । ତଥାପି ଏଥର ଉଦୟରାଗ ପ୍ରତିଯୋଗିତା ବେଳେ ଜଣଙ୍କୁ ଠାରୁ ନିର୍ଦ୍ଦେଶ ଆସିଥିଲା ଯେମିତି ବି ହେଲେ ଗପ ପଠେଇବାକୁ । ତେଣୁ ବାଧ୍ୟ ହୋଇଥିଲି ପୁଣିଥରେ କିଛି ଲେଖିବାକୁ । ହଁ ଏଥର ବି ବଫଳ ହେଲି, ହେଲେ ଅଧାଲେଖା ଗପ ଦୁଇଟିକୁ ସମସ୍ତ କରିପାରିଥିଲି । ଗପ ଦୁଇଟି ପ୍ରତିଯୋଗିତାର ସମୟ ସରିବାର କିଛି ସମୟ ପୂର୍ବରୁ ଇ-ମେଲ୍ କରିଥିଲି । ଏତେ ବର୍ଷ ପରେ ଶେଷ କରିଥିବା ଗପଟି ବଛାଯିବା ଓ ଏହାକୁ ନେଇ କୌଣସି ସମ୍ମାନ ପାଇବା ନିହାତି ଭାବରେ ମୋ ପାଇଁ ଏକ ଅକୁହା ମୁହୂର୍ତ୍ତ ।

ଧନ୍ୟବାଦ ଉଦୟରାଗର ସ୍ରଷ୍ଟା ତଥା ଉତ୍‍ସାହିତ୍ୟର ଆୟୋଜକ ସରୋଜ ଭାଇଙ୍କୁ, ଏମିତି ଏକ ପ୍ରତିଯୋଗିତା କରିଥିବାରୁ ଆଉ ମୋର ଗପଟିକୁ ବାଛିଥିବାରୁ ।

- ସଂଗ୍ରାମ କେଶରୀ ସେନାପତି

Full video: https://youtu.be/6Hj7dtF6XhE

Thursday 16 February 2023

ହାଇ ହିଲ୍

ସଂଗ୍ରାମ କେଶରୀ ସେନାପତି 9:01 pm 2
ହାଇ ହିଲ୍
Odia Story High Heel (ହାଇ ହିଲ୍) by Sangram Keshari Senapati

ମିଶ୍ର ବାବୁଙ୍କର ଅଲିଅଳି ଝିଅ ବନ୍ୟା । ପିଲାଟି ଦିନରୁ ସବୁବେଳେ ହସ ହସ ମୁହଁ ତା'ର । ସବୁଥିରେ ତା'ର ଭଲ, କେବଳ ଗୋଟିଏ ଜିନିଷକୁ ଛାଡ଼ିଲେ; ଯେତେ ବନ୍‌ଭିଟା ପିଇଲେ ବି ମନଲାଖି ଉଚ୍ଚତା ପାଇପାରିଲାନି ସେ । ପିଲାଦିନରୁ ଉଚ୍ଚତା ପ୍ରତି ଦୁର୍ବଳତା ଥିବାରୁ ନିଜକୁ ଡେଙ୍ଗା ଦେଖାଇବାକୁ ହାଇ ହିଲ୍ ପିନ୍ଧିବାକୁ ଭାରି ମନ ହୁଏ ତା'ର । କିନ୍ତୁ ଏମିତି ହାଇ ହିଲ୍ ପିନ୍ଧିଲେ ଗୋଡ଼ ତଥା ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ତାଗିଦ୍ କରନ୍ତି ମିଶ୍ର ବାବୁ ।

କଲେଜ ପଢ଼ିବାବେଳେ କେବେ କେମିତି ଫଙ୍କସନ୍‌ରେ ସେ ରୁମ୍‌ମେଟ୍‌ର ହିଲ୍ ପିନ୍ଧେ ଆଉ ସେଦିନ ସବୁଠାରୁ ବେଶି ଖୁସି ହୁଏ ସିଏ । ଏମିତି ଭିତରେ ପାଠପଢ଼ା ସରିଗଲା ଆଉ ସ୍ନାତକୋତ୍ତର ସାରିବା ପରେ ମାତ୍ର କେଇଟା ଦିନ ଘରେ ରହିଛି କି ନାହିଁ, ବାହାଘର ପାଇଁ ଭଲ ପ୍ରସ୍ତାବଟିଏ ଆସିଲା ଆଉ ସଭିଙ୍କ ହଁରେ ସେ ବି ହଁ ଭରିଲା । ଅବଶ୍ୟ ପିଲାଟିର ଉଚ୍ଚତା ଟିକେ ଅଧିକ ଥିଲା ଆଉ ବନ୍ୟାକୁ ଯେମିତି ପସନ୍ଦ ଥିଲା ସେମିତି ପୁଅଟିଏ ହିଁ ମିଳିଥିଲା, ହେଲେ ଏକାସାଙ୍ଗରେ ଛିଡ଼ାହେଲେ ତା'ର ଉଚ୍ଚତା କମ୍ ଲାଗିବ ବୋଲି ଟିକେ ମନଦୁଃଖ କରୁଥିଲା ସେ ।

ଯାହା ଯେମିତି ହେଉ ବାହାଘର ସରିଗଲା ଆଉ ଯେତେବେଳେ ସେ ରିସେପ୍ସନ୍‌ର ଫଟୋ ଦେଖିଲା, ବଡ଼ ମନଦୁଃଖ ହେଲା ତା'ର । ସ୍ୱାମୀଙ୍କ ସହିତ ଫଟୋଗୁଡ଼ାରେ ବହୁତ ସାନ ଲାଗୁଥିଲା ସେ । ସେଇଥିପାଇଁ ଫଟୋ ଫ୍ରେମ ପାଇଁ ଫଟୋ ବାଛିବାବେଳେ ସେ ଛିଡ଼ା ହୋଇଥିବା ଫଟୋଗୁଡ଼ିକୁ ପ୍ରାଧାନ୍ୟତା ଦେଇନଥିଲେ ।

ବିଭାଘରର ମାତ୍ର କେଇଟା ଦିନ ପରେ ଆସିଗଲା ଭାଲେଣ୍ଟାଇଲ୍ ଡେ । ରକ୍ଷଣଶିଳ ପରିବାର ପାଇଁ ଏସବୁର ଅଭିଜ୍ଞତା ନଥିବା ବନ୍ୟା କିନ୍ତୁ ସେଦିନ ଆଶ୍ଚର୍ଯ୍ୟ ହୋଇଥିଲେ, ଯେତେବେଳେ ସକାଳୁ ସକାଳୁ ସ୍ୱାମୀ ତାକୁ ହଳେ ଜୋତା ଭାଲେଣ୍ଟାଇନ୍ ଡେ ପାଇଁ ଗିଫ୍ଟରେ ଦେଇଥିଲେ ଆଉ ସନ୍ଧ୍ୟାରେ ପାଖ ରେସ୍ତେରାଁରେ ମିଶିକି ଖାଇବାକୁ ଯିବାକୁ ପ୍ରସ୍ତାବ ଦେଇଥିଲେ ।

Odia Story High Heel (ହାଇ ହିଲ୍) by Sangram Keshari Senapati

ବିବାହର ଏଇ କିଛି ଦିନ ଭିତରେ ଉଭୟ ସ୍ୱାମୀସ୍ତ୍ରୀ ପରସ୍ପରଙ୍କୁ ଜାଣୁଥିବାବେଳେ ତାଙ୍କ ମନକଥା ଜାଣିପାରି ସ୍ୱାମୀ ତାଙ୍କୁ ଏହି ସୁନ୍ଦର ହିଲ୍ ହଳକ ଗିପ୍ଟ କରିଥିବାରୁ ସେ ବହୁତ ଖୁସି ହେଲେ ଆଉ ସ୍ୱାମୀ ଅଫିସ୍ ଯିବା ପରେ ପିନ୍ଧିକି ପରଖିନେଲେ କେମିତି ଲାଗୁଛି ତାଙ୍କ ରାଜକୁମାରଙ୍କ ପସନ୍ଦର ପ୍ରଥମ ଉପହାରଟି ।

- ସଂଗ୍ରାମ କେଶରୀ ସେନାପତି

Odia Story based on High Heels

ଏହି ଗପଟି ଇଂରାଜୀରେ ପଢ଼ନ୍ତୁ: https://blogs.gapu.in/2023/04/short-story-high-heel.html