October 2018 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Friday 12 October 2018

ସତ ହେଇଥିବା ସ୍ୱପ୍ନ

ସଂଗ୍ରାମ କେଶରୀ ସେନାପତି 7:45 am 2
ସତ ହେଇଥିବା ସ୍ୱପ୍ନ

"ନଈକୂଳିଆ ଜନ, ଛାଡ଼ିଯିବାକୁ ବଳେନି ମନ ।" ନଈର ସେ ସୁନ୍ଦର ଦୃଶ୍ୟ ଦେଖିବାକୁ ମନ ସବୁବେଳେ ବ୍ୟାକୁଳ ଥାଏ । ପିଲାଠୁ ବୁଢ଼ା ସଭିଏଁ ସେ ଦୃଶ୍ୟକୁ ଉପଭୋଗ କରନ୍ତି । ନଈ ବା ସମୁଦ୍ରଠାରୁ କୋଶ କୋଶ ଦୂରରେ ଥିବା ଆମ ଭଳିଆ ଲୋକେ ଭାବନ୍ତି, ଆମ ଘର ସେଇ ପାଖରେ ହୋଇଥାନ୍ତା କି ! ସେଇଥିପାଇଁ ତ ନଈକୂଳରେ ଅଥବା ସମୁଦ୍ର କୂଳରେ ଘରଟିଏ କରିବାକୁ ଅଧିକାଂଶ ଲୋକ ଇଚ୍ଛା କରନ୍ତି । କିନ୍ତୁ ଶାନ୍ତ ଆଉ ନିର୍ମଳ ତ‌ଥା ମନଲୋଭା ସ୍ୱଭାବର ନଈ ବି କେବେ କେବେ ତାଣ୍ଡବ କରିବସେ ।

ସକାଳୁ ସକାଳୁ ଡାକବାଜି ଯନ୍ତ୍ର ସାହାଯ୍ୟରେ, ଦୂରଦର୍ଶନରେ, ଖବରକାଗଜରେ, ଏମିତିକି ସୋସିଆଲ ମିଡ଼ିଆରେ ସବୁଆଡ଼େ ପ୍ରଚାର ଚାଲିଥିଲା ସେ ଗୋଟିଏ କଥା, "ଭୟଙ୍କର ରୂପ ନେଉଛି ତିତ୍‌ଲି ।" ସବୁ ଲୋକମାନଙ୍କ ମନରେ ଛାନକା ପଶିଥିଲା, ମନେ ପଡ଼ିଯାଉଥିଲା ପୂର୍ବରୁ ଘଟିଥିବା ଦୃଶ୍ୟସବୁ । ସମୁଦ୍ରକୂଳିଆ ଲୋକମାନଙ୍କୁ ସିନା ସୁରକ୍ଷିତ ସ୍ଥାନ‌କୁ ସ୍ଥାନାନ୍ତର କରିନିଆଗଲା, ମାତ୍ର ଏ ନଈକୂଳିଆ ଲୋକଙ୍କୁ ପଚାରୁଛି କିଏ । 

ନଈକୂଳରେ ଇନ୍ଦିରାବାସ ଘରଟିଏ କରିଥିବା ସନାତନ ବାବୁ କିନ୍ତୁ ସେତେଟା ବ୍ୟସ୍ତ ବିବ୍ରତ ନ ଥାଆନ୍ତି । ପୂର୍ବ ବାତ୍ୟାରେ ସିନା ପକ୍କା ଘରଟିଏ ନଥିଲା, ତେଣୁ ଘର ଭାଙ୍ଗିଯିବାକୁ ବ‌ହୁତ ହଇରାଣ ହେଇଥିଲେ, ଏଥର କିନ୍ତୁ ନିଜର ପିଅନ ଚାକିରୀରୁ କିଛି ସଞ୍ଚିତ ଅର୍ଥ ଆଉ ସରକାରଙ୍କ ସହାୟତାରେ ଏହି ସୁନ୍ଦର ଘରଟି ତୋଳିଥିଲେ । ଦୁଇ ବଖରା ଘରଟିରେ ସେ ଆଉ ତାଙ୍କ ପୁଣି ନବ ବିବାହିତ ବ‌ଧୂ ସାଙ୍ଗରେ ତାଙ୍କ ପୁଅ । ଏହି ଚାରି ଜଣରେ ତାଙ୍କର ପରିବାର । ଖାଲି ଖାଇବା ଜିନିଷପତ୍ର ସବୁ ରଖିଦେଇ ସେ ଖୁସିରେ ଥାଆନ୍ତି କି ଏଥର ବନ୍ୟା କି ବାତ୍ୟାରେ ସେ ଆଉ ଉଚ୍ଚାସ୍ଥାନଟିଏ ଖୋଜିବେନି, ଯଦି ସେମିତି ଅଧିକ ହୁଏ, ନିଜ ଘର ଉପରେ ଏବେ ତ ଛାତଟିଏ ଅଛି, ତା' ଉପରକୁ ଯାଇପାରିବେ ।

ସନାତନ ବାବୁ ତ ପରିବାର ସ‌ହିତ ଘରେ ଶାନ୍ତିରେ ଶୋଇଥିଲେ । ସେ ସ୍ୱପ୍ନ ଦେଖିଲେ, ବାତ୍ୟା ସ୍ଥଳଭାଗ ଛୁଇଁସାରିଲାଣି ଆଉ ପବନ ମଧ୍ୟ ଭୟଙ୍କର ହେବାରେ ଲାଗିଛି । ବଡ଼ ବଡ଼ ଗଛସବୁ ଭାଙ୍ଗି ଭୂଇଁରେ ଲୋଟିପଡ଼ିଲାଣି । ତୁହାକୁ ତୁହା ବର୍ଷା ମଧ୍ୟ ହେବାରେ ଲାଗିଛି । ସନାତନ ବାବୁ ସ୍ୱପ୍ନରେ ମଧ୍ୟ ଜାଣିପାରୁଥିଲେ ଏହା ତାଙ୍କର ସ୍ୱପ୍ନ ବୋଲି । ତା'ପରେ ଦେଖିଲେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ଆଉ ଧୀରେ ଧୀରେ ନଈର ପାଣି ତାଙ୍କ ଘର ଭିତରକୁ ପଶିବାକୁ ଲାଗୁଛି । ମାତ୍ର ସନାତନ ବାବୁ ତ ଇନ୍ଦିରାବାସ ଘରେ ଅଛନ୍ତି, ପକ୍କା ଘରେ । ସ୍ୱପ୍ନ କ'ଣ ସତ ହୁଏ ଯେ, ତାଙ୍କ ଘରେ ସତରେ ପାଣି ପଶିଥିବ ।

ଏହି ସମୟରେ ତାଙ୍କୁ କେହି ଜଣେ ଉଠିବାକୁ ବାଧ୍ୟ କରୁଥିବା ଅନୁଭବ କଲେ ସିଏ । ହେଲେ ଇଏ କ'ଣ, ସେ ଯାହାସବୁ ଦେଖୁଥିଲେ ସେ ସବୁ ସ୍ୱପ୍ନ ଏବେ ବାସ୍ତବତାରେ ପରିଣତ ହୋଇଯାଇଛି । ତାଙ୍କ ଘର ଆଉ ସେ ସ୍ଥାନରେ ନାହିଁ, ଏବେ ସେମାନେ ନଦୀ ମଧ୍ୟରେ ଅଛନ୍ତି । ଭୟଙ୍କର ଗର୍ଜନ କରୁଥିବା ନଦୀଟି ଏବେ ସେମାନଙ୍କୁ ସେମାନଙ୍କର ଘରସହ ହିଁ ଗ୍ରାସ କରିଯାଇଛି । କିଛି କରିବାକୁ ଯୋଜନା କରିବା ଆଗରୁ ଏକ ବଡ଼ ଭଉଁରୀ ଆସି ତାଙ୍କୁ ଚିରନିଦ୍ରାରେ ଶୁଆଇଦେଲା, ପୁଣିଥରେ ସ୍ୱପ୍ନ ଦେଖିବାକୁ ସାରା ପରିବାରକୁ ସ୍ୱପ୍ନ ରାଇଜକୁ ପଠାଇଦେଲା ।