Wednesday, 16 December 2020
ଗୋଲାପ... - କଲେଜଡାଏରୀ
ସଂଗ୍ରାମ କେଶରୀ ସେନାପତି
9:37 am
0
Wednesday, 11 November 2020
ସେ ଆଉ ତାଙ୍କ ଧୂଆଁ
ସଂଗ୍ରାମ କେଶରୀ ସେନାପତି
9:56 am
0
ଇଏ ମୋର ସେ କଲେଜ ବେଳର କଥା, ଯେତେବେଳକୁ ମୁଁ କଲେଜରେ ତିନିବର୍ଷ ପାଠ ପଢ଼ା ଶେଷ କରିବାକୁ ବସିଥିଲି । ଇଞ୍ଜିନିୟିରଂ କଲେଜରେ ଯୁଗ୍ମ ସେମିଷ୍ଟାରରେ ପାଠପଢ଼ା କମ୍ ଥାଏ ଆଉ ବାକି ସବୁ ଜିନିଷ ଅଧିକ ଥାଏ । ଯଦିଓ କଲେଜ କ୍ୟାମ୍ପସରେ ସବୁବେଳେ ବସନ୍ତ ଋତୁ ଚାଲିଥାଏ, କିନ୍ତୁ ଏହି ସମୟରେ ଦୁଇଟି ବସନ୍ତ ଦେଖିବାକୁ ମିଳେ । ଏମିତି ଏକ ଦ୍ୱେତ ବସନ୍ତର ସୁଲୁସୁଲିଆ ପବନ ଖାଇବାକୁ ମୁଁ ଏକ ଗଛ ମୂଳରେ ବସିଥାଏ । ହଠାତ୍ ଗୋଟିଏ ଝିଅ ଆସି ମୋତେ ଲାଇଟର୍ ମାଗିଲା ।
ଯଦିଓ ମୋ ପାଖରେ ଲାଇଟର୍ ନଥିଲା, ତଥାପି ମୁଁ ଖୋଜିବାର ମିଛ ଅଭିନୟ ଟିକିଏ କଲି । କରିନଥାନ୍ତି ବା କେମିତି, ସେ ପରା ସେହି ଝିଅ ଯାହାକୁ ଦେଖିଲେ ମୋର ହୃଦ୍ସ୍ପନ୍ଦନ ଆପେ ଆପେ ଟିକେ ବଢ଼ିଯାଏ, ଯାହାକୁ ଦେଖିବାକୁ ମୁଁ ଅନେକ ସମୟରେ କଲେଜ ଯାଇବି କି ଅନୁପସ୍ଥିତ ରୁହେ, ଯାହା ସହ କଥା ହେବା ପାଇଁ ଚେଷ୍ଟା କରି ମଧ୍ୟ କେବେ କଥା ହେବାର ସାହାସ ଜୁଟାଇ ପାରିନାହିଁ । ଆଉ ସେ ଆଜି ପୁଣି ମୋ ସହ ତା' ଆଡ଼ୁ ଆଗ କଥା ହେଇଛି, ତା' ସାଙ୍ଗରେ ପୁଣି କିଛି ଗୋଟିଏ ଜିନିଷ ମାଗୁଛି; ସତେ ଯେମିତି ସେ ଲାଇଟର୍ ନୁହେଁ ମୋର ସେ ତୀବ୍ର ଗତିରେ ଚାଲୁଥିବା ହୃଦୟଟା ମାଗୁଛି ।
ମୋତେ ତ ଜଣାଥିଲା କି ମୋ ପାଖରେ ଲାଇଟ୍ର୍ ନାହିଁ, ତଥାପି ତା' ସାଙ୍ଗରେ କଥା ହେବା ବାହାନାରେ ମନା କରିବା ପୂର୍ବରୁ ପଚାରିଦେଲି,
- ଲାଇଟର୍ କ'ଣ ଦରକାର ଥିଲା କି?
- ସିଗାରେଟ୍ ଜଲାଇବାକୁ ।
- ସିଗାରେଟ୍???
- ହଁ, କ'ଣ ଅସୁବିଧା ଅଛି କି?
- ମୁଁ କ'ଣ କହୁଥିଲି କି...
- ଥାଉ କିଛି କହିବା ଦରକାର ନାହିଁ, ଝିଅ ହେଲି ବୋଲି କ'ଣ ସିଗାରେଟ୍ ଟାଣି ପାରିବିନି କି?
- ନାହିଁ ସେ କଥା ମୁଁ କହୁନି, କିନ୍ତୁ କଲେଜରେ?
- ହଁ କଲେଜ ହେଲା ତ କ'ଣ ହେଇଗଲା?
ଏତିକିବେଳକୁ ମୁଁ ମୋର ବ୍ୟାଗ୍ ଆଉ ପକେଟ୍ ସବୁଠି ଖୋଜିବାର ଅଭିନୟ କରିସାରିଥାଏ, ଅଧିକ ସମୟ ନେଇ ଶେଷରେ ମନା କଲେ, ହୁଏତ ସେ ଆହୁରି ରାଗିଯିବ, ତେଣୁ ବାଧ୍ୟ ହୋଇ ଏହି କଥୋପକଥନକୁ ପୂର୍ଣ୍ଣଛେଦ ପକାଇବାକୁ ଯାଇ କହିଲି, "ନାହିଁ, ମୋ ପାଖେ କାଇଁ ନାହିଁ, ବୋଧେ ରୁମ୍ରେ ରହିଯାଇଥିବ ।"
ଏତିକି ଶୁଣିସାରି ମୁହଁକୁ ଛିଞ୍ଚାଡ଼ି ସେ ଯିବାକୁ ଉଦ୍ୟତ ଧୀରେ ଧୀରେ ବୋଧେ ମୋତେ କିଛି ଗାଳି କରି ଯିବାକୁ ଉଦ୍ୟତ ହେଲା । ଆଉ ସେ ବୁଲିପଡ଼ିକି ଯିବାବେଳକୁ ମୁଁ ଅତି ନମ୍ର ସ୍ୱରରେ କହଲି, "ସରି ।"
ମୋତେ ଲାଗିଥିଲା, ମୋର ସେ ସରି କହିବାରେ ହୁଏତ ଏହି କଥୋପକଥନ ସରିଗଲା, କିନ୍ତୁ ସେ ସରି ଶୁଣିବାପରେ ଟିକିଏ ରହିଗଲା ଆଉ ପୁଣିଥରେ ମୋ ପାଖକୁ ଫେରିକି ଆସିଲା ଆଉ ମୁଁ ବସିଥିବା ସେ ଛୋଟ ସିମେଣ୍ଟ ବେଞ୍ଚଟି ଉପରେ ବସିଲା ।
ଯାହା ସହ କଥା ହେବାକୁ ଏତେ ଦିନ ଧରି ଚେଷ୍ଟା କରି ଆସୁଥିଲି, ଆଉ ସେ ପୁଣି ମୋ ପାଖରେ ବସିଛି, ହେଲେ କଥୋପକଥନ ଆରମ୍ଭ କରିବାକୁ ମୁଁ ଶବ୍ଦ କିଛି ପାଉନଥିଲି । ପ୍ରତ୍ୟେକ ଦିନ ରାତିରେ ଡାଏରୀରେ ତା' ବିଷୟରେ ଲେଖିଲାବେଳେ ଦୂରରୁ ତା'ର ପ୍ରତ୍ୟେକ ନିଶ୍ୱାସକୁ ବର୍ଣ୍ଣନା କରିପାରୁଥିଲି, କିନ୍ତୁ ଏବେ ଅତି ନିକଟରୁ ସେ ନିଶ୍ୱାସକୁ କାହିଁକି ସେମିତି ଅନୁଭବ କରିପାରୁନାହିଁ? ଅବଶ୍ୟ ଅନୁଭବ କରିନପାରିବାର କାରଣ ଥିଲା, ସେ ନିଶ୍ୱାସରେ ଭାସି ଆସୁଥିବା ସେ ସିଗାରେଟ୍ର ଧୂଆଁ । ପୂର୍ବରୁ ଦୂରରୁ ମୁଁ ଯେଉଁ ପ୍ରେମର ଧୂଆଁକୁ ଅନୁଭବ କରୁଥିଲି, ଆଜି ତାହା ସତେ ଯେମିତି ସେ ସିଗାରେଟ୍ର ଧୂଆଁରେ ଜଳି ଯାଇଥିଲା । ଏମିତି ଲାଗୁଥିଲା କି ପୂର୍ବରୁ ସେ ୨/୩ଟି ଏକାସାଙ୍ଗରେ ଜଳାଇଥିଲା ।
ଏଥର ସେ ତା'ଆଡ଼ୁ ନୀରବତାକୁ ଭଙ୍ଗ କରି ମୋତେ ପଚାରିଲା,
- ତୁ କାହାକୁ କେବେ ପ୍ରେମ କରିଛୁ?
- ହଁ, କିନ୍ତୁ କାହିଁକି?
- କେବେ ପ୍ରେମରେ ଆଘାତ ପାଇଛୁ?
- ନାହିଁ ଏବେଯାଏଁ ତ ପାଇନାହିଁ ।
- ତା'ହେଲେ ତୁ କି ପ୍ରେମ କରୁଛୁ?
- ମୋର ପରା ଏକତରଫା ପ୍ରେମ, ଯେଉଁଠି ପାଇବାର ଆଶା ନାହିଁ, ଖାଲି ପ୍ରେମ କରିବାର ଆଶା ଅଛି ।
- ବଡ଼ ଭାଗ୍ୟବାନ ତା'ହେଲେ ।
- ହଁ ସେବେଯାଏଁ, ଯେବେଯାଏଁ ଏହି ଏକତରଫା ପ୍ରେମଟା ଦୁଇଆଡ଼ୁ ହେବାର ଦେଖାଯାଉଥିବ ।
- କେବେ ଆଘାତ ପାଇଲେ ଜାଣିବୁ ତା'ହେଲେ ।
- ଆପଣ କାହାକୁ ପ୍ରେମ କରୁଛନ୍ତି କି?
- ହଁ.... କରୁଥିଲି ।
ଏ କରୁଥିଲି ପଦକ ଶୁଣିକି ସତେ ଯେମିତି ମୋର ଏ ରକ୍ତମାଂସ ଶରୀରଟା ଏକ ଫୁଲ ଭରା ସବୁଜ ଉଦ୍ୟାନ ପାଲଟିଯାଇଥିଲା ଆଉ ମୋର ଆତ୍ମା ଗୋଟିଏ ପ୍ରଜାପତି ହୋଇ ତା' ଭିତରେ ମନଖୋଲା ଉଡ଼ିବୁଲୁଥିଲା ।
- କରୁଥିଲି ମାନେ?
- ଏବେ ସେ ଆଉ କାହା ସାଥୀରେ ।
- ଆଉ ଏ ସିଗାରେଟ୍?
- ତା'ର ସିଗାରେଟ୍ ଭାରି ପସନ୍ଦ ଥିଲା, ମୁଁ ତାକୁ ସବୁବେଳେ କିନ୍ତୁ ସିଗାରେଟ୍ ଟାଣିବାକୁ ବାରଣ କରୁଥିଲି । ବୋଧେ ସେଇଥିପାଇଁ ସେ ମୋ ଠାରୁ ଦୂରେଇଗଲା ।
- ଆଉ ସେ ଗଲା ପରେ ଆପଣ ନିଜେ ଆରମ୍ଭ କରିଦେଲେ ।
- ହଁ ।
- କିନ୍ତୁ କାହିଁକି?
- ମୁଁ ତାକୁ ଭୁଲିବାକୁ ଚାହିଁଲେ ବି ପାରୁନାହିଁ, ସେଇଥିପାଇଁ ଏହି ସିଗାରେଟ୍ ଟାଣୁଛି, ହୁଏତ ଏହାର ଧୂଆଁରେ ତା'ର ପ୍ରେମର ଧୂଆଁ ମିଳେଇଯିବ ।
- କିନ୍ତୁ, ଏ ଧୂଆଁ କ'ଣ ତାଙ୍କ କଥା ଭୁଲିବାକୁ ଦେଉଛି?
- ନାହିଁ, ହେଲେ ଏବେ ବି ମୁଁ ଚେଷ୍ଟା ଜାରି ରଖିଛି ।
- ଗୋଟିଏ କଥା କହିବି?
- ହଁ କହ, ଶୁଣିବାକୁ ତ ବସିଛି ।
- ଆପଣ ତାକୁ ଭୁଲିବାକୁ ଏ ସିଗାରେଟର ଧୂଆଁକୁ ଅନୁଭବ କରୁଛନ୍ତି, କିନ୍ତୁ କେବେ ଭାବିଛନ୍ତି ସେ ଧୂଆଁରେ ପୁଣି ଆପଣ କାହାକୁ ଅନୁଭବ କରୁଛନ୍ତି?
- ତାକୁ?
- ହଁ, ଧୂଆଁର ପ୍ରତ୍ୟେକ କଣିକାରେ ତାଙ୍କର ସେ ପ୍ରେମକୁ ଆପଣ ଖୋଜୁଛନ୍ତି, ସେଇଥିପାଇଁ ତାଙ୍କୁ କେବେ ଭୁଲିପାରୁନାହାନ୍ତି ।
- ଯେଉଁ ଧୂଆଁର ଗନ୍ଧକୁ ମୁଁ ଏତେ ଘୃଣା କରୁଥିଲି, ସେ ଧୂଆଁରେ କେମିତି ମୁଁ ତାକୁ ଖୋଜିବି?
- ଏ ପ୍ରେମ ପରା ଏମିତି ଏକ ଅନୁଭବ, ଯିଏକୁ ଶତ୍ରୁକୁ ବି ନିଜର କରେଇଦେବେ ଆଉ ଏ ତ ସାମାନ୍ୟ ଧୂଆଁଟିକକ ।
ଏହା ପରେ ସେ କିଛି ନକହି ସିଧା ଉଠିପଡ଼ି ଚାଲଗିଲା ଆଉ ଗଲାବେଳେ ହାତରେ ଧରିଥିବା ସେ ସିଗାରେଟ ଖଣ୍ଡଟିକୁ ସେ ବେଞ୍ଚ ଉପରେ ଛାଡ଼ିଦେଇଗଲା । ହୁଏତ ଏବେ ମୋତେ ତା'ର ସେ ସ୍ୱାଦ ଚଖେଇବାକୁ ଚାହୁଁଥିଲା ।
Thursday, 13 February 2020
ତୁମ ଅପେକ୍ଷାରେ
ସଂଗ୍ରାମ କେଶରୀ ସେନାପତି
1:41 am
0
"ଆଉଥରେ ଆଜି ମୋ ମନର ସେ ଅକୁହା
କଥାକୁ ତମ ଆଗେ ଖୋଲି କହିବାକୁ ଚାହୁଁଛି,
ତମେ ତ ଜାଣିଛ ମୁଁ ତମକୁ କେତେ ଭଲ ପାଉଛି ।"
ଦିନ ପରେ ଦିନ ଗଡ଼ିଚାଲିଛି ଆଉ ଯେତେ ଅଧିକ ସମୟ ବିତି ଚାଲିଛି, ବୋଧେ ସାପର ବିଷ ଚରିଗଲା ଭଳିଆ ଆମର ସେହି କେଇଦିନର ସମ୍ପର୍କର ମିଠା ସ୍ମୃତିସବୁ ମୋ ଭିତରେ ବଢ଼ିବଢ଼ି ଚାଲିଛି । ମୋ ମନର ମାନସ ପଟଳରେ ବାରମ୍ବାର ସେହି ଛବିସବୁ ଆସି ଘୁରିବୁଲୁଛି । ସେଦିନର ସେ ଶେଷ ସାକ୍ଷାତ କଥା ମଧ୍ୟ ଆଜି ସବୁଠୁ ଅଧିକ ପଡ଼ୁଛି ଆଉ ସେଦିନ ତମକୁ କହିପାରିନଥିବା ସେହି କେଇପଦ କଥା ଯେମିତି ମୋତେ ସବୁବେଳେ ଅଟ୍ଟହାସ୍ୟ କରୁଛି ।
ବିନି ତମର ମନେ ଅଛି ନା ତିନି ବର୍ଷ ତଳେ ଯେତେବେଳେ ତମେ ପ୍ରଥମଥର ମୋତେ ଭେଟିବାକୁ ଆସିଥିଲ? ହୁଏତ ତମର ସେ କଥା ସବୁ ମନେ ନଥିବ, କିନ୍ତୁ ମୋର ଭଲ ଭାବରେ ମନେ ଅଛି । ଏହି ଯେଉଁ ସିମେଣ୍ଟର ଚୌକି ଦେଖୁଛ, ସେଇଠି ହିଁ ଆମେ ପ୍ରଥମେ ବସିଥିଲେ । ପ୍ରଥମେ କ'ଣ ଯେ, ଯେତେବେଳେ ଆସୁଥିଲେ ସବୁବେଳେ ହିଁ ଏଇଠି ବସୁଥିଲେ । ସେଦିନ ପ୍ରଥମେ ଦେଖାରେ ତମେ ଯେତିକି ଉତ୍ସାହିତ ଥିଲ, ତମ ଭିତରେ ଥିବା ସେତିକି ଡର ମୁଁ ଭଲ ଭାବରେ ଦେଖିପାରୁଥିଲି ।
ସେ ଡର ଭିତରେ ତମର କଥାସବୁ ଯେତେ ଧୀରେ ଶୁଭୁଥିଲା, ସେତେ ଅଧିକ ମିଠା ଲାଗୁଥିଲା । ପ୍ରଥମେ ଦେଖାର ପ୍ରଥମ ଅନୁଭୂତି ସବୁଠାରୁ ନିଆରା ଅବଶ୍ୟ, ବୋଧେ ସେଦିନର ସେ ମିଠା ଅନୁଭୂତି ସହ ତମର ସେ ଡର ଆଉ ଲାଜ ମିଶା ଆଳାପ ତାକୁ ଦୀର୍ଘସ୍ଥାୟୀ କରିବାକୁ ବାଧ୍ୟ କରିଦେଇଥିଲା । ଏହାପରେ ଅବଶ୍ୟ ଅନେକ ଥର ଦେଖାହେଇଛି, କିନ୍ତୁ ପ୍ରତ୍ୟେକ ଭାଲେଣ୍ଟାଇନ୍ ଡେ'ରେ ଦେଖାହେବାର ସେ ଯେଉଁ ପ୍ରତିଜ୍ଞା ବୋଧେ ତମେ ଭୁଲିଯାଇଛ ! ହେଲେ ଦେଖ ମୁଁ ଆଦୌ ଭୁଲିନି, ସେଇଥିପାଇଁ ତ ଖାଲି ଭାଲେଣ୍ଟାଇନ୍ ଡେ'ରେ ନୁହେଁ ପ୍ରତ୍ୟେକ ଦିନ ଏଠାକୁ ଆସୁଛି ଆଉ କାଳେ କେବେ ତମ ସହ ଦେଖାହେଇଯିବ ସେହି ଆଶା ନେଇ ପାର୍କ ଖୋଲିବାଠାରୁ ବନ୍ଦ ହେବାଯାଏଁ ଏଠାରେ ବସୁଛି ।
Wednesday, 12 February 2020
ଦିଲ୍ଲୀରେ ମୋଦିଙ୍କ ବିଶାଳ ବିଜୟ
ସଂଗ୍ରାମ କେଶରୀ ସେନାପତି
1:30 am
1
୨୦୨୦ ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ବିଶାଳ ବିଜୟ ପାଇଁ ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣମାନେ କହିବେ, ଶୀର୍ଷକରେ ମୋଦି ଜିତିଲେ ବୋଲି ମିଛ କଥାଗୁଡ଼ା ଲେଖିକି କ'ଣ ୟୁ-ଟ୍ୟୁବ୍ ଭିଡ଼ିଓ ଭଳିଆ ଆଉ କିଛି ଦେଖେଇଲୁଣି; ତେଣୁ ଅଧିକ ବକର ବକର ନ ହେଇକି ସିଧା ମୁଁ ମୋର ମନ୍ତବ୍ୟ ରଖୁଛି । ଅବଶ୍ୟ ୟୁ-ଟ୍ୟୁବ୍ କଥା ଉଠିଲାଣି ମାନେ ଆଗତୁରା ସୂଚେଇ ଦେବାକୁ ଚାହେଁ କି, ଏହା କେବେଳ ଏକ ବ୍ୟଙ୍ଗାତ୍ମକ ଢଙ୍ଗରେ ଲେଖୁଛି, ଆଦୌ ଦେହକୁ ନେବେନି । ଆମେ ଏବେଯାଏଁ ବି ଅଣରାଜନୈତିକ ହେଇକି ଅଛୁ । ଚାଲନ୍ତୁ ଏବେ ଆରମ୍ଭ କରିବା ।
୨୦୧୪ ସାଧାରଣ ନିର୍ବାଚନରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟ ବିଜୟୀ ହେବାପରେ ସେହି ବର୍ଷ ସ୍ୱାଧୀନତା ଦିବସ ଦିନ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିବା ଯୋଜନା ବିଷୟରେ ଜଣେଇଲେ ଏବଂ ପରେ ୨ ଅକ୍ଟୋବର ୨୦୧୪ରେ ହାତରେ "ଝାଡ଼ୁ" ଧରି ଏହାକୁ ବିଧିବଦ୍ଧ ଭାବରେ ଶୁଭାରମ୍ଭ କଲେ । ଗାନ୍ଧୀ ଜୟନ୍ତି ଅବସରରେ ଗାନ୍ଧୀଙ୍କର ସେ ରାମରାଜ୍ୟ ଗଠନ ଦିଗରେ ସେ ପାଦେ ଅଗ୍ରସର ହେଲେ ଆଉ ଅଳିଆ ପୂର୍ଣ୍ଣ ରାମରାଜ୍ୟ କରିବା ଆଗରୁ ସ୍ୱଚ୍ଛ ରାମରାଜ୍ୟ କରିବାକୁ ନିଷ୍ପତ୍ତି ନେଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଝାଡ଼ୁ ଧରି ଆଗେଇ ଆସିବାକୁ ଆହ୍ୱାନ ଦେଲେ ।
ତା'ପରେ ଅନେକ ଲୋକ ହାତରେ ଝାଡ଼ୁ ଧରି କେମିତି କ'ଣ ସବୁ କ'ଣ ଆଉ କେତେ ଅଳିଆ ସଫା କଲେ, ତାହା ତ ଆପଣମାନେ ଜାଣିଛନ୍ତି । ସେ ଯାହା ବି ହେଉ ଖବରରେ ରହିବାକୁ ହେଉ ବା ସୋସିଆଲ ମିଡିଆରେ ପ୍ରଶଂସା ସାଉଁଣ୍ଟିବାକୁ ହେଉ, ଲୋକେ ତ ଝାଡ଼ୁ ଧରିଲେ ହାତରେ । ଯଦି ଆମେ ମଦର ଟେରେସାଙ୍କ କଥାକୁ ମନେ ପକାଇବା, "ତମେ ନିଜେ ନିଜ ଘର ଆଗକୁ ପରିଷ୍କାର ରଖ, ଦେଖିବ ଦୁନିଆ ସଫା ହେଇଯିବ ।" ସେହି ଧାରାରେ ଲୋକମାନେ ବି ନିଜ ଅଞ୍ଚଳ ସଫା ରଖିବାର ଦାୟିତ୍ୱ ନିଜ ହାତକୁ ନେଇ ଝାଡ଼ୁ ଧରି ବାହାରି ପଡ଼ିଲେ, ଆଉ ସଭିଏଁ ସେ ଝାଡ଼ୁ ପ୍ରେମରେ ଉବୁଟୁବୁ ହେଲେ ।
କିନ୍ତୁ ସ୍ୱଚ୍ଛ ଭାରତ ଯୋଜନାରେ ଏ ଝାଡ଼ୁ ଧରି ଫଟୋ ଉଠାଇବାକୁ ଆହ୍ୱାନ ଦେବା ଆଗରୁ ବୋଧେ ମୋଦି ଆଜ୍ଞା ଗୋଟିଏ କଥାକୁ ବୋଧେ ଭୁଲିଯାଇଥିଲେ ଆଉ ତାହା ହେଉଛି ଝାଡ଼ୁ ଆଉ ସାଧାରଣ ଝାଡ଼ୁ ହୋଇନାହିଁ । ୨୦୧୨ ପରେ ସେ ଆମ୍ ଆଦ୍ମିର ଏକ ଦଳୀୟ ଚିହ୍ନ ହୋଇସାରିଛି । ଇଏ ହେଉଛି ସେହି ଦଳ ଯେଉଁ ଦଳ ଏଥର ନିର୍ବଚନରେ ଏତେ ସଂଖ୍ୟାରେ ବିଜୟୀ ହେଲା । ହୁଏତ ସାଧାରଣ ଜନମାନସ ଝାଡ଼ୁଧରି ବୁଲିଥିବା ଆମ୍ ଆଦ୍ମିର କର୍ମକର୍ତ୍ତା ତଥା କେଜରିୱାଲ ଆଜ୍ଞାଙ୍କର ଅନୁଗାମୀମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଚାର କରୁଥିବା କିମ୍ବା ସ୍ୱଚ୍ଛ ଭାରତ ଅଭିଯାନରେ ସ୍ୱଚ୍ଛତା ପାଇଁ କାମ କରୁଥିବା ମୋଦୀଙ୍କ ଅନୁଗାମୀ ଭାବି ଭୋଟ୍ ବାଡ଼େଇଦେଲେ ।
ଏହି ପରାଜୟ ପାଇଁ ମୋଦି ଆଜ୍ଞା ଦୁଃଖ ନ କରି ଖୁସି ହେବାକୁ ଅନୁରୋଧ । ସଭିଙ୍କ ହାତରେ ଝାଡ଼ୁ ଧରାଇ ଭାରତକୁ ସ୍ୱଚ୍ଛତା ଅଭିମୁଖେ ନେଇଯିବା ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଆଜି ଲୋକମାନେ ପୂରଣ କରିଛନ୍ତି । ଲୋକମାନେ ଫୁଲ ବଦଳରେ ଝାଡ଼ୁକୁ ଅଧିକ ପସନ୍ଦ କରିଛନ୍ତି । ରାଜନୀତିରେ ତେଣିକି ଯେତେ ଛକାପଞ୍ଜା ଥାଉ ନା କାହିଁକି, ଦେଶକୁ ସ୍ୱଚ୍ଛ କରିବା ପାଇଁ ମଧ୍ୟ ହାତରେ ଝାଡ଼ୁ ଉଠାନ୍ତୁ ଆଉ ଯଦି ବି ଝାଡ଼ୁ ଉଠାଇ ପାରୁନାହାନ୍ତି, ତେବେ ଅଳିଆ ଆବର୍ଜନ ସେହି ସ୍ଥାନରେ ପକାନ୍ତୁ, ଯେଉଁସ୍ଥାନରେ ଲୋକମାନେ ଝାଡ଼ୁ ଉଠାଉଛନ୍ତି ।
ଶେଷରେ ମୋଦି ଆଜ୍ଞାଙ୍କୁ ମଧ୍ୟ ଏହି ବିଜୟ ପାଇଁ ଶୁଭେଚ୍ଛା ଜଣାଇବି । ଦିଲ୍ଲୀରେ ସରକାର ଗଠନରେ ସଫଳ ହୋଇନପାରିଲେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନର ସ୍ୱପ୍ନ କିନ୍ତୁ ଫଳବତୀ ହେବାକୁ ଯାଉଛି ।
Saturday, 1 February 2020
ପୁଅମାନେ ରୋଷେଇ ଶିଖିବା କ'ଣ ସତରେ ଜରୁରୀ?
ସଂଗ୍ରାମ କେଶରୀ ସେନାପତି
12:33 am
0
ମୁଁ ଷଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରଥମଥର ପାଇଁ ନିଜ ହାତରେ ନିଜ ପାଇଁ ରୋଷେଇ କରିଥିଲି । ପୂର୍ବରୁ ଯଦିଓ କେବେ ଗ୍ୟାସ୍ ବି ଲଗେଇନଥିଲି, ଦିନେ ଘରେ କେହି ନଥିବାବେଳେ ଭୋକର ଜ୍ୱାଳା ମେଣ୍ଟେଇବା ପାଇଁ ରୋଷେଇ କରିବା ନିହାତି ଜରୁରୀ ହୋଇ ପଡ଼ିଥିଲା । ଅବଶ୍ୟ ପ୍ରଥମ ରୋଷେଇ ସେତେ ଭଲ ହୋଇନଥିଲା, କିନ୍ତୁ ଖରାପ ବି ହୋଇନଥିଲି । ପରେ ଅନେକ ସମୟରେ ଘରେ କେହି ନଥିବାବେଳେ ମୁଁ ରୋଷେଇ କରିଛି, କିନ୍ତୁ ଇଂଜିନିୟରିଂର ପ୍ରଥମ ବର୍ଷରେ ରୋଷେଇ ନିଜେ କରିବା କେତେ ଜରୁରୀ ସେ ବିଷୟରେ ଅବଗତ ହିଁ ହେଲି । ଦିନେ ଜିଲ୍ଲା କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା, ତେଣୁ ସକାଳଠାରୁ ସନ୍ଧ୍ୟାଯାଏଁ ଭବାନୀପାଟଣା ସହରର ସମସ୍ତ ଦୋକାନ ବନ୍ଦ ଥାଏ, ଫଳରେ ଦିନସାରା ଉପାସ ରହିବାକୁ ପଡ଼ିଲା । ସନ୍ଧ୍ୟାରେ କିନ୍ତୁ ଗୋଟିଏ ସାଙ୍ଗ ଦେଖାହେଲା, ଯାହାର ରୁମ୍ରେ ସେମାନେ ନିଜେ ରୋଷେଇ କରୁଥିଲେ, ତେଣୁ ତାଙ୍କପାଇଁ ବନ୍ଦର କୌଣସି ପ୍ରଭାବ ପଡ଼ିଲାନାହିଁ । ଏହାପରଠାରୁ ଆମେ ବି ନିଜେ ନିଜ ରୁମ୍ରେ ରୋଷେଇ କଲୁ ଆଉ ଇଂଜିନିୟରିଂରେ ଆମେ ବୈଷୟିକ ବିଦ୍ୟା ଯାହା ଶିଖୁ କି ନଶିଖୁ ରୋଷେଇ ବିଦ୍ୟାଟା ଭଲରେ ଶିଖିଗଲୁ ।
ହେଲେ ଆଜି ୭ ବର୍ଷ ପରେ ପୁଣିଥରେ ସେ ବିଷୟରେ କାହିଁକି ଆଲୋଚନା କରୁଛି? ଏହାର କାରଣ ହେଲା, କିଛିଦିନ ତଳେ ଏକ କାର୍ଯ୍ୟକ୍ରମରେ ନାରୀ ସମ୍ମାନ ଉପରେ ଭାଷଣ ଦେଉଦେଉ ପୋଲିସ୍ କମିଶନର୍ ଡ. ସୁଧାଂଶୁ ଷଡ଼ଙ୍ଗୀ ପଦେ କହିଥିଲେ, "ଯେଉଁ ପୁଅମାନେ ରୋଷେଇ ଶିଖିନାହାନ୍ତି, ତାଙ୍କୁ ଝିଅମାନେ ବିବାହ କରିବା ଉଚିତ ନୁହେଁ ।" ଏହି କଥାର ସାରମର୍ମ କ'ଣ ଥିଲା? ଆଉ ସେ ଏହି କଥା କେତେବେଳେ କେଉଁ ସମୟରେ ଆଉ କେଉଁ ସ୍ଥାନରେ କହିଥିଲେ, ସେ ବିଷୟରେ ଅବଗତ ହେବା ପୂର୍ବରୁ ଅନେକ ନିଜେ ନିଜର ମତ ରଖିଦେଲେ । କିଏ ତାଙ୍କୁ ସିଧାସଳଖ ବିରୋଧ କଲା ତ ପୁଣି କିଏ କେତେ କଟାକ୍ଷ କଲା ।
ଏ ସ୍ୱାଧୀନ ଦେଶରେ ସ୍ୱ-ମତ ରଖିବାର ଅଧିକାର ସମସ୍ତଙ୍କର ଅଛି, ତେଣୁ ସେ ତାଙ୍କର ମତ ରଖିଲେ । ହେଲେ ତାଙ୍କୁ ବିରୋଧ କରୁଥିବା ଲୋକଙ୍କୁ ମୋର ପ୍ରଶ୍ନ, ଯଦି ଆପଣ ରୋଷେଇ କରିବା ଶିଖିବେ ତେବେ କ'ଣ ପାପ ଲାଗିବ ନା ମୃତ୍ୟୁପରେ ଆପଣ ନର୍କକୁ ଯିବେ ବୋଲି ଆପଣଙ୍କର ଜ୍ୟୋତିଷ ମହାଶୟ କହିଛନ୍ତି? ରୋଷେଇ ଶିଖିଥିଲେ ବେଳଅବେଳରେ ବି ସାହାଯ୍ୟ ତ ହୋଇପାରିବ । ଅବଶ୍ୟ କେତେଜଣ ମତ ଦେଲେ କି ଆଜିର ସ୍ମାର୍ଟ ଫୋନ୍ର ସ୍ମାର୍ଟ ଯୁଗରେ ଯେତେବେଳେ ଅନ୍ଲାଇନ୍ରେ ଖାଇବା ଅର୍ଡ଼ର୍ କଲେ ୩୦ ମିନିଟ୍ରେ ପହଞ୍ଛୁଛି, ରୋଷେଇ ଶିଖିବା ଦରକାର କ'ଣ? ସେମାନଙ୍କ ପାଇଁ ଗୋଟିଏ ଉପଦେଶ, ଗତବର୍ଷ ଫନି ବାତ୍ୟାରେ ଭୁବନେଶ୍ୱରରେ ଥିବା ବନ୍ଧୁମାନଙ୍କୁ ଥରେ ପଚାରନ୍ତୁ କେମିତି ଥିଲେ ସେମାନେ ।
ନାରୀ ସଶକ୍ତିକରଣ ପାଇଁ ଖାଲି କଥାରେ କହିଲେ କି ଭାଷଣ ଦେଇଦେଲେ ହେବନି, ନାରୀକୁ ବୁଝିବା ଦରକାର, ପ୍ରତ୍ୟେକ ପାହାଚରେ ପାଦ ସହ ପାଦ ମିଶେଇ ଚାଲିବା ଆବଶ୍ୟକ । ଏ ଦେଶର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ନାରୀକୁ କେତେ ସମ୍ମାନ କରୁଥିଲା, ତାହା ପୋଥିପୁରାଣରେ ହଜିଯିବା ପୂର୍ବରୁ ନାରୀଶକ୍ତିର ମହତ୍ୱ ବୁଝିବା ଦରକାର । "ଝିଅ ଜନମ ଚୂଲି ମୁଣ୍ଡକୁ" ପଦକୁ ଯଦି ଆପଣେଇ ବସିବେ, ତେବେ ଆପଣ ବି ସେହି ସମୟକୁ ଫେରିଯିବେ, ଯେଉଁ ସମୟରେ ଏହି ପଦଟି ରଚନା କରାଯାଇଥିଲା ।
ସଂଗ୍ରାମ କେଶରୀ ସେନାପତି
ସମ୍ପାଦକ, ଶୁଭପଲ୍ଲବ
ମୋ- 7008899643
ବି.ଦ୍ର.: ଏହି ଲେଖାଟି ୨୦୨୦ ମସିହାର ଜାନୁଆରୀ ମାସ ୨୨ ତାରିଖରେ ଓଡ଼ିଆ ରିପୋର୍ଟର ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହି ଲିଙ୍କ୍ https://epaper.odishareporter.in/c/48204149 ଜରିଆରେ ଏହାକୁ ମଧ୍ୟ ପଢ଼ିପାରିବେ ।
Thursday, 23 January 2020
ବଡ଼ ଲୋକଙ୍କ ଜୀବନି: ବୀର ସୁରେନ୍ଦ୍ର ସାଏ
ସଂଗ୍ରାମ କେଶରୀ ସେନାପତି
12:55 pm
0
ଯଦିଓ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ପଲାସୀ ଯୁଦ୍ଧପରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଗଣନା କରାଯାଏ, କିନ୍ତୁ ଏହାର ୩୦ ପୂର୍ବରୁ ଜଣେ ଅଗ୍ରଣୀ ନେତା ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହି ବୀର ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ଆଜିର ଦିନରେ ଅର୍ଥାତ ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିବା ସୁରେନ୍ଦ୍ର ସାଏ ୧୮୨୭ ମସିହାରେ ସମ୍ବଲପୁରର ଉତ୍ତରାଧିକାରୀ ପଦକୁ ନେଇ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ସୁରେନ୍ଦ୍ର ସାଏଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧରେ ଇଂରେଜମାନଙ୍କୁ ଅସ୍ତବ୍ୟସ୍ତ କରାପାଇଥିଲେ । ଏହି ଆନ୍ଦୋଳନ ୧୩ ବର୍ଷ ଯାଏଁ ଚାଲିଥିଲା । ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ହାତରେ ବନ୍ଦୀହେବାରୁ ଏହି ଆନ୍ଦୋଳନର ଯବନିକା ପଡ଼ିଥିଲା ।
ସୁରେନ୍ଦ୍ର ସାଏଙ୍କୁ ମାତ୍ର ପାଞ୍ଚ ବର୍ଷର ଜେଲ୍ ଦଣ୍ଡ ଦିଆଯାଇଥିଲେ ମଧ୍ୟ ତାଙ୍କର ଦଣ୍ଡ ଅବଧି ଶେଷ ହେବାପରେ ବି ତାଙ୍କୁ ଇଂରେଜମାନେ ମୁକ୍ତ କରିନଥିଲେ, କିନ୍ତୁ ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ କିଛି ରାମଗଡ଼ର କିଛି ଜବାନମାନେ ଜେଲ୍ ଭାଙ୍ଗି ସାଏଙ୍କ ସମେତ ୩୨ ଜଣଙ୍କୁ ମୁକ୍ତ କରିଥିଲେ । ୧୭ ବର୍ଷ ପରେ ମୁକ୍ତ ହୋଇଥିବା ସାଏଙ୍କୁ ଧରାଇଦେବାପାଇଁ ଇଂରେଜ ସରକାର ସେ ସମୟରେ ୨୫୦ ଟଙ୍କାର ମୁଣ୍ଡ ଜାମିନ ମଧ୍ୟ ରଖିଥିଲେ ।
ମୁକ୍ତିପରେ ସୁରେନ୍ଦ୍ର ସାଏ ପୁଣିଥରେ ସମ୍ବଲପୁରବାସୀଙ୍କୁ ମେଳି କରି ପୁନର୍ବାର ପାହାଡ଼ ଉହାଡ଼ରେ ଲୁଚିରହି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଥିଲେ । ସେ ସମୟରେ ଇଂରେଜାମାନଙ୍କର ଆଧୁନିକ ଯନ୍ତ୍ରପାତି ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ । ପରବର୍ତ୍ତୀ ସମୟରେ ୧୯୬୨ ମସିହାରେ ଇଂରେଜ ମେଜର ଇମ୍ପେଙ୍କ ଶାନ୍ତିପୂର୍ଣ୍ଣ ଆହ୍ୱାନକ୍ରମେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରି ସ୍ୱଭାବିକ ଜୀବନ ବଞ୍ଚିବା ଆରମ୍ଭ କରିଥିଲେ । କିନ୍ତୁ ଇମ୍ପଙ୍କ ମୃତ୍ୟୁପରେ ୧୯୬୪ ମସିହାରେ ସୁରେନ୍ଦ୍ର ସାଏଙ୍କୁ ଶୋଇଥିବା ଅବସ୍ଥାରେ ଗିରିଫ କରାଯାଇଥିଲା ଏବଂ ତାଙ୍କୁ ଆଜୀବନ କାରବାସ ଦିଆଯାଇଥିଲା । ୧୮୮୪ ମସିହାର ଫେବୃଆରୀ ମାସ ୨୮ ତାରିଖରେ ସୁରେନ୍ଦ୍ର ସାଏ ଆଜୀବନ କାରାବାସ କାଟୁଥିବାବେଳେ ଅସୁରଗଡ଼ ଦୁର୍ଗରେ ମୃତ୍ୟୁବରଣ କରିଥିଲେ ।
ତଥ୍ୟ: ଓଡ଼ିଆ ଉଇକିପିଡ଼ିଆ