ଚାରିକୋଟି ଲୋକଙ୍କର ମୁଖରୁ ନିସୃତ ବାଣୀ ହେଉଛି ଓଡ଼ିଆ । ଏହାର ପ୍ରାଚୀନତାକୁ ପରକ୍ଷୀ ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା । ତଥାପି ସେ ଭାଷା ଆଜି ସେହି ରାଜ୍ୟରେ ଅବହେଳିତ, ଯାହାର ନାମକରଣ ଓଡ଼ିଆକୁ ନେଇ ଓଡ଼ିଶା ରଖାଯାଇଥିଲା । ସେହି ରାଜ୍ୟର ଅଧିବାସୀଙ୍କ ପାଖରେ ଅବହେଳିତ, ଯାହାର ପୂର୍ବପୁରୁଷ ଭାଷା ତଥା ଜାତିର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରାଣବଳୀ ଦେବାକୁ ପଛେଇ ନଥିଲେ ।
ଏବେକାର ଏକବିଂଶ ଶତାବ୍ଦୀ ହେଉଛି ଇଣ୍ଟରନେଟର ଯୁଗ, ଯେଉଁଠି ପୃଥିବୀର ଗୋଟିଏ କୋଣରେ ରହି ଆମେ ସମସ୍ତ ତଥ୍ୟ ଇଣ୍ଟରନେଟ ଜରିଆରେ ପାଇପାରିବା । କିନ୍ତୁ ଏହି ଇଣ୍ଟରନେଟ ମଣିଷ ଭଳି ସେତେ ଉନ୍ନତମାନର ନୁହେଁ କି ନିଜେ ସବୁ ଗ୍ରହଣ କରିନେବ । ଇଣ୍ଟରନେଟର ଉଦ୍ଭାବନ ମଣିଷ କରିଛି ଏବଂ ମଣିଷ ତା'ର ବିକାଶ କରୁଛି ଏବଂ ସେଥିରେ ଗୋଟିଏ ଗୋଟିଏ ଭାଗ ତା' ସହ ଜଡ଼ିତ ଥିବା ବ୍ୟକ୍ତିବିଶେଷ ତଥା ଗୋଷ୍ଠୀର ଲୋକମାନେ କରୁଛନ୍ତି । ଆମେ ଗୋଟିଏ ଜିନିଷ ଦେଖୁଛେ କି ଇଣ୍ଟରନେଟରେ ସବୁକିଛି ଇଂରାଜୀ ଭାଷାରେ ହିଁ ରହୁଛି, ଏହାର କାରଣ ହେଉଛି ଏହାର ଅକ୍ଷର ସଂଖ୍ୟା । ମାତ୍ର ୨୬ଗୋଟି ଅକ୍ଷରକୁ ନେଇ ଥିବା ଏହି ଭାଷାକୁ ସବୁଜାଗାରେ ବ୍ୟବହାର କରିହେଉଛି, ତେଣୁ କମ୍ପୁଟର ଓ ଇଣ୍ଟରନେଟର ଉଦ୍ଭାବନ ବେଳେ ଇଂରାଜୀ ଭାଷାର ପ୍ରାଧାନ୍ୟ ଅଧିକ ଥିଲା ଏବଂ ପରେ ଧୀରେ ଧୀରେ ଅନ୍ୟ ଭାଷା ମଧ୍ୟ ଉପଲବ୍ଧ ହେଲା ।
କିନ୍ତୁ ଏତେ ପୁରୁଣା ଭାଷା ହୋଇ ମଧ୍ୟ ଓଡ଼ିଆ ଭାଷା ଏବେଯାଏଁ ଇଣ୍ଟରନେଟରେ ସେତେ ମାତ୍ରାରେ ଉପଲବ୍ଧ ନାହିଁ । ଗୁଗୁଲ୍ ଟ୍ରାନ୍ସଲେଟର ପ୍ରାୟ ଅଧିକାଂଶ ଭାରତୀୟ ଭାଷାରେ ଉପଲବ୍ଧ ଥିଲେ ମଧ୍ୟ ଓଡ଼ିଆରେ ଉପଲବ୍ଧ ନାହିଁ । ଏହାର ସବୁଠାରୁ ବଡ଼ କାରଣ ହେଲା, ଇଣ୍ଟରନେଟରେ ବ୍ୟବହୃତ ଉଇନିକୋଡ଼ । ଓଡ଼ିଆ ଭାଷାରେ ଥିବା ଅଧିକାଂଶ ଦସ୍ତାବିଜ ଆକୃତି, ଶ୍ରୀଲିପି ଆଦି ଫଣ୍ଟରେ ଲେଖାହୋଇଛି, ତେଣୁ ଇଣ୍ଟରନେଟରେ ଖୋଜି ପାଇବାକୁ ହେଲେ ତାହା ଇଉନିକୋଡ଼ରେ ଥିବା ନିତ୍ୟାନ୍ତ ଆବଶ୍ୟକ । ୫/୬ ବର୍ଷ ତଳେ ଓଡ଼ିଆରେ ଲେଖିବାକୁ ହେଲେ ସେମିତି କିଛି ସଫ୍ଟଓୟାର ମଧ୍ୟ ସହଜରେ ମିଳୁନଥିଲା, କିନ୍ତୁ ଏବେ ପ୍ରାୟ ସବୁ ମୋବାଇଲ, କମ୍ପୁଟର ଆଦିରେ ଓଡ଼ିଆ ଆସୁଛି ଏବଂ ଗୁଗୁଲ୍ ତଥା ମାଇକ୍ରୋସଫ୍ଟର ଓଡ଼ିଆ ଟାଇପିଂ ଟୁଲ୍ ଓଡ଼ିଆ ଲିପି ଇଉନିକୋଡ଼ରେ ଲେଖିବାରେ ସାହାଯ୍ୟ କରୁଛି ।
ତଥାପି ଇଣ୍ଟରନେଟରେ ଅନ୍ୟ ଭାଷାରେ ଥିବା ତଥ୍ୟ ହିସାବରେ ଓଡ଼ିଆର ସ୍ଥାନ ନ୍ୟୁନ । ଜ୍ଞାନ ବାଣ୍ଟିଲେ ବଢ଼େ, ତେଣୁ ତାକୁ ଆମେ ନିଜ ମଧ୍ୟ ସୀମିତ ନ ରଖି ସଭିଙ୍କ ପାଖରେ ପହଞ୍ଚାଇବା ନିହାତି ଦରକାର । ଫଳରେ ଆମ ଜ୍ଞାନରେ ଆଉ କିଏ ଶିଖିବ ତ' ଆଉ କାହାର ଜ୍ଞାନରେ ଆମ ମଧ୍ୟ ଶିଖିବା । ଆଜିର ଦିନରେ ଆମେ ସଭିଏଁ ସମାନ ଏବଂ ସବୁକିଛି ସମସ୍ତଙ୍କ ପାଇଁ ମଧ୍ୟ ସମାନ ହେବା ଦରକାର । ସେଇଥିପାଇଁ ୨୦୦୧ ମସିହାରେ ଜାନୁଆରୀ ୧୫ରେ ଉଇକିପଡ଼ିଆର ପ୍ରତିଷ୍ଠା କରିଥିଲେ ଜିମି ଉଏଲ୍ସ, ଯାହାକି ଏକ ଖୋଲା ଜ୍ଞାନକୋଷ ଭାବରେ ଆଜି ସମଗ୍ର ବିଶ୍ୱରେ ଆଦୃତ ହୋଇଛି । ଏଥିରେ ସମସ୍ତେ ତଥ୍ୟ ଯୋଡ଼ି ପାରିବେ ଏବଂ ଏହି ତଥ୍ୟଗୁଡ଼ିକର ସତ୍ୱାଧିକାର ମୁକ୍ତ ଭାବରେ ଉପଲବ୍ଧ, ଫଳରେ ଏହାକୁ କେହି ବି ସହଜରେ ବ୍ୟବହାର କରିପାରିବେ । ଉଇକିପଡ଼ିଆରେ ଲେଖୁଥିବା ସମସ୍ତ ସଭ୍ୟ ସ୍ୱେଚ୍ଛାରେ ଯୋଗ ଦେଇଥାନ୍ତି, ତେଣୁ ସଭିଏଁ ନିଜ ଇଚ୍ଛାରେ ଯୋଗଦେଇପାରିବେ । ଉଇକିପଡ଼ିଆ ଏବେ ୨୮୯ଟି ଭାଷାରେ ଉପଲବ୍ଧ । ୨୦୦୨ ଜୁନ ମାସରୁ ଓଡ଼ିଆରେ ମଧ୍ୟ ଉଇକପଡ଼ିଆ ଆରମ୍ଭ ହୋଇଥିଲା । ମାତ୍ର ୨୦୧୧ ଯାଏଁ ସେତେ ଅଧିକ ସକ୍ରିୟ ନଥିଲା । କିନ୍ତୁ ୨୦୧୧ରେ ବାଙ୍ଗାଲୋରରେ ଉଇକିପିଡ଼ିଆର ୧୦ବର୍ଷ ପାଳନ ପରେ କିଛି ଓଡ଼ିଆ ଲୋକ ଏହାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଚେଷ୍ଟାରେ ଲାଗିପଡ଼ିଲେ ଏବଂ ଧୀରେ ଧୀରେ ଯୋଗଦାନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ।
ଏଇ ଜୁନ୍ ୩ରେ ଓଡ଼ିଆ ଉଇକିପଡ଼ିଆକୁ ୧୬ବର୍ଷ ପୁରିଲା ଏବଂ ଏବେ ସୁଦ୍ଧା ୧୩,୯୦୦ରୁ ଅଧିକ ପ୍ରସଙ୍ଗ ଓଡ଼ିଆ ଉଇକିପଡ଼ିଆରେ ଉପଲବ୍ଧ ଅଛି । କିନ୍ତୁ ଓଡ଼ିଆ ଉଇକିପଡ଼ିଆରେ ସକ୍ରିୟ ଥିବା ଉଇକିଆଳୀଙ୍କ ସଂଖ୍ୟା ବହୁତ କମ୍ । ଫଳରେ ଅନ୍ୟ ଭାରତୀୟ ଭାଷା ତୁଳନାରେ ଓଡ଼ିଆ ଉଇକିପଡ଼ିଆର ଅଗ୍ରଗତି ହାର ନଗଣ୍ୟ । ଇଣ୍ଟରନେଟରେ ଓଡ଼ିଆକୁ ଆଗକୁ ନେବାକୁ ହେଲେ ସଭିଙ୍କୁ ଜଣେ ଜଣଙ୍କର ହାତ ଧରି ଏକଜୁଟ ହୋଇ ଆଗକୁ ଯିବାକୁ ହେବ । ଓଡ଼ିଆରେ ଖାଲି ଉଇକିପିଡ଼ିଆ ନୁହଁ, ଉଇକିପାଠାଗାର ଏବଂ ଉଇକିଅଭିଧାନ ମଧ୍ୟ ଉପଲବ୍ଧ । ଉଇକିପାଠାଗାରରେ କପିରାଇଟ୍ ବାହାରେ ଥିବା ପୁରୁଣା ବହି, ପୋଥି, ଦସ୍ତାବିଜ ଆଦି ରହିପାରିବ, ଯାହାକୁ ସାଧାରଣ ଲୋକଟିଏ ମାଗଣାରେ ଘରେ ବସି ମଧ୍ୟ ପଢ଼ିପାରିବ । ସେହିପରି ଉଇକିଅଭିଧାନରେ ଏକ ଲକ୍ଷରୁ ଅଧିକ ଓଡ଼ିଆ ଶବ୍ଦର ଶବ୍ଦାର୍ଥ ଏବଂ ଉଚ୍ଚାରଣ ରହିଛି । ଖାଲି ଓଡ଼ିଆ ଭାଷାକୁ ସବୁଥିରେ କାର୍ଯ୍ୟକାରୀ କରିବା ଆମର ଗୋଟିଏ ଲକ୍ଷ୍ୟ ନ ହେବା ଦରକାର, ପରବର୍ତ୍ତୀ ପିଢ଼ୀ ପାଇଁ ଆମର ଭାଷାର ପ୍ରାଚୀନ ରଚନାବଳୀକୁ ସଂରକ୍ଷଣ କରି ରଖିବା ଦରକାର ।
No comments:
Post a Comment