ଅଫେରା ବାଟୋଇ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Sunday, 30 September 2018

ଅଫେରା ବାଟୋଇ


ପାଖାପାଖି ୧୪ରୁ ୧୫ ବର୍ଷ ତଳେ ମୁଁ ଥରେ ବାଲେଶ୍ୱର ଯାଉଥିଲି । ଏବେ ସିନା ଆମ ପାଖରେ ଗୁଗୁଲ ମ୍ୟାପ୍ ଅଛି, ସୁନ୍ଦୁରିଆ ସୁନ୍ଦୁରିଆ ମୋବାଇଲ ଅଛି, ଆହୁରି ଅନେକ କିଛି ଅଛି । କିନ୍ତୁ ସେତେବେଳେ ସେମିତି କିଛି ହିଁ ନ ଥିଲା । ବାଲେଶ୍ୱର ଯିବାପାଇଁ ସେତେବେଳେ ବସଷ୍ଟାଣରେ ଅପେକ୍ଷା କରିବାକୁ ପଡ଼ୁଥିଲା ଆଉ ସେତେବେଳେ ଏବେ ଭଳିଆ ଓଭର-ବ୍ରିଜ୍ ବି ନଥିଲା । ଆଉ ସେତେବେଳେ ବସଷ୍ଟାଣ୍ଡଗୁଡ଼ିକ ଏବେ ଭଳି ଅତ୍ୟାଧୁନିକରଣ ହୋଇନଥିଲା । ଫଳରେ ମୋତେ ମଧ୍ୟ ସେ ଅପେକ୍ଷାଗୃହରେ ଅପେକ୍ଷା କରିବାକୁ ପଡ଼ିଥିଲା । ସେତେବେଳେ ବସଷ୍ଟାଣ୍ଡରେ ବଡ଼ ଘଣ୍ଟାଟିଏ ଲାଗିଥିଲା, ଯେଉଁଟାକି ଟିକ୍ ଟିକ୍ ଶବ୍ଦ କରି ବୁଲେ । କିନ୍ତୁ ସେଦିନ ସେ ଘଣ୍ଟାଟି ଖରାପ ହେଇଯାଇଥିଲା ଆଉ ସମୟ ଜାଣିବାକୁ ମୁଁ ହେଉଥିଲି ବ୍ୟଗ୍ର, କାରଣ ଜଣାନାହିଁ କେତେବେଳୁ ମୋ ହାତରେ ଥିବା ସେ ଚାବିଦିଆ ଘଡ଼ିଟି ବନ୍ଦ ହୋଇଯାଇଥିଲା । ପାଖରେ ଥିବା ଲୋକଙ୍କଠାରୁ ସମୟ ଜାଣି ମୋ ଘଡ଼ିଟିକୁ ଠିକ କରିବାକୁ ଭାବିଲି, କିନ୍ତୁ ସେଠାରେ ବସିଥିବା କାହା ହାତରେ ଘଡ଼ି ଦେଖିପାରିଲିନି ।

ଠିକ୍ ସେହି ସମୟରେ ନଜର ପଡ଼ିଲା, ଦୂରରେ ବସିଥିବା ଗୋଟିଏ ଝିଅର ହାତେରେ ଥିବା ସେ ସୁନେଲି ରଙ୍ଗର ଘଡ଼ିଟି ଉପରେ । ଏବେ ସିନା ଝିଅମାନେ ମୁହଁରେ ୨/୩ଟି କପଡ଼ା ଘୋଡ଼ାଇ ହୋଇ ଆଖିରେ କଳା ଚଷମା ଲଗାଇ ବସୁଛନ୍ତି, କିନ୍ତୁ ସେତେବେଳେ ଏହି ପ୍ରଥା ନ ଥିଲା । ତେଣୁ ତା'ର ମୁହଁଟିକୁ ସ୍ପଷ୍ଟ ଦେଖିପାରୁଥିଲି ମୁଁ । ମୁହଁରେ ଫୁଟି ଉଠୁଥିଲା ଏକ ଆକର୍ଷଣୀୟ ଚମକ । ପାଖକୁ ଯାଇ ତା'ର ଘଡ଼ିର ସମୟ ଦେଖି ମୋ ଘଡ଼ିର ସମୟ ଠିକ୍ କଲି । ଆଉ ସେ ମୋର ସେ ଚାବିଦିଆ ଘଡ଼ିଟି ଦେଖି ଖୁସି ହେଇଗଲା, କାରଣ ତାଙ୍କ ଘରେ ଏମିତି ଗୋଟାଏ ଘଡ଼ି ଥିଲା ଆଉ ତାହା କାମ କରୁନଥିବାରୁ ତାକୁ ପ୍ରଦର୍ଶନୀ କରିବା ଭଳି ରଖାଯାଇଥିଲା ଆଉ ମୋର ସେ ସଚଳ ଘଡ଼ିଟି ଦେଖି ସେ ସବୁ କଥା କ‌ହିଗଲା ।

ସେଠାରେ କିଛକ୍ଷଣ ଅପେକ୍ଷାରେ ଆମେ ପରସ୍ପର ବିଷୟରେ କିଛିଟା କଥା ହେଇଗଲୁ । ଯେମିତି କି ସେ କେଉଁଆଡ଼େ ଯିବ, କେଉଁ ବସରେ ଯିବ, ଇତ୍ୟାଦି ଇତ୍ୟାଦି । ସେହି ଆଳାପ ଭିତରେ ତା'ର ସବୁ କଥା ମୋତେ ତା' ଆଡ଼କୁ ଅଧିକରୁ ଅଧିକ ଆକର୍ଷିତ କରୁଥିଲା । ଅବଶ୍ୟ ଅଧିକ କିଛି କଥା ହେବାକୁ ସମୟ ପାଇନଥିଲୁ, ବସ୍‌ ଆସିଯାଇଥିଲା । ମୁଁ ବସରେ ଚଢ଼ିବା ଆଗରୁ ତା'ଠାରୁ ବିଦାୟ ନେଇଥିଲି । ସେହି ବସଷ୍ଟାଣ୍ଡରେ ପୁଣିଥରେ ଦେଖାହେବ ବୋଲି କ‌ହି ସେ ମଧ୍ୟ ବିଦାୟ ନେଇଥିଲା ମୋ'ଠାରୁ ।

ତା'ପରେ ଅନେକ ଥର ମୁଁ ସେହି ବସଷ୍ଟାଣ୍ଡରେ ବସିଛି, ସେଦିନ ସେ ବସିଥିବା ଜାଗାରେ ବସିଛି, କିନ୍ତୁ କେବେ ତାକୁ ଦେଖିପାରିନି । ଏବେ ବସଷ୍ଟାଣ୍ଡର ରୂପରେଖ ବଦଳିଗଲାଣି ଆଉ ସେ ପୁରୁଣା ଟିକ୍ ଟିକ୍ ଚାଲୁଥିବା ଘଡ଼ି ବି ନାହିଁ, ତା' ଜାଗାରେ ବୈଦ୍ୟୁତିକ ଘଡ଼ି ଆସିଗଲାଣି । ବସ‌ଷ୍ଟାଣ୍ଡରେ ଆଉ ମାଇକ୍‌ରେ ବି ଡାକୁନାହାନ୍ତି, ଏବେ LED ସ୍କିନ୍ ଲଗେଇକି ବସ୍ ଆସିବାର ସମୟ ଜଣାଇଦେଉଛନ୍ତି । ଧୀରେ ଧୀରେ ସେ ପୁରୁଣା ବେଞ୍ଚ ସବୁ ଉଠେଇକି ନୂଆ ଚୌକି ସବୁ ଲଗେଇଦେଲେଣି । ସମୟର ଯାତ୍ରାରେ ଅନେକ ପରିହାସ ତ‌ଥା ଅନେକ ଦାମିକିଆ ଘଡ଼ିର ଉପ‌ହାର ପରେ ଏବେ ବି ସେ ଚାବିଦିଆ ଘଡ଼ିଟି ମୁଁ ନିୟମିତ ପିନ୍ଧୁଛି, ଖରାପ ହେଇଗଲା ବି ତାକୁ ବାରମ୍ବାର ସଜାଡ଼ିକି ପିନ୍ଧୁଛି । ଏମିତିକି ସେ ପୁରୁଣାକାଳିଆ ଘଡ଼ିକୁ ଠିକ୍ କରିବାକୁ ବଞ୍ଚିଥିବା ହାତଗଣତି ଜଣେ ଦୁଇଜଣ କାରିଗରଙ୍କ ପାଖକୁ ହିଁ ଯାଏ ତାକୁ ଠିକ କରିବାକୁ ।

ସେ ଥିଲା ଏମିତି ଏକ ବାଟୋଇ, ଯିଏକି ମୋ ପାଇଁ ଅଫେରା ହୋଇଯାଇଛି କିନ୍ତୁ ଫେରିବାର ଆଶା ମୁଁ ଛାଡ଼ିନି ଆଉ ତା' ସ‌ହ ପୁଣିଥରେ ଦେଖାହେବାର ଆଶା ବି ମରିନି ।

ବି.ଦ୍ର.: ଏହି କାହାଣୀ ସ‌ହ ମୋର କୌଣସି ସାମଞ୍ଜସ୍ୟ ନାହିଁ । ଏମିତି ଟାଇପ କରୁକରୁ ଏମିତି ହେଇଗଲା...

No comments:

Post a Comment