2017 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Friday 8 December 2017

ଅଦିନିଆ ମେଘ

ସଂଗ୍ରାମ କେଶରୀ ସେନାପତି 10:12 pm 0
ଅଦିନିଆ ମେଘ

ଜୟ ଯବାନ, ଜୟ କିଷାନ ।
ଦେଶର ସୀମାରେ ସୁରକ୍ଷା ପ୍ରଦାନ କରି ଆମର ଯବାନମାନେ ଆମମାନଙ୍କୁ ବାହ୍ୟ ଶତ୍ରୁ କବଳରୁ ରକ୍ଷା କରୁଛନ୍ତି । କିଷାନ ଅର୍ଥାତ ଚାଷୀଭାଇମାନେ ମଧ୍ୟ ନିଜର ରକ୍ତ ଦେଇ ଆମକୁ ଖାଇବାକୁ ଆମର ନିଜ ଭିତରେ ସୃଷ୍ଟି ହେବାକୁ ଥିବା ରୋଗ ରୂପୀ ଶତ୍ରୁଠାରୁ ରକ୍ଷା କରୁଛନ୍ତି । ଚଷାଭାଇଟିଏ ହଳ‌ଲଙ୍ଗଳ ଧରି ନିଇତି କାମ କରି ଆମକୁ ଖାଇବାକୁ ଦିଏ, ହେଲେ ଆମେ ତାକୁ କିଛି ବି ଦେଇପାରୁନା । "ଆମେ ବା ଦେବାକୁ କିଏ, ସବୁ ସେଇ ଉପରବାଲା ହାତରେ" କ‌ହି ଆମ ଆମ ଦାୟିତ୍ୱରୁ ପାର୍ ହେଇଯାଉ । ଉପରବାଲା, ଅର୍ଥାତ ଭଗବାନ, ସଭିଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇ ଆସିଛି । କର୍ମ ଘେନି ଫଳ ଦେଇଥାଏ ସେ ସମସ୍ତଙ୍କୁ । ଚାଷୀଟିଏ କିନ୍ତୁ ତା'ର ଜୀବନସାରା ପରିଶ୍ରମ କରି ଅନେକଙ୍କୁ ଅନାହାରରୁ ରକ୍ଷା କରିଛି । କେବେ କେବେ ନିଜେ ନ‌ ଖାଇ, ନିଜ ପିଲାକୁ ଖାଇବାକୁ ଦେଇ ନ ପାରି ମଧ୍ୟ ସେ କ୍ଷେତରେ ଧାନ ରୂପି ସୁନା ଫଳେଇଛି ଆମମାନଙ୍କ ପାଇଁ ।

Photo by Gaunliya.

ବର୍ଷା ଋତୁର ଆରମ୍ଭରେ ଧାନ ଫସଲର ଆରମ୍ଭ ହୋଇଥାଏ । ହଳ କରିବା ପାଇଁ ସେତେବେଳେ ପର୍ଯ୍ୟାପ୍ତ ପରିମାଣରେ ପାଣି ମିଳିଲାନି, ତେଣୁ ଚାଷ କାର୍ଯ୍ୟ ଆରମ୍ଭରେ ଅନେକ ବିଳମ୍ବ ହେଲା ଆଉ ପରେ ଚାଷ ଆରମ୍ଭ ହେବାର କିଛିଦିନ ପରେ ବନ୍ୟା ଆସିଗଲା । ଏମିତି ଅନେକ ବନ୍ୟା ଜଳରେ ବୁଡ଼ି ଯେତେବେଳେ ଧାନ ଗଛଟିର ଥୋଡ଼ ବାହାରିବାକୁ ଲାଗିଲା, ସେବେ ପୁଣିଥରେ ବାତ୍ୟା ଆସି ତାକୁ ପୁଣି ଦୋହଲେଇଦେଲା । ପରିଶେଷରେ ଯାହା ଯେମିତି ବଞ୍ଚିଗଲା, ତାକୁ ପୁଣି ବିପଦ ହୋଇ ମାଡ଼ି ଆସିଲା ଅଦିନିଆ, ଶୀତକାଳରେ ଲଘୁଚାପ । ହଳଦୀ ରଙ୍ଗ ଧାନ ଯେତେବେଳେ କଟା ହୋଇ ବିଲରେ ପଡ଼ିଥିଲା, ସେତେବେଳେ ପ୍ରକୃତି ପୁଣିଥରେ ଯୁଦ୍ଧ ଘୋଷଣା କଲା । ଅଦିନରେ ଶୀତଋତୁରେ ଲଘୁଚାପ ରୂପରେ ଆକ୍ରମଣ କଲା ଚଷା ଭାଇ ଉପରେ । ଅନେକଙ୍କ ପାଇଁ ଏଇ ଶୀତଦିନିଆ ଝିପିଝିପି ବରଷା ସାଙ୍ଗକୁ କୋହଲା ପବନ ଆକର୍ଷଣୀୟ ପାଗ ହୋଇ ଆସିଥିବା ବେଳେ, ନିଜ ପେଟକୁ ଭୋକିଲା ରଖି ଆମକୁ ଖାଇବାକୁ ଦେଉଥିବା ସେଇ ଚାଷୀ ପାଇଁ ଏହା ମହାକାଳ ବିପଦ ।

ଧାନ ଚାଷ ପାଇଁ ଯାହା ଯେମିତି ସରକାରଙ୍କଠାରୁ ଋଣ ନେଇ ଚାଷ କରିଥିଲା, ସବୁ ଆକ୍ରମଣକୁ ସାମ୍ନା କରି ବଞ୍ଚିଯାଇଥିବା କେଇଟା ଧାନ ପୁଣିଥରେ ଏକ ବ‌ହୁତ ବଡ଼ ଭୟଙ୍କର ଆକ୍ରମଣର ସାମ୍ନା କରିବାକୁ ଯାଉଛି । ସେ ପୁଣି ଶୋଇରହିଥିବା ବେଳେ ଆକ୍ରମଣର ସାମ୍ନା କରିବାକୁ ଯାଉଛି । ଜଣା ନାହିଁ ଏହି ଆକ୍ରମଣର ପରିଣତି କ'ଣ ହେବ । କୌଣସି ବି ପରିସ୍ଥିତିରେ ଏହି ଆକ୍ରମଣକୁ ସାମ୍ନା କରିବାକୁ ହେବ ତା'କୁ । ଶେଷରେ ଯାହା କିଛି ପାଇବ, ତାକୁ ନେଇ ପୁଣିଥରେ ସେ ଆମ ପାଇଁ ଦାନା ବଢ଼ାଇଦେବ । ହୁଏତ ରହିଯାଇଥିବା ସେହି କିଞ୍ଚିତ ଧାନ ତା' ଘର ପାଇଁ ନିଅଣ୍ଟ ହୋଇପାରେ, କିନ୍ତୁ ଚାଷ ପାଇଁ କରିଥିବା କରଜକୁ ସୁଝିବାକୁ ହେଲେ ତାକୁ ପୁଣି ରହିବାକୁ ପଡ଼ିବ ଉପାସ । ତାକୁ ପୁଣି ସେହିଭଳି କଷ୍ଟ ସ‌ହି ମିଛି ମିଛିକା ଜୟ ଜୟକାର ଶୁଣିବାକୁ ହେବ ।

Monday 20 November 2017

ପ୍ରେମରେ ସନ୍ଦେହ ଏବଂ ଛଳନା

ସଂଗ୍ରାମ କେଶରୀ ସେନାପତି 10:07 pm 0
ପ୍ରେମରେ ସନ୍ଦେହ ଏବଂ ଛଳନା
ପ୍ରେମ ଶାସ୍ୱତ, ପ୍ରେମ ଚିରନ୍ତନ । ପ୍ରେମ ହିଁ ଏକ ଏଭଳି ଜିନିଷ ଯାହାକି ଜ୍ଞାନ ପରି ବାଣ୍ଟିଲେ ବଢ଼ିଥାଏ । କାହିଁ କେଉଁ ଅନାଦି କାଳରୁ ପ୍ରେମର ସୃଷ୍ଟି ହୋଇଥିଲା । ପ୍ରେମ ସବୁଆଡ଼େ ତା'ର ଆଧିପତ୍ୟ ବିସ୍ତାର କରିରଖିଛି । ବୋଧହୁଏ ଏଇ ଦୁନିଆର ସୃଷ୍ଟି ହେବା ଦିନରୁ ପ୍ରେମ ସୃଷ୍ଟି ହୋଇଥିଲା । ପ୍ରେମର ଶକ୍ତି ସବୁଠୁ ବଡ଼ । ଯେମିତି ଜ୍ଞାନର ଶକ୍ତିରେ ଆମେ ଅନେକ ଅସାଧ୍ୟ ଲାଗୁଥିବା କାର୍ଯ୍ୟକୁ ସ‌ହଜରେ କରିପାରିଥାଉ, ସେହିପରି ପ୍ରେମରେ ଆମେ ଅନେକ କିଛି କାର୍ଯ୍ୟକୁ କରିପାରିବା । ପ୍ରେମର ଆଦି ନ ଥାଏ କିମ୍ବା ଅନ୍ତ ନ ଥାଏ । ପ୍ରେମର ସୀମାକୁ ମାପିବା କେବେ ସମ୍ଭବପର ନୁହେଁ ।

ପ୍ରେମର ପରିଭାଷା ଅଲଗା ଅଲଗା ଭାବରେ ବର୍ଣ୍ଣନା କରାଯାଇଛି । ପରିବାରର ସଦସ୍ୟଙ୍କ ଠାରୁ ଆରମ୍ଭ କରି ଦୁନିଆରେ ଥିବା କେତେକ ବସ୍ତୁକୁ ଆମେ ପ୍ରେମ କରିଥାଉ । ମୁଖ୍ୟତଃ ପ୍ରେମିକ ଏବଂ ପ୍ରେମିକାଙ୍କର ପ୍ରେମକୁ ଲେକେ ପ୍ରେମ ବୋଲି ମାନନ୍ତି । ବାକି ସବୁକୁ କେହି ସେତେ ଗୁରୁତ୍ୱ ଦିଅନ୍ତିନି । ପ୍ରେମ ଏକ ସୁନ୍ଦର ଆକର୍ଷଣ ସୃଷ୍ଟି କରିଥାଏ । ସେହି ଆକର୍ଷଣ ମାଧ୍ୟାକର୍ଷଣ ଶକ୍ତିଠାରୁ ବି ଅଧିକ ଶକ୍ତିଶାଳୀ ବୋଲି କେତେକ ସାହିତ୍ୟିକ ତାଙ୍କ ରଚନାରେ ବର୍ଣ୍ଣନା କରିଛନ୍ତି । ପ୍ରେମ ସବୁବେଳେ ଦୁଇଟି ମନ ଏବଂ ହୃଦୟରୁ ଜାତ ହୋଇଥାଏ । ପ୍ରେମ ମଧ୍ୟ ଆଉ କାହାରି ସ୍ଥାନ ନଥାଏ ।

କିନ୍ତୁ ଏହି ଅସୀମ ଅମୀୟ ପ୍ରେମ ମଧ୍ୟରେ ଯେବେ ଛଳନା ଏବଂ ସନ୍ଦେହର ଖଳନାୟକ ପ୍ରେବେଶ କରେ, ସେବେ ସେ ଅଖଣ୍ଡ ପ୍ରେମ ମଧ୍ୟ କୃଷ୍ଣପକ୍ଷର ଚାନ୍ଦ ପରି କ୍ଷୟ ହୋଇଯାଏ ଏବଂ ଏମିତି ଏକ ସମୟ ଆସେ, ଯେବେ ସେ ପ୍ରେମର ଆଉ ସତ୍ତା ରହେନି । ସନ୍ଦେହ ହିଁ ସବୁ ଅନର୍ଥର ମୂଳ । ସନ୍ଦେହ ହିଁ ଅନେକ ମଧୁର ସମ୍ପର୍କ‌କୁ ଭାଙ୍ଗି ଦେଇଛି । ପ୍ରେମରେ ବୁଡ଼ି ରହିଥିବା ଅନେକ ଲୋକଙ୍କୁ କୂଳକୁ ଠେଲି ଦେଇଛି । କେତେକ ସମୟରେ ଗୋଟିଏ ସମ୍ପର୍କର ସୁମଧୁରତାକୁ ବଜାଇ ରଖିବାକୁ ପ୍ରେମରେ ଥିବା ବ୍ୟକ୍ତିଟିଏ ସବୁକିଛିକୁ ଆଖିବୁଜି ଦିଏ । ମାତ୍ର ପରେ ଧିରେ ଧିରେ ସେହି ଆଖିବୁଜା ବେଶିଦିନ ରହେନି । ଦିନେ ନା ଦିନେ ସେ ସନ୍ଦେହର ଜ୍ୱାଳା ପ୍ରେମକୁ ଘୃଣାରେ ବଦଳାଇ ଦିଏ ।




Sunday 12 November 2017

ନିଷ୍ପତ୍ତି

ସଂଗ୍ରାମ କେଶରୀ ସେନାପତି 11:56 pm 0
ନିଷ୍ପତ୍ତି

ପାଖାପାଖି ୬ ଘଣ୍ଟା ହେଲାଣି ମୁଁ ସେମିତି ଝୁଲୁଥିଲି । କାହିଁ କେତେବେଳୁ ସକାଳ ହେଇଗଲାଣି । ଘରେ ସମସ୍ତେ ଉଠିଗଲେଣି । ବୋଉ କେତେବେଳୁ ଉଠି ସବୁକାମ ସାରି ବାପାଙ୍କ ଅଫିସ ଯିବା ଆଗରୁ ଜଳଖିଆ ବି ତିଆରି କରିସାରିଲାଣି । ସମସ୍ତଙ୍କର କଥୋପକଥନ ମୋ କାନରେ ବ‌ହୁତ ଭଲ ଭାବରେ ପଡ଼ୁଛି । ସମସ୍ତଙ୍କୁ ଲାଗୁଛି କି ମୁଁ ବୋଧେ ଏବେଯାଏଁ ନିଦରେ ଶୋଇଥିବି କି କ'ଣ । ମୋର ଟିକେ ଡେରୀ ଯାଏଁ ଶୋଇବା ଗୋଟେ ନିତିଦିନିଆ ଅଭ୍ୟାସ । ବାପା ଉଠିଲା ପରେ ତାଙ୍କ କାମ ସବୁ ସାରି ଖାଇବା ପାଇଁ ବସିଲେ ଆଉ ନିତିଦିନ ଭଳିଆ ମୋ କଥା ବୋଉକୁ ପଚାରିଲେ । ଆଉ କ‌ହିଲେ ପୁଅକୁ ଆଜି ଶୀଘ୍ର ଉଠେଇବା ଦରକାର ନାହିଁ, କାଲି ରାତିରେ ମନ ଦୁଃଖରେ ଶୋଇଥିଲା, ବିଳମ୍ବରେ ଶୋଇଥିବ ବୋଧେ ଆଜି ଟିକିଏ ଡେରୀଯାଏଁ ଶୋଇଥାଉ ।

କାଲିର ଘଟଣା କଥା କ‌ହିବାକୁ ଭୁଲିଗଲି । କାଲି ମୋର ପରୀକ୍ଷାର ଫଳ ବାହାରିଥିଲା । ୬ଟି ବିଷୟରୁ ମୁଁ ୨ଟି ଫେଲ୍ ହେଇଯାଇଥିଲି । ଆଉ ଏହି ଖବର ଯେତେବେଳେ ଆସିକି ଘରେ ଶୁଣେଇଲି, ସମସ୍ତେ ଆଶ୍ଚର୍ଯ୍ୟ ହେବା ସ‌ହ ଯିଏ ଯାହା ପାରିଲା ଗାଳି କଲା । ମୋତେ କେବେ ଗାଳି କରୁନଥିବା ବାପା ବି ମୋତେ କାଲି ପ୍ରବଳ ଗାଳିଦେଲେ । ଏମିତିକି ପରୀକ୍ଷାରେ ବାରମ୍ବାର ଅଳ୍ପ ନମ୍ବର ରଖିବା ପରେ ବି କେବେ କିଛି କ‌ହୁନଥିଲେ କିନ୍ତୁ କାଲି ଏତେ ଗାଳି ଦେବେ ବୋଲି ମୁଁ କେବେ ବି ଆଶା କରିନଥିଲି । ପିଲାବେଳଠାରୁ କରିଥିବା ସବୁ ଭୁଲକୁ ମନେ ପକାଇ ବୋଧେ ସେ ସବୁଯାକ ରାଗ ଶାନ୍ତ ହେବା ଯାଏଁ ଗାଳି କରିଥିଲେ ।

ମୁଁ କୁଆଡ଼େ ବଂଶର ନାଆଁ ପକେଇଦେଲି ବୋଲି ବାପା କ‌ହିଲେ । ପାଠ ନ ପଢ଼ି ସବୁ ବିଷୟରେ କମ୍ ନମ୍ବର ରଖୁଥିଲି ଆଉ ଏବେ ପୁଣି ପରୀକ୍ଷାରେ ଫେଲ ହେବା ପରେ ଲୋକଲଜ୍ୟାକୁ ବଢ଼େଇଦେଇଛି । ଏହିଭଳି ଗୋଟେ କୁଳାଙ୍ଗାର ପୁଅର ବାପା ହେଇଥିବାରୁ ସେ ନିଜକୁ ଧିକ୍କାର କରିବା ସ‌ହ ବୋଉକୁ ମଧ୍ୟ ଗାଳି କରି ଏହାର ଦୋଷ ଦେଲେ । ବୋଉ ମଧ୍ୟ ତା'ର ସମସ୍ତ ରାଗ ମୋ ଉପରେ ସୁଝେଇଦେଲା । ଏମିତିକି ଜନ୍ମ‌ବେଳେ କାହିଁକି ମରିଗଲି ବୋଲି କ‌ହିଲା । ମୋ ସାନ ଭଉଣୀ ବି ସେମାନଙ୍କ ସ‌ହ ମୋତେ ଅପମାନିତ କରିବାରେ ହେଳା କଲାନି । ସବୁପରେ ମୁଁ ଚୁପ୍ ଚାପ୍ ରାତିରେ ମୋ ଘରେ କବାଟ ବନ୍ଦ କରି ରହିଲି । ସବୁ ଖାଇବାକୁ ବସିଲେ । କାହାରି ପାଟିରୁ କୌଣସି ଶବ୍ଦ ବାହାରୁନଥିଲା । ହେଲେ ବାସନ କୁସନର ଶବ୍ଦରେ ମୁଁ ସେସବୁ ବାରି ପାରୁଥିଲି । ରାତିରେ ସମସ୍ତେ ଚୁପ୍‌ଚାପ୍ ଶୋଇ ବି ଗଲେ ।

ମୋତେ କିନ୍ତୁ ଭୋକ ଲାଗୁନଥିଲା କି ନିଦ ବି ଲାଗୁନଥିଲା । ଆଖି ଆଗରେ ସେ ନମ୍ବର ଆଉ କାନରେ ବାପାବୋଉଙ୍କର କଥା ବାରମ୍ବାର ଆସି ବାଡ଼େଇ ହେଉଥିଲା । ଜୀବନରେ ବୋଉ ଅନେକଥର ଗାଳିଦେଇଥିଲା, କିନ୍ତୁ ବାପା ତ' କେବେ କିଛି କୁହ‌ନ୍ତିନି । ଆଜି କିନ୍ତୁ ସେ ତାଙ୍କର ସେ ଶାନ୍ତ ସ୍ୱଭାବରୁ ଅଲଗା ଏକ ଦୁନିଆକୁ ପଳେଇଯାଇଥିଲେ । ଯେଉଁ ଦୁନିଆରେ ମୋ ପାଇଁ ତାଙ୍କର ସବୁକିଛି ପୋଡ଼ିଜଳି ପାଉଁଶ ହୋଇଯାଇଥିଲା । ନିଜର ଅନ୍ତରର ଅଗ୍ନୀକୁ ମୋ ଉପରେ ଉଜାଡ଼ି ଦେଇଥିଲେ ସେ । ବୋଉର ସବୁବେଳର ଗାଳିକୁ କିନ୍ତୁ ମୁଁ କେବେ ମୋ ମନରେ ଧରେନି । ହେଲେ ତା'ର ସେ ପଦିଏ କଥା ଯେମିତି ମୋର ଶରୀର ପ୍ରତିଟି ରକ୍ତକଣିକା ସ‌ହ ମିଶି ଯାଇଥିଲା ଏବଂ ସଭିଏଁ ମୋତେ ଉପ‌ହାସ କରୁଥିଲେ ।

ଏତିବେଳେ ମୋ ଭଉଣୀ କଲେଜ ଯିବା ପାଇଁ ସକାଳୁ ବାହାରିସାରିବା ପରେ ମୋ କବାଟ ବାଡ଼େଇ ଡାକିଲ ଆଉ ତାକୁ କଲେଜ ଛାଡ଼ିଦେବାକୁ କ‌ହିଲା । ମୋ ତରଫରୁ କୌଣସି ପ୍ରକାରର ଉତ୍ତର ନ ପାଇ ସେ ବି ଚୁପ୍‌ଚାପ୍ ଖାଇବା ଆରମ୍ଭ କଲା ଆଉ ବୋଉକୁ କ‌ହିଲା ଆଜି ମୁଁ କଲେଜ ବସ୍‌ରେ ପଲେଇ ଯାଉଛି, ଭାଇ ଉଠିଲେ କ‌ହିବୁ ମୋତେ କିନ୍ତୁ ସେ ଆଜି ଆଣିବାକୁ ଯିବ । କଲେଜରୁ ଆସିଲା ବେଳେ କିଛି ପିଲା ମୋ ସ‌ହ ଖରାପ ବ୍ୟବ‌ହାର କରୁଛନ୍ତି, ସେ ଗଲେ ସେମାନେ ଆଉ କେବେ ସେମିତି କରିବେନି ।

ଏହାପରେ ବାପା ବି ଯିବାକୁ ବାହାରିଲେ, ଗଲାବେଳେ ବୋଉକୁ କ‌ହିଲେ ଗଡ୍ରେଜରୁ ଲାପ୍‌ଟପ୍‌ଟା ବାହାର କରିକି ଟେବୁଲ ଉପରେ ରଖିଦିଅ, ଯେମିତି ପୁଅ ଉଠିଲେ ଦେଖିକି ବ‌ହୁତ ଖୁସି ହେବ । ମୁଁ ତାଙ୍କୁ କିଛିଦିନ ତଳେ ଲାପ୍‌ଟପ୍ ଆଣିଦେବାକୁ କ‌ହିଥିଲି, ହେଲେ ସେ ଗୋଟିଏ ସର୍ତ୍ତ ରଖିଥିଲେ କି ମୁଁ ପରୀକ୍ଷାରେ ଭଲ ନମ୍ବର ରଖିଲେ ସେ ପରଦିନ ଲାପ୍‌ଟପ୍ କିଣିଆଣିବେ ବୋଲି । କିନ୍ତୁ ଏ କ'ଣ ସେ ମୋର ପରୀକ୍ଷା ଫଳ ଜାଣିବା ଆଗରୁ ହିଁ ଲାପ୍‌ଟପ୍ ଆଣିଦେଇଥିଲେ । ଏହି କଥା ତାଙ୍କର ମୋ ପ୍ରତି ଥିବା ଭଲ ପାଇବାର ଗଭୀରତାକୁ ଦର୍ଶାଉଥିଲା । ସେ କାଲି ଏତେ ଗାଳି କରିଥିଲେ ବୋଲି ବି ଅନୁତାପ କଲେ ଆଉ ‌ବୋଉକୁ କ‌ହିଲେ, "ପୁଅଟାକୁ ସମସ୍ତେ ମିଶି ଏତେ ଗାଳି କରିଦେବାଟା ବି ଭଲ ହେଲାନି ।" ଏହା କ‌ହି ସାରିବା ପରେ ସେ ବି ଆସି ମୋର କବାଟ ବାଡ଼େଇ ଦୁଇଥର ଡାକି ଦେଇ ଅଫିସ୍ ଚାଲିଗଲେ ।

ସମସ୍ତେ ଯିବା ପରେ ବୋଉ ମୋ ପାଇଁ କ'ଣ ସବୁ ମନପସନ୍ଦର ରୋଷେଇ କରିଥିଲା ବୋଲି କ‌ହିଲା ଆଉ ମୋର କବାଟକୁ ବି ସେ ଦୁଇଥର ବାଡ଼େଇ ଡାକିଲା । କିଛି ଉତ୍ତର ନ ମିଳିବାରୁ ସେ ପୁଣିଥରେ ତା' କାମରେ ଚାଲିଗଲା । ସେତେବେଳେ ମୁଁ ପୁଣିଥରେ ବାପା, ବୋଉ ଆଉ ମୋ ଭଉଣୀ କଥା ମନେ ପକେଇଲି । କାଲି ରାତିରେ ସେମାନେ ମୋତେ ଏତେ ଗାଳି କରିଥିଲେ, ହେଲେ ସକାଳୁ ସେମାନେ ମୋ ପାଇଁ କେତେ କ'ଣ କରୁଛନ୍ତି । ମୋ ଭଉଣୀ ଯିଏକି ମୋତେ ଗାଳି କରିଥିଲା ଆଜି ସେ ମୋର ଭାଇ ହେବାର କର୍ତ୍ତବ୍ୟକୁ ମନେ ପକାଉଥିଲା ଆଉ ମୋ ବାପା ଯିଏକି ମୋତେ ସବୁଠୁ ଅଧିକ ଗାଳି କରିଥିଲେ, ସେ ମୋର ସେ ପରୀକ୍ଷା ଫଳ ବିଷୟରେ କୌଣସି କିଛି ନ ଭାବି ଲାପ୍‌ଟପ୍ ବି କିଣିଆଣିଦେଇଥିଲେ । ବୋଉ ଯିଏକି କାଲି କ‌ହୁଥିଲା, ମୁଁ ଜନ୍ମ‌ବେଳେ କାହିଁକି ମରିଗଲିନି, ସେ ଆଜି ମୋ ପାଇଁ ମୋ ମନପସନ୍ଦର ଖାଇବା ତିଆରି କରିଥିଲା ।

କିନ୍ତୁ ମୁଁ କ'ଣ କଲି, ସେମାନଙ୍କର ଅଭିମାନର କେଇପଦ କଥା ପାଇଁ ଏହି ଭଳି ଗୋଟିଏ ଭୁଲ ନିଷ୍ପତ୍ତି ନେଇଗଲି । ସେମାନଙ୍କର କଥା ଥରୁଟିଏ ବି ଭାବିଲିନି । ଅଭିମାନର କ‌ହିଥିବା କଥାକୁ ସତରେ ପରିଣତ କରିଦେଲି । ଏହି ସମୟରେ ବୋଉ ପୁଣିଥରେ ଆସିଲା, ଏଇଥର କିନ୍ତୁ ସେ ଘରର ତାଲା ଖୋଲି ପଶିବା ପାଇଁ ଚାବି ନେଇ ଆସିଥିଲା । ମୁଁ କିନ୍ତୁ ସେତେବେଳେ ତାକୁ ଭିତରକୁ ଆସିବାକୁ ଅଟକାଉଥିଲି, ବ‌ହୁତ ଜୋର୍‌ରେ ଚିଲାଉଥିଲି ଭିତରକୁ ଆସେନି । ଏହିସବୁ ଦେଖି ତୁ କେବେ ସମ୍ଭାଳି ପାରିବୁନି । କିନ୍ତୁ ମୋର କୌଣସି କଥା କାହାକୁ ବି ଶୁଣାଯାଉନଥିଲା ।



ବି.ଦ୍ର.:ଏହି ଲେଖାଟି ମୁଁ ଅନେକ ଦିନ ତଳେ ଫେସବୁକ୍‌ରେ ଇଂରାଜୀରେ ପଢ଼ିଥିଲି ।


Sunday 29 October 2017

ଶତାବ୍ଦୀର ଶେଷ ପ୍ରଳୟ

ସଂଗ୍ରାମ କେଶରୀ ସେନାପତି 3:06 pm 0
ଶତାବ୍ଦୀର ଶେଷ ପ୍ରଳୟ

୧୯୯୯ ମହାବାତ୍ୟାକୁ ଆଜି ୧୮ ବର୍ଷ ପୁରିଗଲା । ସେଦିନର ସମ୍ପୂର୍ଣ୍ଣ ଘଟଣାକ୍ରମ ମୋତେ ମନେନଥିଲେ ବି କିଛି କିଛି ମନେ ଅଛି ।

ସଦ୍ୟ ଦୁର୍ଗାପୂଜା ଶେଷ ହୋଇଥାଏ । ଆମ ଘରେ ମାଆ, ବାପା, ମୁଁ, ଆମ ଝିଅ କଥା କ‌ହିବା ବି ଶିଖିନଥିଲା । ମୋର ଜଣେ ମାଉସୀ ଆଉ ତା' କୁନି ଝିଅ ଆମ ଘରେ ଥିଲେ । ବାତ୍ୟା ଆରମ୍ଭରେ କ'ଣ ଆଉ କେମିତି ଥିଲା ସେ ବିଷୟ ମୋତେ ଜଣାନାହିଁ । ଆମର ଘରକୁ ଲାଗି ଗୋଟେ ଲମ୍ବଦାଣ୍ଡି ଘର ଥିଲା । ସେଇଠି ଗୋଟେ ପଟେ ରୋଷେଇ ଘର ଓ ଅନ୍ୟପଟେ ଗୁହାଳ ଥିଲା । ସକାଳୁ ଉଠିଲାବେଳକୁ ସେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ବାପା ରାତିରେ ଗାଈଦୁଇଟିଙ୍କୁ ବାଛୁରୀ ସ‌ହ ଆଉ ଗୋଟିଏ ଘରକୁ ଆଣିଦେଇଥିଲେ । ଏକୁଟିଆ ସେ ସବୁତକ ଜିନିଷ ରୋଷେଇ ଘରୁ ଆଣିପାରିନଥିଲେ । ଭାଗ୍ୟ ଭଲ ଥିଲା, ରୋଷେଇ ଘରେ ଥିବା ଚାଉଳବସ୍ତା ସବୁ ଆମ ଶୋଇଲା ଘରକୁ କିଛିଦିନ ଆଗରୁ ଆଣିଦେଇଥିଲେ ।

ସେତେବେଳେ ଆମ ଗାଁରେ ବିଜୁଳି ଆଲୁଅ ନଥିଲା, ତେଣୁ ବାତ୍ୟା ବିଷୟରେ ସତେ ଜ୍ଞାନ କାହାକୁ ମିଳିପାରିନଥିଲା । ଅନେକଙ୍କର ଘର ଭାଙ୍ଗିଗଲା, ସବୁଗଛ ଉପୁଡ଼ି ପଡ଼ିଥିଲା । ଆମର ଶୋଇବା ଘରକୁ ଛାଡ଼ିଦେଲେ ଆମର ଆଉ ଘର ନଥିଲା । ଅନ୍ୟଘରଟିରେ ଗାଈମାନେ । ସେଇ ଗୋଟିଏ ଘରେ ରୋଷେଇ ଠାରୁ ଆରମ୍ଭ କରି ସବୁକିଛି । ସେତେବେଳେ ଯାହାହେଉ ରେଡ଼ିଓ ଗୋଟିଏ ଥିଲା, ସେ ଥିଲା ଆମ ସଭିଙ୍କର ସାହାଭରଷା । ବାଡ଼ିରେ ଥିବା ସବୁଯାକ ଅମୃତଭଣ୍ଡା ଆଉ କଦଳୀଗଛ ଭାଙ୍ଗିଯାଇଥିଲା । ସେ ହିଁ ଥିଲା ଆମମାନଙ୍କର ଆହାର । ଆଖପାଖର ପଡ଼ୋଶୀଙ୍କର ବି ସମଦଶା । ଅନେକଙ୍କର ଘରେ ବି ପାଣିପଶିଯାଇଥିଲା । ବର୍ଷାଦିନ ହୋଇଥିବାରୁ ମାଛ ଧରିବା ପାଇଁ ଲୋକମାନେ କେନାଲଯାଏଁ ସବୁ ନାଳ କରିଥିଲେ ଆଉ ସେ ନାଳ ଦେଇ ପ୍ରାୟ ସବୁ ପାଣି ବାହାରିଗଲା । ତ‌ଥାପି ଅନେକ କିଛି କ୍ଷତି କରିଦେଇଥିଲା ।

ବାତ୍ୟା ଶେଷ ହେବା ପରେ ଅନେକ ରିଲିଫ୍ ଆସିଲା । ପିଲଥିନ୍‌ଠାରୁ ଆରମ୍ଭ କରି ଚୁଡ଼ାଗୁଡ଼ ଯାଏଁ ଆସିଲା । ବୋଧେ ସେତେବେଳେ ଆମେ ସବୁଠୁ ଅଧିକା ହେଲିକପ୍ଟର ଉଡ଼ିବା ଦେଖିଥିବୁ । ଦିନ‌କୁ ୪/୫ଟି ହେଲକପ୍ଟର ଆକାଶରେ ଉଡ଼ୁଥିଲା । ମହାବାତ୍ୟା ଶେଷରେ ଆମ ଗାଁରେ ବୋଧେ ସବୁଠୁ ଅଧିକ ମାଙ୍କଡ଼ମାନେ ମରିଯାଇଥିଲେ । ସେମାନେ ରହୁଥିବା ସବୁଯାକ ବଡ଼ ଗଛ ଉପୁଡ଼ି ପଡ଼ିଥିଲା । ଦୈବାତ୍ ଉପୁଡ଼ିଥିବା ଗଛଗୁଡ଼ିକ କାହାରି ଘର ଉପରେ ପଡ଼ି କାହାରି ଜୀବନ ନେଇନଥିଲା ।

ମହାବାତ୍ୟାକୁ ଅନେକ ଦିନ ହେଇଗଲାଣି, ତ‌ଥାପି ଲୋକଙ୍କ ମନରୁ ସେ କୋକୁଆ ଭୟ ଏବେଯାଏଁ ଯାଇନି । ଆଜିବି ଅକ୍ଟୋବର ୨୯ ଆସିଲେ ଲୋକମାନେ ଆଗାମୀ ୭ଦିନ ପାଇଁ ଖାଇବା ଜିନିଷ ଆଣି ଘର ରଖିଦେଉଛନ୍ତି । ଶତାବ୍ଦୀ ଏହି ଶେଷ ପ୍ରଳୟ ବିଗତ ଶତାବ୍ଦୀ ସବୁଠାରୁ ବଡ଼ ଭୟ ହୋଇ ଜାଗିରହିଛି ଲୋକଙ୍କ ମନରେ, ପ୍ରାଣରେ ।

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ୧୮ବର୍ଷ ପୂର୍ବର ସେଇ ଲୋମହର୍ଷଣକାରୀ ଦୃଶ୍ୟର ବାଲୁକାକଳା


Thursday 26 October 2017

ରଜ ହାଟ

ସଂଗ୍ରାମ କେଶରୀ ସେନାପତି 3:21 pm 0
ରଜ ହାଟ
ମୁଖ୍ୟତଃ ଗାଁମାନଙ୍କରେ ହାଟ ବସିଥାଏ । କେଉଁଠି କେଉଁଠି ସପ୍ତାହରେ ଥରେ ତ' ପୁଣି କେଉଁଠି ସପ୍ତାହରେ ଦୁଇଥର । ଗୋଟିଏ ନିର୍ଦ୍ଧିଷ୍ଠ ଜାଗା ଥାଏ, ଯେଉଁଠି ଆଖାପଖର କିଛି ଉଠାଦୋକାନୀମାନେ ଆସି ଦୋକାନ କରନ୍ତି । କେଉଁ କେଉଁ ହାଟ ସକାଳୁ ସଞ୍ଜ ଯାଏଁ ବସେ ଆଉ କେଉଁଠି ସଞ୍ଜବେଳିଆ ହାଟ ବି ବସେ । ଆମ ଗାଁଠାରୁ ଚାରି କିଲୋମିଟର ଦୂରରେ ଗୋଟେ ହାଟ ବସେ । ସେଇଟା ସପ୍ତାହରେ ଦୁଇଦିନ, ବୁଧବାର ଆଉ ରବିବାର ବସେ । ଆମର ଏହି ହାଟ‌ଟି ଦିନ ବେଳେ ହିଁ ବସେ । ସକାଳ ୮ଟାରୁ ଅପରାହ୍ନଯାଏଁ ହାଟରେ ଭିଡ଼ ଜମିଥାଏ । ନାନା ରକମର ଜିନିଷ ସବୁ ହାଟରେ ମିଳୁଥିବାରୁ ବ‌ହୁତ ଲୋକ ଭିଡ଼ ଜମେଇଥାନ୍ତି । ହାଟରେ ବିକ୍ରି କରିବା ପାଇଁ ବାହାରୁ ପରିବାଚାଷୀମାନେ ମଧ୍ୟ ପରିବା ଧରିକି ଆସିଥାନ୍ତି ।

ମୁଁ ଆଗରୁ ବ‌ହୁତ‌ଥର ହାଟକୁ ଯାଇଥିଲି । ବାପାଙ୍କ ସ‌ହିତ ପ୍ରାୟ ସବୁବେଳେ ଯାଏ । ଆମର କିଛି ପର୍ବପର୍ବାଣୀ (ରଜ, ଦୁତିବାହାନ, ପ୍ରଥମାଷ୍ଟମୀ, ବଡ଼ଓଷା) ସମୟରେ ହାଟରେ ପ୍ରବଳ ଭିଡ଼ ଲାଗିଥାଏ । ମୋର ଯେତେବେଳେ ଯୁକ୍ତ ଦୁଇ ସରିଲା, ସେହିବର୍ଷ ରଜ ପୂର୍ବଦିନ ବୁଧବାର ପଡ଼ିଥିଲା ଆଉ ହାଟ ବି ବ‌ହୁତ ଭିଡ଼ ଥିଲା । ସେଦିନ ବାପା ନ ଥିବାରୁ ହାଟ କରିବା ଦାୟିତ୍ୱଟା ମୋ ଉପରେ ପଡ଼ିଗଲା । ଅବଶ୍ୟ ଛୋଟବେଳୁ ମୁଁ ସବୁବେଳେ ତେଜରାତି ସଉଦା ଆଣୁଥିଲି, ହେଲେ ହାଟରୁ ପରିବା କିଣବାର ଜ୍ଞାନ ନ ଥିଲା । ତ‌ଥାପି ଚିରାଚରିତ ଢଙ୍ଗରେ ତିନୋଟି ବ୍ୟାଗ୍ ନେଇକି ସାଇକେଲଟା ଧରି ବାହାରିଗଲି । ଗଲାବେଳେ ମାଆ କ‌ହିଥିଲା ହାଟରେ ଯାହା ସୁବିଧା ଥିବା ଦେଖିକି ଆଣିବୁ । ମୁଁ ପଚାରିଦେଲି କି କ'ଣ କ'ଣ ଆଣିବା ଦରକାର । ସେ ସବୁ ପରିବା ନାଁ କ‌ହିଗଲା ଆଉ ତା' ଭିତରୁ ସୁବିଧା ଦେଖିକି ଆଣିବାକୁ କ‌ହିଲା । ମୁଁ ହାଟରେ ପ‌ହ‌ଞ୍ଚିଲାବେଳକୁ ବ‌ହୁତ ଭିଡ଼ ଲାଗିଯାଇଥିଲା । ହାଟରେ ଥିବା ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିଲେ ସେତେବେଳେ ପାଞ୍ଚଟଙ୍କା ପଡ଼ୁଥିଲା, ସେଥିପାଇଁ କିଛି ଦୂରରେ ଲୋକମାନେ ରଖିଥିବା ଜାଗାରେ ସାଇକେଲଟିକୁ ରଖିଦେଲି । ହାଟ ସଉଦା କରିବା ପାଇଁ ଗଲି । ମୋତେ ତ' ଦର କଷିବା ଜଣା  ନଥିଲା, ତେଣୁ ଆଖିରେ ଯାହା ଯାହା ପରିବା ପଡ଼ିଲା, ତାକୁ ସବୁତକ କିଣିଦେଲି । ତିନିଟା ଯାକ ବ୍ୟାଗ୍ ଭର୍ତ୍ତି ହେଇଗଲା ପରେ ଆଉ କିଛି କିଣିହେବନି ଭାବିକି ଫେରିଲି ।

ରଜ ପାଇଁ ଆଉ କିଛି ତେଜରାତି ସଉଦା ବି କିଣିବାର ଥିଲା, ହେଲେ ବ୍ୟାଗ୍ ନ ଥିବାରୁ ଆଉ ଗୋଟିଏ ବ୍ୟାଗ୍ କିଣିଲି । ହାଟର ଅନତି ଦୂରରେ ଥିବା ତେଜରାତି ଦୋକାନରୁ ସଉଦା କରିବାଟା ଭଲ ଭାବିଲି, କାରଣ ସବୁଯାକ ବ୍ୟାଗ୍‌କୁ ଆଉ କୋଉଠିକି ବୋହିକି ନେବା କଷ୍ଟ । ଚାରିଟା ବ୍ୟାଗ୍, ସବୁଯାକ ପୁଣି ଭର୍ତ୍ତି ହୋଇକି ଥାଏ । ତେଣୁ ସେ ତେଜରାତି ଦୋକାନରୁ ଛୋଟ ରଶି ଆଣିକି ଦୁଇଟା ପଛପଟ କେରିଅରରେ ଝୁଲେଇଲି । ଆଉ ଦୁଇଟି ଆଗରେ ଟଙ୍ଗେଇକି ଆଣିଲି । ପ୍ରବଳ ଖରାରେ ଏତେ ଜିନିଷ ନେଇକି ଘରକୁ ଆସିଲା ବେଳକୁ କିନ୍ତୁ ମୋତେ ଦେଖିକି ସବୁ ଆଶ୍ଚର୍ଯ୍ୟ । କାରଣ ମୁଁ ସେଦିନ ରଜ ପାଇଁ ୯୭୦ଟଙ୍କାର ପରିବା କିଣିଦେଇଥିଲି ଖାଲି । ପ୍ରକୃତରେ ମୁଁ କିଣିଲାବେଳେ ଟଙ୍କା ହିସାବ ନ କରିକି କିଣିଦେଲି, ଘରେ ପ‌ହ‌ଞ୍ଚିକି ହିସାବ କରିବାରୁ ଏତେ ଚାଲିଯାଇଛି ବୋଲି ଜଣାପଡ଼ିଲା । ଏହି କଥା ପବନ ବେଗରେ ଚାରିଆଡ଼େ ଖେଳିଗଲା, ତା' ପରେ ଜୁଆଡ଼େ ଗଲେ ସେମାନେ ମୋର ଏମିତି କଟାକ୍ଷ କଲେ କ‌ହିବାକୁ ନାହିଁ ।

Wednesday 25 October 2017

ପ୍ରଥମ ପିକ୍‌ନିକ୍

ସଂଗ୍ରାମ କେଶରୀ ସେନାପତି 1:20 am 0
ପ୍ରଥମ ପିକ୍‌ନିକ୍
ସମସ୍ତେ ପିକ୍‌ନିକ୍‌ରେ ପ୍ରାୟ ଯିବାକୁ ପସନ୍ଦ କରନ୍ତି । ମୁଁ ଯେବେ ପ୍ରଥମଥର ଯାଇଥିଲି, ସେ ବିଷୟରେ ମୋତେ ସେତେଟା ଧାରଣା ହିଁ ନାହିଁ । କାରଣ ମୋତେ ସେତେବେଳେ ୩ ବର୍ଷ ହେଇଥିଲା ବୋଧେ । ସେଇଟା ଥିଲା ମୋ ବାପାଙ୍କ ସ୍କୁଲ ପିଲାଙ୍କର ଶେଷ ପିକ୍‌ନିକ୍ ଆଉ ମୋର ପ୍ରଥମ । ସେତେବେଳେ ମୁଁ ସବୁବେଳେ ବାପାଙ୍କ ସ‌ହ ସବୁଆଡ଼େ ଯାଏ । ତାଙ୍କ ସ‌ହ ସ୍କୁଲକୁ ବି ଯାଏ । ଏମିତିକି ସେ ତାସ୍ ଖେଳିବାକୁ ଗଲାବେଳେ ମୁଁ ଯାଏ । ତା' ପରେ ଭାଇ ବି ଯାଉଥିଲା, ସେଇଥିପାଇଁ ମୁଁ ବି ଗଲି । ସେତେବେଳେ ମୋତେ ଖାଲି ବାପା, ବିଶୁଆ ଭାଇ (ସେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ପୁରୀରେ ପଢ଼ୁଥିଲା ସେତେବେଳେ ।), ନବଘନ ଭାଇ, ନାରଣ ସାର୍‌ଙ୍କ ବିଷୟରେ ହିଁ ମନେ ଅଛି । ଆମ ସ‌ହ ଆହୁରି ଅନେକ ଯାଇଥିଲେ ଅବଶ୍ୟ ।

ବସ୍‌ରେ ଗଲାବେଳେ ମୋତେ ବାନ୍ତି ହୁଏ, ସେଇଥିପାଇଁ ବୋଧେ ମୋତେ ବସ୍‌ରେ ଯିବା ଆଦୌ ମନେ ନାହିଁ । କାରଣ ବସ୍ ଚାଲିଲା ବେଳକୁ ମୁଁ ଶୋଇଯାଇଥିବି । ତ‌ଥାପି ଏବେ ବି କିଛି କିଛି ମନେ ଅଛି । ସେତେବେଳେ ଆମେ ପୁରୀ ଆଉ ଚିଲିକା ଯାଇଥିଲୁ । ପୁରୀ ମନ୍ଦିରକୁ ଯେତେବେଳେ ସମସ୍ତେ ଯାଇଥିଲେ, ମୁଁ ଯାଇନଥିଲି । ଜଣେ ସାର୍‌ଙ୍କ ସ‌ହ ମୁଁ ବାହାରେ ବୁଲାବୁଲି କରୁଥିଲି ବୋଲି ମୋର ମନେ ଅଛି । ସେତେବେଳେ ମୁଁ ପ୍ରଥମେ ଗୋଟିଏ ବାଇସ୍କୋପ୍ (କ୍ୟାମେରା ଭଳିଆ ଦେଖିବାକୁ, ସେଇଥିରେ ଗୋଟେ ପରେ ଗୋଟେ ଛବି ଦେଖାଯାଏ ) । ବୋଧେ ସେବେଠୁ ମୋରେ କ୍ୟାମେରା ପ୍ରତି ମୋହ ଆରମ୍ଭ ହୋଇଥିଲା । ସମୁଦ୍ର ପାଖର ଦୃଶ୍ୟ ଏବେ ବି ମୋତେ ଭଲରେ ମନେ ଅଛି । ପୁଅମାନେ ସବୁ ସମୁଦ୍ରରେ ଗା‌ଧେଇଲେ, ହେଲେ ଝିଅମାନଙ୍କୁ ସମୁଦ୍ରରେ ପଶିବା ମନା ଥିଲା । ଭାଇ ମୋତେ ସମୁଦ୍ର ପାଣି ପାଖକୁ ଆଉ ଛୋଟ ଛୋଟ ଲ‌ହଡ଼ୀ ପାଖକୁ ନେଇଯିବାଟା ମୋତେ ମନେ ଅଛି ।

ତା'ପରେ ବିଶୁଆ ଭାଇ ପାଖକୁ ଆମେ ଯାଇଥିଲୁ କି ସେ ଆସିଥିଲା, ସେଇଟା ବି ଠିକ୍‌ରେ ମନେ ନାହିଁ । କିନ୍ତୁ ସେ ମୋ ପାଇଁ ଗୋଟେ ବଡ଼ ବେଲୁନ୍ କିଣିଥିଲା, ସେଇଟା ମୋତେ ମନେ ଅଛି । ଏବେ ବି ସେହି ପ୍ରଥମ ଯାତ୍ରାର ଗୋଟିଏ ମାତ୍ର ଫଟୋ ଅଛି । ସେଇଟା ବି ବିଶୁଆ ଭାଇ ସ‌ହ । ତା' ପରେ ଆମେ ଚିଲିକା ଯାଇଥିଲୁ । ସେଇଠି କେବଳ ଗୋଟିଏ ଦୃଶ୍ୟ ମନେ ଅଛି । ଚିଲିକାରେ ମଟର ଚାଳିତ ଆଉ କାତମରା ଡଙ୍ଗା । ମୋତେ ଖାଲି ଡଙ୍ଗା ବୋଲି ହିଁ ଜଣାଥିଲା । ଉଭୟ ଡଙ୍ଗା ଭିତରେ ପାର୍ଥକ୍ୟ କ'ଣ ଜଣାନଥିଲା । ବଡ଼ ହେଲାପରେ ସେଇଟା ଜଣା ପଡ଼ିଲା ।

ଏମିତିରେ ଅଧା ଅଧା ଝାପ୍‌ସା ସ୍ମୃତିରେ ଶେଷ ହୋଇଯାଇଥିଲା ମୋର ପ୍ରଥମ ପିକ୍‌ନିକ୍ । ଆମେ କେତେବେଳେ ଘରୁ ବାହାରିଥିଲୁ, ସେ ବିଷୟରେ ବି ମୋତେ ଜଣାନାହିଁ ଆଉ ସେମିତି କେତେବେଳେ ଆସିକି ଘର ପ‌ହ‌ଞ୍ଚିଲୁ, ସେ ବିଷୟରେ ବି କିଛି ଜଣା ନାହିଁ । ସେତେବେଳେ ବି ଅଧିକ ସମୟ ଶୋଉଥିଲି, ଏବେ ବି ସେମିତି ବ‌ହୁତ ସମୟ ଧରି ଶୋଉଛି । ସମୟ ସ‌ହ ଅନେକ କିଛି ବଦଳିଗଲାଣି, ବୋଧେ ଏଇ ଶୋଇବା ଗୁଣ‌ଟା ବଦଳିନାହିଁ କି କ'ଣ ।

Tuesday 17 October 2017

ଗର୍ଭଣା ସଂକ୍ରାନ୍ତି

ସଂଗ୍ରାମ କେଶରୀ ସେନାପତି 4:08 pm 0
ଗର୍ଭଣା ସଂକ୍ରାନ୍ତି
ଓଡ଼ିଶାର ପର୍ବପର୍ବାଣିଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ । ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଇଂରାଜୀ ମାସ ଅକ୍ଟୋବରରେ ପଡେ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । ଗୃହମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି -ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ ।


ଗର୍ଭଣା ସଂକ୍ରାନ୍ତିରେ କ୍ଷେତରେ ପୋତାହେବା ପୂର୍ବରୁ ଘରେ ପୂଜା କରାଯାଏ ।

* All these contents are copied from Odia Wikipedia.
* Garbhana Sankranti is one of the important festivals like Akshaya Trutiya.
* In Akshaya Trutiya the farmers start the process of cultivation.
* And this is the festival during the cultivation process.

Friday 15 September 2017

Software Freedom Day (ସଫ୍ଟଓଏର ସ୍ୱାଧୀନତା ଦିବସ)

ସଂଗ୍ରାମ କେଶରୀ ସେନାପତି 10:44 pm 0
Software Freedom Day (ସଫ୍ଟଓଏର ସ୍ୱାଧୀନତା ଦିବସ)

ଆଜିର ଏହି ଦୁନିଆରେ ଆମେ ପ୍ରାୟତଃ ଡିଜିଟାଲ ଦୁନିଆରେ ସବୁକିଛି କରୁଛନ୍ତି । ଏହି ଡିଜିଟାଲ ଦୁନିଆର ମୁଖ୍ୟ ଉପାଦନା ଦୁଇଟି ହେଲା ଇଣ୍ଟରନେଟ ଆଉ କମ୍ପ୍ୟୁଟର । ଆଉ ଏହିସବୁକୁ ଚଳେଇବା ପାଇଁ ଆମକୁ ଦରକାର ହୋଇଥାଏ ସଫ୍ଟଓଏର । ସଫ୍ଟଓଏର ବିଷୟରେ ପ୍ରାୟ ସଭିଏଁ ଏବ ଉଣା ଅଧିକେ ଜାଣିଲେଣି । ହେଲେ ଆମେ ବ୍ୟବ‌ହାର କରୁଥିବା ସବୁଯାକ ସଫ୍ଟଓଏର ଉପରେ ଆମର ଅଧିକାର ନ ଥାଏ । ଆମେ ଅଧିକାଂଶ ସଫ୍ଟଓଏର ଆମେ ଚୋରାରେ ବ୍ୟବ‌ହାର କରୁଛେ । କାରଣ ଏହିସବୁ ସଫ୍ଟଓଏରକୁ କିଣିବାକୁ ହେଲେ ଆମକୁ ଟଙ୍କା ଦରକାର । ଆଉ ଯଦି ଆମେ ଚୋରାରେ ପାଉଛନ୍ତି, ତେବେ ଟଙ୍କା କିଏ ବା କାହିଁକି ଖର୍ଚ୍ଚ କରିବାକୁ ଚାହିଁବ ଯେ । ହେଲେ ଏହିସବୁ ସଫ୍ଟଓଏରର ନିର୍ମାତା ଯଦି ଏହି ଚୋରା ବିଷୟରେ ଜାଣିବେ ତେବେ ସେମାନେ ଆମମାନଙ୍କ ଉପରେ ନିଶ୍ଚୟ ରୂପରେ ସେମାନଙ୍କର ନିୟମ ଉଲଘଂନ ଏବଂ ଚୋରିର ଦଫା ଗୋଟାଏ ଲେଖାଏଁ ଲଗେଇଦେବେ । ଏହି ସବୁ ଉପରେ ଶୁଭାଶିଷ ଭାଇ ଗତବର୍ଷ "ସଫ୍ଟଓଏର ସ୍ୱାଧୀନତା ଦିବସ: ଆମ ହାତେ ଆମ କୋଡ଼ ଲେଖିବା" ଶୀର୍ଷକ ଲେଖାଟିଏ ଲେଖିଥିଲେ, ତାକୁ ପଢ଼ିଲେ, ଏହି ବିଷୟରେ ଅଧିକ ସୂଚନା ପାଇପାରିବେ ।

ମାତ୍ର ଅନେକ କିଛି ସଫ୍ଟଓଏର ଯଦି ଯାହାକୁ ଆମେ ସ୍ୱାଧିନ ଭାବରେ ବ୍ୟବ‌ହାର କରିପାରିବା । ଏମିତିକି କିଛି ସଫ୍ଟଓଏର ଅଛି, ଯାହାକୁ ଆମେ ମୁକ୍ତଭାବରେ ବ୍ୟବ‌ହାର କରିପାରିବା । ଏହି ସବୁ ସଫ୍ଟଓଏରକୁ ଆମେ ମଧ୍ୟ ଆମର ଦରକାର ଅନୁସାରେ ବଦଳେଇପାରିବା । ମାତ୍ର ଆମେ ସେମାନଙ୍କର ମୂଳ ଆଧାରକୁ ବଦଳି କରିପାରିବା ନାହିଁ । ଯେମିତି ଆମେ ବିଦେଶୀଙ୍କଠାରୁ ସ୍ୱାଧୀନ ହେଇଛେ, ହେଲେ ନିଜ ଦେଶର ସମ୍ବିଧାନ ଅଧିନରେ ଆମେ ଅଛୁ । ସେହିଭଳି ଆମେ ସେହି ସଫ୍ଟଓଏରର ମୂଳ କୋଡ଼୍‌କୁ ବଦଳେଇପାରିବା ମାତ୍ର, ସେମାନଙ୍କର ନାମ ମଧ୍ୟ ଉଲ୍ଲେଖ ହେବା ଦରକାର । ଉଇକିମିଡ଼ିଆର କମନ୍‌ସ୍‌ରେ ଯଦି ଆମେ କୌଣସି ଫଟୋ, ଭିଡ଼ିଓ କିମ୍ବା ଅଡ଼ିଓ ଫାଇଲ ଅପଲୋଡ଼ କରୁଛେ, ଏହାକୁ ସାଧାରଣ ଲୋକ ବିନା ମୂଲ୍ୟରେ ବ୍ୟବ‌ହାର କରିପାରିବେ । ମାତ୍ର, ସେମାନେ ଏହି ଫାଇଲଗୁଡ଼ିକୁ ସେମାନଙ୍କର ନିଜ ପରିଚୟରେ ବ୍ୟବ‌ହାର କରିପାରିବେ ନାହିଁ । ସେମାନେ ଯେଉଁଠି ଏହିସବୁ ଫାଇଲର ବ୍ୟବ‌ହାର କରିବେ, ସେଇଠି ସେମାନେ ଏହି ଫାଇଲଟିର ଉଦ୍ଧୃତି ଏବଂ ଉପଦେଷ୍ଟାଙ୍କ ବିଷୟରେ ଉଲ୍ଲେଖ କରିବା ଅନିର୍ବାଯ୍ୟ । ସେହିଭଳି ହେଉଛି ଏହି ସଫ୍ଟଓଏର ଫ୍ରିଡମ୍ । ଆମେ ତାକୁ ବ୍ୟବ‌ହାର କରିପାରିବା, ଏମିତିକି ବଦଳେଇ ପାରିବା, ମାତ୍ର ବଦଳେଇଲା ପରେ ମୂଳ ସୃଷ୍ଟିକର୍ତ୍ତାଙ୍କ ବିଷୟରେ ଉଲ୍ଲେଖ କରିବା ନିହାତି ଦରକାର । ଯେ କୌଣସି ବ୍ୟକ୍ତିବିଶେଷ ଏହି ସବୁ ସଫ୍ଟଓଏରକୁ ଯେପରି ସୂଚାରୁରୂପେ ବ୍ୟବ‌ହାର କରିପାରିବ ଏବଂ ସେଥିରେ ନିୟମ‌ଭୁକ୍ତ ଥିବା ସାଧାରଣ ସୂଚନା ସେମାନଙ୍କୁ ପ୍ରାପ୍ତ ହେବ, ସେ ବିଷୟରେ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ଜଗତ ସାରା ୨୦୦୪ ମସିହାରୁ ସେପ୍ଟେମ୍ବର ମାସର ତୃତୀୟ ସପ୍ତାହରେ “ସଫ୍ଟଓଏର ଫ୍ରିଡ଼ମ ଡେ” ବା “ସଫ୍ଟଓଏର ସ୍ୱାଧୀନତା ଦିବସ” ପାଳିତ ହୋଇଆସୁଛି ।



ଏଇ ବର୍ଷ ଆମେ ୨୦୧୭ରେ ଆମର ଓଡ଼ିଆ ଉଇକିପଡ଼ିଆ ବ୍ୟବ‌ହାରକାରୀ ସଂଘ ତରଫରୁ ଭୁବନେଶ୍ୱରରେ ସମ୍ବାଦ ଭବନ ପରିସରରେ ଏହି କାର୍ଯ୍ୟକ୍ରମଟି ପାଳନ କରିବାର ଯୋଜନା ରହିଛି । ଏହିସବୁ ସ୍ୱାଧୀନତା ବିଷୟରେ ସାଧାରଣ ଲୋକଙ୍କୁ ଅବଗତି ପାଇଁ ଏହିଭଳି କିଛି କାର୍ଯ୍ୟକ୍ରମମାନ ଆୟୋଜନ କରିବା ନିତ୍ୟାନ୍ତ ଆବଶ୍ୟକ ।

Tuesday 12 September 2017

#BlueWhaleChallenge: ଅଫେରା ପଥର ଯାତ୍ରୀ

ସଂଗ୍ରାମ କେଶରୀ ସେନାପତି 12:13 am 5
#BlueWhaleChallenge: ଅଫେରା ପଥର ଯାତ୍ରୀ

ଏବେ ସୋସିଆଲ ମିଡ଼ିଆରେ, ଟିଭିରେ, ଖବରକାଗଜରେ, ରାମ୍‌ରହିମ୍ ପରେ ଅଧିକ ଚର୍ଚ୍ଚା ଚାଲିଥିବା ବିଷୟଟି ହେଉଛି #BlueWhaleChallenge । ଏହି ଖେଳରେ ଅନେକ ଶିକାର ହେଉଛନ୍ତି । ଶେଷରେ କିଛି ପିଲା ଆତ୍ମହତ୍ୟା ମଧ୍ୟ କରିସାରିଲେଣି । ଅନେକ ମଧ୍ୟ ଏହି ବିଷୟ ଉପରେ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । ଏମିତିକି ଖବରକାଗଜରେ ବି ଅନେକ ପ୍ରକାରର ସାବଧାନତା ସୂଚନା ଦିଆଯାଉଛି । ତ‌ଥାପି ଏବେ ଅଧିକ ସଂଖ୍ୟକ ପିଲା ଏହି ଖେଳରେ ମାତିଯାଉଛନ୍ତି । ଏତେ ବୁଝେଇବା ପରେ ବି ସେମାନେ କେମିତି ପୁଣିଥରେ ସେ ଖେଳରେ ପଶିଯାଉଛନ୍ତି?
ମୁଁ କେଉଁଠୁ ଗୋଟେ କଥା ଶୁଣିଥିଲି ମନେ ନାହିଁ, କିନ୍ତୁ ସେ କଥାଟି ମନେ ଅଛି । ତମେ ଯଦି କାହାକୁ କୌଣସି ଜିନିଷ କରିବାକୁ ମନା କରିବ, ସେତେବେଳେ ସେମାନଙ୍କୁ ସେଇଟା କରିବାର ଆଗ୍ରହ ଅଧିକ ବଢ଼ିବ । ସେଇଥିପାଇଁ ସେମାନେ ସେହି ଜିନିଷ‌ଟା କେମିତି ଆଉ କ'ଣ ହେଇଥିବ, ସେହି ବିଷୟରେ ଜାଣିବା ପାଇଁ ସେହି ମନାକରିଥିବା କାମକୁ କରିବେ । ଏହିସବୁ ମୋ ସ‌ହ ବି ହୋଇଥାଏ । ଯଦି କିଏ ମନା କରିବ, ଏହି ଜିନିଷ‌ଟାରେ ଲାଗିବୁନି, ମୋତେ ତ' ସେଇଥିରେ ଲାଗିବାରେ ବେଶି ଇଚ୍ଛା ହୁଏ । ଅନେକଙ୍କୁ ଏହି ଖେଳ ବିଷୟରେ ଜଣାନଥିବ । ମାତ୍ର ସବୁଜାଗାରେ ସେହି ଗୋଟିଏ ଚର୍ଚ୍ଚା ଦେଖିକି, ସେମାନେ ବି ସେଇ ଖେଳଟି କିଭଳି ପ୍ରକାରର ହୋଇଥାଏ ବୋଲି ଦେଖିବା ପାଇଁ ସେହି ବିଷୟରେ ଖୋଜିଥାନ୍ତି, ଆଉ ଧିରେ ଧିରେ ସେ ବିଷୟରେ ଖୋଜୁ ଖୋଜୁ ନିଜେ ତା' ଭିତରେ ହଜିଯାଆନ୍ତି । କେବେ କେବେ ଗଭୀର ସମୁଦ୍ରରେ ମୁକ୍ତା ଖୋଜିଲା ବେଳେ ନୀଳତିମିର ଖାଦ୍ୟ ପାଲଟିଲା ଭଳି, ଏହିଠାରେ ବି ଠିକ୍ ସେହିପରି ହେଉଛି, କଳ୍ପନିକ ନୀଳତିମିର ଶିକାର ପାଲଟି ଯାଉଛନ୍ତି ।

(ଏହି ଖେଳରୁ ନିବୃତ ରହିବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ।)


ଏହିସବୁ ଖେଳ ଭିତରୁ ବାହାରିବା ବା କାହାକୁ କେମିତି ଦୂରେଇ ରହିବା ବିଷୟରେ ମୋତେ ସେମିତି କିଛି ଜଣା ନାହିଁ । କିନ୍ତୁ ଯେଉଁମାନେ ଶିକାର ହେଉଛନ୍ତି, ସେମାନେ ଏହିସବୁ ବିଷୟରେ ପଶୁଛନ୍ତି କେମିତି? ଇଣ୍ଟରନେଟରେ ଖୋଜିଲେ ଏହି ଖେଳ ବିଷୟରେ କାଇଁ ସେମିତି କିଛି ନିର୍ଦ୍ଦିଷ୍ଟ ଲିଙ୍କ ବି ନାହିଁ, ତ‌ଥାପି ସେମାନେ ଖେଳିବାର ଉତ୍ସ ଜାଣୁଛନ୍ତି କିପରି? ଏମିତିକି ସେହି ଖେଳର ଉଦ୍ଭାବକ ବି ଏବେ କାରାଗାରରେ । ତ‌ଥାପି ସେହିସବୁର ପରିଚାଳନା କିଏ କରୁଛି? ଏମିତି ହେଉ ନାହିଁ ତ, ଆମରି ଆଖପାଖରେ କେହି ସେହି ଖେଳର ନାଁ ନେଇକି ଏମିତି ସବୁ କାର୍ଯ୍ୟ କରୁଥାଇପାରେ । ସେ ସବୁ ଯାହା ବି ହେଉ ନା କାହିଁକି, ଏହି ଖେଳରୁ ବିରତ ରହିବାପାଇଁ ସଭିଙ୍କୁ ସଜାଗ ରହିବାକୁ ପଡ଼ିବ । ପୋକଟିକୁ ଜଣାଥାଏ କି ସେ ନିଆଁକୁ ଗଲେ, ତାକୁ ମିରିବାକୁ ପଡ଼ିବ । ତ‌ଥାପି ସେମାନେ ସେହି ନିଆଁ ଉପରକୁ ଡେଇଁ ପଡ଼ିଥାନ୍ତି । ଏଇଠି ବି ସେଇଆ ହେଉଛି, ସବୁ ଜାଣିବା ପରେ ବି ସେମାନଙ୍କର ପରିଣତି ମୃତ୍ୟୁ ଜାଣି ବି ସେମାନେ ସେଇଥିରେ ପଶୁଛନ୍ତି । କ୍ଷଣିକର ଖୁସି ହିଁ ସାରା ଜୀବନ‌ ପାଇଁ ଅନ୍ୟର ଖୁସି ଛଡ଼ାଇନେଉଛି । ଏହି ଅଫେରା ପଥର ଯାତ୍ରୀକୁ, ତା' ପରିବାର ପାଇଁ ହିଁ ଫେରିବାକୁ ହେବ । ଏହି କଥାଟିକୁ ସଭିଙ୍କୁ ବୁଝିବାକୁ ହେବ ।

Wednesday 23 August 2017

ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ

ସଂଗ୍ରାମ କେଶରୀ ସେନାପତି 8:22 pm 0
ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ
ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ

ଆଉ ଅଳ୍ପଦିନ ପରେ ଆମେ ପ୍ରାୟ ସଭିଏଁ ପାଳନ କରିବେ ଗୁରୁଦିବସ । ଏହା ଏକ ଏମିତି ଦିନ, ଯେଉଁଦିନ ଛାତ୍ରଛାତ୍ରୀମାନେ ସେମାନଙ୍କର ଗୁରୁମାନଙ୍କର ପୂଜା କରନ୍ତି । ଆମ ଭାରତୀୟ ସଂସ୍କୃତିରେ ଗୁରୁମାନଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି । ଦ୍ରୋଣାଚାର୍ଯ୍ୟଙ୍କ ଶିଷ୍ୟ ଏକଲବ୍ୟଙ୍କ ବିଷୟରେ ପ୍ରାୟତଃ ସଭିଙ୍କୁ ଜଣାଥିବ । ବୋଧହୁଏ, ସବୁସ୍ଥାନରେ ଗୁରୁଭକ୍ତିର ଉଦାହରଣ ଦେଲେ ଆମେ ଏକଲବ୍ୟଙ୍କର ଉଦାହରଣ‌ଟି ଦେଇଥାଉ । ସେ ଦ୍ରୋଣାଚାର୍ଯ୍ୟଙ୍କର ସିଧାସଳଖ ଶିଷ୍ୟ ନ ଥିଲେ, ସେ କେବେଳ ଦ୍ରୋଣାଚାର୍ଯ୍ୟଙ୍କୁ ତାଙ୍କର ଗୁରୁ ଭାବରେ ମାନିଥିଲେ ଆଉ ଯେତେବେଳେ ଗୁରୁଭକ୍ତିର କଥା ଆସିଲା, ସେତେବେଳେ ସେ ତାଙ୍କର ଆଙ୍ଗୁଠି କାଟି ସମର୍ପିଦେବାକୁ ପଛାଇନଥିଲେ । କାରଣ, ସେ ଦ୍ରୋଣାଚାର୍ଯ୍ୟଙ୍କୁ ତାଙ୍କର ଗୁରୁ ଭାବରେ ମାନିଥିଲେ । ସେହି ମହାଭାରତ ପର୍ବରେ ଆଉ ଏକ ମଧ୍ୟ ଉଦାହରଣ ଅଛି ଶ୍ରୀକୃଷ୍ଣ ଏବଂ ବେଲାଳସନଙ୍କର । ବେଲାଳସନ ମଧ୍ୟ କୃଷ୍ଣଙ୍କୁ ତାଙ୍କୁ ଗୁରୁ ଭାବରେ ମାନିଥିଲେ, ଯାହାଫଳରେ ସେ କୃଷ୍ଣଙ୍କ ଆଗରେ ତାଙ୍କ ଶିର ସମର୍ପିଦେଇଥିଲେ । ଏମିତିକି ଭାରତର ଇତିହାସ ଦେଖିଲେ, ଗୁରୁଙ୍କ ସମ୍ମାନ ବିଷୟରେ ଅନେକ ଉଦାହରଣ ଆମେ ପାଇପାରିବା ।

କୌଣସି ବ୍ୟକ୍ତି ବିଶେଷ ତାଙ୍କ ଜୀବନରେ ସଫଳତାର ଶୀର୍ଷରେ ପ‌ହ‌ଞ୍ଚିବାକୁ ହେଲେ ତାଙ୍କୁ ଦରକାର ହୋଇଥାନ୍ତି ଜଣେ ସୁଦକ୍ଷ ଗୁରୁ । ଆମର ଭାରତର ପ୍ରଥମ ଉପରାଷ୍ଟ୍ରପତି ତ‌ଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଅନୁସାରେ ଗୁରୁ ହିଁ ଜଣେ ଲୋକର ଚରିତ୍ରକୁ ଉତ୍ତମ କରି ଗଢ଼ିଥାନ୍ତି । ସେଇଥିପାଇଁ ସେ ତାଙ୍କ ଜନ୍ମଦିନ‌କୁ ଗୁରୁଦିବସ ରୂପେ ପାଳନ କରିବାର ପ୍ରସ୍ତାବ ରଖିଥିଲେ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଏହା ପାରିତ ହୋଇ ଗୁରୁଦିବସ ରୂପେ ପାଳନ ହେଇଆସୁଛି । ମାତ୍ର ଗୁରୁଭକ୍ତି, ଗୁରୁଙ୍କ ସ୍ଥାନ ଉଚ୍ଚରେ ଆଦି କଥାସବୁ ଏବେ କୁଆଡ଼େ ହଜି ଗଲାଣି । ଏବେ ସେଇ ଗୁରୁମାନେ ତାଙ୍କ ଜୀବନରେ ବଞ୍ଚିବାକୁ କରୁଛନ୍ତି ଅନେକ ସଂଘର୍ଷ । ଏମିତିକି, ଏବେ ଯଦି ଆମେ କାହାକୁ କ‌ହିବା ଭବିଷ୍ୟତରେ ଜଣେ ଶିକ୍ଷକ ହେବାକୁ, ସେ ସିଧା ମନା କରିକି କ‌ହିବ ଭିକ୍ଷାବୃତ୍ତି କଲେ ଅଧିକ ଉପାର୍ଜନ ହେଇପାରିବ । ଏଇଠି ଗୋଟେ କଥା ଆସିପାରେ କି ଯଦି ସେ ଗୁରୁ ରୂପରେ ବିଦ୍ୟାଦାନ କରିବାକୁ ଚାହୁଁଛନ୍ତି, ତେବେ ଅର୍ଥ କ’ଣ ଦରକାର । ଅର୍ଥ ଦରକାର ହେବନି କେମିତି, ଏବେ ତ’ ସବୁଜିନିଷ ପାଇଁ ଅର୍ଥ ହିଁ ଅର୍ଥ ଦରକାର । ସାଧାରଣ ଜିନିଷ‌ଟିଏ ପାଇଁ ଅନେକ ଅର୍ଥ ଦରକାର । ଆଉ ଯଦି ଆପଣଙ୍କ ପାଖରେ ଅର୍ଥ ନାହିଁ, ତେବେ ଜୀନରେ ବଞ୍ଚିରହିବା କେତେ କଷ୍ଟକର, ସେଇଟା ଏବେ କୌଣସି ଭିକାରୀକୁ ନୁହେଁ, ବରଂ ୧୮ ବର୍ଷ ମାଗଣାରେ ପଢ଼ାଇବା ପରେ ମାସକୁ ମାତ୍ର କେଇଟା ଟଙ୍କା ପାଉଥିବା ସେ ବ୍ଲକଗ୍ରାଣ୍ଟ ଶିକ୍ଷକମାନଙ୍କୁ ପଚାରନ୍ତୁ । ସେମାନେ ବି ମଣିଷ, ସେମାନଙ୍କର ବି ପରିବାର ଅଛି । ସେମାନଙ୍କର ପରିବାର ଚଳିବା ପାଇଁ ବି ଅର୍ଥ ଦରକାର । ଆଉ ସେମାନେ ଶିକ୍ଷକ ବୋଲି, ସେମାନଙ୍କୁ କେହି ମାଗଣାରେ କିଛି ଦେଇଦେଉନାହାନ୍ତି । ହେଲେ ସେମାନଙ୍କ ପ୍ରତି କାହାରି ନିଘା ନାହିଁ । ନା ଅଛି ସରକାରର ନା ଅଛି ପ୍ରଶାସନର । ଏକଦା ସେମାନେ ଆମରଣ ଅନଶନରେ ବସିଥିଲେ ଦରମା ଗଣ୍ଡାଏ ପାଇଁ । ତା’ ପରେ ସେମାନଙ୍କୁ ମିଳିଲା କିଛି ଅର୍ଥ, ହେଲେ ଆଜିର ଏହି ମ‌ହ‌ଙ୍ଗା ଦୁନିଆରେ ସେତିକି ପାରିଶ୍ରମିକରେ ସେମାନେ କେମିତି ଚଳିବେ, ସେ ପ୍ରତି ବି ଚିନ୍ତା କରିବା ନିହାତି ଦରକାର ।

ଆମର ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ପରା କୁଆଡ଼େ ସଭିଏଁ ସମାନ । ହେଲେ ସେମାନଙ୍କ ପ୍ରତି ଏଭଳି ଅବ‌ହେଳା କ’ଣ ପାଇଁ? ସେମାନେ ବି ତାଙ୍କର ଛାତ୍ରମାନଙ୍କୁ ସେତିକି ପାଠ ପଢ଼ାଉଛନ୍ତି । ମାତ୍ର ପାରିଶ୍ରମିକ ମିଳୁଛି ସରକାରୀ ଶିକ୍ଷକ ତୁଳନାରେ ୩ ଭାଗରୁ ଭାଗେ । ସେମାନେ କ’ଣ ଷଣ୍ଢ ମାରିଥିଲେ? ଏମିତିକି ଅନେକ ଶିକ୍ଷକ ଅଛନ୍ତି, ଯେଉଁମାନେ ତାଙ୍କ ଜୀବନର ୧୫ବର୍ଷରୁ ଅଧିକ ସମୟ ସେହି ବିଦ୍ୟାଳୟରେ ମାଗଣାରେ ପଢ଼ାଇ ଶେଷ କରିଦେଇଛନ୍ତି, ହେଲେ ଯଦି କେବେ ତାଙ୍କ ପରିବାରର କାହାର ଦେହ ଖରାପ ହୁଏ, ସେମାନେ ତାଙ୍କୁ ଭଲ ଡାକ୍ତରଙ୍କ ପାଖରେ ବି ଚିକିତ୍ସା କରାପାରନ୍ତିନି । ପୂର୍ବବର୍ଷମାନଙ୍କ ଭଳି ଏହି ବର୍ଷବି ଓଡ଼ିଶାର ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକମାନେ ଆନ୍ଦୋଳନରେ ବସିଛନ୍ତି । ଏଇ ଖରା, ବର୍ଷାରେ ସେମାନେ ସରକାରଙ୍କ ପାଖରେ ସେମାନଙ୍କର ଦାବି ଜଣାଇବାକୁ ବସିଛନ୍ତି, ହେଲେ ସେମାନଙ୍କ କଥା ଶୁଣୁଛି କିଏ? ଏମିତିକି ସାତ ଦିନ ଶେଷରେ ବି ସରକାରଙ୍କର କୌଣସି ପ୍ରତିନିଧି ସେମାନଙ୍କ ପାଖରେ ପ‌ହ‌ଞ୍ଚିନଥିଲେ । ଗୁରୁ ପରା ଶ୍ରେଷ୍ଠ ସମ୍ମାନର ଅଧିକାରୀ । ହେଲେ ସାତ ଦିନ ପରେ ବି ସେମାନଙ୍କୁ ଆଡ଼ ଆଖିରେ ନ ଦେଖିବା କେଉଁ ପ୍ରକାରର ସମ୍ମାନ? ଏଣେ ଆମର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଶ୍ରେଷ୍ଠ ପ୍ରଶାସକର ସମ୍ମାନ । ହଁ ସେ ଦୀର୍ଘ ୧୭ ବର୍ଷ ଧରି ରାଜ୍ୟରେ ରାଜ କରୁଛନ୍ତି ବୋଲି ତାଙ୍କୁ ମିଳିଲା । ସେ ଦାବି କରୁଛନ୍ତି କି ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅନେକ ପାଦ ଆଗେଇଛି, ହେଲେ ଯେଉଁମାନଙ୍କ ପାଇଁ ଏଇ ଶିକ୍ଷା ଆଗେଇଛି କି ଆଗେଇବ, ସେମାନଙ୍କ ପ୍ରତି ଏତେ ହେୟଜ୍ଞାନ କ’ଣ ପାଇଁ?

Thursday 13 July 2017

ପରିବେଶ ସୁରକ୍ଷା, ଜୀବନ ରକ୍ଷା

ସଂଗ୍ରାମ କେଶରୀ ସେନାପତି 1:06 pm
ପରିବେଶ ସୁରକ୍ଷା, ଜୀବନ ରକ୍ଷା
ପରିବେଶ ସୁରକ୍ଷା, ଜୀବନ ରକ୍ଷା । ପରିବେଶର ସୁରକ୍ଷା ପାଇଁ ସୁଦର୍ଶନ ପଟ୍ଟନାୟକେ ଅନଶନରେ ବସିଲେ । ସରକାର ତ ତାଙ୍କ କାମ କରିଦେବେ । କ'ଣ ଗୋଟେ ଯୋଜନା ବନେଇଦେବେ ଆଉ ତା' ପରେ ତାଙ୍କ କାମ ଶେଷ । ସେ କାମ କେତେ କ'ଣ ହେବ ସେକଥା ଭଗବାନଙ୍କୁ ବି ଅଜଣା । ସବୁପରେ ବି ଯଦି ସେସବୁ ସଫା ହୋଇଯାଏ, ତେବେ ପୁଣି ଅଳିଆ ଭର୍ତ୍ତି ହେବନି ବୋନି କିଏ କ‌ହିବ । ଆମକୁ ନିଜେ ହିଁ ନିଜେ ସଚେତନ ହେବାକୁ ପଡ଼ିବ । ଆମ ଘର, ଆମ ପରିବେଶକୁ ଆମକୁ ହିଁ ସଫା ରଖିବାକୁ ପଡ଼ିବ । ପରିବେଶ ସଫା ରହିଲେ ଆମରି ହିଁ ସୁବିଧା ହେବ । ଆମକୁ ହିଁ ବିଭିନ୍ନ ରୋଗ ଦାଉରୁ ମୁକ୍ତି ମିଳିବ ।

Thursday 6 July 2017

ରସଗୋଲା ଦିବସ

ସଂଗ୍ରାମ କେଶରୀ ସେନାପତି 12:52 pm
ରସଗୋଲା ଦିବସ
ରଥଯାତ୍ର ସମୟରେ ମହାପ୍ରଭୁ ତାଙ୍କ ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ବୁଲିପଳାନ୍ତି ବୋଲି ମହାଲକ୍ଷ୍ମୀଙ୍କ ରାଗ ବଢ଼ିଯାଏ । ସ୍ନାନଯାତ୍ରାରେ ଏତେ ଗାଧୁଆ, ତା'ପରେ ପୁଣି ୧୫ଦିନର ଜ୍ୱର ଆଉ ଜ୍ୱର ଛାଡ଼ିଲା ବେଳକୁ ସିଧା ମାଉସୀଘର । ଯେକୌଣସି ସ୍ତ୍ରୀ ହେଲେ ବି ରାଗିବ । ମା' ଲକ୍ଷ୍ମୀ ବି ସେଥିରୁ ବାଦ୍ ଯିବେ କେମିତି । ସେଥିପାଇଁ ସେ ରାଗରେ ଯାଇକି ପ୍ରଭୁଙ୍କୁ ଦେଖା କରିନପାରି ହେରାପଞ୍ଚମୀରେ ନନ୍ଦିଘୋଷ ରଥକୁ ଭାଙ୍ଗିବାକୁ ବି ଚେଷ୍ଟା କରନ୍ତି ।

ତ‌ଥାପି ତାଙ୍କର ସେ ରାଗ କମେନି । ଫେରିଆସନ୍ତି ବଡ଼ଦେଉଳକୁ । ଆଉ ଅପେକ୍ଷା କରନ୍ତି ପ୍ରଭୁଙ୍କ ଫେରିବା ବାଟକୁ । ପ୍ରଭୁ ଆସିଲାପରେ କିନ୍ତୁ ସେ ଦେଖାନ୍ତି ତାଙ୍କ ରାଗର ଅସଲ କାମ । ବନ୍ଦ କରିଦିଅନ୍ତି ଶ୍ରୀମନ୍ଦିରର ଦୁଆର । ସବୁଲୋକଙ୍କର ସମଦଶା । ପତ୍ନୀକୁ ସଭିଙ୍କ ଭୟ । ପତ୍ନୀଙ୍କୁ ବୁଝେଇବାକୁ ଚେଷ୍ଟା କରିନ୍ତି ପ୍ରଭୁ, ମାତ୍ର ବିନା ଉପ‌ହାରରେ କ'ଣ କେହି ତା' ସ୍ତ୍ରୀକୁ ବୁଝେଇପାରିଲାଣି । ସେଇଥିପାଇଁ ମହାପ୍ରଭୁଙ୍କୁ ବି ଦେବାକୁ ପଡ଼େ ଲାଞ୍ଚ । ମହାଲକ୍ଷ୍ମୀଙ୍କର ରାଗ ଶାନ୍ତ କରିବା ପାଇଁ, ତାଙ୍କ ମୁହଁରୁ ଟିକିଏ ମିଠା ମିଠା କଥା ଶୁଣିବା ପାଇଁ ସେ ଦିଅନ୍ତୁ ତାଙ୍କୁ ମିଠା ଉପ‌ହାର । ଉପ‌ହାର ସ୍ୱରୂପ ଦିଅନ୍ତି ରସଗୋଲା ।

ସେ ତ ରସଗୋଲା, ଯେ କେହି ବି ଦେଖିଲେ ପାଟିରୁ ଲାଳ ଗଡ଼ିବ । ଯେତେ ଯିଏ ରାଗିଲେ ବି ତା'ର ଆପଣାର ମଣିଷ‌ଟି ଆଣିଥିବା ଏତେ ସୁନ୍ଦର ଆଉ ସୁଆଦିଆ ଉପ‌ହାର ଦେଖିବା ପରେ କିଏ ବା ଆଉ ସମ୍ଭାଳି ପାରିବ? ମାଆ ଜଗତଜନନୀ ବି ଆଉ ସମ୍ଭାଳି ପାରନ୍ତିନି ତାଙ୍କ ଲୋଭ । ଖୁସିରେ ଖୁସିରେ ସେ ଗ୍ରହଣ କରିନିଅନ୍ତି ଜଗତର ନାଥଙ୍କର ଉପ‌ହାର । ଆଉ ସୁଆଦିଆ ରସଗୋଲା ଖୁଆଇବାକୁ ଆଣିକି ଦେଇଥିବା ପତିଦେବଙ୍କୁ କେତେ ସମୟ ବା ବାହାରେ ଅପେକ୍ଷା କରାନ୍ତେ ସେ ! ଶେଷରେ ଫିଟାଇଦିଅନ୍ତି ସେ ଦୁଆର । ଆଉ ମହାପ୍ରଭୁ ପୁଣିଥରେ ବିଜେ କରନ୍ତି ରତ୍ନ ସିଂହାସନ‌କୁ । ପୁଣିଥରେ ଚାଲେ ଜଗତର ନାଥଙ୍କର ସେହି ଲୀଳାଖେଳା ।

ଏଇ କାହାଣୀ ପ୍ରତିବର୍ଷ ଘଟିଥାଏ । ଏହା ପତିପତ୍ନୀ ମଧ୍ୟରେ ମନାନ୍ତର, ପ୍ରେମ, ରାଗରୁଷାକୁ ଦେଖାଇଥାଏ ଏହି ଦୁନିଆକୁ । ଯଦି କେବେ ପତ୍ନୀ ରୁଷିଥାଏ, ତାକୁ ବୁଝେଇବାକୁ, ମନେଇବାକୁ ହୋଇଥାଏ ସଭିଙ୍କୁ । ସେ ଜଗତର ନାଥ ଜଗନ୍ନାଥ ହୁଅନ୍ତୁ କି ସାଧାରଣ ମଣିଷ । ସଭିଙ୍କୁ ତାଙ୍କ ପତ୍ନୀଙ୍କର ମାନଭଞ୍ଜନ କରିବାକୁ ପଡ଼ିଥାଏ । ସଭିଙ୍କୁ ସେମାନଙ୍କର ପତ୍ନୀଙ୍କୁ ଖୁସି କରାଇବାକୁ ଦେବାକୁ ପଡ଼ିଥାଏ କିଛି ଉପ‌ହାର । କାହାର ରାଗ କମେଇବାକୁ ହେଲେ, ତାଙ୍କ ମୁହଁରୁ ମିଠା ମିଠା କଥାଟିକେ ଶୁଣିବାକୁ ହେଲେ, ରସଗୋଲାଠାରୁ ଆଉ ସୁଆଦିଆ ମିଠା କ'ଣ ବା ହେଇପାରେ । ସେଇଥିପାଇଁ ରାଗରୁଷାକୁ ଭୁଲିଯାଇ ଆଜି ରସଗୋଲା ବାଣ୍ଟନ୍ତୁ ଆଉ ସଭିଙ୍କୁ ଖୁଆନ୍ତୁ । ସବୁକିଛିର ଗୋଟିଏ ଅନ୍ତ ଥାଏ । ଆଉ ଆପଣଙ୍କର ରାଗରୁଷାର ବି ଅନ୍ତ ହେଉ । ଆଜିଭଳି ଏହି ଦିନରେ, ଯେଉଁଦିନ ମହାପ୍ରଭୁ ରାଗିଥିବା ପତ୍ନୀଙ୍କୁ ମନେଇବାକୁ ରସଗୋଲା ଉପ‌ହାର ଦେଉଛନ୍ତି, ଆପଣମାନେ ମଧ୍ୟ ଖୁଆନ୍ତୁ ସେମାନଙ୍କୁ ରସଗୋଲା । ଦେଖିବେ ସେମାନଙ୍କର ରାଗ କେମିତି ରସଗୋଲାର ରସ ବୋହିଗଲା ଭଳି ତରଳିକି ବୋହିଯିବ ।

Photo from Social Media
ଏହିଭଳି ପବିତ୍ରଦିନରେ ସେଇଥିପାଇଁ ସାରା ଓଡ଼ିଶା ପାଳନ କରୁଛି ରସଗୋଲା ଦିବସ । ରସଗୋଲା ଦିବସ ପାଳନର ମୁଖ୍ୟ ଉଦ୍ୟେଶ୍ୟ ହେଲା ଆମେମାନେ ଆମ ରାଜ୍ୟର ଏହି ସୁଆଦିଆ ମିଠାକୁ ଖାଇବା, ବାଣ୍ଟିବା ଆଉ ସଭିଙ୍କୁ ଖୁଆଇ ଆପଣାର କରିପାରିବା । ରସଗୋଲା ଦିବସ ପାଳନ ପାଇଁ ଆଜିପରି ଭଲଦିନଟିଏ ଆଉ କ'ଣ କେବେ ମିଳିବ ।

Wednesday 5 July 2017

ସୁଲଗ୍ନା ଅପାଙ୍କ "ନାଲିଚୁଡ଼ା"

ସଂଗ୍ରାମ କେଶରୀ ସେନାପତି 12:28 am
ସୁଲଗ୍ନା ଅପାଙ୍କ "ନାଲିଚୁଡ଼ା"

ଜଣା ନାହିଁ କେତେ ଦିନ ହେବ ମୁଁ ସୁଲଗ୍ନା ଅପାଙ୍କୁ ଜାଣିଛି ମୋତେ ମନେ ନାହିଁ । ହଁ ଏଇ ୨୦୧୭ରେ ହିଁ ତାଙ୍କୁ ଜାଣିଲି । ଅନେକ ସମୟରେ ଟୁଇଟରରେ ତାଙ୍କ କ୍ଷୁଦ୍ରଗଳ୍ପ ଦେଖେ । ତା' ପରେ ଥରେ ତାଙ୍କ ପ୍ରୋଫାଇଲ୍ ଖୋଲିକି ମିଡ଼ିଆରେ ଥିବା ସବୁତକ ଗପ ପଢ଼ିଲି ଆଉ ଗପ ପଢ଼ିଲା ପରେ ବ‌ହୁତ ବଢ଼ିଆ ଲଗାଲା । ଗପ ପଢ଼ିବା ସ‌ହ ତାଙ୍କର ପ୍ରୋଫାଇଲ୍‌ରେ ଥିବା ୱେବ୍‌ସାଇଟ୍ ଲିକ୍ http://www.thehappyteacher.in ଦେଖିଲି । ସେଇ ୱେବ୍‌ସାଇଟ୍‌ଟା ମଧ୍ୟ ଖୋଲିକି ଦେଖିଲେ, ସେଥିରେ ଆହୁରି କିଛି ମୁଁ ପଢ଼ି ନ ଥିବା ଗପ ଥିଲା । ଗୋଟାଏ ଦିନରେ ତ ସବୁତକ ପଢ଼ି ପାରିନଥିଲି, କିନ୍ତୁ ଧିରେ ଧିରେ ଗୋଟାଏ ପରେ ଗୋଟାଏ ପଢ଼ିଲି । ଏହାପରେ ତାଙ୍କର ରାଜାପୁଅ-ବାଇଅସୁରୁଣୀ ଗପ ଆରମ୍ଭ ହେଲା । ସପ୍ତାହରେ ତିନିଦିନରେ ତିନୋଟି ଅଂଶ, ପୁଣି ଅପେକ୍ଷା ଆରଥରକୁ । ଯଦିଓ ଏଇ ଅପେକ୍ଷା କାମଟା ମୋ ଦେଇ ହୁଏନି, ହେଲେ ସେଇ ଗପ ପାଇଁ ଧୈର୍ଯ୍ୟର ସ‌ହ ଅପେକ୍ଷା କରୁଥିଲି । ହେଲେ ସେ ଗପ‌ପ୍ରତି ପାଠକଙ୍କର ଭଲପାଇବା ଦେଖିଲା ପରେ ସେ ଗପଟିକୁ ଶୀଘ୍ର ଶେଷ କରିଦେଲେ । ପରେ ପରେ ଆଉ କିଛି ଗପ ବି ଲେଖିଲେ, ଅପାଙ୍କ ଲେଖାପ୍ରତି ଧିରେ ଧିରେ ଭଲ ପାଇବା ବଢ଼ିଲା । ପରେ ପରେ ଜାଣିବାକୁ ପାଇଲି କି ସେ ତାଙ୍କର କ୍ଷୁଦ୍ରଗଳ୍ପ ସବୁକୁ ମିଶେଇକି ଗୋଟିଏ ବ‌ହି ପ୍ରକାଶ କରିବାର ଯୋଜାନ କରୁଛନ୍ତି ।

ତାଙ୍କର ପ୍ରଥମ ପ୍ରକାଶିତ ବ‌ହି "ନାଲିଚୁଡ଼ା" ଶୀର୍ଷକର ପ୍ରଥମ ଗଳ୍ପଟି ମୁଁ ଆଗରୁ ପଢ଼ିଥିଲି, ସେଇ ଶୀର୍ଷକରେ ବ‌ହିଟି ପ୍ରକାଶ ପାଇବ ବୋଲି ଆମେ ଜାଣିଲୁ, ଯେବେ ତାଙ୍କର ବ‌ହିର ମୁଖ୍ୟପୃଷ୍ଠାର ଫଟୋ ସେ ଟୁଇଟର୍‌ରେ ସେୟାର କଲେ । ଶେଷରେ ଜୁନ୍ ୨୬ରେ ତାଙ୍କର ବ‌ହିଟି ପ୍ରକାଶ ପାଇଥିଲା । ପ୍ରକାଶ ପାଇବା ଆଗରୁ ଆମେ ଆମାଜନ୍ ଆଉ ଓଡ଼ିଆ କାର୍ଟରେ ଅର୍ଡ଼ର କରିଥିଲୁ । ମୁଁ ବି ଆମାଜନ୍‌ରେ ଅର୍ଡ଼ର କରିଥିଲି । ବ‌ହି ପ୍ରକାଶ ପାଇଲା ପରେ ସମସ୍ତଙ୍କ ପାଖକୁ ପ୍ରାୟ ଶୀଘ୍ର ଶୀଘ୍ର ବ‌ହି ଆସିଗଲା । ହେଲେ ମୋ ପାଖକୁ ଟିକେ ବିଳମ୍ବରେ ଆସିଲା, ଜୁଲାଇ ୪ରେ ମୋ ପଖାରେ ଆସିକି ପ‌ହ‌ଞ୍ଚିଲା । ବ‌ହିରେ ଅପାଙ୍କର ଦସ୍ତଖତ ଆଉ ସାଙ୍ଗରେ ପୁଣି ଗୋଟିଏ ସୁନ୍ଦର ଚିଠିଟିଏ । ବ‌ହୁତ ଭଲ ଲାଗିଲା ଦେଖିକି । ଅନେକ ଦିନରୁ ଜଗିଥିଲି, ତେଣୁ ଗୋଟିଏ ଦିନରେ କ'ଣ ମାତ୍ର ୨-୩ ଘଣ୍ଟା ଭିତରେ ସବୁକିଛି ଶେଷ ହେଇଗଲା । ଅବଶ୍ୟ କିଛିଗପ ଆଗରୁ ପଢ଼ିଥିଲି, ମାତ୍ର ପୁଣିଥରେ ବ‌ହିଧରିକି ପଢ଼ିଲାବେଳେ ଅଧିକ ଭଲ ଲାଗିଲା । ପଢ଼ିସାରିଲାପରେ ଭାବିଲି ସବୁଗପ ବିଷୟରେ ପଦିଏ ପଦିଏ କ'ଣ ଲେଖିଲେ ଭଲ ହୁଅନ୍ତା । ଏଇଠି ଲେଖିବା ପାଇଁ ଏକ ଛୋଟ ପ୍ରୟାସ କରୁଛି ।



ବ‌ହିର ଶୀର୍ଷକ ଅନୁସାରେ ପ୍ରଥମ ଗପଟି ଥିଲା, "ନାଲିଚୁଡ଼ା" । ମୁଁ ତ ଆଗରୁ ଚୁଡ଼ା ବିଷୟରେ ଶୁଣିଥିଲି ଆଉ ଖାଇଥିଲି, ହେଲେ ନାଲିଚୁଡ଼ା ବିଷୟରେ ପ୍ରଥମେ ପଢ଼ିଲି । ତ‌ଥାପି ଜଣେ ଦମ୍ପତିର ଭଲପାଇବା ସ‌ହ ଏହି ନାଲିଚୁଡ଼ାର ସମ୍ପର୍କ ସବୁପାଠକଙ୍କ ମନ‌କୁ ଛୁଇଁଯିବ ନିଶ୍ଚୟ । ମୁଁ ପ୍ରାୟ ଛୋଟବେଳୁ ସାମାଜିକ ବିଜ୍ଞାନ ବ‌ହିରେ ପଢ଼ିଥିଲି, ରାସ୍ତାରେ ନାଲିବତି ଜଳିଲେ ଗାଡ଼ି ଆଗକୁ ଯିବନି, ଟ୍ରେନ ଆଗରେ ନାଲି ରଙ୍ଗର ପତାକା ଦେଖାଇଲେ ଟ୍ରେନ୍ ବି ଅଟିକିଯାଏ । ନାଲି ମନେ ବିପଦ ବୋଲି ପ୍ରାୟ ଆମର ସେବେକାର ଧାରଣା ଥିଲା । ହେଲେ ପରେ ଗୀତ ଶୁଣିଲୁ, "ନାଲି ନାଲି ସବୁ ଦିଶୁଛି, ଗୋରୀ ତୋତେ ପ୍ରେମ ହୋଇଛି ।" ସେବେ ଜଣା ପଡ଼ିଲା କି ନାଲି ମାନେ ବିପଦ ନୁହେଁ, ନାଲି ମାନେ କିଛି ଭଲ ମଧ୍ୟ । ନାଲି ଅର୍ଥାତ ବିପଦ ଆଗରୁ ଆମରୁ ସାବଧାନ ହେବାକୁ ପଡ଼ିଥାଏ । ଏଇଠି ନାଲିଚୁଡ଼ା ବି ସେମିତି ସୁନ୍ଦର ପ୍ରେମକାହାଣୀଟିଏକୁ ନେଇ ଆସେ ନିତିଦିନ ।

ପରବର୍ତ୍ତୀ ଗପଟି ଥିଲା "କ୍ଷୀରି", ସେଇଟା ତାଙ୍କର ପ୍ରଥମ ଲେଖା ଥିଲା । ଏଇଟା ଖାଲି ଗପ ନୁହେଁ, ଏଇ ଗପରେ ଭରି ହୋଇ ରହିଛି ଆମମାନଙ୍କ ମନରେ ଥିବା ହୀନମାନ୍ୟତା । ପାଖରେ ସବୁକିଛି ଥାଇକି ବି ଆମେ ସଦାବେଳ ନିଜ କଥା ହିଁ ଚିନ୍ତା କରୁ, ହେଲେ ସେଇ ନିଜ ବିଷୟରେ ଭାବିବା ଆଉ ଅନ୍ୟକାହାର ଆମ‌ପ୍ରତି ଥିବା ଭଲପାଇବା ବିଷୟରେ ଏହି ଗପଟିର ତୁଳନା ନାହିଁ । "ଫେରା": ଏହି ଗପଟି ତ ଗପ ନୁହେଁ, ଏକ ସାମାଜିକ ଶିକ୍ଷା, ଏକ ପରିବେଶ ଭିତ୍ତିକ ନାଟକ । ନିଇତି ଆମେ ଅନେକ କିଛି ସମୁଦ୍ରଗର୍ଭକୁ ଫିଙ୍ଗୁଛେ ଆଉ ସେ ସବୁ ଅଳିଆ ଯାଇକି କେତେ ଭରଙ୍କର ହେଉଛି ତା'ହା ବୁଝିବା ଆମର ନିହାତି ଦରକାର । "ଫେସବୁକ‌କୁ ଚିଠିଟିଏ", ଏଇଟା ତ ଗୋଟିଏ ଏମିତି ଆବେଗଭରା ଲେଖା, ଯାହାକି ମୋ ସ‌ହ ମଧ୍ୟ ଯୋଡ଼ିହୋଇରହିଛି । ମୁଁ ଯେବେ ଇଞ୍ଜିନିୟରିଂ ବେଳେ ସାଙ୍ଗମାନଙ୍କ ସ‌ହ ଫେସବୁକରେ କଥା ହେଉ, ସେମାନେ ମଧ୍ୟ ମୋ ମାର୍କ ବିଷୟରେ ପଚାରନ୍ତି ଆଉ ସେମାନଙ୍କର ଉତ୍ତର ଶୁଣି ମଧ୍ୟ ମୋ ମନରେ ସେମିତି କିଛି ହୁଏ । ଏବେ ମଧ୍ୟ ସେଇ ସମ ଦଶା । ହେଲେ ଏବେ ତ ଅଭ୍ୟାସ ହେଇଗଲାଣି, ଆଉ କାହା ସ‌ହ କଥା ବି ହେଉନି । ଜଣେ ଲୋକର ଅଭିମାନର ଭରା ଏହି ଚିଠି ନିଶ୍ଚୟ ଅନେକଙ୍କୁ କିଛି ନା କିଛି ପ୍ରେରଣା ଦେବ ।

"ଉପ‌ହାର" ଗପରେ ଗୋଟିଏ ଭଲ ଉଦାହରଣ ଦେଇଛନ୍ତି ଆପଣ । ଉପ‌ହାର ଯାହାକୁ ମୁଖ୍ୟତଃ ଆମ ଘରପଟେ କୁହ‌‌ନ୍ତି 'ବେଭାର' କେବଳ ଗୋଟିଏ ଦେବାର ବିଧି ବୋଲି ଦେବାଟା ଠିକ୍ ନୁହେଁ । ଏହା ଆମର ଭଲ ପାଇବା ଉପରେ ହିଁ ନିର୍ଭରଶୀଳ । "କବିତା ବୁଝୁ ନ ଥିବା ଝିଅ", ଏହିଟା ଗପ ନୁହେଁ ବୋଧେ ଅନେକଙ୍କ ଜୀବନରେ ଘଟିଥିବା ଘଟଣା । ହଁ ଅନେକ ଥାଆନ୍ତି କିଛି କଥାକୁ ବୁଝିପାରନ୍ତିନି, କିନ୍ତୁ ଆମକୁ ବେଳେ ବେଳେ ଏମିତି କିଛି ବୁଝେଇଦିଅନ୍ତି ଯେ ଯାହା ଆମ କଳ୍ପନାର ବାହାରେ ଥାଏ । 'ସବୁଠୁ ଭଲ କଥାଟିଏ ଲେଖିଲେ, କବି ବଳବାନ କେବଳ କଲମରେ ।' "ପ୍ରଥମ", ଏହା ତ ଗପ ନୁହେଁ ଏକ ଶକ୍ତ ଚାପୁଡ଼ା ପରି । କିଛି କଥାକୁ ଠିକ୍‌ରେ ନ ବୁଝି ଉପଦେଶ କିମ୍ବା ଟିପ୍ପଣୀ କରିବା ଲୋକେ ଏହି ଶୀର୍ଷକଟିକୁ ପଢ଼ିକି ବୁଝିବା ନିହାତି ଦରକାର । "ଗାଉଁଲି", ଏହି ଗପଟି ମଧ୍ୟ ମୋ ସ‌ହ ନିହାତି ଜଡ଼ିତ । ମୁଁ ଇଞ୍ଜିନିୟରିଂ ବେଳେ ଯଦି କେବେ କ୍ଲାସ୍‌ରେ କିଛି ବୁଝିପାରେନି, ତେବେ ପଚାରେନି, କାରଣ ସେ ଶିକ୍ଷକ ଶିକ୍ଷୟିତ୍ରୀମାନେ ହିନ୍ଦୀରେ ପଢ଼ାଉଥିଲ, ଆଉ ମୁଁ ହିନ୍ଦୀ ଠିକ୍‌ରେ ବୁଝିପାରୁନଥିଲି କି କ‌ହିପାରୁନଥିଲି । ସେଥିପାଇଁ ମୁଁ ମୋ ଗାଉଁଲିଆ ସ୍ୱଭାବ ନ ଦେଖେଇବା ପାଇଁ ଚୁପ୍ ରହିଯାଉଥିଲି । ଆଉ ଏଇଠି ବି ଠିକ୍ ସେଇଆ ହେଇଛି, ହେଲେ ଫଳ କେବେ କେବେ ଓଲଟା ହେଇଯାଏ । "ସନ୍ଧ୍ୟା", ଏହି ଗପଟି ପ୍ରାୟଃ ଅନେକ ଲୋକଙ୍କୁ ପଢ଼ିବାର ଅଛି, ଯେଉଁମାନେ ଖାଲି ଦେଖେଇହେବା ପାଇଁ କିଛି କାମ କରନ୍ତି, ହେଲେ ଅନ୍ତରରୁ କେବେ କାହରି ଆନ୍ତରିକତା ନ ଥାଏ । "ଅଳସେଇ", ଏଇଟା ପ୍ରାୟ ଅନେକଙ୍କ ଜୀବନରେ ଘଟିଥାଏ । ମୋତେ ବି ଆମଘରେ ସବୁ ଅଳସୁଆ ବୋଲି କୁହ‌ନ୍ତି । କ'ଣ କରିବା ସେଇଟା ତ ଆମର ଜନ୍ମର ଆମ ସ‌ହ ଉପ‌ହାର ସ୍ୱରୂପ ଆସିଛି । "ପାନ ଦୋକାନ", ଏହି ଗପଟି ପ୍ରାୟ ସଭିଙ୍କ ପାଇଁ ପ୍ରଯୋଜନ । ଯେମିତିକି ଦୂରପାହାଡ଼ ସୁନ୍ଦର, ସେମିତି ଏହି ଗପଟିରେ ଦର୍ଶନ ମଧ୍ୟ ଦୂରରୁ ଭଲ ଲାଗେ ହେଲେ ନିକଟରୁ ମାନିବା କେତେ ଲୋକଙ୍କ ପାଖରେ ସମ୍ଭବ ତାହା ଦେଖିବ କଥା । ଯେତେବେଳେ ବ୍ୟାଟ୍‌ମ୍ୟାନ୍ ସାଧାରଣ ମଣିଷ ଥିଲା, ସେବେ ତା'ର ପ୍ରେମିକା କ‌ହୁଥିଲା କି ତମେ ତ କିଛି କରୁନାହଁ, ହେଲେ ଯେତେବେଳେ ସେ ବ୍ୟାଟ୍‌ମ୍ୟାନ୍ ହୋଇଗଲା, ସେବେ କ‌ହିଲା, ଆରେ ତମେ ତ ବ୍ୟାଟ୍‌ମ୍ୟାନ୍ ହୋଇଗଲ, ସଭିଙ୍କ ପାଇଁ ସମୟ ଅଛି, ହେଲେ ମୋ ପାଇଁ ସମୟ ନାହିଁ । ଏଇଟା ହେଉଛି ଏଇ ଦୁନିଆର ରିତୀ । ଯାହା ପାଖାରେ ଥାଏ, ସେଇଟା ଭଲ ଲାଗେନି, ଅନ୍ୟର ଜିନିଷ ସୁନ୍ଦର ଲାଗେ ।

"ପ୍ରପୋଜ", ଏଇଟା ଗୋଟିଏ ସବୁଠୁ ବଡ଼ ଜିନିଷ । ଆଗକୁ ଯାଇକି କେହି କ‌ହିବାର ସାହାସ ପ୍ରାୟ ସଭିଙ୍କର ନ ଥାଏ । ମୋ ପାଖରେ ଜମାରୁ ନାହିଁ । ହେଲେ ସେ ସୁଯୋଗ ଚାଲିଗଲାପରେ ମନରେ ଆସେ, ଯଦି ସେତେବେଳେ ଟିକିଏ ସାହାସ ବାନ୍ଧିପାରିଥାନ୍ତି ତେବେ ସେଇଟା ଆଜି ମୋ ପାଖରେ ଥାଆନ୍ତା । ହେଲେ କ'ଣ କରିବା ସମସ୍ତଙ୍କ ପାଖରେ ସାହାସ ଆଉ ଉଚିତ ସମୟରେ ସୁଯୋଗ ନ ଥାଏ । "ଚୁଟି", ଏହି ଗପର ମହତ୍ୱ ସମ୍ପର୍କ ପ୍ରାୟ ଅନେକଙ୍କ ପାଖରେ ଥାଏ । ଚୁଟି ଯାହା ପାଖରେ ଥାଏ, ସେ ତା' ପାଖରେ ଏତେ ଚୁଟି କାହିଁକି ଅଛି ବୋଲି ଭାବେ ଆଉ ଯାହା ପାଖରେ ନାହିଁ ସେ ଝୁରି ହୁଏ । "ସ୍ୱାର୍ଥପର", ହଁ ସଭିଙ୍କୁ ସ୍ୱାର୍ଥପର ହେବାକୁ ପଡ଼ିଥାଏ । ସବୁବେଳେ ନିଜ ବିଷୟରେ ଭାବିବାକୁ ପଡ଼ିଥାଏ, ହେଲେ କେହି ଯେ ଆମକୁ ଭଲରେ ରଖିବାକୁ ସ୍ୱାର୍ଥପର ହୋଇଥାଏ, ସେଇଟା ବି ଆମକୁ ବୁଝିବାର ଥାଏ । ସମ୍ପୂର୍ଣ୍ଣ ଦୁନିଆ କେବଳ ନିଜର ସ୍ୱାର୍ଥ ଦେଖିନଥାଏ । ସେମିତି ହେଇଥିଲେ, ଏଇ ଦୁନିଆ ଆଜି ତିଷ୍ଠି ନଥାନ୍ତା । କେହି ନା କେହି ଆମ ବିଷୟରେ ଭାବୁଛି । "କଥା", ଏଇ କାହାଣୀଟା ମୁଁ ଯେବେ ପଢ଼ିଥିଲି, ଆଜି ବି ମୋର ମନେ ଅଛି, ମୋ ଆଖିରେ ଲୁହ ଆସିଯାଇଥିଲା । ପୁଣିଥରେ ଆଜି ସେଇଟା ପଢ଼ିଲା ପରେ ରୋକି ହେଲାନି ସେ ଲୁହକୁ । ଦୁନିଆରେ କେବେ କିଏ କେତେବେଳେ ଆମ କଥାକୁ ଅଧା ଶୁଣି ଚାଲିଯାଏ ଆମକୁ ଜଣା ପଡ଼େନି । "ବାୟୁଦୋଷ", ଏଇଟା ଗୋଟେ ସବୁଠୁ ମଜାଳିଆ ଗପଟା । ଆଉ ଆରମ୍ଭରେ ସେ ଲେଖାଟା ବଢ଼ିଆ ଲାଗିଲା, "ଯେଉଁ ଘରେ ନଥାନ୍ତି, ସେ ଲୋକମାନେ ନିହାତି ଭଦ୍ର, ନ ହେଲ ପୂରା ମିଛୁଆ ।" ସବୁପରେ ବି ଆମେ ଏହିସବୁକୁ ନେଇ ହିଁ ଜୀବନରେ ଅନେକ ମଜା କରୁଛେ । "ପ୍ରତିଦ୍ୱନ୍ଦିତା", ଏଇଟା ଗୋଟେ ନିଚ୍ଛକ କାହାଣୀଟିଏ । ଜୀବନରେ ଆମର କାହାକୁ ହରେଇବାକୁ କେବେ କେବେ ଏମିତି କିଛି କାମ କରୁ ଯେ, ନିଜ ହାତରେ ନିଜର ପରାଜୟର କାହାଣୀ ଲେଖିଥାଉ । "ଉତ୍ତର" ଗପଟି ଗୋଟିଏ ହୃଦୟସ୍ପର୍ଶୀ ଲେଖାଟିଏ । ଯେବେ ଯିଏ ପାଖରେ ଥାଏ, ଆମେ ଖୋଜୁନା, ହେଲେ ଦୂରେଇ ଗଲେ କେତେ ଖୋଜୁ ସେଇଟା କେବେଳ ଅଙ୍ଗେ ନିଭେଇଥିବା ଲୋକ ହିଁ ଜାଣିଛି । "ସ୍ୱାଦ", ଏହି ଗପଟି ଗୋଟିଏ ସୁନ୍ଦର କଥାଟିଏ । ସ୍ୱାଦ କେବେଳ ମସଲାରେ ନ ଥାଏ, ଥାଏ ଆମ ମନରେ । ଥରେ ଓଡ଼ିଆ କମେଡ଼ିଆନ୍ ପ‌ପୁ ପମ୍ ପମ୍ ଗୋଟେ କମେଡ଼ିରେ କ‌ହିଥଲେ କି ଆମେ ଯେତେବେଳେ ରୋଷେଇ କରୁ, ସେତେବେଳେ ଶ୍ରଦ୍ଧା ଆଉ ସ୍ନେହର ସ‌ହ ରୋଷେଇ କଲେ ସେଇଥିରେ ସ୍ନେହସାର ଥାଏ ବୋଲି ବିଶ୍ୱାସ ରହେ । ଯେବେ କେହି ସ୍ନେହରେ ମନ‌ଧ୍ୟାନ ଦେଇକି ରୋଷେଇ କରେ, ସେବେ ଆମର ତାକୁ ନିରାଶ କରିବା ଉଚିତ ନୁହେଁ । ଧିରେ ଧିରେ ଆମର ପ୍ରଶଂସା ପାଇଲେ ସେ ବି ଭଲ ରୋଷେୟାଟିଏ ହେଇପାରିବ ।

"ପାଦ", ଏହି କାହାଣୀଟି ମୋତେ ମୋ ଛୋଟବେଳର ଦୂରଦର୍ଶନରେ ପ୍ରସାରିତ ଗୋଟିଏ ଧାରାବାହିକ, 'କ‌ହିଲେ ତୋ କୁଳ କୁଟୁମ୍ୱକୁ ଲାଜ' ଧାରାବାହିକ ବିଷୟରେ ମନେ ପକାଏ । ସେବେ ସେ କାହାଣୀଟି ମୁଁ ପୂରା ଦେଖିନଥିଲି, ହେଲେ ଏବେ ତା'ର ମହ‌ତ୍ୱ ବୁଝାପଡ଼ୁଛି । ଯାହା ପାଖରେ କିଛି ଥାଏ, ସେ ଅଧିକ ପାଇବାକୁ ଆଶା କରେ, ହେଲେ ଯାହା ପାଖରେ କିଛି ନ ଥାଏ, ସେ କେମିତି ଚଳୁଥିବ ବୋଲି ସେ କେବେ ଭାବେନା । ସବୁବେଳେ ଆଖିଦେଖା କି କାନଶୁଣା କଥା ସତ ହୋଇନଥାଏ । ଯାହା ପାଖରେ ପାଦ ନାହିଁ, ସେ ଚପଲ ଥିବା ଲୋକ କଥା ଭାବେ । ଯାହା ପାଖରେ ଚପଲ ଥାଏ, ସେ ସାଇକେଲରେ ଯାଉଥିବା ଲୋକ ବିଷୟରେ ଭାବେ । ସାଇକେଲରେ ଯାଉଥିବା ଲୋକ ମୋଟର ସାଇକେଲ ବିଷୟରେ ଆଉ ମୋଟର ସାଇକେଲ ବାଲା କାର୍ ବିଷୟରେ ଆଉ କାର୍ ବାଲା ତ ସିଧା ଆକାଶରେ ଉଡ଼ିବାକୁ ଭାବୁଥାଏ । "ପିକ୍‌‌ନିକ୍", ଏହି ଗପଟି ଏବେକାର ପିଲାଙ୍କର ଆବେଗକୁ ବର୍ଣ୍ଣନା କରିଛି । ପିତାମାତା ସବୁବେଳେ ନିଜ ଖୁସି ପାଇଁ ପିଲାଟିର ଖୁସିକୁ ଦେଖନ୍ତିନି, ଆଉ ଯେବେ ସେ ପିଲା ବଡ଼ ହେବ, ସେବେ ସେ ତା' ଖୁସି ପାଇଁ କାହିଁକି ତା' ବାପାମାଆଙ୍କ କଥା ଭାବିବ । ଦେଖା ଶିଖା ଓଡ଼ିଆ । ଯେସାକୁ ତେସା । "ମଣିଷ", ଏହି ଗପଟି ସମାଜ ଉପରେ ହୁଏତ କିଛି ପ୍ରଭାବ ପକାନ୍ତା କି । ମୋ ଚୁଟି ସବୁବେଳେ ଠିଆ ହୋଇଯାଏ ବୋଲି, ମୁଁ ଆଗରୁ ତାକୁ ଶୁଆଇବାକୁ ଜେଲ୍ ଲଗାଉଥିଲି, ହେଲେ ପରେ ଦେଖିଲି କି ପିଲାମାନେ ତାଙ୍କୁ ଚୁଟିକୁ ଠିଆ କରିବାକୁ କେତେ କ'ଣ କରୁଛନ୍ତି । ଯାହାପାଖରେ ତେଲ ଲଗେଇବାକୁ ପଇସା ନ ଥାଏ, ତା' ଚୁଟି କଅଁରା ପଡ଼ିକି ନାଲି ହେଇଯାଏ ଆଉ ଯାହା ପାଖରେ ଅଛି, ସେ ତ କେତେ କ'ଣ ଖର୍ଚ୍ଚ କରିକି ତା'କୁ ନାଲି କରେ । ଯାହା ପାଖରେ ପଇସା ନ ଥାଏ, ସେ ଚିରାପଟା ପିନ୍ଧେ, ହେଲେ କିଛି ଅଧିକ ପଇସା ଦେଇକି ଚିରାକପଡ଼ା ପିନ୍ଧୁଛନ୍ତି । "ଭୂତଗପ", ଏହି ଗପଟା ଗୋଟେ ର‌ହସ୍ୟର ସ‌ହ ରହିଗଲା, ଅବଶ୍ୟ ମୁଁ ଆଗରୁ ଆପଣଙ୍କ ୱେବସାଇଟ୍‌ରେ ସମ୍ପୂର୍ଣ୍ଣ କାହାଣୀଟା ପଢ଼ିଛି । "ଉର୍ମିଳା", ଏଇ ଗପଟା ମୁଁ ଯେବେ ପଢ଼ିଥିଲି, ସେବେ ମଧ୍ୟ କ‌ହିଥିଲି, ସେ ହେଉଛି ଏହି ଦୁନିଆର ସବୁକିଛି । ଉର୍ମିଳାର ତ୍ୟାଗ ପାଇଁ ଦିନେ ଲକ୍ଷ୍ମଣ ମହାନ ହୋଇଥିଲେ, ସେ ଉପବାସ ରହି ଅନ୍ୟ ପାଇଁ ଦୀପ ଜାଳେ । ଆମ ଦୁନିଆ ଅନେକ ନାରୀଙ୍କୁ ସମ୍ମାନ ଦେଇଛି, ହେଲେ ଏହି ଦୁନିଆ ସବୁ ନାରୀ ଭିତରେ ଅନେକ ଉର୍ମିଳାକୁ କେହି ଦେଖିନାହାନ୍ତି କି ଜାଣି ନାହାନ୍ତି । ସେମାନେ ବଣ ମଲ୍ଲୀ ପରି ବଣରେ ଫୁଟି, ବଣକୁ ସୁଗନ୍ଧିତ କରି ପୁଣି ବଣରେ ଝଡ଼ିଯାଇଛନ୍ତି । ହେଲେ ସେଇମାନଙ୍କରେ ତ୍ୟାଗ ପାଇଁ ଅନେକ ଏହି ଦୁନିଆରେ ଅଗ୍ରପୂଜ୍ୟ ହୋଇଛନ୍ତି । "ଚଷମା", ଏହି ଗପର ମର୍ମ ଅନେକ ଗମ୍ଭୀର । ଦାମୀ ଚଷ‌ମାଟିଏ ପିନ୍ଧିଦେଲେ, ଆମେ ସବୁକିଛିକୁ ଦେଖି ପାରୁନଥାଉ । କେବେ ଆମକୁ ଅନେକ କିଛି ଲୁକ୍କାଇତ ଜିନିଷ ଦେଖିବାକୁ ଆଖିର ଚଷମା ନୁହେଁ, ମନ ଆଉ ହୃଦୟର ଚଷମା ବ୍ୟବ‌ହାର କରିବାକୁ ପଡ଼ିଥାଏ । "ପ୍ରସ୍ତୁତି", ଏହି କାହାଣୀଟି ସମସ୍ତଙ୍କୁ ପଢ଼ିବା ଦରକାର । ବେଳ ଥାଉ ସବୁକିଛି ପାଇଁ ପ୍ରସ୍ତୁତି କରିବା ଦରକାର । ଜୀବନରେ ଏକୁଟିଆ ଆଗକୁ ଯିବା ପାଇଁ ଆମକୁ ସବୁକିଛି ଶିଖିବାକୁ ହେବ । ହଁ ଟିକେ କଷ୍ଟ ହେବ, ହେଲେ ଭବିଷତ ନିଶ୍ଚୟ ସୁରକ୍ଷିତ ହେବ ।

"ବିଶ୍ୱାସ", ଏହି ଗପଟି ପ୍ରାୟ ଅନେକବେଳେ ସତ ହୋଇଥାଏ । ମୋ ସ‌ହ ମଧ୍ୟ ହୋଇଛି, କେବେ କେବେ ଆମର ବିଶ୍ୱାସ ଆଉ ଅଧ୍ୟାତ୍ମିକ ଭାବନା ଆମକୁ ସାକାରାତ୍ମକ ଭାବନା ଯୋଗାଇଥାଏ ଆଉ ଆମେ ଅତି ଜଟିଳ ସମସ୍ୟାକୁ ସୁରୁଖୁରୁରେ ସମାଧାନ କରିପାରୁ । କଥାରେ ଅଛି ପରେ, 'ବିଶ୍ୱାସେ ମିଳଇ ହରି' । "ସ୍ୱାଧୀନତା", ଏହି ଶବ୍ଦଟିର ଅର୍ଥ ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ । ଯେମିତି ଜଳ ବିହିଲେ ସୃଷ୍ଟି ନାଶ, ଆଉ ଜଳ ବ‌ହୁଳେ ସୃଷ୍ଟି ନାଶ । ସେମିତି ସ୍ୱାଧୀନତା ମଧ୍ୟ ଅଧିକ କେବେ ହିତକର ହୋଇନଥାଏ । "ଡାହାଣୀ", ଏହି ଗପଟି ସବୁ ଲୋକଙ୍କୁ ବୁଝିବା ନିହାତି ଦରକାର । ସବୁ ଯେ ଦୁନିଆରେ ଡାହାଣୀ ନ ଥାନ୍ତି, ସେଇଟା ଯେବେ ଲୋକେ ବୁଝିବେ, ଦୁନିଆରୁ ଡାହାଣୀ ବି ଦୂରେଇଯିବେ । "ରଙ୍ଗ", ଏହି କାହାଣୀ ଅନେକ ଲୋକଙ୍କ ପାଖରେ ଏବେ ବି ଅବୁଝା । ମୁଁ ବି ଗୋରା ନୁହେଁ ବୋଲି ସବୁବେଳେ ନିଜକୁ ଖରାପ ଲାଗେ, କାରଣ ମୋ ଫଟୋ ଏତେ ଭଲ ଲାଗେନି । ହେଲେ ଏଇ ଗପଟି ପରଠାରୁ, ମୁଁ କେବେ ମୋ ରଙ୍ଗ କଥା ମନ‌କୁ ଆଣେନି । ରଙ୍ଗର ଭେଦଭାବ କେବଳ ମନରେ ଥାଏ । ଏହି ବିଷୟରେ ଅପା ମଧ୍ୟ ଗୋଟିଏ ଅଲଗା ଲେଖାରେ ଫେସ୍‌ବୁକ୍ ପୃଷ୍ଠାରେ ଲେଖିଥିଲେ, ସେଇ ଲେଖାଟି ମଧ୍ୟ ପାଠକେ ପଢ଼ିବା ନିହାତି ଦରକାର । "ଚକୁଳି ପିଠା", ଏହି ଗପରେ ଥିବା ସେ ଆପଣାର ପଣିଆ ଲୋକଙ୍କୁ ବୁଝିବା ଦରକାର । ଦୁନିଆ ଆମର, ସମାଜ ଆମର, ତେଣୁ ଆମେ ସଭିଙ୍କୁ ନିଜର କରିବା ଦରକାର । "ଟିପଚିହ୍ନ", ଆମେ ଯେତେ ଆଗକୁ ଗଲେ ଆମ ପୁରୁଣା ଜୀବନ ଆମ ସ‌ହ ଯୋଡ଼ି ହୋଇଥାଏ । ସେଇ ପୁରୁଣା ଖାଇବା, ପୁରୁଣା ପୋଷାକ ମଧ୍ୟ ଆଜିର ଦୁନିଆରେ ଦେଖିବାକୁ ମିଳୁଛି, ଅବଶ୍ୟ ସେବେ ବକ୍କଳ ଥିଲା, ହେଲେ ଏବେ କପଡ଼ାରେ ସେହି ଭଳି ନିର୍ମିତ ପୋଷାକ । "ସ୍ୱଚ୍ଛ ଭାରତ ଅଭିଯାନ", ଏହି ଗପଟି ଆଜିକାଲି ଚାଲିଥିବା ଗୋଟିଏ ଧାରା (ଟ୍ରେଣ୍ଡ) ବିଷୟରେ ଏମିତି ସୂଚାଉଛି ଆଉ ସେହି ଭଳି ଲୋକଙ୍କୁ ପଢ଼ିବା ଦରକାର । ଭାରତ କେବେ ବିଜ୍ଞାପନରେ ସ୍ୱଚ୍ଛ ହେବନି, କାମରେ ସ୍ୱଚ୍ଛ ହେବ । ମଦର ଟେରେସାଙ୍କ ଅନୁସାରେ, ନିଜ ଘର ଆଗ ସଫା କର, ଦୁନିଆ ସଫା ହେଇଯିବ । ହେଲେ ଦୁନିଆ ସଫା କରିବା ବାହାନାରେ ନିଜ ଘର ଅଳିଆ ବଢ଼ାଇଲେ ଦୁନିଆ କେବେ ବି ସ୍ୱଚ୍ଛ ହେଇପାରିବନି । "କର୍ତ୍ତବ୍ୟ", ଏହି ଗପଟି ସବୁଲୋକଙ୍କୁ ପଢ଼ବା ଆଉ ବୁଝିବା ଦରକାର । ଖାଲି ଯେ ଆମର ପ୍ରତି କାହାର କର୍ତ୍ତବ୍ୟ ଅଛି, ସେଇଟା ନୁହେଁ । ଆମର ମଧ୍ୟ ସେମାନଙ୍କ ପ୍ରତି ଅନେକ କିଛି କର୍ତ୍ତବ୍ୟ ଅଛି । ଯେମିତି ସବୁ କ୍ରିୟାର ପ୍ରତିକ୍ରିୟା ହୋଇଥାଏ, ସେମିତି ସମସ୍ତଙ୍କର ଆମ‌ପ୍ରତି ଥିବା କର୍ତ୍ତବ୍ୟର ଋଣ ମଧ୍ୟ ଆମକୁ ସୁଝିବାକୁ ପଡ଼ିବ ବୋଲି ଆମକୁ ବୁଝିବା ଦରକାର । "ସୁଖ", ନିଜକୁ ଖୁସି କରିବାକୁ ଯାଇ, ଆଉ ଆମର କିଛି ଛୋଟକାଟିଆ କାମ ଦେଖେଇକି ଆମେ ଅନେକଙ୍କ ସୁଖ ନଷ୍ଟ କରୁଦେଇଛେ । ହେଲେ କ'ଣ ହେବ, ଦୁନିଆରେ ଏମିତି ହିଁ ଚାଲିଆସିଛି ଆଉ ପ୍ରାୟ ଲୋକ ସବୁକୁ ବୁଝିକି ବି ସେଇଟାକୁ ଆଦରି ନେଇଛନ୍ତି ।

"ଅଭିମାନ", କେବେ କେବେ ଆମର ଅଭିମାନ ବି ସତ ହୋଇଯାଏ । ବେଳେ ଆମେ ଏମିତି କିଛି କ‌ହିଦେଉ, ସେଥିପାଇଁ କେହି କେହି ଅଭିମାନ କରିଥାଆନ୍ତି । "ଅନୁସରଣ", ଏହି ଗପଟି ମୋତେ ସବୁଠୁ ବେଶି ଭଲ ଲାଗିଲା । କଥାରେ ଅଛି, "କ‌ହି ଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ" । ଅନ୍ୟକୁ ଉପଦେଶ ଦେବା ବ‌ହୁତ ସ‌ହଜ, ହେଲେ ନିଜ ଜୀବନରେ ଏହି ଉପଦେଶକୁ ଅନୁସାରଣ କରିବା କେବେ ବୋଧେ ସମ୍ଭବ ହୁଏନି । ଅନେକ ଡଃ ଅବ୍‌ଦୁଲ୍ କଲାମଙ୍କର ଉପଦେଶ ଦିଅନ୍ତି ହେଲେ କେହି କେବେ ପିଲାମାନଙ୍କ ପାଇଁ ତାଙ୍କ ଭଳି ହେଇଛି । "ମାଣବସା ଗୁରୁବାର ୧-୨" ଏହି ଦୁଇଟି ଗପ ଆମମାନଙ୍କ ଦୁନିଆରେ ଥିବା ଅନେକ କିଛି ଅନ୍ଧବିଶ୍ୱାସ ଉପରେ ଆଧାରିତ । ଯେମିତି ଆମେ ସବୁ ଦେଖୁ ଆଉ ସବୁ ବୁଝୁ ହେଲେ ସେ ସବୁ କେବଳ ସିମୀତ ସମୟ ପାଇଁ । ଯେମିତି କି ଶିଶୁଶ୍ରମିକ ପ୍ରଥା ବିଷୟରେ ଚାହା ଦୋକାନରେ ବସି ନିନ୍ଦା କଲାବେଳେ ଦୋକାନରେ କାମ କରୁଥିବା ଛୋଟପିଲାଟିକୁ ଚାହା ଆଣିବାକୁ ଆଦେଶ ଦେଇଥାଉ । "ଅଳିଆ", ଏହି ଗପଟି ମୋ ସ‌ହ ଜଡ଼ିତ ମଧ୍ୟ । ମୁଁ ମୋର କୌଣସି ଜିନିଷ କେବେ ଫୋପାଡ଼ିବାକୁ ଚେଷ୍ଟା କରେନି । ସବୁଜିନିଷକୁ ପୁଣିଥରେ ବ୍ୟବ‌ହାର କରେ । ହଁ ସେ ସବୁ ଫଳରେ ଅଳିଆ ବଢ଼ିବନି ବରଂ କମିବ ବୋଲି ମୋତେ ଲାଗେ । "ହିସାବ", ଆମେ ଜୀବନରେ ଟଙ୍କା ପଇସା ଆଉ ଧନସମ୍ପତ୍ତିର ହିସାବ କରୁ କରୁ କେତେବେଳେ ଯେ ଆମର ଜୀବନ‌ର ମଧ୍ୟ ହିସାବ କରିଦେଇ‌‌ଥାଉ ସେଇଟା ଆମକୁ ଜଣା ପଡ଼େନି । "ଦାନ", ଏହି ଗପଟି ଅନେକଙ୍କ ଜୀବନରେ ପ୍ରାୟତଃ ଘଟିଥିବ । ଯେବେ ଆମେ କାହାକୁ କିଛି ଦାନ କରୁ, ସେବେ ଆମେ ସବୁବେଳେ ନିଜକୁ ଉପରେ ହିଁ ଦେଖିଥାଉ । ମାତ୍ର କେବେ ଯଦି ଆମେ ଜାଣୁ ଆମ‌କୁ ଭଗବାନ ଭାବି ଦାନ ଗ୍ରହଣ କରୁଥିବା ଲୋକଟି ଟିକେ ଉପରକୁ ଉଠିଯାଇଛି, ସେବେ ଆମର ସବୁ ଅ‌ହ‌ଙ୍କାରରେ ଦାଗ ଲାଗିଯାଏ ଆଉ ରସଗୋଲା ବି ପାଣିଚିଆ ଲାଗେ । "ଗଣ୍ଠି", ଏଇ ଗପଟି ଏମିତି ଏକ କଥାକୁ ଦେଖାଇଲେ ଯେ, ଭଲ ପାଇବାଠୁ ନେଇକି ଜୀବନରେ ଘଟୁଥିବା ଦ୍ୱେଷ ଏବଂ ଦ୍ୱିଧା ଯାଏଁ ଛପିଯାଇଛି । "ହେଲମେଟ୍", ମୁଖ୍ୟତଃ ସଭିଙ୍କୁ ହେଲମେଟ୍ ଅ‌ଥବା ଆମ ନିଧି ଅଜାଙ୍କ ଭାଷାରେ 'ମଥାସାଞ୍ଜୁ' ପ୍ରୟତଃ ଅନେକ ଲୋକଙ୍କୁ ପିନ୍ଧିବାକୁ ଭଲ ଲାଗେନି । ଏମିତିକି ମୋତେ ତ ଜମାରୁ ଭଲ ଲାଗେନି ଆଉ ସେଇଥିପାଇଁ କେତେ ଯେ ଗାଳି ଶୁଣେ, ସେଇଟା କ‌ହିବାକୁ ନାହିଁ । ଏକୁଟିଆ ଗଲାବେଳେ ଘରଠୁ ଟିକେ ଦୂରକୁ ଗଲାପରେ ତା ଜାଗା ସେ ଆଇନା ଷ୍ଟାଣ୍ଡରେ ଆଉ ବାପାଙ୍କ ସଙ୍ଗେ ଗଲାବେଳେ ବାପାଙ୍କୁ ପିନ୍ଧେଇଦିଏ । ହେଲେ କେବେ କେବେ ଦୁନିଆରେ ଏମିତି ଘଟଣାସବୁ ଘଟିଯାଏ, ଚାହିଁଲେ ବି ଆମେ ପଛକୁ ଫେରି ପାରୁନା । କେବେ କେବେ ଲାଗେ, ମୁଁ ବି 'ପ୍ରିନ୍ସ ଅଫ୍ ପର୍ସିଆ' ହୋଇଥାନ୍ତି କି, ସମୟକୁ ପଛକୁ ଫେରେଇବା ଯନ୍ତ୍ରଟିଏ ମୋ ପାଖରେ ଥାଆନ୍ତା କି । ହେଲେ ବିଧିର ବିଧାନ, କେ କରିବ ଆନ । "ବୋଉ କ‌ହେ", ଏହି ଗପଟି ଅନେକ ବୋଉର ହୃଦୟର କଥା କ‌ହୁଛି । "ମତାନ୍ତର", ଜୀବନରେ ଅନେକ କିଛି ଛୋଟବଡ଼ ଘଟଣାକୁ ନେଇକି ଆମ ନିଜ ନିଜ ମଧ୍ୟରେ କଥା କଟାକଟିଠାରୁ ଆରମ୍ଭ କରି ବଡ଼ ବଡ଼ ଝଗଡ଼ା ଯାଏଁ ହେଇଥାଏ, ହେଲେ ସବୁକିଛିର ଗୋଟିଏ ଅନ୍ତ ଥାଏ, ସେମିତି ଆମ ଜୀବନରେ ବି ଅନେକ ଲୋକଙ୍କ ସ‌ହ ଏହି ଘଟଣା ଘଟିଛି ଆଉ ମୋ ଜାଣିବାରେ ମତାନ୍ତର କି ମନାନ୍ତର ପରେ ଆମେ ଉଭୟ ଉଭୟଙ୍କ ସ‌ହ ଅଧିକ ଯୋଡ଼ିହେଇଯାଉ । 

"ସମ୍ପର୍କ", ହଁ ଏଇ ଗପଟି ଗୋଟିଏ ନିରବତାର କାହାଣୀଟିଏ ବୋଲି ମୁଁ କ‌ହିବି । ସବୁବେଳେ ଆମେ ଅନ୍ୟକୁ ଦେଖେଇବା ପାଇଁ ଯେ କେବଳ ସମ୍ପର୍କ ରକ୍ଷା କରିନଥାଉ । ଆମର ଭିତରେ ଥିବା ସେହି ସମ୍ପର୍କ ସବୁଠୁ ବେଶି ଦୃଢ଼, ଯାହାକି ଆମକୁ ବାରମ୍ବାର ମନେ ପକାଇବାକୁ ପଡ଼େନି । +୨ ବେଳେ ପଢ଼ିଲାବେଳେ ଗୌରାଙ୍ଗ ସାର୍ ଗୋଟିଏ ଭଲ କଥାଟିଏ କ‌ହିଥିଲେ । ପ୍ରେମିକ ପ୍ରେମିକାକୁ କାଳେ ଭୁଲିଯିବ ବୋଲି ସେମାନେ ପରସ୍ପରକୁ ବାରମ୍ବାର "ଆଇ ଲଭ୍ ୟୁ" ଆଦି କ‌ହିଥାନ୍ତି । ହେଲେ ମାଆ ପୁଅ ଭିତରେ କି ପରିବାର ଭିତରେ ସେମିତି ହୁଏନି, କାରଣ ସେମାନଙ୍କ ମଧ୍ୟରେ ସମ୍ପର୍କ ସେତେ ଦୃଢ଼ ଯେ, ସେମାନେ ଚାହିଁଲେ ବି ଭୁଲିପାରିବେନି । "ଭୁଲ", ଏହି ଗପଟି ତ କେତେବେଡ଼ କଥାଟିଏ ଶିଖାଉଛି ତାହା ଆମକୁ ବୁଝିବାକୁ ପଡ଼ିବ । ଗୋଟେ ସମୟ ଥିଲା, ଯେବେ ମୋତେ ବି ଲାଗିଥିଲା କି ଇଂରାଜୀ ଆଉ ହିନ୍ଦୀରେ ମୁଁ ଦୁର୍ବଳ, ସେଇଟା ମୋର ବଡ଼ ଭୁଲ, ହେଲେ ଧିରେ ଧିରେ ଅନେକ ଲୋକଙ୍କ ସ‌ହ ମିଶିବା ପରେ ଜଣାପଡ଼ିଲା, ଭାଷା ତ କଥୋପକଥନର ମାଧ୍ୟମ । ତେଣୁ ଆମେ ଯାହା ପଢ଼ୁଛେ, ସେଇଟା ନିହାତି ଦରକାର । କେବଳ ବୁଝିବା ପାଇଁ ଆଉ କ‌ହିବା ପାଇଁ ଟିକିଏ ଇଂରାଜୀ କି ହିନ୍ଦୀ ଜାଣିବା ଦରକାର । ଯଦି ଲୋକଟିଏ ଆମର ଆବେଗକୁ ବୁଝିପାରୁଛି ତାହା ହିଁ ଶ୍ରେୟ । "କୁଣିଆ", ଏହି ଗପଟି ମଧ୍ୟ ଅନେକ ଲୋକଙ୍କୁ ପଢ଼ିକି ବୁଝିବାକୁ ପଡ଼ିବ । କଥାରେ କୁହ‌ନ୍ତି, 'ଝିଅ ଜନମ ପର ଘରକୁ' । ସେମାନଙ୍କୁ ଆମେ ନିଜେ ଜାଣି ଜାଣିକି ପର କରିଦେଉ ଆଉ କ‌ହୁକି ଝିଅ ତ' ଆମକୁ ପର କରିକି ଚାଲିଗଲା । ସେମାନେ କେବେ ନିଜର ହେବାକୁ ଚେଷ୍ଟା କଲେ, ଆମେ ପୁଣି ସେଇ କଥା କ‌ହି ସେମାନଙ୍କୁ ପର କରିଦେଉ । "ଚାଲାକ", ଏହି କଥାରୁ ମୋତେ ମୋର ଗୋଟେ ସାଙ୍ଗ ସନତ କଥା ସବୁବେଳେ ମନେ ପଡ଼ିଯାଏ । ସେ ସବୁବେଳେ କ‌ହେ, ଦୁନିଆରେ କେହି ବୋକା ନାହାନ୍ତି, ଆଉ ତୁ ଯଦି କାହାକୁ ବୋକା ବୋଲି ଭାବୁଛୁ, ତାହାଲେ, ତୋ' ଠାରୁ ବଡ଼ ବୋକା ଆଉ କେହି ନାହିଁ । "ଆମ୍ବଖଟା", ଏହି ଗପଟି ସବୁ ପିଲାମାନଙ୍କୁ ପଢ଼ିବା ଦରକାର । ସ୍ନେହ ମମତା ଖାଲି ଯେ ପରିବାରରୁ ମିଳେନି, ଆମେ ଯାହାକୁ ଆପଣେଇ ନେଉ, ସେ ଆମର ପରିବାର ହେଇଯାଏ । "ଛୋଟଘର", ଏହି ଗପଟି ଅନେକ କ‌ଥା କ‌ହୁଛି । ବାପାମାଆର ଭଲପାଇବା ଆଉ ନିଜ ପ୍ରତି ବେଖାତିର୍ । ହେଲେ ମୋତେ ଶେଷରେ ସବୁଠୁ ବେଶି ହସ ଲାଗିଲା । ପୁଅ ପଇସା ବଞ୍ଚେଇବା ପାଇଁ ଛୋଟ ଘର ନେଉଛି, ହେଲେ ବାପା ସେଇଟାକୁ ପୁଅର ଦୁଃଖ ଭାବିକି ନିଜର ସୁଖକୁ ତ୍ୟାଗ କରିବାକୁ ପ‌ଛାଉନି ।

ମୋଟାମୋଟି ଭାବରେ ଏହି ସଙ୍କଳନରେ ଥିବା ସବୁଯାକ ଗପ ଏତେ ମନ‌ଛୁଆଁ ଯେ କ‌ହି ହେବନି । ମୁଁ ମୋର ସବୁକଥାକୁ ବି ଏକାଥରକେ ଖୋଲିକି କ‌ହିପାରେନି । ବ‌ହିଟିରୁ ଅନେକ କିଛି ଶିଖିବାକୁ ମିଳିବ ନିଶ୍ଚୟ । ଅନେକଙ୍କ ପାଇଁ ପ୍ରେରଣା, ତ କାହା ପାଇଁ ତାଙ୍କ ପ୍ରଶ୍ନର ଉତ୍ତର ହେବ ବୋଲି ମୁଁ ଭାବୁଛି । ଆଉ ଓଡ଼ିଆ ସାହିତ୍ୟ ପ୍ରତି ଲୋକଙ୍କର ଆଗ୍ରହ କମୁଥିବା ସମୟରେ ଏହି ବ‌ହିଟି ଲୋକେ ଅଧିକ ପସନ୍ଦ କରିବେ ବୋଲି ଆଶା ର‌ହିଛି ପ୍ରାୟ ସଭିଙ୍କର ।

Thursday 22 June 2017

ସ୍ୱାର୍ଥପର ଦୁନିଆ

ସଂଗ୍ରାମ କେଶରୀ ସେନାପତି 1:19 am
ସ୍ୱାର୍ଥପର ଦୁନିଆ

ଆମେ ମଣିଷମାନେ ବ‌ହୁତ ବଢ଼ିଆ ଲୋକମାନେ । ଆମେ ସଭିଙ୍କୁ ଅତି ଆଦର ଯତ୍ନରେ ପାଳିଥାଉ । ଏପରିକି ଆମେ ଆମ ଘରେ ଏହିଭଳି କୁକୁଡ଼ା ଚିଆଁକୁ ରଖିକି ମଧ୍ୟ ପାଳିଥାଉ । ଅତି ସ୍ନେହରେ ବି ଆମେ କେବେ କେବେ ଆମର ଗୃହ ପାଳିତ ପଶୁପକ୍ଷୀମାନଙ୍କୁ ପାଳିଥାଉ । ଆମେ ପରା ମଣିଷ, ଭଗବାଙ୍କ ସୃଷ୍ଟିରେ ସବୁଠାରୁ ଅଧିକ ବଳଶାଳୀ ଆଉ ବୁଦ୍ଧିମାନ । ଆମ ପାଖରେ ତ ଅନେକ ପ୍ରକାରର ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ହୋଇଗଲାଣି, ଯାହା ଫଳରେ ଆମେ ସବୁକିଛିକୁ ସୁରୁଖୁରୁରେ କରିପାରୁଛି

Thursday 8 June 2017

ପ୍ରକୃତିର ସନ୍ତୁଳନ

ସଂଗ୍ରାମ କେଶରୀ ସେନାପତି 1:34 pm
ପ୍ରକୃତିର ସନ୍ତୁଳନ
ପ୍ରକୃତି ଅଥବା ଧରଣୀ ଆମର ମାଆ ସମାନ । ଗାଇକୁ ବି ଆମେ ଆଦି ଯୁଗରୁ ମାଆ ଭାବରେ ପୂଜା କରିଆସିଛେ । ଯେମିତି ପିଲାଟିଏ ଛୋଟ ଥିଲାବେଳେ ତା' ମାଆର ଖିର ଖାଇ ଧିରେ ଧିରେ ବଡ଼ ହୋଇଥାଏ, ସେମିତି ଗାଇର ଖିରରେ ମଧ୍ୟ ଅନେକ ପ୍ରକାରର ଗୁଣବତ୍ତା ଥାଏ, ଯାହାକୁ ସଭିଙ୍କୁ ପୋଷଣ ଯୋଗାଇଥାଏ । ସେଇଥିପାଇଁ ଆମେ ଗାଇଙ୍କୁ ମଧ୍ୟ ମାଆର ଆଖ୍ୟା ଦେଇଆସିଛୁ । ହିନ୍ଦୁ ଧର୍ମରେ ଆମେ ଗାଇକୁ ଭଗବାନଙ୍କ ଆଶୀର୍ବାଦ ରୂପରେ ମାନିଛେ ଏବଂ ଗୋମାତାଙ୍କ ଦେହରେ ଅନେକ ଭଗବାନଙ୍କର ଅବସ୍ଥାନ ବୋଲି ମଧ୍ୟ ଆମେ ଜାଣିଛେ ।

Sunday 14 May 2017

ମାଆ

ସଂଗ୍ରାମ କେଶରୀ ସେନାପତି 4:44 pm
ମାଆ
ମାଆ ଏକ ଏମିତି ଶବ୍ଦ ଯାହାର ଅର୍ଥ ଯିଏ ବୁଝିଛି ସେ ହିଁ ଜାଣିଛି । ଦୁନିଆରେ ମାଆ'ର ଋଣ କେହି କେବେ ସୁଝିପାରିବେନି ବୋଲି ସଭିଏଁ କ‌ହ‌ନ୍ତି ଆଉ ହଁ ଏଇଟା ବି ସତ । ଖାଲି ମାଆ ନୁହେଁ ମାଆ ସ‌ହ ବାପାଙ୍କର ଋଣ ବି କେହି କେବେ ସୁଝିପାରିବେନି । ଏବେ ଏବେ ତ ଗୋଟେ ନୂଆ ପ୍ରଥା ଚାଲିଛି । ସବୁ କିଛି କାମ ପାଇଁ କିଛି ନା କିଛି ଦିବସ ପାଳନ କରୁଛେ । ଏମିତିକି ମାଆ ପାଇଁ ବି ମାତୃଦିବସ । ମାତୃ ଦିବସ ପାଳନ ଏକ ଭଲ କଥା, ମାତ୍ର ବାକି ୩୬୪ ଦିନ ସେ ପ୍ରେମ ଆଉ ଭଲ ପାଇବା କାଇଁ ।

Saturday 29 April 2017

ଅକ୍ଷୟ ତୃତୀୟା

ସଂଗ୍ରାମ କେଶରୀ ସେନାପତି 8:48 am
ଅକ୍ଷୟ ତୃତୀୟା
ଓଡ଼ିଶାକୁ ଅନେକ କୃଷିଭିତ୍ତିକ ରାଜ୍ୟ ଭାବରେ ଗଣନା କରନ୍ତି । ଅବଶ୍ୟ କରିବା ଦରକାର । କୃଷି ଏବଂ କୃଷକ ଆଗେଇଲେ ଓଡ଼ିଶା ଆଗେଇବ । ଆଜିର ସେହି କୃଷି ଭିତ୍ତିକ ପର୍ବର ଅନୁକୂଳ କରାଯାଏ ଅକ୍ଷିମୁଠିର ଏବଂ ଆରମ୍ଭ ହୋଇଥାଏ ଚାଷ କାମର । ଅକ୍ଷୟ ତୃତୀୟା ଏକ ଶୁଭଦିନ । ତେଣୁ ଏହିଦିନରେ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ ।

Friday 28 April 2017

ଉତ୍କଳ ଜାତିର ଗୌରବ ମଧୁ ବାରିଷ୍ଟର

ସଂଗ୍ରାମ କେଶରୀ ସେନାପତି 9:06 am
ଉତ୍କଳ ଜାତିର ଗୌରବ ମଧୁ ବାରିଷ୍ଟର
ପ୍ରାଚୀନ ଓଡ଼ିଶା ବିଭିନ୍ନ ରାଜାମାନଙ୍କ ଶାସନ କାଳରେ ଭାଙ୍ଗି ଭାଙ୍ଗି ବିଭିନ୍ନ ଗଡ଼ଜାତରେ ପରିଣତ ହୋଇସାରିଥିଲା । ସେତେବେଳେ ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଆ ଭାଷାର ଅବନତି ଘଟିବାକୁ ଆରମ୍ଭ କରିଥିଲା । ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ସେମାନଙ୍କ ଭାଷା ଏବଂ ସଂସ୍କୃତି ଓଡ଼ିଶାରେ ଖେଳାଇବାରେ କୌଣସି ସୁଯୋଗକୁ ହାତଛଡ଼ା କରିନଥିଲେ । ସେତେବେଳେ ଓଡ଼ିଆମାନଙ୍କୁ ଏକାଠୀ କରିବା ନିତ୍ୟାନ୍ତ ଆବଶ୍ୟକତା ଥିଲା । ଓଡ଼ିଆ ଭାଷା ଏବଂ ଓଡ଼ିଆ ସଂସ୍କୃତି ଉପରେ ଜନ‌ଜାଗରଣ ସୃଷ୍ଟିକରିବା ନିତ୍ୟାନ୍ତ ଆବଶ୍ୟକତା ଥିଲା ।
ସେହିସମୟରେ ଓଡ଼ିଶାର ଅନେକ ତୁଙ୍ଗନେତାଙ୍କ ଆପ୍ରାଣ ଉଦ୍ୟମରେ ଉତ୍କଳ ସମ୍ମିଳନୀର ଆୟୋଜନ କରାଯାଇଥିଲା,

Friday 14 April 2017

ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି

ସଂଗ୍ରାମ କେଶରୀ ସେନାପତି 12:01 am
ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷର ଗଣନା ପାଇଁ ସୌରମାନ ଗଣନା ଏବଂ ଚାନ୍ଦ୍ରମାନ ଗଣନା ଏଭଳି ଦୁଇଟି ପଦ୍ଧତି ରହିଅଛି । ସୌରମାନ ଗଣନାନୁଯାୟୀ ସୂର୍ଯ୍ୟଙ୍କ ସଂକ୍ରମଣ ଗତିକୁ ଲକ୍ଷ୍ୟ କରାଯାଇ ବର୍ଷ ଏବଂ ମାସର ଗଣନା କରାଗଲା ବେଳେ ଚାନ୍ଦ୍ରମାନ ପଦ୍ଧତିରେ ଚନ୍ଦ୍ରଙ୍କ କ୍ଷୟ ଏବଂ ବୃଦ୍ଧିକୁ ଲକ୍ଷ୍ୟ କରାଯାଇ ବର୍ଷ ଓ ମାସର ଗଣନାହୁଏ ।

Wednesday 12 April 2017

ପ୍ରେରଣାର ଉତ୍ସ ସନ୍ଦୀପ ମାହେଶ୍ୱରୀ

ସଂଗ୍ରାମ କେଶରୀ ସେନାପତି 12:45 am
ପ୍ରେରଣାର ଉତ୍ସ ସନ୍ଦୀପ ମାହେଶ୍ୱରୀ
Sandeep Maheshwari in wikipedia.jpg
ସନ୍ଦୀପ ମାହେଶ୍ୱରୀ ଜଣେ ଭାରତୀୟ ଉଦ୍ୟୋଗପତି ଏବଂ ଚିତ୍ରୋତ୍ତଳକ । ସେ ଚିତ୍ରୋତ୍ତଳନରେ ଲିମ୍‌କା ବୁକ୍ ଓଫ୍ ରେକର୍ଡ଼୍ସରେ ୧୦ଘଣ୍ଟା ଭିତରେ ୧୦୦ ଜଣ ମଡେଲଙ୍କର ଫଟୋ ଉଠାଇ ବିଶ୍ୱରେକର୍ଡ଼ ସୃଷ୍ଟି କରିଥିଲେ ।[୧] ଅନେକ ବ୍ୟବସାୟରେ ବିଫଳ ହେବା ପରେ ସେ ଚିତ୍ରୋତ୍ତଳନରେ ଇମେଜ ବଜାର ନାମକ ନିଜସ୍ୱ ୱେବସାଇଟ୍‌ରେ ଭାରତୀୟ ମଡେଲମାନଙ୍କର ଫଟୋ ସ୍ଥାନିତ କରିଥିଲେ ଯେଉଁଥିରୁ ଅଧିକାଂଶ ଖବରକାଗଜରେ ଫଟୋ ଛପାଯାଉଛି ।[୨]
ଜୀବନରେ ଭୋଗିଥିବା ଅନେକ ବିଫଳତା ହିଁ ସନ୍ଦୀପଙ୍କୁ ତାଙ୍କ ଜୀବନରେ ସଫଳ କରାଇବାରେ ସାହାଯ୍ୟ କରିଥିଲା । ସବୁ ଜିନିଷକୁ ସ‌ହଜରେ ଗ୍ରହଣ କରୁଥିବା ମଣିଷ‌ଟିଏ ହେଉଛନ୍ତି ସନ୍ଦୀପ ।

Saturday 1 April 2017

ଉତ୍କଳ ଦିବସ ଆଉ ଓଡ଼ିଆ ଚଳଚ୍ଚିତ୍ର

ସଂଗ୍ରାମ କେଶରୀ ସେନାପତି 11:19 pm
ଉତ୍କଳ ଦିବସ ଆଉ ଓଡ଼ିଆ ଚଳଚ୍ଚିତ୍ର

୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଓଡ଼ିଆ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠିତ ହୋଇଥିଲା । ଏହି ସ୍ୱତନ୍ତ୍ରତା ପାଇବା ପାଇଁ ଅନେକଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ମୁଖ୍ୟତଃ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ହିଁ ଆମେ ମନେ ପକାଇଥାଉ ଏହିଦିନରେ । ମଧୁବାବୁଙ୍କ ସ‌ହ ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ଆଦି ଏହି ମହାନ କାର୍ଯ୍ୟପାଇଁ ଅନେକ କିଛି କରିଛନ୍ତି । ସେମାନଙ୍କର ଅପାର ପ୍ରଚେଷ୍ଟା ଏବଂ ଲୋକଙ୍କୁ ଓଡ଼ିଆ ଭାଷା, ସଂସ୍କୃତ୍ତି, ସାହିତ୍ୟ, କଳା ପ୍ରତି ଆକର୍ଷଣ ଏବଂ ଏକଜୁଟ କରିବାର ଦକ୍ଷଗୁଣ ପାଇଁ ଓଡ଼ିଆ ଜାତି ଏକ ସ୍ୱତନ୍ତ୍ର ପାହ୍ୟା ପାଇଥିଲା । ଭାଷା ଭିତ୍ତରେ ପ୍ରଥମଥର ପାଇଁ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ହୋଇଥିଲା ।

ଅଧୁନା ଓଡ଼ିଆ ଭାଷାରେ ଅଧିକାଂଶ ବାହାର ଶବ୍ଦ ମିଶୁଛି । ଓଡ଼ିଆ ଶବ୍ଦକୁ ଭୁଲି ଲୋକେ ହିନ୍ଦୀ ଏବଂ ଇଂରାଜୀକୁ ଆପଣେଇ ନେଉଛନ୍ତି । ଅଧିକାଂଶ ଓଡ଼ିଆ ଲୋକ ଓଡ଼ିଆ ଭାଷାରେ କଥା ହେଲାବେଳେ ମଝିରେ ଓଡ଼ିଆ ବ୍ୟତୀତ କିଛି ଅଲଗା ଭାଷାର ଶବ୍ଦ ଅଜାଣତରେ ବି ପଶିଯାଉଛି । କାରଣ ଆମେ ଓଡ଼ିଆ ଭାଷା ସ‌ହ ଅଧିକାଂଶ ବାହାର ଭାଷା ସଂସ୍ପର୍ଶରେ ଆସୁଛେ ଆଉ ଆମେ ତ କୌଣସି ଯନ୍ତ୍ର ନୁହେଁ ଯେ କେବେଳ କୌଣସି ଏକ ନିର୍ଦ୍ଧିଷ୍ଟ ଭାଷାରେ ହିଁ କଥାହେଇପାରିବା । ଓଡ଼ିଆରେ କିଛି ଲେଖିବା ଆଉ କିଛି କ‌ହିବା ଭିତରେ ନିଶ୍ଚିତ କିଛି ନା କିଛି ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ବୋଲି ମୋର ମତ । କାରଣ ଏହା ମୋ ସ‌ହ ହିଁ ହେଉଛି । ଆଉ ଗୋଟିଏ କଥା ହେଉଛି କି ଆମେ ଯଦି ଚଳଚ୍ଚିତ୍ର କିମ୍ବା ସମ୍ବାଦରୁ କିଛି ମିଶ୍ରିତ ଶବ୍ଦ ଶୁଣିବା ତ ଆମେ ମଧ୍ୟ ସେହିଭଳି କଥା ହେଇଥାଉ ।

ଓଡ଼ିଆ ଭାଷାରେ ସେତେଟା କିଛି ଆକର୍ଷଣୀୟ ଚଳଚ୍ଚିତ୍ର କିମ୍ବା କିଛି ଆକର୍ଷଣୀୟ କାର୍ଯ୍ୟ ହେଉନାହିଁ । ଅନେକ ଲୋକେ ଓଡ଼ିଆ ଭାଷାରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ରକୁ ଘୃଣା କରୁଛନ୍ତି । ଓଡ଼ିଆ ଭାଷାର ମୌଳିକ ଚଳଚ୍ଚିତ୍ର ନିର୍ମାଣ ହେଉନାହିଁ । ଏମିତିକି ଓଡ଼ିଆ ସଂସ୍କୃତି ସ‌ହ ଖାପ୍ ଖୁଆଇଲା ଭଳିଆ କିଛି ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଇପାରୁନାହିଁ । ପ୍ରାୟତଃ ଅଧିକାଂଶ ଚଳଚ୍ଚିତ୍ରର କାହାଣୀ ଅନ୍ୟଭାଷାରେ ନିର୍ମିତ ଚଳଚ୍ଚିତ୍ରର କାହାଣୀ ଉପରେ ଆଧାରିତ । ଅନ୍ୟ ଭାଷା ଚଳଚ୍ଚିତ୍ରରୁ ଯେତେବେଳେ ଚଳଚ୍ଚିତ୍ର ନିର୍ମିତ ହେଉଛି ସେତେବେଳେ ନିରମାତାଙ୍କୁ ଧ୍ୟାନ ଦେବାକୁ ହେବ ଯେ, ସେହି ମୂଳ ଚଳଚ୍ଚିତ୍ରରେ ଦର୍ଶାଯାଇଥିବା କିଛି ଦୃଶ୍ୟ ସେମାନଙ୍କର ସଂସ୍କୃତି ଉପରେ ଆଧାରିତ ଯାହାକି ଓଡ଼ିଆ ସଂସ୍କୃତିଠାରୁ ଭିନ୍ନ । କାହାଣୀର ପୃଷ୍ଠଭୂମିକୁ ନେଇ ଆମ ସଂସ୍କୃତି ଅନୁସାରେ ଏକ ଚଳଚ୍ଚିତ୍ରଟିଏ ନିର୍ମାଣ କଲେ ବୋଧ‌‌ହୁଏ ଭଲ ହେବ । ଆଉ ଏକ କଥା ମଧ୍ୟ ରହୁଛି, ଓଡ଼ିଶାରେ ପ୍ରେକ୍ଷାଳୟର ଅଭାବ । ଓଡ଼ିଶାରେ ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ ଅଲଗା ଚଳଚ୍ଚିତ୍ର ଅଧିକ ଚାଲୁଛି । ଯାହାଫଳରେ ଓଡ଼ିଆ ଚଳଚ୍ଚିତ୍ରଟିଏ ନିର୍ମାଣ ହେଲେ ଚାଲୁନାହିଁ । ଚଳଚ୍ଚିତ୍ରଟିଏ ନିର୍ମାଣ କରିବା ପାଇଁ ଆବଶ୍ୟକୀୟ ଅର୍ଥ ମଧ୍ୟ ଉପାର୍ଜନ ହୋଇପାରୁନାହିଁ । ଆଜି ଏହି ଉତ୍କଳ ଦିବସରେ ଶୁଦ୍ଧ ଓଡ଼ିଆ ଭାଷାରେ ମୋର ପ୍ରିୟ ଓଡ଼ିଆ ଗାୟିକା ସୁସ୍ମିତାଙ୍କ କଣ୍ଠରେ ନିର୍ମିତ ଏକ ଗୀତ ମୁକ୍ତିଲାଭ କରିଛି । ଏହି ଗୀତର ସଙ୍ଗୀତ ମଧ୍ୟ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ଖଞ୍ଜିଣି, ଧୁଡ଼ୁକି ଏବଂ ଉକୁଲେଲେ ଆଦିଦ୍ୱାରା ପ୍ରସ୍ତୁତ ହୋଇଛି । ଏହି ଗୀତରେ ଓଡ଼ିଶା ବିଷୟରେ ଅନେକ କିଛି ବର୍ଣ୍ଣନା ରହିଛି । ଆଶା କରୁଛି, ସେ ଏହିଭଳି ଗୀତଗାଉଥାନ୍ତୁ ।


Tuesday 14 March 2017

ଫୁଲଭରା କଣ୍ଟକିତପଥର ଯାତ୍ରୀ

ସଂଗ୍ରାମ କେଶରୀ ସେନାପତି 7:14 pm
ଫୁଲଭରା କଣ୍ଟକିତପଥର ଯାତ୍ରୀ
ଦିନ ପରେ ଦିନ ଗଡ଼ିଚାଲିଲା, ଦେଖୁ ଦେଖୁ ଚାରିବର୍ଷ ବି ଶେଷ ହେବାକୁ ବସିଲା ଆଉ ଆସି ପ‌ହ‌ଞ୍ଚିଗଲା ଗ୍ରାଣ୍ଡ ଭାଇବା । ଏହା ପରେ ଶେଷ ସେମିଷ୍ଟାର ପରୀକ୍ଷା ଆଉ ଶେଷରେ ମେଜର ପ୍ରୋଜେକ୍ଟ । ଯାହା ଯେମିତି ହେଉ ସବୁ ଶେଷ ହେଇଯିବା ପରେ ବିଦାୟ ନେଇଗଲୁ କଲେଜରୁ । କିଛିଦିନ ଘରେ ରହିବା ପରେ ସାଙ୍ଗମାନଙ୍କ ସ‌ହ ମିଶି ଚାଲିଲୁ ଏବେ ଚାକିରୀ ଅନ୍ୱେଷଣରେ ।

Saturday 11 March 2017

ଶାସ୍ତ୍ରୀୟ ଭାଷା ଓଡ଼ିଆ

ସଂଗ୍ରାମ କେଶରୀ ସେନାପତି 8:35 am
ଶାସ୍ତ୍ରୀୟ ଭାଷା ଓଡ଼ିଆ
୨୦ ଫେବୃଆରୀ ୨୦୧୪ରେ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ଦେଇଥିଲେ ଓ ମାର୍ଚ୍ଚ ୧୧ତାରିଖ ଦିନ, ଏ ନେଇ ଗାଜେଟ ନୋଟିଫିକେସନ ଜାରି କରାଯାଇଥିଲା । ଏହି ମାନ୍ୟତା ପାଇବାରେ ଓଡ଼ିଆ ହେଲା ଷଷ୍ଠ ଭାଷା ।

୨୦୧୩ ମସିହା ଜୁଲାଇ ୨୩ ତାରିଖରେ ଭାଷାବିଶେଷଜ୍ଞ କମିଟି ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଶାସ୍ତ୍ରୀୟ ଭାଷା ହେବା ଫଳରେ ଓଡ଼ିଆ ଭାଷାରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରତିବର୍ଷ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯିବ ।

Thursday 9 March 2017

ସାଥୀ

ସଂଗ୍ରାମ କେଶରୀ ସେନାପତି 10:38 pm
ସାଥୀ
ଜୀବନରେ ଅନେକ ଲୋକ ଥା'ନ୍ତି, ଯେଉଁମାନେ ଏକୁଟିଆ ଚାଲିବା ଶିଖିନଥାନ୍ତି । ସେମାନେ ସଦାସର୍ବଦା କାହାର ନା କାହାର ହାତ ଧରି ବାଟ ଚାଲୁଥାନ୍ତି । ଆଉ ବି କେହି କେହି ଅଛନ୍ତି, ସେମାନେ କୌଣସି ଲୋକର ହାତ ନ ଧରି ଏକୁଟିଆ ଚାଲିବା ଶିଖିଥାନ୍ତି । ସେମାନେ ତାଙ୍କ ପାଇଁ ସବୁକିଛି ଏକୁଟିଆ ନିର୍ଦ୍ଦାରଣ କରିଥାନ୍ତି, ସବୁବେଳେ ଏକା ଏକା ରହିବାକୁ ପସନ୍ଦ କରନ୍ତି, କାହା ସ‌ହ ବେଶି ମିଶନ୍ତିନି । ଆଉ ବି କିଛି ଅଛନ୍ତି ସେମାନେ ଏକା ଏକା ବଢ଼ିଛନ୍ତି, ମାତ୍ର ସାଥୀଟିଏ ଖୋଜି ବୁଲନ୍ତି ଆଗକୁ ବଢ଼ିବାକୁ । ହେଲେ ସବୁବେଳେ କ'ଣ ସଭିଙ୍କୁ ସାଥିଟିଏ ମିଳିଥାଏ କି?

ବାବା ଆଖଣ୍ଡଳମଣୀଙ୍କର ଘର୍ଷଣ

ସଂଗ୍ରାମ କେଶରୀ ସେନାପତି 9:05 pm
ବାବା ଆଖଣ୍ଡଳମଣୀଙ୍କର ଘର୍ଷଣ
ଦେଶୀ ଗାଈର ଦୁଧ, ଘିଅ, ଦହି, ମହୁ ଓ ଶର୍କରା (ତୁଳସୀ) ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣକୁ ପଞ୍ଚାମୃତ କୁହାଯାଏ । ପଞ୍ଚାମୃତର ମହତ୍ଵ ପଞ୍ଚଗବ୍ୟ ସହ ସମାନ ଅଟେ । ପଞ୍ଚାମୃତ ହିନ୍ଦୁ ସଂସ୍କୃତିରେ ବିଭିନ୍ନ ଧର୍ମକାଣ୍ଡରେ ବ୍ୟବହୃତ ହୁଏ । ଏଥିରେ ଦୁଧ, ଘିଅ, ତୁଳସୀପତ୍ର ତଥା ଗଙ୍ଗାଜଳ ମଧ୍ୟ ମିଶୁଥିବାରୁ ଏହା ଅମୃତ୍ୟ ତୁଲ୍ୟ ହୋଇଥାଏ । ଏ ସଂସାରରେ ଯେତେ ରସାୟନ (ଟନିକ୍) ଅଛି ତା ମଧ୍ୟରେ ପଞ୍ଚାମୃତ ହେଉଛି ଅଳ୍ପ ମୂଲ୍ୟରେ ପ୍ରସ୍ତୁତ ହେଉଥିବା ଅତି ଉତ୍କୃଷ୍ଟ ରସାୟନ । ଏହି ପଞ୍ଚାମୃତ ସକରାତ୍ମକ ଶକ୍ତି ଧାରଣ କରୁଥିବାରୁ ଦେବଦେବୀ ପୂଜା ପୂର୍ବରୁ ସେ ସ୍ଥାନରେ ଏହାକୁ ପ୍ରସ୍ତୁତ କରି ରଖାଯାଏ ।

Saturday 18 February 2017

ବଡ଼ି

ସଂଗ୍ରାମ କେଶରୀ ସେନାପତି 8:33 pm
ବଡ଼ି
ବଡ଼ି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ଏହା ବଟା ବିରିରେ ମସଲା ମିଶେଇ ତାହାକୁ ଖରାରେ ଶୁଖାଇ ତିଆରି କରାଯାଏ । ଶୁଖିଲା ବଡ଼ିକୁ ସାଇତି ରଖି ପରେ ଭାଜି ବିଭିନ୍ନ ତରକାରିରେ ପକାଇ କିମ୍ବା କେବଳ ଚୁରି ଖିଆଯାଇଥାଏ । ବଡ଼ି ଓଡ଼ିଶା ସମେତ ବିହାର, ପଶ୍ଚିମ ବଙ୍ଗଳା ଆଦି ରାଜ୍ୟରେ ମଧ୍ୟ ଖିଆଯାଇଥାଏ । ବଡ଼ି ବେସର, ଶାଗ ଖରଡ଼ା, ଭଜା, ଖଟା, ସନ୍ତୁଳା ଆଦିରେ ପଡ଼ିଥାଏ ।

ଅନ୍ତର ବେଦନା

ସଂଗ୍ରାମ କେଶରୀ ସେନାପତି 8:08 pm 0
ଅନ୍ତର ବେଦନା
କ'ଣ କରିବି, ଇଏ ପରା ଏମିତି କଥା, ନା କାହାକୁ କ‌ହିହୁଏ ନା ସ‌ହିହୁଏ । ତା'ପରେ ବି ସବୁ ଭୁଲ ହିଁ ଆମର କାରଣ ଆମେ ଆମ ନିଜ ସମୟକୁ ନଷ୍ଟ କରି ସେମାନଙ୍କ ସ‌ହ ମିଶିଛୁ, ଆମେ ସେମାନଙ୍କୁ ଆମର ନିଜର ବୋଲି ଭାବିଛୁ । ସେମାନଙ୍କର ସାମାନ୍ୟ ସମସ୍ୟାକୁ ଆମେ ଆମର ବୋଲି ଭାବି ସମାଧାନ କରିଛୁ । ନିଜ କଥା ଭୁଲି ସେମାନଙ୍କ କଥା ଅଧିକ ଭାବିଛୁ । ନିଜକୁ ଯେତେ କଷ୍ଟ ହେଲେ ବି ସେ କଥା ଆମେ ସେମାନଙ୍କୁ ଜଣେଇବାକୁ ଦେଇନାହୁଁ । ଏବେ ଯଦି ଆମେ ଆମର କିଛି ଅତି ଦରକାରୀ କାମ ପାଇଁ କିଛି ସମୟ ଅନ୍ୟଆଡ଼େ ବ୍ୟସ୍ତ ରହୁଛୁ ତ ଆମେ ହିଁ ସ୍ୱାର୍ଥପର ହେଇଯାଉଛୁ, ଆମେ ଆଉ ସେମାନଙ୍କ କଥା କେବେ ଭାବୁନୁ, ସେମାନଙ୍କ ପାଇଁ କେବେ କିଛି କରୁନୁ । ଯଦି ଆମେ ପାଖରେ ପଇସା ଥିବା ବେଳେ ଆମେ କାହାକୁ ସାହାଯ୍ୟ କରୁଛୁ, ତା'ର ମାନେ ନୁହେଁ ଯେ ଆମେ ଭିକମାଗିକି ସେମାନଙ୍କୁ ସବୁଦିନେ ସାହାଯ୍ୟ କରିବୁ ।

ଜୀବନରେ ଏଇ ଭିତରେ ଅନେକ କିଛି ଘଟି ଗଲାଣି । ପୁରୁଣା ଖୁସି ସବୁ କୁଆଡ଼େ ହଜି ଗଲାଣି । ଆଜି ଗୋଟେ ବଡ଼ ହାସ୍ୟାତ୍ମକ କାର୍ଯ୍ୟକ୍ରମ ଦେଖିଲା ପରେ ଆଉ ହସ ବାହାରୁନି, ଖାଲି ବାହାରୁଛି ଅନ୍ତର୍ଜ୍ୱାଳା ଆଉ ସେ ସଭିଙ୍କ ଆଗରେ ମିଛିମିଛିକା ହସ । ଖୋଜିଲେ ବି ମିଳୁନି ସେ ପୁରଣାଦିନ । ଜଣାନାହିଁ ସତେ ଲାଗିଗଲା ଏଇଠି କାହା ନ‌ଜର । କିଏ ସେ ଭାଙ୍ଗିଦେଲା ସେହି ସ୍ୱପ୍ନସାଗର । କେବେ କେବେ ଦିନ ଥିଲା ଯିଏ ଆମ ପାଇଁ ବ‌ହୁତ ଖୁସି ହେଉଥିଲା, ଆଜି ସେ ହିଁ ଆମର ଉପସ୍ଥିତିକୁ ଏକ କେଉଁ ବଡ଼ ଭୁଲର ପାପ ବୋଲି ଭାବୁଛି । ତ‌ଥାପି ଚାଲିଛି ଏଇ ଜୀବନ । ସବୁକଛି ଜାଣିବା ପରେ ବି ସେ ସବୁକୁ ନିଜ ଭିତରେ ଚାପି ରଖିବାକୁ ପଡ଼ୁଛି । କାରଣ ଏହି ସବୁ ପରା ଆମର ସ୍ୱ-ଅର୍ଜିତ କର୍ମର ଫଳ । ସବୁ ଜାଣିବା ପରେ ବି ନିଜର ଅଭିଜ୍ଞନ ନିଜର କରିବାକୁ ନିଆଁରେ ପାଦ ରଖି ଆଜି ଜୁଇରେ ଜଳିଗଲି ବୋଲି ବାହୁଲ୍ୟ ।

ଦିନ ଥିଲା ଆମ ପାଖରେ ଅନେକ ସମୟ ଥିଲା, ଆମେ ସବୁବେଳେ ସେମାନଙ୍କ କଥା ବୁଝିବାରେ ସକ୍ଷମ ଥିଲୁ । ହେଲେ ସମୟ ବଦଳିବା ସ‌ହ ସମୟର ପରିମାଣ ମଧ୍ୟ କମିବାରେ ଲାଗିଛି । ଜୀବନରେ କିଛି କରିବାରେ କି କେଉଁ ସ୍ଥାନରେ ନିଜକୁ ପ୍ରତିଷ୍ଠିତ କରିବାରେ ସମୟ ତ ଆସିଛି । ହେଲେ ସେ ସବୁ କାର୍ଯ୍ୟକୁ ଛାଡ଼ି କ'ଣ କେବେଳ ଜଣଙ୍କ ଖୁସି ପଛରେ ଧାଇଁ ହେବ କି? ଆଗରୁ ମଧ୍ୟ ଜଣାଇଥିବା ସେହି ଗୋଟିଏ କଥାକୁ ଧରି ରଖିବା ନେଇ ସବୁଦିନେ ଦୋଷ ଦେବା କ'ଣ ଠିକ ହେବ? ଆଉ ବାକି ସବୁକିଛିକୁ ଧୂଳିସାତ୍ କରି କ'ଣ ଗୋଟିଏ କାମରେ ଲାଗିହେବ କି? ଆମ ଜୀବନରେ ମଧ୍ୟ ଅନେକ ଅଛନ୍ତି, ଯାହାଙ୍କୁ ଆମର ମଧ୍ୟ ଦରକାର ଅଛି । ସେମାନଙ୍କ ପାଇଁ ସମୟ ନ ଦେଇକି କେବଳ କ'ଣ ଜଣଙ୍କୁ ସମୟ ଦେଇ ହେବ କି? କେଜାଣି କାହିଁକି ସେମାନେ ଏଇ ସାମାନ୍ୟ କଥାସବୁକୁ ବୁଝିପାରନ୍ତିନି । ଆଉ ବି କେବେ କେବେ ହେଉଛି ସେହି ସମାନ କଥା ବାରମ୍ବାର ଦୋହରାଇବା ଫଳରେ ମନରେ ଅନେକ ଆଶଙ୍କା ସୃଷ୍ଟିହେବା ସ‌ହ ଅନେକ ସମୟରେ ସେଥିପ୍ରତି ଘୃଣାଭାବ ସୃଷ୍ଟି ହୁଏ । ଆଉ କେହି କେହି କୁହ‌ନ୍ତିକି କିଛି ଲୋକ ବଦଳିଯାଆନ୍ତି । ହଁ ବଦଳନ୍ତି, ହେଲେ କେଉଁସବୁ କାରଣ ପାଇଁ ସେମାନେ ବଦଳୁଛନ୍ତି ସେ କଥାକୁ ମଧ୍ୟ ନ‌ଜର ଦେବାକୁ ପଡ଼ିବ । ସବୁଲୋକ ବଦଳିଥାନ୍ତି ଆଉ କାହାକୁ ନିଜକୁ ସେମାନଙ୍କ ବଦଳିବା ଗୁଣ‌ଟା ଦେଖାଯାଏନି, କାରଣ ଆମ ମନରେ ସବୁବେଳେ ଥାଏ କି ଆମେ ଯାହା କରୁଛୁ କି ଭାବୁଛୁ ତାହା ହିଁ ସବୁବେଳେ ଠିକ୍ । ସେଇଥିପାଇଁ ତମମାନଙ୍କରେ ବଦଳୁଥିବା ସ୍ୱଭାବ ତମ ନିଜକୁ ଦେଖାଯାଏନି ଆଉ ଖାଲି ଆମର ବଦଳିବା ତମମାନଙ୍କୁ ଦେଖାଯାଏ । ସମୟ ବଦଳୁଥାଏ ଆଉ ଯଦି ସମୟାନୁସାରେ ତମେମାନେ ବଦଳିପାରିଲନି ତ ଭୁଲ ହେବ କାହାର?

କୌଣସି ଗୋଟିଏ ସମ୍ପର୍କ‌କୁ ସୁଚାରୁରୂପେ ନିଭେଇବାକୁ ହେଲେ ଉଭୟଙ୍କୁ ସମାନ ତ୍ୟାଗ ବା ବଳୀଦାନ ଦେବାକୁ ପଡ଼ିଥାଏ । ଯେଉଁ କଥାକୁ ନେଇ ଝଡ଼ ସୃଷ୍ଟି ହେଉଛି, ସେ ସବୁକୁ ମିଳିମିଶିକି ସମାଧାନ କରିବା ପରିବର୍ତ୍ତେ ଅନ୍ୟର ଦୋଷ ବାଛି ବସିଲେ ସେ ସମ୍ପର୍କରେ ଆଉ କିଛି ରହେ ନାହିଁ । ହଁ କିଛି ବିଦ୍ୱେଶଭାବ ହିଁ ବଳିପଡ଼ିଥାଏ । ମୋର ସ୍ୱମତ ହେଉଛି କି ଯଦି ଗୋଟିଏ ପରିବାର ମିଳିମିଶି ଶାନ୍ତିର ରହିପାରୁନାହିଁ ବରଂ ଏକୁଟିଆ ରହିବାରେ ଅଧିକ ଶାନ୍ତି ରହୁଛି ଏବଂ ସୁଚାରୁରୂପେ ସମଗ୍ର ପରିବାର ଚଳିପାରୁଛି, ତେବେ ଏକୁଟିଆ ରହିବା ହିଁ ଯଥାର୍ଥ । ଆଉ ଯଦି ତମେ କାହା ସ‌ହ ଚଳିପାରୁନ, ତା'ର କୌଣସି ନିର୍ଦ୍ଧିଷ୍ଟ ଗୁଣ ତମକୁ କଷ୍ଟ ଦେଉଛି, ତ ସେଭଳି ସମ୍ପର୍କ କେବେ ସୁରୁଖୁରୁରେ ଚାଲିପାରିବ ନାହିଁ । ଜୀବନରେ ଆଗକୁ ବଢ଼ିବାକୁ ହେଲେ ଦୁଇଟିଯାକ ପାଦକୁ ସମାନ କାର୍ଯ୍ୟ କରିବାକୁ ପଡ଼ିଥାଏ ଏବଂ ଏକା ଦିଗରେ ଗତି କରିବାକୁ ପଡ଼ିଥାଏ । ଯଦି ଉଭୟ ପାଦ ବିପରୀତ ଦିଗରେ ଗତିକରିବେ ତ ଜୀବନରେ ଆଗକୁ ଯିବା ପରିବର୍ତ୍ତେ ଜୀବନ ସେହିଠାରେ ହିଁ ଅଟକି ଯାଏ । ଆଉ ସମ୍ପର୍କ‌କୁ ସୁଚାରୁରୂପେ ତୁଲାଇବାକୁ ହେଲେ ଖାଲି ଜଣକୁ ହିଁ ଅବୁକିଛିକୁ ବୁଝିବାକୁ ପଡ଼ିବ, ତାହା ନୁହେଁ । ଉଭୟଙ୍କୁ ସେ ପ୍ରତି ନ‌ଜର ଦେବାକୁ ପଡ଼ିଥାଏ ।

ଆଉ କେବେ କାହା ସ‌ହ ମିଶିବା ବେଳେ କାହାର କୌଣସି ଉପଦେଶକୁ ନିଜ ସ‌ହ ଭଲଗୁଣ ଭାବି ତୁଳନା କରିବା ହିଁ ସବୁଠାରୁ ବଡ଼ ଭୁଲ । କେବେ କେବେ କାହା କଥା ଆମକୁ ବି ଭଲ ଲାଗିଥାଏ ଏବଂ ଆମର ସେତେବେଳର ଚିନ୍ତାଧାରା ସ‌ହ ସେହି କିଛିଟା କଥା ମିଶିଗଲେ ସାରା ଜୀବନ ସେହି କଥା ସବୁ ଘଟିବ କି ସବୁ ତା' ସ‌ହ ମିଶିବ ବୋଲି କ'ଣ ମାନେ ଅଛି? ତମେମାନେ ଯଦି ଅଧିକ ଲୋକଙ୍କ ସ‌ହ ନ ମିଶିବ, ଅଧିକ ଲୋକଙ୍କ ସଶ୍ପର୍ଷରେ ନ ଆସିବ ତ ସେ ଦୁନିଆରେ ଥିବା ଜିନିଷ ବିଷୟରେ ଜାଣିବ କେମିତି? କେବେ କେବେ କାହାର କିଛି ଗୁଣ ବିଷୟରେ ତମେ ଯଦି ନୂଆ କରି ଜାଣିଲ, ତ ଦେଖ ଆଉ କାହା ପାଖରେ ସେହିପରି କିଛି ଗୁଣ ଅଛି କି? କେବେ କେବେ କାହା ସ‌ହ ମିଶିବା ପରେ ବି ଏଇ ଦୁନିଆ ଆଉ ନିଜ ବିଷୟରେ ବି ଅନେକ କିଛି ଗୁମର କଥା ଜାଣିବାକୁ ମିଳିଥାଏ । ସେ ସମୟରେ ସେ ସବୁ ନିରାଟ ସତ୍ୟକୁ ମାନିନେବାକୁ ପଡ଼ିଥାଏ । କିନ୍ତୁ ଯିଏ ସେ ବିଗତ ଦିନରେ ଘଟିଥିବା ଘଟଣାକୁ ଧରି ବର୍ତ୍ତମାନ‌କୁ ଆଖି ବୁଜିଦିଏ, ସେ ହିଁ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବା ଭଳି କରିଥାଏ । ସବୁବେଳେ ନିଜ ପାଇଁ ଭଲ ଜିନିଷ‌ଟିଏ ଖୋଜିବାକୁ ପଡ଼ିନଥାଏ, କେବେ କେବେ ସେହି ସବୁ ଜିନିଷକୁ ସୁଧାରିବାକୁ ପଡ଼ିଥାଏ । ମାତ୍ର ଯେଉଁ ଜିନିଷକୁ ସୁଧାରିବାରେ ଅଧିକ ପରିଶ୍ରମ ଥାଏ ସେହି ସମୟରେ ସେ ସବୁକୁ ତ୍ୟାଗ କରିବା ଉଚିତ ହୋଇଥାଏ ।

Friday 17 February 2017

ସମସ୍ୟା

ସଂଗ୍ରାମ କେଶରୀ ସେନାପତି 11:26 am
ସମସ୍ୟା
ସମସ୍ୟା ଆମ ଜୀବନର ଏକ ସତ୍ୟ ଅଟେ । କିଏ ଏହି କଥାକୁ ବୁଝିଯାଏ ତ ପୁଣି କିଏ ସାରା ଜୀବନ ଏହି ସମସ୍ୟା ବିଷୟରେ ଭାବି ଭାବି କାନ୍ଦୁଥାଏ । ଜୀବନର ପ୍ରତ୍ୟେକ ମୋଡ଼ରେ ଆମର ସମସ୍ୟା(Problems) ସ‌ହ ଆମ୍ନାସାମ୍ନା ହୋଇଥାଏ । ସମସ୍ୟା ବିନା ଜୀବନର କଳ୍ପନା କରାଯାଇପାରେ ନାହିଁ ।

Thursday 5 January 2017

ନାରୀ

ସଂଗ୍ରାମ କେଶରୀ ସେନାପତି 11:48 am
ନାରୀ
କାହିଁ କେଉଁ ଆବାହ‌ମାନ କାଳରୁ ନାରୀକୁ ଆମେ ଆଦି ଶକ୍ତି ରୂପେ ପୂଜା କରି ଆସୁଛେ । ଆମେ ସଭିଏଁ ଜାଣିନ୍ତି ଯେ, ନାରୀ ହିଁ ହେଉଁ ଆମ ସଭିଙ୍କର ସୃଷ୍ଟିକାରୀ ଆଉ ସେ ବି ଦରକାର ପଡ଼ିଲେ ସାଜିଥାଏ ସଂହାରକାରୀ । ଯେତେବେଳେ ଦୁନିଆରେ ପାପର ଭାର ବଢ଼ିଯାଇଥିଲା ସେତେବେଳେ ବି ସେହି ଅତ୍ୟାଚାରୀ ଅସୁର ମହିଷାସୁରକୁ ବଦ୍ଧ କରିବାକୁ ଦେବୀ ଦୁର୍ଗାଙ୍କର ଆବାହ‌ନ କାରାଯାଇଥିଲା । ନାରୀ ଶକ୍ତି ବିଷୟରେ ସଭିଙ୍କୁ ମନେ ପକାଇଦେବା ପାଇଁ ଆମେ ସବୁବେଳେ ଦୁର୍ଗାପୂଜା ଏବଂ କାଳୀପୂଜା ବ‌ହୁ ଆଡ଼ମ୍ବର ସ‌ହ ପାଳନ କରିଆସୁଛୁ ।

Sunday 1 January 2017

ଆଦି ଅନ୍ତ

ସଂଗ୍ରାମ କେଶରୀ ସେନାପତି 8:36 pm
ଆଦି ଅନ୍ତ
କେମିତି ହୁଏ, କାହିଁକି ହୁଏ?
ଜଣା ନାହିଁ, ବାସ୍ ହେଉ ହେଉ ହେଇଯାଏ ।

ହେଇଗଲା ପରେ କ'ଣ ହୁଏ?
କ'ଣ ଆଉ ହେବ, ଯାହା ଆଶା ନ ଥାଏ ସେଇଆ ହୁଏ ।