ଅସରନ୍ତି କଥା- ୨ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Saturday 9 June 2018

ଅସରନ୍ତି କଥା- ୨

ଆଜି ସକାଳୁ ସକାଳୁ ଟିକେ ଶୀଘ୍ର ନିଦ ଭାଙ୍ଗିଗଲା । ସକଳାର ସେ ସତେଜ ଖରା ଛୁଇଁ ଦେଇଗଲା ମୋ ଦେହକୁ । ଚାହା କପଟିକୁ ହାତରେ ଧରି ସକାଳର ଖବରକାଗଜଟିକୁ ଦେଖିବାରେ ଲାଗିଲି । ରବିବାର, ତେଣୁ କଲେଜ ବି ଛୁଟି । ଅବଶ୍ୟ କେବେ କେବେ ପୂର୍ବରୁ ରବିବାରରେ ମୋତେ କଲେଜ ଯିବାକୁ ପଡ଼ୁଥିଲା । କେବେ ଏକ୍ସଟ୍ରା କ୍ଲାସ ନେବାକୁ ହୁଏ ତ' ପୁଣି କେବେ ପଢ଼େଇବା ଉପରେ କିଛି ପ୍ରଶିକ୍ଷଣ ତ‌ଥା ନୂଆ ନୂଆ କିଛି ଶିଖିବାକୁ ଯିବାକୁ ପଡ଼େ ।


ଏଇ ସକାଳୁ ଉଠି ଚାହା ପିଇବା, ଚାହା ପିଉପିଉ ଖବରକାଗଜ ପଢ଼ିବା, ରବିବାରରେ ବି ଏକ୍ସଟ୍ରା କ୍ଲାସ କରିବା ଏହିସବୁ ଅଭ୍ୟାସ ପ୍ରକୃତରେ ମୋର କଲେଜବେଳୁ ହେଇଯାଇଛି । ସେତେବେଳେ କିନ୍ତୁ ଏବେ ପରି ଏକା ରହୁନଥିଲି । ସେବେ କେତେବେଳେ ହଷ୍ଟେଲରେ ତ ଆଉ କେବେ ମେସ୍‌ରେ ସାଙ୍ଗମାନେ ମିଶିକି ରହୁଥିଲୁ । ଦୁଇ ଦିନ ଛୁଟି ମିଳିଲେ, କିଛି ବାହାନା କରି ସେତେବେଳେ ଘରକୁ ପିଲାବେଳେ ପଳେଇଲେ ବି ମୋ ସ‌ହ କେହି ନା କେହି ହଷ୍ଟେଲରେ ରହୁଥିଲେ । ଧୀରେ ଧୀରେ ସମୟ ସ‌ହ ସେ ସବୁ ବଦଳିଲା ଆଉ ଏକୁଟିଆ ରହିବାଟା ଅଭ୍ୟାସ କରିବାକୁ ପଡ଼ିଲା ।

ଏଇଠିକି ଆସିଲା ପରେ ମୁଁ ଏକା ରହୁନି, ତା' ଆଗରୁ ବରଂ ଏହା ଆରମ୍ଭ ହେଇଥିଲା, ଯେଉଁଦିନ ମୋର ମଧୁ ସ‌ହିତ ଝଗଡ଼ା ହୋଇଥିଲା । ମଧୁ, ସେ କଲେଜବେଳେ ମୋର ସବୁଠାରୁ ଭଲ ସାଙ୍ଗ ଥିଲା । ଦୁହେଁ ଏକାଠି ରହୁଥିଲୁ ଗୋଟିଏ ରୁମ୍‌ରେ ଆଉ ସବୁବେଳେ ସାଙ୍ଗ ହୋଇ ସବୁ କାମ କରୁଥିଲୁ । ପିଲାଦିନରୁ ହେଇ ଆସିଥିବା ସବୁ ସାଙ୍ଗ ଭିତରୁ ସେ ସମ୍ପୂର୍ଣ୍ଣ ଅଲଗା ଥିଲା । ସବୁବେଳେ ମୋ ମାଆ ଭଳି ମୋର ଯତ୍ନ ବି ନେଉଥିଲା । ତେଣୁ ମୋତେ ସେ ହଷ୍ଟେଲଟା ବି ଘର ଭଳି ଲାଗୁଥିଲା । ସେଇଥିପାଇଁ ତ ଅଳ୍ପଦିନ ଛୁଟି ହେଲେ ମୁଁ ଘରକୁ ଯିବାକୁ ମନ କରେନି । ହଷ୍ଟେଲରେ କେହି ନ ଥିଲେ ବି ମଧୁ ମୋ ସ‌ହ ରହୁଥିଲା ।

ଛୁଟିରେ ସବୁ ଘରକୁ ଚାଲିଗଲେ ଆମେ ଦୁହେଁ ଏକାଠି ବ‌ହୁତ ମଜା କରୁଥିଲୁ, ନିଜେ ନିଜେ ରୋଷେଇ କରିବା ପାଇଁ ଚେଷ୍ଟା କରୁଥିଲୁ । ପ୍ରକୃତରେ ସେଇଟା ରୋଷେଇ କରିବା ନଥିଲା, ସେଇଟା ଥିଲା ରୋଷେଇ ଶିଖିବା । ରାତିରେ ଅନ୍ଧାର କରି ମହମ‌ବତୀ ଲଗେଇ ଜଣେ ଭୂତ କାହାଣୀ ପଢ଼େ ଆଉ ଆରକ ତାକୁ ଶୁଣେ । ଏମିତି ଭିତରେ ଚାଲିଥିଲା ଆମର ସେ ମଧୁର ସମ୍ପର୍କ । କିନ୍ତୁ ସେହି ସମ୍ପର୍କ ମଝିରେ ପଶିଆସିଲା ଦିନେ ଗୋଟିଏ ଉଲ୍କାପିଣ୍ଡ, ସୁଶାନ୍ତ । ଉଲ୍କାପିଣ୍ଡ ଯେତେବେଳେ ଆସେ ଏକ ବ‌ହୁତ ବଡ଼ ଆଲୋକ ଆଣିଦିଏ । ସମସ୍ତଙ୍କୁ ଦେଖିବାକୁ ବ‌ହୁତ ଭଲ ଲାଗେ, କିନ୍ତୁ ପାଖକୁ ଗଲେ ସେ ଜାଳିପୋଡ଼ି ପାଉଁଶ କରିଦିଏ ।

ସୁଶାନ୍ତ ଅବଶ୍ୟ ଆମର କ୍ଲାସମେଟ ନ ଥିଲା, ସେ କିନ୍ତୁ ଥରେ କ'ଣ ଗୋଟିଏ ସାହାଯ୍ୟ ପାଇଁ ଆମ ପାଖକୁ ଆସିଥିଲା, ସେତେବେଳେ ମଧୁ ଆଉ ମୁଁ ଲାଇବ୍ରେରୀରେ ବସି ପଢ଼ୁଥିଲୁ । ପିଲାଟି ଦେଖିବାକୁ କିଛି ଖରାପ ନ ଥିଲା ଏବଂ ସ୍ୱଭାବରେ ସେମିତି କିଛି ଖରାପ ନ ଥିଲା । ତା'ର ସେ ନମ୍ର, ଶିଷ୍ଟ ଓ ଭଦ୍ର ବ୍ୟବ‌ହାର ଦେଖି ଆମେ ତାକୁ ଅବଶ୍ୟ ସାହାଯ୍ୟ କରିଥିଲୁ । ଧୀରେ ଧୀରେ ସମୟାନୁକ୍ରମେ ସେ ଆମ ସ‌ହ ଅଧିକ ମିଶିବା ଆରମ୍ଭ କରିଦେଲା । କେତେବେଳେ ଲାଇବ୍ରେରୀରେ ତ କେତେବେଳେ ବାହାରେ ସେ ଆମସ‌ହ ସାଙ୍ଗ ହୋଇ ବୁଲେ । ସୁଶାନ୍ତର କିନ୍ତୁ ଗୋଟିଏ ଗୁଣ ଆମ ଦୁହିଁଙ୍କୁ ସବୁଠାରୁ ଭଲ ଲାଗିଲା, ସେ କେବେ କେତେବେଳେ କାହାକୁ ଅସୁବିଧାରେ ପଡ଼ିବାକୁ ଦିଏନାହିଁ । ଏମିତି ସମୟ ଆସିଗଲା ଯେଉଁଦିନ ଆମେ ସୁଶାନ୍ତ ସ‌ହ କଥା ହେଉନଥିଲୁ, ଆମ ଦୁହିଁଙ୍କୁ ଭଲ ଲାଗୁନଥିଲା ।

ସକାଳର ପ୍ରଥମ ଚାହା କପଟି ମୋର ଖାଲି ହୋଇଗଲା, କିନ୍ତୁ ଖବରକାଗଜ ଆଡ଼େ ଥରେ ବି ନ‌ଜର ଯାଇନଥିଲା । କେଜାଣି କାହିଁକି ଆଜି ମଧୁ କଥା ମୋର ବ‌ହୁତ ମନେ ପଡ଼ୁଥିଲା । ଜଣାନାହିଁ ସେ କେମିତି ଅଛି, କୋଉଠି ଅଛି ଆଉ କ'ଣ କରୁଛି । କିନ୍ତୁ ସେଦିନର ସେ ଝଗଡ଼ା ପରେ ମୁଁ ଥରୁଟିଏ ତା'ଆଡ଼େ ବି ଅନେଇନାହିଁ । ହେଲେ ଏତେଦିନ ପରେ ହଠାତ କାହିଁକି ତା' କଥା ମନେ ପଡ଼ୁଛି ମୋତେ ଜଣା ନାହିଁ ।


No comments:

Post a Comment