October 2017 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Sunday 29 October 2017

ଶତାବ୍ଦୀର ଶେଷ ପ୍ରଳୟ

ସଂଗ୍ରାମ କେଶରୀ ସେନାପତି 3:06 pm 0
ଶତାବ୍ଦୀର ଶେଷ ପ୍ରଳୟ

୧୯୯୯ ମହାବାତ୍ୟାକୁ ଆଜି ୧୮ ବର୍ଷ ପୁରିଗଲା । ସେଦିନର ସମ୍ପୂର୍ଣ୍ଣ ଘଟଣାକ୍ରମ ମୋତେ ମନେନଥିଲେ ବି କିଛି କିଛି ମନେ ଅଛି ।

ସଦ୍ୟ ଦୁର୍ଗାପୂଜା ଶେଷ ହୋଇଥାଏ । ଆମ ଘରେ ମାଆ, ବାପା, ମୁଁ, ଆମ ଝିଅ କଥା କ‌ହିବା ବି ଶିଖିନଥିଲା । ମୋର ଜଣେ ମାଉସୀ ଆଉ ତା' କୁନି ଝିଅ ଆମ ଘରେ ଥିଲେ । ବାତ୍ୟା ଆରମ୍ଭରେ କ'ଣ ଆଉ କେମିତି ଥିଲା ସେ ବିଷୟ ମୋତେ ଜଣାନାହିଁ । ଆମର ଘରକୁ ଲାଗି ଗୋଟେ ଲମ୍ବଦାଣ୍ଡି ଘର ଥିଲା । ସେଇଠି ଗୋଟେ ପଟେ ରୋଷେଇ ଘର ଓ ଅନ୍ୟପଟେ ଗୁହାଳ ଥିଲା । ସକାଳୁ ଉଠିଲାବେଳକୁ ସେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ବାପା ରାତିରେ ଗାଈଦୁଇଟିଙ୍କୁ ବାଛୁରୀ ସ‌ହ ଆଉ ଗୋଟିଏ ଘରକୁ ଆଣିଦେଇଥିଲେ । ଏକୁଟିଆ ସେ ସବୁତକ ଜିନିଷ ରୋଷେଇ ଘରୁ ଆଣିପାରିନଥିଲେ । ଭାଗ୍ୟ ଭଲ ଥିଲା, ରୋଷେଇ ଘରେ ଥିବା ଚାଉଳବସ୍ତା ସବୁ ଆମ ଶୋଇଲା ଘରକୁ କିଛିଦିନ ଆଗରୁ ଆଣିଦେଇଥିଲେ ।

ସେତେବେଳେ ଆମ ଗାଁରେ ବିଜୁଳି ଆଲୁଅ ନଥିଲା, ତେଣୁ ବାତ୍ୟା ବିଷୟରେ ସତେ ଜ୍ଞାନ କାହାକୁ ମିଳିପାରିନଥିଲା । ଅନେକଙ୍କର ଘର ଭାଙ୍ଗିଗଲା, ସବୁଗଛ ଉପୁଡ଼ି ପଡ଼ିଥିଲା । ଆମର ଶୋଇବା ଘରକୁ ଛାଡ଼ିଦେଲେ ଆମର ଆଉ ଘର ନଥିଲା । ଅନ୍ୟଘରଟିରେ ଗାଈମାନେ । ସେଇ ଗୋଟିଏ ଘରେ ରୋଷେଇ ଠାରୁ ଆରମ୍ଭ କରି ସବୁକିଛି । ସେତେବେଳେ ଯାହାହେଉ ରେଡ଼ିଓ ଗୋଟିଏ ଥିଲା, ସେ ଥିଲା ଆମ ସଭିଙ୍କର ସାହାଭରଷା । ବାଡ଼ିରେ ଥିବା ସବୁଯାକ ଅମୃତଭଣ୍ଡା ଆଉ କଦଳୀଗଛ ଭାଙ୍ଗିଯାଇଥିଲା । ସେ ହିଁ ଥିଲା ଆମମାନଙ୍କର ଆହାର । ଆଖପାଖର ପଡ଼ୋଶୀଙ୍କର ବି ସମଦଶା । ଅନେକଙ୍କର ଘରେ ବି ପାଣିପଶିଯାଇଥିଲା । ବର୍ଷାଦିନ ହୋଇଥିବାରୁ ମାଛ ଧରିବା ପାଇଁ ଲୋକମାନେ କେନାଲଯାଏଁ ସବୁ ନାଳ କରିଥିଲେ ଆଉ ସେ ନାଳ ଦେଇ ପ୍ରାୟ ସବୁ ପାଣି ବାହାରିଗଲା । ତ‌ଥାପି ଅନେକ କିଛି କ୍ଷତି କରିଦେଇଥିଲା ।

ବାତ୍ୟା ଶେଷ ହେବା ପରେ ଅନେକ ରିଲିଫ୍ ଆସିଲା । ପିଲଥିନ୍‌ଠାରୁ ଆରମ୍ଭ କରି ଚୁଡ଼ାଗୁଡ଼ ଯାଏଁ ଆସିଲା । ବୋଧେ ସେତେବେଳେ ଆମେ ସବୁଠୁ ଅଧିକା ହେଲିକପ୍ଟର ଉଡ଼ିବା ଦେଖିଥିବୁ । ଦିନ‌କୁ ୪/୫ଟି ହେଲକପ୍ଟର ଆକାଶରେ ଉଡ଼ୁଥିଲା । ମହାବାତ୍ୟା ଶେଷରେ ଆମ ଗାଁରେ ବୋଧେ ସବୁଠୁ ଅଧିକ ମାଙ୍କଡ଼ମାନେ ମରିଯାଇଥିଲେ । ସେମାନେ ରହୁଥିବା ସବୁଯାକ ବଡ଼ ଗଛ ଉପୁଡ଼ି ପଡ଼ିଥିଲା । ଦୈବାତ୍ ଉପୁଡ଼ିଥିବା ଗଛଗୁଡ଼ିକ କାହାରି ଘର ଉପରେ ପଡ଼ି କାହାରି ଜୀବନ ନେଇନଥିଲା ।

ମହାବାତ୍ୟାକୁ ଅନେକ ଦିନ ହେଇଗଲାଣି, ତ‌ଥାପି ଲୋକଙ୍କ ମନରୁ ସେ କୋକୁଆ ଭୟ ଏବେଯାଏଁ ଯାଇନି । ଆଜିବି ଅକ୍ଟୋବର ୨୯ ଆସିଲେ ଲୋକମାନେ ଆଗାମୀ ୭ଦିନ ପାଇଁ ଖାଇବା ଜିନିଷ ଆଣି ଘର ରଖିଦେଉଛନ୍ତି । ଶତାବ୍ଦୀ ଏହି ଶେଷ ପ୍ରଳୟ ବିଗତ ଶତାବ୍ଦୀ ସବୁଠାରୁ ବଡ଼ ଭୟ ହୋଇ ଜାଗିରହିଛି ଲୋକଙ୍କ ମନରେ, ପ୍ରାଣରେ ।

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ୧୮ବର୍ଷ ପୂର୍ବର ସେଇ ଲୋମହର୍ଷଣକାରୀ ଦୃଶ୍ୟର ବାଲୁକାକଳା


Thursday 26 October 2017

ରଜ ହାଟ

ସଂଗ୍ରାମ କେଶରୀ ସେନାପତି 3:21 pm 0
ରଜ ହାଟ
ମୁଖ୍ୟତଃ ଗାଁମାନଙ୍କରେ ହାଟ ବସିଥାଏ । କେଉଁଠି କେଉଁଠି ସପ୍ତାହରେ ଥରେ ତ' ପୁଣି କେଉଁଠି ସପ୍ତାହରେ ଦୁଇଥର । ଗୋଟିଏ ନିର୍ଦ୍ଧିଷ୍ଠ ଜାଗା ଥାଏ, ଯେଉଁଠି ଆଖାପଖର କିଛି ଉଠାଦୋକାନୀମାନେ ଆସି ଦୋକାନ କରନ୍ତି । କେଉଁ କେଉଁ ହାଟ ସକାଳୁ ସଞ୍ଜ ଯାଏଁ ବସେ ଆଉ କେଉଁଠି ସଞ୍ଜବେଳିଆ ହାଟ ବି ବସେ । ଆମ ଗାଁଠାରୁ ଚାରି କିଲୋମିଟର ଦୂରରେ ଗୋଟେ ହାଟ ବସେ । ସେଇଟା ସପ୍ତାହରେ ଦୁଇଦିନ, ବୁଧବାର ଆଉ ରବିବାର ବସେ । ଆମର ଏହି ହାଟ‌ଟି ଦିନ ବେଳେ ହିଁ ବସେ । ସକାଳ ୮ଟାରୁ ଅପରାହ୍ନଯାଏଁ ହାଟରେ ଭିଡ଼ ଜମିଥାଏ । ନାନା ରକମର ଜିନିଷ ସବୁ ହାଟରେ ମିଳୁଥିବାରୁ ବ‌ହୁତ ଲୋକ ଭିଡ଼ ଜମେଇଥାନ୍ତି । ହାଟରେ ବିକ୍ରି କରିବା ପାଇଁ ବାହାରୁ ପରିବାଚାଷୀମାନେ ମଧ୍ୟ ପରିବା ଧରିକି ଆସିଥାନ୍ତି ।

ମୁଁ ଆଗରୁ ବ‌ହୁତ‌ଥର ହାଟକୁ ଯାଇଥିଲି । ବାପାଙ୍କ ସ‌ହିତ ପ୍ରାୟ ସବୁବେଳେ ଯାଏ । ଆମର କିଛି ପର୍ବପର୍ବାଣୀ (ରଜ, ଦୁତିବାହାନ, ପ୍ରଥମାଷ୍ଟମୀ, ବଡ଼ଓଷା) ସମୟରେ ହାଟରେ ପ୍ରବଳ ଭିଡ଼ ଲାଗିଥାଏ । ମୋର ଯେତେବେଳେ ଯୁକ୍ତ ଦୁଇ ସରିଲା, ସେହିବର୍ଷ ରଜ ପୂର୍ବଦିନ ବୁଧବାର ପଡ଼ିଥିଲା ଆଉ ହାଟ ବି ବ‌ହୁତ ଭିଡ଼ ଥିଲା । ସେଦିନ ବାପା ନ ଥିବାରୁ ହାଟ କରିବା ଦାୟିତ୍ୱଟା ମୋ ଉପରେ ପଡ଼ିଗଲା । ଅବଶ୍ୟ ଛୋଟବେଳୁ ମୁଁ ସବୁବେଳେ ତେଜରାତି ସଉଦା ଆଣୁଥିଲି, ହେଲେ ହାଟରୁ ପରିବା କିଣବାର ଜ୍ଞାନ ନ ଥିଲା । ତ‌ଥାପି ଚିରାଚରିତ ଢଙ୍ଗରେ ତିନୋଟି ବ୍ୟାଗ୍ ନେଇକି ସାଇକେଲଟା ଧରି ବାହାରିଗଲି । ଗଲାବେଳେ ମାଆ କ‌ହିଥିଲା ହାଟରେ ଯାହା ସୁବିଧା ଥିବା ଦେଖିକି ଆଣିବୁ । ମୁଁ ପଚାରିଦେଲି କି କ'ଣ କ'ଣ ଆଣିବା ଦରକାର । ସେ ସବୁ ପରିବା ନାଁ କ‌ହିଗଲା ଆଉ ତା' ଭିତରୁ ସୁବିଧା ଦେଖିକି ଆଣିବାକୁ କ‌ହିଲା । ମୁଁ ହାଟରେ ପ‌ହ‌ଞ୍ଚିଲାବେଳକୁ ବ‌ହୁତ ଭିଡ଼ ଲାଗିଯାଇଥିଲା । ହାଟରେ ଥିବା ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିଲେ ସେତେବେଳେ ପାଞ୍ଚଟଙ୍କା ପଡ଼ୁଥିଲା, ସେଥିପାଇଁ କିଛି ଦୂରରେ ଲୋକମାନେ ରଖିଥିବା ଜାଗାରେ ସାଇକେଲଟିକୁ ରଖିଦେଲି । ହାଟ ସଉଦା କରିବା ପାଇଁ ଗଲି । ମୋତେ ତ' ଦର କଷିବା ଜଣା  ନଥିଲା, ତେଣୁ ଆଖିରେ ଯାହା ଯାହା ପରିବା ପଡ଼ିଲା, ତାକୁ ସବୁତକ କିଣିଦେଲି । ତିନିଟା ଯାକ ବ୍ୟାଗ୍ ଭର୍ତ୍ତି ହେଇଗଲା ପରେ ଆଉ କିଛି କିଣିହେବନି ଭାବିକି ଫେରିଲି ।

ରଜ ପାଇଁ ଆଉ କିଛି ତେଜରାତି ସଉଦା ବି କିଣିବାର ଥିଲା, ହେଲେ ବ୍ୟାଗ୍ ନ ଥିବାରୁ ଆଉ ଗୋଟିଏ ବ୍ୟାଗ୍ କିଣିଲି । ହାଟର ଅନତି ଦୂରରେ ଥିବା ତେଜରାତି ଦୋକାନରୁ ସଉଦା କରିବାଟା ଭଲ ଭାବିଲି, କାରଣ ସବୁଯାକ ବ୍ୟାଗ୍‌କୁ ଆଉ କୋଉଠିକି ବୋହିକି ନେବା କଷ୍ଟ । ଚାରିଟା ବ୍ୟାଗ୍, ସବୁଯାକ ପୁଣି ଭର୍ତ୍ତି ହୋଇକି ଥାଏ । ତେଣୁ ସେ ତେଜରାତି ଦୋକାନରୁ ଛୋଟ ରଶି ଆଣିକି ଦୁଇଟା ପଛପଟ କେରିଅରରେ ଝୁଲେଇଲି । ଆଉ ଦୁଇଟି ଆଗରେ ଟଙ୍ଗେଇକି ଆଣିଲି । ପ୍ରବଳ ଖରାରେ ଏତେ ଜିନିଷ ନେଇକି ଘରକୁ ଆସିଲା ବେଳକୁ କିନ୍ତୁ ମୋତେ ଦେଖିକି ସବୁ ଆଶ୍ଚର୍ଯ୍ୟ । କାରଣ ମୁଁ ସେଦିନ ରଜ ପାଇଁ ୯୭୦ଟଙ୍କାର ପରିବା କିଣିଦେଇଥିଲି ଖାଲି । ପ୍ରକୃତରେ ମୁଁ କିଣିଲାବେଳେ ଟଙ୍କା ହିସାବ ନ କରିକି କିଣିଦେଲି, ଘରେ ପ‌ହ‌ଞ୍ଚିକି ହିସାବ କରିବାରୁ ଏତେ ଚାଲିଯାଇଛି ବୋଲି ଜଣାପଡ଼ିଲା । ଏହି କଥା ପବନ ବେଗରେ ଚାରିଆଡ଼େ ଖେଳିଗଲା, ତା' ପରେ ଜୁଆଡ଼େ ଗଲେ ସେମାନେ ମୋର ଏମିତି କଟାକ୍ଷ କଲେ କ‌ହିବାକୁ ନାହିଁ ।

Wednesday 25 October 2017

ପ୍ରଥମ ପିକ୍‌ନିକ୍

ସଂଗ୍ରାମ କେଶରୀ ସେନାପତି 1:20 am 0
ପ୍ରଥମ ପିକ୍‌ନିକ୍
ସମସ୍ତେ ପିକ୍‌ନିକ୍‌ରେ ପ୍ରାୟ ଯିବାକୁ ପସନ୍ଦ କରନ୍ତି । ମୁଁ ଯେବେ ପ୍ରଥମଥର ଯାଇଥିଲି, ସେ ବିଷୟରେ ମୋତେ ସେତେଟା ଧାରଣା ହିଁ ନାହିଁ । କାରଣ ମୋତେ ସେତେବେଳେ ୩ ବର୍ଷ ହେଇଥିଲା ବୋଧେ । ସେଇଟା ଥିଲା ମୋ ବାପାଙ୍କ ସ୍କୁଲ ପିଲାଙ୍କର ଶେଷ ପିକ୍‌ନିକ୍ ଆଉ ମୋର ପ୍ରଥମ । ସେତେବେଳେ ମୁଁ ସବୁବେଳେ ବାପାଙ୍କ ସ‌ହ ସବୁଆଡ଼େ ଯାଏ । ତାଙ୍କ ସ‌ହ ସ୍କୁଲକୁ ବି ଯାଏ । ଏମିତିକି ସେ ତାସ୍ ଖେଳିବାକୁ ଗଲାବେଳେ ମୁଁ ଯାଏ । ତା' ପରେ ଭାଇ ବି ଯାଉଥିଲା, ସେଇଥିପାଇଁ ମୁଁ ବି ଗଲି । ସେତେବେଳେ ମୋତେ ଖାଲି ବାପା, ବିଶୁଆ ଭାଇ (ସେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ପୁରୀରେ ପଢ଼ୁଥିଲା ସେତେବେଳେ ।), ନବଘନ ଭାଇ, ନାରଣ ସାର୍‌ଙ୍କ ବିଷୟରେ ହିଁ ମନେ ଅଛି । ଆମ ସ‌ହ ଆହୁରି ଅନେକ ଯାଇଥିଲେ ଅବଶ୍ୟ ।

ବସ୍‌ରେ ଗଲାବେଳେ ମୋତେ ବାନ୍ତି ହୁଏ, ସେଇଥିପାଇଁ ବୋଧେ ମୋତେ ବସ୍‌ରେ ଯିବା ଆଦୌ ମନେ ନାହିଁ । କାରଣ ବସ୍ ଚାଲିଲା ବେଳକୁ ମୁଁ ଶୋଇଯାଇଥିବି । ତ‌ଥାପି ଏବେ ବି କିଛି କିଛି ମନେ ଅଛି । ସେତେବେଳେ ଆମେ ପୁରୀ ଆଉ ଚିଲିକା ଯାଇଥିଲୁ । ପୁରୀ ମନ୍ଦିରକୁ ଯେତେବେଳେ ସମସ୍ତେ ଯାଇଥିଲେ, ମୁଁ ଯାଇନଥିଲି । ଜଣେ ସାର୍‌ଙ୍କ ସ‌ହ ମୁଁ ବାହାରେ ବୁଲାବୁଲି କରୁଥିଲି ବୋଲି ମୋର ମନେ ଅଛି । ସେତେବେଳେ ମୁଁ ପ୍ରଥମେ ଗୋଟିଏ ବାଇସ୍କୋପ୍ (କ୍ୟାମେରା ଭଳିଆ ଦେଖିବାକୁ, ସେଇଥିରେ ଗୋଟେ ପରେ ଗୋଟେ ଛବି ଦେଖାଯାଏ ) । ବୋଧେ ସେବେଠୁ ମୋରେ କ୍ୟାମେରା ପ୍ରତି ମୋହ ଆରମ୍ଭ ହୋଇଥିଲା । ସମୁଦ୍ର ପାଖର ଦୃଶ୍ୟ ଏବେ ବି ମୋତେ ଭଲରେ ମନେ ଅଛି । ପୁଅମାନେ ସବୁ ସମୁଦ୍ରରେ ଗା‌ଧେଇଲେ, ହେଲେ ଝିଅମାନଙ୍କୁ ସମୁଦ୍ରରେ ପଶିବା ମନା ଥିଲା । ଭାଇ ମୋତେ ସମୁଦ୍ର ପାଣି ପାଖକୁ ଆଉ ଛୋଟ ଛୋଟ ଲ‌ହଡ଼ୀ ପାଖକୁ ନେଇଯିବାଟା ମୋତେ ମନେ ଅଛି ।

ତା'ପରେ ବିଶୁଆ ଭାଇ ପାଖକୁ ଆମେ ଯାଇଥିଲୁ କି ସେ ଆସିଥିଲା, ସେଇଟା ବି ଠିକ୍‌ରେ ମନେ ନାହିଁ । କିନ୍ତୁ ସେ ମୋ ପାଇଁ ଗୋଟେ ବଡ଼ ବେଲୁନ୍ କିଣିଥିଲା, ସେଇଟା ମୋତେ ମନେ ଅଛି । ଏବେ ବି ସେହି ପ୍ରଥମ ଯାତ୍ରାର ଗୋଟିଏ ମାତ୍ର ଫଟୋ ଅଛି । ସେଇଟା ବି ବିଶୁଆ ଭାଇ ସ‌ହ । ତା' ପରେ ଆମେ ଚିଲିକା ଯାଇଥିଲୁ । ସେଇଠି କେବଳ ଗୋଟିଏ ଦୃଶ୍ୟ ମନେ ଅଛି । ଚିଲିକାରେ ମଟର ଚାଳିତ ଆଉ କାତମରା ଡଙ୍ଗା । ମୋତେ ଖାଲି ଡଙ୍ଗା ବୋଲି ହିଁ ଜଣାଥିଲା । ଉଭୟ ଡଙ୍ଗା ଭିତରେ ପାର୍ଥକ୍ୟ କ'ଣ ଜଣାନଥିଲା । ବଡ଼ ହେଲାପରେ ସେଇଟା ଜଣା ପଡ଼ିଲା ।

ଏମିତିରେ ଅଧା ଅଧା ଝାପ୍‌ସା ସ୍ମୃତିରେ ଶେଷ ହୋଇଯାଇଥିଲା ମୋର ପ୍ରଥମ ପିକ୍‌ନିକ୍ । ଆମେ କେତେବେଳେ ଘରୁ ବାହାରିଥିଲୁ, ସେ ବିଷୟରେ ବି ମୋତେ ଜଣାନାହିଁ ଆଉ ସେମିତି କେତେବେଳେ ଆସିକି ଘର ପ‌ହ‌ଞ୍ଚିଲୁ, ସେ ବିଷୟରେ ବି କିଛି ଜଣା ନାହିଁ । ସେତେବେଳେ ବି ଅଧିକ ସମୟ ଶୋଉଥିଲି, ଏବେ ବି ସେମିତି ବ‌ହୁତ ସମୟ ଧରି ଶୋଉଛି । ସମୟ ସ‌ହ ଅନେକ କିଛି ବଦଳିଗଲାଣି, ବୋଧେ ଏଇ ଶୋଇବା ଗୁଣ‌ଟା ବଦଳିନାହିଁ କି କ'ଣ ।

Tuesday 17 October 2017

ଗର୍ଭଣା ସଂକ୍ରାନ୍ତି

ସଂଗ୍ରାମ କେଶରୀ ସେନାପତି 4:08 pm 0
ଗର୍ଭଣା ସଂକ୍ରାନ୍ତି
ଓଡ଼ିଶାର ପର୍ବପର୍ବାଣିଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ । ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଇଂରାଜୀ ମାସ ଅକ୍ଟୋବରରେ ପଡେ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । ଗୃହମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି -ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ ।


ଗର୍ଭଣା ସଂକ୍ରାନ୍ତିରେ କ୍ଷେତରେ ପୋତାହେବା ପୂର୍ବରୁ ଘରେ ପୂଜା କରାଯାଏ ।

* All these contents are copied from Odia Wikipedia.
* Garbhana Sankranti is one of the important festivals like Akshaya Trutiya.
* In Akshaya Trutiya the farmers start the process of cultivation.
* And this is the festival during the cultivation process.