December 2023 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Tuesday 19 December 2023

ଗପ ପାଇଁ ମୋତେ ମିଳିଲା ଉଦୟରାଗ ସମ୍ମାନ

ସଂଗ୍ରାମ କେଶରୀ ସେନାପତି 10:18 pm 0
ଗପ ପାଇଁ ମୋତେ ମିଳିଲା ଉଦୟରାଗ ସମ୍ମାନ
Udayaraga Samman to Sangram Keshari Senapati

ଗପ ଲେଖିବା ଆରମ୍ଭ ହୋଇଥିଲା ଆମ କଲେଜ ପତ୍ରିକା ପାଇଁ । ଏହାପରେ କିଛି କିଛି ଗପ ଲେଖି ସେୟାର୍ କରିଥିଲି ମୋ ବ୍ଲଗ୍‍‍ରେ । ଉଭୟ ଓଡ଼ିଆ ଇଂରାଜୀରେ କିଛି କିଛି ଭୁଲ୍ ଠିକ୍ ଲେଖିବା ମୋର ଗୋଟେ କାମ ଥିଲା ୨୦୧୫ ଓ ୧୬ରେ । ଏହାପରେ ୨୦୧୭ରେ ତିନୋଟି ଗପ ଆହ୍ୱାନ ଇ-ପତ୍ରିକାରେ ପ୍ରକାଶ ପାଇବା ପରେ ଏକ ମୁଦ୍ରିତ ପତ୍ରିକାକୁ ଗପ ପଠେଇଥିଲି ଆଉ ତାହା ପ୍ରକାଶିତ ହୋଇନଥିଲା ।

ଏହା ପ୍ରକାଶିତ ନହେବାର ଦୁଃଖରୁ ଜାଗି ଉଠିଥିଲା ଏକ ଇ-ପତ୍ରିକା ସମ୍ପାଦନା ଓ ପ୍ରକାଶନର ଇଚ୍ଛା; ୨୦୧୮ ଜାନୁଆରୀରେ ପ୍ରଥମ ତ୍ରୟୋମାସିକ ପତ୍ରିକା ଭାବରେ ଆରମ୍ଭ ହେଲା ଓ ସେହି ବର୍ଷ ନୀଳାଦ୍ରିବିଜେରୁ ଶୁଭପଲ୍ଲବ ରୂପେ ପ୍ରକାଶ ପାଇବା ଆରମ୍ଭ କଲା । ଏହା ପରଠାରୁ ଗପ ଲେଖିବା ବନ୍ଦ ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କବିତା ମୋ ଦ୍ୱାରା ହୁଏନି, ହଁ ଦୁଇ ଚାରିଧାରି ଗାରେଇ ଦେଇପାରେ, କାହାର ଲେଖା କବିତାକୁ ସଜାଡ଼ିବାକୁ ଚେଷ୍ଟା କରେ, କିନ୍ତୁ ମନ ଛୁଆଁ କବିତାଟିଏ ନିଜେ ଲେଖିପାରେନା ।

୨୦୧୭ ମସିହାରେ କଲେଜ ଡାଏରୀର ୮୦ ପ୍ରତିଶତରୁ ଅଧିକ ଲେଖିକି ଡିଲିଟ୍ କରିବା ପରେ ପ୍ରତିଥର ଗପ ଲେଖିବାକୁ ଭାବିଲାବେଳେ ସେବେକାର କଷ୍ଟ ମନେ ପଡ଼ିଯାଏ । ତଥାପି ମଝିରେ ମଝିରେ ଏମିତି ଟିକେ କ'ଣ ଗାରେଇ ଦିଏ । ଗତଥର କଥା ନବ ପ୍ରତିଭା ଓ ଉଦୟରାଗ ପାଇଁ ଗପ ଲେଖିବାକୁ ଚେଷ୍ଟା କରି ବିଫଳ ହେବାପରେ କଲେଜ ଡାଏରୀକୁ ସମ୍ପୂର୍ଣ୍ଣ ନ କରିପାରିବାର ଭୟ ମନକୁ ଭାରାକ୍ରନ୍ତ କରିଦିଏ । ତଥାପି ଏଥର ଉଦୟରାଗ ପ୍ରତିଯୋଗିତା ବେଳେ ଜଣଙ୍କୁ ଠାରୁ ନିର୍ଦ୍ଦେଶ ଆସିଥିଲା ଯେମିତି ବି ହେଲେ ଗପ ପଠେଇବାକୁ । ତେଣୁ ବାଧ୍ୟ ହୋଇଥିଲି ପୁଣିଥରେ କିଛି ଲେଖିବାକୁ । ହଁ ଏଥର ବି ବଫଳ ହେଲି, ହେଲେ ଅଧାଲେଖା ଗପ ଦୁଇଟିକୁ ସମସ୍ତ କରିପାରିଥିଲି । ଗପ ଦୁଇଟି ପ୍ରତିଯୋଗିତାର ସମୟ ସରିବାର କିଛି ସମୟ ପୂର୍ବରୁ ଇ-ମେଲ୍ କରିଥିଲି । ଏତେ ବର୍ଷ ପରେ ଶେଷ କରିଥିବା ଗପଟି ବଛାଯିବା ଓ ଏହାକୁ ନେଇ କୌଣସି ସମ୍ମାନ ପାଇବା ନିହାତି ଭାବରେ ମୋ ପାଇଁ ଏକ ଅକୁହା ମୁହୂର୍ତ୍ତ ।

ଧନ୍ୟବାଦ ଉଦୟରାଗର ସ୍ରଷ୍ଟା ତଥା ଉତ୍‍ସାହିତ୍ୟର ଆୟୋଜକ ସରୋଜ ଭାଇଙ୍କୁ, ଏମିତି ଏକ ପ୍ରତିଯୋଗିତା କରିଥିବାରୁ ଆଉ ମୋର ଗପଟିକୁ ବାଛିଥିବାରୁ ।

- ସଂଗ୍ରାମ କେଶରୀ ସେନାପତି

Full video: https://youtu.be/6Hj7dtF6XhE