ଗତବର୍ଷ ଗୋଲାପ ଦେବାକୁ ଡର ଲାଗୁଥିଲା, ହେଲେ ସେ ଗୋଲାପ ଦେଇ ସେ ଡରକୁ ଦୂରେଇ ଦେଇଥିଲେ ଆଉ ଏହି ବର୍ଷେ ଭିତରେ ଆମ ଦୂରତା ଶୂନ୍ୟ ହୋଇଯାଇଥିଲା କହିଲେ ଚଳେ । ରୋଜ୍ ଡେ'ରେ ମୁଁ ତ୍ରିୟା ପାଇଁ ଗୋଟିଏ ନୁହେଁ ଆମ ବଗିଚାରୁ କିଛି ଗୋଲାପ ତୋଳି ଗୋଟିଏ ଫୁଲ ତୋଡ଼ା କରି ନେଇଥିଲି । ନାଲି ନୁହେଁ ଗୋଲାପି ରଙ୍ଗର ଗୋଲାପ; ଆଉ ସେ ଚଷମା ପିନ୍ଧି ନାହାନ୍ତି ବୋଲି ନାଲି ତାଙ୍କୁ ଗୋଲାପି ଲାଗୁଛି କହି ଭୁଲେଇ ଦେଇଥିଲି ।
ଏବର୍ଷର ରୋଜ୍ ଡେ, ଗତ ବର୍ଷର ସ୍ମୃତିକୁ ମନେ ପକାଇ ପ୍ରାୟ ସରିଗଲା । ପ୍ରପୋଜ୍ ଡେ'ରେ ସେମିତି କିଛି ନଥିଲା ବାସ୍ ତାଙ୍କ କାମ ପାଇଁ ସେ ଆଉ ଆସିନଥିଲେ କିନ୍ତୁ ଚକୋଲେଟ୍ ଡେ'ରେ ଭେଟ ହେଲା ପୁଣି ସେଇଠି; ସେହି ପାର୍କରେ, ସେହି ସମାନ ବେଞ୍ଚ ଉପରେ ଯେଉଁଠି ସେ ମୋ ସ୍ଥାନରେ ବସିଥିଲେ । ସେବେ ସିନା ମନରେ ଡର ଥିଲା, ଗୋଟିଏ ବେଞ୍ଚରେ ବସିଲେ ବି ବେଶ୍ କିଛି ଦୂରତା ରହୁଥିଲା, ହେଲେ ଏବେ ସେ ଦୂରତା ଆଉ ନାହିଁ; ତାଙ୍କ ବାସ୍ନା ଏବେ ମୋ ଦେହରେ ସମାହିତ ହୁଏ ।
ଆଜି କିନ୍ତୁ ତାଙ୍କ ଦେହରୁ କିଛି ଅଲଗା ବାସ୍ନା ଆସୁଥିଲା, ଯାହାକି ତାଙ୍କର ସେ ପରିଚିତ ଅତରର ବାସ୍ନାଠାରୁ ଭିନ୍ନ ଥିଲା, ହଁ ଗୋଲାପର ବାସ୍ନା ଥିଲା । ନିଜକୁ ସମ୍ଭାଳି ନପାରି ପଚାରିଦେଲି, "ଆଜି କ'ଣ ଗୋଲାପର ବାସ୍ନା? ରୋଜ୍ ଡେ'ର ଗୋଲାପଗୁଡ଼ା କ'ଣ ଖୁସିରେ ଖାଇଦେଇଥିଲ କି?"
ଫିଁ କିନା ହସିଦେଇ ସେ କହିଲେ, "ନାହିଁ ଖାଇନାହିଁ, ବୋଳି ହୋଇ ପଡ଼ିଛି ।" ଯଦିଓ ମୋର ପ୍ରଶ୍ନ ବ୍ୟଙ୍ଗ ଥିଲା, କିନ୍ତୁ ତାଙ୍କ ଉତ୍ତରକୁ ବୁଝିବା ସହଜ ନଥିଲା । "ବୋଳି ହୋଇ ପଡ଼ିଛ ମାନେ", ଆଶ୍ଚର୍ଯ୍ୟ ହୋଇ ମୁଁ ପୁଣି ପ୍ରଶ୍ନ କଲି ।
"ତମେ ଦେଇଥିବା ଗୋଲାପକୁ କ'ଣ କରିବି ବୋଲି ଭାବୁଥିଲି । ସାଇତି ରଖିଲେ ଗୋଲାପ ରହିବ ସତ, ହେଲେ ବାସ୍ନା ରହିବ ନାହିଁ । ତେଣୁ ୟୁ-ଟ୍ୟୁବ୍ ଦେଖି ସେ ଗୋଲାପଗୁଡ଼ାକୁ ଗୋଲାପ ଜଳ କରିଦେଇଛି । ସେ ଗୋଲାପ ଭିତରେ ମୁଁ ତୁମକୁ ଅନୁଭବ କରୁଥିଲି, ଆଉ ସେ ଜଳରେ ତମର ବାସ୍ନାକୁ ।"
- ସଂଗ୍ରାମ କେଶରୀ ସେନାପତି (ଗପୁ)
No comments:
Post a Comment