ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal
Showing posts with label Social Life. Show all posts
Showing posts with label Social Life. Show all posts

Wednesday, 14 March 2018

ଅକୁହା କଥା

ସଂଗ୍ରାମ କେଶରୀ ସେନାପତି 11:22 am 3
ଅକୁହା କଥା
ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡ଼ା ହୋଇଗଲା ସ୍ମିତା । ମୁହଁ ଲାଲ ଦେଖାଯାଉଥିଲା । "କୋଉଠି ଥିଲ ଏତେବେଳ ଯାଏଁ? ଏଇଟା ଘର ନା ଆଉ କିଛି? ତମର ଯେବେ ଇଚ୍ଛା ହେବ ଆସିବ ଆଉ ଯିବ? ଆଉ କାହା ପ୍ରତି ତୁମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ?" ପିନ୍ଧିଥିବା ସାର୍ଟକୁ ଖୋଲି ଦେଇ ସ୍ମିତାକୁ ଧକ୍କାଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ । ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କ‌ହିଲା, "ମୋତେ ଭୋକ ଲାଗିଲାଣି, ଜଳଦି ଖାଇବାକୁ ବାଢ଼ ।"

ସ୍ମିତା ଆବାକ୍ ହୋଇ ଚାହିଁ ରହିଥିଲା । କି ଅଦ୍ଭୁତ ମଣିଷ ଇୟେ? ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ୍ ପଡ଼ୁନି? ନା, ଆଜି ଯାହା ବି ହେଉପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡ଼ିବ । ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ । ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା ।

ସ୍ମିତାଙ୍କ ମୁହଁରୁ ଏହି ଘୋଷଣା ଶୁଣିବା ପରେ ଚୁପ୍‌ଚାପ୍ ପ୍ରଶାନ୍ତ ଚାଲିଗଲେ ତାଙ୍କର ଶୋଇବା ଘରକୁ । ବିଛଣା ଉପରେ ବସି ପଲଙ୍କ ବାଡ଼ାକୁ ଆଉଜେଇ ପଡ଼ିଲେ । ଗୋଡ଼ ଉପରେ ଗୋଡ଼ ପକେଇ ଆଖି ବନ୍ଦ କରି ସେଇ ପୁରୁଣା ଦିନରେ ହଜିଗଲେ । ଆଖି ଆଗରେ ଭାସିଆସିଲା ତାଙ୍କର ସେ ପୁରଣା ସ୍ମୃତି ସବୁ । ପ୍ରଶାନ୍ତ ଜଣେ ମଧ୍ୟବିତ୍ତ ପରିବାରର ପିଲା । ଛୋଟବେଳୁ ସେ ଦାରିଦ୍ରକୁ ଅତି ପାଖରୁ ଦେଖିଛି । ବାପା ତାଙ୍କର ଜଣେ ସରକାରୀ କିରାଣୀ ଥିଲେ, କିନ୍ତୁ ଆରମ୍ଭରୁ ଲାଗିରହିଥିବା ଅଭାବ ଅନଟନ ସାଙ୍ଗକୁ ତା'ର ମାଆଙ୍କର ଅସୁସ୍ଥତାରେ ସବୁ ଖର୍ଚ୍ଚ ହୋଇଯାଏ ।

ତ‌ଥାପି ତା'ର ବାପା ସେ ଭାଇ ଭଉଣୀ ଦୁଇଜଣଙ୍କୁ କେବେ କୌଣସିଥିରେ କମ୍ କରିନାହାନ୍ତି । ନିଜେ ଭଲ ପୋଷାକଟିଏ ପଛେ ପନ୍ଧିନାହାନ୍ତି, କିନ୍ତୁ ଉଭୟଙ୍କ ପାଇଁ କେବେ କୌଣସିଥିରେ ମନା କରିନାହାନ୍ତି । ପିଲାଦୁହିଙ୍କୁ ପାଠ ପଢ଼େଇ ମଣିଷ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବାବେଳେ ପ୍ରଶାନ୍ତ ତାଙ୍କର ହରାଇଥିଲେ ତାଙ୍କର ମାଆଙ୍କୁ । କିଛିବର୍ଷ ପରେ ତାଙ୍କର ବଡ଼ ଭଉଣୀଙ୍କର ବିଭାଘର ହୋଇଗଲା । ସେତେବେଳକୁ ପ୍ରଶାନ୍ତ ତାଙ୍କର ସ୍ନାତକ ହାସଲ କରିସାରିଥିଲେ । ଏବେ ତାଙ୍କର ପିତା ମଧ୍ୟ ଚାକିରୀରୁ ଅବସର ନେଇସାରିଥିଲେ । ଲକ୍ଷ୍ୟ ଥିଲା, ପ୍ରଶାନ୍ତ ଭଲ ଚାକିରୀଟିଏ କଲେ ସେମାନଙ୍କର ଦୁଃଖ ଦୂର ହୋଇଯିବ । କିନ୍ତୁ, ଚାକିରୀଟିଏ ମିଳିବା ଏତେ ସ‌ହଜ କଥା ନୁହେଁ । କମ୍ପାନୀରୁ କମ୍ପାନୀ ବୁଲି ବୁଲି ଚପଲ ବଦଳିଗଲା, ହେଲେ ଚାକିରୀ ମିଳିପାରିଲା ନାହିଁ ।

ବଡ଼ ହୋଇ ଭଲ ଚାକିରୀଟିଏ କରିବା ପରେ ବାପାଙ୍କର ଦୁଃଖ କରିବାର ସ୍ୱପ୍ନ ଦେଖିଥିବା ପ୍ରଶାନ୍ତ ତା'ର ବାପାଙ୍କର ପେନସନ୍ ଟଙ୍କାରେ ହିଁ ଚଳୁଥିଲା । ବୟସ ଅଧିକ ହେବା ଯୋଗୁଁ ତା'ର ବାପାର ଦେହ ବି ସବୁବେଳେ ଭଲ ରହୁନଥାଏ । ଏମିତିରେ ଚାକିରୀ ଖୋଜିବା ପାଇଁ ସବୁବେଳେ ବାହାରକୁ ଯିବାକୁ ପଡ଼ୁଥାଏ । ଏମିତିକି କେବେ କେବେ ୩/୪ ଦିନ ଯାଏଁ ତାକୁ ବାହାରେ ରହିବାକୁ ପଡ଼ିଥାଏ । ସେତେବେଳେ ବାପାଙ୍କର ଅସୁବିଧା ନ ହେବା ପାଇଁ ସେ କିଛି ବି କରିପାରୁନଥାଏ । ନିଜର ଭାଗ୍ୟକୁ ଆଦରି ସବୁକିଛିକୁ ସ‌ହିନେବା ବ୍ୟତୀତ ତା'ର ଆଉ କୌଣସି ଉପାୟ ବି ନ ଥାଏ ।

ଭଗବାନ ସମୟ ସମୟରେ ସମୟ ଦେଖି ସଭିଙ୍କର ପରୀକ୍ଷା ନେଇଥାନ୍ତି ଆଉ ସେଇଟା ଥିଲା ପ୍ରଶାନ୍ତର ପରୀକ୍ଷାର ବେଳ । ସବୁ ପରୀକ୍ଷାକୁ ସାମ୍ନା କରିବାପରେ ଶେଷରେ ଗୋଟିଏ ବେସରକାରୀ ସଂସ୍ଥାରେ ଚାକିରୀଟିଏ ମିଳିଲା । ବେସରକାରୀ ଚାକିରୀରେ ଟଙ୍କା କାମ କରିବା ଅନୁସାରେ ମିଳେ । ଯେତେ ପରିଶ୍ରମ କରିବ, ସେତେ ଅଧିକ ମିଳିବ । ପ୍ରଶାନ୍ତ ସବୁବେଳେ କାମର ଧ୍ୟାନ ଦେଉଥାଏ । ହେଲେ ଆଶାନୁରୂପ ପାରିଶ୍ରମିକ ମିଳିବା କଷ୍ଟ । ଚାକିରୀ ମିଳିବାର ଏବେ ତିନି ବର୍ଷ ହୋଇସାରିଥିଲା । ଏହା ଭିତରେ ପ୍ରଶାନ୍ତର ବିଭାଘର ତା'ର ବାପା ଠିକ୍ କରିସାରିଥିଲେ । ଆଶା କରିଥିଲେ ବାହାଘର ପରେ ପୁଅ-ବୋହୂଙ୍କ ସ‌ହ ସୁଖରେ ଦିନ‌ଗୁଡ଼ିକ କଟିଯିବ ।

ଠିକ୍ ସମୟରେ ବାହାଘର ହୋଇଗଲା । ହେଲେ ମାତ୍ର ଦିନ କେଇଟାରେ ସବୁକିଛି ବଦଳିଗଲା । ବାହାଘର ପରେ ପୁଅ ସ‌ହ ବାହାରେ ରହିବାକୁ ବୋହୂର ଜିଦ୍ ଆଗରେ ମୁଣ୍ଡ ନୁଆଁଇଲେ ପ୍ରଶାନ୍ତର ବାପା । ସୁଖର ଦିନ ଆରମ୍ଭ ହେଉ ହେଉ ଲିଭିଗଲା ତାଙ୍କ ଜୀବନରୁ । ପୁଅ-ବୋହୂ ବାହାରେ ରହିବାର ମାତ୍ର କେଇ ମାସ ଭିତରେ ଆଖି ମୁଜିଦେଲେ ସେ । ଏବେ ରଶ୍ମିଙ୍କୁ ଆଉ କିଛି ଅସୁବିଧା ନ ଥିଲା । ଆରମରେ ରହିବା ଏବଂ ମଉଜ ମଜଲିସ୍‌ରେ କଟିଚାଲିଥାଏ ତାଙ୍କର ଦିନ ।

ରଶ୍ମି ଥିଲେ ତାଙ୍କର ବାପାଙ୍କର ଗୋଟିଏ ବୋଲି ଝିଅ । ସବୁବେଳେ ବାପା ତାଙ୍କର କଥାରେ ହଁ ଭରି ଆସିଥିଲେ । ସେଇଥିପାଇଁ ତାଙ୍କର ସବୁଥିରେ ଜିଦ୍ ଏବଂ ତାଙ୍କର ଜିଦ୍ ଆଗରେ କେହି ବି ତିଷ୍ଠି ପାରନ୍ତିନି । ପ୍ରଶାନ୍ତ ବା କେମିତି ତିଷ୍ଠିବେ । ତେଣୁ ପ୍ରଶାନ୍ତଙ୍କର ଏବେ ପରିଶ୍ରମ ଅଧିକ ବଢ଼ିଯାଇଥାଏ । ହେଲେ ରଶ୍ମିଙ୍କୁ ସେଥିରେ କିଛି ବି ଫରକ ପଡ଼େନି । ତାଙ୍କ ମତରେ, ସେ ତାଙ୍କର ହାତ ଧରିଛନ୍ତି ମାନେ ତାଙ୍କୁ ତାଙ୍କର ସବୁକିଛି ପୂରଣ କରିବାକୁ ହେବ । ଅବଶ୍ୟ ପ୍ରଶାନ୍ତର ଦରମା ଏବେ ଟିକେ ବଢ଼ିଲାଣି, କିନ୍ତୁ ଦରମା ସ‌ହ କାମ ମଧ ବଢ଼ିଚାଲିଥାଏ । ଘରକୁ ଗଲେ ପତ୍ନିଙ୍କର ଗଞ୍ଜଣା ଆଉ କାମକୁ ଆସିଲେ ସେଠାରେ ଉପରସ୍ଥ କର୍ମଚାରୀଙ୍କର କଷଣ । ଏହି ଭିତରେ ଘାଣ୍ଟି ହେଉଥାନ୍ତି ପ୍ରଶାନ୍ତ ।

ତାଙ୍କର ମାଆ ଚାଲିଗଲାବେଳେ ସବୁବେଳେ ଗୁମୁରି ଗୁମୁରି କାନ୍ଦୁଥିବା ପ୍ରଶାନ୍ତ କେବେ କେବେ ଚାଲିଯାଆନ୍ତି କୌଣସି ନିରୋଳା ଶାନ୍ତ ଜାଗାକୁ ନିଜ ମନ‌କୁ ଟିକେ ଶାନ୍ତି ଦେବାକୁ । ଏବେ ସିନା ମାଆଙ୍କର ମୃତ୍ୟୁର ଦୁଃଖ ଆଉ ନ ଥିଲା, କିନ୍ତୁ ତା' ଠାରୁ ବଳି ଆଉ କିଛି ଦୁଃଖ ଏବେ ତାଙ୍କର ଜୀବନ‌କୁ ଦୋହଲାଇ ଦେଉଥିଲା । ତେଣୁ ସେ କାମରୁ ଛୁଟି ହେବା ପରେ ଘରକୁ ଯାଇ ସେଇ ସବୁଦିନିଆ କଥା ଶୁଣିବା ପରିବର୍ତ୍ତେ କିଛି ସମୟ ବାହାରେ କୌଣସି ଖୋଲା ନିରୋଳା ସ୍ଥାନରେ କାଟିଦିଅନ୍ତି । ତେଣୁ ଘରକୁ ଫେରିବାରେ ବିଳମ୍ବ ହୁଏ । ଆଉ ଏହି କଥାକୁ ନେଇ ରଶ୍ମି ସବୁବେଳେ ତାଙ୍କ ଉପରେ ଚିଡ଼ୁଥାନ୍ତି । କିନ୍ତୁ ପ୍ରଶାନ୍ତଙ୍କର ଏହି କଥାସବୁ ଏବେ ଦେହସୁଆ ହୋଇଗଲାଣି । ତେଣୁ ସେ ତାଙ୍କର ଏହି ନିରୋଳାରେ ସମୟ ଅତିବାହିତ ଅଭ୍ୟାସଟିକୁ ଛାଡ଼ିବାକୁ ଚାହାନ୍ତିନି । କିଛି ସମୟ ପାଇଁ ହେଲେ ବି ସେ ତ' ଏକୁଟିଆ ଏ ଦୁନିଆର ଜଞ୍ଜାଳଠାରୁ ଦୂରେଇ ଯାଆନ୍ତି, ଯେଉଁଠି କାହାର ହୁକୁମ ନ ଥାଏ କି କାହାର ଅଳି ।


Thursday, 18 January 2018

ଦେଢ଼ ବର୍ଷ ପରେ....

ସଂଗ୍ରାମ କେଶରୀ ସେନାପତି 4:40 pm 0
ଦେଢ଼ ବର୍ଷ ପରେ....


ଜାନୁଆରୀ ୭ ତାରିଖରେ, ଦେଢ଼ ବର୍ଷ ପରେ ହଠାତ୍ ପୁଣିଥରେ ତାଙ୍କୁ ଫୋନ୍ କରିବାକୁ ପଡ଼ିଲା । ଆମର ଏହି ସମ୍ପର୍କ ଆରମ୍ଭ ହେଇଥିଲା ୨୦୧୨ ଗଣେଶ ପୂଜା ସମୟରୁ । ପ୍ରତ୍ୟେକ ଆବଶ୍ୟକତା ବେଳେ ମୁଁ ତାଙ୍କୁ ହିଁ ଫୋନ୍ କରିଥାଏ । କିନ୍ତୁ ୫ ଜୁନ ୨୦୧୫ ପରଠାରୁ ଆଉ ତାଙ୍କ ସ‌ହ ଫୋନ୍‌ରେ ଯୋଗାଯୋଗ ନ ଥିଲା । କେବଳ ମେସେଜ୍‌ରେ ହିଁ ତାଙ୍କ ସ‌ହ କେବେ କବେ କଥା ହୁଏ । ସେ ଆଉ କେହି ନୁହ‌ନ୍ତି, ଭବାନୀପାଟଣାରେ ବସ୍ ଟିକେଟ କଥା ବୁଝାବୁଝି କରୁଥିବା ସର୍ବେଦା । ପ୍ରାୟ ସଭିଏଁ ତାଙ୍କୁ ସର୍ବେଦା ବୋଲି ଡାକନ୍ତି । ତେଣୁ ଯେତେବେଳେ ଦେଢ଼ ବର୍ଷ ପରେ ପୁଣିଥରେ ଭବାନୀପାଟଣା ଯିବାକୁ ପଡ଼ିଥିଲା, ସେତେବେଳେ ପ୍ରଥମେ ତାଙ୍କୁ ହିଁ ଫୋନ୍ କରିବାକୁ ପଡ଼ିଲା ।

ସନ୍ଧ୍ୟାବେଳେ ମୁଁ ଭୁବନେଶ୍ୱର ଷ୍ଟାଣ୍ଡରେ ପ‌ହ‌ଞ୍ଚିଲି । ଅବଶ୍ୟ ସେଠାରୁ ଆସିବା ପରେ ମୁଁ ଆଉ କେବେ ବରମୁଣ୍ଡା ଷ୍ଟାଣ୍ଡ ଭିତରକୁ ଯାଇନଥିଲି । ସେଦିନ ଷ୍ଟାଣ୍ଡରେ ଦେଖିଲାବେଳକୁ ଭବାନୀପାଟଣାକୁ ଯାଉଥିବା ସରକାରୀ ବସ୍‌ସବୁର ରଙ୍ଗ ଢଙ୍ଗ ଏବେ ସମ୍ପୂର୍ଣ୍ଣ ବଦଳିଯାଇଥିଲା । ଭଙ୍ଗା ଦ‌ଦରା ବସ୍‌ ବଦଳରେ ଏବେ ନାଲିଆ ନାଲିଆ ଚକାଚକ୍ ବସ୍ ଚାଲିଛି । ସରକାରୀ ବସ୍‌କୁ ଦେଖିଲେ ମୋତେ ସବୁବେଳେ ୧୯ ଅକ୍ଟୋବର ୨୦୧୨ର ରାତି ମନେପଡ଼ିଯାଏ । ଯାହା ହେଉ ମୋତେ ତ ସେଥିରେ ଯିବାର ନ ଥିଲା । ମୋ ବସ୍ ଆସିବା ପରେ ସେଥିରେ ଚଢ଼ିଗଲି । କିନ୍ତୁ ଏଇ ବସ୍‌ସବୁରେ ସେତେ କିଛି ବିଶେଷ ପରିବର୍ତ୍ତନ ହେଇନଥିଲା ।

ପରଦିନ ସକାଳ ୭ଟା ପାଖାପାଖିରେ ବସ୍ ଲାଗିଲା ଭବାନୀପାଟଣା ବସ୍‌ଷ୍ଟାଣ୍ଡରେ । ଦୀର୍ଘ ଦେଢ଼ବର୍ଷ ପରେ ପୁଣିଥରେ ସେହି ଜାଗାରେ ଓହ୍ଲାଇବାପରେ ପ୍ରଥମେ ଆଖି ଖୋଜିଥିଲା ସର୍ବଦାଙ୍କୁ, କିନ୍ତୁ ସେ ପୂର୍ବଦିନ ସନ୍ଧ୍ୟାରେ ଗାଁକୁ ଚାଲିଯାଇଥିଲେ । ତା' ପରେ ଟିକେ ଫ୍ରେସ୍ ହେଇ ଆଗକୁ ଆଗକୁ ମାଡ଼ିଚାଲିଲି । ସେତେବେଳେ ଅଧିକାଂଶ ସମୟରେ ଆମେ ଦକ୍ଷିଣ ପାର୍ଶ୍ୱରେ ଯାତାୟତ କରୁଥିଲୁ, ତେଣୁ ସେଇ ପୁରୁଣା ଅଭ୍ୟାସକୁ ପୁଣିଥରେ ଦୋହରାଇ ଦକ୍ଷିଣ ପାର୍ଶ୍ୱରେ ଆଗେଇ ଚାଲିଥାଏ । ବସ୍‌ଷ୍ଟାଣ୍ଡରୁ ଟିକେ ବାଟ ଆଗକୁ ଗଲେ ପରେ ଜେଲ୍ ଅତିକ୍ରମ କରିବାପରେ ସବୁଠାରୁ ବଡ଼ ପରିବର୍ତ୍ତନ ନ‌ଜର ଆସିଲ, ତାହା ଥିଲା ସେଠାରେ ଜାତୀୟ ରାଜପଥ ସ‌ହ ଯୋଡ଼ି ହୋଇଥିବା ରାସ୍ତା । ରାସ୍ତାଟିର ଉଭୟ ପାର୍ଶ୍ୱରେ ଥିବା ଛୋଟ ବଡ଼ ଗଛଗଡ଼ିକ ଆଉ ନାହିଁ, ରାସ୍ତାର ଆକାର ବଢ଼ିଯାଇଛି, ମଝିରେ ପୌରପାଳିକା ଦ୍ୱାରା ଆଲୋକ ସଂଯୋଗ କରିଦିଆଯାଇଛି ଏବଂ ତା' କଡ଼ରେ ଥିବା ଛୋଟ ଛୋଟ ଦୋକାନୀଙ୍କର ସତ୍ତା ନାହିଁ । ରାସ୍ତାଟିକୁ ଦେଖି ଖୁସି ଲାଗିଲା, କିନ୍ତୁ ଦୋକାନୀମାନଙ୍କ କଥା ଭାବି ଟିକେ ଦୁଃଖ ବି ଲାଗିଲା । ସେଇ ଦୋକାନୀମାନଙ୍କଠାରୁ କେତେଥର କ'ଣ ଯେ କିଣିଥିବୁ, ତା'ର ହିସାବ ନାହିଁ । ଅବଶ୍ୟ ସେ ରାସ୍ତା ଦେଇ ପୁଣିଥରେ ସେଇ ପୁରୁଣା ଗଳିରେ ଯାଇହେଲାନି ।

ଏଥର ଆଗକୁ ଆଗକୁ ଯିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ପରିବର୍ତ୍ତନ ନ‌ଜର ଆସିଲା । କେଉଁଠାରେ ଥିବା ଛୋଟମୋଟ ଦୋକାନ ଘରସବୁ ଆଉ ନାହିଁ, ତ' କେଉଁଠି ଛୋଟ ଗୁମୁଟି କରିଥିବା ଦୋକାନୀଟି ଏବେ ପକ୍କାଘରେ ତା'ର ବଡ଼ ଦୋକନଟିଏ କରିସାରିଲାଣି । ଏମିତି ଚାଲୁଚାଲୁ ବାମ‌ପଟରେ ନ‌ଜର ଆସିଲା ବେଣୁଦାଦାଙ୍କର ସେ ଦୋକାନଟି । ତାଙ୍କ ଘରର ଗୋଟିଏ ପାର୍ଶ୍ୱରେ ସେ ଦୋକାନଟି । ସେଇ ଦୋକାନଟିର କିନ୍ତୁ କିଛି ବଦଳିନଥିଲା, ଅବଶ୍ୟ ତାଙ୍କୁ ପୁଣିଥରେ ଭେଟି ହେଲାନି । ସେଠାରୁ ଟିକିଏ ଦୂରରେ ଥିଲା ବାଲାଜୀ ମନ୍ଦିର । ସେ ମନ୍ଦିରଟିର ବି ସେତେ କିଛି ବଦଳିନି ବୋଧେ, କିନ୍ତୁ ସେତେବେଳେ ଖରାବେଳେ ବସ୍ ପାଇଁ ଅପେକ୍ଷା କରିଥିବା ସମୟରେ ସେହି ମନ୍ଦିର ପରିସରରେ ଛାଇରେ ଆମକୁ ଘୋଡ଼ାଇ ରଖୁଥିବା ଗଛଗୁଡ଼ା ଆଉ ନ ଥିଲା । ସେହି ବାଟ ଦେଇ ଯାଉଥିବାବେଳେ ଆଉ ଜଣେ ଅତିପରିଚିତ ଲୋକ ସେହି ସମୟରେ ତାଙ୍କ ଗାଡ଼ିରେ ଗଲେ । ଅବଶ୍ୟ ତାଙ୍କ ସ‌ହ ଦେଖା କରିହେଲାନି । କିନ୍ତୁ ତାଙ୍କଠାରେ ବି ବିଶେଷ କିଛି ପରିବର୍ତ୍ତନ ହୋଇନଥିଲା, ସେଇ ସମାନ ଗାଡ଼ି, ସେଇ ସମାନ ସମୟ, ସାମନ ସ୍ଥାନରୁ (ଫୁଟ୍‌ବଲ୍ ଖେଳରୁ) ପ୍ରତ୍ତ୍ୟାବର୍ତ୍ତନ କରୁଥିଲେ କି କ'ଣ । ଆଉ ଗାଡ଼ି ଚଳେଇବା ବି ଠିକ୍ ସେହିଭଳି ହିଁ ଥିଲା ।

ତା'ର ଟିକେ ଆଗକୁ ଗଲାପରେ ଦେଖିଲି ଆମକୁ ପ୍ରତ୍ୟେକଦିନ ସକାଳେ ଜଳଖିଆ ଖୁଆଇଥିବା ସେଇ ଦୋକାନଟି ସେମିତି ଅଛି । ସେଇ ସମାନ ଲୋକ, ସେଠାରେ ଟିକେ ଖିଆପିଆ ହେଇଗଲା ଆଉ ସେ ଲୋକଟି ଏତେଦିନ ପରେ ବି ଠିକ୍‌ରେ ଚିହ୍ନିଗଲା । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଥିଲା କି ସେ ଦୋକାନଟିର ଜିନିଷର ଦର ଦେଢ଼ବର୍ଷ ପରେ ବି ସେମିତି ଥିଲା । ଏହାପରେ ପୁଣି ଚାଲିଲି, କିନ୍ତୁ ଏଇଥର ବାମ‌ପଟରେ । ବ୍ଲକ୍ କେଣ୍ଟିନ୍ ବି ତା' ପୁରୁଣା ଜାଗାରୁ ଆସିଯାଇକି JPR ପାଖରେ ରହିଯାଇଛି ଆଉ ସେ ଆଖପାଖରେ ଥିବା ସବୁ ଖାଲି ଜାଗାରେ ଦୋକନ‌ଘର ହେଇକି ଦୋକାନ ବି ହେଇଗଲାଣି । ସେଇ ସବୁ ଜାଗାରେ ଦୋକନ ଦେଖିଲା ପରେ ୨୦୧୩ରେ ନବୀନ କ‌ହିଥିବା କଥାଟା ମନେ ପଡ଼ିଗଲା । ତା' ପରେ ଆଗକୁ ଆଗକୁ ଚାଲିଲି, ନ‌କ୍‌ଟିଗୁଡ଼ାରେ ସେଇ ସମାନ ଅବସ୍ଥା ଥିଲା, କିଛି ନୂଆ ତ' ପୁଣି କିଛି ପୁରୁଣା । ସେଇ ପୁରୁଣା ଗଳି ସବୁ, କିନ୍ତୁ ସେ ସବୁର ରାସ୍ତା ଏବେ ଭଲ ହେଇଗଲାଣି ।
ଆମର ସେଇ ପୁରୁଣା ଜଳଖିଆ ଦୋକାନ
ଶେଷରେ ନ‌କ୍‌ଟିଗୁଡ଼ା ସରିବା ପରେ ଗୋଟେ ଗଛ ଛାଇରେ ଅପେକ୍ଷା କଲି କଲେଜ ଯିବାକୁ । ସେତେବେଳେ ସିନା କଲେଜକୁ ବସ୍ ଚାଲୁଥିଲା, କିନ୍ତୁ ଏବେ ତ' ଆଉ ନାହିଁ ବୋଧେ । ଅବଶ୍ୟ ସେଇବାଟେ ସେତେବେଳେ ଗୋଟେ ବସ୍ ଗଲା, କିନ୍ତୁ କଲେଜକୁ ଯାଉଥିବା ଭଙ୍ଗା ଦ‌ଦରା ବସ୍ ବଦଳରେ ଏମିତି ଭଲ ବସ୍ ଯାଉଥିବ ବୋଲି ମୋତେ ଲାଗିଲାନି । ତେଣୁ ପୁଣିଥରେ ପୁରୁଣା କଳା ଆପଣେଇବାକୁ ପଡ଼ିଲା, ମୋଟରସାଇକେଲବାଲାଙ୍କୁ ଲିପ୍ଟ ମାଗିବା । ଆଉ ଲିପ୍ଟ ପାଇଁ ହାତ ବଢ଼େଇଲାବେଳକୁ ଜଣେ ସାର୍ ଦେଖାହେଇଗଲେ ଆଉ ଶୀତୁଆ ସକାଳର କୋହଲା ପବନ ମାଡ଼ରେ ଆମେ ପ‌ହ‌ଞ୍ଚିଗଲୁ କଲେଜରେ । କଲେଜର ପରିବେଶ ବି କିଛିଟା ବଦଳିଯାଇଥିଲା । କିଛି ନୂଆ ଶିକ୍ଷକଙ୍କର ଆଗମନ ଏବଂ ପୁରୁଣା ଶିକ୍ଷକଙ୍କର ବି ବଦଳି ହୋଇସାରିଥିଲା । ହେଲେ ପୁରୁଣା ଯେତିକି ଥିଲେ ସଭିଏଁ ସେମିତି ହିଁ ଥିଲେ । ବୋଧେ କଲେଜର ଖାଲି ଗଢ଼ଣ ଟିକେ ବଦଳିଥିଲା, କିନ୍ତୁ ଅନ୍ୟମାନେ ସଭିଏଁ ସେମିତି ଥିଲେ । 
କଲେଜର Wall Magazine
କଲେଜ ହଷ୍ଟେଲ ପରିସରରେ ପିଲାମାନେ ଆଙ୍କିଥିବା ଚିତ୍ର
ହଷ୍ଟେଲରୁ ଶେଷଥର ପାଇଁ ନେଇଥିବା ଫୋଟୋ
ଶେଷରେ ସାର୍ଟିଫିକେଟ ନେଇ ସନ୍ଧ୍ୟାରେ ଫେରିଆସିଲି କଲେଜରୁ । ମୋର ବସ୍ ଆସିବାକୁ ଆହୁରି ଅଢ଼େଇ ଘଣ୍ଟା ବିଳମ୍ବ ଥାଏ, ତେଣୁ ଟିକେ ବସ୍‌ଷ୍ଟାଣ୍ଡରୁ ଗାନ୍ଧି ଛକ ଦେଇ ମାଣିକେଶ୍ୱରୀ ମନ୍ଦିର ପଟେ ବୁଲି ଆସିବାକୁ ଭାବିଲି । ତେଣୁ ଆଗେଇ ଗଲି ଘୋଡ଼ାଘାଟ ଛକ ଦେଇ ଗାନ୍ଧିଛକ ଆଡ଼େ । ଗାନ୍ଧିଛକପଟେ ଯେବେ ଯାଉ ସବୁବେଳେ ସେଠାରେ ମିଳୁଥିବା ମକା-ମିକ୍ଚର ନିହାତି ଖାଇଥାଉ । ଆମର ସଭିଙ୍କର ପ୍ରିୟ ମାଝୀଗୌରୀରୁ ନେଲି । ସେତେବେଳେ କିନ୍ତୁ ଜଣଙ୍କୁ ମୁଁ ସବୁଠୁ ଅଧିକା ମନେପକାଉଥିଲି, ସେ ହେଉଛି ନବୀନ । ମୁଁ ସେଇ ଚାରିବର୍ଷରେ ଯେତେଥର ଏହି ରାସ୍ତାରେ ଯାଇଥିବି, ବୋଧେ ୯୫ ପ୍ରତିଶତରୁ ଅଧିକ ଥର ନବୀନ ଥିବ ସାଙ୍ଗରେ । ସବୁବେଳେ ମୋର ଗୋଟିଏ ହାତ ଥାଏ ତା କାନ୍ଧରେ, କିନ୍ତୁ ଆଜି ଟିକେ ଅଲାଗା ଥିଲା । ମୋ ହାତ କାହା କାନ୍ଧ ଉପରେ ନ ଥିଲା, କିନ୍ତୁ ମୋ କାନ୍ଧ ଉପରେ ଥିଲା ବ୍ୟାଗ୍ ।
ଏହାପରେ ଗାନ୍ଧିଛକରେ ୬/୭ଟି ଛୋଟବଡ଼ ଗଳି । ଯେତେବେଳେ ମୁଁ ୨୦୧୨ରେ ପ୍ରଥମଥର ବାପାମାଆଙ୍କ ସ‌ହ ଯାଇଥିଲି, ସେତେବେଳେ ଆମେ ସେଇଠି କୋଉ ଗଳିରେ ଆସିବୁ ବୋଲି ବାଟ ପାଇନଥିଲୁ । କିନ୍ତୁ ଏବେ ସବୁ ଗଳିର ବାଟ ଭଲଭାବରେ ଜଣା ଥିଲା, ହେଲେ ବି କେଉଁ ଗଳିପଟେ ଯିବି ବୋଲି ଭାବି ହାଟ ବସୁଥିବା ଗଳିଦେଇ ଆଗକୁ ବଢ଼ିଲି । ଇଏ ସେଇ ଗଳି, ଯେଉଁଠି ସବୁଦିନେ ଭିଡ଼ ଜମୁଥିଲା । କିନ୍ତୁ ସେତେ ଭିଡ଼ ନାହିଁ ଆଉ ଏବେ । ସୋମ‌ବାରରେ ବି ରବିବାର ଭଳିଆ ଲୋକ ଥିଲେ ସେ ଗଳିରେ । ଏହାର ଦୁଇପାଖରେ ଥିବା ଦୋକାନ ବୋଧେ ବଦଳିନାହିଁ କି କ'ଣ । ଛୋଟ ଛୋଟ ପରିବା ଦୋକାନୀ, କିଛି କିଛି ମସଲା ନେଇ ବସିଥିବା ଦୋକାନୀମାନେ ବି ସେମିତି ଥିଲେ । କିଛି କିଛି ବଡ଼ ବଡ଼ ଦୋକନ ବୋଧେ ସେମାନଙ୍କର ଟିକେ ଟିକେ ରଙ୍ଗ ବଦଳେଇଥିବେ କି କ'ଣ, ନ ହେଲେ ବାକି ସବୁ ସେମିତି । ଏହାପରେ ସୁବାଷଚନ୍ଦ୍ର ବୋଷଙ୍କର ମୂର୍ତ୍ତି ଦେଖାଗଲା ଏବଂ ସେଠାରୁ ମାଣିକେଶ୍ୱରୀ ମନ୍ଦିରପଟେ ଗଲି । ଏଇ ପାଖରେ ଥାଏ ଛୋଟ ପଡ଼ିଆଟିଏ, ଏହି ପଡ଼ିଆରେ ଏହି ସମୟରେ ମୀନାବଜାର ବସେ । କିନ୍ତୁ କିଛି ନ ଥିଲା, ବୋଧେ ସରିଗଲାଣି କି କ'ଣ । ଏହାର ଡାହାଣକୁ ଆଉ ଗୋଟିଏ ଛୋଟିଆ ଖୋଲା ଜାଗାରେ ଶୀତଦିନିଆ ନେପାଳୀମାନେ (ପ୍ରକୃତରେ ତିଦ୍ଦତରୁ ଆସିଥାନ୍ତି ସେମାନେ ଆଉ ଏବେ ସେମାନେ ଓଡ଼ିଶାର ବ୍ରହ୍ମ‌ପୁରରେ ରହୁଛନ୍ତି) ବସିଥାନ୍ତି ସେମାନଙ୍କର ଦେଶରୁ ଆଣିଥିବା ଶୀତବସ୍ତ୍ର ନେଇ । ସେଠାରେ ରହିଲାବେଳେ ଆମେ ବୋଧେ ପ୍ରତ୍ୟେକ ବର୍ଷ କିଛି ନା କିଛି କିଣିଥିଲୁ, କିନ୍ତୁ ଶେଷବର୍ଷ କାଇଁ ସେମାନେ ନ ଆସିନଥିଲେ । କିନ୍ତୁ ସେଇ ଜାଗାରେ ସେମାନେ ପୁଣିଥରେ ବସିଥିଲେ । ଯଦିଓ ମୋତେ କିଛି କିଣିବାର ନ ଥିଲା, କିନ୍ତୁ ଖାଲିରେ ବି ଟିକେ ବୁଲି ଆସିଲି । ସେଠାରେ ବି ସେଇ ସମାନ କଥା, ସମାନ ଲୋକ ବି ଥିଲେ ସେଠାରେ । ଆମେ ସେଇ ତିନିବର୍ଷରେ ଯାହା ସବୁ କିଣିଥିଲୁ ଗୋଟିଏ ଝିଅପାଖରୁ ହିଁ କିଣିଥିଲୁ ଆଉ ସେ ବି ସେଇଠି ଥିଲା । ଏମିତିକି ପ୍ରତ୍ୟେକ ଥର ଆମେ ଗୋଟିଏ ଜିନିଷ କିଣିବାକୁ ଯାଇଥାଉ କିନ୍ତୁ ଆବଶ୍ୟକ ନ ଥାଇ ବି ନବୀନ ସବୁବେଳେ ତା'ଠାରୁ ଆଉ ଗୋଟିଏ କିଣିଆଣେ । ଆଉ କ‌ହିଥିଲା, ତା' ସ‌ହ ଗୋଟେ ଫଟୋ ଉଠେଇବି, କିନ୍ତୁ ଆମର ଶେଷ ବର୍ଷରେ ସେ ଆସିନଥିଲା । ତେଣୁ ନବୀନର ଆଶ ସେମିତି ରହିଯାଇଥିଲା । ନବୀନ ଯଦି ଆସିଥାନ୍ତା, ବୋଧେ ଫଟୋଟିଏ ନିଶ୍ଚୟ ଉଠେଇଥାନ୍ତା ।

ଏହପରେ ଚାଲିଲି ଆଗକୁ । ବାମ‌ପଟେ ମାଣିକେଶ୍ୱରୀ ମନ୍ଦିର, ତେଣୁ ମନ୍ଦିରକୁ ବି ଯାଇ ଟିକେ ବୁଲି ଆସିଲି । ଅବଶ୍ୟ ମୋ ପାଖରେ ବ୍ୟାଗ୍ ଥିଲା ବୋଲି ମୁଁ ଆଉ ଭିତରକୁ ଗଲିନି, ଖାଲି ଦୂରରୁ ପ୍ରାଣାମ କରି ଆସିଗଲି । ଏହାପରେ ଫେରିବାର ସମୟ, କିନ୍ତୁ ସମାନ ରାସ୍ତାଦେଇ ଫେରିବାର ଆବଶ୍ୟକତା ବି ନାହିଁ । ଘୋଡ଼ାଘାଟ ଛକରେ ପ‌ହ‌ଞ୍ଚିବାକୁ ଯେଉଁ ଗଳିରେ ଗଲେ ବି ଗୋଲ୍ ହୋଇ ଘୁରି ଆସିହେବ । ତେଣୁ ଜଗନ୍ନାଥ ମନ୍ଦିର କଡ଼ ରାସ୍ତାଦେଇ ଫେରିଲି । ବାଟରେ ଥାଏ ପକୁଡ଼ି ଆଉ ଜିଲାପିର ଦୋକାନ । ସେତେବେଳେ ଆମେ ଶୀତଦିନରେ ଯେବେ ଯାଉ କେବେ ବି ନ ଖାଇ ଫେରୁନା, କିନ୍ତୁ ଏକୁଟିଆ ଖାଇବାର ମଜା ଆସେନା । ତେଣୁ ଦେଖିକି ଖାଲି ଆସିଗଲି । ପକୁଡ଼ି ଦୋକାନ ପାର ହେବାପରେ ଜଣାନାହିଁ କାହିଁକି କେଜାଣି ମନଟା ଭାରୀ ହେବାରେ ଲାଗିଲା । ପୂର୍ବଥର ଯେତେବେଳେ ଆମ ପିଲାମାନେ ଭବାନୀପାଟଣା ଛାଡ଼ିଥିଲେ, ବୋଧେ ସବୁ କାନ୍ଦୁଥିଲେ । ସେତେବେଳେ କିନ୍ତୁ ମୋ ମନରେ ଥିଲା କି ମୋତେ ତ ପୁଣିଥରେ ଆସିବାକୁ ହେବ ଆଉ ସେଇଟା ଶେଷ ନ ଥିଲା । ମାତ୍ର ସେଦିନର ଆସିଯିବାପରେ ପୁଣିଥରେ ଯିବାକୁ ଲାଗିଗଲା ଦେଢ଼ବର୍ଷ ଦୁଇଦିନ । ଜଣାନାହିଁ, ଏଇ ଫେରିବା ପରେ ଆଉ କେବେ ଜୀବନରେ ସୁଯୋଗ ମିଳିବ କି ନାହିଁ । ତେଣୁ ମନ ଭିତରେ ସେଇ ଭୟଟା ଖାଇଯାଉଥିଲା । ଅନ୍ୟମନସ୍କ ବସତଃ ଚାଲୁଥିଲି ବସ୍‌ଷ୍ଟାଣ୍ଡ ଆଡ଼େ । ସେତେବେଳେ ବାମ‌ପଟେ ନ‌ଜର ପଡ଼ିଲା ସୋଡ଼ାହବ୍ ଉପରେ । ଅବଶ୍ୟ ଶୀତଦିନରେ ଥଣ୍ଡା ଅଧିକ ହୁଏ ବୋଲି ରାତିରେ ପିଉନା, କିନ୍ତୁ ଶେଷଥର ପାଇଁ ସେ ଦୋକାନରୁ ପୁଣିଥରେ ପିଇବାକୁ ଗଲି । ଅବଶ୍ୟ ମୋର ସବୁବେଳର ପସନ୍ଦ ଲେମନ୍ ସୋଡ଼ା ନ ଥିଲା, ତେଣୁ ତା' ବଡ଼ଭାଇ ଅରେଞ୍ଜ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଲା । ଏହାପରେ ଫେରିଆସିଲି ବସ୍‌ଷ୍ଟାଣ୍ଡ ପାଖକୁ ।

ବଜାର ବୁଲିଆସିବା ଭିତରେ କିନ୍ତୁ ଗୋଟିଏ ଜିନିଷ କେଉଁଠି ବି ନ‌ଜର ଆସିନଥିଲା ପୋଡ଼ା ହୋଇଥିବା ମକା ସ‌ହ ଲେମ୍ବୁ । ମାତ୍ର ବସ୍‌ଷ୍ଟାଣ୍ଡରେ ପ‌ହ‌ଞ୍ଚିବାପରେ ଦେଖିଲି ଗୋଟିଏ ପିଲା ମକା ପୋଡ଼ିବାରେ ଲାଗିଛି, କିନ୍ତୁ ଗ୍ରାହକଙ୍କ ମଧ୍ୟରେ ପୂର୍ବରୁ ବଣ୍ଟାସରିଯାଇଥିଲା ସେସବୁ । ତେଣୁ ମୋ ପାଇଁ ଆଉ ନ ଥିଲା । ସେତେବେଳକୁ ତ‌ଥାପି ବସ୍ ଆସିନଥିଲା । ତେଣୁ ଅପେକ୍ଷା କରି ବସିଲି ବସ୍‌ଷ୍ଟାଣ୍ଡର ବଡ଼ ବଡ଼ ଖମ୍ବ ପାଖରେ ଥିବା ଜାଗା ଉପରେ । ସେତେବେଳେ ମୋ ପାଖରେ ବସିଥିବା ଜଣେ ବୁଢ଼ୀମାଉସୀ ବିକୁଥିଲେ ବାଦାମ । ଆଗରୁ ତାଙ୍କଠାରୁ ଅନେକଥର ଚନା, ବାଦାମ ଆଦି ଖାଇଛୁ । ତେଣୁ ପୁଣିଥରେ ତାଙ୍କଠାରୁ ବାଦମ ନେଇ ଟିକେ ଟିକେ ଖାଇଲି ଆଉ ଅପେକ୍ଷା କରିଥିଲି ବସ୍‌କୁ ଏବଂ ପୁଣିଥରେ ସେଇ ଆପଣାର ଜାଗାକୁ ବିଦାୟ ଦେବାକୁ ।

Friday, 8 December 2017

ଅଦିନିଆ ମେଘ

ସଂଗ୍ରାମ କେଶରୀ ସେନାପତି 10:12 pm 0
ଅଦିନିଆ ମେଘ

ଜୟ ଯବାନ, ଜୟ କିଷାନ ।
ଦେଶର ସୀମାରେ ସୁରକ୍ଷା ପ୍ରଦାନ କରି ଆମର ଯବାନମାନେ ଆମମାନଙ୍କୁ ବାହ୍ୟ ଶତ୍ରୁ କବଳରୁ ରକ୍ଷା କରୁଛନ୍ତି । କିଷାନ ଅର୍ଥାତ ଚାଷୀଭାଇମାନେ ମଧ୍ୟ ନିଜର ରକ୍ତ ଦେଇ ଆମକୁ ଖାଇବାକୁ ଆମର ନିଜ ଭିତରେ ସୃଷ୍ଟି ହେବାକୁ ଥିବା ରୋଗ ରୂପୀ ଶତ୍ରୁଠାରୁ ରକ୍ଷା କରୁଛନ୍ତି । ଚଷାଭାଇଟିଏ ହଳ‌ଲଙ୍ଗଳ ଧରି ନିଇତି କାମ କରି ଆମକୁ ଖାଇବାକୁ ଦିଏ, ହେଲେ ଆମେ ତାକୁ କିଛି ବି ଦେଇପାରୁନା । "ଆମେ ବା ଦେବାକୁ କିଏ, ସବୁ ସେଇ ଉପରବାଲା ହାତରେ" କ‌ହି ଆମ ଆମ ଦାୟିତ୍ୱରୁ ପାର୍ ହେଇଯାଉ । ଉପରବାଲା, ଅର୍ଥାତ ଭଗବାନ, ସଭିଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇ ଆସିଛି । କର୍ମ ଘେନି ଫଳ ଦେଇଥାଏ ସେ ସମସ୍ତଙ୍କୁ । ଚାଷୀଟିଏ କିନ୍ତୁ ତା'ର ଜୀବନସାରା ପରିଶ୍ରମ କରି ଅନେକଙ୍କୁ ଅନାହାରରୁ ରକ୍ଷା କରିଛି । କେବେ କେବେ ନିଜେ ନ‌ ଖାଇ, ନିଜ ପିଲାକୁ ଖାଇବାକୁ ଦେଇ ନ ପାରି ମଧ୍ୟ ସେ କ୍ଷେତରେ ଧାନ ରୂପି ସୁନା ଫଳେଇଛି ଆମମାନଙ୍କ ପାଇଁ ।

Photo by Gaunliya.

ବର୍ଷା ଋତୁର ଆରମ୍ଭରେ ଧାନ ଫସଲର ଆରମ୍ଭ ହୋଇଥାଏ । ହଳ କରିବା ପାଇଁ ସେତେବେଳେ ପର୍ଯ୍ୟାପ୍ତ ପରିମାଣରେ ପାଣି ମିଳିଲାନି, ତେଣୁ ଚାଷ କାର୍ଯ୍ୟ ଆରମ୍ଭରେ ଅନେକ ବିଳମ୍ବ ହେଲା ଆଉ ପରେ ଚାଷ ଆରମ୍ଭ ହେବାର କିଛିଦିନ ପରେ ବନ୍ୟା ଆସିଗଲା । ଏମିତି ଅନେକ ବନ୍ୟା ଜଳରେ ବୁଡ଼ି ଯେତେବେଳେ ଧାନ ଗଛଟିର ଥୋଡ଼ ବାହାରିବାକୁ ଲାଗିଲା, ସେବେ ପୁଣିଥରେ ବାତ୍ୟା ଆସି ତାକୁ ପୁଣି ଦୋହଲେଇଦେଲା । ପରିଶେଷରେ ଯାହା ଯେମିତି ବଞ୍ଚିଗଲା, ତାକୁ ପୁଣି ବିପଦ ହୋଇ ମାଡ଼ି ଆସିଲା ଅଦିନିଆ, ଶୀତକାଳରେ ଲଘୁଚାପ । ହଳଦୀ ରଙ୍ଗ ଧାନ ଯେତେବେଳେ କଟା ହୋଇ ବିଲରେ ପଡ଼ିଥିଲା, ସେତେବେଳେ ପ୍ରକୃତି ପୁଣିଥରେ ଯୁଦ୍ଧ ଘୋଷଣା କଲା । ଅଦିନରେ ଶୀତଋତୁରେ ଲଘୁଚାପ ରୂପରେ ଆକ୍ରମଣ କଲା ଚଷା ଭାଇ ଉପରେ । ଅନେକଙ୍କ ପାଇଁ ଏଇ ଶୀତଦିନିଆ ଝିପିଝିପି ବରଷା ସାଙ୍ଗକୁ କୋହଲା ପବନ ଆକର୍ଷଣୀୟ ପାଗ ହୋଇ ଆସିଥିବା ବେଳେ, ନିଜ ପେଟକୁ ଭୋକିଲା ରଖି ଆମକୁ ଖାଇବାକୁ ଦେଉଥିବା ସେଇ ଚାଷୀ ପାଇଁ ଏହା ମହାକାଳ ବିପଦ ।

ଧାନ ଚାଷ ପାଇଁ ଯାହା ଯେମିତି ସରକାରଙ୍କଠାରୁ ଋଣ ନେଇ ଚାଷ କରିଥିଲା, ସବୁ ଆକ୍ରମଣକୁ ସାମ୍ନା କରି ବଞ୍ଚିଯାଇଥିବା କେଇଟା ଧାନ ପୁଣିଥରେ ଏକ ବ‌ହୁତ ବଡ଼ ଭୟଙ୍କର ଆକ୍ରମଣର ସାମ୍ନା କରିବାକୁ ଯାଉଛି । ସେ ପୁଣି ଶୋଇରହିଥିବା ବେଳେ ଆକ୍ରମଣର ସାମ୍ନା କରିବାକୁ ଯାଉଛି । ଜଣା ନାହିଁ ଏହି ଆକ୍ରମଣର ପରିଣତି କ'ଣ ହେବ । କୌଣସି ବି ପରିସ୍ଥିତିରେ ଏହି ଆକ୍ରମଣକୁ ସାମ୍ନା କରିବାକୁ ହେବ ତା'କୁ । ଶେଷରେ ଯାହା କିଛି ପାଇବ, ତାକୁ ନେଇ ପୁଣିଥରେ ସେ ଆମ ପାଇଁ ଦାନା ବଢ଼ାଇଦେବ । ହୁଏତ ରହିଯାଇଥିବା ସେହି କିଞ୍ଚିତ ଧାନ ତା' ଘର ପାଇଁ ନିଅଣ୍ଟ ହୋଇପାରେ, କିନ୍ତୁ ଚାଷ ପାଇଁ କରିଥିବା କରଜକୁ ସୁଝିବାକୁ ହେଲେ ତାକୁ ପୁଣି ରହିବାକୁ ପଡ଼ିବ ଉପାସ । ତାକୁ ପୁଣି ସେହିଭଳି କଷ୍ଟ ସ‌ହି ମିଛି ମିଛିକା ଜୟ ଜୟକାର ଶୁଣିବାକୁ ହେବ ।

Monday, 20 November 2017

ପ୍ରେମରେ ସନ୍ଦେହ ଏବଂ ଛଳନା

ସଂଗ୍ରାମ କେଶରୀ ସେନାପତି 10:07 pm 0
ପ୍ରେମରେ ସନ୍ଦେହ ଏବଂ ଛଳନା
ପ୍ରେମ ଶାସ୍ୱତ, ପ୍ରେମ ଚିରନ୍ତନ । ପ୍ରେମ ହିଁ ଏକ ଏଭଳି ଜିନିଷ ଯାହାକି ଜ୍ଞାନ ପରି ବାଣ୍ଟିଲେ ବଢ଼ିଥାଏ । କାହିଁ କେଉଁ ଅନାଦି କାଳରୁ ପ୍ରେମର ସୃଷ୍ଟି ହୋଇଥିଲା । ପ୍ରେମ ସବୁଆଡ଼େ ତା'ର ଆଧିପତ୍ୟ ବିସ୍ତାର କରିରଖିଛି । ବୋଧହୁଏ ଏଇ ଦୁନିଆର ସୃଷ୍ଟି ହେବା ଦିନରୁ ପ୍ରେମ ସୃଷ୍ଟି ହୋଇଥିଲା । ପ୍ରେମର ଶକ୍ତି ସବୁଠୁ ବଡ଼ । ଯେମିତି ଜ୍ଞାନର ଶକ୍ତିରେ ଆମେ ଅନେକ ଅସାଧ୍ୟ ଲାଗୁଥିବା କାର୍ଯ୍ୟକୁ ସ‌ହଜରେ କରିପାରିଥାଉ, ସେହିପରି ପ୍ରେମରେ ଆମେ ଅନେକ କିଛି କାର୍ଯ୍ୟକୁ କରିପାରିବା । ପ୍ରେମର ଆଦି ନ ଥାଏ କିମ୍ବା ଅନ୍ତ ନ ଥାଏ । ପ୍ରେମର ସୀମାକୁ ମାପିବା କେବେ ସମ୍ଭବପର ନୁହେଁ ।

ପ୍ରେମର ପରିଭାଷା ଅଲଗା ଅଲଗା ଭାବରେ ବର୍ଣ୍ଣନା କରାଯାଇଛି । ପରିବାରର ସଦସ୍ୟଙ୍କ ଠାରୁ ଆରମ୍ଭ କରି ଦୁନିଆରେ ଥିବା କେତେକ ବସ୍ତୁକୁ ଆମେ ପ୍ରେମ କରିଥାଉ । ମୁଖ୍ୟତଃ ପ୍ରେମିକ ଏବଂ ପ୍ରେମିକାଙ୍କର ପ୍ରେମକୁ ଲେକେ ପ୍ରେମ ବୋଲି ମାନନ୍ତି । ବାକି ସବୁକୁ କେହି ସେତେ ଗୁରୁତ୍ୱ ଦିଅନ୍ତିନି । ପ୍ରେମ ଏକ ସୁନ୍ଦର ଆକର୍ଷଣ ସୃଷ୍ଟି କରିଥାଏ । ସେହି ଆକର୍ଷଣ ମାଧ୍ୟାକର୍ଷଣ ଶକ୍ତିଠାରୁ ବି ଅଧିକ ଶକ୍ତିଶାଳୀ ବୋଲି କେତେକ ସାହିତ୍ୟିକ ତାଙ୍କ ରଚନାରେ ବର୍ଣ୍ଣନା କରିଛନ୍ତି । ପ୍ରେମ ସବୁବେଳେ ଦୁଇଟି ମନ ଏବଂ ହୃଦୟରୁ ଜାତ ହୋଇଥାଏ । ପ୍ରେମ ମଧ୍ୟ ଆଉ କାହାରି ସ୍ଥାନ ନଥାଏ ।

କିନ୍ତୁ ଏହି ଅସୀମ ଅମୀୟ ପ୍ରେମ ମଧ୍ୟରେ ଯେବେ ଛଳନା ଏବଂ ସନ୍ଦେହର ଖଳନାୟକ ପ୍ରେବେଶ କରେ, ସେବେ ସେ ଅଖଣ୍ଡ ପ୍ରେମ ମଧ୍ୟ କୃଷ୍ଣପକ୍ଷର ଚାନ୍ଦ ପରି କ୍ଷୟ ହୋଇଯାଏ ଏବଂ ଏମିତି ଏକ ସମୟ ଆସେ, ଯେବେ ସେ ପ୍ରେମର ଆଉ ସତ୍ତା ରହେନି । ସନ୍ଦେହ ହିଁ ସବୁ ଅନର୍ଥର ମୂଳ । ସନ୍ଦେହ ହିଁ ଅନେକ ମଧୁର ସମ୍ପର୍କ‌କୁ ଭାଙ୍ଗି ଦେଇଛି । ପ୍ରେମରେ ବୁଡ଼ି ରହିଥିବା ଅନେକ ଲୋକଙ୍କୁ କୂଳକୁ ଠେଲି ଦେଇଛି । କେତେକ ସମୟରେ ଗୋଟିଏ ସମ୍ପର୍କର ସୁମଧୁରତାକୁ ବଜାଇ ରଖିବାକୁ ପ୍ରେମରେ ଥିବା ବ୍ୟକ୍ତିଟିଏ ସବୁକିଛିକୁ ଆଖିବୁଜି ଦିଏ । ମାତ୍ର ପରେ ଧିରେ ଧିରେ ସେହି ଆଖିବୁଜା ବେଶିଦିନ ରହେନି । ଦିନେ ନା ଦିନେ ସେ ସନ୍ଦେହର ଜ୍ୱାଳା ପ୍ରେମକୁ ଘୃଣାରେ ବଦଳାଇ ଦିଏ ।




Wednesday, 30 November 2016

ମାନସିକ ଚିନ୍ତାଧାରା

ସଂଗ୍ରାମ କେଶରୀ ସେନାପତି 12:05 am
ମାନସିକ ଚିନ୍ତାଧାରା
Manasika Chintadhara (ମାନସିକ ଚିନ୍ତାଧାରା) Blog by Sangram Keshari Senapati

ଏହି ଲେଖାଟି ଆମେ ଭୋଗୁଥିବା କିଛି ଅସୁବିଧାର କାରଣ ସମ୍ବନ୍ଧରେ ଲେଖାଯାଇଛି ।

ଆମେମାନେ ଓଡ଼ିଶାରେ ବିଭିନ୍ନ ପ୍ରକାରର ରାସ୍ତାରେ ଯାତାୟତ କରୁଛେ । ସେହି ସବୁ ରାସ୍ତାଗୁଡ଼ିକ କୋଉଠି ଅଣଓସାରିଆ ତ ପୁଣି କୋଉଠି ଭାଙ୍ଗିଯାଇଛି ଆଉ ଏହି ସବୁ କାରଣ ପାଇଁ ଆମେ ସରକାରଙ୍କୁ ଅତି ସନ୍ତର୍ପଣରେ ଦୋଷାରପ କରିଥାଉ । ଏମିତି କିଛି ମଧ୍ୟ ଘଟଣା ଘଟୁଛି, ଯାହା ଆମ ଦ୍ୱାରା ସୃଷ୍ଟି ହେଉଛି କିନ୍ତୁ ଆମେ ସେଇଟା ପ୍ରଶାସନର ଭୁଲ ବୋଲି ବତେଇ ଚୁପ ଚାପ ବସିଯାଉଛେ ।

ଆଜିକାଲି ସ‌ହର ବଜାର ମାନଙ୍କରେ ପୌରପାଳିକା ତରଫରୁ କଙ୍କ୍ରିଟ୍ ରାସ୍ତା ତିଆରି ହେଉଛି, ଜଳ ନିଷ୍କାସନ ପାଇଁ ଡ୍ରେନର ମଧ୍ୟ ବ୍ୟବସ୍ଥା କରା‌ଯାଉଛି, ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇବା ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଡଷ୍ଟବିନମାନ ମଧ୍ୟ ରଖାଯାଉଛି । ଏତେ ସବୁ ସୁବିଧା କରିବା ପରେ ମଧ୍ୟ ଅଳ୍ପ ବର୍ଷାରେ କଙ୍କ୍ରିଟ ରାସ୍ତା ଉପରେ କାଦୁଅ ହେଇଯାଉଛି, ବର୍ଷାଜଳ ନିଷ୍କାସନ ପାଇଁ ନିର୍ମାଣ ହୋଇଥିବା ଡ୍ରେନରେ ବର୍ଷାଜଳ ନିଷ୍କାସିତ ହେବା ପରିବର୍ତ୍ତେ ରାସ୍ତା ଉପରେ ଜଳ ପ୍ରବାହିତ ହୋଇଥାଏ ।

Bad parking in Bhadrak
(ଅଣ-ଓସାରିଆ ରାସ୍ତା ଉପରେ ଗାଡ଼ି ପାର୍କିଂ)

ଏହି ସବୁ କାରଣ ପାଇଁ ଆମେ ସରକାର ତ‌ଥା ପ୍ରାଶାସନ‌କୁ ସଦାସର୍ବଦା ଦାୟୀ କରିଥାଉ । ହଁ ପ୍ରଶାସନର କିଞ୍ଚିତ ଅବେହେଳା ରହୁଛି, ମାତ୍ର ସବୁକିଛି ଖାଲି ପ୍ରଶାସନ ବୁଝିବ ବୋଲି ତ ନାହିଁ । ଆମର ମଧ୍ୟ କିଛି କର୍ତ୍ତବ୍ୟ ତ‌ଥା ଦାୟିତ୍ୱ ଅଛି । ପ୍ରଶାସନ ତରଫରୁ କଙ୍କ୍ରିଟ ରାସ୍ତାଟିଏ ନିର୍ମାଣ ହେବା ବେଳେ ତ ଅନେକ ଦୁର୍ନୀତି ହେଉଛି ଏବଂ ରାସ୍ତାଟିର ନିର୍ମାଣର ମାନ କମୁଛି । ରାସ୍ତାଟି ନିର୍ମିତ ହୋଇଯିବା ପରେ ଲୋକମାନେ ସେହି ରାସ୍ତାଟିକୁ ମଧ୍ୟ ନିଜ କାମରେ ଲାଗାଇ ଦେଉଛନ୍ତି, ଯେପରିକି ସେହି ରାସ୍ତା ପରେ ବାଲି କୁଢ଼େଇବା, ଧାନ ସୁଖାଇବା, ଇତ୍ୟାଦି ଇତ୍ୟାଦି । ଏହି ସବୁ ଜିନିଷକୁ ଉଠାଇକି ନେବା ପରେ ମଧ୍ୟ କିଛି ମାଟି ଅଂଶ ସେହି ରାସ୍ତା ଉପରେ ଜମିକି ରହୁଛି । ତେଣେ ଅଳିଆ ଆବର୍ଜନାକୁ ପକାଇବା ପାଇଁ ରଖାଯାଇଥିବା ଡଷ୍ଟବିନ ବଦଳରେ ଲୋକମାନେ ଜଳ ନିଷ୍କାସନ ପାଇଁ ନିର୍ମୀତ ହୋଇଥିବା ଡ୍ରେନମାନଙ୍କରେ ପକାଇ ଦେଉଛନ୍ତି । ସେହି ସବୁ ଅଳିଆ ଭିତରୁ କିଛି ପରିମାଣରେ ଭାସିଯାଉଥିବା ବେଳେ ଆଉ କିଛି ସେହି ସ୍ଥାନରେ ପଡ଼ି ରହୁଛି । ଏମିତି ସବୁ ପଡ଼ିବା ଦ୍ୱାରା ଡ୍ରେନଟି ମଧ୍ୟ ଆସ୍ତେ ଆସ୍ତେ ପୋତି ହେବାରେ ଲାଗିଥାଏ ।

Bhadrak Bus Stand during rainy season

ଏହି ସବୁ ଭିତରେ ହଠାତ ଦିନେ ଅଦିନିଆ ବର୍ଷାଟିଏ ହୋଇଗଲେ ବର୍ଷାଜଳର ନିଷ୍କାସନ ଡ୍ରେନରେ ପର୍ଯାପ୍ତ ପରିମାଣରେ ଜଳ ନିଷ୍କାସିତ ହୋଇପାରି ନ ଥାଏ । ସେହି ଜଳ ସବୁ ରାସ୍ତା ଉପରକୁ ଆସିଯାଇଥାଏ । ଡ୍ରେନରୁ ଜଳ ରାସ୍ତାକୁ ଆସିବା ଭିତରେ ଡ୍ରେନରେ ପୋତି ହୋଇ ରହିଥିବା କିଛି ବର୍ଜ୍ୟବସ୍ତୁ ମଧ୍ୟ ରାସ୍ତାକୁ ଆସିଯାଏ ଏବଂ ଆଗରୁ ରାସ୍ତା ଉପରେ ଗଚ୍ଛିତ ଥିବା କିଛି ବାଲି, ମାଟି ସ‌ହ ମିଶି ରାସ୍ତାକୁ ମଧ୍ୟ ଖରାପ କରାଏ । ଏହି ସବୁ କାରଣରୁ ଆମମାନଙ୍କୁ ରକ୍ଷା ପାଇବାକୁ ହେଲେ ଆମକୁ ଆମର ଘରୁ ବାହାରୁଥିବା ସମସ୍ତ ଅଳିଆ କିମ୍ବା ବର୍ଜ୍ୟବସ୍ତୁର ସୁବିନିଯୋଗ କରିବା ସ‌ହ ଉଚିତ ସ୍ଥାନରେ ପକାଇବା ଦରକାର । ଆମ ଘର ଆଗରେ ରହିଥିବା ରାସ୍ତାଟିକୁ ସଫା କରିବା କାର୍ଯ୍ୟ ଆମର । କାରଣ ପ୍ରଶାସନ ସବୁକିଛି କରିପାରିବ ନାହିଁ, ଯେବେଯାଏ ଆମେ ସଜାଗ ନ ହୋଇଛି ଆମର କେବେହେଲେ ଉନ୍ନତି ହୋଇପାରିବ ନାହିଁ ।

Indian Traffic failure

ସେହିଭଳି ଆମେ ରାସ୍ତାରେ ଯିବାବେଳେ ଅନେକ ସମୟରେ ଗାଡ଼ି ଜାମ ହୋଇଯାଇଥାଏ । ଏହାର ଏକମାତ୍ର କାରଣ ହେଉଛି, ଲୋକମାନଙ୍କ ପାଖରେ ଧୈର୍ଯ୍ୟ ଶକ୍ତିର ଅଭାବ । ଏକ ଅଣଓସାରିଆ ରାସ୍ତାରେ ଗୋଟିଏ ଗାଡ଼ିଟି ଅପରପାର୍ଶ୍ୱରୁ ଆସୁଥିବା ଗାଡ଼ିକୁ ଅତିକ୍ରମ କରୁଥିବା ବେଳେ ଛୋଟ ଛୋଟ ଗାଡ଼ିରେ ଆସୁଥିବା କିଛି ଲୋକ ଆଗେ ପ‌ହ‌ଞ୍ଚିବା ଲକ୍ଷରେ ଡାହାଣ ପଟକୁ ମାଡ଼ିଯାଆନ୍ତି ଏବଂ ତାଙ୍କ ଦେଖାଦେଖି ଆଉ କିଛି ଛୋଟ ଗାଡ଼ିବାଲାଏ ଡାହାର ପଟକୁ ମାଡ଼ିଯାଇଥାନ୍ତି । ଏହା ଫଳରେ ବୀପରିତ ଦିଗରୁ ଆସୁଥିବା ବଡ଼ ଗାଡ଼ି କିମ୍ୱା ଛୋଟ ଗାଡ଼ିଟିକୁ ଯିବା ପାଇଁ ଆଉ ରାସ୍ତା ମିଳେନି । ଏହି ସବୁ କାରଣ ପାଇଁ ଅନେକ ସମୟରେ ରାସ୍ତାରେ ଜାମ ହୋଇଥାଏ ।

Indian Traffic failure in Bhadrak

ଯଦି ଏହି ସମୟରେ ଛୋଟ ଗାଡ଼ିବାଲାଏ ଡାହାଣ ପଟକୁ ନ ଯାଇ ମାତ୍ର କେଇ କ୍ଷଣ ବାମ ପଟରେ ଅପେକ୍ଷା କରିଥାନ୍ତେ, ତାହେଲେ ରାସ୍ତା ଜାମ ହେବା ବଦଳରେ ସବୁ ଗାଡ଼ିଗୁଡ଼ିକ ସୁରୁଖୁରୁରେ ଯାତାୟତ କରିପାରନ୍ତେ । ଏହି ସବୁ କାରଣ ପାଇଁ ଆମେ ପ୍ରଶାସନ‌କୁ ହିଁ ଦାୟୀ କରୁ କି ପ୍ରଶାସନ ରାସ୍ତା କାହିଁକି ବଡ଼ କରୁନାହାନ୍ତି । ସେପଟେ ପ୍ରଶାସନ ରାସ୍ତା ବଡ଼ କରିବାକୁ ଚାହିଁଲେ ରାସ୍ତାର ଜାଗାକୁ ଅବରୋଧ କରି ରଖିଥିବା ଲୋକମାନେ ପୁନଃ ପ୍ରଶାସନ‌କୁ ହିଁ ଦାୟୀ କରିଥାନ୍ତି । ତେଣୁ ଆମେ ସର୍ବଦା ପ୍ରାଶାସନ‌କୁ ଦାୟୀ କରିବା ପରିବର୍ତ୍ତେ ପ୍ରଶାସନ କରୁଥିବା କିଛି କାର୍ଯ୍ୟରେ ତାଙ୍କୁ ସ‌ହଯୋଗ କଲେ ଅନ୍ତ‌ତଃ ପକ୍ଷେ ଏହିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁ ନ ଥାନ୍ତା ।

Thursday, 23 June 2016

ସାମାଜିକ ଚିନ୍ତାଧାରା

ସଂଗ୍ରାମ କେଶରୀ ସେନାପତି 8:32 pm
ସାମାଜିକ ଚିନ୍ତାଧାରା
ଆମେ ସମସ୍ତେ ହେଉଛନ୍ତି ଜଣେ ଜଣେ ସାମାଜିକ ପ୍ରାଣୀ । ସମାଜରେ ସାମାଜିକ ଲୋକମାନଙ୍କ ସ‌ହ ମିଶି ରହିଛୁ ଆଉ ନିଜକୁ ଅନ୍ୟମାନଙ୍କ ସ‌ହ ମଧ୍ୟ ଖାପଖୁଆଇ ଚଳିଆସିଛୁ । ଯଦି କାହାର କିଛି ଅସୁବିଧା ହୁଏ ଆମେ ତାଙ୍କୁ ସାହାଯ୍ୟ କରିଥାଉ ଆଉ କେହି ନା କେହି ଆମକୁ ଆମ ବିପଦ ସମୟରେ ମଧ୍ୟ ସ‌ହଯୋଗ କରି ଆମର ଦୁଃଖକୁ ନିଜ ଭିତରେ ବାଣ୍ଟି ନେଇଥାନ୍ତି ।

Thursday, 15 October 2015

ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ

ସଂଗ୍ରାମ କେଶରୀ ସେନାପତି 10:51 am
ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ

 

ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ (Position of Odia Language and its future impact in our life)

"ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ ।"
ବିଦ୍ୟା ହେଉଛି ଅମୂଲ୍ୟ, କୌଣସି ମୂଲ ଦେଇ ବି ବିଦ୍ୟାକୁ ମାପି ହେବନି, କାରଣ ବିଦ୍ୟା କାହାଠାରୁ କିଣି ହୁଏ ନାହିଁ ଏହା କେବଳ ସ୍ୱଶିକ୍ଷାରୁ ହିଁ ମିଳିଥାଏ । ବିଦ୍ୟା ହେଉଛି ଏକ ଏମିତି ଜିନିଷ ତାହା ଅନୁଭବରୁ ହିଁ ମଣିଷକୁ ଜ୍ଞାତ ହୋଇଥାଏ । ଚୋରଟିଏ ଚୋରିକରିବାକୁ ଆସିଲେ ସବୁକିଛି ଚୋରି କରିପାରିବ, ହେଲେ କେବେ କାହାର ବିଦ୍ୟାକୁ ଚୋରିକରି ନେଇପାରିବ ନାହିଁ । କୌଣସି ଜିନିଷକୁ ଖର୍ଚ୍ଚ କଲେ ତାହା ଦିନେ ନା ଦିନେ ସରିଯାଏ, ହେଲେ ବିଦ୍ୟାକୁ ଯେତେ ଅଧିକ ଖର୍ଚ୍ଚ କରିବ ସେ ସେତେ ଅଧିକ ଅଧିକ ହୋଇ ବଢ଼ିଚାଲିଥିବ ।

“ବିଦ୍ୟା ଦ‌ଦାତି ବିନୟଂ”, ଅର୍ଥାତ୍ ବିଦ୍ୟାରୁ ବିନମ୍ରତା ଭାବ ଜାତ ହୋଇଥାଏ, ଯେଉଁ ବିନମ୍ରତା ଭାବ ମନୁଷ୍ୟକୁ ଦୁନିଆରେ ଉଚ୍ଚ ସ୍ଥାନରେ ଅଧିଷ୍ଠିତ କରାଇବା ସ‌ହିତ ସଭିଙ୍କର ପ୍ରିୟପାତ୍ର କରାଇଥାଏ । କଥାରେ ଅଛି ରାଜା ନିଜ ରାଜ୍ୟରେ ପୂଜା ପାଏ, କିନ୍ତୁ ଜ୍ଞାନୀଲୋକଟିଏ ସର୍ବତ୍ର ପୂଜା ପାଏ । ବିଦ୍ୟା ଏପରି ଏକ ଧନ ଯାହାକୁ ଯେତେ ବାଣ୍ଟିଲେ ମଧ୍ୟ ସରେ ନାହିଁ, ବରଂ ବିଦ୍ୟାଦାନ ଦ୍ୱାରା ନିଜର ବିଦ୍ୟାର ପରିମାଣ ବଢ଼େ ଏବଂ ସେହି ବିଦ୍ୟା ଦୁନିଆକୁ ଆଗକୁ ଆଗକୁ ନେବାରେ ସାହାଯ୍ୟ କରେ । ବିଦ୍ୟା ଅର୍ଜନ କଲେ ଅନେକ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ଏବଂ ଏହି ଅର୍ଜିତ ବିଦ୍ୟାକୁ ବଣ୍ଟନ କଲେ ସେହି ଅର୍ଜିତ ପୁଣ୍ୟ ଅପେକ୍ଷା ଅଧିକ ପୁଣ୍ୟଫଳ ପ୍ରାପ୍ତ ହୁଏ ।

ଅଧୁନା ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ଶିକ୍ଷାପଦ୍ଧତି କିନ୍ତୁ ବିଦ୍ୟାପ୍ରାପ୍ତି ପାଇଁ ନୁହେଁ, ବରଂ କେବଳ ବିଦ୍ୟାକୁ ଧନ ଉପାର୍ଜନର ମାଧ୍ୟମ ଭାବରେ ଅଧ୍ୟୟନ କରାଯାଉଛି । ଆମର ଓଡ଼ିଶାର ବିଦ୍ୟାଳୟମାନଙ୍କ କଥା ଆଖିଆଗକୁ ନିଆଗଲେ, ଆମେ ଦେଖିବା କି ଆମର ଓଡ଼ିଆ ବିଦ୍ୟାଳୟକୁ ପିଲାମାନେ ବିଦ୍ୟାଅଧ୍ୟୟନ କରିବାକୁ ପସନ୍ଦ କରୁନାହାନ୍ତି । ବ‌ହୁତ କମ୍ ପିଲାମାନେ ଓଡ଼ିଆ ସରକାରୀ ବିଦ୍ୟାଳୟମାନଙ୍କରେ ପଢ଼ୁଛନ୍ତି, ଯେଉଁମାନେ ବେସରକାରୀ ବିଦ୍ୟାଳୟମାନଙ୍କରେ ସେମାନଙ୍କର ମାସିକ ଖର୍ଚ୍ଚ ଦେଇପାରିବେନାହିଁ, ସେମାନେ ହିଁ ସରକାରୀ ବିଦ୍ୟାଳୟକୁ ଆସୁଛନ୍ତି । ସରକାରୀ ବିଦ୍ୟାଳୟର କଥା ତ ସଭିଙ୍କୁ ଉଣା ଅଧିକେ ଜଣାଅଛି, ଏବେ ଟିକେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉପରକୁ ଆସିବା । ଓଡ଼ିଶାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ଅନେକ, ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏହି ବିଦ୍ୟାଳୟମାନ ଗଢ଼ିଉଠିଛି । ଅଭିଭାବକମାନଙ୍କ ଅନୁସାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାମାନେ ପଢ଼ିଲେ ସେମାନେ ଅଧିକ କିଛି ଶିଖିପାରିବେ ଓ ଭବିଷ୍ୟତରେ ବ‌ହୁତ ଉପରକୁ ଯିବେ । ହେଲେ ଏହି ବିଦ୍ୟାଳୟମାନଙ୍କରେ ପଢ଼ିବା ଦ୍ୱାରା ପିଲାମାନଙ୍କ ଉପରେ କେଉଁଭଳି ପ୍ରଭାବ ପଡ଼ୁଛି ସେ ଉପରେ ଟିକେ ନ‌ଜର ପକାଇବା ।

ପିଲାଟିଏ ଟିକେ ଟିକେ କଥା କ‌ହିବା ଆଗରୁ ତାକୁ ଛାଡ଼ିଲେ ଖେଳ ସ୍କୁଲ୍‌ରେ । ଯେଉଁ ସମୟରେ ସେ ନିଜର ପିତାମାତାଙ୍କ ପାଖରେ ଅଧିକ ସମୟ ରହିବା ଦରକାର ସେହି ସମୟରେ ସେ ଦିନରେ ସମୟ ବିତାଏ ଖେଳ ସ୍କୁଲ୍‌ରେ । ଧିରେ ଧିରେ ବଡ଼ ହେବା ବେଳକୁ ତାକୁ ପୁଣି ପଠାଇ ଦିଅନ୍ତି ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ, ସେଠାରେ ଓଡ଼ିଆ କ‌ହିବା ମନା, କେବଳ ଇଂରାଜୀରେ କ‌ଥାବାର୍ତ୍ତା । ବିଦ୍ୟାଳୟ ପରିସରରେ ଓଡ଼ିଆ କ‌ହିଲେ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ସେହି ପିଲାମାନଙ୍କର ଅଭିଭବକଙ୍କୁ ତାଗିଦ୍ କରାଯାଏ କି ପିଲା ଯେମିତି ଘରେ ଓଡ଼ିଆରେ ବି କଥାବାର୍ତ୍ତା ନ କରେ ସେଥିପ୍ରତି ଧ୍ୟାନ ଦେବାକୁ । ସେ‌ହିଠାରୁ ଆରମ୍ଭ ହୁଏ ନିଜର ମାତୃଭାଷା ପ୍ରତି ଭିନ୍ନ ଧାରଣା, ଯାହାକି ତାକୁ ଏକ ଭୁଲ୍ ଭଳି ପରିଲକ୍ଷିତ ହୋଇଥାଏ । ସେ ତା’ର ମନେ ମନେ ସ୍ଥିର କରିନେଇଥାଏ କି, ଯଦି ସେ ଏହି ଭାଷାର ବ୍ୟବ‌ହାର ଦ୍ୱାରା କିଛି ଅସୁବିଧା ଭୋଗ କରୁଛି, ତେବେ କାହିଁକି ସେ ସେହି ଭାଷାର ବ୍ୟବ‌ହାର କରିବ । କେତେ କେତେ ସ୍ଥାନରେ ଏପରି ହୋଇଥାଏ କି, ପିଲାମାନଙ୍କର ଅଭିଭାବକ ଶିକ୍ଷକ ସେମାନଙ୍କୁ ଏମିତି ଲୋକଙ୍କ ସ‌ହ ମିଶିବାକୁ ସୁଯୋଗ ଦିଅନ୍ତି, ଯେଉଁମାନେ କେବଳ ଇଂରାଜୀରେ କଥାବାର୍ତ୍ତା କରିବେ । ଏମିତିକି ସେମାନଙ୍କର ବୃଦ୍ଧ ଜେଜେବାପା କିମ୍ବା ଜେଜେମାଆଙ୍କ ସ‌ହ ମିଶିବାକୁ ସୁଯୋଗ ଦିଅନ୍ତିନି, କାହିଁକି ନା ସେମାନେ ଇଂରାଜୀ ଜାଣିନାହାନ୍ତି । ଗୋଟିଏ ଘରେ ରହୁଥିଲେ ବି ପିଲାମାନଙ୍କୁ ସେମାନଙ୍କ ସ‌ହ ମିଶିବାକୁ ଦିଆଯାଏନି ।

ଏବେ ସରକାରଙ୍କ ନିୟମକୁ ମାନିବାକୁ ଯାଇ କିଛି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିଜର ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମମାନ ଯୋଡ଼ିଲେ । ସେହି ପାଠ୍ୟ ଖସଡ଼ା ଅନୁସାରେ ପିଲାମାନେ ଓଡ଼ିଆ କେବଳ ସେହି ଶ୍ରେଣୀଗୃହ ମଧ୍ୟରେ ପଢ଼ିବେ ଓ କ‌ହିବେ । ଶ୍ରେଣୀଗୃହ ବାହାରେ ସେହି ବିଷୟରେ କିଛି ଆଲେଚୋନା କରିବେ ନାହିଁ । ସେହି ପାଠ ପୁଣି ଆରମ୍ଭରୁ ଶିକ୍ଷାଦାନ କରାଯିବନି, ଷଷ୍ଠ ଶ୍ରେଣୀରେ ପିଲାମାନେ ଓଡ଼ିଆ ଶିଖିବେ, କେବଳ ଏକ ପାଠରେ ଉତ୍ତୀର୍ଣ ହେବା ପାଇଁ । ବିଦ୍ୟାଳୟ ପାଠ ସରିବା ପରେ ସେମାନେ କେବେ ଆଉ ଓଡ଼ିଆ ଭାଷାକୁ ଦେଖନ୍ତିନି କିମ୍ବା ପଢ଼ନ୍ତିନି । ଫଳ ସ୍ୱରୂପ ସେମାନେ ଓଡ଼ିଆ ଲିପି ଠିକ୍‌ରେ ପଢ଼ିପାରନ୍ତିନି ଓ ଓଡ଼ିଆ ଠିକ୍‌ରେ କ‌ହିପାରନ୍ତିନି ।

ଏହି ପାଠ ପଢ଼ା କେବଳ ନିଜର ଜୀବନରେ ଅର୍ଥ ଉପାର୍ଜନର ମାଧ୍ୟମ ଭାବରେ ବ୍ୟବ‌‌ହାର କରାଯାଉଛି । ବିଦ୍ୟଳୟମାନଙ୍କରେ ବିଦ୍ୟାଦାନ ପରିବର୍ତ୍ତେ ବିକ୍ରି କରାଯାଉଛି କ‌ହିଲେ କିଛି ଅତ୍ୟୁକ୍ତି ହେବନାହିଁ ବୋଲି ମୋର ମନେ ହେଉଛି । ପିଲାମାନେ ଏମିତି ନିଜର ମାତୃଭାଷାଠାରୁ ଦୂରେଇ ରହିବା କାରଣରୁ ନିଜର ପିତାମାତାଙ୍କ ଠାରୁ ମଧ୍ୟ ଦୂରେଇ ଯାଅନ୍ତି । ଶେଷରେ ମାତାପିତା ଅନ୍ୟକାହାର ଦୋଷ ଦିଅନ୍ତି, ଦୁନିଆର ଦୋଷ ଦିଅନ୍ତି, ନିଜ କର୍ମର ଦୋଷ ଦିଅନ୍ତି । ହେଲେ ପ୍ରକୃତରେ ଭୁଲ୍ କୋଉଠି ସେକଥା ଜାଣିବାକୁ ଚେଷ୍ଟା କରନ୍ତିନି ।

ଏହି ସବୁ କଥା କ‌ହିବାର ତାତ୍ପର୍ଯ୍ୟ ହେଉଛି କି ନିଜର ପିଲାମାନଙ୍କୁ ନିଜର ମାତୃଭାଷାଠାରୁ ଦୂରେଇ ରଖନ୍ତୁନି, ଯଦି ସେମାନଙ୍କୁ ସେମାନଙ୍କ ମାତୃଭାଷାଠାରୁ ଦୂରେଇ ରଖିବେ, ସେମାନେ ବଡ଼ ହେଲା ପରେ ଆପଣମାନଙ୍କ ଠାରୁ ଦୂରେଇ ଯିବେ ।