ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal
Showing posts with label Paper Published. Show all posts
Showing posts with label Paper Published. Show all posts

Saturday, 1 February 2020

ପୁଅମାନେ ରୋଷେଇ ଶିଖିବା କ'ଣ ସତରେ ଜରୁରୀ?

ସଂଗ୍ରାମ କେଶରୀ ସେନାପତି 12:33 am 0
ପୁଅମାନେ ରୋଷେଇ ଶିଖିବା କ'ଣ ସତରେ ଜରୁରୀ?

ମୁଁ ଷଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରଥମଥର ପାଇଁ ନିଜ ହାତରେ ନିଜ ପାଇଁ ରୋଷେଇ କରିଥିଲି । ପୂର୍ବରୁ ଯଦିଓ କେବେ ଗ୍ୟାସ୍ ବି ଲଗେଇନଥିଲି, ଦିନେ ଘରେ କେହି ନଥିବାବେଳେ ଭୋକର ଜ୍ୱାଳା ମେଣ୍ଟେଇବା ପାଇଁ ରୋଷେଇ କରିବା ନିହାତି ଜରୁରୀ ହୋଇ ପଡ଼ିଥିଲା । ଅବଶ୍ୟ ପ୍ରଥମ ରୋଷେଇ ସେତେ ଭଲ ହୋଇନଥିଲା, କିନ୍ତୁ ଖରାପ ବି ହୋଇନଥିଲି । ପରେ ଅନେକ ସମୟରେ ଘରେ କେହି ନଥିବାବେଳେ ମୁଁ ରୋଷେଇ କରିଛି, କିନ୍ତୁ ଇଂଜିନିୟରିଂର ପ୍ରଥମ ବର୍ଷରେ ରୋଷେଇ ନିଜେ କରିବା କେତେ ଜରୁରୀ ସେ ବିଷୟରେ ଅବଗତ ହିଁ ହେଲି । ଦିନେ ଜିଲ୍ଲା କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା, ତେଣୁ ସକାଳଠାରୁ ସନ୍ଧ୍ୟାଯାଏଁ ଭବାନୀପାଟଣା ସହରର ସମସ୍ତ ଦୋକାନ ବନ୍ଦ ଥାଏ, ଫଳରେ ଦିନସାରା ଉପାସ ରହିବାକୁ ପଡ଼ିଲା । ସନ୍ଧ୍ୟାରେ କିନ୍ତୁ ଗୋଟିଏ ସାଙ୍ଗ ଦେଖାହେଲା, ଯାହାର ରୁମ୍‌ରେ ସେମାନେ ନିଜେ ରୋଷେଇ କରୁଥିଲେ, ତେଣୁ ତାଙ୍କପାଇଁ ବନ୍ଦର କୌଣସି ପ୍ରଭାବ ପଡ଼ିଲାନାହିଁ । ଏହାପରଠାରୁ ଆମେ ବି ନିଜେ ନିଜ ରୁମ୍‌ରେ ରୋଷେଇ କଲୁ ଆଉ ଇଂଜିନିୟରିଂରେ ଆମେ ବୈଷୟିକ ବିଦ୍ୟା ଯାହା ଶିଖୁ କି ନଶିଖୁ ରୋଷେଇ ବିଦ୍ୟାଟା ଭଲରେ ଶିଖିଗଲୁ ।

ହେଲେ ଆଜି ୭ ବର୍ଷ ପରେ ପୁଣିଥରେ ସେ ବିଷୟରେ କାହିଁକି ଆଲୋଚନା କରୁଛି? ଏହାର କାରଣ ହେଲା, କିଛିଦିନ ତଳେ ଏକ କାର୍ଯ୍ୟକ୍ରମରେ ନାରୀ ସମ୍ମାନ ଉପରେ ଭାଷଣ ଦେଉଦେଉ ପୋଲିସ୍ କମିଶନର୍ ଡ. ସୁଧାଂଶୁ ଷଡ଼ଙ୍ଗୀ ପଦେ କହିଥିଲେ, "ଯେଉଁ ପୁଅମାନେ ରୋଷେଇ ଶିଖିନାହାନ୍ତି, ତାଙ୍କୁ ଝିଅମାନେ ବିବାହ କରିବା ଉଚିତ ନୁହେଁ ।" ଏହି କଥାର ସାରମର୍ମ କ'ଣ ଥିଲା? ଆଉ ସେ ଏହି କଥା କେତେବେଳେ କେଉଁ ସମୟରେ ଆଉ କେଉଁ ସ୍ଥାନରେ କହିଥିଲେ, ସେ ବିଷୟରେ ଅବଗତ ହେବା ପୂର୍ବରୁ ଅନେକ ନିଜେ ନିଜର ମତ ରଖିଦେଲେ । କିଏ ତାଙ୍କୁ ସିଧାସଳଖ ବିରୋଧ କଲା ତ ପୁଣି କିଏ କେତେ କଟାକ୍ଷ କଲା ।

ଏ ସ୍ୱାଧୀନ ଦେଶରେ ସ୍ୱ-ମତ ରଖିବାର ଅଧିକାର ସମସ୍ତଙ୍କର ଅଛି, ତେଣୁ ସେ ତାଙ୍କର ମତ ରଖିଲେ । ହେଲେ ତାଙ୍କୁ ବିରୋଧ କରୁଥିବା ଲୋକଙ୍କୁ ମୋର ପ୍ରଶ୍ନ, ଯଦି ଆପଣ ରୋଷେଇ କରିବା ଶିଖିବେ ତେବେ କ'ଣ ପାପ ଲାଗିବ ନା ମୃତ୍ୟୁପରେ ଆପଣ ନର୍କକୁ ଯିବେ ବୋଲି ଆପଣଙ୍କର ଜ୍ୟୋତିଷ ମହାଶୟ କହିଛନ୍ତି? ରୋଷେଇ ଶିଖିଥିଲେ ବେଳଅବେଳରେ ବି ସାହାଯ୍ୟ ତ ହୋଇପାରିବ । ଅବଶ୍ୟ କେତେଜଣ ମତ ଦେଲେ କି ଆଜିର ସ୍ମାର୍ଟ ଫୋନ୍‌ର ସ୍ମାର୍ଟ ଯୁଗରେ ଯେତେବେଳେ ଅନ୍‌ଲାଇନ୍‌ରେ ଖାଇବା ଅର୍ଡ଼ର୍ କଲେ ୩୦ ମିନିଟ୍‌ରେ ପହଞ୍ଛୁଛି, ରୋଷେଇ ଶିଖିବା ଦରକାର କ'ଣ? ସେମାନଙ୍କ ପାଇଁ ଗୋଟିଏ ଉପଦେଶ, ଗତବର୍ଷ ଫନି ବାତ୍ୟାରେ ଭୁବନେଶ୍ୱରରେ ଥିବା ବନ୍ଧୁମାନଙ୍କୁ ଥରେ ପଚାରନ୍ତୁ କେମିତି ଥିଲେ ସେମାନେ ।

ନାରୀ ସଶକ୍ତିକରଣ ପାଇଁ ଖାଲି କଥାରେ କହିଲେ କି ଭାଷଣ ଦେଇଦେଲେ ହେବନି, ନାରୀକୁ ବୁଝିବା ଦରକାର, ପ୍ରତ୍ୟେକ ପାହାଚରେ ପାଦ ସହ ପାଦ ମିଶେଇ ଚାଲିବା ଆବଶ୍ୟକ । ଏ ଦେଶର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ନାରୀକୁ କେତେ ସମ୍ମାନ କରୁଥିଲା, ତାହା ପୋଥିପୁରାଣରେ ହଜିଯିବା ପୂର୍ବରୁ ନାରୀଶକ୍ତିର ମହତ୍ୱ ବୁଝିବା ଦରକାର । "ଝିଅ ଜନମ ଚୂଲି ମୁଣ୍ଡକୁ" ପଦକୁ ଯଦି ଆପଣେଇ ବସିବେ, ତେବେ ଆପଣ ବି ସେହି ସମୟକୁ ଫେରିଯିବେ, ଯେଉଁ ସମୟରେ ଏହି ପଦଟି ରଚନା କରାଯାଇଥିଲା ।

ସଂଗ୍ରାମ କେଶରୀ ସେନାପତି
ସମ୍ପାଦକ, ଶୁଭପଲ୍ଲବ
ମୋ- 7008899643

ବି.ଦ୍ର.: ଏହି ଲେଖାଟି ୨୦୨୦ ମସିହାର ଜାନୁଆରୀ ମାସ ୨୨ ତାରିଖରେ ଓଡ଼ିଆ ରିପୋର୍ଟର ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହି ଲିଙ୍କ୍ https://epaper.odishareporter.in/c/48204149 ଜରିଆରେ ଏହାକୁ ମଧ୍ୟ ପଢ଼ିପାରିବେ ।