February 2022 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Tuesday 8 February 2022

ଗୋଲାପ ଜଳ

ସଂଗ୍ରାମ କେଶରୀ ସେନାପତି 12:08 am 0
ଗୋଲାପ ଜଳ
Golap Jal (Rose Water)

ଗତବର୍ଷ ଗୋଲାପ ଦେବାକୁ ଡର ଲାଗୁଥିଲା, ହେଲେ ସେ ଗୋଲାପ ଦେଇ ସେ ଡରକୁ ଦୂରେଇ ଦେଇଥିଲେ ଆଉ ଏହି ବର୍ଷେ ଭିତରେ ଆମ ଦୂରତା ଶୂନ୍ୟ ହୋଇଯାଇଥିଲା କହିଲେ ଚଳେ । ରୋଜ୍‌ ଡେ'ରେ ମୁଁ ତ୍ରିୟା ପାଇଁ ଗୋଟିଏ ନୁହେଁ ଆମ ବଗିଚାରୁ କିଛି ଗୋଲାପ ତୋଳି ଗୋଟିଏ ଫୁଲ ତୋଡ଼ା କରି ନେଇଥିଲି । ନାଲି ନୁହେଁ ଗୋଲାପି ରଙ୍ଗର ଗୋଲାପ; ଆଉ ସେ ଚଷମା ପିନ୍ଧି ନାହାନ୍ତି ବୋଲି ନାଲି ତାଙ୍କୁ ଗୋଲାପି ଲାଗୁଛି କହି ଭୁଲେଇ ଦେଇଥିଲି ।

ଏବର୍ଷର ରୋଜ୍ ଡେ, ଗତ ବର୍ଷର ସ୍ମୃତିକୁ ମନେ ପକାଇ ପ୍ରାୟ ସରିଗଲା । ପ୍ରପୋଜ୍ ଡେ'ରେ ସେମିତି କିଛି ନଥିଲା ବାସ୍ ତାଙ୍କ କାମ ପାଇଁ ସେ ଆଉ ଆସିନଥିଲେ କିନ୍ତୁ ଚକୋଲେଟ୍ ଡେ'ରେ ଭେଟ ହେଲା ପୁଣି ସେଇଠି; ସେହି ପାର୍କରେ, ସେହି ସମାନ ବେଞ୍ଚ ଉପରେ ଯେଉଁଠି ସେ ମୋ ସ୍ଥାନରେ ବସିଥିଲେ । ସେବେ ସିନା ମନରେ ଡର ଥିଲା, ଗୋଟିଏ ବେଞ୍ଚରେ ବସିଲେ ବି ବେଶ୍ କିଛି ଦୂରତା ରହୁଥିଲା, ହେଲେ ଏବେ ସେ ଦୂରତା ଆଉ ନାହିଁ; ତାଙ୍କ ବାସ୍ନା ଏବେ ମୋ ଦେହରେ ସମାହିତ ହୁଏ ।

Golapa Jala, a story by Sangram Keshari Senapati on Rose Day

ଆଜି କିନ୍ତୁ ତାଙ୍କ ଦେହରୁ କିଛି ଅଲଗା ବାସ୍ନା ଆସୁଥିଲା, ଯାହାକି ତାଙ୍କର ସେ ପରିଚିତ ଅତରର ବାସ୍ନାଠାରୁ ଭିନ୍ନ ଥିଲା, ହଁ ଗୋଲାପର ବାସ୍ନା ଥିଲା । ନିଜକୁ ସମ୍ଭାଳି ନପାରି ପଚାରିଦେଲି, "ଆଜି କ'ଣ ଗୋଲାପର ବାସ୍ନା? ରୋଜ୍ ଡେ'ର ଗୋଲାପଗୁଡ଼ା କ'ଣ ଖୁସିରେ ଖାଇଦେଇଥିଲ କି?"

ଫିଁ କିନା ହସିଦେଇ ସେ କହିଲେ, "ନାହିଁ ଖାଇନାହିଁ, ବୋଳି ହୋଇ ପଡ଼ିଛି ।" ଯଦିଓ ମୋର ପ୍ରଶ୍ନ ବ୍ୟଙ୍ଗ ଥିଲା, କିନ୍ତୁ ତାଙ୍କ ଉତ୍ତରକୁ ବୁଝିବା ସହଜ ନଥିଲା । "ବୋଳି ହୋଇ ପଡ଼ିଛ ମାନେ", ଆଶ୍ଚର୍ଯ୍ୟ ହୋଇ ମୁଁ ପୁଣି ପ୍ରଶ୍ନ କଲି ।

"ତମେ ଦେଇଥିବା ଗୋଲାପକୁ କ'ଣ କରିବି ବୋଲି ଭାବୁଥିଲି । ସାଇତି ରଖିଲେ ଗୋଲାପ ରହିବ ସତ, ହେଲେ ବାସ୍ନା ରହିବ ନାହିଁ । ତେଣୁ ୟୁ-ଟ୍ୟୁବ୍ ଦେଖି ସେ ଗୋଲାପଗୁଡ଼ାକୁ ଗୋଲାପ ଜଳ କରିଦେଇଛି । ସେ ଗୋଲାପ ଭିତରେ ମୁଁ ତୁମକୁ ଅନୁଭବ କରୁଥିଲି, ଆଉ ସେ ଜଳରେ ତମର ବାସ୍ନାକୁ ।"

ସଂଗ୍ରାମ କେଶରୀ ସେନାପତି (ଗପୁ)

Tuesday 1 February 2022

ନାରୀ ସୁରକ୍ଷା

ସଂଗ୍ରାମ କେଶରୀ ସେନାପତି 11:24 pm 0
ନାରୀ ସୁରକ୍ଷା
Nari Suraksha (ନାରୀ ସୁରକ୍ଷା): An article on Women Safety by Sangram Keshari Senapati

ଏଇ କିଛିଦିନ ତଳେ ଏମିତି ଟୁଇଟର୍‌ରେ ଗୋଟେ ଭିଡିଓ ଦେଖିଲେ, ଯାହାକୁ ଦେଖିକି ଇଚ୍ଛା ହେଉଥିଲା ଏହାକୁ ଅପ୍‌ଲୋଡ୍ କରିଥିବା ସେ ପିଲାକୁ ଦୁଇ ଚାରି ଚାପୁଡ଼ା ଲଗେଇକି ଗୋପନୀୟତା ବିଷୟରେ ଗୋଟେ ପଦ କଥା ଶିଖେଇବାକୁ । ଭିଡିଓ ଗୋଟିଏ ଝିଅର ଥିଲା, ଯିଏକି ବଳାତ୍କାରର ଶିକାର ହୋଇ ଏକ ମେଡିକାଲରେ ପଡ଼ିଥିଲେ । ସେ ଭିଡିଓଟିରେ ଝିଅଟିର ମୁହଁ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଥିଲା ।

ଆମେ ଏ ସମାଜରେ ବଦନାମକୁ ଅଧିକ ଡରୁ, ଲୋକେ କ'ଣ କହିବେ ତାକୁ ଅଧିକ ଡରୁ । ଯାହା ଉଚିତ, ତାକୁ ଲୋକଲଜ୍ୟା ଯୋଗୁଁ ଗ୍ରହଣ କରିବାକୁ ଡରୁ । ଏବେ ଆମେ ଖବର କାଗଜ କିମ୍ବା ଟିଭିରେ ଦୁଷ୍ମର୍ମ ବଢ଼ୁଥିବା ଦେଖୁଛେ; କିନ୍ତୁ ସତ ହେଉଛି ଯେ ଲୋକେ ଏବେ ସଚେତନ ହେଲେଣି, ଆଉ ଏହାର ପ୍ରତିବାଦ କରିବାର ସାହାସ ମଧ୍ୟ କରୁଛନ୍ତି । ଏସବୁ ପାଇଁ ଅଧିକାଂଶ ଲୋକେ ନାରୀର ପୋଷାକକୁ ଦୋଷ ଦେଉଛନ୍ତି ତ କେହି ପୁଣି ଝିଅମାନଙ୍କୁ ଦୋଷ ଦେବାକୁ ପଛାଉ ନାହାନ୍ତି ।

ଏଠାରେ ପ୍ରଶ୍ନ ଉଠେ ନାରୀର ସୁରକ୍ଷାର । ଆଜିର ସମାଜରେ କେତେ ସୁରକ୍ଷିତ ନାରୀମାନେ? ନାରୀକୁ ସବୁବେଳେ ଅବଳା, ଦୁର୍ବଳା ଭାବରେ ଗଣାଯାଇଛି । କିନ୍ତୁ ଆମେ ଭୁଲି ଯାଉଛେ ଯେ ନାରୀ ହେଉଛି ଶକ୍ତି ସ୍ୱରୂପିଣୀ । ଯେବେ ସମାଜରେ ଅନ୍ୟାୟ, ଅନିତି ବଢ଼ିଛି, ସେବେ ନାରୀ ହିଁ ସମାଜକୁ ରକ୍ଷା କରିଛି; କେବେ ଦୁର୍ଗା ସାଜି ମହିଷାସୁରର ସଂହାର କରିଛି ତ କେବେ ଦ୍ରୌପଦୀ ସାଜି କିଛି ପାପୀଙ୍କର ସଂହାର ପାଇଁ ନିଜକୁ ସମର୍ପି ଦେଇଛି ।

ତେଣୁ ନାରୀମାନଙ୍କୁ ନିଜର ସୁରକ୍ଷା ପାଇଁ କାହା ଉପରେ ନିର୍ଭରଶୀଳ ନ ହୋଇ ନିଜେ ନିଜକୁ ସୁରକ୍ଷା ଦେବା ଉଚିତ । କିନ୍ତୁ କେମିତି? ନାରୀଟିଏ ନିଜ ପୁଅ/ଝିଅକୁ ମୂଳରୁ ଉଚିତ ଶିକ୍ଷା ଦେବା ଉଚିତ । କାହାକୁ କେମିତି ସମ୍ମାନ ଦିଆଯାଏ, ତାକୁ ଶିଖେଇବା ଉଚିତ । ସବୁକିଛି ନିଜକୁ ଶିଖେଇବାକୁ ହେବ, କାରଣ ମାଆଟିଏ ହେଉଛି ପିଲାର ପ୍ରଥମ ଗୁରୁ । ମୂଳରୁ ଶିକ୍ଷା ଠିକ୍ ରହିଲେ, ବଡ଼ ହେଲେ ପୁଅଟିଏ ନାରୀକୁ ସୁରକ୍ଷା ଦେଇପାରିବ ଆଉ ସମାଜର ସଂସ୍କାରକ ଭାବରେ ନିଜକୁ ପ୍ରତିଷ୍ଠା କରିପାରିବ ।

- ସଂଗ୍ରାମ କେଶରୀ ସେନାପତି
ପ୍ରତିଷ୍ଠାତା/ସମ୍ପାଦକ, ଶୁଭପଲ୍ଲବ ଓଡ଼ିଆ ପତ୍ରିକା