ଆଉ ଅଳ୍ପଦିନ ପରେ ଆମେ ପ୍ରାୟ ସଭିଏଁ ପାଳନ କରିବେ ଗୁରୁଦିବସ । ଏହା ଏକ ଏମିତି ଦିନ, ଯେଉଁଦିନ ଛାତ୍ରଛାତ୍ରୀମାନେ ସେମାନଙ୍କର ଗୁରୁମାନଙ୍କର ପୂଜା କରନ୍ତି । ଆମ ଭାରତୀୟ ସଂସ୍କୃତିରେ ଗୁରୁମାନଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି । ଦ୍ରୋଣାଚାର୍ଯ୍ୟଙ୍କ ଶିଷ୍ୟ ଏକଲବ୍ୟଙ୍କ ବିଷୟରେ ପ୍ରାୟତଃ ସଭିଙ୍କୁ ଜଣାଥିବ । ବୋଧହୁଏ, ସବୁସ୍ଥାନରେ ଗୁରୁଭକ୍ତିର ଉଦାହରଣ ଦେଲେ ଆମେ ଏକଲବ୍ୟଙ୍କର ଉଦାହରଣଟି ଦେଇଥାଉ । ସେ ଦ୍ରୋଣାଚାର୍ଯ୍ୟଙ୍କର ସିଧାସଳଖ ଶିଷ୍ୟ ନ ଥିଲେ, ସେ କେବେଳ ଦ୍ରୋଣାଚାର୍ଯ୍ୟଙ୍କୁ ତାଙ୍କର ଗୁରୁ ଭାବରେ ମାନିଥିଲେ ଆଉ ଯେତେବେଳେ ଗୁରୁଭକ୍ତିର କଥା ଆସିଲା, ସେତେବେଳେ ସେ ତାଙ୍କର ଆଙ୍ଗୁଠି କାଟି ସମର୍ପିଦେବାକୁ ପଛାଇନଥିଲେ । କାରଣ, ସେ ଦ୍ରୋଣାଚାର୍ଯ୍ୟଙ୍କୁ ତାଙ୍କର ଗୁରୁ ଭାବରେ ମାନିଥିଲେ । ସେହି ମହାଭାରତ ପର୍ବରେ ଆଉ ଏକ ମଧ୍ୟ ଉଦାହରଣ ଅଛି ଶ୍ରୀକୃଷ୍ଣ ଏବଂ ବେଲାଳସନଙ୍କର । ବେଲାଳସନ ମଧ୍ୟ କୃଷ୍ଣଙ୍କୁ ତାଙ୍କୁ ଗୁରୁ ଭାବରେ ମାନିଥିଲେ, ଯାହାଫଳରେ ସେ କୃଷ୍ଣଙ୍କ ଆଗରେ ତାଙ୍କ ଶିର ସମର୍ପିଦେଇଥିଲେ । ଏମିତିକି ଭାରତର ଇତିହାସ ଦେଖିଲେ, ଗୁରୁଙ୍କ ସମ୍ମାନ ବିଷୟରେ ଅନେକ ଉଦାହରଣ ଆମେ ପାଇପାରିବା ।
କୌଣସି ବ୍ୟକ୍ତି ବିଶେଷ ତାଙ୍କ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ ତାଙ୍କୁ ଦରକାର ହୋଇଥାନ୍ତି ଜଣେ ସୁଦକ୍ଷ ଗୁରୁ । ଆମର ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଅନୁସାରେ ଗୁରୁ ହିଁ ଜଣେ ଲୋକର ଚରିତ୍ରକୁ ଉତ୍ତମ କରି ଗଢ଼ିଥାନ୍ତି । ସେଇଥିପାଇଁ ସେ ତାଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରିବାର ପ୍ରସ୍ତାବ ରଖିଥିଲେ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଏହା ପାରିତ ହୋଇ ଗୁରୁଦିବସ ରୂପେ ପାଳନ ହେଇଆସୁଛି । ମାତ୍ର ଗୁରୁଭକ୍ତି, ଗୁରୁଙ୍କ ସ୍ଥାନ ଉଚ୍ଚରେ ଆଦି କଥାସବୁ ଏବେ କୁଆଡ଼େ ହଜି ଗଲାଣି । ଏବେ ସେଇ ଗୁରୁମାନେ ତାଙ୍କ ଜୀବନରେ ବଞ୍ଚିବାକୁ କରୁଛନ୍ତି ଅନେକ ସଂଘର୍ଷ । ଏମିତିକି, ଏବେ ଯଦି ଆମେ କାହାକୁ କହିବା ଭବିଷ୍ୟତରେ ଜଣେ ଶିକ୍ଷକ ହେବାକୁ, ସେ ସିଧା ମନା କରିକି କହିବ ଭିକ୍ଷାବୃତ୍ତି କଲେ ଅଧିକ ଉପାର୍ଜନ ହେଇପାରିବ । ଏଇଠି ଗୋଟେ କଥା ଆସିପାରେ କି ଯଦି ସେ ଗୁରୁ ରୂପରେ ବିଦ୍ୟାଦାନ କରିବାକୁ ଚାହୁଁଛନ୍ତି, ତେବେ ଅର୍ଥ କ’ଣ ଦରକାର । ଅର୍ଥ ଦରକାର ହେବନି କେମିତି, ଏବେ ତ’ ସବୁଜିନିଷ ପାଇଁ ଅର୍ଥ ହିଁ ଅର୍ଥ ଦରକାର । ସାଧାରଣ ଜିନିଷଟିଏ ପାଇଁ ଅନେକ ଅର୍ଥ ଦରକାର । ଆଉ ଯଦି ଆପଣଙ୍କ ପାଖରେ ଅର୍ଥ ନାହିଁ, ତେବେ ଜୀନରେ ବଞ୍ଚିରହିବା କେତେ କଷ୍ଟକର, ସେଇଟା ଏବେ କୌଣସି ଭିକାରୀକୁ ନୁହେଁ, ବରଂ ୧୮ ବର୍ଷ ମାଗଣାରେ ପଢ଼ାଇବା ପରେ ମାସକୁ ମାତ୍ର କେଇଟା ଟଙ୍କା ପାଉଥିବା ସେ ବ୍ଲକଗ୍ରାଣ୍ଟ ଶିକ୍ଷକମାନଙ୍କୁ ପଚାରନ୍ତୁ । ସେମାନେ ବି ମଣିଷ, ସେମାନଙ୍କର ବି ପରିବାର ଅଛି । ସେମାନଙ୍କର ପରିବାର ଚଳିବା ପାଇଁ ବି ଅର୍ଥ ଦରକାର । ଆଉ ସେମାନେ ଶିକ୍ଷକ ବୋଲି, ସେମାନଙ୍କୁ କେହି ମାଗଣାରେ କିଛି ଦେଇଦେଉନାହାନ୍ତି । ହେଲେ ସେମାନଙ୍କ ପ୍ରତି କାହାରି ନିଘା ନାହିଁ । ନା ଅଛି ସରକାରର ନା ଅଛି ପ୍ରଶାସନର । ଏକଦା ସେମାନେ ଆମରଣ ଅନଶନରେ ବସିଥିଲେ ଦରମା ଗଣ୍ଡାଏ ପାଇଁ । ତା’ ପରେ ସେମାନଙ୍କୁ ମିଳିଲା କିଛି ଅର୍ଥ, ହେଲେ ଆଜିର ଏହି ମହଙ୍ଗା ଦୁନିଆରେ ସେତିକି ପାରିଶ୍ରମିକରେ ସେମାନେ କେମିତି ଚଳିବେ, ସେ ପ୍ରତି ବି ଚିନ୍ତା କରିବା ନିହାତି ଦରକାର ।
ଆମର ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ପରା କୁଆଡ଼େ ସଭିଏଁ ସମାନ । ହେଲେ ସେମାନଙ୍କ ପ୍ରତି ଏଭଳି ଅବହେଳା କ’ଣ ପାଇଁ? ସେମାନେ ବି ତାଙ୍କର ଛାତ୍ରମାନଙ୍କୁ ସେତିକି ପାଠ ପଢ଼ାଉଛନ୍ତି । ମାତ୍ର ପାରିଶ୍ରମିକ ମିଳୁଛି ସରକାରୀ ଶିକ୍ଷକ ତୁଳନାରେ ୩ ଭାଗରୁ ଭାଗେ । ସେମାନେ କ’ଣ ଷଣ୍ଢ ମାରିଥିଲେ? ଏମିତିକି ଅନେକ ଶିକ୍ଷକ ଅଛନ୍ତି, ଯେଉଁମାନେ ତାଙ୍କ ଜୀବନର ୧୫ବର୍ଷରୁ ଅଧିକ ସମୟ ସେହି ବିଦ୍ୟାଳୟରେ ମାଗଣାରେ ପଢ଼ାଇ ଶେଷ କରିଦେଇଛନ୍ତି, ହେଲେ ଯଦି କେବେ ତାଙ୍କ ପରିବାରର କାହାର ଦେହ ଖରାପ ହୁଏ, ସେମାନେ ତାଙ୍କୁ ଭଲ ଡାକ୍ତରଙ୍କ ପାଖରେ ବି ଚିକିତ୍ସା କରାପାରନ୍ତିନି । ପୂର୍ବବର୍ଷମାନଙ୍କ ଭଳି ଏହି ବର୍ଷବି ଓଡ଼ିଶାର ବ୍ଲକ୍ଗ୍ରାଣ୍ଟ ଶିକ୍ଷକମାନେ ଆନ୍ଦୋଳନରେ ବସିଛନ୍ତି । ଏଇ ଖରା, ବର୍ଷାରେ ସେମାନେ ସରକାରଙ୍କ ପାଖରେ ସେମାନଙ୍କର ଦାବି ଜଣାଇବାକୁ ବସିଛନ୍ତି, ହେଲେ ସେମାନଙ୍କ କଥା ଶୁଣୁଛି କିଏ? ଏମିତିକି ସାତ ଦିନ ଶେଷରେ ବି ସରକାରଙ୍କର କୌଣସି ପ୍ରତିନିଧି ସେମାନଙ୍କ ପାଖରେ ପହଞ୍ଚିନଥିଲେ । ଗୁରୁ ପରା ଶ୍ରେଷ୍ଠ ସମ୍ମାନର ଅଧିକାରୀ । ହେଲେ ସାତ ଦିନ ପରେ ବି ସେମାନଙ୍କୁ ଆଡ଼ ଆଖିରେ ନ ଦେଖିବା କେଉଁ ପ୍ରକାରର ସମ୍ମାନ? ଏଣେ ଆମର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଶ୍ରେଷ୍ଠ ପ୍ରଶାସକର ସମ୍ମାନ । ହଁ ସେ ଦୀର୍ଘ ୧୭ ବର୍ଷ ଧରି ରାଜ୍ୟରେ ରାଜ କରୁଛନ୍ତି ବୋଲି ତାଙ୍କୁ ମିଳିଲା । ସେ ଦାବି କରୁଛନ୍ତି କି ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅନେକ ପାଦ ଆଗେଇଛି, ହେଲେ ଯେଉଁମାନଙ୍କ ପାଇଁ ଏଇ ଶିକ୍ଷା ଆଗେଇଛି କି ଆଗେଇବ, ସେମାନଙ୍କ ପ୍ରତି ଏତେ ହେୟଜ୍ଞାନ କ’ଣ ପାଇଁ?