February 2024 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Wednesday 7 February 2024

ମାୟା ଗୋଲାପ

ସଂଗ୍ରାମ କେଶରୀ ସେନାପତି 3:31 pm 0
ମାୟା ଗୋଲାପ
Odia Story Maya Golap by Sangram Keshari Senapati

ସମୀର ଛୋଟବେଳୁ ତଳ କ୍ଲାସର ପଢ଼ୁଥିବା ମାୟାକୁ ବହୁତ ଭଲ ପାଏ । ମାୟାର ବାପା ସମୀର ଗାଆଁ ଡାକ୍ତରଖାନାରେ ଚାକିରୀ କରୁଥିଲେ, ତେଣୁ ସେ ସେଇ ଗାଆଁ ସ୍କୁଲରେ ସ୍କୁଲରେ ପଢ଼ୁଥିଲା । ତୃତୀୟ ଶ୍ରେଣୀରେ ପଢ଼ିଲାବେଳେ ଦିନେ ସ୍କୁଲରେ ୧ମ ଶ୍ରେଣୀରେ ଦିଦିଙ୍କ ପାଖରେ ଛିଡ଼ା ହୋଇଥିବା ଗୋଟିଏ ପରୀ ଉପରେ ନଜର ପଡ଼ିଥିଲା ତା'ର ଆଉ ସେହି ନଜରରେ ଅଟକିଯାଇଥିଲା ସେ । ଦୁଇସାଙ୍ଗ ଚାଲିଯାଇଥିଲେ ଆଗକୁ ଆଉ ସମୀର ରହିଯାଇଥିଲା ସେହି ପ୍ରଥମ ଶ୍ରେଣୀ ଆଗରେ ।

ସେଦିନ ଦିଦିଙ୍କ ନଜର ପଡ଼ିଲାପରେ ତାକୁ ସିନା ଘଉଡ଼େଇ ଦେଇଥିଲେ, ହେଲେ ମାୟାକୁ ଖୋଜିବାରେ ସେ ଆଦୌ ହେଳା କରିନଥିଲା । ମାୟା ତା' ବାପାମାଆଙ୍କ ସହିତ ଅଳ୍ପ କିଛିଦିନ ତଳେ ତାଙ୍କ ଗାଆଁକୁ ଆସିଥିଲା ଆଉ ଆସିବାପରେ ତା' ବାପାମାଆ ତାଙ୍କ ଝିଅର ଏହି ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିଲେ । ସେମାନେ ସମୀର ଘରଠାରୁ କିଛି ଦୂରରେ ରହୁଥିଲେ ଆଉ ସମୀରକୁ ଏ ବିଷୟରେ କିଛି ଜଣାନଥିଲା ।

ସେଦିନ ସ୍କୁଲରୁ ସାଙ୍ଗମାନଙ୍କ ସହିତ ଫେରିବା ପରିବର୍ତ୍ତେ ସେ ଏକା ଚାଲୁଥିବା ମାୟା ସହିତ ମିଶିକି ଘରକୁ ଫେରିବାକୁ ମନ ବଳେଇଥିଲା । ମାୟାର ସେଠାରେ କେହି ସାଙ୍ଗ ନଥିଲେ, ତେଣୁ ସେ ବି ସମୀରକୁ ନିଜର ସାଙ୍ଗ ଭାବି ଚାଲିଥିଲା ତା' ସହିତ । ସ୍କୁଲ ଠାରୁ ବେଶି ଦୂର ନଥିଲା ମାୟାର ଘର । ସମୀର ତାକୁ ତା' ଘରେ ଛାଡ଼ି ନିଜ ଘରକୁ ଯାଇଥିଲା ଆଉ ପରଦିନ ସାଙ୍ଗ ହୋଇ ସ୍କୁଲ ଯିବାକୁ ମାୟାକୁ କହି ବିଦାୟ ନେଇଥିଲା । ଏମିତି ସ୍କୁଲ ଯିବା ଆସିବା ଭିତରେ ମାୟା ସହିତ ତା'ର ବନ୍ଧୁତା ବଢ଼ିଥିଲା । ଯେହେତୁ ସମୀର ଘର ମାୟାର ଘରଠାରୁ ବେଶି ଦୂର ନଥିଲା, ତେଣୁ ସ୍କୁଲ ପରେ ଆଉ ଛୁଟିଦିନରେ ସେମାନେ ଏକାଠି ଖେଳାବୁଲା ବି କରିବାକୁ ଲାଗିଲେ । ସମୀରକୁ ମାୟାର ମାଆବାପା ବି ଭଲରେ ଚିହ୍ନିସାରିଥିଲେ ଆଉ ମାୟା ବି ବେଳେବେଳେ ସମୀର ଘରକୁ ଯାଉଥିଲା । ଏହା ଭିତରେ ଉଭୟର ପରିବାର ଲୋକ ପରସ୍ପରକୁ ଚିହ୍ନିସାରିଥିଲେ ।

ହେଲେ ସମୀର ଖୁସି ବେଶିଦିନ ପାଇଁ ନଥିଲା । ମାୟାର ବାପାଙ୍କୁ କିଛିଦିନର ପ୍ରମୋଶନ ହୋଇଗଲା ଆଉ ତାଙ୍କୁ ସହରର ବଡ଼ ଡାକ୍ତରଖାନାକୁ ବଦଳି ହୋଇ ଆସିବାକୁ ପଡ଼ିଲା । ମାୟାର ସ୍କୁଲ ଅଧାରୁ ସାର୍ଟିଫିକେଟ୍ ଆଣି ସେମାନେ ଚାଲି ଆସିଥିଲେ ସହରକୁ । ସେଦିନ ଗାଆଁ ଛାଡ଼ିଲାବେଳେ ମାୟାର ଆଖିରେ କେମିତି ଗୋଟେ ଦୁଃଖ ଦେଖିପାରୁଥିଲା ସମୀର ଆଉ ମାୟା ଗଲାବେଳେ ସମୀରକୁ ଗୋଟିଏ ଗୋଲାପ ଫୁଲ ଦେଇ ଯାଇଥିଲା ।

ଗୋଲାପି ରଙ୍ଗର ସେ ଗୋଲାପ ଫୁଲଟିକୁ ସମୀର ସାଙ୍ଗରେ ନେଇ ଘରକୁ ଆସିଥିଲା ଆଉ ତାକୁ ସାଇତିକୁ ରଖିବାକୁ ସ୍ଥିର କରିଥିଲା । ଫୁଲଟିକୁ ସେଦିନ ଅନେକ ସମୟ ଯାଏଁ ଧରି ବସିଥିଲା ସେ । ତା' ବାପାମାଆ ଦେଖି ମନେମନେ ହସିଥିଲେ ଆଉ ପିଲାଟିର ପିଲାଳିଆମି ପାଇଁ ତାକୁ କିଛି ନକହି ତା' ଅବସ୍ଥାରେ ଛାଡ଼ି ଦେଇଥିଲେ । ସେମାନେ ଭାବିଥିଲେ ଦିନେ ଦୁଇଦିନରେ ଗୋଲାପ ଫୁଲଟା ବି ମଉଳିଯିବ ଆଉ ସମୀର ବି ମାୟାକୁ ଧୀରେ ଧୀରେ ଭୁଲିଯିବ ।

ହେଲେ ଆଶ୍ଚର୍ଯ୍ୟର କଥା ଥିଲା କି ସେ ଗୋଲାପ ଫୁଲଟା ମଉଳିବାର ନାଁ ହିଁ ଧରୁନଥିଲା, ସେମିତି ସତେଜ ଥିଲା ସେ । ସମୀର ସେ ଫୁଲଟାକୁ ତା' ପଢ଼ାଘରେ ଗୋଟେ ଛୋଟ ଫୁଲଦାନୀରେ ସାଇତି ରଖିଥିଲା ଆଉ ସ୍କୁଲକୁ ଯିବାବେଳେ ତାକୁ ଦେଖିକି ଯାଏ ତ ପୁଣି ଫେରିଲାପରେ ଆସିକି ତାକୁ ଦେଖେ । ସେତେବେଳେ ତ ଆଜିକାଲିକା ଭଳିଆ ମୋବାଇଲ୍ ଫୋନ୍ ନଥିଲା କି ସମୀର ଘରେ ଲ୍ୟାଣ୍ଡଫୋନ୍ ନଥିଲା, ତେଣୁ ମାୟା ଗଲାପରେ ତା'ର କୌଣସି ଖୋଜ୍ ଖବର ନଥିଲା । ହେଲେ ସେ ଗୋଲାପଟି ସମୀରକୁ ସବୁଦିନେ ମାୟା କଥା ମନେ ପକାଇଦିଏ ।

ଏହା ଭିତରେ ଅନେକ ବର୍ଷ ବିତି ସାରିଥିଲା ଆଉ ସମୀର ବଡ଼ ହୋଇଚାଲିଥିଲା । ସେ ବଡ଼ ହେବା ସହିତ ନୂଆ ନୂଆ ସାଙ୍ଗକ ସହ ମିଶିଲା ଆଉ ଧୀରେ ଧୀରେ ମାୟାକୁ ଭୁଲିବାକୁ ଲାଗିଥିଲା । ଗୋଲାପ ଫୁଲଟି କିନ୍ତୁ ସେମିତି ସତେଜ ଥିଲା, ହେଲେ ତା'ର ରଙ୍ଗ ଧୀରେ ଧୀରେ ଫିକା ପଡ଼ିବାକୁ ଲାଗିଥିଲା ।

ମାଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖିଲା ପରେ ସମୀର ‌+୨ ଏକ ନାମକରା ଆବାସିକ ବିଦ୍ୟାଳୟରେ ପଢ଼ିଲା ଆଉ ଭଲ ନମ୍ବର ରଖି ଏକ ଇଞ୍ଜିନିୟରିଂ କଲେଜରେ ମଧ୍ୟ ପଢ଼ିବା ଆରମ୍ଭ କଲା । ସେତେବେଳକୁ ସେ ମାୟାକୁ ସମ୍ପୂର୍ଣ୍ଣରୂପେ ଭୁଲି ସାରିଥାଏ । ହେଲେ ସେ ଗୋଲାପଟି କିନ୍ତୁ ସେମିତି ତାଙ୍କ ଘରେ ଥିଲା, ବାସ୍ ତା'ର ସ୍ଥାନ ପରିବର୍ତ୍ତନ ହୋଇ ସାରିଥିଲା । ଫୁଲଦାନୀ ସହ ସେ ଗୋଟିଏ ପୁରୁଣା ବାସ୍କ ଭିତରେ ବନ୍ଦ ହୋଇଯାଇଥିଲା ।

ଯଦିଓ ଏହା ଭିତରେ ସମୀରର ଅନେକ ନୂଆ ସାଙ୍ଗ ହୋଇଥିଲେ, ହେଲେ କୌଣସି ଝିଅଙ୍କ ସହିତ ସେତେ ନିଡ଼ିବ ବନ୍ଧୁତା ହେଇନଥିଲା ତା'ର । କିନ୍ତୁ ଇଞ୍ଜିନିୟରିଂ ପଢ଼ିବା ସମୟରେ ସହପାଠିନୀ ସ୍ୱାଗତିକା ସହିତ ତା'ର ଖାଲି ବନ୍ଧୁତା ନୁହେଁ ପ୍ରେମ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା । ଏମିତି ଦେଖୁ ଦେଖୁ ଇଞ୍ଜିନିୟରିଂର ୩ୟରେ ସେ ପାଦ ଥାପିଥିଲା ।

ଅନେକ ବର୍ଷ ତଳୁ ତା' ବାପାଙ୍କର ବି ସହରକୁ ବଦଳି ହୋଇ ସାରିଥିଲା ଆଉ ସେମାନେ ସହରରେ ଗୋଟିଏ ଘର କିଣି ସାରିଥିଲେ । ୨ୟ ବର୍ଷର ପରୀକ୍ଷା ସରିବାପରେ ସେ ଯେତେବେଳେ ଘରକୁ ଯାଇଥିଲା, ସେହି ସମୟରେ ସେମାନଙ୍କର ଗାଆଁ ଘରୁ ସବୁ ଜିନିଷପତ୍ର ସହରକୁ ଆସିବାର ଥିଲା । ନୂଆ ଘରକୁ ପୁରୁଣା ଘରୁ କେବଳ କିଛି ବଛା ବଛା ଜିନିଷ ନେବାକୁ ତାଗିଦ୍ କରିଥିଲେ ତା' ମାଆ । ତେଣୁ ସେ ଅନେକ ବଛାବଛି ପରେ ଅଳ୍ପ କେତୋଟି ଜିନିଷ ସାଙ୍ଗରେ ନେବାକୁ ବାଛିଲା । ପୁରୁଣା କାଠ ବାକ୍ସଟା ଝାଡ଼ୁ ଝାଡ଼ୁ ସେଥିରେ ପଡ଼ିଥିବା ଗୋଟିଏ ଧଳା ରଙ୍ଗର ଗୋଲାପ ଫୁଲକୁ ସାଙ୍ଗରେ ମଧ୍ୟ ନେଇଯାଇଥିଲା ।

ନୂଆ ଘରେ ସମୀର ପାଇଁ ଥିଲା ଏକ ଭିନ୍ନ କୋଠରୀ, ସେ ତାକୁ ଭଲ ଭାବରେ ସଜେଇବାକୁ ଚାହୁଁଥିଲା । ତା' ରୁମ୍‌ର ସବୁକିଛି ମନଧ୍ୟାନ ଦେଇ ସଜେଇ ରଖିଥିଲା ସେ । ସ୍ୱାଗତିକା ଦେଇଥିବା ଫୁଲଦାନୀରେ ପୁରୁଣା ଘରୁ ଆଣିଥିବା ସେ ଧଳା ଗୋଲାପଟା ବଢ଼ିଆ ଦିଶୁଥିଲା, ତେଣୁ ତାକୁ ନିଜ ପଢ଼ା ଟେବୁଲ ଉପରେ ହିଁ ରଖିଥିଲା ସେ । ଏମିତି ବାକିତକ ଜିନିଷକୁ ସଜେଇ ଖାଲି ଘରଟାର ରୂପ ବଦଳେଇ ଦେଇଥିଲା ସେ ।

ପୁରୁଣା ଘରୁ ଜିନିଷ ଆଣି ନୂଆ ଘରେ ସବୁ ଜିନିଷ ସଜାଡ଼ୁ ସଜାଡ଼ୁ ସମୟ କେତେବେଳେ ସରିଗଲା, ସେ ଜାଣିପାରିଲାନି ଆଉ ୩ୟ ବର୍ଷର ପାଠପଢ଼ା ମଧ୍ୟ ଆରମ୍ଭ ହୋଇଥିଲା । ଗାଆଁରୁ ତା' ବାପାମାଆ ସହରକୁ ଆସିଯିବା ଫଳରେ ସେ ବି ଆଉ ହଷ୍ଟେଲରେ ରହିଲାନି, ଘରେ ହିଁ ରହିଲା । ଏଥର ଘରୁ ଯିବାଆସିବ କରିବ କଲେଜକୁ ।

+୩ୟ ବର୍ଷର ପାଠପଢ଼ା ଆରମ୍ଭ ହେବା ସହିତ କଲେଜକୁ ଆସିଲେ ୧ମ ବର୍ଷର ଛାତ୍ରଛାତ୍ରୀମାନେ । ଏମିତି ଦିନେ କଲେଜ ଲାଇବ୍ରେରୀରେ ବସି ପଢ଼ୁଥିବାବେଳେ ସମୀର ନଜର ପଡ଼ିଲା ଗୋଟିଏ ଝିଅ ଉପରେ, ଯିଏକି ଦୂରରେ ଥିବା ଏକ ଟେବୁଲ ଉପରେ ବସି ସମୀରକୁ ହିଁ ଏକଲୟରେ ଚାହିଁଥିଲା । ସେ ଝିଅଟିର ଆଖି ଦୁଇଟି ସମୀରକୁ ଆକର୍ଷିତ କରିଥିଲା, ମାତ୍ର ସେଠାକୁ ଯାଇ କିଛି ପଚାରିବା ଆଗରୁ ସ୍ୱାଗତିକା ଆସି ପହଞ୍ଚିଯାଇଥିଲା ସମୀର ପାଖରେ ଆଉ କେଉଁଆଡ଼େ ଅନ୍ତର୍ଦ୍ଧ୍ୟାନ ହୋଇଯାଇଥିଲା ସେ ଝିଅଟି ।

ସେଦିନ ସମୀର ଘରକୁ ଫେରିବା ପରେ ତା' ପଢ଼ା ଟେବୁଲ ଉପରେ ଥୁଆ ହୋଇଥିବା ଗୋଲାପ ଫୁଲରେ ପରିବର୍ତ୍ତନ ଲକ୍ଷ୍ୟ କରିଥିଲା; ସେ ଫୁଲଟିର ରଙ୍ଗ ବଦଳଯାଇ ଧଳରୁ ଇଷତ୍ ଗୋଲାପି ହେବାକୁ ଲାଗିଥିଲା । ଅନେକ ବର୍ଷ ତଳୁ ଘରେ ପଡ଼ିରହିଥିବା ଗୋଲାପର କାହାଣୀକୁ ଯେତେ ମନେ ପକେଇବାକୁ ଚେଷ୍ଟା କଲେ ବି ସେ ମନେ ପକେଇ ପାରିଲାନି କି ଏକଥା ଘରେ କାହାକୁ ପଚାରି ବି ପାରିଲାନି । ବାସ୍ ରଙ୍ଗ ବଳିବାକୁ ନେଇ ମନରେ ଟିକେ ଦ୍ୱନ୍ଦ ଉପୁଜିଥିଲା ତା'ର ।

ପରଦିନଠାରୁ କଲେଜରେ ତା'ର ପାଠପଢ଼ାରେ ସେମିତି ମନ ଲାଗିଲାନି, ଚାରିଆଡ଼େ ସେ ଆଖି ବୁଲେଇ ସେ ଝିଅଟିକୁ ହିଁ ଖୋଜୁଥିଲା । ତା'ର ଏ ବ୍ୟବହାର ଦେଖି ସ୍ୱାଗତିକା ମଧ୍ୟ ତା' ଉପରେ ଟିକେ ଚିଡ଼ି ଯାଇଥିଲା, ହେଲେ ତାକୁ ତା' ବାଟରେ ଛାଡ଼ିଦେଇ ସେ ବି ପାଠ ପଢ଼ାରେ ମନ ବଳେଇଥିଲା ।

କିଛିଦିନ ପରେ ପୁଣିଥରେ ସମୀର ସେ ଝିଅଟିକୁ ଦେଖିଥିଲା, ହେଲେ ଏଥର ସେ ଝିଅଟି ସମୀର ଠାରୁ ଦୂରରେ ନଥିଲା ସେ ବସିଥିବା ସିଟ୍‌ର କଡ଼ରେ ହିଁ ବସିଥିଲା । ଲାଇବ୍ରେରୀରେ ସମୀର ଅନେକ ସମୟ ଧରି ବସିଥିଲା, ହେଲେ କେତେବେଳେ ତା' ବାଆଁ ପଟେ ସେ ଝିଅଟି ଆସି ବସିଯାଇଥିଲା ତା'ର ଧ୍ୟାନ ହିଁ ନଥିଲ ଆଉ ହଠାତ୍ ବାଆଁ ପଟ ଚୌକିରେ ନଜର ପଡ଼ିବାରୁ ସେ ଚମକି ପଡ଼ିଥିଲା ।

ମନ ଭିତରେ ସିନା ଚମକିଥିଲା, ହେଲେ ସେ ଝିଅଟି କିଏ ଆଉ ତାକୁ କାହିଁକି ଏମିତି ଚାହୁଁଥିଲା ବୋଲି ସେ ଜାଣିବାକୁ ବ୍ୟଗ୍ର ଥିଲା । ସେ ଝିଅଟିର ଚାହାଣୀ ଆଜି ବି ସେଦିନ ପରି ଥିଲା ଆଉ ମୁହଁରେ ଏକ ସୁନ୍ଦର ହସ ଭରି ରହିଥିଲା । ହେଲେ ସମୀର ପାଖରେ ପ୍ରଶ୍ନ ହିଁ ପ୍ରଶ୍ନ ଭରି ରହିଥିଲା ।

- ହାଏ, ତମେ କିଏ? ତମ ନାଁ କ'ଣ? ସେଦିନ ତମେ ମୋତେ ଏମିତି କାହିଁକି ଅନେଇ ରହିଥିଲ? ଆଉ ତା'ପରେ କୁଆଡ଼େ ଉଭାନ ହେଇଯାଇଥିଲ?

ପ୍ରଶ୍ନ ପରେ ପ୍ରଶ୍ନ କରିଚାଲିଲା ସମୀର । ଝିଅଟିକୁ ଉତ୍ତର ଦେବାକୁ ସମୟ ମଧ୍ୟ ଦେଲା ନାହିଁ ।

- ହେଲୋ ସମୀର । ମୁଁ ମାୟା ।

- ମାୟା?

- ଭୁଲିଯାଇଛ ନା କ'ଣ ମୋତେ?

- ନାହିଁ, ହେଲେ ଜାଣିପାରୁନାହିଁ ।

- ହଁ, ଏହା ଭିତରେ ଅନେକ ବର୍ଷ ବିତିଗଲାଣି ଆଉ ତମେ ବି କେତେ ବଡ଼ ହେଇଗଲଣି !

- ଅନେକ ବର୍ଷ? ମାନେ ତମେ କ'ଣ ଆଗରୁ ମୋତେ ଜାଣିଛ?

- ହଁ ଜାଣିଛି ।

- କେମିତି? ମୋତେ ତ କିଛି ମନେ ନାହିଁ?

- ମୋତେ ମନେ ରଖିନାହଁ, ହେଲେ ମୁଁ ଦେଇଥିଲେ ସେ ଗୋଲାପ ଫୁଲଟିକୁ ସାଇତି ରଖିଛ?

- ଗୋଲାପ ଫୁଲ?

- ହଁ, ଗାଁ ଛାଡ଼ିବାବେଳେ ମୁଁ ଦେଇଥିବା ସେ ଗୋଲାପ ଫୁଲଟିକୁ ଆଜି ବି ତମେ ସାଇତି ରଖିଛ ନା?

- ଆରେ ହଁ, ମନେ ପଡ଼ିଲା । ମୋ ପାଖରେ ଗୋଟେ ଗୋଲାପ ଫୁଲ ଅଛି, ଜଣାନାହିଁ କେବେଠାରୁ ମୋ ପାଖରେ ଅଛି । ଧଳା ଗୋଲପଟା କାହିଁକି କେଜାଣି ସେଦିନ ତମକୁ ଦେଖିଲା ପରଠାରୁ ଇଷତ୍ ଗୋଲାପି ହୋଇଯାଇଛି ।

- ମୁଁ ତ ମନେ ନାହିଁ, ହେଲେ ମୁଁ ଦେଇଥିବା ସେ ଗୋଲାପ ଫୁଲଟା ଯାହାହେଉ ତମ ପାଖରେ ଏବେ ବି ସେମିତି ଅଛି । ହଁ ମୁଁ ଆସିଗଲିଣି ଆଉ ଏବେ ସେଇଟା ପୁଣି ଗୋଲାପି ହୋଇଯିବ ।

ଏତିକି କଥୋପକଥନ ଭିତରେ ସ୍ୱାଗତିକା ଆସି ପହଞ୍ଚିଗଲା ଆଉ ମାୟା ଓ ସମୀର କଥାରେ ପୂର୍ଣ୍ଣଛେଦ ପକାଇ ସମୀରକୁ କ୍ଲାସ ପାଇଁ ଲେଟ୍ ହେଉଛି କହିକି ସାଙ୍ଗରେ ନେଇଗଲା ।

ସମୀର କ୍ଲାସ୍ ସାରି ମାୟାକୁ ଖୋଜିଲା, ହେଲେ କେଉଁଠି ବି ପାଇଲାନି । ଶେଷରେ ଘରକୁ ପଳେଇଗଲା । ଘରକୁ ଯାଇ ଦେଖେ ତ ସେ ଗୋଲାପ ଫୁଲଟି ଆଉ ଟିକେ ରଙ୍ଗୀନ ହୋଇଯାଇଛି । ଏହାପରେ ରୋଷେଇ ଘରେ ରୋଷେଇ କରୁଥିବା ତା' ମାଆକୁ ଯାଇ ସେ ସେହି ଫୁଲ ବିଷୟରେ ପଚାରିଲା । ଏତେଦିନ ପରେ ସେ ସେହି ଫୁଲ କଥା ପଚାରୁଥିବା ଶୁଣି ତା' ବି ଆଶ୍ଚର୍ଯ୍ୟ ହେଲେ ଆଉ ସେ ଜାଣି ବି ନଥିଲେ କି ସେ ଫୁଲଟା ପୁରୁଣା ଘରକୁ ନୂଆ ଘରକୁ ବି ଆସିଛି ବୋଲି ।

ସେ ସମୀରକୁ ମାୟା କଥା ମନେ ପକେଲେ ଆଉ ତା' ମାଆଙ୍କ ଠାରୁ ସବୁକଥା ଶୁଣି ସମୀର ମାୟା କହିଥିବା କଥାକୁ ମନେ ପକାଇ ଖୁବ୍ ହସିଥିଲା ମନେ ମନେ । ମନ ଭିତରେ କେମିତି ଗୋଟିଏ ଅଜଣା ଖୁସି ଫୁଟିଥିଲା ତା'ର ଆଉ ହୃଦୟର କେଉଁ ଏକ ଅଜଣା ଜାଗାରେ ହଜି ଯାଇଥିବା ମାୟାର ସ୍ମୃତି ଉଦ୍‌ଜୀବିତ ହୋଇ ଉଠିଥିଲା ତା' ଭିତରେ ।

ମାଆଙ୍କ ସହ କଥା ହୋଇହୋଇ ସେ ଖାଇବା ସାରି ଯେତେବେଳେ ରୁମ୍‌କୁ ଆସି ଦେଖିଲା, ସେ ଫୁଲଟା ସମ୍ପୂର୍ଣ୍ଣ ଗୋଲାପି ରଙ୍ଗକୁ ପରିବର୍ତ୍ତିତ ହୋଇସାରିଥିଲା । ଏ ରଙ୍ଗ ବଦଳାଉଥିବା ଫୁଲକୁ ଦେଖି ସେ ଯେତେ ଆଶ୍ଚର୍ଯ୍ୟ ହୋଇଥିଲା, ମାୟାର ସେ ସୁନ୍ଦର ଆଖିଯୋଡ଼ିକ କଥା ଭାବି ଉତ୍‌ଫୁଲ୍ଲିତ ହୋଇ ଉଠିଥିଲା ।

ମାୟା ଦେଇଥିବା ସେ ଗୋଲାପଟି ସଜ ତୋଳା ହୋଇଥିବା ଗୋଲାପ ପରି ବାସୁଥିଲା ଆଉ ସମୀର ମାୟାକୁ ନେଇ ପୁଣିଥରେ ସ୍ୱପ୍ନ ରାଇଜରେ ହଜି ଯାଉଥିଲା ।