ସନ୍ଦୀପ ମାହେଶ୍ୱରୀ ଜଣେ ଭାରତୀୟ ଉଦ୍ୟୋଗପତି ଏବଂ ଚିତ୍ରୋତ୍ତଳକ । ସେ ଚିତ୍ରୋତ୍ତଳନରେ ଲିମ୍କା ବୁକ୍ ଓଫ୍ ରେକର୍ଡ଼୍ସରେ ୧୦ଘଣ୍ଟା ଭିତରେ ୧୦୦ ଜଣ ମଡେଲଙ୍କର ଫଟୋ ଉଠାଇ ବିଶ୍ୱରେକର୍ଡ଼ ସୃଷ୍ଟି କରିଥିଲେ ।[୧] ଅନେକ ବ୍ୟବସାୟରେ ବିଫଳ ହେବା ପରେ ସେ ଚିତ୍ରୋତ୍ତଳନରେ ଇମେଜ ବଜାର ନାମକ ନିଜସ୍ୱ ୱେବସାଇଟ୍ରେ ଭାରତୀୟ ମଡେଲମାନଙ୍କର ଫଟୋ ସ୍ଥାନିତ କରିଥିଲେ ଯେଉଁଥିରୁ ଅଧିକାଂଶ ଖବରକାଗଜରେ ଫଟୋ ଛପାଯାଉଛି ।[୨]
ଜୀବନରେ ଭୋଗିଥିବା ଅନେକ ବିଫଳତା ହିଁ ସନ୍ଦୀପଙ୍କୁ ତାଙ୍କ ଜୀବନରେ ସଫଳ କରାଇବାରେ ସାହାଯ୍ୟ କରିଥିଲା । ସବୁ ଜିନିଷକୁ ସହଜରେ ଗ୍ରହଣ କରୁଥିବା ମଣିଷଟିଏ ହେଉଛନ୍ତି ସନ୍ଦୀପ ।
ପ୍ରାରମ୍ଭିକ ଜୀବନ
ସନ୍ଦୀପ ମାହେଶ୍ୱରୀ ଦିଲ୍ଲୀରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ବ୍ୟବସାୟୀ ଥିଲେ । ସେ ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ୨୦ବର୍ଷ ଧରି ଏକ ଆଲୁମିନିୟମ ବ୍ୟବସାୟ କରୁଥିଲେ । ମାତ୍ର କିଛି ଅସୁବିଧା କାରଣରୁ ତାଙ୍କୁ ସେହି ବ୍ୟବସାୟରୁ ଓହରିଯିବାକୁ ପଡ଼ିଥିଲା । ସେତେବେଳେ ସନ୍ଦୀପ ଦଶମ ଶ୍ରେଣୀରେ ପଢ଼ୁଥିଲେ । ଏହାପରେ ସନ୍ଦୀପ ତାଙ୍କ ପରିବାର ଭରଣପୋଷଣ ପାଇଁ ତାଙ୍କ ମାଆଙ୍କ ସହ ମିଶି ବିଭିନ୍ନ ପ୍ରକାରର ବ୍ୟବସାୟ ଆରମ୍ଭ କରିଥିଲେ । ମାତ୍ର ସେମାନେ ସବୁଥିରେ ବିଫଳ ହୋଇଥିଲେ ।[୩] ସନ୍ଦୀପ ଘରେ ବ୍ୟବସାୟରେ ମାଆଙ୍କୁ ସାହାଯ୍ୟ କରିବା ସହ ପାଠ ପଢ଼ା ଜାରି ରିଖିଥିଲେ । ସେ ଦିଲ୍ଲୀର କିରୋରୀ ମଲ୍ କଲେଜରେ ନାମ ବାଣିଜ୍ୟରେ ଲେଖାଇପାରିଥିଲେ । ମାତ୍ର ସେ ଅଧାରୁ କଲେଜ ପରିତ୍ୟାଗ କରିଥିଲେ ।[୪] ସେ କଲେଜରେ ପଢ଼ୁଥିବା ବେଳେ ମଡେଲିଂରେ ମଧ୍ୟ ଯୋଗ ଦେଇଥିଲେ ମାତ୍ର ସେଥିରେ ମଧ ସେ ବିଫଳ ହୋଇଥିଲେ ।
ଚିତ୍ରୋତ୍ତଳନ ଏବଂ ବିଶ୍ୱରେକର୍ଡ଼
ସନ୍ଦୀପ ମଡେଲିଂ କରୁଥିବା ବେଳେ ତାଙ୍କର ଚିତ୍ରୋତ୍ତଳନ ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା ଏବଂ ସେ ଦୁଇ ସପ୍ତାହ ପାଇଁ ଏକ ଚିତ୍ରୋତ୍ତଳନ ପ୍ରିଶିକ୍ଷଣ କେନ୍ଦ୍ରରେ ଯୋଗଦେଇଥିଲେ । ଏହା ପରେ ସେ ୧୨୦୦୦ଟଙ୍କା ଦେଇ ଏକ କ୍ୟାମେରା କିଣିଥିଲେ[୫] , ଯେଉଁଥିରେ ସେ ତାଙ୍କର ବନ୍ଧୁ ପରିବାରର ସବୁ ଲୋକଙ୍କର ଫଟୋ ଉଠାଇଥିଲେ । ୧୯୯୯ ମସିହାରେ ସନ୍ଦୀପ ଖବରକାଗଜରେ ୪୮୦୦ଟଙ୍କା ବିନିମୟରେ ଏକ ବିଜ୍ଞାପନ ବାହାର କରିଥିଲେ ଏବଂ ସେହି ବିଜ୍ଞାପନ ମାଧ୍ୟମରେ ୭/୮ ଜଣ ମଡେଲ ତାଙ୍କ ପାଖରେ ଫଟୋ ଉଠାଇଥିଲେ । ସେତେବେଳେ ସେ ଦିନକୁ ୪୦୦ଟଙ୍କା ଭଡ଼ାରେ ଏକ ଷ୍ଟୁଡ଼ିଓରେ ଫଟୋ ଉଠାଉଥିଲେ ।
ମାତ୍ର ପ୍ରାରମ୍ଭରୁ ସେ ସେତେଟା ସଫଳତା ପାଇନଥିଲେ । ସେ ନୂଆ ନୂଆ ଫଟୋ ଉଠାଇବା ଆରମ୍ଭ କରିଥିବାରୁ ତାଙ୍କ ପାଖରେ ଫଟୋ ଉଠେଇବା ପାଇଁ କୌଣସି ମଡେଲ ରାଜି ହେଉନଥିଲେ । ସେଥିପାଇଁ ୨୦୦୩ ମସିହାରେ ସନ୍ଦୀପ ବିଶ୍ୱରେକର୍ଡ଼ କରିବା ପାଇଁ ଲିମ୍କା ବୁକ୍ ଅଫ୍ ରେକର୍ଡ଼ର ମୁଖ୍ୟ ପରିଚାଳିକା ବିଜୟା ଘୋଷଙ୍କ ଦେଖା କରିଥିଲେ । ଏହି ରେକର୍ଡ଼ ପାଇଁ ସନ୍ଦୀପଙ୍କୁ ୧୨ଘଣ୍ଟା ଭିତରେ ଅତିକମରେ ୧୦୦ଜଣେ ମଡେଲଙ୍କର ଅଲଗା ଅଲଗା ଭଙ୍ଗୀରେ ୧୦୦୦୦ରୁ ଅଧିକ ଫଟୋ ଉଠାଇବାର ଥିଲା । ଏହି ସବୁକାମ ପାଇଁ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାର ଆବଶ୍ୟକ ଥିଲା ମାତ୍ର ସେତେବେଳେ ସନ୍ଦୀପଙ୍କର ତିନି ବର୍ଷ ତଳର ଏକ ବିଫଳତାର କାହାଣୀ ତାଙ୍କୁ ସାହାଯ୍ୟ କରିଥିଲେ । ୧୯୯୯ ମସିହା ଡିସେମ୍ବର ୩୧ ତାରିଖ ରାତିରେ ୨୦୦୦ ମସିହାର ନବ ବର୍ଷକୁ ସ୍ୱାଗର କରିବା ପାଇଁ ସନ୍ଦୀପ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ, ଯେଉଁଥିରେ ସେ ତାଙ୍କର ଜଣେ ବନ୍ଧୁଙ୍କଠାରୁ ଠକାମୀର ଶିକାର ହେବା ସହ କ୍ଷତି ସହିଥିଲେ । ମାତ୍ର ସେହି କାର୍ଯ୍ୟକ୍ରମରେ ସନ୍ଦୀପଙ୍କର ଅଭିଜ୍ଞତା ତାଙ୍କୁ ସେହି ବିଶ୍ୱରେକର୍ଡ଼ କରିବା ସମୟରେ ପରିଚଳନାରେ ସାହାଯ୍ୟ କରିଥିଲେ । ଏବଂ ସେତେବେଳେ ସନ୍ଦୀପ ୧୦ଘଣ୍ଟା ୪୫ ମିନିଟ୍ର ଲଗାତାର ସୁଟିଂ ସମୟରେ ୧୨୨ ଜଣ ମଡେଲଙ୍କର ୧୦୦୦୦ରୁ ଅଧିକ ଭଙ୍ଗୀରେ ଫଟୋ ଉଠାଇ ଲିମ୍କା ବୁକ୍ ଅଫ୍ ରେକର୍ଡ଼ରେ ବିଶ୍ୱରେକର୍ଡ଼ କରିଥିଲେ ।[୨][୬]
ଉଦ୍ୟୋଗପତି
୨୦୦୧ରେ ସନ୍ଦୀପ ଜାପାନ ଲାଇଫ୍ ନାମକ ଏକ ବଡ଼ କମ୍ପାନୀରେ ଯୋଗଦେଇଥିଲେ, ଯେଉଁଠି ସେ ମାତ୍ର ଅଳ୍ପଦିନରେ ଭଲ ରୋଜଗାର କରିବାର ଆରମ୍ଭ କରିଦେଇଥିଲେ । ସେ ମାତ୍ର ୨୧ ବର୍ଷ ବୟସରେ ମାସକୁ ୧୦୦୦୦୦ଟଙ୍କା ରୋଜଗାର କରୁଥିଲେ । ଏହା ପରେ ୨୦୦୨ରେ ସେ ସେହି କମ୍ପାନୀର ୩ଜଣ ଲୋକଙ୍କ ସହ ମିଶି ଏକ ନୂଆ କମ୍ପାନୀ ଆରମ୍ଭ କରିଥିଲେ । ସେତେବେଳେ ସେ ସେହି କମ୍ପାନୀରେ ସଫ୍ଟଓୟାର ତିଆରି କାମ ଭଲରେ ଶିଖିଥିଲେ । ମାତ୍ର ୬ ମାସରେ ସେହି କମ୍ପାନୀର ୩ଟି କାର୍ଯ୍ୟଳୟ ଏବଂ ୧୧୦୦ କର୍ମଚାରୀ ଯୋଗଦେଇଥିଲେ । ମାତ୍ର ସନ୍ଦୀପଙ୍କର ସହଭାଗୀଙ୍କର କିଛି କୂଟ ଚକ୍ରାନ୍ତ ଯୋଗୁଁ ତାଙ୍କୁ ସେହି କମ୍ପାନୀରୁ ନିରାଶ ହୋଇ କ୍ଷତି ସହି କମ୍ପାନୀ ଛାଡ଼ିବାକୁ ପଡ଼ିଥିଲା ।[୭]
ଏହାପରେ ଯେତେବେଳେ ସେ ୨୦୦୬ରେ ଇମେଜେସ୍ ବଜାରର ୱେବସାଇଟ୍ ଆରମ୍ଭ କରିଥିଲେ[୪], ସେତେବେଳେ ତାଙ୍କର ୱେବସାଇଟ୍ ଖୋଲିବାକୁ ୩ରୁ ୫ମିନିଟ୍ ଲାଗୁଥିଲା, ଯେଉଁଥିପାଇଁ ତାଙ୍କ ୱେବସାଇଟ୍ ସେତେଟା ସକ୍ରିୟ ହୋଇପାରିନଥିଲା । ମାତ୍ର ସେତେବେଳେ ସନ୍ଦୀପ ଭାଙ୍ଗି ନ ପଡ଼ି, ୮ଦିନ ଧରି ତାଙ୍କ ଅଫିସ୍ରେ କାର୍ଯ୍ୟ କରିଥିଲେ । ସେହି ଆଠଦିନ ଭିତରେ ସେ ବିଭିନ୍ନ ବହି ଏବଂ ଇଣ୍ଟରନେଟ୍ରୁ ପ୍ରୋଗ୍ରାମିଂ ବିଷୟରେ ଅନେକ ତଥ୍ୟ ପଢ଼ିଥିଲେ ଏବଂ ତାଙ୍କ ୱେବସାଇଟ୍ର ଡାଟାବେସ୍ରେ ଥିବା ଅସୁବିଧାକୁ ସେ ନିଜେ ଧରିଥିଲେ, ଯାହକି ତାଙ୍କର ୱେବ ଡେଭଲପର୍ମାନେ ପରବର୍ତ୍ତୀ ସମୟରେ ଠିକ୍ କରିବାରେ ବିଫଳ ହୋଇଥିଲେ । ୨୦୦୨ରେ ସନ୍ଦୀପ ଆରମ୍ଭ କରି ବିଫଳ ହୋଇଥିବା ସେହି କମ୍ପାନୀରେ ତାଙ୍କର କାର୍ଯ୍ୟ ପୁଣିଥରେ ଚାରିବର୍ଷ ପରେ ତାଙ୍କର ସଫଳତାର କେନ୍ଦ୍ର ପାଲଟିଥିଲା ।
ସନ୍ଦୀପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଇମେଜେସ୍ ବଜାର ଦ୍ୱାରା ଫଟୋ ଉଠାଉଥିବା କୌଣସି ମଡେଲଙ୍କଠାରୁ ସେ ଟଙ୍କା ନିଅନ୍ତିନି ବରଂ ସେମାନଙ୍କୁ କାମ ଖୋଜିଦେଇ ସେମାନଙ୍କୁ ରୋଜଗାର ଯୋଗାଇଦେଇଥାନ୍ତି ।
ପୁସ୍ତକ ଲିଖନ ଏବଂ ପ୍ରଭାବଶାଳୀ ବକ୍ତା
ସନ୍ଦୀପ ତାଙ୍କ ଜୀବନରେ ସଫଳ ହେବା ପରେ ତାଙ୍କର ଜୀବନରେ ଘଟିଥିବା ଅନେକ କିଛି ଘଟଣାକୁ ସେ ସମସ୍ତ ଯୁବପିଢ଼ୀଙ୍କ ଆଗରେ ବାଣ୍ଟିବାକୁ ଚାହିଁଥିଲେ ଏବଂ ଜଣେ ବକ୍ତା ଭାବରେ ସେ ବିଭିନ୍ନ ସଭାର ଆୟୋଜନ କରିଥିଲେ । ଏହି ସଭାମାନ କରିବାରେ ସନ୍ଦୀପଙ୍କର କିଛି ବିଫଳତାର କାହାଣୀ ମଧ୍ୟ ଅଛି । ସନ୍ଦୀପ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ମଡେଲିଂ ସହ କିଛି ଆଲବମ୍ ମଧ୍ୟ ନିର୍ମାଣ କରିଥିଲେ, ଯାହା ସେତେବେଳେ ସକ୍ରିୟ ହୋଇପାରିନଥିଲା ମାତ୍ର ସେତେବେଳର ସେହି ଆଲବମ୍ର ଅଭିଜ୍ଞତା ତାଙ୍କୁ ଜଣେ ବକ୍ତା ଭାବରେ ଗଢ଼ିବାରେ ସାହାଯ୍ୟ କରିଥିଲା ।
ବିଭିନ୍ନ ସଭାମାନଙ୍କରେ ସନ୍ଦୀପଙ୍କର ବକ୍ତୃତା ବିଷୟରେ ମଧ୍ୟ ତାଙ୍କର ଅନ୍ୟ ଏକ ବିଫଳତାର କାହାଣୀ ରହିଛି । ୨୦୦୨ରେ ସନ୍ଦୀପ ତାଙ୍କର ବ୍ୟବସାୟିକା ସାଥୀଙ୍କ କୂଟ ଚକ୍ରାନ୍ତରେ ଶିକାର ହୋଇ କମ୍ପାନୀରୁ ବିଦା ହେବା ପରେ ନିରାଶ ହୋଇ ୬ମାସ ଯାଏ କୌଣସି କାର୍ଯ୍ୟ କରିନଥିଲେ । ସେତେବେଳେ ୨୦୦୩ରେ ସେ ଏକ ବହି ଲେଖିଥିଲେ ।[୨] ଏହି ବହିଟି ବ୍ୟବସାୟ ଆରମ୍ଭ କରିବା ପଦ୍ଧତି ଉପରେ ପର୍ଯ୍ୟବେଶିତ ଥିଲା । ଯେହେତୁ ସନ୍ଦୀପ ବ୍ୟବସାୟ ଉପରେ କୌଣିସ ଅଧ୍ୟୟନ କରି ନ ଥିଲେ ଏବଂ ସେ ସ୍ନାତକ ମଧ୍ୟ ପାଇ ନ ଥିଲେ, ସେଥିପାଇଁ କୌଣସି ପୁସ୍ତକ ପ୍ରକାଶକ ସଂସ୍ଥା ତାଙ୍କର ସେହି ବହିଟିକୁ ଛାପିବାକୁ ରାଜି ହୋଇ ନ ଥିଲେ । ସେଥିପାଇଁ ସେ ନିଜେ ସେହି ବହିଟିକୁ ଛାପିଥିଲେ । ସେହି ବହିଟିର ପ୍ରାରମ୍ଭିକ ୧୦୦୦ରୁ ଖଣ୍ଡରୁ ମାତ୍ର କେତେଖଣ୍ଡ ବିକ୍ରି ହୋଇଥିଲା ଏବଂ ସେତେବେଳେ ସନ୍ଦୀପଙ୍କୁ ଏକ ବଡ଼ ବିଫଳତାର ସାମ୍ନା କରିବାକୁ ପଡ଼ିଥିଲା । ମାତ୍ର ସେତେବେଳେ ସନ୍ଦୀପ ସେହି ବହିଟିକୁ ଲେଖିବା ପାଇଁ ପାଖାପାଖି ୫୦ରୁ ଅଧିକ ବହି ପଢ଼ିଥିଲେ । ଯାହାକି ପରବର୍ତ୍ତୀ ସମୟରେ ତାଙ୍କୁ ସଫଳତା ଆଣିଦେଇଥିଲା ।