ପାଖାପାଖି ୬ ଘଣ୍ଟା ହେଲାଣି ମୁଁ ସେମିତି ଝୁଲୁଥିଲି । କାହିଁ କେତେବେଳୁ ସକାଳ ହେଇଗଲାଣି । ଘରେ ସମସ୍ତେ ଉଠିଗଲେଣି । ବୋଉ କେତେବେଳୁ ଉଠି ସବୁକାମ ସାରି ବାପାଙ୍କ ଅଫିସ ଯିବା ଆଗରୁ ଜଳଖିଆ ବି ତିଆରି କରିସାରିଲାଣି । ସମସ୍ତଙ୍କର କଥୋପକଥନ ମୋ କାନରେ ବହୁତ ଭଲ ଭାବରେ ପଡ଼ୁଛି । ସମସ୍ତଙ୍କୁ ଲାଗୁଛି କି ମୁଁ ବୋଧେ ଏବେଯାଏଁ ନିଦରେ ଶୋଇଥିବି କି କ'ଣ । ମୋର ଟିକେ ଡେରୀ ଯାଏଁ ଶୋଇବା ଗୋଟେ ନିତିଦିନିଆ ଅଭ୍ୟାସ । ବାପା ଉଠିଲା ପରେ ତାଙ୍କ କାମ ସବୁ ସାରି ଖାଇବା ପାଇଁ ବସିଲେ ଆଉ ନିତିଦିନ ଭଳିଆ ମୋ କଥା ବୋଉକୁ ପଚାରିଲେ । ଆଉ କହିଲେ ପୁଅକୁ ଆଜି ଶୀଘ୍ର ଉଠେଇବା ଦରକାର ନାହିଁ, କାଲି ରାତିରେ ମନ ଦୁଃଖରେ ଶୋଇଥିଲା, ବିଳମ୍ବରେ ଶୋଇଥିବ ବୋଧେ ଆଜି ଟିକିଏ ଡେରୀଯାଏଁ ଶୋଇଥାଉ ।
କାଲିର ଘଟଣା କଥା କହିବାକୁ ଭୁଲିଗଲି । କାଲି ମୋର ପରୀକ୍ଷାର ଫଳ ବାହାରିଥିଲା । ୬ଟି ବିଷୟରୁ ମୁଁ ୨ଟି ଫେଲ୍ ହେଇଯାଇଥିଲି । ଆଉ ଏହି ଖବର ଯେତେବେଳେ ଆସିକି ଘରେ ଶୁଣେଇଲି, ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଯିଏ ଯାହା ପାରିଲା ଗାଳି କଲା । ମୋତେ କେବେ ଗାଳି କରୁନଥିବା ବାପା ବି ମୋତେ କାଲି ପ୍ରବଳ ଗାଳିଦେଲେ । ଏମିତିକି ପରୀକ୍ଷାରେ ବାରମ୍ବାର ଅଳ୍ପ ନମ୍ବର ରଖିବା ପରେ ବି କେବେ କିଛି କହୁନଥିଲେ କିନ୍ତୁ କାଲି ଏତେ ଗାଳି ଦେବେ ବୋଲି ମୁଁ କେବେ ବି ଆଶା କରିନଥିଲି । ପିଲାବେଳଠାରୁ କରିଥିବା ସବୁ ଭୁଲକୁ ମନେ ପକାଇ ବୋଧେ ସେ ସବୁଯାକ ରାଗ ଶାନ୍ତ ହେବା ଯାଏଁ ଗାଳି କରିଥିଲେ ।
ମୁଁ କୁଆଡ଼େ ବଂଶର ନାଆଁ ପକେଇଦେଲି ବୋଲି ବାପା କହିଲେ । ପାଠ ନ ପଢ଼ି ସବୁ ବିଷୟରେ କମ୍ ନମ୍ବର ରଖୁଥିଲି ଆଉ ଏବେ ପୁଣି ପରୀକ୍ଷାରେ ଫେଲ ହେବା ପରେ ଲୋକଲଜ୍ୟାକୁ ବଢ଼େଇଦେଇଛି । ଏହିଭଳି ଗୋଟେ କୁଳାଙ୍ଗାର ପୁଅର ବାପା ହେଇଥିବାରୁ ସେ ନିଜକୁ ଧିକ୍କାର କରିବା ସହ ବୋଉକୁ ମଧ୍ୟ ଗାଳି କରି ଏହାର ଦୋଷ ଦେଲେ । ବୋଉ ମଧ୍ୟ ତା'ର ସମସ୍ତ ରାଗ ମୋ ଉପରେ ସୁଝେଇଦେଲା । ଏମିତିକି ଜନ୍ମବେଳେ କାହିଁକି ମରିଗଲି ବୋଲି କହିଲା । ମୋ ସାନ ଭଉଣୀ ବି ସେମାନଙ୍କ ସହ ମୋତେ ଅପମାନିତ କରିବାରେ ହେଳା କଲାନି । ସବୁପରେ ମୁଁ ଚୁପ୍ ଚାପ୍ ରାତିରେ ମୋ ଘରେ କବାଟ ବନ୍ଦ କରି ରହିଲି । ସବୁ ଖାଇବାକୁ ବସିଲେ । କାହାରି ପାଟିରୁ କୌଣସି ଶବ୍ଦ ବାହାରୁନଥିଲା । ହେଲେ ବାସନ କୁସନର ଶବ୍ଦରେ ମୁଁ ସେସବୁ ବାରି ପାରୁଥିଲି । ରାତିରେ ସମସ୍ତେ ଚୁପ୍ଚାପ୍ ଶୋଇ ବି ଗଲେ ।
ମୋତେ କିନ୍ତୁ ଭୋକ ଲାଗୁନଥିଲା କି ନିଦ ବି ଲାଗୁନଥିଲା । ଆଖି ଆଗରେ ସେ ନମ୍ବର ଆଉ କାନରେ ବାପାବୋଉଙ୍କର କଥା ବାରମ୍ବାର ଆସି ବାଡ଼େଇ ହେଉଥିଲା । ଜୀବନରେ ବୋଉ ଅନେକଥର ଗାଳିଦେଇଥିଲା, କିନ୍ତୁ ବାପା ତ' କେବେ କିଛି କୁହନ୍ତିନି । ଆଜି କିନ୍ତୁ ସେ ତାଙ୍କର ସେ ଶାନ୍ତ ସ୍ୱଭାବରୁ ଅଲଗା ଏକ ଦୁନିଆକୁ ପଳେଇଯାଇଥିଲେ । ଯେଉଁ ଦୁନିଆରେ ମୋ ପାଇଁ ତାଙ୍କର ସବୁକିଛି ପୋଡ଼ିଜଳି ପାଉଁଶ ହୋଇଯାଇଥିଲା । ନିଜର ଅନ୍ତରର ଅଗ୍ନୀକୁ ମୋ ଉପରେ ଉଜାଡ଼ି ଦେଇଥିଲେ ସେ । ବୋଉର ସବୁବେଳର ଗାଳିକୁ କିନ୍ତୁ ମୁଁ କେବେ ମୋ ମନରେ ଧରେନି । ହେଲେ ତା'ର ସେ ପଦିଏ କଥା ଯେମିତି ମୋର ଶରୀର ପ୍ରତିଟି ରକ୍ତକଣିକା ସହ ମିଶି ଯାଇଥିଲା ଏବଂ ସଭିଏଁ ମୋତେ ଉପହାସ କରୁଥିଲେ ।
ଏତିବେଳେ ମୋ ଭଉଣୀ କଲେଜ ଯିବା ପାଇଁ ସକାଳୁ ବାହାରିସାରିବା ପରେ ମୋ କବାଟ ବାଡ଼େଇ ଡାକିଲ ଆଉ ତାକୁ କଲେଜ ଛାଡ଼ିଦେବାକୁ କହିଲା । ମୋ ତରଫରୁ କୌଣସି ପ୍ରକାରର ଉତ୍ତର ନ ପାଇ ସେ ବି ଚୁପ୍ଚାପ୍ ଖାଇବା ଆରମ୍ଭ କଲା ଆଉ ବୋଉକୁ କହିଲା ଆଜି ମୁଁ କଲେଜ ବସ୍ରେ ପଲେଇ ଯାଉଛି, ଭାଇ ଉଠିଲେ କହିବୁ ମୋତେ କିନ୍ତୁ ସେ ଆଜି ଆଣିବାକୁ ଯିବ । କଲେଜରୁ ଆସିଲା ବେଳେ କିଛି ପିଲା ମୋ ସହ ଖରାପ ବ୍ୟବହାର କରୁଛନ୍ତି, ସେ ଗଲେ ସେମାନେ ଆଉ କେବେ ସେମିତି କରିବେନି ।
ଏହାପରେ ବାପା ବି ଯିବାକୁ ବାହାରିଲେ, ଗଲାବେଳେ ବୋଉକୁ କହିଲେ ଗଡ୍ରେଜରୁ ଲାପ୍ଟପ୍ଟା ବାହାର କରିକି ଟେବୁଲ ଉପରେ ରଖିଦିଅ, ଯେମିତି ପୁଅ ଉଠିଲେ ଦେଖିକି ବହୁତ ଖୁସି ହେବ । ମୁଁ ତାଙ୍କୁ କିଛିଦିନ ତଳେ ଲାପ୍ଟପ୍ ଆଣିଦେବାକୁ କହିଥିଲି, ହେଲେ ସେ ଗୋଟିଏ ସର୍ତ୍ତ ରଖିଥିଲେ କି ମୁଁ ପରୀକ୍ଷାରେ ଭଲ ନମ୍ବର ରଖିଲେ ସେ ପରଦିନ ଲାପ୍ଟପ୍ କିଣିଆଣିବେ ବୋଲି । କିନ୍ତୁ ଏ କ'ଣ ସେ ମୋର ପରୀକ୍ଷା ଫଳ ଜାଣିବା ଆଗରୁ ହିଁ ଲାପ୍ଟପ୍ ଆଣିଦେଇଥିଲେ । ଏହି କଥା ତାଙ୍କର ମୋ ପ୍ରତି ଥିବା ଭଲ ପାଇବାର ଗଭୀରତାକୁ ଦର୍ଶାଉଥିଲା । ସେ କାଲି ଏତେ ଗାଳି କରିଥିଲେ ବୋଲି ବି ଅନୁତାପ କଲେ ଆଉ ବୋଉକୁ କହିଲେ, "ପୁଅଟାକୁ ସମସ୍ତେ ମିଶି ଏତେ ଗାଳି କରିଦେବାଟା ବି ଭଲ ହେଲାନି ।" ଏହା କହି ସାରିବା ପରେ ସେ ବି ଆସି ମୋର କବାଟ ବାଡ଼େଇ ଦୁଇଥର ଡାକି ଦେଇ ଅଫିସ୍ ଚାଲିଗଲେ ।
ସମସ୍ତେ ଯିବା ପରେ ବୋଉ ମୋ ପାଇଁ କ'ଣ ସବୁ ମନପସନ୍ଦର ରୋଷେଇ କରିଥିଲା ବୋଲି କହିଲା ଆଉ ମୋର କବାଟକୁ ବି ସେ ଦୁଇଥର ବାଡ଼େଇ ଡାକିଲା । କିଛି ଉତ୍ତର ନ ମିଳିବାରୁ ସେ ପୁଣିଥରେ ତା' କାମରେ ଚାଲିଗଲା । ସେତେବେଳେ ମୁଁ ପୁଣିଥରେ ବାପା, ବୋଉ ଆଉ ମୋ ଭଉଣୀ କଥା ମନେ ପକେଇଲି । କାଲି ରାତିରେ ସେମାନେ ମୋତେ ଏତେ ଗାଳି କରିଥିଲେ, ହେଲେ ସକାଳୁ ସେମାନେ ମୋ ପାଇଁ କେତେ କ'ଣ କରୁଛନ୍ତି । ମୋ ଭଉଣୀ ଯିଏକି ମୋତେ ଗାଳି କରିଥିଲା ଆଜି ସେ ମୋର ଭାଇ ହେବାର କର୍ତ୍ତବ୍ୟକୁ ମନେ ପକାଉଥିଲା ଆଉ ମୋ ବାପା ଯିଏକି ମୋତେ ସବୁଠୁ ଅଧିକ ଗାଳି କରିଥିଲେ, ସେ ମୋର ସେ ପରୀକ୍ଷା ଫଳ ବିଷୟରେ କୌଣସି କିଛି ନ ଭାବି ଲାପ୍ଟପ୍ ବି କିଣିଆଣିଦେଇଥିଲେ । ବୋଉ ଯିଏକି କାଲି କହୁଥିଲା, ମୁଁ ଜନ୍ମବେଳେ କାହିଁକି ମରିଗଲିନି, ସେ ଆଜି ମୋ ପାଇଁ ମୋ ମନପସନ୍ଦର ଖାଇବା ତିଆରି କରିଥିଲା ।
କିନ୍ତୁ ମୁଁ କ'ଣ କଲି, ସେମାନଙ୍କର ଅଭିମାନର କେଇପଦ କଥା ପାଇଁ ଏହି ଭଳି ଗୋଟିଏ ଭୁଲ ନିଷ୍ପତ୍ତି ନେଇଗଲି । ସେମାନଙ୍କର କଥା ଥରୁଟିଏ ବି ଭାବିଲିନି । ଅଭିମାନର କହିଥିବା କଥାକୁ ସତରେ ପରିଣତ କରିଦେଲି । ଏହି ସମୟରେ ବୋଉ ପୁଣିଥରେ ଆସିଲା, ଏଇଥର କିନ୍ତୁ ସେ ଘରର ତାଲା ଖୋଲି ପଶିବା ପାଇଁ ଚାବି ନେଇ ଆସିଥିଲା । ମୁଁ କିନ୍ତୁ ସେତେବେଳେ ତାକୁ ଭିତରକୁ ଆସିବାକୁ ଅଟକାଉଥିଲି, ବହୁତ ଜୋର୍ରେ ଚିଲାଉଥିଲି ଭିତରକୁ ଆସେନି । ଏହିସବୁ ଦେଖି ତୁ କେବେ ସମ୍ଭାଳି ପାରିବୁନି । କିନ୍ତୁ ମୋର କୌଣସି କଥା କାହାକୁ ବି ଶୁଣାଯାଉନଥିଲା ।
ବି.ଦ୍ର.:ଏହି ଲେଖାଟି ମୁଁ ଅନେକ ଦିନ ତଳେ ଫେସବୁକ୍ରେ ଇଂରାଜୀରେ ପଢ଼ିଥିଲି ।
No comments:
Post a Comment