ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Wednesday, 30 May 2018

ଇଣ୍ଟରନେଟରେ ଓଡ଼ିଆ

ସଂଗ୍ରାମ କେଶରୀ ସେନାପତି 11:40 pm 0
ଇଣ୍ଟରନେଟରେ ଓଡ଼ିଆ
ଚାରିକୋଟିରୁ ଅଧିକ ଲୋକ ବ୍ୟବ‌ହାର କରୁଥିବା ଭାଷା ହେଉଛି ଓଡ଼ିଆ ଭାଷା । ଆମ ଭାଷାର ପ୍ରାଚୀନତାକୁ ପରକ୍ଷୀ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ମିଳିଲା । ତ‌ଥାପି ଓଡ଼ିଶା ବାହାରେ ଓଡ଼ିଆ ଲୋକଟିଏ ଓଡ଼ିଆ କ‌ହିବାକୁ କୁଣ୍ଠାବୋଧ କରୁଛି । ଯଦି ବାହାରେ ଦୁଇ ଉଚ୍ଚ ଶିକ୍ଷିତ ଓଡ଼ିଆ ଦେଖା‌ହୋଇଯାଆନ୍ତି, ତେବେ ସେମାନେ ଓଡ଼ିଆ ତ' କେବେ କଥା ହୁଅନ୍ତିନି ବରଂ ସେଇ ପୁରୁଣା ଇଂରେଜଙ୍କ ବ୍ୟବ‌ହୃତ ଉଚ୍ଚାରଣ 'ଓରିଶା' ଆଉ 'ଓରିଆ' ବ୍ୟବ‌ହାର କରନ୍ତି । କିନ୍ତୁ ଯଦି କୌଣସି ଛୋଟ କମ୍ପାନୀରେ କାମ କରୁଥିବା ଦୁଇ ଓଡ଼ିଆ ଦେଖାହେଇଯାଆନ୍ତି, ସେମାନେ ମନ‌ଖୋଲି ଓଡ଼ିଆରେ କ‌ଥା ହେବାର ଜଳ୍ୱନ୍ତ ଉଦାହରଣ ମୁଁ ନିଜେ ଦେଖିଛି ।

ଏଠାରେ ମୁଁ ସେ ଓଡ଼ିଆ କ‌ହୁନଥିବା ଲୋକଙ୍କୁ ଧ୍ୟାନ ଦେଉନାହିଁ କି ଦେବି ନାହିଁ । କାରଣ ସ୍ୱାଭାବ କବି ଗଙ୍ଗାଧର ମେହେରଙ୍କର ଉକ୍ତିରେ, "ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା ।" ତାଙ୍କର ଏହି ଉକ୍ତିର ଛୋଟ ଯଥାର୍ଥଟିର ମୁଁ ବୁଝେ, ଯାହା ହେଉଛି କି, "ଯଦି ଆମେ ଉଚ୍ଚ ଶିକ୍ଷା ଲାଭ କରି ଭାରତ ବାହାରେ କୌଣସି ଏକ ବଡ଼ କାମ କରିଲେ, ସେତେବେଳେ ଆମେ ନିଜର ପରିଚୟ ଭାରତୀୟ ଭାବେ କିମ୍ବା ଓଡ଼ିଆ ଭାବେ ରଖିଥାଉ । କିନ୍ତୁ ଯଦି ନିଜ ମାଟିକୁ କି ନିଜ ଭାଷାକୁ ଆମେ ଜାଣିନଥିବା, ତେବେ ବାହାରେ ଆମର ପରିଚୟ କିଛି ନଥିବ, ପିତାମାତାହୀନ ଜାରଜ ସନ୍ତାନ ଅବସ୍ଥା ହେବ ।"

ଅଳ୍ପ କିଛି ବର୍ଷ ତଳେ ଯେତେବେଳେ ମୋତେ ପ୍ରଥମ ଲ୍ୟାପଟପ୍ ମିଳିଥିଲା, ସେତେବେଳେ ମୁଁ ସେଥିରେ ଓଡ଼ିଆ ଲେଖିବା ପାଇଁ ଆକୃତିର ବ୍ୟବ‌ହାର କରୁଥିଲି, କିନ୍ତୁ ତାହା ଇଣ୍ଟରନେଟରେ ଗ୍ରହଣୀୟ ନ ଥିଲା ଏବଂ ସେତେବେଳେ ମୋତେ ସାହାଯ୍ୟ କରିବାକୁ ମଧ୍ୟ କେହି ନ ଥିଲେ । ଥରୁଟିଏ ମୁଁ ଅଜାଣତରେ ଓଡ଼ିଆ ଉଇକିପଡ଼ିଆର ପୃଷ୍ଠା ଖୋଲିଦେଇଥିଲି ଏବଂ ଓଡ଼ିଆ ଲିପିରେ ଲେଖିବା ପାଇଁ ମୋତେ ସେଇଠି ହିଁ ସୁଯୋଗ ମିଳିଥିଲା । ଧୀରେ ଧୀରେ ମୁଁ ଉଇକିପଡ଼ିଆର ପୃଷ୍ଠାଟିକୁ ଖୋଲିଲା ପରେ କେବେ କେବେ ସେଥିରେ କିଛି ତ‌ଥ୍ୟ ବିଷୟରେ ଖୋଜୁଥିଲି । କିଛି ତ‌ଥ୍ୟ ମିଳୁଥିଲା ଏବଂ କିଛି ସେଥିରେ ନ ଥିଲେ, ତେଣୁ ସେଠାରେ ନ ଥିବା ତ‌ଥ୍ୟଟିଏ ମୁଁ ଯୋଡ଼ିବାର ଚେଷ୍ଟାକଲି ଏବଂ ଧୀରେ ଧୀରେ କିଛି ଅନ୍ୟାନ୍ୟ ତ‌ଥ୍ୟ ଯୋଡ଼ିବାରେ ଲାଗିଲି । ସେହିସମୟରେ ଉଇକିପଡ଼ିଆରେ ସକ୍ରିୟ ଥିବା ଉଇକିଆଳୀମାନେ ମଧ୍ୟ କିଛି ଭୁଲ ଥିଲେ ତାକୁ ସୁଧାରୁଥିଲେ ।

କିନ୍ତୁ ଓଡ଼ିଆ ଲିପିରେ ଇଣ୍ଟରନେଟରେ ଲେଖିବାପାଇଁ ସେତେଟା ଅସୁବିଧା ନାହିଁ । ମୋବାଇଲ, କମ୍ପୁଟର ସବୁଥିରେ ଓଡ଼ିଆ ଲିପି ଇନ୍‌ପୁଟ୍‌-ଟୁଲ୍ ଆସିଗଲାଣି । ଏଥିସ‌ହିତ ସ‌ହଜ ହେବାଭଳି ମଧ୍ୟ କିଛି ଆପ୍ଲିକେସନ୍/ସଫ୍ଟଓୟାର ଆସିଗଲାଣି । ତ‌ଥାପି ଇଣ୍ଟରନେଟରେ ସେତେ ଅଧିକ ସଂଖ୍ୟକ ଓଡ଼ିଆ ଲେଖା ନାହିଁ । ଉଇକିପଡ଼ିଆରେ ୧୪,୦୦୦ରୁ କମ ପ୍ରସଙ୍ଗ, ଓଡ଼ିଆରେ ହାତ ଗଣତି କେତୋଟିଏ ବ୍ଲଗ ମାତ୍ର । ଅବଶ୍ୟ ଏବେ ସୋସିଆଲ ମିଡ଼ିଆରେ ଓଡ଼ିଆ ଭାଷାର ବ୍ୟବ‌ହାର ଟିକେ ବଢ଼ିଲାଣି । କିନ୍ତୁ ବେଲ ପାଚିଲେ କାଉର କିଛି ଯାଏ ଆସେ ନାହିଁ । ସେମିତି, ସୋସିଆଲ ମିଡ଼ିଆରେ ରହିଲେ ସଭିଙ୍କ ପାଖରେ ପ‌ହ‌ଞ୍ଚିପାରେନାହିଁ । ଏଥିସ‌ହିତ ଅଧିକାଂଶ ଲୋକଙ୍କର ସୋସିଆଲ ମିଡ଼ିଆରେ ଲେଖା ଚିତ୍ର ଆକାରରେ ଥାଏ, ତେଣୁ ସେଥିରେ ମଧ୍ୟ ଓଡ଼ିଆ ଲିପି ରହିକି ମଧ୍ୟ କାହାକୁ କିଛି ଫଳିବ ନାହିଁ ।


Friday, 20 April 2018

ଅସରନ୍ତି କଥା- ୧

ସଂଗ୍ରାମ କେଶରୀ ସେନାପତି 1:23 pm 3
ଅସରନ୍ତି କଥା- ୧
ରାଧିକା, ଏହି ନାଁଟି ମୋ ଜେଜେବାପା ବ‌ହୁତ ଶ୍ରଦ୍ଧାରେ ରଖିଥିଲେ । ଆମ ଓଡ଼ିଆ ଘରେ ତ' ପ୍ରାୟ ସମସ୍ତଙ୍କର ଅତି କମ୍‌ରେ ୩/୪ଟି ନାଁ ଥାଏ, କିନ୍ତୁ ମୋର କେବଳ ଏହି ଗୋଟିଏ ହିଁ ନାଁ ଥିଲା ଆଉ ସମସ୍ତେ ମୋତେ ଏହି ନାଁରେ ହିଁ ଜାଣିଥିଲେ । କେବେ କେବେ ସାଙ୍ଗମାନଙ୍କର ଅଧିକ ନାଁ ଦେଖି ମୋତେ ବି ମୋ ନିଜ ଉପରେ ଆଉ ମୋ ଘର ଲୋକଙ୍କ ଉପରେ ରାଗ ଲାଗେ । ଆଉ ୩/୪ଟି ନାଁରେ ମୋତେ ଡାକିଥିଲେ କ'ଣ ହେଇଯାଇଥାନ୍ତା ଯେ ।

ଏମିତିକି କେବେ କେବେ ମୋତେ ମୋ' ନାଁ ପାଇଁ ବି ପିଲାମାନେ ବ‌ହୁତ କଟାକ୍ଷ କରନ୍ତି । ହଁ ମୋର ଆଉ ଗୋଟେ ନାଁ ସେମାନେ ନିଜେ ନିଜେ ରଖିଦେଉଥିଲେ "ଫୁଲେଇ ରାଧା" । ମୋତେ କିନ୍ତୁ ଏହି ନାଁଟା ଆଦୌ ଭଲ ଲାଗେ ନାହିଁ । ଏମିତି ଭିତରେ ମୋର ପାଠପଢ଼ା ଶେଷ ହେଇଗଲା ଆଉ ମୁଁ ଗୋଟେ କଲେଜର ଶିକ୍ଷକତା କରିବା ଆରମ୍ଭ କରିଦେଲି । ସେତେବେଳେ ମୁଁ ବ‌ହୁତ ଖୁସି ଥିଲି, କାରଣ ସେ କଲେଜରେ ମୁଁ ଥିଲି ସବୁଠୁ ସାନ । ଘରେ ଯେମିତି ମୋତେ ସ୍ନେହ କରୁଥିଲେ ଆଉ ଭଲ ପା‌ଉଥିଲେ, କଲେଜର ମଧ୍ୟ ସେମିତି ଭଲ ପାଉଥିଲେ । କଲେଜରେ ନୂଆ ହୋଇଥିବାରୁ କେବେ କୌଣସିଥିରେ ଭୁଲ ହେଲେ ଘର ଲୋକଙ୍କ ଭଳି ବି ତାଗିଦ୍ କରୁଥିଲେ । କିନ୍ତୁ ଏହିସବୁ ମୋତେ ମୋର ଘର ଭଳିଆ ହିଁ ଲାଗୁଥିଲା ।


ଦିନେ କଲେଜରୁ ଫେରିଲା ବେଳେ ମୋର ସ୍କୁଟିଟା ହଠାତ୍ ରାସ୍ତାରେ ଖରାପ ହେଇଗଲା । ଜଣାନାହିଁ କାହିଁକି ଆଉ ଷ୍ଟାର୍ଟ ହେଲାନାହିଁ । ପାଖରେ ସାହାଯ୍ୟ କରିବାକୁ ବି କେହି ନଥିଲେ, ସେଠାରୁ ମୁଁ ରହୁଥିବା ଜାଗା ବି ୩/୪ କିଲୋମିଟର ଦୂର ଥିଲା । ତେଣୁ ବ‌ହୁତ ଅସ୍ତବ୍ୟସ୍ତ ଲାଗିଲା । ସେହି ସମୟରେ କେହିଜଣେ ଆସି ମୋ ପାଖରେ ତାଙ୍କର ଗାଡ଼ି ଅଟକାଇଲେ । ଆଉ ପଚାରିଲେ କିଛି ସାହାଯ୍ୟ ଦରକାର କି? ଏମିତିରେ ମୁଁ ସେ ଅଞ୍ଚଳରେ ନୂଆ ଥିଲି ଆଉ ଏକୁଟିଆ ରାସ୍ତାରେ କେହି ଜଣେ ଏମିତି ଅଜଣା ବ୍ୟକ୍ତିକୁ ଦେଖି ଭିତରୁ ମୋର ଅବସ୍ଥା ଡରରେ ଖରାପ ହେବାକୁ ଲାଗିଲା, କିନ୍ତୁ ମନରେ ସାହାସ ବାନ୍ଧି ମୋର କୌଣସି ସାହାଯ୍ୟ ଦରକାର ନାହିଁ କ‌ହିଲି । ଆଉ ଏହି କଥା ଶୁଣି ସେ ତାଙ୍କର ହେଲ୍‌ମେଟ‌ଟି ମଥାରୁ ବାହାର କଲେ ।

ହେଲେ ଇଏ କ'ଣ, ସେ ଥିଲେ ମୋର ଜଣେ ସିନିଅର । କଲେଜ ବେଳେ ମୁଁ ଅବଶ୍ୟ ତାଙ୍କୁ ଦେଖିଛି, କିନ୍ତୁ ତାଙ୍କର ନାଁ ବି ମୋତେ ଜଣା ନଥିଲା । ଏମିତି ଅଜଣା ରାସ୍ତାରେ ଚିହ୍ନା ମୁହଁଟିଏ ଦେଖି ମୋର ଭିତରେ ଥିବା ଡର ଟିକିଏ କମ୍ ହେବାରେ ଲାଗିଲା । ସେ ବୋଧେ ମୋର ମନ ଭିତରର କଥାକୁ ପଢ଼ିପାରୁଥିଲେ କି କ'ଣ ! ମୋତେ କ‌ହିଲେ, "ଆରେ ରାଧିକା, ବ‌ହୁତ ଦିନ ପରେ ଦେଖା ହେଲା ଆଉ ସେ ବି ପୁଣି ଏମିତି ଅବସ୍ଥାରେ ।" ମୋତେ ତାଙ୍କର କଥା ଶୁଣି ଆଶ୍ଚର୍ଯ୍ୟ ଲାଗିଲା କି ସେ ମୋର ନାଁ ବି ଜାଣିଥିଲେ । କିନ୍ତୁ ନିଜକୁ ଖରାପ ଲାଗିଲା କି ମୁଁ ତାଙ୍କର ନାଁ ଜାଣିନଥିଲି । ତ‌ଥାପି ଏମିତି ଅବସ୍ଥାରେ ସେ ଦେବଦୂତ ସାଜି ଆସିଥିବାରୁ ମୁଁ ଭଗବାନଙ୍କୁ ମନେ ମନେ ଧନ୍ୟବାଦ ଜଣାଉଥିଲି ।

ଏହାପରେ ମୁଁ ଆଉ କିଛି କ‌ହିବା ଆଗରୁ ସେ ତାଙ୍କର ଗାଡ଼ିରୁ ଓହ୍ଲାଇ ସାରିଥିଲେ ଆଉ ମୋର ଗାଡ଼ି ଷ୍ଟାର୍ଟ କରିବା ପାଇଁ ମୋ ଆଡ଼କୁ ଆସିଲେ, କିନ୍ତୁ ମୋ ମୁହଁରେ ଥିବା ଶଙ୍କାର ସେ ତାଙ୍କର ପରିଚୟ ନ ଦେଇ କେବଳ ଏମିତି ପଚାରିଲେ, "ମୋତେ ଜାଣିପାରିଲନି ବୋଧେ?" ଏହାପରେ ଉତ୍ତର ନ ଦେବାର ଆଉ କିଛି ଉପାୟ ନ ଥିଲା । ତେଣୁ ମୁଁ କ‌ହିଲି, ହଁ ଜାଣିପାରିଲି । ଜଣାନାହିଁ ଗାଡ଼ିଟା କାହିଁକି ହଠାତ୍ ଖରାପ ହେଇଗଲା । ଏହାପରେ ସେ ସଙ୍ଗେ ସଙ୍ଗେ ଗାଡ଼ିଟିକୁ ଷ୍ଟାର୍ଟ କରିବାକୁ ଲାଗିଲେ, କିନ୍ତୁ କିଛି ଫଳ ମିଳିଲାନି । ତେଣୁ ଆଗ ମାର୍କେଟରେ ଥିବା ଦୋକାନୀକୁ ଦେଖାଇବା ପାଇଁ ସେ କ‌ହିଲେ । ହେଲେ ଏତେଦୂର ଗାଡ଼ିଟିକୁ ଗଡ଼େଇ ଗଡ଼େଇ ନେବା ସମ୍ଭବ ନ ଥିଲା, ତେଣୁ ସେ ତାଙ୍କର ଟୁଲ୍‌ବକ୍ସରେ ଥିବା ଦୁଇଟି ରବର ଦଉଡ଼ି (କିଛି ଜିନିଷ ବାନ୍ଧିବା ପାଇଁ ବ୍ୟବ‌ହାର କରାଯାଏ) କରି ମୋ ଗାଡ଼ି ସ‌ହି ତାଙ୍କ ଗାଡ଼ିକୁ ବାନ୍ଧିଦେଲେ ଆଉ ମୁଁ ତାଙ୍କୁ ମୋ ଗାଡ଼ିରେ ବସି ଫଲୋ କଲି ।

ମୁଁ ରହୁଥିବା ଘର ପାଖାପାଖି ଗୋଟିଏ ଛୋଟ ଗାଡ଼ି ଗ୍ୟାରେଜ୍ ଥିଲା । ସେଇଠି ନେଇକି ସେ ମୋତେ ପ‌ହ‌ଞ୍ଚାଇଲେ ଆଉ ମୋର ଗାଡ଼ିଟିକୁ ଠିକ୍ କରିବାକୁ ଦୋକାନୀକୁ କ‌ହିଲେ । ସେ ଦୋକାନୀ କେଜାଣି କ'ଣ କରିଦେଲା ୫/୭ ମିନିଟ୍‌ରେ ମୋର ଗାଡ଼ିଟା ଠିକ୍ ହେଇଗଲା । ଏହାପରେ ତାଙ୍କୁ ତାଙ୍କର ନାଁ ପଚାରିବାକୁ ମୁଁ ଭୁବଥିଲି, କିନ୍ତୁ କ'ଣ ଭାବିବେ ବୋଲି ପଚାରିପାରୁନଥିଲି । ଯେଉଁଠି ରାସ୍ତାରେ ନିଜର ଲୋକମାନେ ବି ଅସୁବିଧାରେ ଛାଡ଼ି ଚାଲିଯାଆନ୍ତି, ସେଇଠି ସେ ମୋତେ ଚିହ୍ନିପାରି ମୋତେ ଏତେ ସାହାଯ୍ୟ କଲେ ଆଉ ମୁଁ ତାଙ୍କର ନାଁଟା ବି ଜାଣିନାହିଁ ।

ଏହା ଭିତରେ ସେ ତାଙ୍କର ଗାଡ଼ିରେ ବସି ଯିବାପାଇଁ ଉଦ୍ୟତ ହେଉଥିଲେ, ତେଣୁ ମୁଁ ଧନ୍ୟବାଦ ଜଣାଇବାକୁ ତାଙ୍କ ପାଖକୁ ଗଲି ଆଉ ଧନ୍ୟବାଦ ଜଣାଇଲି । ଏଇ ପାଖରେ ମୁଁ ରହୁଛି ବୋଲି ବି ଜଣେଇଦେଲି । ତା'ପରେ ସେ ଗାଡ଼ି ଷ୍ଟାର୍ଟ କରିବାକୁ ଲାଗିଲେ ସେହି ଭିତରେ ମୁଁ ତାଙ୍କୁ ପାଖ ଦୋକାନରୁ ମିଶିକି ଚାହା ପିଇବାକୁ ଅନୁରୋଧ କଲି, ମାତ୍ର ତାଙ୍କର ବ‌ହୁତ ବଡ଼ ଜରୁରୀ କାମ ଅଛି ବୋଲି କ‌ହିଲେ ଆଉ ଯିବା ଆଗରୁ ମୁଁ ମୋର ସଙ୍କୋଚତା ଦୂର କରିବା ପାଇଁ ତାଙ୍କୁ ତାଙ୍କର ନାଁ ପଚାରିବା ଆଳରେ କ‌ହିଲି, "ଆପଣଙ୍କୁ କ'ଣ ବୋଲି ଡାକିବି?" ସେ କ‌ହିଲେ ଆଉ କେବେ ଦେଖାହେଲେ କ‌ହିବି... ଏହାପରେ ସେ ଚାଲିଗଲେ ତାଙ୍କର ଗନ୍ତବ୍ୟ ଦିଗରେ ଆଉ ମୁଁ ତାଙ୍କର ନାଁଟିକୁ ମନେ ପକାଇବାର ଚେଷ୍ଟା କରି କରି ଚାଲିଲି ମୋ ବସାଆଡ଼କୁ ।


Wednesday, 14 March 2018

ଅକୁହା କଥା

ସଂଗ୍ରାମ କେଶରୀ ସେନାପତି 11:22 am 3
ଅକୁହା କଥା
ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡ଼ା ହୋଇଗଲା ସ୍ମିତା । ମୁହଁ ଲାଲ ଦେଖାଯାଉଥିଲା । "କୋଉଠି ଥିଲ ଏତେବେଳ ଯାଏଁ? ଏଇଟା ଘର ନା ଆଉ କିଛି? ତମର ଯେବେ ଇଚ୍ଛା ହେବ ଆସିବ ଆଉ ଯିବ? ଆଉ କାହା ପ୍ରତି ତୁମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ?" ପିନ୍ଧିଥିବା ସାର୍ଟକୁ ଖୋଲି ଦେଇ ସ୍ମିତାକୁ ଧକ୍କାଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ । ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କ‌ହିଲା, "ମୋତେ ଭୋକ ଲାଗିଲାଣି, ଜଳଦି ଖାଇବାକୁ ବାଢ଼ ।"

ସ୍ମିତା ଆବାକ୍ ହୋଇ ଚାହିଁ ରହିଥିଲା । କି ଅଦ୍ଭୁତ ମଣିଷ ଇୟେ? ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ୍ ପଡ଼ୁନି? ନା, ଆଜି ଯାହା ବି ହେଉପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡ଼ିବ । ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ । ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା ।

ସ୍ମିତାଙ୍କ ମୁହଁରୁ ଏହି ଘୋଷଣା ଶୁଣିବା ପରେ ଚୁପ୍‌ଚାପ୍ ପ୍ରଶାନ୍ତ ଚାଲିଗଲେ ତାଙ୍କର ଶୋଇବା ଘରକୁ । ବିଛଣା ଉପରେ ବସି ପଲଙ୍କ ବାଡ଼ାକୁ ଆଉଜେଇ ପଡ଼ିଲେ । ଗୋଡ଼ ଉପରେ ଗୋଡ଼ ପକେଇ ଆଖି ବନ୍ଦ କରି ସେଇ ପୁରୁଣା ଦିନରେ ହଜିଗଲେ । ଆଖି ଆଗରେ ଭାସିଆସିଲା ତାଙ୍କର ସେ ପୁରଣା ସ୍ମୃତି ସବୁ । ପ୍ରଶାନ୍ତ ଜଣେ ମଧ୍ୟବିତ୍ତ ପରିବାରର ପିଲା । ଛୋଟବେଳୁ ସେ ଦାରିଦ୍ରକୁ ଅତି ପାଖରୁ ଦେଖିଛି । ବାପା ତାଙ୍କର ଜଣେ ସରକାରୀ କିରାଣୀ ଥିଲେ, କିନ୍ତୁ ଆରମ୍ଭରୁ ଲାଗିରହିଥିବା ଅଭାବ ଅନଟନ ସାଙ୍ଗକୁ ତା'ର ମାଆଙ୍କର ଅସୁସ୍ଥତାରେ ସବୁ ଖର୍ଚ୍ଚ ହୋଇଯାଏ ।

ତ‌ଥାପି ତା'ର ବାପା ସେ ଭାଇ ଭଉଣୀ ଦୁଇଜଣଙ୍କୁ କେବେ କୌଣସିଥିରେ କମ୍ କରିନାହାନ୍ତି । ନିଜେ ଭଲ ପୋଷାକଟିଏ ପଛେ ପନ୍ଧିନାହାନ୍ତି, କିନ୍ତୁ ଉଭୟଙ୍କ ପାଇଁ କେବେ କୌଣସିଥିରେ ମନା କରିନାହାନ୍ତି । ପିଲାଦୁହିଙ୍କୁ ପାଠ ପଢ଼େଇ ମଣିଷ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବାବେଳେ ପ୍ରଶାନ୍ତ ତାଙ୍କର ହରାଇଥିଲେ ତାଙ୍କର ମାଆଙ୍କୁ । କିଛିବର୍ଷ ପରେ ତାଙ୍କର ବଡ଼ ଭଉଣୀଙ୍କର ବିଭାଘର ହୋଇଗଲା । ସେତେବେଳକୁ ପ୍ରଶାନ୍ତ ତାଙ୍କର ସ୍ନାତକ ହାସଲ କରିସାରିଥିଲେ । ଏବେ ତାଙ୍କର ପିତା ମଧ୍ୟ ଚାକିରୀରୁ ଅବସର ନେଇସାରିଥିଲେ । ଲକ୍ଷ୍ୟ ଥିଲା, ପ୍ରଶାନ୍ତ ଭଲ ଚାକିରୀଟିଏ କଲେ ସେମାନଙ୍କର ଦୁଃଖ ଦୂର ହୋଇଯିବ । କିନ୍ତୁ, ଚାକିରୀଟିଏ ମିଳିବା ଏତେ ସ‌ହଜ କଥା ନୁହେଁ । କମ୍ପାନୀରୁ କମ୍ପାନୀ ବୁଲି ବୁଲି ଚପଲ ବଦଳିଗଲା, ହେଲେ ଚାକିରୀ ମିଳିପାରିଲା ନାହିଁ ।

ବଡ଼ ହୋଇ ଭଲ ଚାକିରୀଟିଏ କରିବା ପରେ ବାପାଙ୍କର ଦୁଃଖ କରିବାର ସ୍ୱପ୍ନ ଦେଖିଥିବା ପ୍ରଶାନ୍ତ ତା'ର ବାପାଙ୍କର ପେନସନ୍ ଟଙ୍କାରେ ହିଁ ଚଳୁଥିଲା । ବୟସ ଅଧିକ ହେବା ଯୋଗୁଁ ତା'ର ବାପାର ଦେହ ବି ସବୁବେଳେ ଭଲ ରହୁନଥାଏ । ଏମିତିରେ ଚାକିରୀ ଖୋଜିବା ପାଇଁ ସବୁବେଳେ ବାହାରକୁ ଯିବାକୁ ପଡ଼ୁଥାଏ । ଏମିତିକି କେବେ କେବେ ୩/୪ ଦିନ ଯାଏଁ ତାକୁ ବାହାରେ ରହିବାକୁ ପଡ଼ିଥାଏ । ସେତେବେଳେ ବାପାଙ୍କର ଅସୁବିଧା ନ ହେବା ପାଇଁ ସେ କିଛି ବି କରିପାରୁନଥାଏ । ନିଜର ଭାଗ୍ୟକୁ ଆଦରି ସବୁକିଛିକୁ ସ‌ହିନେବା ବ୍ୟତୀତ ତା'ର ଆଉ କୌଣସି ଉପାୟ ବି ନ ଥାଏ ।

ଭଗବାନ ସମୟ ସମୟରେ ସମୟ ଦେଖି ସଭିଙ୍କର ପରୀକ୍ଷା ନେଇଥାନ୍ତି ଆଉ ସେଇଟା ଥିଲା ପ୍ରଶାନ୍ତର ପରୀକ୍ଷାର ବେଳ । ସବୁ ପରୀକ୍ଷାକୁ ସାମ୍ନା କରିବାପରେ ଶେଷରେ ଗୋଟିଏ ବେସରକାରୀ ସଂସ୍ଥାରେ ଚାକିରୀଟିଏ ମିଳିଲା । ବେସରକାରୀ ଚାକିରୀରେ ଟଙ୍କା କାମ କରିବା ଅନୁସାରେ ମିଳେ । ଯେତେ ପରିଶ୍ରମ କରିବ, ସେତେ ଅଧିକ ମିଳିବ । ପ୍ରଶାନ୍ତ ସବୁବେଳେ କାମର ଧ୍ୟାନ ଦେଉଥାଏ । ହେଲେ ଆଶାନୁରୂପ ପାରିଶ୍ରମିକ ମିଳିବା କଷ୍ଟ । ଚାକିରୀ ମିଳିବାର ଏବେ ତିନି ବର୍ଷ ହୋଇସାରିଥିଲା । ଏହା ଭିତରେ ପ୍ରଶାନ୍ତର ବିଭାଘର ତା'ର ବାପା ଠିକ୍ କରିସାରିଥିଲେ । ଆଶା କରିଥିଲେ ବାହାଘର ପରେ ପୁଅ-ବୋହୂଙ୍କ ସ‌ହ ସୁଖରେ ଦିନ‌ଗୁଡ଼ିକ କଟିଯିବ ।

ଠିକ୍ ସମୟରେ ବାହାଘର ହୋଇଗଲା । ହେଲେ ମାତ୍ର ଦିନ କେଇଟାରେ ସବୁକିଛି ବଦଳିଗଲା । ବାହାଘର ପରେ ପୁଅ ସ‌ହ ବାହାରେ ରହିବାକୁ ବୋହୂର ଜିଦ୍ ଆଗରେ ମୁଣ୍ଡ ନୁଆଁଇଲେ ପ୍ରଶାନ୍ତର ବାପା । ସୁଖର ଦିନ ଆରମ୍ଭ ହେଉ ହେଉ ଲିଭିଗଲା ତାଙ୍କ ଜୀବନରୁ । ପୁଅ-ବୋହୂ ବାହାରେ ରହିବାର ମାତ୍ର କେଇ ମାସ ଭିତରେ ଆଖି ମୁଜିଦେଲେ ସେ । ଏବେ ରଶ୍ମିଙ୍କୁ ଆଉ କିଛି ଅସୁବିଧା ନ ଥିଲା । ଆରମରେ ରହିବା ଏବଂ ମଉଜ ମଜଲିସ୍‌ରେ କଟିଚାଲିଥାଏ ତାଙ୍କର ଦିନ ।

ରଶ୍ମି ଥିଲେ ତାଙ୍କର ବାପାଙ୍କର ଗୋଟିଏ ବୋଲି ଝିଅ । ସବୁବେଳେ ବାପା ତାଙ୍କର କଥାରେ ହଁ ଭରି ଆସିଥିଲେ । ସେଇଥିପାଇଁ ତାଙ୍କର ସବୁଥିରେ ଜିଦ୍ ଏବଂ ତାଙ୍କର ଜିଦ୍ ଆଗରେ କେହି ବି ତିଷ୍ଠି ପାରନ୍ତିନି । ପ୍ରଶାନ୍ତ ବା କେମିତି ତିଷ୍ଠିବେ । ତେଣୁ ପ୍ରଶାନ୍ତଙ୍କର ଏବେ ପରିଶ୍ରମ ଅଧିକ ବଢ଼ିଯାଇଥାଏ । ହେଲେ ରଶ୍ମିଙ୍କୁ ସେଥିରେ କିଛି ବି ଫରକ ପଡ଼େନି । ତାଙ୍କ ମତରେ, ସେ ତାଙ୍କର ହାତ ଧରିଛନ୍ତି ମାନେ ତାଙ୍କୁ ତାଙ୍କର ସବୁକିଛି ପୂରଣ କରିବାକୁ ହେବ । ଅବଶ୍ୟ ପ୍ରଶାନ୍ତର ଦରମା ଏବେ ଟିକେ ବଢ଼ିଲାଣି, କିନ୍ତୁ ଦରମା ସ‌ହ କାମ ମଧ ବଢ଼ିଚାଲିଥାଏ । ଘରକୁ ଗଲେ ପତ୍ନିଙ୍କର ଗଞ୍ଜଣା ଆଉ କାମକୁ ଆସିଲେ ସେଠାରେ ଉପରସ୍ଥ କର୍ମଚାରୀଙ୍କର କଷଣ । ଏହି ଭିତରେ ଘାଣ୍ଟି ହେଉଥାନ୍ତି ପ୍ରଶାନ୍ତ ।

ତାଙ୍କର ମାଆ ଚାଲିଗଲାବେଳେ ସବୁବେଳେ ଗୁମୁରି ଗୁମୁରି କାନ୍ଦୁଥିବା ପ୍ରଶାନ୍ତ କେବେ କେବେ ଚାଲିଯାଆନ୍ତି କୌଣସି ନିରୋଳା ଶାନ୍ତ ଜାଗାକୁ ନିଜ ମନ‌କୁ ଟିକେ ଶାନ୍ତି ଦେବାକୁ । ଏବେ ସିନା ମାଆଙ୍କର ମୃତ୍ୟୁର ଦୁଃଖ ଆଉ ନ ଥିଲା, କିନ୍ତୁ ତା' ଠାରୁ ବଳି ଆଉ କିଛି ଦୁଃଖ ଏବେ ତାଙ୍କର ଜୀବନ‌କୁ ଦୋହଲାଇ ଦେଉଥିଲା । ତେଣୁ ସେ କାମରୁ ଛୁଟି ହେବା ପରେ ଘରକୁ ଯାଇ ସେଇ ସବୁଦିନିଆ କଥା ଶୁଣିବା ପରିବର୍ତ୍ତେ କିଛି ସମୟ ବାହାରେ କୌଣସି ଖୋଲା ନିରୋଳା ସ୍ଥାନରେ କାଟିଦିଅନ୍ତି । ତେଣୁ ଘରକୁ ଫେରିବାରେ ବିଳମ୍ବ ହୁଏ । ଆଉ ଏହି କଥାକୁ ନେଇ ରଶ୍ମି ସବୁବେଳେ ତାଙ୍କ ଉପରେ ଚିଡ଼ୁଥାନ୍ତି । କିନ୍ତୁ ପ୍ରଶାନ୍ତଙ୍କର ଏହି କଥାସବୁ ଏବେ ଦେହସୁଆ ହୋଇଗଲାଣି । ତେଣୁ ସେ ତାଙ୍କର ଏହି ନିରୋଳାରେ ସମୟ ଅତିବାହିତ ଅଭ୍ୟାସଟିକୁ ଛାଡ଼ିବାକୁ ଚାହାନ୍ତିନି । କିଛି ସମୟ ପାଇଁ ହେଲେ ବି ସେ ତ' ଏକୁଟିଆ ଏ ଦୁନିଆର ଜଞ୍ଜାଳଠାରୁ ଦୂରେଇ ଯାଆନ୍ତି, ଯେଉଁଠି କାହାର ହୁକୁମ ନ ଥାଏ କି କାହାର ଅଳି ।


Thursday, 8 February 2018

ନବପଲ୍ଲବରେ ନବବର୍ଷର ନକ୍ସା

ସଂଗ୍ରାମ କେଶରୀ ସେନାପତି 12:43 am 0
ନବପଲ୍ଲବରେ ନବବର୍ଷର ନକ୍ସା

ନବବର୍ଷ ସମୟରେ ପ୍ରକାଶିତ ଓଡ଼ିଆ ଇ-ପତ୍ରିକା ନବପଲ୍ଲବରେ ଡାକ୍ତର ବିଶ୍ୱରଞ୍ଜନ କରଙ୍କ ଦ୍ୱାରା ରଚିତ କିଛି କ୍ଷୁଦ୍ରଗଳ୍ପକୁ ନେଇ "ନବପଲ୍ଲବରେ ନବବର୍ଷର ନକ୍ସା" ଶୀର୍ଷକ ଲେଖାଟି ସ୍ଥାନିତ ହୋଇଥିଲା । ଏହି ଲେଖାଟିକୁ ଉପସ୍ଥାପନା କରିଛନ୍ତି ଟୁଇଟରେ ଅତି ପରିଚିତ ଲୋକପ୍ରିୟ ଅକାଳ କୁଷ୍ମାଣ୍ଡ ଏବଂ ଶ୍ରୀ ସମ୍ବିତ ଦାସ ମହୋଦୟ ରଙ୍ଗ ତୁଳୀ ଧରି ଆଙ୍କିଦେଇଛନ୍ତି ଭଳି କି ଭଳି ଛବି । ଆଶାକରେ ଆପଣମାନଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସିବ ।





Thursday, 18 January 2018

ଦେଢ଼ ବର୍ଷ ପରେ....

ସଂଗ୍ରାମ କେଶରୀ ସେନାପତି 4:40 pm 0
ଦେଢ଼ ବର୍ଷ ପରେ....


ଜାନୁଆରୀ ୭ ତାରିଖରେ, ଦେଢ଼ ବର୍ଷ ପରେ ହଠାତ୍ ପୁଣିଥରେ ତାଙ୍କୁ ଫୋନ୍ କରିବାକୁ ପଡ଼ିଲା । ଆମର ଏହି ସମ୍ପର୍କ ଆରମ୍ଭ ହେଇଥିଲା ୨୦୧୨ ଗଣେଶ ପୂଜା ସମୟରୁ । ପ୍ରତ୍ୟେକ ଆବଶ୍ୟକତା ବେଳେ ମୁଁ ତାଙ୍କୁ ହିଁ ଫୋନ୍ କରିଥାଏ । କିନ୍ତୁ ୫ ଜୁନ ୨୦୧୫ ପରଠାରୁ ଆଉ ତାଙ୍କ ସ‌ହ ଫୋନ୍‌ରେ ଯୋଗାଯୋଗ ନ ଥିଲା । କେବଳ ମେସେଜ୍‌ରେ ହିଁ ତାଙ୍କ ସ‌ହ କେବେ କବେ କଥା ହୁଏ । ସେ ଆଉ କେହି ନୁହ‌ନ୍ତି, ଭବାନୀପାଟଣାରେ ବସ୍ ଟିକେଟ କଥା ବୁଝାବୁଝି କରୁଥିବା ସର୍ବେଦା । ପ୍ରାୟ ସଭିଏଁ ତାଙ୍କୁ ସର୍ବେଦା ବୋଲି ଡାକନ୍ତି । ତେଣୁ ଯେତେବେଳେ ଦେଢ଼ ବର୍ଷ ପରେ ପୁଣିଥରେ ଭବାନୀପାଟଣା ଯିବାକୁ ପଡ଼ିଥିଲା, ସେତେବେଳେ ପ୍ରଥମେ ତାଙ୍କୁ ହିଁ ଫୋନ୍ କରିବାକୁ ପଡ଼ିଲା ।

ସନ୍ଧ୍ୟାବେଳେ ମୁଁ ଭୁବନେଶ୍ୱର ଷ୍ଟାଣ୍ଡରେ ପ‌ହ‌ଞ୍ଚିଲି । ଅବଶ୍ୟ ସେଠାରୁ ଆସିବା ପରେ ମୁଁ ଆଉ କେବେ ବରମୁଣ୍ଡା ଷ୍ଟାଣ୍ଡ ଭିତରକୁ ଯାଇନଥିଲି । ସେଦିନ ଷ୍ଟାଣ୍ଡରେ ଦେଖିଲାବେଳକୁ ଭବାନୀପାଟଣାକୁ ଯାଉଥିବା ସରକାରୀ ବସ୍‌ସବୁର ରଙ୍ଗ ଢଙ୍ଗ ଏବେ ସମ୍ପୂର୍ଣ୍ଣ ବଦଳିଯାଇଥିଲା । ଭଙ୍ଗା ଦ‌ଦରା ବସ୍‌ ବଦଳରେ ଏବେ ନାଲିଆ ନାଲିଆ ଚକାଚକ୍ ବସ୍ ଚାଲିଛି । ସରକାରୀ ବସ୍‌କୁ ଦେଖିଲେ ମୋତେ ସବୁବେଳେ ୧୯ ଅକ୍ଟୋବର ୨୦୧୨ର ରାତି ମନେପଡ଼ିଯାଏ । ଯାହା ହେଉ ମୋତେ ତ ସେଥିରେ ଯିବାର ନ ଥିଲା । ମୋ ବସ୍ ଆସିବା ପରେ ସେଥିରେ ଚଢ଼ିଗଲି । କିନ୍ତୁ ଏଇ ବସ୍‌ସବୁରେ ସେତେ କିଛି ବିଶେଷ ପରିବର୍ତ୍ତନ ହେଇନଥିଲା ।

ପରଦିନ ସକାଳ ୭ଟା ପାଖାପାଖିରେ ବସ୍ ଲାଗିଲା ଭବାନୀପାଟଣା ବସ୍‌ଷ୍ଟାଣ୍ଡରେ । ଦୀର୍ଘ ଦେଢ଼ବର୍ଷ ପରେ ପୁଣିଥରେ ସେହି ଜାଗାରେ ଓହ୍ଲାଇବାପରେ ପ୍ରଥମେ ଆଖି ଖୋଜିଥିଲା ସର୍ବଦାଙ୍କୁ, କିନ୍ତୁ ସେ ପୂର୍ବଦିନ ସନ୍ଧ୍ୟାରେ ଗାଁକୁ ଚାଲିଯାଇଥିଲେ । ତା' ପରେ ଟିକେ ଫ୍ରେସ୍ ହେଇ ଆଗକୁ ଆଗକୁ ମାଡ଼ିଚାଲିଲି । ସେତେବେଳେ ଅଧିକାଂଶ ସମୟରେ ଆମେ ଦକ୍ଷିଣ ପାର୍ଶ୍ୱରେ ଯାତାୟତ କରୁଥିଲୁ, ତେଣୁ ସେଇ ପୁରୁଣା ଅଭ୍ୟାସକୁ ପୁଣିଥରେ ଦୋହରାଇ ଦକ୍ଷିଣ ପାର୍ଶ୍ୱରେ ଆଗେଇ ଚାଲିଥାଏ । ବସ୍‌ଷ୍ଟାଣ୍ଡରୁ ଟିକେ ବାଟ ଆଗକୁ ଗଲେ ପରେ ଜେଲ୍ ଅତିକ୍ରମ କରିବାପରେ ସବୁଠାରୁ ବଡ଼ ପରିବର୍ତ୍ତନ ନ‌ଜର ଆସିଲ, ତାହା ଥିଲା ସେଠାରେ ଜାତୀୟ ରାଜପଥ ସ‌ହ ଯୋଡ଼ି ହୋଇଥିବା ରାସ୍ତା । ରାସ୍ତାଟିର ଉଭୟ ପାର୍ଶ୍ୱରେ ଥିବା ଛୋଟ ବଡ଼ ଗଛଗଡ଼ିକ ଆଉ ନାହିଁ, ରାସ୍ତାର ଆକାର ବଢ଼ିଯାଇଛି, ମଝିରେ ପୌରପାଳିକା ଦ୍ୱାରା ଆଲୋକ ସଂଯୋଗ କରିଦିଆଯାଇଛି ଏବଂ ତା' କଡ଼ରେ ଥିବା ଛୋଟ ଛୋଟ ଦୋକାନୀଙ୍କର ସତ୍ତା ନାହିଁ । ରାସ୍ତାଟିକୁ ଦେଖି ଖୁସି ଲାଗିଲା, କିନ୍ତୁ ଦୋକାନୀମାନଙ୍କ କଥା ଭାବି ଟିକେ ଦୁଃଖ ବି ଲାଗିଲା । ସେଇ ଦୋକାନୀମାନଙ୍କଠାରୁ କେତେଥର କ'ଣ ଯେ କିଣିଥିବୁ, ତା'ର ହିସାବ ନାହିଁ । ଅବଶ୍ୟ ସେ ରାସ୍ତା ଦେଇ ପୁଣିଥରେ ସେଇ ପୁରୁଣା ଗଳିରେ ଯାଇହେଲାନି ।

ଏଥର ଆଗକୁ ଆଗକୁ ଯିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ପରିବର୍ତ୍ତନ ନ‌ଜର ଆସିଲା । କେଉଁଠାରେ ଥିବା ଛୋଟମୋଟ ଦୋକାନ ଘରସବୁ ଆଉ ନାହିଁ, ତ' କେଉଁଠି ଛୋଟ ଗୁମୁଟି କରିଥିବା ଦୋକାନୀଟି ଏବେ ପକ୍କାଘରେ ତା'ର ବଡ଼ ଦୋକନଟିଏ କରିସାରିଲାଣି । ଏମିତି ଚାଲୁଚାଲୁ ବାମ‌ପଟରେ ନ‌ଜର ଆସିଲା ବେଣୁଦାଦାଙ୍କର ସେ ଦୋକାନଟି । ତାଙ୍କ ଘରର ଗୋଟିଏ ପାର୍ଶ୍ୱରେ ସେ ଦୋକାନଟି । ସେଇ ଦୋକାନଟିର କିନ୍ତୁ କିଛି ବଦଳିନଥିଲା, ଅବଶ୍ୟ ତାଙ୍କୁ ପୁଣିଥରେ ଭେଟି ହେଲାନି । ସେଠାରୁ ଟିକିଏ ଦୂରରେ ଥିଲା ବାଲାଜୀ ମନ୍ଦିର । ସେ ମନ୍ଦିରଟିର ବି ସେତେ କିଛି ବଦଳିନି ବୋଧେ, କିନ୍ତୁ ସେତେବେଳେ ଖରାବେଳେ ବସ୍ ପାଇଁ ଅପେକ୍ଷା କରିଥିବା ସମୟରେ ସେହି ମନ୍ଦିର ପରିସରରେ ଛାଇରେ ଆମକୁ ଘୋଡ଼ାଇ ରଖୁଥିବା ଗଛଗୁଡ଼ା ଆଉ ନ ଥିଲା । ସେହି ବାଟ ଦେଇ ଯାଉଥିବାବେଳେ ଆଉ ଜଣେ ଅତିପରିଚିତ ଲୋକ ସେହି ସମୟରେ ତାଙ୍କ ଗାଡ଼ିରେ ଗଲେ । ଅବଶ୍ୟ ତାଙ୍କ ସ‌ହ ଦେଖା କରିହେଲାନି । କିନ୍ତୁ ତାଙ୍କଠାରେ ବି ବିଶେଷ କିଛି ପରିବର୍ତ୍ତନ ହୋଇନଥିଲା, ସେଇ ସମାନ ଗାଡ଼ି, ସେଇ ସମାନ ସମୟ, ସାମନ ସ୍ଥାନରୁ (ଫୁଟ୍‌ବଲ୍ ଖେଳରୁ) ପ୍ରତ୍ତ୍ୟାବର୍ତ୍ତନ କରୁଥିଲେ କି କ'ଣ । ଆଉ ଗାଡ଼ି ଚଳେଇବା ବି ଠିକ୍ ସେହିଭଳି ହିଁ ଥିଲା ।

ତା'ର ଟିକେ ଆଗକୁ ଗଲାପରେ ଦେଖିଲି ଆମକୁ ପ୍ରତ୍ୟେକଦିନ ସକାଳେ ଜଳଖିଆ ଖୁଆଇଥିବା ସେଇ ଦୋକାନଟି ସେମିତି ଅଛି । ସେଇ ସମାନ ଲୋକ, ସେଠାରେ ଟିକେ ଖିଆପିଆ ହେଇଗଲା ଆଉ ସେ ଲୋକଟି ଏତେଦିନ ପରେ ବି ଠିକ୍‌ରେ ଚିହ୍ନିଗଲା । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଥିଲା କି ସେ ଦୋକାନଟିର ଜିନିଷର ଦର ଦେଢ଼ବର୍ଷ ପରେ ବି ସେମିତି ଥିଲା । ଏହାପରେ ପୁଣି ଚାଲିଲି, କିନ୍ତୁ ଏଇଥର ବାମ‌ପଟରେ । ବ୍ଲକ୍ କେଣ୍ଟିନ୍ ବି ତା' ପୁରୁଣା ଜାଗାରୁ ଆସିଯାଇକି JPR ପାଖରେ ରହିଯାଇଛି ଆଉ ସେ ଆଖପାଖରେ ଥିବା ସବୁ ଖାଲି ଜାଗାରେ ଦୋକନ‌ଘର ହେଇକି ଦୋକାନ ବି ହେଇଗଲାଣି । ସେଇ ସବୁ ଜାଗାରେ ଦୋକନ ଦେଖିଲା ପରେ ୨୦୧୩ରେ ନବୀନ କ‌ହିଥିବା କଥାଟା ମନେ ପଡ଼ିଗଲା । ତା' ପରେ ଆଗକୁ ଆଗକୁ ଚାଲିଲି, ନ‌କ୍‌ଟିଗୁଡ଼ାରେ ସେଇ ସମାନ ଅବସ୍ଥା ଥିଲା, କିଛି ନୂଆ ତ' ପୁଣି କିଛି ପୁରୁଣା । ସେଇ ପୁରୁଣା ଗଳି ସବୁ, କିନ୍ତୁ ସେ ସବୁର ରାସ୍ତା ଏବେ ଭଲ ହେଇଗଲାଣି ।
ଆମର ସେଇ ପୁରୁଣା ଜଳଖିଆ ଦୋକାନ
ଶେଷରେ ନ‌କ୍‌ଟିଗୁଡ଼ା ସରିବା ପରେ ଗୋଟେ ଗଛ ଛାଇରେ ଅପେକ୍ଷା କଲି କଲେଜ ଯିବାକୁ । ସେତେବେଳେ ସିନା କଲେଜକୁ ବସ୍ ଚାଲୁଥିଲା, କିନ୍ତୁ ଏବେ ତ' ଆଉ ନାହିଁ ବୋଧେ । ଅବଶ୍ୟ ସେଇବାଟେ ସେତେବେଳେ ଗୋଟେ ବସ୍ ଗଲା, କିନ୍ତୁ କଲେଜକୁ ଯାଉଥିବା ଭଙ୍ଗା ଦ‌ଦରା ବସ୍ ବଦଳରେ ଏମିତି ଭଲ ବସ୍ ଯାଉଥିବ ବୋଲି ମୋତେ ଲାଗିଲାନି । ତେଣୁ ପୁଣିଥରେ ପୁରୁଣା କଳା ଆପଣେଇବାକୁ ପଡ଼ିଲା, ମୋଟରସାଇକେଲବାଲାଙ୍କୁ ଲିପ୍ଟ ମାଗିବା । ଆଉ ଲିପ୍ଟ ପାଇଁ ହାତ ବଢ଼େଇଲାବେଳକୁ ଜଣେ ସାର୍ ଦେଖାହେଇଗଲେ ଆଉ ଶୀତୁଆ ସକାଳର କୋହଲା ପବନ ମାଡ଼ରେ ଆମେ ପ‌ହ‌ଞ୍ଚିଗଲୁ କଲେଜରେ । କଲେଜର ପରିବେଶ ବି କିଛିଟା ବଦଳିଯାଇଥିଲା । କିଛି ନୂଆ ଶିକ୍ଷକଙ୍କର ଆଗମନ ଏବଂ ପୁରୁଣା ଶିକ୍ଷକଙ୍କର ବି ବଦଳି ହୋଇସାରିଥିଲା । ହେଲେ ପୁରୁଣା ଯେତିକି ଥିଲେ ସଭିଏଁ ସେମିତି ହିଁ ଥିଲେ । ବୋଧେ କଲେଜର ଖାଲି ଗଢ଼ଣ ଟିକେ ବଦଳିଥିଲା, କିନ୍ତୁ ଅନ୍ୟମାନେ ସଭିଏଁ ସେମିତି ଥିଲେ । 
କଲେଜର Wall Magazine
କଲେଜ ହଷ୍ଟେଲ ପରିସରରେ ପିଲାମାନେ ଆଙ୍କିଥିବା ଚିତ୍ର
ହଷ୍ଟେଲରୁ ଶେଷଥର ପାଇଁ ନେଇଥିବା ଫୋଟୋ
ଶେଷରେ ସାର୍ଟିଫିକେଟ ନେଇ ସନ୍ଧ୍ୟାରେ ଫେରିଆସିଲି କଲେଜରୁ । ମୋର ବସ୍ ଆସିବାକୁ ଆହୁରି ଅଢ଼େଇ ଘଣ୍ଟା ବିଳମ୍ବ ଥାଏ, ତେଣୁ ଟିକେ ବସ୍‌ଷ୍ଟାଣ୍ଡରୁ ଗାନ୍ଧି ଛକ ଦେଇ ମାଣିକେଶ୍ୱରୀ ମନ୍ଦିର ପଟେ ବୁଲି ଆସିବାକୁ ଭାବିଲି । ତେଣୁ ଆଗେଇ ଗଲି ଘୋଡ଼ାଘାଟ ଛକ ଦେଇ ଗାନ୍ଧିଛକ ଆଡ଼େ । ଗାନ୍ଧିଛକପଟେ ଯେବେ ଯାଉ ସବୁବେଳେ ସେଠାରେ ମିଳୁଥିବା ମକା-ମିକ୍ଚର ନିହାତି ଖାଇଥାଉ । ଆମର ସଭିଙ୍କର ପ୍ରିୟ ମାଝୀଗୌରୀରୁ ନେଲି । ସେତେବେଳେ କିନ୍ତୁ ଜଣଙ୍କୁ ମୁଁ ସବୁଠୁ ଅଧିକା ମନେପକାଉଥିଲି, ସେ ହେଉଛି ନବୀନ । ମୁଁ ସେଇ ଚାରିବର୍ଷରେ ଯେତେଥର ଏହି ରାସ୍ତାରେ ଯାଇଥିବି, ବୋଧେ ୯୫ ପ୍ରତିଶତରୁ ଅଧିକ ଥର ନବୀନ ଥିବ ସାଙ୍ଗରେ । ସବୁବେଳେ ମୋର ଗୋଟିଏ ହାତ ଥାଏ ତା କାନ୍ଧରେ, କିନ୍ତୁ ଆଜି ଟିକେ ଅଲାଗା ଥିଲା । ମୋ ହାତ କାହା କାନ୍ଧ ଉପରେ ନ ଥିଲା, କିନ୍ତୁ ମୋ କାନ୍ଧ ଉପରେ ଥିଲା ବ୍ୟାଗ୍ ।
ଏହାପରେ ଗାନ୍ଧିଛକରେ ୬/୭ଟି ଛୋଟବଡ଼ ଗଳି । ଯେତେବେଳେ ମୁଁ ୨୦୧୨ରେ ପ୍ରଥମଥର ବାପାମାଆଙ୍କ ସ‌ହ ଯାଇଥିଲି, ସେତେବେଳେ ଆମେ ସେଇଠି କୋଉ ଗଳିରେ ଆସିବୁ ବୋଲି ବାଟ ପାଇନଥିଲୁ । କିନ୍ତୁ ଏବେ ସବୁ ଗଳିର ବାଟ ଭଲଭାବରେ ଜଣା ଥିଲା, ହେଲେ ବି କେଉଁ ଗଳିପଟେ ଯିବି ବୋଲି ଭାବି ହାଟ ବସୁଥିବା ଗଳିଦେଇ ଆଗକୁ ବଢ଼ିଲି । ଇଏ ସେଇ ଗଳି, ଯେଉଁଠି ସବୁଦିନେ ଭିଡ଼ ଜମୁଥିଲା । କିନ୍ତୁ ସେତେ ଭିଡ଼ ନାହିଁ ଆଉ ଏବେ । ସୋମ‌ବାରରେ ବି ରବିବାର ଭଳିଆ ଲୋକ ଥିଲେ ସେ ଗଳିରେ । ଏହାର ଦୁଇପାଖରେ ଥିବା ଦୋକାନ ବୋଧେ ବଦଳିନାହିଁ କି କ'ଣ । ଛୋଟ ଛୋଟ ପରିବା ଦୋକାନୀ, କିଛି କିଛି ମସଲା ନେଇ ବସିଥିବା ଦୋକାନୀମାନେ ବି ସେମିତି ଥିଲେ । କିଛି କିଛି ବଡ଼ ବଡ଼ ଦୋକନ ବୋଧେ ସେମାନଙ୍କର ଟିକେ ଟିକେ ରଙ୍ଗ ବଦଳେଇଥିବେ କି କ'ଣ, ନ ହେଲେ ବାକି ସବୁ ସେମିତି । ଏହାପରେ ସୁବାଷଚନ୍ଦ୍ର ବୋଷଙ୍କର ମୂର୍ତ୍ତି ଦେଖାଗଲା ଏବଂ ସେଠାରୁ ମାଣିକେଶ୍ୱରୀ ମନ୍ଦିରପଟେ ଗଲି । ଏଇ ପାଖରେ ଥାଏ ଛୋଟ ପଡ଼ିଆଟିଏ, ଏହି ପଡ଼ିଆରେ ଏହି ସମୟରେ ମୀନାବଜାର ବସେ । କିନ୍ତୁ କିଛି ନ ଥିଲା, ବୋଧେ ସରିଗଲାଣି କି କ'ଣ । ଏହାର ଡାହାଣକୁ ଆଉ ଗୋଟିଏ ଛୋଟିଆ ଖୋଲା ଜାଗାରେ ଶୀତଦିନିଆ ନେପାଳୀମାନେ (ପ୍ରକୃତରେ ତିଦ୍ଦତରୁ ଆସିଥାନ୍ତି ସେମାନେ ଆଉ ଏବେ ସେମାନେ ଓଡ଼ିଶାର ବ୍ରହ୍ମ‌ପୁରରେ ରହୁଛନ୍ତି) ବସିଥାନ୍ତି ସେମାନଙ୍କର ଦେଶରୁ ଆଣିଥିବା ଶୀତବସ୍ତ୍ର ନେଇ । ସେଠାରେ ରହିଲାବେଳେ ଆମେ ବୋଧେ ପ୍ରତ୍ୟେକ ବର୍ଷ କିଛି ନା କିଛି କିଣିଥିଲୁ, କିନ୍ତୁ ଶେଷବର୍ଷ କାଇଁ ସେମାନେ ନ ଆସିନଥିଲେ । କିନ୍ତୁ ସେଇ ଜାଗାରେ ସେମାନେ ପୁଣିଥରେ ବସିଥିଲେ । ଯଦିଓ ମୋତେ କିଛି କିଣିବାର ନ ଥିଲା, କିନ୍ତୁ ଖାଲିରେ ବି ଟିକେ ବୁଲି ଆସିଲି । ସେଠାରେ ବି ସେଇ ସମାନ କଥା, ସମାନ ଲୋକ ବି ଥିଲେ ସେଠାରେ । ଆମେ ସେଇ ତିନିବର୍ଷରେ ଯାହା ସବୁ କିଣିଥିଲୁ ଗୋଟିଏ ଝିଅପାଖରୁ ହିଁ କିଣିଥିଲୁ ଆଉ ସେ ବି ସେଇଠି ଥିଲା । ଏମିତିକି ପ୍ରତ୍ୟେକ ଥର ଆମେ ଗୋଟିଏ ଜିନିଷ କିଣିବାକୁ ଯାଇଥାଉ କିନ୍ତୁ ଆବଶ୍ୟକ ନ ଥାଇ ବି ନବୀନ ସବୁବେଳେ ତା'ଠାରୁ ଆଉ ଗୋଟିଏ କିଣିଆଣେ । ଆଉ କ‌ହିଥିଲା, ତା' ସ‌ହ ଗୋଟେ ଫଟୋ ଉଠେଇବି, କିନ୍ତୁ ଆମର ଶେଷ ବର୍ଷରେ ସେ ଆସିନଥିଲା । ତେଣୁ ନବୀନର ଆଶ ସେମିତି ରହିଯାଇଥିଲା । ନବୀନ ଯଦି ଆସିଥାନ୍ତା, ବୋଧେ ଫଟୋଟିଏ ନିଶ୍ଚୟ ଉଠେଇଥାନ୍ତା ।

ଏହପରେ ଚାଲିଲି ଆଗକୁ । ବାମ‌ପଟେ ମାଣିକେଶ୍ୱରୀ ମନ୍ଦିର, ତେଣୁ ମନ୍ଦିରକୁ ବି ଯାଇ ଟିକେ ବୁଲି ଆସିଲି । ଅବଶ୍ୟ ମୋ ପାଖରେ ବ୍ୟାଗ୍ ଥିଲା ବୋଲି ମୁଁ ଆଉ ଭିତରକୁ ଗଲିନି, ଖାଲି ଦୂରରୁ ପ୍ରାଣାମ କରି ଆସିଗଲି । ଏହାପରେ ଫେରିବାର ସମୟ, କିନ୍ତୁ ସମାନ ରାସ୍ତାଦେଇ ଫେରିବାର ଆବଶ୍ୟକତା ବି ନାହିଁ । ଘୋଡ଼ାଘାଟ ଛକରେ ପ‌ହ‌ଞ୍ଚିବାକୁ ଯେଉଁ ଗଳିରେ ଗଲେ ବି ଗୋଲ୍ ହୋଇ ଘୁରି ଆସିହେବ । ତେଣୁ ଜଗନ୍ନାଥ ମନ୍ଦିର କଡ଼ ରାସ୍ତାଦେଇ ଫେରିଲି । ବାଟରେ ଥାଏ ପକୁଡ଼ି ଆଉ ଜିଲାପିର ଦୋକାନ । ସେତେବେଳେ ଆମେ ଶୀତଦିନରେ ଯେବେ ଯାଉ କେବେ ବି ନ ଖାଇ ଫେରୁନା, କିନ୍ତୁ ଏକୁଟିଆ ଖାଇବାର ମଜା ଆସେନା । ତେଣୁ ଦେଖିକି ଖାଲି ଆସିଗଲି । ପକୁଡ଼ି ଦୋକାନ ପାର ହେବାପରେ ଜଣାନାହିଁ କାହିଁକି କେଜାଣି ମନଟା ଭାରୀ ହେବାରେ ଲାଗିଲା । ପୂର୍ବଥର ଯେତେବେଳେ ଆମ ପିଲାମାନେ ଭବାନୀପାଟଣା ଛାଡ଼ିଥିଲେ, ବୋଧେ ସବୁ କାନ୍ଦୁଥିଲେ । ସେତେବେଳେ କିନ୍ତୁ ମୋ ମନରେ ଥିଲା କି ମୋତେ ତ ପୁଣିଥରେ ଆସିବାକୁ ହେବ ଆଉ ସେଇଟା ଶେଷ ନ ଥିଲା । ମାତ୍ର ସେଦିନର ଆସିଯିବାପରେ ପୁଣିଥରେ ଯିବାକୁ ଲାଗିଗଲା ଦେଢ଼ବର୍ଷ ଦୁଇଦିନ । ଜଣାନାହିଁ, ଏଇ ଫେରିବା ପରେ ଆଉ କେବେ ଜୀବନରେ ସୁଯୋଗ ମିଳିବ କି ନାହିଁ । ତେଣୁ ମନ ଭିତରେ ସେଇ ଭୟଟା ଖାଇଯାଉଥିଲା । ଅନ୍ୟମନସ୍କ ବସତଃ ଚାଲୁଥିଲି ବସ୍‌ଷ୍ଟାଣ୍ଡ ଆଡ଼େ । ସେତେବେଳେ ବାମ‌ପଟେ ନ‌ଜର ପଡ଼ିଲା ସୋଡ଼ାହବ୍ ଉପରେ । ଅବଶ୍ୟ ଶୀତଦିନରେ ଥଣ୍ଡା ଅଧିକ ହୁଏ ବୋଲି ରାତିରେ ପିଉନା, କିନ୍ତୁ ଶେଷଥର ପାଇଁ ସେ ଦୋକାନରୁ ପୁଣିଥରେ ପିଇବାକୁ ଗଲି । ଅବଶ୍ୟ ମୋର ସବୁବେଳର ପସନ୍ଦ ଲେମନ୍ ସୋଡ଼ା ନ ଥିଲା, ତେଣୁ ତା' ବଡ଼ଭାଇ ଅରେଞ୍ଜ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଲା । ଏହାପରେ ଫେରିଆସିଲି ବସ୍‌ଷ୍ଟାଣ୍ଡ ପାଖକୁ ।

ବଜାର ବୁଲିଆସିବା ଭିତରେ କିନ୍ତୁ ଗୋଟିଏ ଜିନିଷ କେଉଁଠି ବି ନ‌ଜର ଆସିନଥିଲା ପୋଡ଼ା ହୋଇଥିବା ମକା ସ‌ହ ଲେମ୍ବୁ । ମାତ୍ର ବସ୍‌ଷ୍ଟାଣ୍ଡରେ ପ‌ହ‌ଞ୍ଚିବାପରେ ଦେଖିଲି ଗୋଟିଏ ପିଲା ମକା ପୋଡ଼ିବାରେ ଲାଗିଛି, କିନ୍ତୁ ଗ୍ରାହକଙ୍କ ମଧ୍ୟରେ ପୂର୍ବରୁ ବଣ୍ଟାସରିଯାଇଥିଲା ସେସବୁ । ତେଣୁ ମୋ ପାଇଁ ଆଉ ନ ଥିଲା । ସେତେବେଳକୁ ତ‌ଥାପି ବସ୍ ଆସିନଥିଲା । ତେଣୁ ଅପେକ୍ଷା କରି ବସିଲି ବସ୍‌ଷ୍ଟାଣ୍ଡର ବଡ଼ ବଡ଼ ଖମ୍ବ ପାଖରେ ଥିବା ଜାଗା ଉପରେ । ସେତେବେଳେ ମୋ ପାଖରେ ବସିଥିବା ଜଣେ ବୁଢ଼ୀମାଉସୀ ବିକୁଥିଲେ ବାଦାମ । ଆଗରୁ ତାଙ୍କଠାରୁ ଅନେକଥର ଚନା, ବାଦାମ ଆଦି ଖାଇଛୁ । ତେଣୁ ପୁଣିଥରେ ତାଙ୍କଠାରୁ ବାଦମ ନେଇ ଟିକେ ଟିକେ ଖାଇଲି ଆଉ ଅପେକ୍ଷା କରିଥିଲି ବସ୍‌କୁ ଏବଂ ପୁଣିଥରେ ସେଇ ଆପଣାର ଜାଗାକୁ ବିଦାୟ ଦେବାକୁ ।

Saturday, 13 January 2018

ପ୍ରଥମ ବିମାନ ଯାତ୍ରା

ସଂଗ୍ରାମ କେଶରୀ ସେନାପତି 1:54 am 0
ପ୍ରଥମ ବିମାନ ଯାତ୍ରା
ଜୀବନରେ ଅନେକ କିଛି ଆସେ ପୁଣି ଚାଲିଯାଏ । କିନ୍ତୁ କୌଣସି ଜିନିଷ ପ୍ରଥମଥର ପାଇଁ ମାତ୍ର ଥରେ ଆସେ । ଯେମିତିକି, ପ୍ରଥମଥର ପାଇଁ କଥା କ‌ହିବା, ପ୍ରଥମ ଥର ପାଇଁ ସ୍କୁଲ ଯିବ, ପ୍ରଥମ ଥର ପାଇଁ ପ୍ରେମରେ ପଡ଼ିବା ଇତ୍ୟାଦି ଇତ୍ୟାଦି । ସେମିତି ମୁଁ ବି ମୋ ଜୀବନରେ ଘଟିଥିବା ସବୁକିଛି ଘଟଣାରୁ ପ୍ରଥମ ଅଭିଜ୍ଞତା ବିଷୟରେ ଜଣେଇଛି । ପ୍ରଥମଥର ପାଇଁ ପିକ୍‌ନିକ୍ ଯିବା ବିଷୟରେ ହୁଏତ ସେତେବେଳେ ଘଟିଥିବା ସବୁକିଛି ଠିକ୍‌ରେ ମନେ ନ ଥିଲା, ତ‌ଥାପି ସେସବୁକୁ ବି ଲେଖିଥିଲି । ସେମିତି ଆଜି ବି ଏହି ପ୍ରଥମ ବିମାନ ଯାତ୍ରା ବିଷୟରେ ଲେଖୁଛି ।

ଛୋଟବେଳେ ଯେତେବେଳେ ୧୯୯୯ ମହାବାତ୍ୟା ହୋଇଥିଲା, ସେତେବେଳେ ବୋଧେ ଆମେ ସବୁଠାରୁ ଅଧିକ ହେଲିକପ୍ଟର ଦେଖିଥିଲୁ । ଆମ ଗାଁ ଉପର ଦେଇ ତ' କେବେକେବେ ହେଲିକପ୍ଟର ଉଡ଼େ, କିନ୍ତୁ ବିମାନ ବା ଉଡ଼ାଜାହାଜ ବୋଧେ ସେତେବେଳେ କାଇଁ କେବେ ଦେଖିଥିବା କଥା ମନେପଡ଼ୁନି । ଅବଶ୍ୟ ଉଡ଼ାଜାହାଜର ଛବି ଖବରକାଗଜ ଏବଂ ଦୂରଦର୍ଶନରେ ଦେଖିଥିଲି । ବୋଧେ କେବେ ଭୁବନେଶ୍ୱର ଆସିଥିବାବେଳେ ପ୍ରଥମଥର ପାଇଁ ବିମାନ ଉଡ଼ିବା ଦେଖିଥିଲି, କିନ୍ତୁ ସବୁବେଳେ ମୋ ମନରେ ଥାଏ, କେମିତି ବିମାନ ଉଡ଼େ, ସେଇଟା ପାଖରୁ ଦେଖିବି । ଅବଶ୍ୟ ଧିରେ ଧିରେ ବଡ଼ ହେବାପରେ କୌଣସି କୌଣସି କଥାଚତ୍ରରେ ଏବଂ ଇଣ୍ଟରନେଟରୁ ବିମାନ ଉଡ଼ିବା ଦେଖିନିଆଯାଇଥିଲା । ଗୋଡ଼ ନ ଥିବା ଲୋକର ଚାଲିବାକୁ ଇଚ୍ଛା ହୁଏ, ଚାଲୁଥିବା ଲୋକର ଦୌଡ଼ିବାକୁ ମନ ହୁଏ । ସେମିତି ମୋର ବି ବିମାଡ଼ ଉଡ଼ାଣ ଦେଖିବାର ଇଚ୍ଛା ଅବଶ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ କେବେ ଉଡ଼ିବାର ସୁଯୋଗ ମିଳିବ, ଏହା ମୋତେ ଜଣାନଥିଲା । କିନ୍ତୁ, ମନରେ ଜିଜ୍ଞାସା ତ' ନିଶ୍ଚିତ ଥିଲା, ଆଉ ଏହି ସୁଯୋଗ ମିଳିଲା ଅବଶ୍ୟ ମିଳିଲା ଓଡ଼ିଆ ଉଇକିପାଠାଗାର ୩ୟ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ।

ଯଦିଓ ଉଇକିପାଠାଗାରର ଜନ୍ମତିଥି ଅକ୍ଟୋବରରେ ପଡ଼େ, ତ‌ଥାପି ସଭିଙ୍କର ସମୟ ସୁବିଧା ଦେଖି ଡିସେମ୍ବରରେ ପାଳନ କରାଗଲା । ତେଣୁ ବାଙ୍ଗାଲୋରରୁ ଯିବା ପାଇଁ ଟିକେଟ ମଧ୍ୟ ମିଳିଗଲା । ଯେହେତୁ ଡିସେମ୍ବର ୩ରେ ପାଳନ ଥିଲା, ତେଣୁ ୧ରେ ମୁଁ ବାହାରିଲି । ଏଇଥରର ଉଇକିପାଠାଗାରର ଜନ୍ମତିଥି ପାଳନ ବିଷୟରେ ଚିନୁ ଟିକିନିଖି ବୁଝାବୁଝି କରୁଥିଲେ । ସେ ଏକୁଟିଆ ସବୁକିଛି ବୁଝିବାସ‌ହ ମୋ ପାଇଁ ଟିକେଟ ମଧ୍ୟ କରିଦେଇଥିଲେ । ଏମିତିକି ବିମାନ ଯାତ୍ର ସମୟରେ ଯେପରି କୌଣସି ବିଷୟରେ ଅସୁବିଧା ନ ହେବ, ସବୁ ବିଷୟରେ ବୁଝାଇଦେଇଥିଲେ । ଶେଷରେ ଯାତ୍ରା ପାଇଁ ବୋର୍ଡ଼ି ପାସ୍ ସ‌ହ ସିଟ୍ ବୁକିଙ୍ଗ୍ ସେ କରିଦେଇଥିଲେ ।

ଶେଷରେ ଯାତ୍ରା କରିବାର ଦିନ ଆସି ପ‌ହ‌ଞ୍ଚିଗଲା । ଘର ଛାଡ଼ି ବାଙ୍ଗାଲୋର ଆସିବା ପରେ ଏହା ଥିଲା ପ୍ରଥମଥର ପାଇଁ ଘରକୁ ଯାତ୍ର, ସେ ପୁଣି ପ୍ରଥମଥର ବିମାନ ଯାତ୍ରା । ଯେଉଁଦିନ ବାହାରିବାର ଥିଲା, ସେଦିନ ବାଙ୍ଗାଲୋରରେ ବର୍ଷା ହେଉଥିଲା । ଏମିତିରେ ବି ସେଇ ସମୟରେ ମାରାଥାଲିରୁ ବିମାନବନ୍ଦରକୁ ସିଧା ବସ୍ ନ ଥିଲା । ତେଣୁ ହେବାଲ୍‌ ଯାଏଁ ବସ୍ ଧରିବାକୁ ହେଲା । ଆଉ ସେ ୨୦ କିଲୋମିଟରର ରାସ୍ତା ଯିବାକୁ ସେଦିନ ଏତେ ଭିଡ଼ ହୋଇଥିଲା ଯେ, କ‌ହିବାକୁ ନାହିଁ । ଅଧଘଣ୍ଟା ଲାଗିବାକୁ ଥିବା ରାସ୍ତା ସେଦିନ ଦେଢ଼ ଘଣ୍ଟାରୁ ଅଧିକ ସମୟ ନେଇଗଲା । ଆଉ ଶେଷରେ ଅତି କଷ୍ଟରେ ଯାଇକି ହେବାଲ୍‌ରୁ ବିମାନବନ୍ଦର ବସ୍ ଧରିଲି । ଯାହାହେଉ ଠିକ୍ ସମୟରେ ଯାଇକି ସେଠାରେ ପ‌ହ‌ଞ୍ଚିଗଲି । ଅବଶ୍ୟ ବ‌ହୁତ ସମୟ ପୂର୍ବରୁ ଯାଇ ସେଠାରେ ପ‌ହ‌ଞ୍ଚିଗଲି କେମ୍ପାଗୌଡ଼ା ବିମାନବନ୍ଦରରେ ।

ମୁଁ ତ' ଆଗରୁ ବୋର୍ଡ଼ିଂ ପାସ୍ ହୋଇସାରିଥିଲା, ତେଣୁ ସିଧା ଚେକ୍ ଇନ୍ ପାଇଁ ଯିବାକୁ ପଡ଼ିଲା । ଚିନୁ ତ' ଆଗରୁ ସବୁକିଛି ବୁଝାଇଦେଇଥିଲେ, ତେଣୁ କୌଣସି ଅସୁବିଧା ହେଲା ନାହିଁ । ଏବେ ଅପେକ୍ଷା ବିମାନ ଛାଡ଼ିବା ସମୟକୁ । ଗେଟ୍ ନଂ ୧ରେ ଯାଇ ବସିଲି, ଧିରେ ଧିରେ ବାକି ଯାତ୍ରୀମାନେ ବି ଆସିଗଲେ ଆଉ ଶେଷରେ ବିମାନ ଭିତରକୁ ଯିବାର ସମୟ ବି ଆସିଗଲା । ଉଡ଼ାଣ ସମୟ ଦିନ ୩ଟା ୨୦ ରଖାଯାଇଥିଲା, ତେଣୁ ନିର୍ଦ୍ଧାରିତ ସମୟରେ ଆମେ ଯାଇ ନିଜ ନିଜର ସ୍ଥାନରେ ବସିଗଲୁ । କିନ୍ତୁ ଗୋଟେ ଦୁଃଖ ରହିଗଲା କି' ପ୍ରଥମଥର ଯାତ୍ରାରେ ଝରକାପାଖ ମିଳିଲାନି । କିଛି କଥା ନାହିଁ, ଯେଉଁଠି ହେଲେ ବି ଚଳିବ । ଆଉ ହଁ ଗୋଟିଏ କଥା ରହିଗଲା, ବିମାନ ପରିଚାରିକାମାନଙ୍କ କଥା । ସବୁବେଳେ ହସୁଥିବା ମୁଖ, ମନରେ ଯାହା ଯେମିତି ଦୁଃଖ ଥିଲେ ବି, ସେମାନେ ବୋଧେ କେବେ ଦୁଃଖ ପ୍ରକାଶ କରନ୍ତିନି କି କ'ଣ । ସବୁବେଳେ ସେମାନେ ମୁହଁରେ ହସ ଭରି ରଖିଥାନ୍ତି । କଥାକ‌ହିବାର ଚତୁରତା ଏବଂ ଯାତ୍ରୀମାନଙ୍କ ମନ‌କୁ ଜିଣିଲା ଭଳି କଥାହେବା ସେମାନଙ୍କର ସବୁଠାରୁ ବଡ଼ କଳା ।

ସମସ୍ତେ ନିଜ ନିଜର ସ୍ଥାନରେ ବସିଗଲା ପରେ ଏବେ ବିମାନ ପରିଚାରିକା ତାଙ୍କର ସମସ୍ତ ସଦସ୍ୟଙ୍କ ସ‌ହ ପରିଚୟ କରାଇଦେଲେ ଏବଂ ଧିରେ ବିମାନ ଗଡ଼ିବା ଆରମ୍ଭ କଲା । ସେତେବେଳେ ସେମାନେ ପୁଣିଥରେ କିଛି ସୁରକ୍ଷା ସୂଚନା ଦେଲେ । ଏହାପରେ ଧୀରେ ଧୀରେ ଚାଲୁଥିବା ବିମାନର ଗତି ହଠାତ୍ କ୍ଷୀପ୍ର ହୋଇଗଲା ଏବଂ ଧୀରେ ଧୀରେ ଉପରକୁ ଉଠିବାକୁ ଲାଗିଲା । ପୂର୍ବରୁ ସାଙ୍ଗମାନେ ଅବଶ୍ୟ ମୋତେ ଟିକେ ଡରେଇ ଦେଇଥିଲେ କି ଉପରକୁ ଉଠିଲାବେଳେ ବ‌ହୁତ ପ୍ରକାରର ଅସୁବିଧା ହେବ ବୋଲି, କିନ୍ତୁ ସେତେଟା ଅଧିକ କିଛି ହେଲା ନାହିଁ । ଅବଶ୍ୟ ଟିକେ ଅଲଗା ଲାଗିଲା । ବିମାନ ଧିରେ ଧିରେ ଉପରକୁ ଲଗିଲା ଏବଂ ତଳେ ଥିବା ଘରଗୁଡ଼ିକସବୁ ଛୋଟ ହେବାକୁ ଲାଗିଲା । ଉଠିଲାବେଳେ ମେଘଖଣ୍ଡ ଦେଇ ଗତି କଲା ଆଉ ଶେଷରେ ବାଦଲ ଉପରକୁ ବି ଉଠିଗଲା । ସେତେବେଳକୁ ତଳେ ଥିବା ଘରଗୁଡ଼ିକ ଆଉ ଦେଖାଗଲାନି । ଏବେ ଉପରେ ଖାଲି ନୀଳ ଆକାଶ ଦେଖାଗଲା ।

ଅବଶ୍ୟ ଝରକା ପାଖ ହୋଇନଥିବାରୁ ସେତେଟା କିଛି ଦେଖାଗଲାନି, ତ‌ଥାପି କିଛିଟା ନ‌ଜରକୁ ଆସିଲା । ସେହି ସମୟରେ ଥିବା ଉଡ଼ାଣ ବେଳେ ସୂର୍ଯ୍ୟାସ୍ତ ଦୃଶ୍ୟ ବ‌ହୁତ ଭଲରେ ଦେଖିହୁଏ, କିନ୍ତୁ ସେ ବି ହାତରୁ ଚାଲିଗଲା । ଏହାପରେ ଧୀରେ ଧୀରେ ଭୁବନେଶ୍ୱରର ପାଖପାଖି ପ‌ହ‌ଞ୍ଚିଗଲୁ । ଏବେ ତଳ‌କୁ ତ‌ଳକୁ ବିମାନ ଖସିବାକୁ ଲାଗିଲା । ଶେଷରେ ଘରଗୁଡ଼ିକ ଛୋଟଛୋଟ ହୋଇ ପୁଣି ଦେଖାଗଲା ଏବଂ ଉଡ଼ାଣର ଠିକ୍ ସମୟରେ ଅର୍ଥାତ ଦୁଇଘଣ୍ଟାପରେ ଆମେ ଅବତରଣ କଲୁ ।

Friday, 8 December 2017

ଅଦିନିଆ ମେଘ

ସଂଗ୍ରାମ କେଶରୀ ସେନାପତି 10:12 pm 0
ଅଦିନିଆ ମେଘ

ଜୟ ଯବାନ, ଜୟ କିଷାନ ।
ଦେଶର ସୀମାରେ ସୁରକ୍ଷା ପ୍ରଦାନ କରି ଆମର ଯବାନମାନେ ଆମମାନଙ୍କୁ ବାହ୍ୟ ଶତ୍ରୁ କବଳରୁ ରକ୍ଷା କରୁଛନ୍ତି । କିଷାନ ଅର୍ଥାତ ଚାଷୀଭାଇମାନେ ମଧ୍ୟ ନିଜର ରକ୍ତ ଦେଇ ଆମକୁ ଖାଇବାକୁ ଆମର ନିଜ ଭିତରେ ସୃଷ୍ଟି ହେବାକୁ ଥିବା ରୋଗ ରୂପୀ ଶତ୍ରୁଠାରୁ ରକ୍ଷା କରୁଛନ୍ତି । ଚଷାଭାଇଟିଏ ହଳ‌ଲଙ୍ଗଳ ଧରି ନିଇତି କାମ କରି ଆମକୁ ଖାଇବାକୁ ଦିଏ, ହେଲେ ଆମେ ତାକୁ କିଛି ବି ଦେଇପାରୁନା । "ଆମେ ବା ଦେବାକୁ କିଏ, ସବୁ ସେଇ ଉପରବାଲା ହାତରେ" କ‌ହି ଆମ ଆମ ଦାୟିତ୍ୱରୁ ପାର୍ ହେଇଯାଉ । ଉପରବାଲା, ଅର୍ଥାତ ଭଗବାନ, ସଭିଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇ ଆସିଛି । କର୍ମ ଘେନି ଫଳ ଦେଇଥାଏ ସେ ସମସ୍ତଙ୍କୁ । ଚାଷୀଟିଏ କିନ୍ତୁ ତା'ର ଜୀବନସାରା ପରିଶ୍ରମ କରି ଅନେକଙ୍କୁ ଅନାହାରରୁ ରକ୍ଷା କରିଛି । କେବେ କେବେ ନିଜେ ନ‌ ଖାଇ, ନିଜ ପିଲାକୁ ଖାଇବାକୁ ଦେଇ ନ ପାରି ମଧ୍ୟ ସେ କ୍ଷେତରେ ଧାନ ରୂପି ସୁନା ଫଳେଇଛି ଆମମାନଙ୍କ ପାଇଁ ।

Photo by Gaunliya.

ବର୍ଷା ଋତୁର ଆରମ୍ଭରେ ଧାନ ଫସଲର ଆରମ୍ଭ ହୋଇଥାଏ । ହଳ କରିବା ପାଇଁ ସେତେବେଳେ ପର୍ଯ୍ୟାପ୍ତ ପରିମାଣରେ ପାଣି ମିଳିଲାନି, ତେଣୁ ଚାଷ କାର୍ଯ୍ୟ ଆରମ୍ଭରେ ଅନେକ ବିଳମ୍ବ ହେଲା ଆଉ ପରେ ଚାଷ ଆରମ୍ଭ ହେବାର କିଛିଦିନ ପରେ ବନ୍ୟା ଆସିଗଲା । ଏମିତି ଅନେକ ବନ୍ୟା ଜଳରେ ବୁଡ଼ି ଯେତେବେଳେ ଧାନ ଗଛଟିର ଥୋଡ଼ ବାହାରିବାକୁ ଲାଗିଲା, ସେବେ ପୁଣିଥରେ ବାତ୍ୟା ଆସି ତାକୁ ପୁଣି ଦୋହଲେଇଦେଲା । ପରିଶେଷରେ ଯାହା ଯେମିତି ବଞ୍ଚିଗଲା, ତାକୁ ପୁଣି ବିପଦ ହୋଇ ମାଡ଼ି ଆସିଲା ଅଦିନିଆ, ଶୀତକାଳରେ ଲଘୁଚାପ । ହଳଦୀ ରଙ୍ଗ ଧାନ ଯେତେବେଳେ କଟା ହୋଇ ବିଲରେ ପଡ଼ିଥିଲା, ସେତେବେଳେ ପ୍ରକୃତି ପୁଣିଥରେ ଯୁଦ୍ଧ ଘୋଷଣା କଲା । ଅଦିନରେ ଶୀତଋତୁରେ ଲଘୁଚାପ ରୂପରେ ଆକ୍ରମଣ କଲା ଚଷା ଭାଇ ଉପରେ । ଅନେକଙ୍କ ପାଇଁ ଏଇ ଶୀତଦିନିଆ ଝିପିଝିପି ବରଷା ସାଙ୍ଗକୁ କୋହଲା ପବନ ଆକର୍ଷଣୀୟ ପାଗ ହୋଇ ଆସିଥିବା ବେଳେ, ନିଜ ପେଟକୁ ଭୋକିଲା ରଖି ଆମକୁ ଖାଇବାକୁ ଦେଉଥିବା ସେଇ ଚାଷୀ ପାଇଁ ଏହା ମହାକାଳ ବିପଦ ।

ଧାନ ଚାଷ ପାଇଁ ଯାହା ଯେମିତି ସରକାରଙ୍କଠାରୁ ଋଣ ନେଇ ଚାଷ କରିଥିଲା, ସବୁ ଆକ୍ରମଣକୁ ସାମ୍ନା କରି ବଞ୍ଚିଯାଇଥିବା କେଇଟା ଧାନ ପୁଣିଥରେ ଏକ ବ‌ହୁତ ବଡ଼ ଭୟଙ୍କର ଆକ୍ରମଣର ସାମ୍ନା କରିବାକୁ ଯାଉଛି । ସେ ପୁଣି ଶୋଇରହିଥିବା ବେଳେ ଆକ୍ରମଣର ସାମ୍ନା କରିବାକୁ ଯାଉଛି । ଜଣା ନାହିଁ ଏହି ଆକ୍ରମଣର ପରିଣତି କ'ଣ ହେବ । କୌଣସି ବି ପରିସ୍ଥିତିରେ ଏହି ଆକ୍ରମଣକୁ ସାମ୍ନା କରିବାକୁ ହେବ ତା'କୁ । ଶେଷରେ ଯାହା କିଛି ପାଇବ, ତାକୁ ନେଇ ପୁଣିଥରେ ସେ ଆମ ପାଇଁ ଦାନା ବଢ଼ାଇଦେବ । ହୁଏତ ରହିଯାଇଥିବା ସେହି କିଞ୍ଚିତ ଧାନ ତା' ଘର ପାଇଁ ନିଅଣ୍ଟ ହୋଇପାରେ, କିନ୍ତୁ ଚାଷ ପାଇଁ କରିଥିବା କରଜକୁ ସୁଝିବାକୁ ହେଲେ ତାକୁ ପୁଣି ରହିବାକୁ ପଡ଼ିବ ଉପାସ । ତାକୁ ପୁଣି ସେହିଭଳି କଷ୍ଟ ସ‌ହି ମିଛି ମିଛିକା ଜୟ ଜୟକାର ଶୁଣିବାକୁ ହେବ ।