ଇଣ୍ଟରନେଟରେ ଓଡ଼ିଆ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Wednesday 30 May 2018

ଇଣ୍ଟରନେଟରେ ଓଡ଼ିଆ

ଚାରିକୋଟିରୁ ଅଧିକ ଲୋକ ବ୍ୟବ‌ହାର କରୁଥିବା ଭାଷା ହେଉଛି ଓଡ଼ିଆ ଭାଷା । ଆମ ଭାଷାର ପ୍ରାଚୀନତାକୁ ପରକ୍ଷୀ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ମିଳିଲା । ତ‌ଥାପି ଓଡ଼ିଶା ବାହାରେ ଓଡ଼ିଆ ଲୋକଟିଏ ଓଡ଼ିଆ କ‌ହିବାକୁ କୁଣ୍ଠାବୋଧ କରୁଛି । ଯଦି ବାହାରେ ଦୁଇ ଉଚ୍ଚ ଶିକ୍ଷିତ ଓଡ଼ିଆ ଦେଖା‌ହୋଇଯାଆନ୍ତି, ତେବେ ସେମାନେ ଓଡ଼ିଆ ତ' କେବେ କଥା ହୁଅନ୍ତିନି ବରଂ ସେଇ ପୁରୁଣା ଇଂରେଜଙ୍କ ବ୍ୟବ‌ହୃତ ଉଚ୍ଚାରଣ 'ଓରିଶା' ଆଉ 'ଓରିଆ' ବ୍ୟବ‌ହାର କରନ୍ତି । କିନ୍ତୁ ଯଦି କୌଣସି ଛୋଟ କମ୍ପାନୀରେ କାମ କରୁଥିବା ଦୁଇ ଓଡ଼ିଆ ଦେଖାହେଇଯାଆନ୍ତି, ସେମାନେ ମନ‌ଖୋଲି ଓଡ଼ିଆରେ କ‌ଥା ହେବାର ଜଳ୍ୱନ୍ତ ଉଦାହରଣ ମୁଁ ନିଜେ ଦେଖିଛି ।

ଏଠାରେ ମୁଁ ସେ ଓଡ଼ିଆ କ‌ହୁନଥିବା ଲୋକଙ୍କୁ ଧ୍ୟାନ ଦେଉନାହିଁ କି ଦେବି ନାହିଁ । କାରଣ ସ୍ୱାଭାବ କବି ଗଙ୍ଗାଧର ମେହେରଙ୍କର ଉକ୍ତିରେ, "ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା ।" ତାଙ୍କର ଏହି ଉକ୍ତିର ଛୋଟ ଯଥାର୍ଥଟିର ମୁଁ ବୁଝେ, ଯାହା ହେଉଛି କି, "ଯଦି ଆମେ ଉଚ୍ଚ ଶିକ୍ଷା ଲାଭ କରି ଭାରତ ବାହାରେ କୌଣସି ଏକ ବଡ଼ କାମ କରିଲେ, ସେତେବେଳେ ଆମେ ନିଜର ପରିଚୟ ଭାରତୀୟ ଭାବେ କିମ୍ବା ଓଡ଼ିଆ ଭାବେ ରଖିଥାଉ । କିନ୍ତୁ ଯଦି ନିଜ ମାଟିକୁ କି ନିଜ ଭାଷାକୁ ଆମେ ଜାଣିନଥିବା, ତେବେ ବାହାରେ ଆମର ପରିଚୟ କିଛି ନଥିବ, ପିତାମାତାହୀନ ଜାରଜ ସନ୍ତାନ ଅବସ୍ଥା ହେବ ।"

ଅଳ୍ପ କିଛି ବର୍ଷ ତଳେ ଯେତେବେଳେ ମୋତେ ପ୍ରଥମ ଲ୍ୟାପଟପ୍ ମିଳିଥିଲା, ସେତେବେଳେ ମୁଁ ସେଥିରେ ଓଡ଼ିଆ ଲେଖିବା ପାଇଁ ଆକୃତିର ବ୍ୟବ‌ହାର କରୁଥିଲି, କିନ୍ତୁ ତାହା ଇଣ୍ଟରନେଟରେ ଗ୍ରହଣୀୟ ନ ଥିଲା ଏବଂ ସେତେବେଳେ ମୋତେ ସାହାଯ୍ୟ କରିବାକୁ ମଧ୍ୟ କେହି ନ ଥିଲେ । ଥରୁଟିଏ ମୁଁ ଅଜାଣତରେ ଓଡ଼ିଆ ଉଇକିପଡ଼ିଆର ପୃଷ୍ଠା ଖୋଲିଦେଇଥିଲି ଏବଂ ଓଡ଼ିଆ ଲିପିରେ ଲେଖିବା ପାଇଁ ମୋତେ ସେଇଠି ହିଁ ସୁଯୋଗ ମିଳିଥିଲା । ଧୀରେ ଧୀରେ ମୁଁ ଉଇକିପଡ଼ିଆର ପୃଷ୍ଠାଟିକୁ ଖୋଲିଲା ପରେ କେବେ କେବେ ସେଥିରେ କିଛି ତ‌ଥ୍ୟ ବିଷୟରେ ଖୋଜୁଥିଲି । କିଛି ତ‌ଥ୍ୟ ମିଳୁଥିଲା ଏବଂ କିଛି ସେଥିରେ ନ ଥିଲେ, ତେଣୁ ସେଠାରେ ନ ଥିବା ତ‌ଥ୍ୟଟିଏ ମୁଁ ଯୋଡ଼ିବାର ଚେଷ୍ଟାକଲି ଏବଂ ଧୀରେ ଧୀରେ କିଛି ଅନ୍ୟାନ୍ୟ ତ‌ଥ୍ୟ ଯୋଡ଼ିବାରେ ଲାଗିଲି । ସେହିସମୟରେ ଉଇକିପଡ଼ିଆରେ ସକ୍ରିୟ ଥିବା ଉଇକିଆଳୀମାନେ ମଧ୍ୟ କିଛି ଭୁଲ ଥିଲେ ତାକୁ ସୁଧାରୁଥିଲେ ।

କିନ୍ତୁ ଓଡ଼ିଆ ଲିପିରେ ଇଣ୍ଟରନେଟରେ ଲେଖିବାପାଇଁ ସେତେଟା ଅସୁବିଧା ନାହିଁ । ମୋବାଇଲ, କମ୍ପୁଟର ସବୁଥିରେ ଓଡ଼ିଆ ଲିପି ଇନ୍‌ପୁଟ୍‌-ଟୁଲ୍ ଆସିଗଲାଣି । ଏଥିସ‌ହିତ ସ‌ହଜ ହେବାଭଳି ମଧ୍ୟ କିଛି ଆପ୍ଲିକେସନ୍/ସଫ୍ଟଓୟାର ଆସିଗଲାଣି । ତ‌ଥାପି ଇଣ୍ଟରନେଟରେ ସେତେ ଅଧିକ ସଂଖ୍ୟକ ଓଡ଼ିଆ ଲେଖା ନାହିଁ । ଉଇକିପଡ଼ିଆରେ ୧୪,୦୦୦ରୁ କମ ପ୍ରସଙ୍ଗ, ଓଡ଼ିଆରେ ହାତ ଗଣତି କେତୋଟିଏ ବ୍ଲଗ ମାତ୍ର । ଅବଶ୍ୟ ଏବେ ସୋସିଆଲ ମିଡ଼ିଆରେ ଓଡ଼ିଆ ଭାଷାର ବ୍ୟବ‌ହାର ଟିକେ ବଢ଼ିଲାଣି । କିନ୍ତୁ ବେଲ ପାଚିଲେ କାଉର କିଛି ଯାଏ ଆସେ ନାହିଁ । ସେମିତି, ସୋସିଆଲ ମିଡ଼ିଆରେ ରହିଲେ ସଭିଙ୍କ ପାଖରେ ପ‌ହ‌ଞ୍ଚିପାରେନାହିଁ । ଏଥିସ‌ହିତ ଅଧିକାଂଶ ଲୋକଙ୍କର ସୋସିଆଲ ମିଡ଼ିଆରେ ଲେଖା ଚିତ୍ର ଆକାରରେ ଥାଏ, ତେଣୁ ସେଥିରେ ମଧ୍ୟ ଓଡ଼ିଆ ଲିପି ରହିକି ମଧ୍ୟ କାହାକୁ କିଛି ଫଳିବ ନାହିଁ ।


No comments:

Post a Comment