ଜାନୁଆରୀ ୭ ତାରିଖରେ, ଦେଢ଼ ବର୍ଷ ପରେ ହଠାତ୍ ପୁଣିଥରେ ତାଙ୍କୁ ଫୋନ୍ କରିବାକୁ ପଡ଼ିଲା । ଆମର ଏହି ସମ୍ପର୍କ ଆରମ୍ଭ ହେଇଥିଲା ୨୦୧୨ ଗଣେଶ ପୂଜା ସମୟରୁ । ପ୍ରତ୍ୟେକ ଆବଶ୍ୟକତା ବେଳେ ମୁଁ ତାଙ୍କୁ ହିଁ ଫୋନ୍ କରିଥାଏ । କିନ୍ତୁ ୫ ଜୁନ ୨୦୧୫ ପରଠାରୁ ଆଉ ତାଙ୍କ ସହ ଫୋନ୍ରେ ଯୋଗାଯୋଗ ନ ଥିଲା । କେବଳ ମେସେଜ୍ରେ ହିଁ ତାଙ୍କ ସହ କେବେ କବେ କଥା ହୁଏ । ସେ ଆଉ କେହି ନୁହନ୍ତି, ଭବାନୀପାଟଣାରେ ବସ୍ ଟିକେଟ କଥା ବୁଝାବୁଝି କରୁଥିବା ସର୍ବେଦା । ପ୍ରାୟ ସଭିଏଁ ତାଙ୍କୁ ସର୍ବେଦା ବୋଲି ଡାକନ୍ତି । ତେଣୁ ଯେତେବେଳେ ଦେଢ଼ ବର୍ଷ ପରେ ପୁଣିଥରେ ଭବାନୀପାଟଣା ଯିବାକୁ ପଡ଼ିଥିଲା, ସେତେବେଳେ ପ୍ରଥମେ ତାଙ୍କୁ ହିଁ ଫୋନ୍ କରିବାକୁ ପଡ଼ିଲା ।
ସନ୍ଧ୍ୟାବେଳେ ମୁଁ ଭୁବନେଶ୍ୱର ଷ୍ଟାଣ୍ଡରେ ପହଞ୍ଚିଲି । ଅବଶ୍ୟ ସେଠାରୁ ଆସିବା ପରେ ମୁଁ ଆଉ କେବେ ବରମୁଣ୍ଡା ଷ୍ଟାଣ୍ଡ ଭିତରକୁ ଯାଇନଥିଲି । ସେଦିନ ଷ୍ଟାଣ୍ଡରେ ଦେଖିଲାବେଳକୁ ଭବାନୀପାଟଣାକୁ ଯାଉଥିବା ସରକାରୀ ବସ୍ସବୁର ରଙ୍ଗ ଢଙ୍ଗ ଏବେ ସମ୍ପୂର୍ଣ୍ଣ ବଦଳିଯାଇଥିଲା । ଭଙ୍ଗା ଦଦରା ବସ୍ ବଦଳରେ ଏବେ ନାଲିଆ ନାଲିଆ ଚକାଚକ୍ ବସ୍ ଚାଲିଛି । ସରକାରୀ ବସ୍କୁ ଦେଖିଲେ ମୋତେ ସବୁବେଳେ ୧୯ ଅକ୍ଟୋବର ୨୦୧୨ର ରାତି ମନେପଡ଼ିଯାଏ । ଯାହା ହେଉ ମୋତେ ତ ସେଥିରେ ଯିବାର ନ ଥିଲା । ମୋ ବସ୍ ଆସିବା ପରେ ସେଥିରେ ଚଢ଼ିଗଲି । କିନ୍ତୁ ଏଇ ବସ୍ସବୁରେ ସେତେ କିଛି ବିଶେଷ ପରିବର୍ତ୍ତନ ହେଇନଥିଲା ।
ପରଦିନ ସକାଳ ୭ଟା ପାଖାପାଖିରେ ବସ୍ ଲାଗିଲା ଭବାନୀପାଟଣା ବସ୍ଷ୍ଟାଣ୍ଡରେ । ଦୀର୍ଘ ଦେଢ଼ବର୍ଷ ପରେ ପୁଣିଥରେ ସେହି ଜାଗାରେ ଓହ୍ଲାଇବାପରେ ପ୍ରଥମେ ଆଖି ଖୋଜିଥିଲା ସର୍ବଦାଙ୍କୁ, କିନ୍ତୁ ସେ ପୂର୍ବଦିନ ସନ୍ଧ୍ୟାରେ ଗାଁକୁ ଚାଲିଯାଇଥିଲେ । ତା' ପରେ ଟିକେ ଫ୍ରେସ୍ ହେଇ ଆଗକୁ ଆଗକୁ ମାଡ଼ିଚାଲିଲି । ସେତେବେଳେ ଅଧିକାଂଶ ସମୟରେ ଆମେ ଦକ୍ଷିଣ ପାର୍ଶ୍ୱରେ ଯାତାୟତ କରୁଥିଲୁ, ତେଣୁ ସେଇ ପୁରୁଣା ଅଭ୍ୟାସକୁ ପୁଣିଥରେ ଦୋହରାଇ ଦକ୍ଷିଣ ପାର୍ଶ୍ୱରେ ଆଗେଇ ଚାଲିଥାଏ । ବସ୍ଷ୍ଟାଣ୍ଡରୁ ଟିକେ ବାଟ ଆଗକୁ ଗଲେ ପରେ ଜେଲ୍ ଅତିକ୍ରମ କରିବାପରେ ସବୁଠାରୁ ବଡ଼ ପରିବର୍ତ୍ତନ ନଜର ଆସିଲ, ତାହା ଥିଲା ସେଠାରେ ଜାତୀୟ ରାଜପଥ ସହ ଯୋଡ଼ି ହୋଇଥିବା ରାସ୍ତା । ରାସ୍ତାଟିର ଉଭୟ ପାର୍ଶ୍ୱରେ ଥିବା ଛୋଟ ବଡ଼ ଗଛଗଡ଼ିକ ଆଉ ନାହିଁ, ରାସ୍ତାର ଆକାର ବଢ଼ିଯାଇଛି, ମଝିରେ ପୌରପାଳିକା ଦ୍ୱାରା ଆଲୋକ ସଂଯୋଗ କରିଦିଆଯାଇଛି ଏବଂ ତା' କଡ଼ରେ ଥିବା ଛୋଟ ଛୋଟ ଦୋକାନୀଙ୍କର ସତ୍ତା ନାହିଁ । ରାସ୍ତାଟିକୁ ଦେଖି ଖୁସି ଲାଗିଲା, କିନ୍ତୁ ଦୋକାନୀମାନଙ୍କ କଥା ଭାବି ଟିକେ ଦୁଃଖ ବି ଲାଗିଲା । ସେଇ ଦୋକାନୀମାନଙ୍କଠାରୁ କେତେଥର କ'ଣ ଯେ କିଣିଥିବୁ, ତା'ର ହିସାବ ନାହିଁ । ଅବଶ୍ୟ ସେ ରାସ୍ତା ଦେଇ ପୁଣିଥରେ ସେଇ ପୁରୁଣା ଗଳିରେ ଯାଇହେଲାନି ।
ଏଥର ଆଗକୁ ଆଗକୁ ଯିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ପରିବର୍ତ୍ତନ ନଜର ଆସିଲା । କେଉଁଠାରେ ଥିବା ଛୋଟମୋଟ ଦୋକାନ ଘରସବୁ ଆଉ ନାହିଁ, ତ' କେଉଁଠି ଛୋଟ ଗୁମୁଟି କରିଥିବା ଦୋକାନୀଟି ଏବେ ପକ୍କାଘରେ ତା'ର ବଡ଼ ଦୋକନଟିଏ କରିସାରିଲାଣି । ଏମିତି ଚାଲୁଚାଲୁ ବାମପଟରେ ନଜର ଆସିଲା ବେଣୁଦାଦାଙ୍କର ସେ ଦୋକାନଟି । ତାଙ୍କ ଘରର ଗୋଟିଏ ପାର୍ଶ୍ୱରେ ସେ ଦୋକାନଟି । ସେଇ ଦୋକାନଟିର କିନ୍ତୁ କିଛି ବଦଳିନଥିଲା, ଅବଶ୍ୟ ତାଙ୍କୁ ପୁଣିଥରେ ଭେଟି ହେଲାନି । ସେଠାରୁ ଟିକିଏ ଦୂରରେ ଥିଲା ବାଲାଜୀ ମନ୍ଦିର । ସେ ମନ୍ଦିରଟିର ବି ସେତେ କିଛି ବଦଳିନି ବୋଧେ, କିନ୍ତୁ ସେତେବେଳେ ଖରାବେଳେ ବସ୍ ପାଇଁ ଅପେକ୍ଷା କରିଥିବା ସମୟରେ ସେହି ମନ୍ଦିର ପରିସରରେ ଛାଇରେ ଆମକୁ ଘୋଡ଼ାଇ ରଖୁଥିବା ଗଛଗୁଡ଼ା ଆଉ ନ ଥିଲା । ସେହି ବାଟ ଦେଇ ଯାଉଥିବାବେଳେ ଆଉ ଜଣେ ଅତିପରିଚିତ ଲୋକ ସେହି ସମୟରେ ତାଙ୍କ ଗାଡ଼ିରେ ଗଲେ । ଅବଶ୍ୟ ତାଙ୍କ ସହ ଦେଖା କରିହେଲାନି । କିନ୍ତୁ ତାଙ୍କଠାରେ ବି ବିଶେଷ କିଛି ପରିବର୍ତ୍ତନ ହୋଇନଥିଲା, ସେଇ ସମାନ ଗାଡ଼ି, ସେଇ ସମାନ ସମୟ, ସାମନ ସ୍ଥାନରୁ (ଫୁଟ୍ବଲ୍ ଖେଳରୁ) ପ୍ରତ୍ତ୍ୟାବର୍ତ୍ତନ କରୁଥିଲେ କି କ'ଣ । ଆଉ ଗାଡ଼ି ଚଳେଇବା ବି ଠିକ୍ ସେହିଭଳି ହିଁ ଥିଲା ।
ତା'ର ଟିକେ ଆଗକୁ ଗଲାପରେ ଦେଖିଲି ଆମକୁ ପ୍ରତ୍ୟେକଦିନ ସକାଳେ ଜଳଖିଆ ଖୁଆଇଥିବା ସେଇ ଦୋକାନଟି ସେମିତି ଅଛି । ସେଇ ସମାନ ଲୋକ, ସେଠାରେ ଟିକେ ଖିଆପିଆ ହେଇଗଲା ଆଉ ସେ ଲୋକଟି ଏତେଦିନ ପରେ ବି ଠିକ୍ରେ ଚିହ୍ନିଗଲା । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଥିଲା କି ସେ ଦୋକାନଟିର ଜିନିଷର ଦର ଦେଢ଼ବର୍ଷ ପରେ ବି ସେମିତି ଥିଲା । ଏହାପରେ ପୁଣି ଚାଲିଲି, କିନ୍ତୁ ଏଇଥର ବାମପଟରେ । ବ୍ଲକ୍ କେଣ୍ଟିନ୍ ବି ତା' ପୁରୁଣା ଜାଗାରୁ ଆସିଯାଇକି JPR ପାଖରେ ରହିଯାଇଛି ଆଉ ସେ ଆଖପାଖରେ ଥିବା ସବୁ ଖାଲି ଜାଗାରେ ଦୋକନଘର ହେଇକି ଦୋକାନ ବି ହେଇଗଲାଣି । ସେଇ ସବୁ ଜାଗାରେ ଦୋକନ ଦେଖିଲା ପରେ ୨୦୧୩ରେ ନବୀନ କହିଥିବା କଥାଟା ମନେ ପଡ଼ିଗଲା । ତା' ପରେ ଆଗକୁ ଆଗକୁ ଚାଲିଲି, ନକ୍ଟିଗୁଡ଼ାରେ ସେଇ ସମାନ ଅବସ୍ଥା ଥିଲା, କିଛି ନୂଆ ତ' ପୁଣି କିଛି ପୁରୁଣା । ସେଇ ପୁରୁଣା ଗଳି ସବୁ, କିନ୍ତୁ ସେ ସବୁର ରାସ୍ତା ଏବେ ଭଲ ହେଇଗଲାଣି ।
ଆମର ସେଇ ପୁରୁଣା ଜଳଖିଆ ଦୋକାନ |
ଶେଷରେ ନକ୍ଟିଗୁଡ଼ା ସରିବା ପରେ ଗୋଟେ ଗଛ ଛାଇରେ ଅପେକ୍ଷା କଲି କଲେଜ ଯିବାକୁ । ସେତେବେଳେ ସିନା କଲେଜକୁ ବସ୍ ଚାଲୁଥିଲା, କିନ୍ତୁ ଏବେ ତ' ଆଉ ନାହିଁ ବୋଧେ । ଅବଶ୍ୟ ସେଇବାଟେ ସେତେବେଳେ ଗୋଟେ ବସ୍ ଗଲା, କିନ୍ତୁ କଲେଜକୁ ଯାଉଥିବା ଭଙ୍ଗା ଦଦରା ବସ୍ ବଦଳରେ ଏମିତି ଭଲ ବସ୍ ଯାଉଥିବ ବୋଲି ମୋତେ ଲାଗିଲାନି । ତେଣୁ ପୁଣିଥରେ ପୁରୁଣା କଳା ଆପଣେଇବାକୁ ପଡ଼ିଲା, ମୋଟରସାଇକେଲବାଲାଙ୍କୁ ଲିପ୍ଟ ମାଗିବା । ଆଉ ଲିପ୍ଟ ପାଇଁ ହାତ ବଢ଼େଇଲାବେଳକୁ ଜଣେ ସାର୍ ଦେଖାହେଇଗଲେ ଆଉ ଶୀତୁଆ ସକାଳର କୋହଲା ପବନ ମାଡ଼ରେ ଆମେ ପହଞ୍ଚିଗଲୁ କଲେଜରେ । କଲେଜର ପରିବେଶ ବି କିଛିଟା ବଦଳିଯାଇଥିଲା । କିଛି ନୂଆ ଶିକ୍ଷକଙ୍କର ଆଗମନ ଏବଂ ପୁରୁଣା ଶିକ୍ଷକଙ୍କର ବି ବଦଳି ହୋଇସାରିଥିଲା । ହେଲେ ପୁରୁଣା ଯେତିକି ଥିଲେ ସଭିଏଁ ସେମିତି ହିଁ ଥିଲେ । ବୋଧେ କଲେଜର ଖାଲି ଗଢ଼ଣ ଟିକେ ବଦଳିଥିଲା, କିନ୍ତୁ ଅନ୍ୟମାନେ ସଭିଏଁ ସେମିତି ଥିଲେ ।
କଲେଜର Wall Magazine |
କଲେଜ ହଷ୍ଟେଲ ପରିସରରେ ପିଲାମାନେ ଆଙ୍କିଥିବା ଚିତ୍ର |
ହଷ୍ଟେଲରୁ ଶେଷଥର ପାଇଁ ନେଇଥିବା ଫୋଟୋ |
ଏହାପରେ ଗାନ୍ଧିଛକରେ ୬/୭ଟି ଛୋଟବଡ଼ ଗଳି । ଯେତେବେଳେ ମୁଁ ୨୦୧୨ରେ ପ୍ରଥମଥର ବାପାମାଆଙ୍କ ସହ ଯାଇଥିଲି, ସେତେବେଳେ ଆମେ ସେଇଠି କୋଉ ଗଳିରେ ଆସିବୁ ବୋଲି ବାଟ ପାଇନଥିଲୁ । କିନ୍ତୁ ଏବେ ସବୁ ଗଳିର ବାଟ ଭଲଭାବରେ ଜଣା ଥିଲା, ହେଲେ ବି କେଉଁ ଗଳିପଟେ ଯିବି ବୋଲି ଭାବି ହାଟ ବସୁଥିବା ଗଳିଦେଇ ଆଗକୁ ବଢ଼ିଲି । ଇଏ ସେଇ ଗଳି, ଯେଉଁଠି ସବୁଦିନେ ଭିଡ଼ ଜମୁଥିଲା । କିନ୍ତୁ ସେତେ ଭିଡ଼ ନାହିଁ ଆଉ ଏବେ । ସୋମବାରରେ ବି ରବିବାର ଭଳିଆ ଲୋକ ଥିଲେ ସେ ଗଳିରେ । ଏହାର ଦୁଇପାଖରେ ଥିବା ଦୋକାନ ବୋଧେ ବଦଳିନାହିଁ କି କ'ଣ । ଛୋଟ ଛୋଟ ପରିବା ଦୋକାନୀ, କିଛି କିଛି ମସଲା ନେଇ ବସିଥିବା ଦୋକାନୀମାନେ ବି ସେମିତି ଥିଲେ । କିଛି କିଛି ବଡ଼ ବଡ଼ ଦୋକନ ବୋଧେ ସେମାନଙ୍କର ଟିକେ ଟିକେ ରଙ୍ଗ ବଦଳେଇଥିବେ କି କ'ଣ, ନ ହେଲେ ବାକି ସବୁ ସେମିତି । ଏହାପରେ ସୁବାଷଚନ୍ଦ୍ର ବୋଷଙ୍କର ମୂର୍ତ୍ତି ଦେଖାଗଲା ଏବଂ ସେଠାରୁ ମାଣିକେଶ୍ୱରୀ ମନ୍ଦିରପଟେ ଗଲି । ଏଇ ପାଖରେ ଥାଏ ଛୋଟ ପଡ଼ିଆଟିଏ, ଏହି ପଡ଼ିଆରେ ଏହି ସମୟରେ ମୀନାବଜାର ବସେ । କିନ୍ତୁ କିଛି ନ ଥିଲା, ବୋଧେ ସରିଗଲାଣି କି କ'ଣ । ଏହାର ଡାହାଣକୁ ଆଉ ଗୋଟିଏ ଛୋଟିଆ ଖୋଲା ଜାଗାରେ ଶୀତଦିନିଆ ନେପାଳୀମାନେ (ପ୍ରକୃତରେ ତିଦ୍ଦତରୁ ଆସିଥାନ୍ତି ସେମାନେ ଆଉ ଏବେ ସେମାନେ ଓଡ଼ିଶାର ବ୍ରହ୍ମପୁରରେ ରହୁଛନ୍ତି) ବସିଥାନ୍ତି ସେମାନଙ୍କର ଦେଶରୁ ଆଣିଥିବା ଶୀତବସ୍ତ୍ର ନେଇ । ସେଠାରେ ରହିଲାବେଳେ ଆମେ ବୋଧେ ପ୍ରତ୍ୟେକ ବର୍ଷ କିଛି ନା କିଛି କିଣିଥିଲୁ, କିନ୍ତୁ ଶେଷବର୍ଷ କାଇଁ ସେମାନେ ନ ଆସିନଥିଲେ । କିନ୍ତୁ ସେଇ ଜାଗାରେ ସେମାନେ ପୁଣିଥରେ ବସିଥିଲେ । ଯଦିଓ ମୋତେ କିଛି କିଣିବାର ନ ଥିଲା, କିନ୍ତୁ ଖାଲିରେ ବି ଟିକେ ବୁଲି ଆସିଲି । ସେଠାରେ ବି ସେଇ ସମାନ କଥା, ସମାନ ଲୋକ ବି ଥିଲେ ସେଠାରେ । ଆମେ ସେଇ ତିନିବର୍ଷରେ ଯାହା ସବୁ କିଣିଥିଲୁ ଗୋଟିଏ ଝିଅପାଖରୁ ହିଁ କିଣିଥିଲୁ ଆଉ ସେ ବି ସେଇଠି ଥିଲା । ଏମିତିକି ପ୍ରତ୍ୟେକ ଥର ଆମେ ଗୋଟିଏ ଜିନିଷ କିଣିବାକୁ ଯାଇଥାଉ କିନ୍ତୁ ଆବଶ୍ୟକ ନ ଥାଇ ବି ନବୀନ ସବୁବେଳେ ତା'ଠାରୁ ଆଉ ଗୋଟିଏ କିଣିଆଣେ । ଆଉ କହିଥିଲା, ତା' ସହ ଗୋଟେ ଫଟୋ ଉଠେଇବି, କିନ୍ତୁ ଆମର ଶେଷ ବର୍ଷରେ ସେ ଆସିନଥିଲା । ତେଣୁ ନବୀନର ଆଶ ସେମିତି ରହିଯାଇଥିଲା । ନବୀନ ଯଦି ଆସିଥାନ୍ତା, ବୋଧେ ଫଟୋଟିଏ ନିଶ୍ଚୟ ଉଠେଇଥାନ୍ତା ।
ଏହପରେ ଚାଲିଲି ଆଗକୁ । ବାମପଟେ ମାଣିକେଶ୍ୱରୀ ମନ୍ଦିର, ତେଣୁ ମନ୍ଦିରକୁ ବି ଯାଇ ଟିକେ ବୁଲି ଆସିଲି । ଅବଶ୍ୟ ମୋ ପାଖରେ ବ୍ୟାଗ୍ ଥିଲା ବୋଲି ମୁଁ ଆଉ ଭିତରକୁ ଗଲିନି, ଖାଲି ଦୂରରୁ ପ୍ରାଣାମ କରି ଆସିଗଲି । ଏହାପରେ ଫେରିବାର ସମୟ, କିନ୍ତୁ ସମାନ ରାସ୍ତାଦେଇ ଫେରିବାର ଆବଶ୍ୟକତା ବି ନାହିଁ । ଘୋଡ଼ାଘାଟ ଛକରେ ପହଞ୍ଚିବାକୁ ଯେଉଁ ଗଳିରେ ଗଲେ ବି ଗୋଲ୍ ହୋଇ ଘୁରି ଆସିହେବ । ତେଣୁ ଜଗନ୍ନାଥ ମନ୍ଦିର କଡ଼ ରାସ୍ତାଦେଇ ଫେରିଲି । ବାଟରେ ଥାଏ ପକୁଡ଼ି ଆଉ ଜିଲାପିର ଦୋକାନ । ସେତେବେଳେ ଆମେ ଶୀତଦିନରେ ଯେବେ ଯାଉ କେବେ ବି ନ ଖାଇ ଫେରୁନା, କିନ୍ତୁ ଏକୁଟିଆ ଖାଇବାର ମଜା ଆସେନା । ତେଣୁ ଦେଖିକି ଖାଲି ଆସିଗଲି । ପକୁଡ଼ି ଦୋକାନ ପାର ହେବାପରେ ଜଣାନାହିଁ କାହିଁକି କେଜାଣି ମନଟା ଭାରୀ ହେବାରେ ଲାଗିଲା । ପୂର୍ବଥର ଯେତେବେଳେ ଆମ ପିଲାମାନେ ଭବାନୀପାଟଣା ଛାଡ଼ିଥିଲେ, ବୋଧେ ସବୁ କାନ୍ଦୁଥିଲେ । ସେତେବେଳେ କିନ୍ତୁ ମୋ ମନରେ ଥିଲା କି ମୋତେ ତ ପୁଣିଥରେ ଆସିବାକୁ ହେବ ଆଉ ସେଇଟା ଶେଷ ନ ଥିଲା । ମାତ୍ର ସେଦିନର ଆସିଯିବାପରେ ପୁଣିଥରେ ଯିବାକୁ ଲାଗିଗଲା ଦେଢ଼ବର୍ଷ ଦୁଇଦିନ । ଜଣାନାହିଁ, ଏଇ ଫେରିବା ପରେ ଆଉ କେବେ ଜୀବନରେ ସୁଯୋଗ ମିଳିବ କି ନାହିଁ । ତେଣୁ ମନ ଭିତରେ ସେଇ ଭୟଟା ଖାଇଯାଉଥିଲା । ଅନ୍ୟମନସ୍କ ବସତଃ ଚାଲୁଥିଲି ବସ୍ଷ୍ଟାଣ୍ଡ ଆଡ଼େ । ସେତେବେଳେ ବାମପଟେ ନଜର ପଡ଼ିଲା ସୋଡ଼ାହବ୍ ଉପରେ । ଅବଶ୍ୟ ଶୀତଦିନରେ ଥଣ୍ଡା ଅଧିକ ହୁଏ ବୋଲି ରାତିରେ ପିଉନା, କିନ୍ତୁ ଶେଷଥର ପାଇଁ ସେ ଦୋକାନରୁ ପୁଣିଥରେ ପିଇବାକୁ ଗଲି । ଅବଶ୍ୟ ମୋର ସବୁବେଳର ପସନ୍ଦ ଲେମନ୍ ସୋଡ଼ା ନ ଥିଲା, ତେଣୁ ତା' ବଡ଼ଭାଇ ଅରେଞ୍ଜ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଲା । ଏହାପରେ ଫେରିଆସିଲି ବସ୍ଷ୍ଟାଣ୍ଡ ପାଖକୁ ।
ବଜାର ବୁଲିଆସିବା ଭିତରେ କିନ୍ତୁ ଗୋଟିଏ ଜିନିଷ କେଉଁଠି ବି ନଜର ଆସିନଥିଲା ପୋଡ଼ା ହୋଇଥିବା ମକା ସହ ଲେମ୍ବୁ । ମାତ୍ର ବସ୍ଷ୍ଟାଣ୍ଡରେ ପହଞ୍ଚିବାପରେ ଦେଖିଲି ଗୋଟିଏ ପିଲା ମକା ପୋଡ଼ିବାରେ ଲାଗିଛି, କିନ୍ତୁ ଗ୍ରାହକଙ୍କ ମଧ୍ୟରେ ପୂର୍ବରୁ ବଣ୍ଟାସରିଯାଇଥିଲା ସେସବୁ । ତେଣୁ ମୋ ପାଇଁ ଆଉ ନ ଥିଲା । ସେତେବେଳକୁ ତଥାପି ବସ୍ ଆସିନଥିଲା । ତେଣୁ ଅପେକ୍ଷା କରି ବସିଲି ବସ୍ଷ୍ଟାଣ୍ଡର ବଡ଼ ବଡ଼ ଖମ୍ବ ପାଖରେ ଥିବା ଜାଗା ଉପରେ । ସେତେବେଳେ ମୋ ପାଖରେ ବସିଥିବା ଜଣେ ବୁଢ଼ୀମାଉସୀ ବିକୁଥିଲେ ବାଦାମ । ଆଗରୁ ତାଙ୍କଠାରୁ ଅନେକଥର ଚନା, ବାଦାମ ଆଦି ଖାଇଛୁ । ତେଣୁ ପୁଣିଥରେ ତାଙ୍କଠାରୁ ବାଦମ ନେଇ ଟିକେ ଟିକେ ଖାଇଲି ଆଉ ଅପେକ୍ଷା କରିଥିଲି ବସ୍କୁ ଏବଂ ପୁଣିଥରେ ସେଇ ଆପଣାର ଜାଗାକୁ ବିଦାୟ ଦେବାକୁ ।
No comments:
Post a Comment