ପ୍ରଥମ ବିମାନ ଯାତ୍ରା - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Saturday 13 January 2018

ପ୍ରଥମ ବିମାନ ଯାତ୍ରା

ଜୀବନରେ ଅନେକ କିଛି ଆସେ ପୁଣି ଚାଲିଯାଏ । କିନ୍ତୁ କୌଣସି ଜିନିଷ ପ୍ରଥମଥର ପାଇଁ ମାତ୍ର ଥରେ ଆସେ । ଯେମିତିକି, ପ୍ରଥମଥର ପାଇଁ କଥା କ‌ହିବା, ପ୍ରଥମ ଥର ପାଇଁ ସ୍କୁଲ ଯିବ, ପ୍ରଥମ ଥର ପାଇଁ ପ୍ରେମରେ ପଡ଼ିବା ଇତ୍ୟାଦି ଇତ୍ୟାଦି । ସେମିତି ମୁଁ ବି ମୋ ଜୀବନରେ ଘଟିଥିବା ସବୁକିଛି ଘଟଣାରୁ ପ୍ରଥମ ଅଭିଜ୍ଞତା ବିଷୟରେ ଜଣେଇଛି । ପ୍ରଥମଥର ପାଇଁ ପିକ୍‌ନିକ୍ ଯିବା ବିଷୟରେ ହୁଏତ ସେତେବେଳେ ଘଟିଥିବା ସବୁକିଛି ଠିକ୍‌ରେ ମନେ ନ ଥିଲା, ତ‌ଥାପି ସେସବୁକୁ ବି ଲେଖିଥିଲି । ସେମିତି ଆଜି ବି ଏହି ପ୍ରଥମ ବିମାନ ଯାତ୍ରା ବିଷୟରେ ଲେଖୁଛି ।

ଛୋଟବେଳେ ଯେତେବେଳେ ୧୯୯୯ ମହାବାତ୍ୟା ହୋଇଥିଲା, ସେତେବେଳେ ବୋଧେ ଆମେ ସବୁଠାରୁ ଅଧିକ ହେଲିକପ୍ଟର ଦେଖିଥିଲୁ । ଆମ ଗାଁ ଉପର ଦେଇ ତ' କେବେକେବେ ହେଲିକପ୍ଟର ଉଡ଼େ, କିନ୍ତୁ ବିମାନ ବା ଉଡ଼ାଜାହାଜ ବୋଧେ ସେତେବେଳେ କାଇଁ କେବେ ଦେଖିଥିବା କଥା ମନେପଡ଼ୁନି । ଅବଶ୍ୟ ଉଡ଼ାଜାହାଜର ଛବି ଖବରକାଗଜ ଏବଂ ଦୂରଦର୍ଶନରେ ଦେଖିଥିଲି । ବୋଧେ କେବେ ଭୁବନେଶ୍ୱର ଆସିଥିବାବେଳେ ପ୍ରଥମଥର ପାଇଁ ବିମାନ ଉଡ଼ିବା ଦେଖିଥିଲି, କିନ୍ତୁ ସବୁବେଳେ ମୋ ମନରେ ଥାଏ, କେମିତି ବିମାନ ଉଡ଼େ, ସେଇଟା ପାଖରୁ ଦେଖିବି । ଅବଶ୍ୟ ଧିରେ ଧିରେ ବଡ଼ ହେବାପରେ କୌଣସି କୌଣସି କଥାଚତ୍ରରେ ଏବଂ ଇଣ୍ଟରନେଟରୁ ବିମାନ ଉଡ଼ିବା ଦେଖିନିଆଯାଇଥିଲା । ଗୋଡ଼ ନ ଥିବା ଲୋକର ଚାଲିବାକୁ ଇଚ୍ଛା ହୁଏ, ଚାଲୁଥିବା ଲୋକର ଦୌଡ଼ିବାକୁ ମନ ହୁଏ । ସେମିତି ମୋର ବି ବିମାଡ଼ ଉଡ଼ାଣ ଦେଖିବାର ଇଚ୍ଛା ଅବଶ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ କେବେ ଉଡ଼ିବାର ସୁଯୋଗ ମିଳିବ, ଏହା ମୋତେ ଜଣାନଥିଲା । କିନ୍ତୁ, ମନରେ ଜିଜ୍ଞାସା ତ' ନିଶ୍ଚିତ ଥିଲା, ଆଉ ଏହି ସୁଯୋଗ ମିଳିଲା ଅବଶ୍ୟ ମିଳିଲା ଓଡ଼ିଆ ଉଇକିପାଠାଗାର ୩ୟ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ।

ଯଦିଓ ଉଇକିପାଠାଗାରର ଜନ୍ମତିଥି ଅକ୍ଟୋବରରେ ପଡ଼େ, ତ‌ଥାପି ସଭିଙ୍କର ସମୟ ସୁବିଧା ଦେଖି ଡିସେମ୍ବରରେ ପାଳନ କରାଗଲା । ତେଣୁ ବାଙ୍ଗାଲୋରରୁ ଯିବା ପାଇଁ ଟିକେଟ ମଧ୍ୟ ମିଳିଗଲା । ଯେହେତୁ ଡିସେମ୍ବର ୩ରେ ପାଳନ ଥିଲା, ତେଣୁ ୧ରେ ମୁଁ ବାହାରିଲି । ଏଇଥରର ଉଇକିପାଠାଗାରର ଜନ୍ମତିଥି ପାଳନ ବିଷୟରେ ଚିନୁ ଟିକିନିଖି ବୁଝାବୁଝି କରୁଥିଲେ । ସେ ଏକୁଟିଆ ସବୁକିଛି ବୁଝିବାସ‌ହ ମୋ ପାଇଁ ଟିକେଟ ମଧ୍ୟ କରିଦେଇଥିଲେ । ଏମିତିକି ବିମାନ ଯାତ୍ର ସମୟରେ ଯେପରି କୌଣସି ବିଷୟରେ ଅସୁବିଧା ନ ହେବ, ସବୁ ବିଷୟରେ ବୁଝାଇଦେଇଥିଲେ । ଶେଷରେ ଯାତ୍ରା ପାଇଁ ବୋର୍ଡ଼ି ପାସ୍ ସ‌ହ ସିଟ୍ ବୁକିଙ୍ଗ୍ ସେ କରିଦେଇଥିଲେ ।

ଶେଷରେ ଯାତ୍ରା କରିବାର ଦିନ ଆସି ପ‌ହ‌ଞ୍ଚିଗଲା । ଘର ଛାଡ଼ି ବାଙ୍ଗାଲୋର ଆସିବା ପରେ ଏହା ଥିଲା ପ୍ରଥମଥର ପାଇଁ ଘରକୁ ଯାତ୍ର, ସେ ପୁଣି ପ୍ରଥମଥର ବିମାନ ଯାତ୍ରା । ଯେଉଁଦିନ ବାହାରିବାର ଥିଲା, ସେଦିନ ବାଙ୍ଗାଲୋରରେ ବର୍ଷା ହେଉଥିଲା । ଏମିତିରେ ବି ସେଇ ସମୟରେ ମାରାଥାଲିରୁ ବିମାନବନ୍ଦରକୁ ସିଧା ବସ୍ ନ ଥିଲା । ତେଣୁ ହେବାଲ୍‌ ଯାଏଁ ବସ୍ ଧରିବାକୁ ହେଲା । ଆଉ ସେ ୨୦ କିଲୋମିଟରର ରାସ୍ତା ଯିବାକୁ ସେଦିନ ଏତେ ଭିଡ଼ ହୋଇଥିଲା ଯେ, କ‌ହିବାକୁ ନାହିଁ । ଅଧଘଣ୍ଟା ଲାଗିବାକୁ ଥିବା ରାସ୍ତା ସେଦିନ ଦେଢ଼ ଘଣ୍ଟାରୁ ଅଧିକ ସମୟ ନେଇଗଲା । ଆଉ ଶେଷରେ ଅତି କଷ୍ଟରେ ଯାଇକି ହେବାଲ୍‌ରୁ ବିମାନବନ୍ଦର ବସ୍ ଧରିଲି । ଯାହାହେଉ ଠିକ୍ ସମୟରେ ଯାଇକି ସେଠାରେ ପ‌ହ‌ଞ୍ଚିଗଲି । ଅବଶ୍ୟ ବ‌ହୁତ ସମୟ ପୂର୍ବରୁ ଯାଇ ସେଠାରେ ପ‌ହ‌ଞ୍ଚିଗଲି କେମ୍ପାଗୌଡ଼ା ବିମାନବନ୍ଦରରେ ।

ମୁଁ ତ' ଆଗରୁ ବୋର୍ଡ଼ିଂ ପାସ୍ ହୋଇସାରିଥିଲା, ତେଣୁ ସିଧା ଚେକ୍ ଇନ୍ ପାଇଁ ଯିବାକୁ ପଡ଼ିଲା । ଚିନୁ ତ' ଆଗରୁ ସବୁକିଛି ବୁଝାଇଦେଇଥିଲେ, ତେଣୁ କୌଣସି ଅସୁବିଧା ହେଲା ନାହିଁ । ଏବେ ଅପେକ୍ଷା ବିମାନ ଛାଡ଼ିବା ସମୟକୁ । ଗେଟ୍ ନଂ ୧ରେ ଯାଇ ବସିଲି, ଧିରେ ଧିରେ ବାକି ଯାତ୍ରୀମାନେ ବି ଆସିଗଲେ ଆଉ ଶେଷରେ ବିମାନ ଭିତରକୁ ଯିବାର ସମୟ ବି ଆସିଗଲା । ଉଡ଼ାଣ ସମୟ ଦିନ ୩ଟା ୨୦ ରଖାଯାଇଥିଲା, ତେଣୁ ନିର୍ଦ୍ଧାରିତ ସମୟରେ ଆମେ ଯାଇ ନିଜ ନିଜର ସ୍ଥାନରେ ବସିଗଲୁ । କିନ୍ତୁ ଗୋଟେ ଦୁଃଖ ରହିଗଲା କି' ପ୍ରଥମଥର ଯାତ୍ରାରେ ଝରକାପାଖ ମିଳିଲାନି । କିଛି କଥା ନାହିଁ, ଯେଉଁଠି ହେଲେ ବି ଚଳିବ । ଆଉ ହଁ ଗୋଟିଏ କଥା ରହିଗଲା, ବିମାନ ପରିଚାରିକାମାନଙ୍କ କଥା । ସବୁବେଳେ ହସୁଥିବା ମୁଖ, ମନରେ ଯାହା ଯେମିତି ଦୁଃଖ ଥିଲେ ବି, ସେମାନେ ବୋଧେ କେବେ ଦୁଃଖ ପ୍ରକାଶ କରନ୍ତିନି କି କ'ଣ । ସବୁବେଳେ ସେମାନେ ମୁହଁରେ ହସ ଭରି ରଖିଥାନ୍ତି । କଥାକ‌ହିବାର ଚତୁରତା ଏବଂ ଯାତ୍ରୀମାନଙ୍କ ମନ‌କୁ ଜିଣିଲା ଭଳି କଥାହେବା ସେମାନଙ୍କର ସବୁଠାରୁ ବଡ଼ କଳା ।

ସମସ୍ତେ ନିଜ ନିଜର ସ୍ଥାନରେ ବସିଗଲା ପରେ ଏବେ ବିମାନ ପରିଚାରିକା ତାଙ୍କର ସମସ୍ତ ସଦସ୍ୟଙ୍କ ସ‌ହ ପରିଚୟ କରାଇଦେଲେ ଏବଂ ଧିରେ ବିମାନ ଗଡ଼ିବା ଆରମ୍ଭ କଲା । ସେତେବେଳେ ସେମାନେ ପୁଣିଥରେ କିଛି ସୁରକ୍ଷା ସୂଚନା ଦେଲେ । ଏହାପରେ ଧୀରେ ଧୀରେ ଚାଲୁଥିବା ବିମାନର ଗତି ହଠାତ୍ କ୍ଷୀପ୍ର ହୋଇଗଲା ଏବଂ ଧୀରେ ଧୀରେ ଉପରକୁ ଉଠିବାକୁ ଲାଗିଲା । ପୂର୍ବରୁ ସାଙ୍ଗମାନେ ଅବଶ୍ୟ ମୋତେ ଟିକେ ଡରେଇ ଦେଇଥିଲେ କି ଉପରକୁ ଉଠିଲାବେଳେ ବ‌ହୁତ ପ୍ରକାରର ଅସୁବିଧା ହେବ ବୋଲି, କିନ୍ତୁ ସେତେଟା ଅଧିକ କିଛି ହେଲା ନାହିଁ । ଅବଶ୍ୟ ଟିକେ ଅଲଗା ଲାଗିଲା । ବିମାନ ଧିରେ ଧିରେ ଉପରକୁ ଲଗିଲା ଏବଂ ତଳେ ଥିବା ଘରଗୁଡ଼ିକସବୁ ଛୋଟ ହେବାକୁ ଲାଗିଲା । ଉଠିଲାବେଳେ ମେଘଖଣ୍ଡ ଦେଇ ଗତି କଲା ଆଉ ଶେଷରେ ବାଦଲ ଉପରକୁ ବି ଉଠିଗଲା । ସେତେବେଳକୁ ତଳେ ଥିବା ଘରଗୁଡ଼ିକ ଆଉ ଦେଖାଗଲାନି । ଏବେ ଉପରେ ଖାଲି ନୀଳ ଆକାଶ ଦେଖାଗଲା ।

ଅବଶ୍ୟ ଝରକା ପାଖ ହୋଇନଥିବାରୁ ସେତେଟା କିଛି ଦେଖାଗଲାନି, ତ‌ଥାପି କିଛିଟା ନ‌ଜରକୁ ଆସିଲା । ସେହି ସମୟରେ ଥିବା ଉଡ଼ାଣ ବେଳେ ସୂର୍ଯ୍ୟାସ୍ତ ଦୃଶ୍ୟ ବ‌ହୁତ ଭଲରେ ଦେଖିହୁଏ, କିନ୍ତୁ ସେ ବି ହାତରୁ ଚାଲିଗଲା । ଏହାପରେ ଧୀରେ ଧୀରେ ଭୁବନେଶ୍ୱରର ପାଖପାଖି ପ‌ହ‌ଞ୍ଚିଗଲୁ । ଏବେ ତଳ‌କୁ ତ‌ଳକୁ ବିମାନ ଖସିବାକୁ ଲାଗିଲା । ଶେଷରେ ଘରଗୁଡ଼ିକ ଛୋଟଛୋଟ ହୋଇ ପୁଣି ଦେଖାଗଲା ଏବଂ ଉଡ଼ାଣର ଠିକ୍ ସମୟରେ ଅର୍ଥାତ ଦୁଇଘଣ୍ଟାପରେ ଆମେ ଅବତରଣ କଲୁ ।

No comments:

Post a Comment