ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Thursday, 23 January 2020

ବଡ଼ ଲୋକଙ୍କ ଜୀବନି: ବୀର ସୁରେନ୍ଦ୍ର ସାଏ

ସଂଗ୍ରାମ କେଶରୀ ସେନାପତି 12:55 pm 0
ବଡ଼ ଲୋକଙ୍କ ଜୀବନି: ବୀର ସୁରେନ୍ଦ୍ର ସାଏ

ଯଦିଓ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ପଲାସୀ ଯୁଦ୍ଧପରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଗଣନା କରାଯାଏ, କିନ୍ତୁ ଏହାର ୩୦ ପୂର୍ବରୁ ଜଣେ ଅଗ୍ରଣୀ ନେତା ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହି ବୀର ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ଆଜିର ଦିନରେ ଅର୍ଥାତ ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିବା ସୁରେନ୍ଦ୍ର ସାଏ ୧୮୨୭ ମସିହାରେ ସମ୍ବଲପୁରର ଉତ୍ତରାଧିକାରୀ ପଦକୁ ନେଇ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ସୁରେନ୍ଦ୍ର ସାଏଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧରେ ଇଂରେଜମାନଙ୍କୁ ଅସ୍ତବ୍ୟସ୍ତ କରାପାଇଥିଲେ । ଏହି ଆନ୍ଦୋଳନ ୧୩ ବର୍ଷ ଯାଏଁ ଚାଲିଥିଲା । ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ହାତରେ ବନ୍ଦୀହେବାରୁ ଏହି ଆନ୍ଦୋଳନର ଯବନିକା ପଡ଼ିଥିଲା ।

ସୁରେନ୍ଦ୍ର ସାଏଙ୍କୁ ମାତ୍ର ପାଞ୍ଚ ବର୍ଷର ଜେଲ୍ ଦଣ୍ଡ ଦିଆଯାଇଥିଲେ ମଧ୍ୟ ତାଙ୍କର ଦଣ୍ଡ ଅବଧି ଶେଷ ହେବାପରେ ବି ତାଙ୍କୁ ଇଂରେଜମାନେ ମୁକ୍ତ କରିନଥିଲେ, କିନ୍ତୁ ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ କିଛି ରାମଗଡ଼ର କିଛି ଜବାନମାନେ ଜେଲ୍ ଭାଙ୍ଗି ସାଏଙ୍କ ସମେତ ୩୨ ଜଣଙ୍କୁ ମୁକ୍ତ କରିଥିଲେ । ୧୭ ବର୍ଷ ପରେ ମୁକ୍ତ ହୋଇଥିବା ସାଏଙ୍କୁ ଧରାଇଦେବାପାଇଁ ଇଂରେଜ ସରକାର ସେ ସମୟରେ ୨୫୦ ଟଙ୍କାର ମୁଣ୍ଡ ଜାମିନ ମଧ୍ୟ ରଖିଥିଲେ ।

ମୁକ୍ତିପରେ ସୁରେନ୍ଦ୍ର ସାଏ ପୁଣିଥରେ ସମ୍ବଲପୁରବାସୀଙ୍କୁ ମେଳି କରି ପୁନର୍ବାର ପାହାଡ଼ ଉହାଡ଼ରେ ଲୁଚିରହି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଥିଲେ । ସେ ସମୟରେ ଇଂରେଜାମାନଙ୍କର ଆଧୁନିକ ଯନ୍ତ୍ରପାତି ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ । ପରବର୍ତ୍ତୀ ସମୟରେ ୧୯୬୨ ମସିହାରେ ଇଂରେଜ ମେଜର ଇମ୍ପେଙ୍କ ଶାନ୍ତିପୂର୍ଣ୍ଣ ଆହ୍ୱାନକ୍ରମେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରି ସ୍ୱଭାବିକ ଜୀବନ ବଞ୍ଚିବା ଆରମ୍ଭ କରିଥିଲେ । କିନ୍ତୁ ଇମ୍ପଙ୍କ ମୃତ୍ୟୁପରେ ୧୯୬୪ ମସିହାରେ ସୁରେନ୍ଦ୍ର ସାଏଙ୍କୁ ଶୋଇଥିବା ଅବସ୍ଥାରେ ଗିରିଫ କରାଯାଇଥିଲା ଏବଂ ତାଙ୍କୁ ଆଜୀବନ କାରବାସ ଦିଆଯାଇଥିଲା । ୧୮୮୪ ମସିହାର ଫେବୃଆରୀ ମାସ ୨୮ ତାରିଖରେ ସୁରେନ୍ଦ୍ର ସାଏ ଆଜୀବନ କାରାବାସ କାଟୁଥିବାବେଳେ ଅସୁରଗଡ଼ ଦୁର୍ଗରେ ମୃତ୍ୟୁବରଣ କରିଥିଲେ ।

Friday, 12 October 2018

ସତ ହେଇଥିବା ସ୍ୱପ୍ନ

ସଂଗ୍ରାମ କେଶରୀ ସେନାପତି 7:45 am 3
ସତ ହେଇଥିବା ସ୍ୱପ୍ନ

"ନଈକୂଳିଆ ଜନ, ଛାଡ଼ିଯିବାକୁ ବଳେନି ମନ ।" ନଈର ସେ ସୁନ୍ଦର ଦୃଶ୍ୟ ଦେଖିବାକୁ ମନ ସବୁବେଳେ ବ୍ୟାକୁଳ ଥାଏ । ପିଲାଠୁ ବୁଢ଼ା ସଭିଏଁ ସେ ଦୃଶ୍ୟକୁ ଉପଭୋଗ କରନ୍ତି । ନଈ ବା ସମୁଦ୍ରଠାରୁ କୋଶ କୋଶ ଦୂରରେ ଥିବା ଆମ ଭଳିଆ ଲୋକେ ଭାବନ୍ତି, ଆମ ଘର ସେଇ ପାଖରେ ହୋଇଥାନ୍ତା କି ! ସେଇଥିପାଇଁ ତ ନଈକୂଳରେ ଅଥବା ସମୁଦ୍ର କୂଳରେ ଘରଟିଏ କରିବାକୁ ଅଧିକାଂଶ ଲୋକ ଇଚ୍ଛା କରନ୍ତି । କିନ୍ତୁ ଶାନ୍ତ ଆଉ ନିର୍ମଳ ତ‌ଥା ମନଲୋଭା ସ୍ୱଭାବର ନଈ ବି କେବେ କେବେ ତାଣ୍ଡବ କରିବସେ ।

ସକାଳୁ ସକାଳୁ ଡାକବାଜି ଯନ୍ତ୍ର ସାହାଯ୍ୟରେ, ଦୂରଦର୍ଶନରେ, ଖବରକାଗଜରେ, ଏମିତିକି ସୋସିଆଲ ମିଡ଼ିଆରେ ସବୁଆଡ଼େ ପ୍ରଚାର ଚାଲିଥିଲା ସେ ଗୋଟିଏ କଥା, "ଭୟଙ୍କର ରୂପ ନେଉଛି ତିତ୍‌ଲି ।" ସବୁ ଲୋକମାନଙ୍କ ମନରେ ଛାନକା ପଶିଥିଲା, ମନେ ପଡ଼ିଯାଉଥିଲା ପୂର୍ବରୁ ଘଟିଥିବା ଦୃଶ୍ୟସବୁ । ସମୁଦ୍ରକୂଳିଆ ଲୋକମାନଙ୍କୁ ସିନା ସୁରକ୍ଷିତ ସ୍ଥାନ‌କୁ ସ୍ଥାନାନ୍ତର କରିନିଆଗଲା, ମାତ୍ର ଏ ନଈକୂଳିଆ ଲୋକଙ୍କୁ ପଚାରୁଛି କିଏ । 

ନଈକୂଳରେ ଇନ୍ଦିରାବାସ ଘରଟିଏ କରିଥିବା ସନାତନ ବାବୁ କିନ୍ତୁ ସେତେଟା ବ୍ୟସ୍ତ ବିବ୍ରତ ନ ଥାଆନ୍ତି । ପୂର୍ବ ବାତ୍ୟାରେ ସିନା ପକ୍କା ଘରଟିଏ ନଥିଲା, ତେଣୁ ଘର ଭାଙ୍ଗିଯିବାକୁ ବ‌ହୁତ ହଇରାଣ ହେଇଥିଲେ, ଏଥର କିନ୍ତୁ ନିଜର ପିଅନ ଚାକିରୀରୁ କିଛି ସଞ୍ଚିତ ଅର୍ଥ ଆଉ ସରକାରଙ୍କ ସହାୟତାରେ ଏହି ସୁନ୍ଦର ଘରଟି ତୋଳିଥିଲେ । ଦୁଇ ବଖରା ଘରଟିରେ ସେ ଆଉ ତାଙ୍କ ପୁଣି ନବ ବିବାହିତ ବ‌ଧୂ ସାଙ୍ଗରେ ତାଙ୍କ ପୁଅ । ଏହି ଚାରି ଜଣରେ ତାଙ୍କର ପରିବାର । ଖାଲି ଖାଇବା ଜିନିଷପତ୍ର ସବୁ ରଖିଦେଇ ସେ ଖୁସିରେ ଥାଆନ୍ତି କି ଏଥର ବନ୍ୟା କି ବାତ୍ୟାରେ ସେ ଆଉ ଉଚ୍ଚାସ୍ଥାନଟିଏ ଖୋଜିବେନି, ଯଦି ସେମିତି ଅଧିକ ହୁଏ, ନିଜ ଘର ଉପରେ ଏବେ ତ ଛାତଟିଏ ଅଛି, ତା' ଉପରକୁ ଯାଇପାରିବେ ।

ସନାତନ ବାବୁ ତ ପରିବାର ସ‌ହିତ ଘରେ ଶାନ୍ତିରେ ଶୋଇଥିଲେ । ସେ ସ୍ୱପ୍ନ ଦେଖିଲେ, ବାତ୍ୟା ସ୍ଥଳଭାଗ ଛୁଇଁସାରିଲାଣି ଆଉ ପବନ ମଧ୍ୟ ଭୟଙ୍କର ହେବାରେ ଲାଗିଛି । ବଡ଼ ବଡ଼ ଗଛସବୁ ଭାଙ୍ଗି ଭୂଇଁରେ ଲୋଟିପଡ଼ିଲାଣି । ତୁହାକୁ ତୁହା ବର୍ଷା ମଧ୍ୟ ହେବାରେ ଲାଗିଛି । ସନାତନ ବାବୁ ସ୍ୱପ୍ନରେ ମଧ୍ୟ ଜାଣିପାରୁଥିଲେ ଏହା ତାଙ୍କର ସ୍ୱପ୍ନ ବୋଲି । ତା'ପରେ ଦେଖିଲେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ଆଉ ଧୀରେ ଧୀରେ ନଈର ପାଣି ତାଙ୍କ ଘର ଭିତରକୁ ପଶିବାକୁ ଲାଗୁଛି । ମାତ୍ର ସନାତନ ବାବୁ ତ ଇନ୍ଦିରାବାସ ଘରେ ଅଛନ୍ତି, ପକ୍କା ଘରେ । ସ୍ୱପ୍ନ କ'ଣ ସତ ହୁଏ ଯେ, ତାଙ୍କ ଘରେ ସତରେ ପାଣି ପଶିଥିବ ।

ଏହି ସମୟରେ ତାଙ୍କୁ କେହି ଜଣେ ଉଠିବାକୁ ବାଧ୍ୟ କରୁଥିବା ଅନୁଭବ କଲେ ସିଏ । ହେଲେ ଇଏ କ'ଣ, ସେ ଯାହାସବୁ ଦେଖୁଥିଲେ ସେ ସବୁ ସ୍ୱପ୍ନ ଏବେ ବାସ୍ତବତାରେ ପରିଣତ ହୋଇଯାଇଛି । ତାଙ୍କ ଘର ଆଉ ସେ ସ୍ଥାନରେ ନାହିଁ, ଏବେ ସେମାନେ ନଦୀ ମଧ୍ୟରେ ଅଛନ୍ତି । ଭୟଙ୍କର ଗର୍ଜନ କରୁଥିବା ନଦୀଟି ଏବେ ସେମାନଙ୍କୁ ସେମାନଙ୍କର ଘରସହ ହିଁ ଗ୍ରାସ କରିଯାଇଛି । କିଛି କରିବାକୁ ଯୋଜନା କରିବା ଆଗରୁ ଏକ ବଡ଼ ଭଉଁରୀ ଆସି ତାଙ୍କୁ ଚିରନିଦ୍ରାରେ ଶୁଆଇଦେଲା, ପୁଣିଥରେ ସ୍ୱପ୍ନ ଦେଖିବାକୁ ସାରା ପରିବାରକୁ ସ୍ୱପ୍ନ ରାଇଜକୁ ପଠାଇଦେଲା । 

Monday, 25 June 2018

ଗ୍ରୀଷ୍ମ ଅବକାଶାନ୍ତେ

ସଂଗ୍ରାମ କେଶରୀ ସେନାପତି 10:07 pm 4
ଗ୍ରୀଷ୍ମ ଅବକାଶାନ୍ତେ

କାଲି ସକାଳୁ ସ୍କୁଲ ଖୋଲିବ ବୋଲି ସମସ୍ତଙ୍କର ବଡ଼ ଚିନ୍ତା । ଦେଢ଼ମାସର ଅଧିକ ଦିନ ଧରି ସ୍କୁଲ ଛୁଟି ରହିଥିଲା । ଏହି ସମୟରେ କିଏ କେତେ କ'ଣ ନ କରିଛନ୍ତି । ପିଲାମାନେ ସ୍କୁଲରେ ପଢ଼ାହେବା ଆଗରୁ ଟିଉସନ ଯାଇ ଅଧିକ ପାଠ ପଢ଼ିଦେଇଛନ୍ତି ତ' କେହି କେହି ବର୍ଷକର ପାଠ ପଢ଼ା ବି ଶେଷ କରିଦେଇଛନ୍ତି । ଆଉ ଛୁଟି ଖୋଲିବା ଆଗରୁ ବି ରଜ ଆସେ । ରଜରେ ବି ଏଥର ଭଲ ମଉଜ ହେଲା, କିନ୍ତୁ ରଜ ସରୁ ସରୁ ସ୍କୁଲ । ଏଇଟା କେମିତିକା କଥା ବୋଲି ବସି ଭାବୁଥିଲା ରବିନ୍ଦ୍ର ।

ରବିନ୍ଦ୍ର ଏବେ ଅଷ୍ଟମ ଶ୍ରେଣୀରେ ପଢ଼ୁଛି । ଭାରି ଚୁପଚାପ, ଶାନ୍ତଶିଷ୍ଟ ପିଲାଟି । କେବେ ତା'ର କାହା ସ‌ହ ଝଗଡ଼ା ନାହିଁ । କିନ୍ତୁ ସେ ସବୁବେଳେ ନିଜ ଦୁନିଆରେ, ନିଜ ସ୍ୱପ୍ନ ଭିତରେ ଖୁସି ଥାଏ । ପିଲାଦିନୁ ସେ ଭାବିଥିଲା, ସପ୍ତମ ଶ୍ରେଣୀ ସରିଲେ ଅଧିକ ଦିନ ଛୁଟି ମିଳିବ, ଖରାଛୁଟି ପରେ ଯାଇ ସ୍କୁଲ ଯିବାକୁ ହେବ  ଏମିତି ନୁହେଁ ଯେ ସେ ପଢ଼ାକୁ ଡରେ, କିନ୍ତୁ ତାକୁ ନୂଆ ସ୍କୁଲ, ନୂଆ ଜାଗା, ନୂଆ ବ‌ହି ସବୁ ବ‌ହୁତ ଭଲ ଲାଗେ । ହେଲେ ଏବେ ଆଉ ସେମିତି ହେଉନି, ସପ୍ତମ ଶ୍ରେଣୀର ବୋର୍ଡ଼ ପରୀକ୍ଷା ବି ନାହିଁ, ନୂଆ ସ୍କୁଲ ବି ନାହିଁ । ହାଇସ୍କୁଲରୁ ଏବେ ଅଷ୍ଟମ ଉଠିଆସି ପ୍ରାଇମେରୀ ସ୍କୁଲ ସ‌ହ ମିଶିଯାଇଛି । ତେଣୁ ଏଥର ତାକୁ ପୁଣିଥରେ ସେହି ପୁରୁଣା ସ୍କୁଲକୁ ଯିବାକୁ ହେବ ।

ଏମିତି ଭାବୁ ଭାବୁ ସେ କେତେବେଳେ ଶୋଇ ପଡ଼ିଥିଲା ତାକୁ ଜଣା ନଥିଲା । ସେ ସକାଳୁ ସ୍କୁଲ ବାହାରିଲା, ନୂଆ ସ୍କୁଲ ହେଇଥିଲେ କିଛି ନୂଆ ସାଙ୍ଗ ମିଶିଥାନ୍ତେ, କିନ୍ତୁ ସେ ପୁରୁଣା ସ୍କୁଲରେ ବି ଘନିଷ୍ଠ ସାଙ୍ଗ କମ ନ ଥିଲେ । ପ୍ରାୟ ସଭିଏଁ ସ୍କୁଲ ଆସିଥିଲେ । ପ୍ରାୟ ସମସ୍ତଙ୍କ ସ‌ହ ଏମିତି ହେଉଥିବ, ସକାଳୁ ସ୍କୁଲ ଯିବାକୁ ବ‌ହୁତ କଷ୍ଟ ଲାଗୁଥିବ, କିନ୍ତୁ ଥରେ ସ୍କୁଲରେ ପ‌ହଞ୍ଚିଗଲାପରେ ସେ କଥା ଭୁଲିଯାଇ ସଭିଏଁ ମାତିଯାଆନ୍ତି ସାଙ୍ଗମାନଙ୍କ ସ‌ହ । ଏମିତିରେ ବି ସେମାନଙ୍କର ଦୁଇ ମାସ ହେବ ଦେଖା ହେଇନଥିଲା, ତେଣୁ ପରସ୍ପର ସ‌ହ ଭଲରେ ମିଶିବା ସ୍ୱଭାବିକ । 

ପୁଅଠାରୁ ଝିଅ ସଭିଙ୍କର ପ୍ରାୟ ସେହି ସମାନ କଥୋପକଥନ । ଛୁଟିସାରା କ'ଣ କଲ, କୁଆଡ଼େ ବୁଲିବାକୁ ଯାଇଥିଲ, ରଜର କ'ଣ କଲ, ଏମିତି କେତେ କଥା । ଆଉ ଯେଉଁମାନେ ପାଠୁଆ ପିଲା ଥିବେ, ସେମାନଙ୍କର ପ୍ରଥମ ପ୍ରଶ୍ନ କେତେ ସରିଲା, କାହା ପାଠରେ ଟିଉସନ ହେଉଛୁ, ଇତ୍ୟାଦି ଇତ୍ୟାଦି । ଆଉ ସ୍କୁଲ ଆରମ୍ଭ ପରେ ଶ୍ରେଣୀ ଶିକ୍ଷକ ଆସି ଖରାଛୁଟି ଉପରେ ରଚନା ଲେଖିବାକୁ କୁହନ୍ତି । ଏଇଟା ପ୍ରାୟ ସବୁବେଳ ହୁଏ, ଖରାଦିନ ଛୁଟିରେ, ଦୁର୍ଗାପୂଜା ଛୁଟିରେ, ଧାନ‌କଟା ଛୁଟିରେ ।

ଖାଲି ପିଲାମାନେ ନୁହଁନ୍ତି, ଶିକ୍ଷକ ଶିକ୍ଷୟୀତ୍ରିମାନେ ମଧ୍ୟ ସେହି ସମାନ କଥା ହୁଅନ୍ତି । ଛୁଟିରେ କ'ଣ କୁଆଡ଼େ ବୁଲିବାକୁ ଯାଇଥିଲେ, ବନ୍ଧୁଘରକୁ ଯାଇଥିଲେ କି ନାହିଁ, ପିଲାମାନଙ୍କ ଖବର, ରଜରେ କ'ଣ ସବୁ କଲେ, ଇତ୍ୟାଦି, ଇତ୍ୟାଦି । ଆଉ ଦୁଇଜଣ ଦିଦି ବସିଗଲେ, ସେମାନଙ୍କର ପ୍ରଥମ କଥା ଆରମ୍ଭ ହେବ, ରଜରେ କେଉଁ ନୂଆ କପଡ଼ା କିଣିଲେ, ଏମିତି କେତେ କ'ଣ । ଯାହା ବି ହେଉ ଛୁଟି ଆରମ୍ଭରେ ଯେମିତି ଖୁସି ଆଣି ଆସିଥାଏ, ଛୁଟି ଶେଷରେ ବି ସେମିତି ଟିକିଏ ଦୁଃଖ ଆଣିକିଏ, କିନ୍ତୁ ଘରୁ ବାହାରି ସ୍କୁଲ ପହଞ୍ଚିଲା ପରେ ଖୁସି ଦୁଇଗୁଣା ହେଇଯାଏ । ଖରାଛୁଟି ପ୍ରତିବର୍ଷ ଆସେ ଆଉ ସାଙ୍ଗରେ ଅନେକ ଖୁସି ନେଇଆସେ, ଆଉ ଗଲାବେଳେ ଛାଡ଼ିଯାଏ ଅନେକ ସ୍ମୃତି ।

Saturday, 9 June 2018

ଅସରନ୍ତି କଥା- ୨

ସଂଗ୍ରାମ କେଶରୀ ସେନାପତି 8:28 pm 0
ଅସରନ୍ତି କଥା- ୨
ଆଜି ସକାଳୁ ସକାଳୁ ଟିକେ ଶୀଘ୍ର ନିଦ ଭାଙ୍ଗିଗଲା । ସକଳାର ସେ ସତେଜ ଖରା ଛୁଇଁ ଦେଇଗଲା ମୋ ଦେହକୁ । ଚାହା କପଟିକୁ ହାତରେ ଧରି ସକାଳର ଖବରକାଗଜଟିକୁ ଦେଖିବାରେ ଲାଗିଲି । ରବିବାର, ତେଣୁ କଲେଜ ବି ଛୁଟି । ଅବଶ୍ୟ କେବେ କେବେ ପୂର୍ବରୁ ରବିବାରରେ ମୋତେ କଲେଜ ଯିବାକୁ ପଡ଼ୁଥିଲା । କେବେ ଏକ୍ସଟ୍ରା କ୍ଲାସ ନେବାକୁ ହୁଏ ତ' ପୁଣି କେବେ ପଢ଼େଇବା ଉପରେ କିଛି ପ୍ରଶିକ୍ଷଣ ତ‌ଥା ନୂଆ ନୂଆ କିଛି ଶିଖିବାକୁ ଯିବାକୁ ପଡ଼େ ।


ଏଇ ସକାଳୁ ଉଠି ଚାହା ପିଇବା, ଚାହା ପିଉପିଉ ଖବରକାଗଜ ପଢ଼ିବା, ରବିବାରରେ ବି ଏକ୍ସଟ୍ରା କ୍ଲାସ କରିବା ଏହିସବୁ ଅଭ୍ୟାସ ପ୍ରକୃତରେ ମୋର କଲେଜବେଳୁ ହେଇଯାଇଛି । ସେତେବେଳେ କିନ୍ତୁ ଏବେ ପରି ଏକା ରହୁନଥିଲି । ସେବେ କେତେବେଳେ ହଷ୍ଟେଲରେ ତ ଆଉ କେବେ ମେସ୍‌ରେ ସାଙ୍ଗମାନେ ମିଶିକି ରହୁଥିଲୁ । ଦୁଇ ଦିନ ଛୁଟି ମିଳିଲେ, କିଛି ବାହାନା କରି ସେତେବେଳେ ଘରକୁ ପିଲାବେଳେ ପଳେଇଲେ ବି ମୋ ସ‌ହ କେହି ନା କେହି ହଷ୍ଟେଲରେ ରହୁଥିଲେ । ଧୀରେ ଧୀରେ ସମୟ ସ‌ହ ସେ ସବୁ ବଦଳିଲା ଆଉ ଏକୁଟିଆ ରହିବାଟା ଅଭ୍ୟାସ କରିବାକୁ ପଡ଼ିଲା ।

ଏଇଠିକି ଆସିଲା ପରେ ମୁଁ ଏକା ରହୁନି, ତା' ଆଗରୁ ବରଂ ଏହା ଆରମ୍ଭ ହେଇଥିଲା, ଯେଉଁଦିନ ମୋର ମଧୁ ସ‌ହିତ ଝଗଡ଼ା ହୋଇଥିଲା । ମଧୁ, ସେ କଲେଜବେଳେ ମୋର ସବୁଠାରୁ ଭଲ ସାଙ୍ଗ ଥିଲା । ଦୁହେଁ ଏକାଠି ରହୁଥିଲୁ ଗୋଟିଏ ରୁମ୍‌ରେ ଆଉ ସବୁବେଳେ ସାଙ୍ଗ ହୋଇ ସବୁ କାମ କରୁଥିଲୁ । ପିଲାଦିନରୁ ହେଇ ଆସିଥିବା ସବୁ ସାଙ୍ଗ ଭିତରୁ ସେ ସମ୍ପୂର୍ଣ୍ଣ ଅଲଗା ଥିଲା । ସବୁବେଳେ ମୋ ମାଆ ଭଳି ମୋର ଯତ୍ନ ବି ନେଉଥିଲା । ତେଣୁ ମୋତେ ସେ ହଷ୍ଟେଲଟା ବି ଘର ଭଳି ଲାଗୁଥିଲା । ସେଇଥିପାଇଁ ତ ଅଳ୍ପଦିନ ଛୁଟି ହେଲେ ମୁଁ ଘରକୁ ଯିବାକୁ ମନ କରେନି । ହଷ୍ଟେଲରେ କେହି ନ ଥିଲେ ବି ମଧୁ ମୋ ସ‌ହ ରହୁଥିଲା ।

ଛୁଟିରେ ସବୁ ଘରକୁ ଚାଲିଗଲେ ଆମେ ଦୁହେଁ ଏକାଠି ବ‌ହୁତ ମଜା କରୁଥିଲୁ, ନିଜେ ନିଜେ ରୋଷେଇ କରିବା ପାଇଁ ଚେଷ୍ଟା କରୁଥିଲୁ । ପ୍ରକୃତରେ ସେଇଟା ରୋଷେଇ କରିବା ନଥିଲା, ସେଇଟା ଥିଲା ରୋଷେଇ ଶିଖିବା । ରାତିରେ ଅନ୍ଧାର କରି ମହମ‌ବତୀ ଲଗେଇ ଜଣେ ଭୂତ କାହାଣୀ ପଢ଼େ ଆଉ ଆରକ ତାକୁ ଶୁଣେ । ଏମିତି ଭିତରେ ଚାଲିଥିଲା ଆମର ସେ ମଧୁର ସମ୍ପର୍କ । କିନ୍ତୁ ସେହି ସମ୍ପର୍କ ମଝିରେ ପଶିଆସିଲା ଦିନେ ଗୋଟିଏ ଉଲ୍କାପିଣ୍ଡ, ସୁଶାନ୍ତ । ଉଲ୍କାପିଣ୍ଡ ଯେତେବେଳେ ଆସେ ଏକ ବ‌ହୁତ ବଡ଼ ଆଲୋକ ଆଣିଦିଏ । ସମସ୍ତଙ୍କୁ ଦେଖିବାକୁ ବ‌ହୁତ ଭଲ ଲାଗେ, କିନ୍ତୁ ପାଖକୁ ଗଲେ ସେ ଜାଳିପୋଡ଼ି ପାଉଁଶ କରିଦିଏ ।

ସୁଶାନ୍ତ ଅବଶ୍ୟ ଆମର କ୍ଲାସମେଟ ନ ଥିଲା, ସେ କିନ୍ତୁ ଥରେ କ'ଣ ଗୋଟିଏ ସାହାଯ୍ୟ ପାଇଁ ଆମ ପାଖକୁ ଆସିଥିଲା, ସେତେବେଳେ ମଧୁ ଆଉ ମୁଁ ଲାଇବ୍ରେରୀରେ ବସି ପଢ଼ୁଥିଲୁ । ପିଲାଟି ଦେଖିବାକୁ କିଛି ଖରାପ ନ ଥିଲା ଏବଂ ସ୍ୱଭାବରେ ସେମିତି କିଛି ଖରାପ ନ ଥିଲା । ତା'ର ସେ ନମ୍ର, ଶିଷ୍ଟ ଓ ଭଦ୍ର ବ୍ୟବ‌ହାର ଦେଖି ଆମେ ତାକୁ ଅବଶ୍ୟ ସାହାଯ୍ୟ କରିଥିଲୁ । ଧୀରେ ଧୀରେ ସମୟାନୁକ୍ରମେ ସେ ଆମ ସ‌ହ ଅଧିକ ମିଶିବା ଆରମ୍ଭ କରିଦେଲା । କେତେବେଳେ ଲାଇବ୍ରେରୀରେ ତ କେତେବେଳେ ବାହାରେ ସେ ଆମସ‌ହ ସାଙ୍ଗ ହୋଇ ବୁଲେ । ସୁଶାନ୍ତର କିନ୍ତୁ ଗୋଟିଏ ଗୁଣ ଆମ ଦୁହିଁଙ୍କୁ ସବୁଠାରୁ ଭଲ ଲାଗିଲା, ସେ କେବେ କେତେବେଳେ କାହାକୁ ଅସୁବିଧାରେ ପଡ଼ିବାକୁ ଦିଏନାହିଁ । ଏମିତି ସମୟ ଆସିଗଲା ଯେଉଁଦିନ ଆମେ ସୁଶାନ୍ତ ସ‌ହ କଥା ହେଉନଥିଲୁ, ଆମ ଦୁହିଁଙ୍କୁ ଭଲ ଲାଗୁନଥିଲା ।

ସକାଳର ପ୍ରଥମ ଚାହା କପଟି ମୋର ଖାଲି ହୋଇଗଲା, କିନ୍ତୁ ଖବରକାଗଜ ଆଡ଼େ ଥରେ ବି ନ‌ଜର ଯାଇନଥିଲା । କେଜାଣି କାହିଁକି ଆଜି ମଧୁ କଥା ମୋର ବ‌ହୁତ ମନେ ପଡ଼ୁଥିଲା । ଜଣାନାହିଁ ସେ କେମିତି ଅଛି, କୋଉଠି ଅଛି ଆଉ କ'ଣ କରୁଛି । କିନ୍ତୁ ସେଦିନର ସେ ଝଗଡ଼ା ପରେ ମୁଁ ଥରୁଟିଏ ତା'ଆଡ଼େ ବି ଅନେଇନାହିଁ । ହେଲେ ଏତେଦିନ ପରେ ହଠାତ କାହିଁକି ତା' କଥା ମନେ ପଡ଼ୁଛି ମୋତେ ଜଣା ନାହିଁ ।


Sunday, 3 June 2018

ଇଣ୍ଟରନେଟରେ ଓଡ଼ିଆ ଭାଷା ଓ ଓଡ଼ିଆ ଉଇକିପିଡ଼ିଆ

ସଂଗ୍ରାମ କେଶରୀ ସେନାପତି 1:00 pm 0
ଇଣ୍ଟରନେଟରେ ଓଡ଼ିଆ ଭାଷା ଓ ଓଡ଼ିଆ ଉଇକିପିଡ଼ିଆ
ଚାରିକୋଟି ଲୋକଙ୍କର ମୁଖରୁ ନିସୃତ ବାଣୀ ହେଉଛି ଓଡ଼ିଆ । ଏହାର ପ୍ରାଚୀନତାକୁ ପରକ୍ଷୀ ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା । ତ‌ଥାପି ସେ ଭାଷା ଆଜି ସେହି ରାଜ୍ୟରେ ଅବ‌ହେଳିତ, ଯାହାର ନାମ‌କରଣ ଓଡ଼ିଆକୁ ନେଇ ଓଡ଼ିଶା ରଖାଯାଇଥିଲା । ସେହି ରାଜ୍ୟର ଅଧିବାସୀଙ୍କ ପାଖରେ ଅବ‌ହେଳିତ, ଯାହାର ପୂର୍ବପୁରୁଷ ଭାଷା ତ‌ଥା ଜାତିର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରାଣବଳୀ ଦେବାକୁ ପଛେଇ ନଥିଲେ ।

ଏବେକାର ଏକବିଂଶ ଶତାବ୍ଦୀ ହେଉଛି ଇଣ୍ଟରନେଟର ଯୁଗ, ଯେଉଁଠି ପୃଥିବୀର ଗୋଟିଏ କୋଣରେ ରହି ଆମେ ସମସ୍ତ ତ‌ଥ୍ୟ ଇଣ୍ଟରନେଟ ଜରିଆରେ ପାଇପାରିବା । କିନ୍ତୁ ଏହି ଇଣ୍ଟରନେଟ ମଣିଷ ଭଳି ସେତେ ଉନ୍ନତମାନର ନୁହେଁ କି ନିଜେ ସବୁ ଗ୍ରହଣ କରିନେବ । ଇଣ୍ଟରନେଟର ଉଦ୍ଭାବନ ମଣିଷ କରିଛି ଏବଂ ମଣିଷ ତା'ର ବିକାଶ କରୁଛି ଏବଂ ସେଥିରେ ଗୋଟିଏ ଗୋଟିଏ ଭାଗ ତା' ସ‌ହ ଜଡ଼ିତ ଥିବା ବ୍ୟକ୍ତିବିଶେଷ ତ‌ଥା ଗୋଷ୍ଠୀର ଲୋକମାନେ କରୁଛନ୍ତି । ଆମେ ଗୋଟିଏ ଜିନିଷ ଦେଖୁଛେ କି ଇଣ୍ଟରନେଟରେ ସବୁକିଛି ଇଂରାଜୀ ଭାଷାରେ ହିଁ ରହୁଛି, ଏହାର କାରଣ ହେଉଛି ଏହାର ଅକ୍ଷର ସଂଖ୍ୟା । ମାତ୍ର ୨୬ଗୋଟି ଅକ୍ଷରକୁ ନେଇ ଥିବା ଏହି ଭାଷାକୁ ସବୁଜାଗାରେ ବ୍ୟବ‌ହାର କରିହେଉଛି, ତେଣୁ କମ୍ପୁଟର ଓ ଇଣ୍ଟରନେଟର ଉଦ୍ଭାବନ ବେଳେ ଇଂରାଜୀ ଭାଷାର ପ୍ରାଧାନ୍ୟ ଅଧିକ ଥିଲା ଏବଂ ପରେ ଧୀରେ ଧୀରେ ଅନ୍ୟ ଭାଷା ମଧ୍ୟ ଉପଲବ୍ଧ ହେଲା ।

କିନ୍ତୁ ଏତେ ପୁରୁଣା ଭାଷା ହୋଇ ମଧ୍ୟ ଓଡ଼ିଆ ଭାଷା ଏବେଯାଏଁ ଇଣ୍ଟରନେଟରେ ସେତେ ମାତ୍ରାରେ ଉପଲବ୍ଧ ନାହିଁ । ଗୁଗୁଲ୍‌ ଟ୍ରାନ୍ସଲେଟର ପ୍ରାୟ ଅଧିକାଂଶ ଭାରତୀୟ ଭାଷାରେ ଉପଲବ୍ଧ ଥିଲେ ମଧ୍ୟ ଓଡ଼ିଆରେ ଉପଲବ୍ଧ ନାହିଁ । ଏହାର ସବୁଠାରୁ ବଡ଼ କାରଣ ହେଲା, ଇଣ୍ଟରନେଟରେ ବ୍ୟବ‌ହୃତ ଉଇନିକୋଡ଼ । ଓଡ଼ିଆ ଭାଷାରେ ଥିବା ଅଧିକାଂଶ ଦସ୍ତାବିଜ ଆକୃତି, ଶ୍ରୀଲିପି ଆଦି ଫଣ୍ଟରେ ଲେଖାହୋଇଛି, ତେଣୁ ଇଣ୍ଟରନେଟରେ ଖୋଜି ପାଇବାକୁ ହେଲେ ତାହା ଇଉନିକୋଡ଼ରେ ଥିବା ନିତ୍ୟାନ୍ତ ଆବଶ୍ୟକ । ୫/୬ ବର୍ଷ ତଳେ ଓଡ଼ିଆରେ ଲେଖିବାକୁ ହେଲେ ସେମିତି କିଛି ସଫ୍ଟଓୟାର ମଧ୍ୟ ସ‌ହଜରେ ମିଳୁନଥିଲା, କିନ୍ତୁ ଏବେ ପ୍ରାୟ ସବୁ ମୋବାଇଲ, କମ୍ପୁଟର ଆଦିରେ ଓଡ଼ିଆ ଆସୁଛି ଏବଂ ଗୁଗୁଲ୍‌ ତ‌ଥା ମାଇକ୍ରୋସଫ୍ଟର ଓଡ଼ିଆ ଟାଇପିଂ ଟୁଲ୍ ଓଡ଼ିଆ ଲିପି ଇଉନିକୋଡ଼ରେ ଲେଖିବାରେ ସାହାଯ୍ୟ କରୁଛି । 

ତ‌ଥାପି ଇଣ୍ଟରନେଟରେ ଅନ୍ୟ ଭାଷାରେ ଥିବା ତ‌ଥ୍ୟ ହିସାବରେ ଓଡ଼ିଆର ସ୍ଥାନ ନ୍ୟୁନ । ଜ୍ଞାନ ବାଣ୍ଟିଲେ ବଢ଼େ, ତେଣୁ ତାକୁ ଆମେ ନିଜ ମଧ୍ୟ ସୀମିତ ନ ରଖି ସଭିଙ୍କ ପାଖରେ ପ‌ହ‌ଞ୍ଚାଇବା ନିହାତି ଦରକାର । ଫଳରେ ଆମ ଜ୍ଞାନରେ ଆଉ କିଏ ଶିଖିବ ତ' ଆଉ କାହାର ଜ୍ଞାନରେ ଆମ ମଧ୍ୟ ଶିଖିବା । ଆଜିର ଦିନରେ ଆମେ ସଭିଏଁ ସମାନ ଏବଂ ସବୁକିଛି ସମସ୍ତଙ୍କ ପାଇଁ ମଧ୍ୟ ସମାନ ହେବା ଦରକାର । ସେଇଥିପାଇଁ ୨୦୦୧ ମସିହାରେ ଜାନୁଆରୀ ୧୫ରେ ଉଇକିପଡ଼ିଆର ପ୍ରତିଷ୍ଠା କରିଥିଲେ ଜିମି ଉଏଲ୍ସ, ଯାହାକି ଏକ ଖୋଲା ଜ୍ଞାନ‌କୋଷ ଭାବରେ ଆଜି ସମଗ୍ର ବିଶ୍ୱରେ ଆଦୃତ ହୋଇଛି । ଏଥିରେ ସମସ୍ତେ ତ‌ଥ୍ୟ ଯୋଡ଼ି ପାରିବେ ଏବଂ ଏହି ତ‌ଥ୍ୟଗୁଡ଼ିକର ସତ୍ୱାଧିକାର ମୁକ୍ତ ଭାବରେ ଉପଲବ୍ଧ, ଫଳରେ ଏହାକୁ କେହି ବି ସ‌ହଜରେ ବ୍ୟବ‌ହାର କରିପାରିବେ । ଉଇକିପଡ଼ିଆରେ ଲେଖୁଥିବା ସମସ୍ତ ସଭ୍ୟ ସ୍ୱେଚ୍ଛାରେ ଯୋଗ ଦେଇଥାନ୍ତି, ତେଣୁ ସଭିଏଁ ନିଜ ଇଚ୍ଛାରେ ଯୋଗଦେଇପାରିବେ । ଉଇକିପଡ଼ିଆ ଏବେ ୨୮୯ଟି ଭାଷାରେ ଉପଲବ୍ଧ । ୨୦୦୨ ଜୁନ ମାସରୁ ଓଡ଼ିଆରେ ମଧ୍ୟ ଉଇକପଡ଼ିଆ ଆରମ୍ଭ ହୋଇଥିଲା । ମାତ୍ର ୨୦୧୧ ଯାଏଁ ସେତେ ଅଧିକ ସକ୍ରିୟ ନଥିଲା । କିନ୍ତୁ ୨୦୧୧ରେ ବାଙ୍ଗାଲୋରରେ ଉଇକିପିଡ଼ିଆର ୧୦ବର୍ଷ ପାଳନ ପରେ କିଛି ଓଡ଼ିଆ ଲୋକ ଏହାକୁ ଲୋକଲୋଚନ‌କୁ ଆଣିବା ପାଇଁ ପ୍ରଚେଷ୍ଟାରେ ଲାଗିପଡ଼ିଲେ ଏବଂ ଧୀରେ ଧୀରେ ଯୋଗଦାନ‌କାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ।

ଏଇ ଜୁନ୍ ୩ରେ ଓଡ଼ିଆ ଉଇକିପଡ଼ିଆକୁ ୧୬ବର୍ଷ ପୁରିଲା ଏବଂ ଏବେ ସୁଦ୍ଧା ୧୩,୯୦୦ରୁ ଅଧିକ ପ୍ରସଙ୍ଗ ଓଡ଼ିଆ ଉଇକିପଡ଼ିଆରେ ଉପଲବ୍ଧ ଅଛି । କିନ୍ତୁ ଓଡ଼ିଆ ଉଇକିପଡ଼ିଆରେ ସକ୍ରିୟ ଥିବା ଉଇକିଆଳୀଙ୍କ ସଂଖ୍ୟା ବ‌ହୁତ କମ୍ । ଫଳରେ ଅନ୍ୟ ଭାରତୀୟ ଭାଷା ତୁଳନାରେ ଓଡ଼ିଆ ଉଇକିପଡ଼ିଆର ଅଗ୍ରଗତି ହାର ନ‌ଗଣ୍ୟ । ଇଣ୍ଟରନେଟରେ ଓଡ଼ିଆକୁ ଆଗକୁ ନେବାକୁ ହେଲେ ସଭିଙ୍କୁ ଜଣେ ଜଣଙ୍କର ହାତ ଧରି ଏକଜୁଟ ହୋଇ ଆଗକୁ ଯିବାକୁ ହେବ । ଓଡ଼ିଆରେ ଖାଲି ଉଇକିପିଡ଼ିଆ ନୁହଁ, ଉଇକିପାଠାଗାର ଏବଂ ଉଇକିଅଭିଧାନ ମଧ୍ୟ ଉପଲବ୍ଧ । ଉଇକିପାଠାଗାରରେ କପିରାଇଟ୍ ବାହାରେ ଥିବା ପୁରୁଣା ବ‌ହି, ପୋଥି, ଦସ୍ତାବିଜ ଆଦି ରହିପାରିବ, ଯାହାକୁ ସାଧାରଣ ଲୋକଟିଏ ମାଗଣାରେ ଘରେ ବସି ମଧ୍ୟ ପଢ଼ିପାରିବ । ସେହିପରି ଉଇକିଅଭିଧାନରେ ଏକ ଲକ୍ଷରୁ ଅଧିକ ଓଡ଼ିଆ ଶବ୍ଦର ଶବ୍ଦାର୍ଥ ଏବଂ ଉଚ୍ଚାରଣ ରହିଛି । ଖାଲି ଓଡ଼ିଆ ଭାଷାକୁ ସବୁଥିରେ କାର୍ଯ୍ୟକାରୀ କରିବା ଆମର ଗୋଟିଏ ଲକ୍ଷ୍ୟ ନ ହେବା ଦରକାର, ପରବର୍ତ୍ତୀ ପିଢ଼ୀ ପାଇଁ ଆମର ଭାଷାର ପ୍ରାଚୀନ ରଚନାବଳୀକୁ ସଂରକ୍ଷଣ କରି ରଖିବା ଦରକାର ।

(ଏହି ଲେଖାଟି ଆଜିର (3rd June 2018) ନିର୍ଭୟ ଖବରକାଗଜର ୧୭ ପୃଷ୍ଠାରେ ବହାରିଥିଲା)





Wednesday, 30 May 2018

ଇଣ୍ଟରନେଟରେ ଓଡ଼ିଆ

ସଂଗ୍ରାମ କେଶରୀ ସେନାପତି 11:40 pm 0
ଇଣ୍ଟରନେଟରେ ଓଡ଼ିଆ
ଚାରିକୋଟିରୁ ଅଧିକ ଲୋକ ବ୍ୟବ‌ହାର କରୁଥିବା ଭାଷା ହେଉଛି ଓଡ଼ିଆ ଭାଷା । ଆମ ଭାଷାର ପ୍ରାଚୀନତାକୁ ପରକ୍ଷୀ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ମିଳିଲା । ତ‌ଥାପି ଓଡ଼ିଶା ବାହାରେ ଓଡ଼ିଆ ଲୋକଟିଏ ଓଡ଼ିଆ କ‌ହିବାକୁ କୁଣ୍ଠାବୋଧ କରୁଛି । ଯଦି ବାହାରେ ଦୁଇ ଉଚ୍ଚ ଶିକ୍ଷିତ ଓଡ଼ିଆ ଦେଖା‌ହୋଇଯାଆନ୍ତି, ତେବେ ସେମାନେ ଓଡ଼ିଆ ତ' କେବେ କଥା ହୁଅନ୍ତିନି ବରଂ ସେଇ ପୁରୁଣା ଇଂରେଜଙ୍କ ବ୍ୟବ‌ହୃତ ଉଚ୍ଚାରଣ 'ଓରିଶା' ଆଉ 'ଓରିଆ' ବ୍ୟବ‌ହାର କରନ୍ତି । କିନ୍ତୁ ଯଦି କୌଣସି ଛୋଟ କମ୍ପାନୀରେ କାମ କରୁଥିବା ଦୁଇ ଓଡ଼ିଆ ଦେଖାହେଇଯାଆନ୍ତି, ସେମାନେ ମନ‌ଖୋଲି ଓଡ଼ିଆରେ କ‌ଥା ହେବାର ଜଳ୍ୱନ୍ତ ଉଦାହରଣ ମୁଁ ନିଜେ ଦେଖିଛି ।

ଏଠାରେ ମୁଁ ସେ ଓଡ଼ିଆ କ‌ହୁନଥିବା ଲୋକଙ୍କୁ ଧ୍ୟାନ ଦେଉନାହିଁ କି ଦେବି ନାହିଁ । କାରଣ ସ୍ୱାଭାବ କବି ଗଙ୍ଗାଧର ମେହେରଙ୍କର ଉକ୍ତିରେ, "ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା ।" ତାଙ୍କର ଏହି ଉକ୍ତିର ଛୋଟ ଯଥାର୍ଥଟିର ମୁଁ ବୁଝେ, ଯାହା ହେଉଛି କି, "ଯଦି ଆମେ ଉଚ୍ଚ ଶିକ୍ଷା ଲାଭ କରି ଭାରତ ବାହାରେ କୌଣସି ଏକ ବଡ଼ କାମ କରିଲେ, ସେତେବେଳେ ଆମେ ନିଜର ପରିଚୟ ଭାରତୀୟ ଭାବେ କିମ୍ବା ଓଡ଼ିଆ ଭାବେ ରଖିଥାଉ । କିନ୍ତୁ ଯଦି ନିଜ ମାଟିକୁ କି ନିଜ ଭାଷାକୁ ଆମେ ଜାଣିନଥିବା, ତେବେ ବାହାରେ ଆମର ପରିଚୟ କିଛି ନଥିବ, ପିତାମାତାହୀନ ଜାରଜ ସନ୍ତାନ ଅବସ୍ଥା ହେବ ।"

ଅଳ୍ପ କିଛି ବର୍ଷ ତଳେ ଯେତେବେଳେ ମୋତେ ପ୍ରଥମ ଲ୍ୟାପଟପ୍ ମିଳିଥିଲା, ସେତେବେଳେ ମୁଁ ସେଥିରେ ଓଡ଼ିଆ ଲେଖିବା ପାଇଁ ଆକୃତିର ବ୍ୟବ‌ହାର କରୁଥିଲି, କିନ୍ତୁ ତାହା ଇଣ୍ଟରନେଟରେ ଗ୍ରହଣୀୟ ନ ଥିଲା ଏବଂ ସେତେବେଳେ ମୋତେ ସାହାଯ୍ୟ କରିବାକୁ ମଧ୍ୟ କେହି ନ ଥିଲେ । ଥରୁଟିଏ ମୁଁ ଅଜାଣତରେ ଓଡ଼ିଆ ଉଇକିପଡ଼ିଆର ପୃଷ୍ଠା ଖୋଲିଦେଇଥିଲି ଏବଂ ଓଡ଼ିଆ ଲିପିରେ ଲେଖିବା ପାଇଁ ମୋତେ ସେଇଠି ହିଁ ସୁଯୋଗ ମିଳିଥିଲା । ଧୀରେ ଧୀରେ ମୁଁ ଉଇକିପଡ଼ିଆର ପୃଷ୍ଠାଟିକୁ ଖୋଲିଲା ପରେ କେବେ କେବେ ସେଥିରେ କିଛି ତ‌ଥ୍ୟ ବିଷୟରେ ଖୋଜୁଥିଲି । କିଛି ତ‌ଥ୍ୟ ମିଳୁଥିଲା ଏବଂ କିଛି ସେଥିରେ ନ ଥିଲେ, ତେଣୁ ସେଠାରେ ନ ଥିବା ତ‌ଥ୍ୟଟିଏ ମୁଁ ଯୋଡ଼ିବାର ଚେଷ୍ଟାକଲି ଏବଂ ଧୀରେ ଧୀରେ କିଛି ଅନ୍ୟାନ୍ୟ ତ‌ଥ୍ୟ ଯୋଡ଼ିବାରେ ଲାଗିଲି । ସେହିସମୟରେ ଉଇକିପଡ଼ିଆରେ ସକ୍ରିୟ ଥିବା ଉଇକିଆଳୀମାନେ ମଧ୍ୟ କିଛି ଭୁଲ ଥିଲେ ତାକୁ ସୁଧାରୁଥିଲେ ।

କିନ୍ତୁ ଓଡ଼ିଆ ଲିପିରେ ଇଣ୍ଟରନେଟରେ ଲେଖିବାପାଇଁ ସେତେଟା ଅସୁବିଧା ନାହିଁ । ମୋବାଇଲ, କମ୍ପୁଟର ସବୁଥିରେ ଓଡ଼ିଆ ଲିପି ଇନ୍‌ପୁଟ୍‌-ଟୁଲ୍ ଆସିଗଲାଣି । ଏଥିସ‌ହିତ ସ‌ହଜ ହେବାଭଳି ମଧ୍ୟ କିଛି ଆପ୍ଲିକେସନ୍/ସଫ୍ଟଓୟାର ଆସିଗଲାଣି । ତ‌ଥାପି ଇଣ୍ଟରନେଟରେ ସେତେ ଅଧିକ ସଂଖ୍ୟକ ଓଡ଼ିଆ ଲେଖା ନାହିଁ । ଉଇକିପଡ଼ିଆରେ ୧୪,୦୦୦ରୁ କମ ପ୍ରସଙ୍ଗ, ଓଡ଼ିଆରେ ହାତ ଗଣତି କେତୋଟିଏ ବ୍ଲଗ ମାତ୍ର । ଅବଶ୍ୟ ଏବେ ସୋସିଆଲ ମିଡ଼ିଆରେ ଓଡ଼ିଆ ଭାଷାର ବ୍ୟବ‌ହାର ଟିକେ ବଢ଼ିଲାଣି । କିନ୍ତୁ ବେଲ ପାଚିଲେ କାଉର କିଛି ଯାଏ ଆସେ ନାହିଁ । ସେମିତି, ସୋସିଆଲ ମିଡ଼ିଆରେ ରହିଲେ ସଭିଙ୍କ ପାଖରେ ପ‌ହ‌ଞ୍ଚିପାରେନାହିଁ । ଏଥିସ‌ହିତ ଅଧିକାଂଶ ଲୋକଙ୍କର ସୋସିଆଲ ମିଡ଼ିଆରେ ଲେଖା ଚିତ୍ର ଆକାରରେ ଥାଏ, ତେଣୁ ସେଥିରେ ମଧ୍ୟ ଓଡ଼ିଆ ଲିପି ରହିକି ମଧ୍ୟ କାହାକୁ କିଛି ଫଳିବ ନାହିଁ ।


Friday, 20 April 2018

ଅସରନ୍ତି କଥା- ୧

ସଂଗ୍ରାମ କେଶରୀ ସେନାପତି 1:23 pm 3
ଅସରନ୍ତି କଥା- ୧
ରାଧିକା, ଏହି ନାଁଟି ମୋ ଜେଜେବାପା ବ‌ହୁତ ଶ୍ରଦ୍ଧାରେ ରଖିଥିଲେ । ଆମ ଓଡ଼ିଆ ଘରେ ତ' ପ୍ରାୟ ସମସ୍ତଙ୍କର ଅତି କମ୍‌ରେ ୩/୪ଟି ନାଁ ଥାଏ, କିନ୍ତୁ ମୋର କେବଳ ଏହି ଗୋଟିଏ ହିଁ ନାଁ ଥିଲା ଆଉ ସମସ୍ତେ ମୋତେ ଏହି ନାଁରେ ହିଁ ଜାଣିଥିଲେ । କେବେ କେବେ ସାଙ୍ଗମାନଙ୍କର ଅଧିକ ନାଁ ଦେଖି ମୋତେ ବି ମୋ ନିଜ ଉପରେ ଆଉ ମୋ ଘର ଲୋକଙ୍କ ଉପରେ ରାଗ ଲାଗେ । ଆଉ ୩/୪ଟି ନାଁରେ ମୋତେ ଡାକିଥିଲେ କ'ଣ ହେଇଯାଇଥାନ୍ତା ଯେ ।

ଏମିତିକି କେବେ କେବେ ମୋତେ ମୋ' ନାଁ ପାଇଁ ବି ପିଲାମାନେ ବ‌ହୁତ କଟାକ୍ଷ କରନ୍ତି । ହଁ ମୋର ଆଉ ଗୋଟେ ନାଁ ସେମାନେ ନିଜେ ନିଜେ ରଖିଦେଉଥିଲେ "ଫୁଲେଇ ରାଧା" । ମୋତେ କିନ୍ତୁ ଏହି ନାଁଟା ଆଦୌ ଭଲ ଲାଗେ ନାହିଁ । ଏମିତି ଭିତରେ ମୋର ପାଠପଢ଼ା ଶେଷ ହେଇଗଲା ଆଉ ମୁଁ ଗୋଟେ କଲେଜର ଶିକ୍ଷକତା କରିବା ଆରମ୍ଭ କରିଦେଲି । ସେତେବେଳେ ମୁଁ ବ‌ହୁତ ଖୁସି ଥିଲି, କାରଣ ସେ କଲେଜରେ ମୁଁ ଥିଲି ସବୁଠୁ ସାନ । ଘରେ ଯେମିତି ମୋତେ ସ୍ନେହ କରୁଥିଲେ ଆଉ ଭଲ ପା‌ଉଥିଲେ, କଲେଜର ମଧ୍ୟ ସେମିତି ଭଲ ପାଉଥିଲେ । କଲେଜରେ ନୂଆ ହୋଇଥିବାରୁ କେବେ କୌଣସିଥିରେ ଭୁଲ ହେଲେ ଘର ଲୋକଙ୍କ ଭଳି ବି ତାଗିଦ୍ କରୁଥିଲେ । କିନ୍ତୁ ଏହିସବୁ ମୋତେ ମୋର ଘର ଭଳିଆ ହିଁ ଲାଗୁଥିଲା ।


ଦିନେ କଲେଜରୁ ଫେରିଲା ବେଳେ ମୋର ସ୍କୁଟିଟା ହଠାତ୍ ରାସ୍ତାରେ ଖରାପ ହେଇଗଲା । ଜଣାନାହିଁ କାହିଁକି ଆଉ ଷ୍ଟାର୍ଟ ହେଲାନାହିଁ । ପାଖରେ ସାହାଯ୍ୟ କରିବାକୁ ବି କେହି ନଥିଲେ, ସେଠାରୁ ମୁଁ ରହୁଥିବା ଜାଗା ବି ୩/୪ କିଲୋମିଟର ଦୂର ଥିଲା । ତେଣୁ ବ‌ହୁତ ଅସ୍ତବ୍ୟସ୍ତ ଲାଗିଲା । ସେହି ସମୟରେ କେହିଜଣେ ଆସି ମୋ ପାଖରେ ତାଙ୍କର ଗାଡ଼ି ଅଟକାଇଲେ । ଆଉ ପଚାରିଲେ କିଛି ସାହାଯ୍ୟ ଦରକାର କି? ଏମିତିରେ ମୁଁ ସେ ଅଞ୍ଚଳରେ ନୂଆ ଥିଲି ଆଉ ଏକୁଟିଆ ରାସ୍ତାରେ କେହି ଜଣେ ଏମିତି ଅଜଣା ବ୍ୟକ୍ତିକୁ ଦେଖି ଭିତରୁ ମୋର ଅବସ୍ଥା ଡରରେ ଖରାପ ହେବାକୁ ଲାଗିଲା, କିନ୍ତୁ ମନରେ ସାହାସ ବାନ୍ଧି ମୋର କୌଣସି ସାହାଯ୍ୟ ଦରକାର ନାହିଁ କ‌ହିଲି । ଆଉ ଏହି କଥା ଶୁଣି ସେ ତାଙ୍କର ହେଲ୍‌ମେଟ‌ଟି ମଥାରୁ ବାହାର କଲେ ।

ହେଲେ ଇଏ କ'ଣ, ସେ ଥିଲେ ମୋର ଜଣେ ସିନିଅର । କଲେଜ ବେଳେ ମୁଁ ଅବଶ୍ୟ ତାଙ୍କୁ ଦେଖିଛି, କିନ୍ତୁ ତାଙ୍କର ନାଁ ବି ମୋତେ ଜଣା ନଥିଲା । ଏମିତି ଅଜଣା ରାସ୍ତାରେ ଚିହ୍ନା ମୁହଁଟିଏ ଦେଖି ମୋର ଭିତରେ ଥିବା ଡର ଟିକିଏ କମ୍ ହେବାରେ ଲାଗିଲା । ସେ ବୋଧେ ମୋର ମନ ଭିତରର କଥାକୁ ପଢ଼ିପାରୁଥିଲେ କି କ'ଣ ! ମୋତେ କ‌ହିଲେ, "ଆରେ ରାଧିକା, ବ‌ହୁତ ଦିନ ପରେ ଦେଖା ହେଲା ଆଉ ସେ ବି ପୁଣି ଏମିତି ଅବସ୍ଥାରେ ।" ମୋତେ ତାଙ୍କର କଥା ଶୁଣି ଆଶ୍ଚର୍ଯ୍ୟ ଲାଗିଲା କି ସେ ମୋର ନାଁ ବି ଜାଣିଥିଲେ । କିନ୍ତୁ ନିଜକୁ ଖରାପ ଲାଗିଲା କି ମୁଁ ତାଙ୍କର ନାଁ ଜାଣିନଥିଲି । ତ‌ଥାପି ଏମିତି ଅବସ୍ଥାରେ ସେ ଦେବଦୂତ ସାଜି ଆସିଥିବାରୁ ମୁଁ ଭଗବାନଙ୍କୁ ମନେ ମନେ ଧନ୍ୟବାଦ ଜଣାଉଥିଲି ।

ଏହାପରେ ମୁଁ ଆଉ କିଛି କ‌ହିବା ଆଗରୁ ସେ ତାଙ୍କର ଗାଡ଼ିରୁ ଓହ୍ଲାଇ ସାରିଥିଲେ ଆଉ ମୋର ଗାଡ଼ି ଷ୍ଟାର୍ଟ କରିବା ପାଇଁ ମୋ ଆଡ଼କୁ ଆସିଲେ, କିନ୍ତୁ ମୋ ମୁହଁରେ ଥିବା ଶଙ୍କାର ସେ ତାଙ୍କର ପରିଚୟ ନ ଦେଇ କେବଳ ଏମିତି ପଚାରିଲେ, "ମୋତେ ଜାଣିପାରିଲନି ବୋଧେ?" ଏହାପରେ ଉତ୍ତର ନ ଦେବାର ଆଉ କିଛି ଉପାୟ ନ ଥିଲା । ତେଣୁ ମୁଁ କ‌ହିଲି, ହଁ ଜାଣିପାରିଲି । ଜଣାନାହିଁ ଗାଡ଼ିଟା କାହିଁକି ହଠାତ୍ ଖରାପ ହେଇଗଲା । ଏହାପରେ ସେ ସଙ୍ଗେ ସଙ୍ଗେ ଗାଡ଼ିଟିକୁ ଷ୍ଟାର୍ଟ କରିବାକୁ ଲାଗିଲେ, କିନ୍ତୁ କିଛି ଫଳ ମିଳିଲାନି । ତେଣୁ ଆଗ ମାର୍କେଟରେ ଥିବା ଦୋକାନୀକୁ ଦେଖାଇବା ପାଇଁ ସେ କ‌ହିଲେ । ହେଲେ ଏତେଦୂର ଗାଡ଼ିଟିକୁ ଗଡ଼େଇ ଗଡ଼େଇ ନେବା ସମ୍ଭବ ନ ଥିଲା, ତେଣୁ ସେ ତାଙ୍କର ଟୁଲ୍‌ବକ୍ସରେ ଥିବା ଦୁଇଟି ରବର ଦଉଡ଼ି (କିଛି ଜିନିଷ ବାନ୍ଧିବା ପାଇଁ ବ୍ୟବ‌ହାର କରାଯାଏ) କରି ମୋ ଗାଡ଼ି ସ‌ହି ତାଙ୍କ ଗାଡ଼ିକୁ ବାନ୍ଧିଦେଲେ ଆଉ ମୁଁ ତାଙ୍କୁ ମୋ ଗାଡ଼ିରେ ବସି ଫଲୋ କଲି ।

ମୁଁ ରହୁଥିବା ଘର ପାଖାପାଖି ଗୋଟିଏ ଛୋଟ ଗାଡ଼ି ଗ୍ୟାରେଜ୍ ଥିଲା । ସେଇଠି ନେଇକି ସେ ମୋତେ ପ‌ହ‌ଞ୍ଚାଇଲେ ଆଉ ମୋର ଗାଡ଼ିଟିକୁ ଠିକ୍ କରିବାକୁ ଦୋକାନୀକୁ କ‌ହିଲେ । ସେ ଦୋକାନୀ କେଜାଣି କ'ଣ କରିଦେଲା ୫/୭ ମିନିଟ୍‌ରେ ମୋର ଗାଡ଼ିଟା ଠିକ୍ ହେଇଗଲା । ଏହାପରେ ତାଙ୍କୁ ତାଙ୍କର ନାଁ ପଚାରିବାକୁ ମୁଁ ଭୁବଥିଲି, କିନ୍ତୁ କ'ଣ ଭାବିବେ ବୋଲି ପଚାରିପାରୁନଥିଲି । ଯେଉଁଠି ରାସ୍ତାରେ ନିଜର ଲୋକମାନେ ବି ଅସୁବିଧାରେ ଛାଡ଼ି ଚାଲିଯାଆନ୍ତି, ସେଇଠି ସେ ମୋତେ ଚିହ୍ନିପାରି ମୋତେ ଏତେ ସାହାଯ୍ୟ କଲେ ଆଉ ମୁଁ ତାଙ୍କର ନାଁଟା ବି ଜାଣିନାହିଁ ।

ଏହା ଭିତରେ ସେ ତାଙ୍କର ଗାଡ଼ିରେ ବସି ଯିବାପାଇଁ ଉଦ୍ୟତ ହେଉଥିଲେ, ତେଣୁ ମୁଁ ଧନ୍ୟବାଦ ଜଣାଇବାକୁ ତାଙ୍କ ପାଖକୁ ଗଲି ଆଉ ଧନ୍ୟବାଦ ଜଣାଇଲି । ଏଇ ପାଖରେ ମୁଁ ରହୁଛି ବୋଲି ବି ଜଣେଇଦେଲି । ତା'ପରେ ସେ ଗାଡ଼ି ଷ୍ଟାର୍ଟ କରିବାକୁ ଲାଗିଲେ ସେହି ଭିତରେ ମୁଁ ତାଙ୍କୁ ପାଖ ଦୋକାନରୁ ମିଶିକି ଚାହା ପିଇବାକୁ ଅନୁରୋଧ କଲି, ମାତ୍ର ତାଙ୍କର ବ‌ହୁତ ବଡ଼ ଜରୁରୀ କାମ ଅଛି ବୋଲି କ‌ହିଲେ ଆଉ ଯିବା ଆଗରୁ ମୁଁ ମୋର ସଙ୍କୋଚତା ଦୂର କରିବା ପାଇଁ ତାଙ୍କୁ ତାଙ୍କର ନାଁ ପଚାରିବା ଆଳରେ କ‌ହିଲି, "ଆପଣଙ୍କୁ କ'ଣ ବୋଲି ଡାକିବି?" ସେ କ‌ହିଲେ ଆଉ କେବେ ଦେଖାହେଲେ କ‌ହିବି... ଏହାପରେ ସେ ଚାଲିଗଲେ ତାଙ୍କର ଗନ୍ତବ୍ୟ ଦିଗରେ ଆଉ ମୁଁ ତାଙ୍କର ନାଁଟିକୁ ମନେ ପକାଇବାର ଚେଷ୍ଟା କରି କରି ଚାଲିଲି ମୋ ବସାଆଡ଼କୁ ।