ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Thursday, 18 January 2018

ଦେଢ଼ ବର୍ଷ ପରେ....

ସଂଗ୍ରାମ କେଶରୀ ସେନାପତି 4:40 pm 0
ଦେଢ଼ ବର୍ଷ ପରେ....


ଜାନୁଆରୀ ୭ ତାରିଖରେ, ଦେଢ଼ ବର୍ଷ ପରେ ହଠାତ୍ ପୁଣିଥରେ ତାଙ୍କୁ ଫୋନ୍ କରିବାକୁ ପଡ଼ିଲା । ଆମର ଏହି ସମ୍ପର୍କ ଆରମ୍ଭ ହେଇଥିଲା ୨୦୧୨ ଗଣେଶ ପୂଜା ସମୟରୁ । ପ୍ରତ୍ୟେକ ଆବଶ୍ୟକତା ବେଳେ ମୁଁ ତାଙ୍କୁ ହିଁ ଫୋନ୍ କରିଥାଏ । କିନ୍ତୁ ୫ ଜୁନ ୨୦୧୫ ପରଠାରୁ ଆଉ ତାଙ୍କ ସ‌ହ ଫୋନ୍‌ରେ ଯୋଗାଯୋଗ ନ ଥିଲା । କେବଳ ମେସେଜ୍‌ରେ ହିଁ ତାଙ୍କ ସ‌ହ କେବେ କବେ କଥା ହୁଏ । ସେ ଆଉ କେହି ନୁହ‌ନ୍ତି, ଭବାନୀପାଟଣାରେ ବସ୍ ଟିକେଟ କଥା ବୁଝାବୁଝି କରୁଥିବା ସର୍ବେଦା । ପ୍ରାୟ ସଭିଏଁ ତାଙ୍କୁ ସର୍ବେଦା ବୋଲି ଡାକନ୍ତି । ତେଣୁ ଯେତେବେଳେ ଦେଢ଼ ବର୍ଷ ପରେ ପୁଣିଥରେ ଭବାନୀପାଟଣା ଯିବାକୁ ପଡ଼ିଥିଲା, ସେତେବେଳେ ପ୍ରଥମେ ତାଙ୍କୁ ହିଁ ଫୋନ୍ କରିବାକୁ ପଡ଼ିଲା ।

ସନ୍ଧ୍ୟାବେଳେ ମୁଁ ଭୁବନେଶ୍ୱର ଷ୍ଟାଣ୍ଡରେ ପ‌ହ‌ଞ୍ଚିଲି । ଅବଶ୍ୟ ସେଠାରୁ ଆସିବା ପରେ ମୁଁ ଆଉ କେବେ ବରମୁଣ୍ଡା ଷ୍ଟାଣ୍ଡ ଭିତରକୁ ଯାଇନଥିଲି । ସେଦିନ ଷ୍ଟାଣ୍ଡରେ ଦେଖିଲାବେଳକୁ ଭବାନୀପାଟଣାକୁ ଯାଉଥିବା ସରକାରୀ ବସ୍‌ସବୁର ରଙ୍ଗ ଢଙ୍ଗ ଏବେ ସମ୍ପୂର୍ଣ୍ଣ ବଦଳିଯାଇଥିଲା । ଭଙ୍ଗା ଦ‌ଦରା ବସ୍‌ ବଦଳରେ ଏବେ ନାଲିଆ ନାଲିଆ ଚକାଚକ୍ ବସ୍ ଚାଲିଛି । ସରକାରୀ ବସ୍‌କୁ ଦେଖିଲେ ମୋତେ ସବୁବେଳେ ୧୯ ଅକ୍ଟୋବର ୨୦୧୨ର ରାତି ମନେପଡ଼ିଯାଏ । ଯାହା ହେଉ ମୋତେ ତ ସେଥିରେ ଯିବାର ନ ଥିଲା । ମୋ ବସ୍ ଆସିବା ପରେ ସେଥିରେ ଚଢ଼ିଗଲି । କିନ୍ତୁ ଏଇ ବସ୍‌ସବୁରେ ସେତେ କିଛି ବିଶେଷ ପରିବର୍ତ୍ତନ ହେଇନଥିଲା ।

ପରଦିନ ସକାଳ ୭ଟା ପାଖାପାଖିରେ ବସ୍ ଲାଗିଲା ଭବାନୀପାଟଣା ବସ୍‌ଷ୍ଟାଣ୍ଡରେ । ଦୀର୍ଘ ଦେଢ଼ବର୍ଷ ପରେ ପୁଣିଥରେ ସେହି ଜାଗାରେ ଓହ୍ଲାଇବାପରେ ପ୍ରଥମେ ଆଖି ଖୋଜିଥିଲା ସର୍ବଦାଙ୍କୁ, କିନ୍ତୁ ସେ ପୂର୍ବଦିନ ସନ୍ଧ୍ୟାରେ ଗାଁକୁ ଚାଲିଯାଇଥିଲେ । ତା' ପରେ ଟିକେ ଫ୍ରେସ୍ ହେଇ ଆଗକୁ ଆଗକୁ ମାଡ଼ିଚାଲିଲି । ସେତେବେଳେ ଅଧିକାଂଶ ସମୟରେ ଆମେ ଦକ୍ଷିଣ ପାର୍ଶ୍ୱରେ ଯାତାୟତ କରୁଥିଲୁ, ତେଣୁ ସେଇ ପୁରୁଣା ଅଭ୍ୟାସକୁ ପୁଣିଥରେ ଦୋହରାଇ ଦକ୍ଷିଣ ପାର୍ଶ୍ୱରେ ଆଗେଇ ଚାଲିଥାଏ । ବସ୍‌ଷ୍ଟାଣ୍ଡରୁ ଟିକେ ବାଟ ଆଗକୁ ଗଲେ ପରେ ଜେଲ୍ ଅତିକ୍ରମ କରିବାପରେ ସବୁଠାରୁ ବଡ଼ ପରିବର୍ତ୍ତନ ନ‌ଜର ଆସିଲ, ତାହା ଥିଲା ସେଠାରେ ଜାତୀୟ ରାଜପଥ ସ‌ହ ଯୋଡ଼ି ହୋଇଥିବା ରାସ୍ତା । ରାସ୍ତାଟିର ଉଭୟ ପାର୍ଶ୍ୱରେ ଥିବା ଛୋଟ ବଡ଼ ଗଛଗଡ଼ିକ ଆଉ ନାହିଁ, ରାସ୍ତାର ଆକାର ବଢ଼ିଯାଇଛି, ମଝିରେ ପୌରପାଳିକା ଦ୍ୱାରା ଆଲୋକ ସଂଯୋଗ କରିଦିଆଯାଇଛି ଏବଂ ତା' କଡ଼ରେ ଥିବା ଛୋଟ ଛୋଟ ଦୋକାନୀଙ୍କର ସତ୍ତା ନାହିଁ । ରାସ୍ତାଟିକୁ ଦେଖି ଖୁସି ଲାଗିଲା, କିନ୍ତୁ ଦୋକାନୀମାନଙ୍କ କଥା ଭାବି ଟିକେ ଦୁଃଖ ବି ଲାଗିଲା । ସେଇ ଦୋକାନୀମାନଙ୍କଠାରୁ କେତେଥର କ'ଣ ଯେ କିଣିଥିବୁ, ତା'ର ହିସାବ ନାହିଁ । ଅବଶ୍ୟ ସେ ରାସ୍ତା ଦେଇ ପୁଣିଥରେ ସେଇ ପୁରୁଣା ଗଳିରେ ଯାଇହେଲାନି ।

ଏଥର ଆଗକୁ ଆଗକୁ ଯିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ପରିବର୍ତ୍ତନ ନ‌ଜର ଆସିଲା । କେଉଁଠାରେ ଥିବା ଛୋଟମୋଟ ଦୋକାନ ଘରସବୁ ଆଉ ନାହିଁ, ତ' କେଉଁଠି ଛୋଟ ଗୁମୁଟି କରିଥିବା ଦୋକାନୀଟି ଏବେ ପକ୍କାଘରେ ତା'ର ବଡ଼ ଦୋକନଟିଏ କରିସାରିଲାଣି । ଏମିତି ଚାଲୁଚାଲୁ ବାମ‌ପଟରେ ନ‌ଜର ଆସିଲା ବେଣୁଦାଦାଙ୍କର ସେ ଦୋକାନଟି । ତାଙ୍କ ଘରର ଗୋଟିଏ ପାର୍ଶ୍ୱରେ ସେ ଦୋକାନଟି । ସେଇ ଦୋକାନଟିର କିନ୍ତୁ କିଛି ବଦଳିନଥିଲା, ଅବଶ୍ୟ ତାଙ୍କୁ ପୁଣିଥରେ ଭେଟି ହେଲାନି । ସେଠାରୁ ଟିକିଏ ଦୂରରେ ଥିଲା ବାଲାଜୀ ମନ୍ଦିର । ସେ ମନ୍ଦିରଟିର ବି ସେତେ କିଛି ବଦଳିନି ବୋଧେ, କିନ୍ତୁ ସେତେବେଳେ ଖରାବେଳେ ବସ୍ ପାଇଁ ଅପେକ୍ଷା କରିଥିବା ସମୟରେ ସେହି ମନ୍ଦିର ପରିସରରେ ଛାଇରେ ଆମକୁ ଘୋଡ଼ାଇ ରଖୁଥିବା ଗଛଗୁଡ଼ା ଆଉ ନ ଥିଲା । ସେହି ବାଟ ଦେଇ ଯାଉଥିବାବେଳେ ଆଉ ଜଣେ ଅତିପରିଚିତ ଲୋକ ସେହି ସମୟରେ ତାଙ୍କ ଗାଡ଼ିରେ ଗଲେ । ଅବଶ୍ୟ ତାଙ୍କ ସ‌ହ ଦେଖା କରିହେଲାନି । କିନ୍ତୁ ତାଙ୍କଠାରେ ବି ବିଶେଷ କିଛି ପରିବର୍ତ୍ତନ ହୋଇନଥିଲା, ସେଇ ସମାନ ଗାଡ଼ି, ସେଇ ସମାନ ସମୟ, ସାମନ ସ୍ଥାନରୁ (ଫୁଟ୍‌ବଲ୍ ଖେଳରୁ) ପ୍ରତ୍ତ୍ୟାବର୍ତ୍ତନ କରୁଥିଲେ କି କ'ଣ । ଆଉ ଗାଡ଼ି ଚଳେଇବା ବି ଠିକ୍ ସେହିଭଳି ହିଁ ଥିଲା ।

ତା'ର ଟିକେ ଆଗକୁ ଗଲାପରେ ଦେଖିଲି ଆମକୁ ପ୍ରତ୍ୟେକଦିନ ସକାଳେ ଜଳଖିଆ ଖୁଆଇଥିବା ସେଇ ଦୋକାନଟି ସେମିତି ଅଛି । ସେଇ ସମାନ ଲୋକ, ସେଠାରେ ଟିକେ ଖିଆପିଆ ହେଇଗଲା ଆଉ ସେ ଲୋକଟି ଏତେଦିନ ପରେ ବି ଠିକ୍‌ରେ ଚିହ୍ନିଗଲା । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଥିଲା କି ସେ ଦୋକାନଟିର ଜିନିଷର ଦର ଦେଢ଼ବର୍ଷ ପରେ ବି ସେମିତି ଥିଲା । ଏହାପରେ ପୁଣି ଚାଲିଲି, କିନ୍ତୁ ଏଇଥର ବାମ‌ପଟରେ । ବ୍ଲକ୍ କେଣ୍ଟିନ୍ ବି ତା' ପୁରୁଣା ଜାଗାରୁ ଆସିଯାଇକି JPR ପାଖରେ ରହିଯାଇଛି ଆଉ ସେ ଆଖପାଖରେ ଥିବା ସବୁ ଖାଲି ଜାଗାରେ ଦୋକନ‌ଘର ହେଇକି ଦୋକାନ ବି ହେଇଗଲାଣି । ସେଇ ସବୁ ଜାଗାରେ ଦୋକନ ଦେଖିଲା ପରେ ୨୦୧୩ରେ ନବୀନ କ‌ହିଥିବା କଥାଟା ମନେ ପଡ଼ିଗଲା । ତା' ପରେ ଆଗକୁ ଆଗକୁ ଚାଲିଲି, ନ‌କ୍‌ଟିଗୁଡ଼ାରେ ସେଇ ସମାନ ଅବସ୍ଥା ଥିଲା, କିଛି ନୂଆ ତ' ପୁଣି କିଛି ପୁରୁଣା । ସେଇ ପୁରୁଣା ଗଳି ସବୁ, କିନ୍ତୁ ସେ ସବୁର ରାସ୍ତା ଏବେ ଭଲ ହେଇଗଲାଣି ।
ଆମର ସେଇ ପୁରୁଣା ଜଳଖିଆ ଦୋକାନ
ଶେଷରେ ନ‌କ୍‌ଟିଗୁଡ଼ା ସରିବା ପରେ ଗୋଟେ ଗଛ ଛାଇରେ ଅପେକ୍ଷା କଲି କଲେଜ ଯିବାକୁ । ସେତେବେଳେ ସିନା କଲେଜକୁ ବସ୍ ଚାଲୁଥିଲା, କିନ୍ତୁ ଏବେ ତ' ଆଉ ନାହିଁ ବୋଧେ । ଅବଶ୍ୟ ସେଇବାଟେ ସେତେବେଳେ ଗୋଟେ ବସ୍ ଗଲା, କିନ୍ତୁ କଲେଜକୁ ଯାଉଥିବା ଭଙ୍ଗା ଦ‌ଦରା ବସ୍ ବଦଳରେ ଏମିତି ଭଲ ବସ୍ ଯାଉଥିବ ବୋଲି ମୋତେ ଲାଗିଲାନି । ତେଣୁ ପୁଣିଥରେ ପୁରୁଣା କଳା ଆପଣେଇବାକୁ ପଡ଼ିଲା, ମୋଟରସାଇକେଲବାଲାଙ୍କୁ ଲିପ୍ଟ ମାଗିବା । ଆଉ ଲିପ୍ଟ ପାଇଁ ହାତ ବଢ଼େଇଲାବେଳକୁ ଜଣେ ସାର୍ ଦେଖାହେଇଗଲେ ଆଉ ଶୀତୁଆ ସକାଳର କୋହଲା ପବନ ମାଡ଼ରେ ଆମେ ପ‌ହ‌ଞ୍ଚିଗଲୁ କଲେଜରେ । କଲେଜର ପରିବେଶ ବି କିଛିଟା ବଦଳିଯାଇଥିଲା । କିଛି ନୂଆ ଶିକ୍ଷକଙ୍କର ଆଗମନ ଏବଂ ପୁରୁଣା ଶିକ୍ଷକଙ୍କର ବି ବଦଳି ହୋଇସାରିଥିଲା । ହେଲେ ପୁରୁଣା ଯେତିକି ଥିଲେ ସଭିଏଁ ସେମିତି ହିଁ ଥିଲେ । ବୋଧେ କଲେଜର ଖାଲି ଗଢ଼ଣ ଟିକେ ବଦଳିଥିଲା, କିନ୍ତୁ ଅନ୍ୟମାନେ ସଭିଏଁ ସେମିତି ଥିଲେ । 
କଲେଜର Wall Magazine
କଲେଜ ହଷ୍ଟେଲ ପରିସରରେ ପିଲାମାନେ ଆଙ୍କିଥିବା ଚିତ୍ର
ହଷ୍ଟେଲରୁ ଶେଷଥର ପାଇଁ ନେଇଥିବା ଫୋଟୋ
ଶେଷରେ ସାର୍ଟିଫିକେଟ ନେଇ ସନ୍ଧ୍ୟାରେ ଫେରିଆସିଲି କଲେଜରୁ । ମୋର ବସ୍ ଆସିବାକୁ ଆହୁରି ଅଢ଼େଇ ଘଣ୍ଟା ବିଳମ୍ବ ଥାଏ, ତେଣୁ ଟିକେ ବସ୍‌ଷ୍ଟାଣ୍ଡରୁ ଗାନ୍ଧି ଛକ ଦେଇ ମାଣିକେଶ୍ୱରୀ ମନ୍ଦିର ପଟେ ବୁଲି ଆସିବାକୁ ଭାବିଲି । ତେଣୁ ଆଗେଇ ଗଲି ଘୋଡ଼ାଘାଟ ଛକ ଦେଇ ଗାନ୍ଧିଛକ ଆଡ଼େ । ଗାନ୍ଧିଛକପଟେ ଯେବେ ଯାଉ ସବୁବେଳେ ସେଠାରେ ମିଳୁଥିବା ମକା-ମିକ୍ଚର ନିହାତି ଖାଇଥାଉ । ଆମର ସଭିଙ୍କର ପ୍ରିୟ ମାଝୀଗୌରୀରୁ ନେଲି । ସେତେବେଳେ କିନ୍ତୁ ଜଣଙ୍କୁ ମୁଁ ସବୁଠୁ ଅଧିକା ମନେପକାଉଥିଲି, ସେ ହେଉଛି ନବୀନ । ମୁଁ ସେଇ ଚାରିବର୍ଷରେ ଯେତେଥର ଏହି ରାସ୍ତାରେ ଯାଇଥିବି, ବୋଧେ ୯୫ ପ୍ରତିଶତରୁ ଅଧିକ ଥର ନବୀନ ଥିବ ସାଙ୍ଗରେ । ସବୁବେଳେ ମୋର ଗୋଟିଏ ହାତ ଥାଏ ତା କାନ୍ଧରେ, କିନ୍ତୁ ଆଜି ଟିକେ ଅଲାଗା ଥିଲା । ମୋ ହାତ କାହା କାନ୍ଧ ଉପରେ ନ ଥିଲା, କିନ୍ତୁ ମୋ କାନ୍ଧ ଉପରେ ଥିଲା ବ୍ୟାଗ୍ ।
ଏହାପରେ ଗାନ୍ଧିଛକରେ ୬/୭ଟି ଛୋଟବଡ଼ ଗଳି । ଯେତେବେଳେ ମୁଁ ୨୦୧୨ରେ ପ୍ରଥମଥର ବାପାମାଆଙ୍କ ସ‌ହ ଯାଇଥିଲି, ସେତେବେଳେ ଆମେ ସେଇଠି କୋଉ ଗଳିରେ ଆସିବୁ ବୋଲି ବାଟ ପାଇନଥିଲୁ । କିନ୍ତୁ ଏବେ ସବୁ ଗଳିର ବାଟ ଭଲଭାବରେ ଜଣା ଥିଲା, ହେଲେ ବି କେଉଁ ଗଳିପଟେ ଯିବି ବୋଲି ଭାବି ହାଟ ବସୁଥିବା ଗଳିଦେଇ ଆଗକୁ ବଢ଼ିଲି । ଇଏ ସେଇ ଗଳି, ଯେଉଁଠି ସବୁଦିନେ ଭିଡ଼ ଜମୁଥିଲା । କିନ୍ତୁ ସେତେ ଭିଡ଼ ନାହିଁ ଆଉ ଏବେ । ସୋମ‌ବାରରେ ବି ରବିବାର ଭଳିଆ ଲୋକ ଥିଲେ ସେ ଗଳିରେ । ଏହାର ଦୁଇପାଖରେ ଥିବା ଦୋକାନ ବୋଧେ ବଦଳିନାହିଁ କି କ'ଣ । ଛୋଟ ଛୋଟ ପରିବା ଦୋକାନୀ, କିଛି କିଛି ମସଲା ନେଇ ବସିଥିବା ଦୋକାନୀମାନେ ବି ସେମିତି ଥିଲେ । କିଛି କିଛି ବଡ଼ ବଡ଼ ଦୋକନ ବୋଧେ ସେମାନଙ୍କର ଟିକେ ଟିକେ ରଙ୍ଗ ବଦଳେଇଥିବେ କି କ'ଣ, ନ ହେଲେ ବାକି ସବୁ ସେମିତି । ଏହାପରେ ସୁବାଷଚନ୍ଦ୍ର ବୋଷଙ୍କର ମୂର୍ତ୍ତି ଦେଖାଗଲା ଏବଂ ସେଠାରୁ ମାଣିକେଶ୍ୱରୀ ମନ୍ଦିରପଟେ ଗଲି । ଏଇ ପାଖରେ ଥାଏ ଛୋଟ ପଡ଼ିଆଟିଏ, ଏହି ପଡ଼ିଆରେ ଏହି ସମୟରେ ମୀନାବଜାର ବସେ । କିନ୍ତୁ କିଛି ନ ଥିଲା, ବୋଧେ ସରିଗଲାଣି କି କ'ଣ । ଏହାର ଡାହାଣକୁ ଆଉ ଗୋଟିଏ ଛୋଟିଆ ଖୋଲା ଜାଗାରେ ଶୀତଦିନିଆ ନେପାଳୀମାନେ (ପ୍ରକୃତରେ ତିଦ୍ଦତରୁ ଆସିଥାନ୍ତି ସେମାନେ ଆଉ ଏବେ ସେମାନେ ଓଡ଼ିଶାର ବ୍ରହ୍ମ‌ପୁରରେ ରହୁଛନ୍ତି) ବସିଥାନ୍ତି ସେମାନଙ୍କର ଦେଶରୁ ଆଣିଥିବା ଶୀତବସ୍ତ୍ର ନେଇ । ସେଠାରେ ରହିଲାବେଳେ ଆମେ ବୋଧେ ପ୍ରତ୍ୟେକ ବର୍ଷ କିଛି ନା କିଛି କିଣିଥିଲୁ, କିନ୍ତୁ ଶେଷବର୍ଷ କାଇଁ ସେମାନେ ନ ଆସିନଥିଲେ । କିନ୍ତୁ ସେଇ ଜାଗାରେ ସେମାନେ ପୁଣିଥରେ ବସିଥିଲେ । ଯଦିଓ ମୋତେ କିଛି କିଣିବାର ନ ଥିଲା, କିନ୍ତୁ ଖାଲିରେ ବି ଟିକେ ବୁଲି ଆସିଲି । ସେଠାରେ ବି ସେଇ ସମାନ କଥା, ସମାନ ଲୋକ ବି ଥିଲେ ସେଠାରେ । ଆମେ ସେଇ ତିନିବର୍ଷରେ ଯାହା ସବୁ କିଣିଥିଲୁ ଗୋଟିଏ ଝିଅପାଖରୁ ହିଁ କିଣିଥିଲୁ ଆଉ ସେ ବି ସେଇଠି ଥିଲା । ଏମିତିକି ପ୍ରତ୍ୟେକ ଥର ଆମେ ଗୋଟିଏ ଜିନିଷ କିଣିବାକୁ ଯାଇଥାଉ କିନ୍ତୁ ଆବଶ୍ୟକ ନ ଥାଇ ବି ନବୀନ ସବୁବେଳେ ତା'ଠାରୁ ଆଉ ଗୋଟିଏ କିଣିଆଣେ । ଆଉ କ‌ହିଥିଲା, ତା' ସ‌ହ ଗୋଟେ ଫଟୋ ଉଠେଇବି, କିନ୍ତୁ ଆମର ଶେଷ ବର୍ଷରେ ସେ ଆସିନଥିଲା । ତେଣୁ ନବୀନର ଆଶ ସେମିତି ରହିଯାଇଥିଲା । ନବୀନ ଯଦି ଆସିଥାନ୍ତା, ବୋଧେ ଫଟୋଟିଏ ନିଶ୍ଚୟ ଉଠେଇଥାନ୍ତା ।

ଏହପରେ ଚାଲିଲି ଆଗକୁ । ବାମ‌ପଟେ ମାଣିକେଶ୍ୱରୀ ମନ୍ଦିର, ତେଣୁ ମନ୍ଦିରକୁ ବି ଯାଇ ଟିକେ ବୁଲି ଆସିଲି । ଅବଶ୍ୟ ମୋ ପାଖରେ ବ୍ୟାଗ୍ ଥିଲା ବୋଲି ମୁଁ ଆଉ ଭିତରକୁ ଗଲିନି, ଖାଲି ଦୂରରୁ ପ୍ରାଣାମ କରି ଆସିଗଲି । ଏହାପରେ ଫେରିବାର ସମୟ, କିନ୍ତୁ ସମାନ ରାସ୍ତାଦେଇ ଫେରିବାର ଆବଶ୍ୟକତା ବି ନାହିଁ । ଘୋଡ଼ାଘାଟ ଛକରେ ପ‌ହ‌ଞ୍ଚିବାକୁ ଯେଉଁ ଗଳିରେ ଗଲେ ବି ଗୋଲ୍ ହୋଇ ଘୁରି ଆସିହେବ । ତେଣୁ ଜଗନ୍ନାଥ ମନ୍ଦିର କଡ଼ ରାସ୍ତାଦେଇ ଫେରିଲି । ବାଟରେ ଥାଏ ପକୁଡ଼ି ଆଉ ଜିଲାପିର ଦୋକାନ । ସେତେବେଳେ ଆମେ ଶୀତଦିନରେ ଯେବେ ଯାଉ କେବେ ବି ନ ଖାଇ ଫେରୁନା, କିନ୍ତୁ ଏକୁଟିଆ ଖାଇବାର ମଜା ଆସେନା । ତେଣୁ ଦେଖିକି ଖାଲି ଆସିଗଲି । ପକୁଡ଼ି ଦୋକାନ ପାର ହେବାପରେ ଜଣାନାହିଁ କାହିଁକି କେଜାଣି ମନଟା ଭାରୀ ହେବାରେ ଲାଗିଲା । ପୂର୍ବଥର ଯେତେବେଳେ ଆମ ପିଲାମାନେ ଭବାନୀପାଟଣା ଛାଡ଼ିଥିଲେ, ବୋଧେ ସବୁ କାନ୍ଦୁଥିଲେ । ସେତେବେଳେ କିନ୍ତୁ ମୋ ମନରେ ଥିଲା କି ମୋତେ ତ ପୁଣିଥରେ ଆସିବାକୁ ହେବ ଆଉ ସେଇଟା ଶେଷ ନ ଥିଲା । ମାତ୍ର ସେଦିନର ଆସିଯିବାପରେ ପୁଣିଥରେ ଯିବାକୁ ଲାଗିଗଲା ଦେଢ଼ବର୍ଷ ଦୁଇଦିନ । ଜଣାନାହିଁ, ଏଇ ଫେରିବା ପରେ ଆଉ କେବେ ଜୀବନରେ ସୁଯୋଗ ମିଳିବ କି ନାହିଁ । ତେଣୁ ମନ ଭିତରେ ସେଇ ଭୟଟା ଖାଇଯାଉଥିଲା । ଅନ୍ୟମନସ୍କ ବସତଃ ଚାଲୁଥିଲି ବସ୍‌ଷ୍ଟାଣ୍ଡ ଆଡ଼େ । ସେତେବେଳେ ବାମ‌ପଟେ ନ‌ଜର ପଡ଼ିଲା ସୋଡ଼ାହବ୍ ଉପରେ । ଅବଶ୍ୟ ଶୀତଦିନରେ ଥଣ୍ଡା ଅଧିକ ହୁଏ ବୋଲି ରାତିରେ ପିଉନା, କିନ୍ତୁ ଶେଷଥର ପାଇଁ ସେ ଦୋକାନରୁ ପୁଣିଥରେ ପିଇବାକୁ ଗଲି । ଅବଶ୍ୟ ମୋର ସବୁବେଳର ପସନ୍ଦ ଲେମନ୍ ସୋଡ଼ା ନ ଥିଲା, ତେଣୁ ତା' ବଡ଼ଭାଇ ଅରେଞ୍ଜ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଲା । ଏହାପରେ ଫେରିଆସିଲି ବସ୍‌ଷ୍ଟାଣ୍ଡ ପାଖକୁ ।

ବଜାର ବୁଲିଆସିବା ଭିତରେ କିନ୍ତୁ ଗୋଟିଏ ଜିନିଷ କେଉଁଠି ବି ନ‌ଜର ଆସିନଥିଲା ପୋଡ଼ା ହୋଇଥିବା ମକା ସ‌ହ ଲେମ୍ବୁ । ମାତ୍ର ବସ୍‌ଷ୍ଟାଣ୍ଡରେ ପ‌ହ‌ଞ୍ଚିବାପରେ ଦେଖିଲି ଗୋଟିଏ ପିଲା ମକା ପୋଡ଼ିବାରେ ଲାଗିଛି, କିନ୍ତୁ ଗ୍ରାହକଙ୍କ ମଧ୍ୟରେ ପୂର୍ବରୁ ବଣ୍ଟାସରିଯାଇଥିଲା ସେସବୁ । ତେଣୁ ମୋ ପାଇଁ ଆଉ ନ ଥିଲା । ସେତେବେଳକୁ ତ‌ଥାପି ବସ୍ ଆସିନଥିଲା । ତେଣୁ ଅପେକ୍ଷା କରି ବସିଲି ବସ୍‌ଷ୍ଟାଣ୍ଡର ବଡ଼ ବଡ଼ ଖମ୍ବ ପାଖରେ ଥିବା ଜାଗା ଉପରେ । ସେତେବେଳେ ମୋ ପାଖରେ ବସିଥିବା ଜଣେ ବୁଢ଼ୀମାଉସୀ ବିକୁଥିଲେ ବାଦାମ । ଆଗରୁ ତାଙ୍କଠାରୁ ଅନେକଥର ଚନା, ବାଦାମ ଆଦି ଖାଇଛୁ । ତେଣୁ ପୁଣିଥରେ ତାଙ୍କଠାରୁ ବାଦମ ନେଇ ଟିକେ ଟିକେ ଖାଇଲି ଆଉ ଅପେକ୍ଷା କରିଥିଲି ବସ୍‌କୁ ଏବଂ ପୁଣିଥରେ ସେଇ ଆପଣାର ଜାଗାକୁ ବିଦାୟ ଦେବାକୁ ।

Saturday, 13 January 2018

ପ୍ରଥମ ବିମାନ ଯାତ୍ରା

ସଂଗ୍ରାମ କେଶରୀ ସେନାପତି 1:54 am 0
ପ୍ରଥମ ବିମାନ ଯାତ୍ରା
ଜୀବନରେ ଅନେକ କିଛି ଆସେ ପୁଣି ଚାଲିଯାଏ । କିନ୍ତୁ କୌଣସି ଜିନିଷ ପ୍ରଥମଥର ପାଇଁ ମାତ୍ର ଥରେ ଆସେ । ଯେମିତିକି, ପ୍ରଥମଥର ପାଇଁ କଥା କ‌ହିବା, ପ୍ରଥମ ଥର ପାଇଁ ସ୍କୁଲ ଯିବ, ପ୍ରଥମ ଥର ପାଇଁ ପ୍ରେମରେ ପଡ଼ିବା ଇତ୍ୟାଦି ଇତ୍ୟାଦି । ସେମିତି ମୁଁ ବି ମୋ ଜୀବନରେ ଘଟିଥିବା ସବୁକିଛି ଘଟଣାରୁ ପ୍ରଥମ ଅଭିଜ୍ଞତା ବିଷୟରେ ଜଣେଇଛି । ପ୍ରଥମଥର ପାଇଁ ପିକ୍‌ନିକ୍ ଯିବା ବିଷୟରେ ହୁଏତ ସେତେବେଳେ ଘଟିଥିବା ସବୁକିଛି ଠିକ୍‌ରେ ମନେ ନ ଥିଲା, ତ‌ଥାପି ସେସବୁକୁ ବି ଲେଖିଥିଲି । ସେମିତି ଆଜି ବି ଏହି ପ୍ରଥମ ବିମାନ ଯାତ୍ରା ବିଷୟରେ ଲେଖୁଛି ।

ଛୋଟବେଳେ ଯେତେବେଳେ ୧୯୯୯ ମହାବାତ୍ୟା ହୋଇଥିଲା, ସେତେବେଳେ ବୋଧେ ଆମେ ସବୁଠାରୁ ଅଧିକ ହେଲିକପ୍ଟର ଦେଖିଥିଲୁ । ଆମ ଗାଁ ଉପର ଦେଇ ତ' କେବେକେବେ ହେଲିକପ୍ଟର ଉଡ଼େ, କିନ୍ତୁ ବିମାନ ବା ଉଡ଼ାଜାହାଜ ବୋଧେ ସେତେବେଳେ କାଇଁ କେବେ ଦେଖିଥିବା କଥା ମନେପଡ଼ୁନି । ଅବଶ୍ୟ ଉଡ଼ାଜାହାଜର ଛବି ଖବରକାଗଜ ଏବଂ ଦୂରଦର୍ଶନରେ ଦେଖିଥିଲି । ବୋଧେ କେବେ ଭୁବନେଶ୍ୱର ଆସିଥିବାବେଳେ ପ୍ରଥମଥର ପାଇଁ ବିମାନ ଉଡ଼ିବା ଦେଖିଥିଲି, କିନ୍ତୁ ସବୁବେଳେ ମୋ ମନରେ ଥାଏ, କେମିତି ବିମାନ ଉଡ଼େ, ସେଇଟା ପାଖରୁ ଦେଖିବି । ଅବଶ୍ୟ ଧିରେ ଧିରେ ବଡ଼ ହେବାପରେ କୌଣସି କୌଣସି କଥାଚତ୍ରରେ ଏବଂ ଇଣ୍ଟରନେଟରୁ ବିମାନ ଉଡ଼ିବା ଦେଖିନିଆଯାଇଥିଲା । ଗୋଡ଼ ନ ଥିବା ଲୋକର ଚାଲିବାକୁ ଇଚ୍ଛା ହୁଏ, ଚାଲୁଥିବା ଲୋକର ଦୌଡ଼ିବାକୁ ମନ ହୁଏ । ସେମିତି ମୋର ବି ବିମାଡ଼ ଉଡ଼ାଣ ଦେଖିବାର ଇଚ୍ଛା ଅବଶ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ କେବେ ଉଡ଼ିବାର ସୁଯୋଗ ମିଳିବ, ଏହା ମୋତେ ଜଣାନଥିଲା । କିନ୍ତୁ, ମନରେ ଜିଜ୍ଞାସା ତ' ନିଶ୍ଚିତ ଥିଲା, ଆଉ ଏହି ସୁଯୋଗ ମିଳିଲା ଅବଶ୍ୟ ମିଳିଲା ଓଡ଼ିଆ ଉଇକିପାଠାଗାର ୩ୟ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ।

ଯଦିଓ ଉଇକିପାଠାଗାରର ଜନ୍ମତିଥି ଅକ୍ଟୋବରରେ ପଡ଼େ, ତ‌ଥାପି ସଭିଙ୍କର ସମୟ ସୁବିଧା ଦେଖି ଡିସେମ୍ବରରେ ପାଳନ କରାଗଲା । ତେଣୁ ବାଙ୍ଗାଲୋରରୁ ଯିବା ପାଇଁ ଟିକେଟ ମଧ୍ୟ ମିଳିଗଲା । ଯେହେତୁ ଡିସେମ୍ବର ୩ରେ ପାଳନ ଥିଲା, ତେଣୁ ୧ରେ ମୁଁ ବାହାରିଲି । ଏଇଥରର ଉଇକିପାଠାଗାରର ଜନ୍ମତିଥି ପାଳନ ବିଷୟରେ ଚିନୁ ଟିକିନିଖି ବୁଝାବୁଝି କରୁଥିଲେ । ସେ ଏକୁଟିଆ ସବୁକିଛି ବୁଝିବାସ‌ହ ମୋ ପାଇଁ ଟିକେଟ ମଧ୍ୟ କରିଦେଇଥିଲେ । ଏମିତିକି ବିମାନ ଯାତ୍ର ସମୟରେ ଯେପରି କୌଣସି ବିଷୟରେ ଅସୁବିଧା ନ ହେବ, ସବୁ ବିଷୟରେ ବୁଝାଇଦେଇଥିଲେ । ଶେଷରେ ଯାତ୍ରା ପାଇଁ ବୋର୍ଡ଼ି ପାସ୍ ସ‌ହ ସିଟ୍ ବୁକିଙ୍ଗ୍ ସେ କରିଦେଇଥିଲେ ।

ଶେଷରେ ଯାତ୍ରା କରିବାର ଦିନ ଆସି ପ‌ହ‌ଞ୍ଚିଗଲା । ଘର ଛାଡ଼ି ବାଙ୍ଗାଲୋର ଆସିବା ପରେ ଏହା ଥିଲା ପ୍ରଥମଥର ପାଇଁ ଘରକୁ ଯାତ୍ର, ସେ ପୁଣି ପ୍ରଥମଥର ବିମାନ ଯାତ୍ରା । ଯେଉଁଦିନ ବାହାରିବାର ଥିଲା, ସେଦିନ ବାଙ୍ଗାଲୋରରେ ବର୍ଷା ହେଉଥିଲା । ଏମିତିରେ ବି ସେଇ ସମୟରେ ମାରାଥାଲିରୁ ବିମାନବନ୍ଦରକୁ ସିଧା ବସ୍ ନ ଥିଲା । ତେଣୁ ହେବାଲ୍‌ ଯାଏଁ ବସ୍ ଧରିବାକୁ ହେଲା । ଆଉ ସେ ୨୦ କିଲୋମିଟରର ରାସ୍ତା ଯିବାକୁ ସେଦିନ ଏତେ ଭିଡ଼ ହୋଇଥିଲା ଯେ, କ‌ହିବାକୁ ନାହିଁ । ଅଧଘଣ୍ଟା ଲାଗିବାକୁ ଥିବା ରାସ୍ତା ସେଦିନ ଦେଢ଼ ଘଣ୍ଟାରୁ ଅଧିକ ସମୟ ନେଇଗଲା । ଆଉ ଶେଷରେ ଅତି କଷ୍ଟରେ ଯାଇକି ହେବାଲ୍‌ରୁ ବିମାନବନ୍ଦର ବସ୍ ଧରିଲି । ଯାହାହେଉ ଠିକ୍ ସମୟରେ ଯାଇକି ସେଠାରେ ପ‌ହ‌ଞ୍ଚିଗଲି । ଅବଶ୍ୟ ବ‌ହୁତ ସମୟ ପୂର୍ବରୁ ଯାଇ ସେଠାରେ ପ‌ହ‌ଞ୍ଚିଗଲି କେମ୍ପାଗୌଡ଼ା ବିମାନବନ୍ଦରରେ ।

ମୁଁ ତ' ଆଗରୁ ବୋର୍ଡ଼ିଂ ପାସ୍ ହୋଇସାରିଥିଲା, ତେଣୁ ସିଧା ଚେକ୍ ଇନ୍ ପାଇଁ ଯିବାକୁ ପଡ଼ିଲା । ଚିନୁ ତ' ଆଗରୁ ସବୁକିଛି ବୁଝାଇଦେଇଥିଲେ, ତେଣୁ କୌଣସି ଅସୁବିଧା ହେଲା ନାହିଁ । ଏବେ ଅପେକ୍ଷା ବିମାନ ଛାଡ଼ିବା ସମୟକୁ । ଗେଟ୍ ନଂ ୧ରେ ଯାଇ ବସିଲି, ଧିରେ ଧିରେ ବାକି ଯାତ୍ରୀମାନେ ବି ଆସିଗଲେ ଆଉ ଶେଷରେ ବିମାନ ଭିତରକୁ ଯିବାର ସମୟ ବି ଆସିଗଲା । ଉଡ଼ାଣ ସମୟ ଦିନ ୩ଟା ୨୦ ରଖାଯାଇଥିଲା, ତେଣୁ ନିର୍ଦ୍ଧାରିତ ସମୟରେ ଆମେ ଯାଇ ନିଜ ନିଜର ସ୍ଥାନରେ ବସିଗଲୁ । କିନ୍ତୁ ଗୋଟେ ଦୁଃଖ ରହିଗଲା କି' ପ୍ରଥମଥର ଯାତ୍ରାରେ ଝରକାପାଖ ମିଳିଲାନି । କିଛି କଥା ନାହିଁ, ଯେଉଁଠି ହେଲେ ବି ଚଳିବ । ଆଉ ହଁ ଗୋଟିଏ କଥା ରହିଗଲା, ବିମାନ ପରିଚାରିକାମାନଙ୍କ କଥା । ସବୁବେଳେ ହସୁଥିବା ମୁଖ, ମନରେ ଯାହା ଯେମିତି ଦୁଃଖ ଥିଲେ ବି, ସେମାନେ ବୋଧେ କେବେ ଦୁଃଖ ପ୍ରକାଶ କରନ୍ତିନି କି କ'ଣ । ସବୁବେଳେ ସେମାନେ ମୁହଁରେ ହସ ଭରି ରଖିଥାନ୍ତି । କଥାକ‌ହିବାର ଚତୁରତା ଏବଂ ଯାତ୍ରୀମାନଙ୍କ ମନ‌କୁ ଜିଣିଲା ଭଳି କଥାହେବା ସେମାନଙ୍କର ସବୁଠାରୁ ବଡ଼ କଳା ।

ସମସ୍ତେ ନିଜ ନିଜର ସ୍ଥାନରେ ବସିଗଲା ପରେ ଏବେ ବିମାନ ପରିଚାରିକା ତାଙ୍କର ସମସ୍ତ ସଦସ୍ୟଙ୍କ ସ‌ହ ପରିଚୟ କରାଇଦେଲେ ଏବଂ ଧିରେ ବିମାନ ଗଡ଼ିବା ଆରମ୍ଭ କଲା । ସେତେବେଳେ ସେମାନେ ପୁଣିଥରେ କିଛି ସୁରକ୍ଷା ସୂଚନା ଦେଲେ । ଏହାପରେ ଧୀରେ ଧୀରେ ଚାଲୁଥିବା ବିମାନର ଗତି ହଠାତ୍ କ୍ଷୀପ୍ର ହୋଇଗଲା ଏବଂ ଧୀରେ ଧୀରେ ଉପରକୁ ଉଠିବାକୁ ଲାଗିଲା । ପୂର୍ବରୁ ସାଙ୍ଗମାନେ ଅବଶ୍ୟ ମୋତେ ଟିକେ ଡରେଇ ଦେଇଥିଲେ କି ଉପରକୁ ଉଠିଲାବେଳେ ବ‌ହୁତ ପ୍ରକାରର ଅସୁବିଧା ହେବ ବୋଲି, କିନ୍ତୁ ସେତେଟା ଅଧିକ କିଛି ହେଲା ନାହିଁ । ଅବଶ୍ୟ ଟିକେ ଅଲଗା ଲାଗିଲା । ବିମାନ ଧିରେ ଧିରେ ଉପରକୁ ଲଗିଲା ଏବଂ ତଳେ ଥିବା ଘରଗୁଡ଼ିକସବୁ ଛୋଟ ହେବାକୁ ଲାଗିଲା । ଉଠିଲାବେଳେ ମେଘଖଣ୍ଡ ଦେଇ ଗତି କଲା ଆଉ ଶେଷରେ ବାଦଲ ଉପରକୁ ବି ଉଠିଗଲା । ସେତେବେଳକୁ ତଳେ ଥିବା ଘରଗୁଡ଼ିକ ଆଉ ଦେଖାଗଲାନି । ଏବେ ଉପରେ ଖାଲି ନୀଳ ଆକାଶ ଦେଖାଗଲା ।

ଅବଶ୍ୟ ଝରକା ପାଖ ହୋଇନଥିବାରୁ ସେତେଟା କିଛି ଦେଖାଗଲାନି, ତ‌ଥାପି କିଛିଟା ନ‌ଜରକୁ ଆସିଲା । ସେହି ସମୟରେ ଥିବା ଉଡ଼ାଣ ବେଳେ ସୂର୍ଯ୍ୟାସ୍ତ ଦୃଶ୍ୟ ବ‌ହୁତ ଭଲରେ ଦେଖିହୁଏ, କିନ୍ତୁ ସେ ବି ହାତରୁ ଚାଲିଗଲା । ଏହାପରେ ଧୀରେ ଧୀରେ ଭୁବନେଶ୍ୱରର ପାଖପାଖି ପ‌ହ‌ଞ୍ଚିଗଲୁ । ଏବେ ତଳ‌କୁ ତ‌ଳକୁ ବିମାନ ଖସିବାକୁ ଲାଗିଲା । ଶେଷରେ ଘରଗୁଡ଼ିକ ଛୋଟଛୋଟ ହୋଇ ପୁଣି ଦେଖାଗଲା ଏବଂ ଉଡ଼ାଣର ଠିକ୍ ସମୟରେ ଅର୍ଥାତ ଦୁଇଘଣ୍ଟାପରେ ଆମେ ଅବତରଣ କଲୁ ।

Friday, 8 December 2017

ଅଦିନିଆ ମେଘ

ସଂଗ୍ରାମ କେଶରୀ ସେନାପତି 10:12 pm 0
ଅଦିନିଆ ମେଘ

ଜୟ ଯବାନ, ଜୟ କିଷାନ ।
ଦେଶର ସୀମାରେ ସୁରକ୍ଷା ପ୍ରଦାନ କରି ଆମର ଯବାନମାନେ ଆମମାନଙ୍କୁ ବାହ୍ୟ ଶତ୍ରୁ କବଳରୁ ରକ୍ଷା କରୁଛନ୍ତି । କିଷାନ ଅର୍ଥାତ ଚାଷୀଭାଇମାନେ ମଧ୍ୟ ନିଜର ରକ୍ତ ଦେଇ ଆମକୁ ଖାଇବାକୁ ଆମର ନିଜ ଭିତରେ ସୃଷ୍ଟି ହେବାକୁ ଥିବା ରୋଗ ରୂପୀ ଶତ୍ରୁଠାରୁ ରକ୍ଷା କରୁଛନ୍ତି । ଚଷାଭାଇଟିଏ ହଳ‌ଲଙ୍ଗଳ ଧରି ନିଇତି କାମ କରି ଆମକୁ ଖାଇବାକୁ ଦିଏ, ହେଲେ ଆମେ ତାକୁ କିଛି ବି ଦେଇପାରୁନା । "ଆମେ ବା ଦେବାକୁ କିଏ, ସବୁ ସେଇ ଉପରବାଲା ହାତରେ" କ‌ହି ଆମ ଆମ ଦାୟିତ୍ୱରୁ ପାର୍ ହେଇଯାଉ । ଉପରବାଲା, ଅର୍ଥାତ ଭଗବାନ, ସଭିଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇ ଆସିଛି । କର୍ମ ଘେନି ଫଳ ଦେଇଥାଏ ସେ ସମସ୍ତଙ୍କୁ । ଚାଷୀଟିଏ କିନ୍ତୁ ତା'ର ଜୀବନସାରା ପରିଶ୍ରମ କରି ଅନେକଙ୍କୁ ଅନାହାରରୁ ରକ୍ଷା କରିଛି । କେବେ କେବେ ନିଜେ ନ‌ ଖାଇ, ନିଜ ପିଲାକୁ ଖାଇବାକୁ ଦେଇ ନ ପାରି ମଧ୍ୟ ସେ କ୍ଷେତରେ ଧାନ ରୂପି ସୁନା ଫଳେଇଛି ଆମମାନଙ୍କ ପାଇଁ ।

Photo by Gaunliya.

ବର୍ଷା ଋତୁର ଆରମ୍ଭରେ ଧାନ ଫସଲର ଆରମ୍ଭ ହୋଇଥାଏ । ହଳ କରିବା ପାଇଁ ସେତେବେଳେ ପର୍ଯ୍ୟାପ୍ତ ପରିମାଣରେ ପାଣି ମିଳିଲାନି, ତେଣୁ ଚାଷ କାର୍ଯ୍ୟ ଆରମ୍ଭରେ ଅନେକ ବିଳମ୍ବ ହେଲା ଆଉ ପରେ ଚାଷ ଆରମ୍ଭ ହେବାର କିଛିଦିନ ପରେ ବନ୍ୟା ଆସିଗଲା । ଏମିତି ଅନେକ ବନ୍ୟା ଜଳରେ ବୁଡ଼ି ଯେତେବେଳେ ଧାନ ଗଛଟିର ଥୋଡ଼ ବାହାରିବାକୁ ଲାଗିଲା, ସେବେ ପୁଣିଥରେ ବାତ୍ୟା ଆସି ତାକୁ ପୁଣି ଦୋହଲେଇଦେଲା । ପରିଶେଷରେ ଯାହା ଯେମିତି ବଞ୍ଚିଗଲା, ତାକୁ ପୁଣି ବିପଦ ହୋଇ ମାଡ଼ି ଆସିଲା ଅଦିନିଆ, ଶୀତକାଳରେ ଲଘୁଚାପ । ହଳଦୀ ରଙ୍ଗ ଧାନ ଯେତେବେଳେ କଟା ହୋଇ ବିଲରେ ପଡ଼ିଥିଲା, ସେତେବେଳେ ପ୍ରକୃତି ପୁଣିଥରେ ଯୁଦ୍ଧ ଘୋଷଣା କଲା । ଅଦିନରେ ଶୀତଋତୁରେ ଲଘୁଚାପ ରୂପରେ ଆକ୍ରମଣ କଲା ଚଷା ଭାଇ ଉପରେ । ଅନେକଙ୍କ ପାଇଁ ଏଇ ଶୀତଦିନିଆ ଝିପିଝିପି ବରଷା ସାଙ୍ଗକୁ କୋହଲା ପବନ ଆକର୍ଷଣୀୟ ପାଗ ହୋଇ ଆସିଥିବା ବେଳେ, ନିଜ ପେଟକୁ ଭୋକିଲା ରଖି ଆମକୁ ଖାଇବାକୁ ଦେଉଥିବା ସେଇ ଚାଷୀ ପାଇଁ ଏହା ମହାକାଳ ବିପଦ ।

ଧାନ ଚାଷ ପାଇଁ ଯାହା ଯେମିତି ସରକାରଙ୍କଠାରୁ ଋଣ ନେଇ ଚାଷ କରିଥିଲା, ସବୁ ଆକ୍ରମଣକୁ ସାମ୍ନା କରି ବଞ୍ଚିଯାଇଥିବା କେଇଟା ଧାନ ପୁଣିଥରେ ଏକ ବ‌ହୁତ ବଡ଼ ଭୟଙ୍କର ଆକ୍ରମଣର ସାମ୍ନା କରିବାକୁ ଯାଉଛି । ସେ ପୁଣି ଶୋଇରହିଥିବା ବେଳେ ଆକ୍ରମଣର ସାମ୍ନା କରିବାକୁ ଯାଉଛି । ଜଣା ନାହିଁ ଏହି ଆକ୍ରମଣର ପରିଣତି କ'ଣ ହେବ । କୌଣସି ବି ପରିସ୍ଥିତିରେ ଏହି ଆକ୍ରମଣକୁ ସାମ୍ନା କରିବାକୁ ହେବ ତା'କୁ । ଶେଷରେ ଯାହା କିଛି ପାଇବ, ତାକୁ ନେଇ ପୁଣିଥରେ ସେ ଆମ ପାଇଁ ଦାନା ବଢ଼ାଇଦେବ । ହୁଏତ ରହିଯାଇଥିବା ସେହି କିଞ୍ଚିତ ଧାନ ତା' ଘର ପାଇଁ ନିଅଣ୍ଟ ହୋଇପାରେ, କିନ୍ତୁ ଚାଷ ପାଇଁ କରିଥିବା କରଜକୁ ସୁଝିବାକୁ ହେଲେ ତାକୁ ପୁଣି ରହିବାକୁ ପଡ଼ିବ ଉପାସ । ତାକୁ ପୁଣି ସେହିଭଳି କଷ୍ଟ ସ‌ହି ମିଛି ମିଛିକା ଜୟ ଜୟକାର ଶୁଣିବାକୁ ହେବ ।

Monday, 20 November 2017

ପ୍ରେମରେ ସନ୍ଦେହ ଏବଂ ଛଳନା

ସଂଗ୍ରାମ କେଶରୀ ସେନାପତି 10:07 pm 0
ପ୍ରେମରେ ସନ୍ଦେହ ଏବଂ ଛଳନା
ପ୍ରେମ ଶାସ୍ୱତ, ପ୍ରେମ ଚିରନ୍ତନ । ପ୍ରେମ ହିଁ ଏକ ଏଭଳି ଜିନିଷ ଯାହାକି ଜ୍ଞାନ ପରି ବାଣ୍ଟିଲେ ବଢ଼ିଥାଏ । କାହିଁ କେଉଁ ଅନାଦି କାଳରୁ ପ୍ରେମର ସୃଷ୍ଟି ହୋଇଥିଲା । ପ୍ରେମ ସବୁଆଡ଼େ ତା'ର ଆଧିପତ୍ୟ ବିସ୍ତାର କରିରଖିଛି । ବୋଧହୁଏ ଏଇ ଦୁନିଆର ସୃଷ୍ଟି ହେବା ଦିନରୁ ପ୍ରେମ ସୃଷ୍ଟି ହୋଇଥିଲା । ପ୍ରେମର ଶକ୍ତି ସବୁଠୁ ବଡ଼ । ଯେମିତି ଜ୍ଞାନର ଶକ୍ତିରେ ଆମେ ଅନେକ ଅସାଧ୍ୟ ଲାଗୁଥିବା କାର୍ଯ୍ୟକୁ ସ‌ହଜରେ କରିପାରିଥାଉ, ସେହିପରି ପ୍ରେମରେ ଆମେ ଅନେକ କିଛି କାର୍ଯ୍ୟକୁ କରିପାରିବା । ପ୍ରେମର ଆଦି ନ ଥାଏ କିମ୍ବା ଅନ୍ତ ନ ଥାଏ । ପ୍ରେମର ସୀମାକୁ ମାପିବା କେବେ ସମ୍ଭବପର ନୁହେଁ ।

ପ୍ରେମର ପରିଭାଷା ଅଲଗା ଅଲଗା ଭାବରେ ବର୍ଣ୍ଣନା କରାଯାଇଛି । ପରିବାରର ସଦସ୍ୟଙ୍କ ଠାରୁ ଆରମ୍ଭ କରି ଦୁନିଆରେ ଥିବା କେତେକ ବସ୍ତୁକୁ ଆମେ ପ୍ରେମ କରିଥାଉ । ମୁଖ୍ୟତଃ ପ୍ରେମିକ ଏବଂ ପ୍ରେମିକାଙ୍କର ପ୍ରେମକୁ ଲେକେ ପ୍ରେମ ବୋଲି ମାନନ୍ତି । ବାକି ସବୁକୁ କେହି ସେତେ ଗୁରୁତ୍ୱ ଦିଅନ୍ତିନି । ପ୍ରେମ ଏକ ସୁନ୍ଦର ଆକର୍ଷଣ ସୃଷ୍ଟି କରିଥାଏ । ସେହି ଆକର୍ଷଣ ମାଧ୍ୟାକର୍ଷଣ ଶକ୍ତିଠାରୁ ବି ଅଧିକ ଶକ୍ତିଶାଳୀ ବୋଲି କେତେକ ସାହିତ୍ୟିକ ତାଙ୍କ ରଚନାରେ ବର୍ଣ୍ଣନା କରିଛନ୍ତି । ପ୍ରେମ ସବୁବେଳେ ଦୁଇଟି ମନ ଏବଂ ହୃଦୟରୁ ଜାତ ହୋଇଥାଏ । ପ୍ରେମ ମଧ୍ୟ ଆଉ କାହାରି ସ୍ଥାନ ନଥାଏ ।

କିନ୍ତୁ ଏହି ଅସୀମ ଅମୀୟ ପ୍ରେମ ମଧ୍ୟରେ ଯେବେ ଛଳନା ଏବଂ ସନ୍ଦେହର ଖଳନାୟକ ପ୍ରେବେଶ କରେ, ସେବେ ସେ ଅଖଣ୍ଡ ପ୍ରେମ ମଧ୍ୟ କୃଷ୍ଣପକ୍ଷର ଚାନ୍ଦ ପରି କ୍ଷୟ ହୋଇଯାଏ ଏବଂ ଏମିତି ଏକ ସମୟ ଆସେ, ଯେବେ ସେ ପ୍ରେମର ଆଉ ସତ୍ତା ରହେନି । ସନ୍ଦେହ ହିଁ ସବୁ ଅନର୍ଥର ମୂଳ । ସନ୍ଦେହ ହିଁ ଅନେକ ମଧୁର ସମ୍ପର୍କ‌କୁ ଭାଙ୍ଗି ଦେଇଛି । ପ୍ରେମରେ ବୁଡ଼ି ରହିଥିବା ଅନେକ ଲୋକଙ୍କୁ କୂଳକୁ ଠେଲି ଦେଇଛି । କେତେକ ସମୟରେ ଗୋଟିଏ ସମ୍ପର୍କର ସୁମଧୁରତାକୁ ବଜାଇ ରଖିବାକୁ ପ୍ରେମରେ ଥିବା ବ୍ୟକ୍ତିଟିଏ ସବୁକିଛିକୁ ଆଖିବୁଜି ଦିଏ । ମାତ୍ର ପରେ ଧିରେ ଧିରେ ସେହି ଆଖିବୁଜା ବେଶିଦିନ ରହେନି । ଦିନେ ନା ଦିନେ ସେ ସନ୍ଦେହର ଜ୍ୱାଳା ପ୍ରେମକୁ ଘୃଣାରେ ବଦଳାଇ ଦିଏ ।




Sunday, 12 November 2017

ନିଷ୍ପତ୍ତି

ସଂଗ୍ରାମ କେଶରୀ ସେନାପତି 11:56 pm 0
ନିଷ୍ପତ୍ତି

ପାଖାପାଖି ୬ ଘଣ୍ଟା ହେଲାଣି ମୁଁ ସେମିତି ଝୁଲୁଥିଲି । କାହିଁ କେତେବେଳୁ ସକାଳ ହେଇଗଲାଣି । ଘରେ ସମସ୍ତେ ଉଠିଗଲେଣି । ବୋଉ କେତେବେଳୁ ଉଠି ସବୁକାମ ସାରି ବାପାଙ୍କ ଅଫିସ ଯିବା ଆଗରୁ ଜଳଖିଆ ବି ତିଆରି କରିସାରିଲାଣି । ସମସ୍ତଙ୍କର କଥୋପକଥନ ମୋ କାନରେ ବ‌ହୁତ ଭଲ ଭାବରେ ପଡ଼ୁଛି । ସମସ୍ତଙ୍କୁ ଲାଗୁଛି କି ମୁଁ ବୋଧେ ଏବେଯାଏଁ ନିଦରେ ଶୋଇଥିବି କି କ'ଣ । ମୋର ଟିକେ ଡେରୀ ଯାଏଁ ଶୋଇବା ଗୋଟେ ନିତିଦିନିଆ ଅଭ୍ୟାସ । ବାପା ଉଠିଲା ପରେ ତାଙ୍କ କାମ ସବୁ ସାରି ଖାଇବା ପାଇଁ ବସିଲେ ଆଉ ନିତିଦିନ ଭଳିଆ ମୋ କଥା ବୋଉକୁ ପଚାରିଲେ । ଆଉ କ‌ହିଲେ ପୁଅକୁ ଆଜି ଶୀଘ୍ର ଉଠେଇବା ଦରକାର ନାହିଁ, କାଲି ରାତିରେ ମନ ଦୁଃଖରେ ଶୋଇଥିଲା, ବିଳମ୍ବରେ ଶୋଇଥିବ ବୋଧେ ଆଜି ଟିକିଏ ଡେରୀଯାଏଁ ଶୋଇଥାଉ ।

କାଲିର ଘଟଣା କଥା କ‌ହିବାକୁ ଭୁଲିଗଲି । କାଲି ମୋର ପରୀକ୍ଷାର ଫଳ ବାହାରିଥିଲା । ୬ଟି ବିଷୟରୁ ମୁଁ ୨ଟି ଫେଲ୍ ହେଇଯାଇଥିଲି । ଆଉ ଏହି ଖବର ଯେତେବେଳେ ଆସିକି ଘରେ ଶୁଣେଇଲି, ସମସ୍ତେ ଆଶ୍ଚର୍ଯ୍ୟ ହେବା ସ‌ହ ଯିଏ ଯାହା ପାରିଲା ଗାଳି କଲା । ମୋତେ କେବେ ଗାଳି କରୁନଥିବା ବାପା ବି ମୋତେ କାଲି ପ୍ରବଳ ଗାଳିଦେଲେ । ଏମିତିକି ପରୀକ୍ଷାରେ ବାରମ୍ବାର ଅଳ୍ପ ନମ୍ବର ରଖିବା ପରେ ବି କେବେ କିଛି କ‌ହୁନଥିଲେ କିନ୍ତୁ କାଲି ଏତେ ଗାଳି ଦେବେ ବୋଲି ମୁଁ କେବେ ବି ଆଶା କରିନଥିଲି । ପିଲାବେଳଠାରୁ କରିଥିବା ସବୁ ଭୁଲକୁ ମନେ ପକାଇ ବୋଧେ ସେ ସବୁଯାକ ରାଗ ଶାନ୍ତ ହେବା ଯାଏଁ ଗାଳି କରିଥିଲେ ।

ମୁଁ କୁଆଡ଼େ ବଂଶର ନାଆଁ ପକେଇଦେଲି ବୋଲି ବାପା କ‌ହିଲେ । ପାଠ ନ ପଢ଼ି ସବୁ ବିଷୟରେ କମ୍ ନମ୍ବର ରଖୁଥିଲି ଆଉ ଏବେ ପୁଣି ପରୀକ୍ଷାରେ ଫେଲ ହେବା ପରେ ଲୋକଲଜ୍ୟାକୁ ବଢ଼େଇଦେଇଛି । ଏହିଭଳି ଗୋଟେ କୁଳାଙ୍ଗାର ପୁଅର ବାପା ହେଇଥିବାରୁ ସେ ନିଜକୁ ଧିକ୍କାର କରିବା ସ‌ହ ବୋଉକୁ ମଧ୍ୟ ଗାଳି କରି ଏହାର ଦୋଷ ଦେଲେ । ବୋଉ ମଧ୍ୟ ତା'ର ସମସ୍ତ ରାଗ ମୋ ଉପରେ ସୁଝେଇଦେଲା । ଏମିତିକି ଜନ୍ମ‌ବେଳେ କାହିଁକି ମରିଗଲି ବୋଲି କ‌ହିଲା । ମୋ ସାନ ଭଉଣୀ ବି ସେମାନଙ୍କ ସ‌ହ ମୋତେ ଅପମାନିତ କରିବାରେ ହେଳା କଲାନି । ସବୁପରେ ମୁଁ ଚୁପ୍ ଚାପ୍ ରାତିରେ ମୋ ଘରେ କବାଟ ବନ୍ଦ କରି ରହିଲି । ସବୁ ଖାଇବାକୁ ବସିଲେ । କାହାରି ପାଟିରୁ କୌଣସି ଶବ୍ଦ ବାହାରୁନଥିଲା । ହେଲେ ବାସନ କୁସନର ଶବ୍ଦରେ ମୁଁ ସେସବୁ ବାରି ପାରୁଥିଲି । ରାତିରେ ସମସ୍ତେ ଚୁପ୍‌ଚାପ୍ ଶୋଇ ବି ଗଲେ ।

ମୋତେ କିନ୍ତୁ ଭୋକ ଲାଗୁନଥିଲା କି ନିଦ ବି ଲାଗୁନଥିଲା । ଆଖି ଆଗରେ ସେ ନମ୍ବର ଆଉ କାନରେ ବାପାବୋଉଙ୍କର କଥା ବାରମ୍ବାର ଆସି ବାଡ଼େଇ ହେଉଥିଲା । ଜୀବନରେ ବୋଉ ଅନେକଥର ଗାଳିଦେଇଥିଲା, କିନ୍ତୁ ବାପା ତ' କେବେ କିଛି କୁହ‌ନ୍ତିନି । ଆଜି କିନ୍ତୁ ସେ ତାଙ୍କର ସେ ଶାନ୍ତ ସ୍ୱଭାବରୁ ଅଲଗା ଏକ ଦୁନିଆକୁ ପଳେଇଯାଇଥିଲେ । ଯେଉଁ ଦୁନିଆରେ ମୋ ପାଇଁ ତାଙ୍କର ସବୁକିଛି ପୋଡ଼ିଜଳି ପାଉଁଶ ହୋଇଯାଇଥିଲା । ନିଜର ଅନ୍ତରର ଅଗ୍ନୀକୁ ମୋ ଉପରେ ଉଜାଡ଼ି ଦେଇଥିଲେ ସେ । ବୋଉର ସବୁବେଳର ଗାଳିକୁ କିନ୍ତୁ ମୁଁ କେବେ ମୋ ମନରେ ଧରେନି । ହେଲେ ତା'ର ସେ ପଦିଏ କଥା ଯେମିତି ମୋର ଶରୀର ପ୍ରତିଟି ରକ୍ତକଣିକା ସ‌ହ ମିଶି ଯାଇଥିଲା ଏବଂ ସଭିଏଁ ମୋତେ ଉପ‌ହାସ କରୁଥିଲେ ।

ଏତିବେଳେ ମୋ ଭଉଣୀ କଲେଜ ଯିବା ପାଇଁ ସକାଳୁ ବାହାରିସାରିବା ପରେ ମୋ କବାଟ ବାଡ଼େଇ ଡାକିଲ ଆଉ ତାକୁ କଲେଜ ଛାଡ଼ିଦେବାକୁ କ‌ହିଲା । ମୋ ତରଫରୁ କୌଣସି ପ୍ରକାରର ଉତ୍ତର ନ ପାଇ ସେ ବି ଚୁପ୍‌ଚାପ୍ ଖାଇବା ଆରମ୍ଭ କଲା ଆଉ ବୋଉକୁ କ‌ହିଲା ଆଜି ମୁଁ କଲେଜ ବସ୍‌ରେ ପଲେଇ ଯାଉଛି, ଭାଇ ଉଠିଲେ କ‌ହିବୁ ମୋତେ କିନ୍ତୁ ସେ ଆଜି ଆଣିବାକୁ ଯିବ । କଲେଜରୁ ଆସିଲା ବେଳେ କିଛି ପିଲା ମୋ ସ‌ହ ଖରାପ ବ୍ୟବ‌ହାର କରୁଛନ୍ତି, ସେ ଗଲେ ସେମାନେ ଆଉ କେବେ ସେମିତି କରିବେନି ।

ଏହାପରେ ବାପା ବି ଯିବାକୁ ବାହାରିଲେ, ଗଲାବେଳେ ବୋଉକୁ କ‌ହିଲେ ଗଡ୍ରେଜରୁ ଲାପ୍‌ଟପ୍‌ଟା ବାହାର କରିକି ଟେବୁଲ ଉପରେ ରଖିଦିଅ, ଯେମିତି ପୁଅ ଉଠିଲେ ଦେଖିକି ବ‌ହୁତ ଖୁସି ହେବ । ମୁଁ ତାଙ୍କୁ କିଛିଦିନ ତଳେ ଲାପ୍‌ଟପ୍ ଆଣିଦେବାକୁ କ‌ହିଥିଲି, ହେଲେ ସେ ଗୋଟିଏ ସର୍ତ୍ତ ରଖିଥିଲେ କି ମୁଁ ପରୀକ୍ଷାରେ ଭଲ ନମ୍ବର ରଖିଲେ ସେ ପରଦିନ ଲାପ୍‌ଟପ୍ କିଣିଆଣିବେ ବୋଲି । କିନ୍ତୁ ଏ କ'ଣ ସେ ମୋର ପରୀକ୍ଷା ଫଳ ଜାଣିବା ଆଗରୁ ହିଁ ଲାପ୍‌ଟପ୍ ଆଣିଦେଇଥିଲେ । ଏହି କଥା ତାଙ୍କର ମୋ ପ୍ରତି ଥିବା ଭଲ ପାଇବାର ଗଭୀରତାକୁ ଦର୍ଶାଉଥିଲା । ସେ କାଲି ଏତେ ଗାଳି କରିଥିଲେ ବୋଲି ବି ଅନୁତାପ କଲେ ଆଉ ‌ବୋଉକୁ କ‌ହିଲେ, "ପୁଅଟାକୁ ସମସ୍ତେ ମିଶି ଏତେ ଗାଳି କରିଦେବାଟା ବି ଭଲ ହେଲାନି ।" ଏହା କ‌ହି ସାରିବା ପରେ ସେ ବି ଆସି ମୋର କବାଟ ବାଡ଼େଇ ଦୁଇଥର ଡାକି ଦେଇ ଅଫିସ୍ ଚାଲିଗଲେ ।

ସମସ୍ତେ ଯିବା ପରେ ବୋଉ ମୋ ପାଇଁ କ'ଣ ସବୁ ମନପସନ୍ଦର ରୋଷେଇ କରିଥିଲା ବୋଲି କ‌ହିଲା ଆଉ ମୋର କବାଟକୁ ବି ସେ ଦୁଇଥର ବାଡ଼େଇ ଡାକିଲା । କିଛି ଉତ୍ତର ନ ମିଳିବାରୁ ସେ ପୁଣିଥରେ ତା' କାମରେ ଚାଲିଗଲା । ସେତେବେଳେ ମୁଁ ପୁଣିଥରେ ବାପା, ବୋଉ ଆଉ ମୋ ଭଉଣୀ କଥା ମନେ ପକେଇଲି । କାଲି ରାତିରେ ସେମାନେ ମୋତେ ଏତେ ଗାଳି କରିଥିଲେ, ହେଲେ ସକାଳୁ ସେମାନେ ମୋ ପାଇଁ କେତେ କ'ଣ କରୁଛନ୍ତି । ମୋ ଭଉଣୀ ଯିଏକି ମୋତେ ଗାଳି କରିଥିଲା ଆଜି ସେ ମୋର ଭାଇ ହେବାର କର୍ତ୍ତବ୍ୟକୁ ମନେ ପକାଉଥିଲା ଆଉ ମୋ ବାପା ଯିଏକି ମୋତେ ସବୁଠୁ ଅଧିକ ଗାଳି କରିଥିଲେ, ସେ ମୋର ସେ ପରୀକ୍ଷା ଫଳ ବିଷୟରେ କୌଣସି କିଛି ନ ଭାବି ଲାପ୍‌ଟପ୍ ବି କିଣିଆଣିଦେଇଥିଲେ । ବୋଉ ଯିଏକି କାଲି କ‌ହୁଥିଲା, ମୁଁ ଜନ୍ମ‌ବେଳେ କାହିଁକି ମରିଗଲିନି, ସେ ଆଜି ମୋ ପାଇଁ ମୋ ମନପସନ୍ଦର ଖାଇବା ତିଆରି କରିଥିଲା ।

କିନ୍ତୁ ମୁଁ କ'ଣ କଲି, ସେମାନଙ୍କର ଅଭିମାନର କେଇପଦ କଥା ପାଇଁ ଏହି ଭଳି ଗୋଟିଏ ଭୁଲ ନିଷ୍ପତ୍ତି ନେଇଗଲି । ସେମାନଙ୍କର କଥା ଥରୁଟିଏ ବି ଭାବିଲିନି । ଅଭିମାନର କ‌ହିଥିବା କଥାକୁ ସତରେ ପରିଣତ କରିଦେଲି । ଏହି ସମୟରେ ବୋଉ ପୁଣିଥରେ ଆସିଲା, ଏଇଥର କିନ୍ତୁ ସେ ଘରର ତାଲା ଖୋଲି ପଶିବା ପାଇଁ ଚାବି ନେଇ ଆସିଥିଲା । ମୁଁ କିନ୍ତୁ ସେତେବେଳେ ତାକୁ ଭିତରକୁ ଆସିବାକୁ ଅଟକାଉଥିଲି, ବ‌ହୁତ ଜୋର୍‌ରେ ଚିଲାଉଥିଲି ଭିତରକୁ ଆସେନି । ଏହିସବୁ ଦେଖି ତୁ କେବେ ସମ୍ଭାଳି ପାରିବୁନି । କିନ୍ତୁ ମୋର କୌଣସି କଥା କାହାକୁ ବି ଶୁଣାଯାଉନଥିଲା ।



ବି.ଦ୍ର.:ଏହି ଲେଖାଟି ମୁଁ ଅନେକ ଦିନ ତଳେ ଫେସବୁକ୍‌ରେ ଇଂରାଜୀରେ ପଢ଼ିଥିଲି ।


Sunday, 29 October 2017

ଶତାବ୍ଦୀର ଶେଷ ପ୍ରଳୟ

ସଂଗ୍ରାମ କେଶରୀ ସେନାପତି 3:06 pm 0
ଶତାବ୍ଦୀର ଶେଷ ପ୍ରଳୟ

୧୯୯୯ ମହାବାତ୍ୟାକୁ ଆଜି ୧୮ ବର୍ଷ ପୁରିଗଲା । ସେଦିନର ସମ୍ପୂର୍ଣ୍ଣ ଘଟଣାକ୍ରମ ମୋତେ ମନେନଥିଲେ ବି କିଛି କିଛି ମନେ ଅଛି ।

ସଦ୍ୟ ଦୁର୍ଗାପୂଜା ଶେଷ ହୋଇଥାଏ । ଆମ ଘରେ ମାଆ, ବାପା, ମୁଁ, ଆମ ଝିଅ କଥା କ‌ହିବା ବି ଶିଖିନଥିଲା । ମୋର ଜଣେ ମାଉସୀ ଆଉ ତା' କୁନି ଝିଅ ଆମ ଘରେ ଥିଲେ । ବାତ୍ୟା ଆରମ୍ଭରେ କ'ଣ ଆଉ କେମିତି ଥିଲା ସେ ବିଷୟ ମୋତେ ଜଣାନାହିଁ । ଆମର ଘରକୁ ଲାଗି ଗୋଟେ ଲମ୍ବଦାଣ୍ଡି ଘର ଥିଲା । ସେଇଠି ଗୋଟେ ପଟେ ରୋଷେଇ ଘର ଓ ଅନ୍ୟପଟେ ଗୁହାଳ ଥିଲା । ସକାଳୁ ଉଠିଲାବେଳକୁ ସେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ବାପା ରାତିରେ ଗାଈଦୁଇଟିଙ୍କୁ ବାଛୁରୀ ସ‌ହ ଆଉ ଗୋଟିଏ ଘରକୁ ଆଣିଦେଇଥିଲେ । ଏକୁଟିଆ ସେ ସବୁତକ ଜିନିଷ ରୋଷେଇ ଘରୁ ଆଣିପାରିନଥିଲେ । ଭାଗ୍ୟ ଭଲ ଥିଲା, ରୋଷେଇ ଘରେ ଥିବା ଚାଉଳବସ୍ତା ସବୁ ଆମ ଶୋଇଲା ଘରକୁ କିଛିଦିନ ଆଗରୁ ଆଣିଦେଇଥିଲେ ।

ସେତେବେଳେ ଆମ ଗାଁରେ ବିଜୁଳି ଆଲୁଅ ନଥିଲା, ତେଣୁ ବାତ୍ୟା ବିଷୟରେ ସତେ ଜ୍ଞାନ କାହାକୁ ମିଳିପାରିନଥିଲା । ଅନେକଙ୍କର ଘର ଭାଙ୍ଗିଗଲା, ସବୁଗଛ ଉପୁଡ଼ି ପଡ଼ିଥିଲା । ଆମର ଶୋଇବା ଘରକୁ ଛାଡ଼ିଦେଲେ ଆମର ଆଉ ଘର ନଥିଲା । ଅନ୍ୟଘରଟିରେ ଗାଈମାନେ । ସେଇ ଗୋଟିଏ ଘରେ ରୋଷେଇ ଠାରୁ ଆରମ୍ଭ କରି ସବୁକିଛି । ସେତେବେଳେ ଯାହାହେଉ ରେଡ଼ିଓ ଗୋଟିଏ ଥିଲା, ସେ ଥିଲା ଆମ ସଭିଙ୍କର ସାହାଭରଷା । ବାଡ଼ିରେ ଥିବା ସବୁଯାକ ଅମୃତଭଣ୍ଡା ଆଉ କଦଳୀଗଛ ଭାଙ୍ଗିଯାଇଥିଲା । ସେ ହିଁ ଥିଲା ଆମମାନଙ୍କର ଆହାର । ଆଖପାଖର ପଡ଼ୋଶୀଙ୍କର ବି ସମଦଶା । ଅନେକଙ୍କର ଘରେ ବି ପାଣିପଶିଯାଇଥିଲା । ବର୍ଷାଦିନ ହୋଇଥିବାରୁ ମାଛ ଧରିବା ପାଇଁ ଲୋକମାନେ କେନାଲଯାଏଁ ସବୁ ନାଳ କରିଥିଲେ ଆଉ ସେ ନାଳ ଦେଇ ପ୍ରାୟ ସବୁ ପାଣି ବାହାରିଗଲା । ତ‌ଥାପି ଅନେକ କିଛି କ୍ଷତି କରିଦେଇଥିଲା ।

ବାତ୍ୟା ଶେଷ ହେବା ପରେ ଅନେକ ରିଲିଫ୍ ଆସିଲା । ପିଲଥିନ୍‌ଠାରୁ ଆରମ୍ଭ କରି ଚୁଡ଼ାଗୁଡ଼ ଯାଏଁ ଆସିଲା । ବୋଧେ ସେତେବେଳେ ଆମେ ସବୁଠୁ ଅଧିକା ହେଲିକପ୍ଟର ଉଡ଼ିବା ଦେଖିଥିବୁ । ଦିନ‌କୁ ୪/୫ଟି ହେଲକପ୍ଟର ଆକାଶରେ ଉଡ଼ୁଥିଲା । ମହାବାତ୍ୟା ଶେଷରେ ଆମ ଗାଁରେ ବୋଧେ ସବୁଠୁ ଅଧିକ ମାଙ୍କଡ଼ମାନେ ମରିଯାଇଥିଲେ । ସେମାନେ ରହୁଥିବା ସବୁଯାକ ବଡ଼ ଗଛ ଉପୁଡ଼ି ପଡ଼ିଥିଲା । ଦୈବାତ୍ ଉପୁଡ଼ିଥିବା ଗଛଗୁଡ଼ିକ କାହାରି ଘର ଉପରେ ପଡ଼ି କାହାରି ଜୀବନ ନେଇନଥିଲା ।

ମହାବାତ୍ୟାକୁ ଅନେକ ଦିନ ହେଇଗଲାଣି, ତ‌ଥାପି ଲୋକଙ୍କ ମନରୁ ସେ କୋକୁଆ ଭୟ ଏବେଯାଏଁ ଯାଇନି । ଆଜିବି ଅକ୍ଟୋବର ୨୯ ଆସିଲେ ଲୋକମାନେ ଆଗାମୀ ୭ଦିନ ପାଇଁ ଖାଇବା ଜିନିଷ ଆଣି ଘର ରଖିଦେଉଛନ୍ତି । ଶତାବ୍ଦୀ ଏହି ଶେଷ ପ୍ରଳୟ ବିଗତ ଶତାବ୍ଦୀ ସବୁଠାରୁ ବଡ଼ ଭୟ ହୋଇ ଜାଗିରହିଛି ଲୋକଙ୍କ ମନରେ, ପ୍ରାଣରେ ।

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ୧୮ବର୍ଷ ପୂର୍ବର ସେଇ ଲୋମହର୍ଷଣକାରୀ ଦୃଶ୍ୟର ବାଲୁକାକଳା


Thursday, 26 October 2017

ରଜ ହାଟ

ସଂଗ୍ରାମ କେଶରୀ ସେନାପତି 3:21 pm 0
ରଜ ହାଟ
ମୁଖ୍ୟତଃ ଗାଁମାନଙ୍କରେ ହାଟ ବସିଥାଏ । କେଉଁଠି କେଉଁଠି ସପ୍ତାହରେ ଥରେ ତ' ପୁଣି କେଉଁଠି ସପ୍ତାହରେ ଦୁଇଥର । ଗୋଟିଏ ନିର୍ଦ୍ଧିଷ୍ଠ ଜାଗା ଥାଏ, ଯେଉଁଠି ଆଖାପଖର କିଛି ଉଠାଦୋକାନୀମାନେ ଆସି ଦୋକାନ କରନ୍ତି । କେଉଁ କେଉଁ ହାଟ ସକାଳୁ ସଞ୍ଜ ଯାଏଁ ବସେ ଆଉ କେଉଁଠି ସଞ୍ଜବେଳିଆ ହାଟ ବି ବସେ । ଆମ ଗାଁଠାରୁ ଚାରି କିଲୋମିଟର ଦୂରରେ ଗୋଟେ ହାଟ ବସେ । ସେଇଟା ସପ୍ତାହରେ ଦୁଇଦିନ, ବୁଧବାର ଆଉ ରବିବାର ବସେ । ଆମର ଏହି ହାଟ‌ଟି ଦିନ ବେଳେ ହିଁ ବସେ । ସକାଳ ୮ଟାରୁ ଅପରାହ୍ନଯାଏଁ ହାଟରେ ଭିଡ଼ ଜମିଥାଏ । ନାନା ରକମର ଜିନିଷ ସବୁ ହାଟରେ ମିଳୁଥିବାରୁ ବ‌ହୁତ ଲୋକ ଭିଡ଼ ଜମେଇଥାନ୍ତି । ହାଟରେ ବିକ୍ରି କରିବା ପାଇଁ ବାହାରୁ ପରିବାଚାଷୀମାନେ ମଧ୍ୟ ପରିବା ଧରିକି ଆସିଥାନ୍ତି ।

ମୁଁ ଆଗରୁ ବ‌ହୁତ‌ଥର ହାଟକୁ ଯାଇଥିଲି । ବାପାଙ୍କ ସ‌ହିତ ପ୍ରାୟ ସବୁବେଳେ ଯାଏ । ଆମର କିଛି ପର୍ବପର୍ବାଣୀ (ରଜ, ଦୁତିବାହାନ, ପ୍ରଥମାଷ୍ଟମୀ, ବଡ଼ଓଷା) ସମୟରେ ହାଟରେ ପ୍ରବଳ ଭିଡ଼ ଲାଗିଥାଏ । ମୋର ଯେତେବେଳେ ଯୁକ୍ତ ଦୁଇ ସରିଲା, ସେହିବର୍ଷ ରଜ ପୂର୍ବଦିନ ବୁଧବାର ପଡ଼ିଥିଲା ଆଉ ହାଟ ବି ବ‌ହୁତ ଭିଡ଼ ଥିଲା । ସେଦିନ ବାପା ନ ଥିବାରୁ ହାଟ କରିବା ଦାୟିତ୍ୱଟା ମୋ ଉପରେ ପଡ଼ିଗଲା । ଅବଶ୍ୟ ଛୋଟବେଳୁ ମୁଁ ସବୁବେଳେ ତେଜରାତି ସଉଦା ଆଣୁଥିଲି, ହେଲେ ହାଟରୁ ପରିବା କିଣବାର ଜ୍ଞାନ ନ ଥିଲା । ତ‌ଥାପି ଚିରାଚରିତ ଢଙ୍ଗରେ ତିନୋଟି ବ୍ୟାଗ୍ ନେଇକି ସାଇକେଲଟା ଧରି ବାହାରିଗଲି । ଗଲାବେଳେ ମାଆ କ‌ହିଥିଲା ହାଟରେ ଯାହା ସୁବିଧା ଥିବା ଦେଖିକି ଆଣିବୁ । ମୁଁ ପଚାରିଦେଲି କି କ'ଣ କ'ଣ ଆଣିବା ଦରକାର । ସେ ସବୁ ପରିବା ନାଁ କ‌ହିଗଲା ଆଉ ତା' ଭିତରୁ ସୁବିଧା ଦେଖିକି ଆଣିବାକୁ କ‌ହିଲା । ମୁଁ ହାଟରେ ପ‌ହ‌ଞ୍ଚିଲାବେଳକୁ ବ‌ହୁତ ଭିଡ଼ ଲାଗିଯାଇଥିଲା । ହାଟରେ ଥିବା ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିଲେ ସେତେବେଳେ ପାଞ୍ଚଟଙ୍କା ପଡ଼ୁଥିଲା, ସେଥିପାଇଁ କିଛି ଦୂରରେ ଲୋକମାନେ ରଖିଥିବା ଜାଗାରେ ସାଇକେଲଟିକୁ ରଖିଦେଲି । ହାଟ ସଉଦା କରିବା ପାଇଁ ଗଲି । ମୋତେ ତ' ଦର କଷିବା ଜଣା  ନଥିଲା, ତେଣୁ ଆଖିରେ ଯାହା ଯାହା ପରିବା ପଡ଼ିଲା, ତାକୁ ସବୁତକ କିଣିଦେଲି । ତିନିଟା ଯାକ ବ୍ୟାଗ୍ ଭର୍ତ୍ତି ହେଇଗଲା ପରେ ଆଉ କିଛି କିଣିହେବନି ଭାବିକି ଫେରିଲି ।

ରଜ ପାଇଁ ଆଉ କିଛି ତେଜରାତି ସଉଦା ବି କିଣିବାର ଥିଲା, ହେଲେ ବ୍ୟାଗ୍ ନ ଥିବାରୁ ଆଉ ଗୋଟିଏ ବ୍ୟାଗ୍ କିଣିଲି । ହାଟର ଅନତି ଦୂରରେ ଥିବା ତେଜରାତି ଦୋକାନରୁ ସଉଦା କରିବାଟା ଭଲ ଭାବିଲି, କାରଣ ସବୁଯାକ ବ୍ୟାଗ୍‌କୁ ଆଉ କୋଉଠିକି ବୋହିକି ନେବା କଷ୍ଟ । ଚାରିଟା ବ୍ୟାଗ୍, ସବୁଯାକ ପୁଣି ଭର୍ତ୍ତି ହୋଇକି ଥାଏ । ତେଣୁ ସେ ତେଜରାତି ଦୋକାନରୁ ଛୋଟ ରଶି ଆଣିକି ଦୁଇଟା ପଛପଟ କେରିଅରରେ ଝୁଲେଇଲି । ଆଉ ଦୁଇଟି ଆଗରେ ଟଙ୍ଗେଇକି ଆଣିଲି । ପ୍ରବଳ ଖରାରେ ଏତେ ଜିନିଷ ନେଇକି ଘରକୁ ଆସିଲା ବେଳକୁ କିନ୍ତୁ ମୋତେ ଦେଖିକି ସବୁ ଆଶ୍ଚର୍ଯ୍ୟ । କାରଣ ମୁଁ ସେଦିନ ରଜ ପାଇଁ ୯୭୦ଟଙ୍କାର ପରିବା କିଣିଦେଇଥିଲି ଖାଲି । ପ୍ରକୃତରେ ମୁଁ କିଣିଲାବେଳେ ଟଙ୍କା ହିସାବ ନ କରିକି କିଣିଦେଲି, ଘରେ ପ‌ହ‌ଞ୍ଚିକି ହିସାବ କରିବାରୁ ଏତେ ଚାଲିଯାଇଛି ବୋଲି ଜଣାପଡ଼ିଲା । ଏହି କଥା ପବନ ବେଗରେ ଚାରିଆଡ଼େ ଖେଳିଗଲା, ତା' ପରେ ଜୁଆଡ଼େ ଗଲେ ସେମାନେ ମୋର ଏମିତି କଟାକ୍ଷ କଲେ କ‌ହିବାକୁ ନାହିଁ ।