ରାଜନୀତିର ସ୍ଥାୟିତ୍ୱ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Sunday 31 July 2016

ରାଜନୀତିର ସ୍ଥାୟିତ୍ୱ

ରାଜାଙ୍କର ନିତୀ ହେଉଛି ରାଜନିତୀ । ଯେଉଁ ନିତୀ ରାଜାଙ୍କ କାର୍ଯ୍ୟରେ ଲାଗିଥାଏ, ସେ ହେଉଛି ରାଜନିତୀ । ଆଦି ଯୁଗରୁ ଚଳି ଆସିଛି ଏହିପରି ବିଭିନ୍ନ ରାଜନିତୀ । ସେହି ପୁରୁଣା ଯୁଗର ରାଜନିତୀର ଶ୍ରେଷ୍ଠ ସାଧକ, ଶକୁନୀ ହୁଅନ୍ତୁ କି କୌଣସି ରାଜାଙ୍କର ଅମାତ୍ୟ ହୁଅନ୍ତୁ । ଶକୁନୀ ଥିଲେ ସେହି ଯୁଗର ଶ୍ରେଷ୍ଠ ରାଜାନିତୀଜ୍ଞ ।
ସେ ଯେଉଁଠାରେ ଅବସ୍ଥାନ କରନ୍ତି, ସେଠାରେ ରାଜନିତୀର ବର୍ଷା ହୋଇଯାଏ । ତାଙ୍କର ସେହି ରାଜନିତୀ ଏବଂ ଅହ‌ଙ୍କାରୀ ଦୂର୍ଯୋଧନଙ୍କର ପାଇଁ ସମ୍ପୂର୍ଣ୍ଣ କୁରୁ ବଂଶର ନାଶ କରିଥିଲା । ଏଠାରେ ଶକୁନୀଙ୍କର ରାଜନିତୀ ତାଙ୍କର ଭଣଜାକୁ ରାଜା କରିବା ପାଇଁ ଥିଲା । ତାଙ୍କର ରାଜନିତୀ ଥିଲା ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ ପାଇଁ, ସେଥିପାଇଁ ତାଙ୍କର ରାଜନିତୀ ଶ୍ରେଷ୍ଠ ଭାବରେ ଗ୍ରହଣ କରାଯାଏ ନାହିଁ ।
ପରେ ପରେ ପୁଣି ଦେଖାଯାଇଥିଲା ସେହି ମହାଜ୍ଞାନୀ ଚାଣକ୍ୟଙ୍କର ରାଜନିତୀ । ଚାଣକ୍ୟଙ୍କର ରାଜନିତୀ ଥିଲା ଅଖଣ୍ଡ ଭାରତ ପାଇଁ, ବିଳାସପୂର୍ଣ୍ଣ, ଅନାଚାରୀ, ଦୂରାଚାରୀ ନନ୍ଦବଂଶର ନାଶ କରିବା ପାଇଁ, ଏହି ଦୁନିଆକୁ ଦୁର୍ନିତି ମୁକ୍ତ କରିବା ପାଇଁ । ଏବେଯାଏ ସମସ୍ତ ରାଜନିତୀ ବିଜ୍ଞାନର ପାଠ ଚାଣକ୍ୟଙ୍କର ରଚିତ । ସେ ଯେତେବେଳେ ରାଜକାର୍ଯ୍ୟ କରୁଥିଲେ, ସେତେବେଳେ ରାଜାଙ୍କର ଧନ ବ୍ୟବ‌ହାର କରୁଥିଲେ ଏବଂ ନିଜ କାର୍ଯ୍ୟ ସମୟରେ ନିଜ ଧନର ହିଁ ବ୍ୟବ‌ହାର କରୁଥିଲେ । ଏଥିରୁ ଅନୁମିତ କରିହୁଏ ଯେ, ଚାଣକ୍ୟଙ୍କର ରାଜନିତୀ କେମିତି ।
ଏହିସବୁ ରାଜନିତୀଜ୍ଞଙ୍କର ରାଜନିତୀର କିଛି ଦୋଷ ନାହିଁ, ତ‌ଥାପି ସେମାନଙ୍କର ଅପ୍ରାଣ ଉଦ୍ୟମ ବିଫଳ ହୋଇଥିଲା । ମୌର୍ଯ୍ୟ ଶ୍ରେଷ୍ଠ ମହାନ ଯୋଦ୍ଧା ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ଚାଣ୍ୟଙ୍କର ଅପ୍ରାଣ ଉଦ୍ୟମରେ ଗଢ଼ା ହୋଇଥିବା ସେହି ମୌର୍ଯ୍ୟବଂଶର ଧ୍ୱଂସ ହୋଇଗଲା । ମହାପ୍ରତାପି ନନ୍ଦ ବଂଶର ଧ୍ୱଂସ ହୋଇଗଲା ଧନାନନ୍ଦଙ୍କ ଭଳି ଦୂରାଚାରୀ ରାଜାଙ୍କ ପାଇଁ । କୁରୁବଂଶ ଧ୍ୱଂସ ହେଲା ଅହ‌ଙ୍କାରୀ ଦୂର୍ଯ୍ୟୋଧନ ଏବଂ ପୁତ୍ରମୋହରେ ଅନ୍ଧ ହୋଇଯାଇ ଅଧର୍ମ କରୁଥିବା ଧୃତରାଷ୍ଟ୍ରଙ୍କ ପାଇଁ । ବିଗତ ଦିନରେ ଭାରତରେ ସାମ୍ରାଜ୍ୟ ବିସ୍ତାର କରିଥିବା ଅକବରଙ୍କ ଶାସନ ମଧ୍ୟ ଧ୍ୱଂସ ହୋଇଗଲା, ତାଙ୍କର ବଂଶଧର ଔରଙ୍ଗଜେବଙ୍କର ଦୀର୍ଘ ୫୦ ବର୍ଷର ଶାସନ ପାଇଁ ।
ଏହି ସବୁ କଥାକୁ ଆଖି ଆଗରେ ରଖି ବିଚାର କରାଗଲେ ଦେଖାଯାଏ ଯେ, ଯେତେବେଳେ ରାଜାଙ୍କର ଶାସନ କିମ୍ବା ଏକ ନିର୍ଦ୍ଦିଷ୍ଟ ରାଜବଂଶର ଅଧିକ ଦିନ ଧରି ଚାଲେ, ସେତେବେଳେ ସେମାନଙ୍କର ନିଜ ଲୋକଙ୍କ ଭିତରେ ଆରମ୍ଭ ହୋଇଯାଏ ଗୃହଯୁଦ୍ଧ । ସେମିତି ଆମର ଏହି ଭାରତରେ ଆରମ୍ଭ ହୋଇଯାଇଛି ଏହିଭଳି ରାଜନିତୀ । ରାଜନିତୀରେ ଲାଗିଯାଇଛି ଅନେକ କଳଙ୍କ । କଳୁଷିତ କରିଦେଇଛି ଆମର ଏଠାରେ ଚାଲିଥିବା ରାଜନିତୀକୁ । ଯେଉଁ ସ୍ଥାନରେ ଦେଖିବେ, ସେଠାରେ ପଶିଯାଇଛି ରାଜନିତୀ ଏବଂ ରାଜନିତୀର ପ୍ରତ୍ୟେକ ସ୍ଥାନରେ ଲାଗିଯାଇଛି କଳଙ୍କର କାଳି । ପ୍ରତ୍ୟେକଦିନ ଖବର ଆସୁଛି ରାଜନୈତିକ ଦଳମାନଙ୍କର ନିଜ ଭିତରେ ଗୋଷ୍ଠୀକନ୍ଦଳ ଆଉ କେବେ କେବେ କାଦୁଅ ଫିଙ୍ଗାଫିଙ୍ଗି । ବିଗତ କିଛି ଦିନ ହେବ ଗୋଟିଏ କଥାକୁ ନେଇକି ଚାଲିଛି ଖଣ୍ଡଯୁଦ୍ଧ । ବିଜୁ ଜନତା ଦଳ ସ‌ହ ଭାରତୀୟ ଜନତା ପାର୍ଟିଙ୍କର ଖୋଲାଖୋଲା ଯୁଦ୍ଧ । ପ୍ରତ୍ୟେକ ସ୍ଥାନରେ ଉଭୟ ଉଭୟଙ୍କୁ ବିରୋଧ କରି ପିଟାମରା ଆରମ୍ଭ କରିଦେଉଛନ୍ତି । ତେଣେ ରାଜ୍ୟରେ ଡେଙ୍ଗୁ ଭଳି ମହାମାରୀ, ମାଓବାଦୀଙ୍କର ଆତଙ୍କ, ପଡ଼ୋଶୀ ରାଜ୍ୟର ଭିନ୍ନ ଭିନ୍ନ କୁଯୋଜନା ଚାଲିରହିଥିବା ବେଳେ ସେମାନେ ସେ ସବୁକୁ ସମାଧାନ କରିବା ପରିବର୍ତ୍ତେ ନିଜ ନିଜର ରାଜନୈତିକ ଦଳର କାୟା ବିସ୍ତାର କରିବା ପାଇଁ ଲାଗିଛନ୍ତି । ନିଜ ନିଜର ସାମାର୍ଥ୍ୟ ଦେଖେଇବାରେ ଲାଗିଛନ୍ତି । କିନ୍ତୁ ସେମାନେ ଭୁଲିଯାଇଛନ୍ତି ସେହି ପୁରୁଣା ରାଜନିତୀର ଗାଥା, ଯାହା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ କାୟା ଭସ୍ମ ହୋଇଯାଇଥିଲା । ବିଭୀଷଣଙ୍କ ପାଇଁ ରାବଣର ସ୍ୱର୍ଣ୍ଣର ଲଙ୍କାପୂରୀ ମାଟିରେ ମିଶିଯାଇଥିଲା । ତ‌ଥାପି ସେତେବେଳେ ବିଭୀଷଣ ଧର୍ମର ପକ୍ଷ ନେଇଥିଲେ । କିନ୍ତୁ ଏମାନେ କୌଣସି ଧର୍ମର ମାର୍ଗକୁ ଆପଣେଉ ନାହାନ୍ତି କେବଳ ନିଜର କାୟା ଦେଖାଇବା ପାଇଁ ଅଧର୍ମ କରିବାକୁ ମଧ୍ୟ ପଛାଉନାହାନ୍ତି ।
ଆଉ ଗୋଟିଏ କଥା ହେଉଛି, ଯେତେବେଳେ ଯୁଦ୍ଧ ହୋଇଥାଏ, ସେତେବେଳେ ଉଭୟ ପକ୍ଷର କ୍ଷତି ହୋଇଥାଏ । ଏବଂ ସମାନ ବଳର ଯୁଦ୍ଧ ହେଲେ କେବଳ କ୍ଷତି ହିଁ ହୋଇଥାଏ ଆଉ କିଛି ଲାଭ ହୁଏ ନାହିଁ । ଯେଉଁମାନେ ଜନତାଙ୍କ ସ୍ୱାର୍ଥ ପାଇଁ ବନିଛନ୍ତି ନେତା, ସେମାନେ ଆଜି ନେଇ ନେଇ ହୋଇଛନ୍ତି ନେତା । ଆଜିର ଆମର ସମାଜ ପାଇଁ ଦରକାର ହେଉଛି ଭିନ୍ନ ଏକ ରାଜନିତୀ, ଯାହାକି ରାଜନୈତିକ ଦଳର ସ୍ୱାର୍ଥପାଇଁ ନୁହେଁ ବରଂ ଜନତାଙ୍କର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବ । ଲୋକମାନଙ୍କୁ ବୁଝିବାକୁ ହେବ ଯେ, ଅଧିକ ଦିନର ରାଜନୈତିକ ଶାସନ ଉଭୟ ରାଜା ଏବଂ ପ୍ରଜାଙ୍କର କ୍ଷତି କରିଥାଏ । ଆଉ ଏକଛତ୍ରବାଦୀ ରାଜନିତୀ ବଢ଼ାଇଥାଏ ରାଜନୈତିକ ଦଳର ମନମୁଖୀ କାର୍ଯ୍ୟ ।
ଏହା କୌଣସି ଦଳପାଇଁ ନୁହେଁ ବରଂ ସମଗ୍ର ଜନସାଧାରଣ ତ‌ଥା ସମସ୍ତ ଦଳ ପାଇଁ ଲୋକଙ୍କ ପାଇଁ କାମ କର । ଲୋକଙ୍କର ଉନ୍ନତି କର । ଗଣତନ୍ତ୍ରର ମହତ୍ତ୍ୱକୁ ସାକାର କାର । ଜନସାଧାରଣଙ୍କର ଏବଂ ଜନସାଧାରଣଙ୍କ ପାଇଁ ତିଆରି ହୋଇଛି ଗଣତନ୍ତ୍ର, ନିଜର ସ୍ୱାର୍ଥ ପାଇଁ ନୁହେଁ ।