ସାମାଜିକ ଚିନ୍ତାଧାରା - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Thursday 23 June 2016

ସାମାଜିକ ଚିନ୍ତାଧାରା

ଆମେ ସମସ୍ତେ ହେଉଛନ୍ତି ଜଣେ ଜଣେ ସାମାଜିକ ପ୍ରାଣୀ । ସମାଜରେ ସାମାଜିକ ଲୋକମାନଙ୍କ ସ‌ହ ମିଶି ରହିଛୁ ଆଉ ନିଜକୁ ଅନ୍ୟମାନଙ୍କ ସ‌ହ ମଧ୍ୟ ଖାପଖୁଆଇ ଚଳିଆସିଛୁ । ଯଦି କାହାର କିଛି ଅସୁବିଧା ହୁଏ ଆମେ ତାଙ୍କୁ ସାହାଯ୍ୟ କରିଥାଉ ଆଉ କେହି ନା କେହି ଆମକୁ ଆମ ବିପଦ ସମୟରେ ମଧ୍ୟ ସ‌ହଯୋଗ କରି ଆମର ଦୁଃଖକୁ ନିଜ ଭିତରେ ବାଣ୍ଟି ନେଇଥାନ୍ତି ।
ରାତି ଅଧରେ ଆମ ଘରେ କିଛି ବିପଦ ପଡ଼ିଲେ, ଆମର ପଡ଼ିଶା ଘର ଲୋକେ ଧାଇଁଆସନ୍ତି ସାହାଯ୍ୟର ହାତ ବଢ଼େଇବାକୁ । ଏମିତକି ଯଦି ଆମ ଘରେ କେବେ ରୋଷେଇ ହୋଇ ନ ପାରେ ସେମାନେ ନିଜ ହାତରେ ରୋଷେଇ କରି ପରିଷିଦିଅନ୍ତି ଆମ ଆଗରେ । ପ୍ରତ୍ୟେକ ମୁହୂର୍ତ୍ତ୍ୱରେ, ଦୁଃଖରେ ଆଉ ସୁଖରେ ଆମେ ସେମାନଙ୍କର ସ‌ହ ମିଶି ଚଳଥାନ୍ତି ।

ଆମେ ବି କିଛି କମ ନୋହୁଁ । ଛୋଟବେଳେ ଯଦି ଆମର ସାଙ୍ଗଟିଏ ମଇଳା ପୋଷାକ ପିନ୍ଧିକରି ସ୍କୁଲକୁ ଆସିଥାଏ, ତାକୁ ଶିକ୍ଷକ ମହାଶୟ ଗାଳି କରିବେ ବୋଲି ଆମେ ଆମର ପୋଷାକ‌କୁ ଜାଣିଶୁଣି ମଇଳା କରିଦେଉ ଆଉ ଶିକ୍ଷକ ଗଳିକଲାବେଳେ ଉଭୟଙ୍କୁ ଗାଳି କରନ୍ତି । ଆଉ ଏହାକୁ ଆମେ ଆମର ବନ୍ଧୁ ପ୍ରତି କର୍ତ୍ତବ୍ୟ ବୋଲି ଭାବୁ । ଏମିତି କରିବା ନିତ୍ୟାନ୍ତ ଆବଶ୍ୟକ । ବନ୍ଧୁଟିଏ କେବେ ତା'ର ବିପଦବେଳେ ନିଜକୁ ଏକୁଟିଆ ମନେ କରିବା ଉଚିତ ନୁହେଁ । ଆମେ ବନ୍ଧୁ ହୋଇ ପୁଣି କେତେବେଳେ କାମରେ ଆସିବୁ । କେବେ କେବେ ଯଦି ସାଙ୍ଗପିଲାର କପଡ଼ା ଚିରଯାଇଥାଏ ଆମେ ମଧ୍ୟ ଆମର କପଡ଼ା ଚିରିଦେବାକୁ ପଛାଉନା । ଆଉ ୟେ ସବୁ କରୁ ଆମେ ଆମର ନିଟକତମ ବନ୍ଧୁ ପାଇଁ, ଯାହର ପ୍ରତ୍ୟେକ ଦୁଃଖ ସମୟରେ ଆମେ ପାଖରେ ରହିବାକୁ ଶପଥ ନେଇଥାଉ ।

ସେହିପରି ଆମର କିଛି ସମାଜପ୍ରେମୀମାନେ ମଧ୍ୟ ଏହି ସମାଜର ସେମିତି କଛି ଦୁଃଖିଲୋକଙ୍କ ପାଇଁ ସେମାନଙ୍କର କର୍ତ୍ତବ୍ୟ କରୁଛନ୍ତି । ଗରିବ ଲୋକଟିଏ ପଇସା ଅଭାବରୁ ଦୁଇବେଳା ଠିକରେ ଖାଇବାକୁ ବି ପାଇପାରେନି । ଭଲ ଲୁଗାଟିଏ ପିନ୍ଧିବାକୁ ପଇସା ବା ପାଇବ କେଉଁଠୁ? ଅନେକ ଦିନ‌ଧରି ସେହି ଖଣ୍ଡିଆ ଲୁଗାକୁ ପିନ୍ଧେ ତ ପୁଣି କେବେ କାହାଠାରୁ ମିଳିଥିବା ଲୁଗାଖଣ୍ଡକରେ ନିଜର ଲଜ୍ୟା ଲୁଚାଏ । କେବେ କେବେ ସେହି ଚିରାଫଟା ଲୁଗାଟିକୁ ପିନ୍ଧି ସେ ବାହାରକୁ ମଧ୍ୟ ଚାଲିଯାଏ । ଏମିତି ଚିରାଲୁଗାଟିଏ ପିନ୍ଧିବା ଦ୍ୱାରା ତାଙ୍କୁ ମଧ୍ୟ କେହି କେହି ରାସ୍ତାରେ ଦେଖିକି ପରିହାସ କରୁଥାନ୍ତି । ସତ କ‌ହିବାକୁ ଗଲେ ଆମ ଆଗରେ କିଛି ଅନ୍ୟାୟ ହେଲେ ଆଉ ସ‌ହିପାରୁନା ଆଉ ସଙ୍ଗେ ସଙ୍ଗେ ସେହି ଅନ୍ୟାୟ ବିରୁଦ୍ଧରେ ଆମେ ପ୍ରତିବାଦ କରୁ । ଅବଶ୍ୟ କିଛି କିଛି ଯାଗାରେ ଆମେ ଅନ୍ୟାୟ ବିରୁଦ୍ଧରେ ଲଢ଼ିପାରୁନା କାରଣ ଆମେ ଏକୁଟିଆ ଦଳବଦ୍ଧଭାବରେ ଥିବା ମୁଷ୍ଟିମେୟ ଲୋକମାନଙ୍କୁ ସାମ୍ନା କରିପାରିବା ନାହିଁ । ସେହି ସ୍ଥାନରେ ଆମେ ଅନ୍ୟାୟ ହେଉଥିବା ଲୋକଟି ପାଇଁ ପ୍ରତିବାଦ କରି ସାହାଯ୍ୟ କରିପାରୁନାହୁଁ ବରଂ ତା'ର ସେହି ଦୁଃଖକୁ କିଞ୍ଚିତ ପରିମାଣରେ ଆମ ପାଖକୁ ଟାଣିନେଉ ଆଉ ତାକୁ ଟିକିଏ ସାହାର ଦେଉ । ଏମିତି ଚିରାଫଟା ପିନ୍ଧୁଥିବା ଗରିବ ଲୋକଟିଏକୁ କେହି ଥଟ୍ଟା କରୁଥିବାର ଦେଖି ଆମର କିଛି ଆଧୁନିକ ଯୁବପିଢ଼ୀଙ୍କର ଦେହରେ ନିଆଁ ଲାଗିଗଲା, ସମାନଙ୍କୁ ବ‌ହୁତ ଖରାପ ଲାଗିଲା । ହେଲେ ସେମାନେ ତ ପରିହାସ କରୁଥିବା ଏତେ ସାରା ଲୋକଙ୍କ ମୁହଁ ବନ୍ଦ କରିପାରିବେନି । ସେଥିପାଇଁ ସେମାନେ ଅନେକ ଭାବିବା ପରେ ଏକ ନିଷ୍ପତ୍ତି ନେଲେ ଆଉ ନିଜର ପୋଷାକ‌କୁ ଚିରିଦେଇ ପିନ୍ଧିଲେ । କେବଳେ ଜଣେ ସିନା ଚିରାପୋଷାକଟିଏ ପିନ୍ଧିଲେ କେହି ତାକୁ ଥଟ୍ଟା କି ପରିହାସ କରିବେ ହେଲେ ଯଦି ଏକାଧିକ ଲୋକ ଏମିତି ଚିରାଫଟା ପିନ୍ଧିବେ କେତେ କିଏ କାହାକୁ ପରିହାସ କରିବ । ଏପରିକି ଚଳଚ୍ଚିତ୍ର ତାରକାମାନେ ମଧ୍ୟ ଏହି ପୋଷାକମାନଙ୍କୁ ନିଜ ନିଜ ଚଳଚ୍ଚିତ୍ରରେ ପିନ୍ଧିଲେ, ଆଉ ଏହାକୁ ଆମର ସମାଜ ମଧ୍ୟ ଏକ ମୁଖ୍ୟ ପୋଷାକ ଭାବରେ ମାନିନେଲା । କାରଣ ବଡ଼ବଡ଼ୁଆମାନେ ଯାହା ସବୁ କରନ୍ତି, ସେଇଟା ତ ଆଦର୍ଶ ହୋଇଯାଏ । ଆଜି ପିନ୍ଧିବାକୁ ପାଉନଥିବା ଗରିବଟିଏ ଯେତେବେଳେ ଚିରାଫଟା ପୋଷାକଟିଏ ପିନ୍ଧିକି ବାହାରକୁ ଆସିବ ତାକୁ କେହି ଥଟ୍ଟା କରିବେ ନାହିଁ ବରଂ ତା'ର ସେହି ପୋଷାକ‌କୁ ଏକ ନୂତନ ଉଦ‌ହରଣ ରୂପେ ଗ୍ରହଣ କରିବେ ।

ପୋଷାକଟିକୁ ବାରମ୍ବାର ଚିରିକି ପିନ୍ଧିଲେ ସମୟ ମଧ୍ୟ ବ‌ହୁତ ନଷ୍ଟ ହେଉଛି । ଆପଣମାନେ ତ ଜାଣିଥିବେ କି ଆମର ଲୋକମାନଙ୍କ ପାଖରେ ସବୁକିଛି ଅଛି ହେଲେ ସମୟ ନାହିଁ । ଏହି ସବୁକୁ ଆଖିଆଗରେ ରଖି ଆମର ପୋଷାକ ତିଆରି କରୁଥିବା ବ୍ୟବ‌ସାୟୀ ବନ୍ଧୁମାନେ ମଧ୍ୟ ଚିରା ପୋଷାକ ତିଆରି କରି ବିକ୍ରି କରିବା ଆରମ୍ଭ କରିଦେଲେ ଆଉ ଏହି ପୋଷାକ ସବୁ ଏତେ ପରିମାଣରେ ବିକ୍ରି ହେଲା ଯେ କ‌ହିବାକୁ ନାହିଁ । ପୋଷାକ ତିଆରିବେଳେ ଯଦି କୌଣସି ପୋଷାକ ଚିରିଯାଉଥିଲା ତାହାକୁ ଫିଙ୍ଗିବାକୁ ପଡ଼ୁଥିଲା ହେଲେ ଏବେ ଏହାକୁ ଫିଙ୍ଗିବା ପରିବର୍ତ୍ତେ ଅଧିକ ମୂଲ୍ୟରେ ବଜାରରେ ବିକ୍ରିପାଇଁ ଛଡ଼ାଯାଉଛି । ଅଧିକ ମୂଲ୍ୟ ଲେଖାଥିବା ସବୁ ଜିନିଷ ସବୁବେଳେ ସମସ୍ତଙ୍କୁ ଆକର୍ଷିତ କରିଥାଏ । ସେହିପରି ଏହି ଚିରା ପୋଷାକଯାକ ମଧ୍ୟ ଅନେକଙ୍କ ମନ କିଣିନେବାରେ ସଫଳ ହେଲା । ଆଉ ଏବେ ଦୋକନରେ ଭଲ କପଡ଼ା ଅପେକ୍ଷା ଏହି ଚିରାପଟା କପଡ଼ା ଅଧିକ ମୂଲ୍ୟରେ ଓ ଅଧିକ ପରିମାଣରେ ବିକ୍ରି ହେଉଛି ।

13501930_593304107515302_6637638954126043820_n 13501776_593304087515304_1791921939996974538_n 13533113_593304074181972_3418407630828421838_n
(ଦୋକନରେ ମିଳୁଥିବା ଏହିପୋଷାକମାନ ଯହାକି ସାଧାରଣ ପୋଷାକ ଅପେକ୍ଷା ଅଧିକ ମୂଲ୍ୟରେ ବିକ୍ରି ହେଉଛି ।)

କେବେ ଯଦି କାହାର କପଡ଼ାର ଟିକିଏ ଚିରିଯାଉଛି, ସେ ତାକୁ ଆଉ ଟିକେ ଚିରିଦେଇକି ଗର୍ବର ସ‌ହ ପିନ୍ଧିକି ବାହାରେ ବୁଲୁଛି । ଏହିଭଳି ଏକ ନୂତନ ଚିନ୍ତାଧାରା ସୃଷ୍ଟିକରିଥିବା ଲୋକଟିକୁ ମୋର ଶତ ପ୍ରଣାମ ।
॥ଧନ୍ୟବାଦ॥