ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Monday, 20 November 2017

ପ୍ରେମରେ ସନ୍ଦେହ ଏବଂ ଛଳନା

ସଂଗ୍ରାମ କେଶରୀ ସେନାପତି 10:07 pm 0
ପ୍ରେମରେ ସନ୍ଦେହ ଏବଂ ଛଳନା
ପ୍ରେମ ଶାସ୍ୱତ, ପ୍ରେମ ଚିରନ୍ତନ । ପ୍ରେମ ହିଁ ଏକ ଏଭଳି ଜିନିଷ ଯାହାକି ଜ୍ଞାନ ପରି ବାଣ୍ଟିଲେ ବଢ଼ିଥାଏ । କାହିଁ କେଉଁ ଅନାଦି କାଳରୁ ପ୍ରେମର ସୃଷ୍ଟି ହୋଇଥିଲା । ପ୍ରେମ ସବୁଆଡ଼େ ତା'ର ଆଧିପତ୍ୟ ବିସ୍ତାର କରିରଖିଛି । ବୋଧହୁଏ ଏଇ ଦୁନିଆର ସୃଷ୍ଟି ହେବା ଦିନରୁ ପ୍ରେମ ସୃଷ୍ଟି ହୋଇଥିଲା । ପ୍ରେମର ଶକ୍ତି ସବୁଠୁ ବଡ଼ । ଯେମିତି ଜ୍ଞାନର ଶକ୍ତିରେ ଆମେ ଅନେକ ଅସାଧ୍ୟ ଲାଗୁଥିବା କାର୍ଯ୍ୟକୁ ସ‌ହଜରେ କରିପାରିଥାଉ, ସେହିପରି ପ୍ରେମରେ ଆମେ ଅନେକ କିଛି କାର୍ଯ୍ୟକୁ କରିପାରିବା । ପ୍ରେମର ଆଦି ନ ଥାଏ କିମ୍ବା ଅନ୍ତ ନ ଥାଏ । ପ୍ରେମର ସୀମାକୁ ମାପିବା କେବେ ସମ୍ଭବପର ନୁହେଁ ।

ପ୍ରେମର ପରିଭାଷା ଅଲଗା ଅଲଗା ଭାବରେ ବର୍ଣ୍ଣନା କରାଯାଇଛି । ପରିବାରର ସଦସ୍ୟଙ୍କ ଠାରୁ ଆରମ୍ଭ କରି ଦୁନିଆରେ ଥିବା କେତେକ ବସ୍ତୁକୁ ଆମେ ପ୍ରେମ କରିଥାଉ । ମୁଖ୍ୟତଃ ପ୍ରେମିକ ଏବଂ ପ୍ରେମିକାଙ୍କର ପ୍ରେମକୁ ଲେକେ ପ୍ରେମ ବୋଲି ମାନନ୍ତି । ବାକି ସବୁକୁ କେହି ସେତେ ଗୁରୁତ୍ୱ ଦିଅନ୍ତିନି । ପ୍ରେମ ଏକ ସୁନ୍ଦର ଆକର୍ଷଣ ସୃଷ୍ଟି କରିଥାଏ । ସେହି ଆକର୍ଷଣ ମାଧ୍ୟାକର୍ଷଣ ଶକ୍ତିଠାରୁ ବି ଅଧିକ ଶକ୍ତିଶାଳୀ ବୋଲି କେତେକ ସାହିତ୍ୟିକ ତାଙ୍କ ରଚନାରେ ବର୍ଣ୍ଣନା କରିଛନ୍ତି । ପ୍ରେମ ସବୁବେଳେ ଦୁଇଟି ମନ ଏବଂ ହୃଦୟରୁ ଜାତ ହୋଇଥାଏ । ପ୍ରେମ ମଧ୍ୟ ଆଉ କାହାରି ସ୍ଥାନ ନଥାଏ ।

କିନ୍ତୁ ଏହି ଅସୀମ ଅମୀୟ ପ୍ରେମ ମଧ୍ୟରେ ଯେବେ ଛଳନା ଏବଂ ସନ୍ଦେହର ଖଳନାୟକ ପ୍ରେବେଶ କରେ, ସେବେ ସେ ଅଖଣ୍ଡ ପ୍ରେମ ମଧ୍ୟ କୃଷ୍ଣପକ୍ଷର ଚାନ୍ଦ ପରି କ୍ଷୟ ହୋଇଯାଏ ଏବଂ ଏମିତି ଏକ ସମୟ ଆସେ, ଯେବେ ସେ ପ୍ରେମର ଆଉ ସତ୍ତା ରହେନି । ସନ୍ଦେହ ହିଁ ସବୁ ଅନର୍ଥର ମୂଳ । ସନ୍ଦେହ ହିଁ ଅନେକ ମଧୁର ସମ୍ପର୍କ‌କୁ ଭାଙ୍ଗି ଦେଇଛି । ପ୍ରେମରେ ବୁଡ଼ି ରହିଥିବା ଅନେକ ଲୋକଙ୍କୁ କୂଳକୁ ଠେଲି ଦେଇଛି । କେତେକ ସମୟରେ ଗୋଟିଏ ସମ୍ପର୍କର ସୁମଧୁରତାକୁ ବଜାଇ ରଖିବାକୁ ପ୍ରେମରେ ଥିବା ବ୍ୟକ୍ତିଟିଏ ସବୁକିଛିକୁ ଆଖିବୁଜି ଦିଏ । ମାତ୍ର ପରେ ଧିରେ ଧିରେ ସେହି ଆଖିବୁଜା ବେଶିଦିନ ରହେନି । ଦିନେ ନା ଦିନେ ସେ ସନ୍ଦେହର ଜ୍ୱାଳା ପ୍ରେମକୁ ଘୃଣାରେ ବଦଳାଇ ଦିଏ ।




Sunday, 12 November 2017

ନିଷ୍ପତ୍ତି

ସଂଗ୍ରାମ କେଶରୀ ସେନାପତି 11:56 pm 0
ନିଷ୍ପତ୍ତି

ପାଖାପାଖି ୬ ଘଣ୍ଟା ହେଲାଣି ମୁଁ ସେମିତି ଝୁଲୁଥିଲି । କାହିଁ କେତେବେଳୁ ସକାଳ ହେଇଗଲାଣି । ଘରେ ସମସ୍ତେ ଉଠିଗଲେଣି । ବୋଉ କେତେବେଳୁ ଉଠି ସବୁକାମ ସାରି ବାପାଙ୍କ ଅଫିସ ଯିବା ଆଗରୁ ଜଳଖିଆ ବି ତିଆରି କରିସାରିଲାଣି । ସମସ୍ତଙ୍କର କଥୋପକଥନ ମୋ କାନରେ ବ‌ହୁତ ଭଲ ଭାବରେ ପଡ଼ୁଛି । ସମସ୍ତଙ୍କୁ ଲାଗୁଛି କି ମୁଁ ବୋଧେ ଏବେଯାଏଁ ନିଦରେ ଶୋଇଥିବି କି କ'ଣ । ମୋର ଟିକେ ଡେରୀ ଯାଏଁ ଶୋଇବା ଗୋଟେ ନିତିଦିନିଆ ଅଭ୍ୟାସ । ବାପା ଉଠିଲା ପରେ ତାଙ୍କ କାମ ସବୁ ସାରି ଖାଇବା ପାଇଁ ବସିଲେ ଆଉ ନିତିଦିନ ଭଳିଆ ମୋ କଥା ବୋଉକୁ ପଚାରିଲେ । ଆଉ କ‌ହିଲେ ପୁଅକୁ ଆଜି ଶୀଘ୍ର ଉଠେଇବା ଦରକାର ନାହିଁ, କାଲି ରାତିରେ ମନ ଦୁଃଖରେ ଶୋଇଥିଲା, ବିଳମ୍ବରେ ଶୋଇଥିବ ବୋଧେ ଆଜି ଟିକିଏ ଡେରୀଯାଏଁ ଶୋଇଥାଉ ।

କାଲିର ଘଟଣା କଥା କ‌ହିବାକୁ ଭୁଲିଗଲି । କାଲି ମୋର ପରୀକ୍ଷାର ଫଳ ବାହାରିଥିଲା । ୬ଟି ବିଷୟରୁ ମୁଁ ୨ଟି ଫେଲ୍ ହେଇଯାଇଥିଲି । ଆଉ ଏହି ଖବର ଯେତେବେଳେ ଆସିକି ଘରେ ଶୁଣେଇଲି, ସମସ୍ତେ ଆଶ୍ଚର୍ଯ୍ୟ ହେବା ସ‌ହ ଯିଏ ଯାହା ପାରିଲା ଗାଳି କଲା । ମୋତେ କେବେ ଗାଳି କରୁନଥିବା ବାପା ବି ମୋତେ କାଲି ପ୍ରବଳ ଗାଳିଦେଲେ । ଏମିତିକି ପରୀକ୍ଷାରେ ବାରମ୍ବାର ଅଳ୍ପ ନମ୍ବର ରଖିବା ପରେ ବି କେବେ କିଛି କ‌ହୁନଥିଲେ କିନ୍ତୁ କାଲି ଏତେ ଗାଳି ଦେବେ ବୋଲି ମୁଁ କେବେ ବି ଆଶା କରିନଥିଲି । ପିଲାବେଳଠାରୁ କରିଥିବା ସବୁ ଭୁଲକୁ ମନେ ପକାଇ ବୋଧେ ସେ ସବୁଯାକ ରାଗ ଶାନ୍ତ ହେବା ଯାଏଁ ଗାଳି କରିଥିଲେ ।

ମୁଁ କୁଆଡ଼େ ବଂଶର ନାଆଁ ପକେଇଦେଲି ବୋଲି ବାପା କ‌ହିଲେ । ପାଠ ନ ପଢ଼ି ସବୁ ବିଷୟରେ କମ୍ ନମ୍ବର ରଖୁଥିଲି ଆଉ ଏବେ ପୁଣି ପରୀକ୍ଷାରେ ଫେଲ ହେବା ପରେ ଲୋକଲଜ୍ୟାକୁ ବଢ଼େଇଦେଇଛି । ଏହିଭଳି ଗୋଟେ କୁଳାଙ୍ଗାର ପୁଅର ବାପା ହେଇଥିବାରୁ ସେ ନିଜକୁ ଧିକ୍କାର କରିବା ସ‌ହ ବୋଉକୁ ମଧ୍ୟ ଗାଳି କରି ଏହାର ଦୋଷ ଦେଲେ । ବୋଉ ମଧ୍ୟ ତା'ର ସମସ୍ତ ରାଗ ମୋ ଉପରେ ସୁଝେଇଦେଲା । ଏମିତିକି ଜନ୍ମ‌ବେଳେ କାହିଁକି ମରିଗଲି ବୋଲି କ‌ହିଲା । ମୋ ସାନ ଭଉଣୀ ବି ସେମାନଙ୍କ ସ‌ହ ମୋତେ ଅପମାନିତ କରିବାରେ ହେଳା କଲାନି । ସବୁପରେ ମୁଁ ଚୁପ୍ ଚାପ୍ ରାତିରେ ମୋ ଘରେ କବାଟ ବନ୍ଦ କରି ରହିଲି । ସବୁ ଖାଇବାକୁ ବସିଲେ । କାହାରି ପାଟିରୁ କୌଣସି ଶବ୍ଦ ବାହାରୁନଥିଲା । ହେଲେ ବାସନ କୁସନର ଶବ୍ଦରେ ମୁଁ ସେସବୁ ବାରି ପାରୁଥିଲି । ରାତିରେ ସମସ୍ତେ ଚୁପ୍‌ଚାପ୍ ଶୋଇ ବି ଗଲେ ।

ମୋତେ କିନ୍ତୁ ଭୋକ ଲାଗୁନଥିଲା କି ନିଦ ବି ଲାଗୁନଥିଲା । ଆଖି ଆଗରେ ସେ ନମ୍ବର ଆଉ କାନରେ ବାପାବୋଉଙ୍କର କଥା ବାରମ୍ବାର ଆସି ବାଡ଼େଇ ହେଉଥିଲା । ଜୀବନରେ ବୋଉ ଅନେକଥର ଗାଳିଦେଇଥିଲା, କିନ୍ତୁ ବାପା ତ' କେବେ କିଛି କୁହ‌ନ୍ତିନି । ଆଜି କିନ୍ତୁ ସେ ତାଙ୍କର ସେ ଶାନ୍ତ ସ୍ୱଭାବରୁ ଅଲଗା ଏକ ଦୁନିଆକୁ ପଳେଇଯାଇଥିଲେ । ଯେଉଁ ଦୁନିଆରେ ମୋ ପାଇଁ ତାଙ୍କର ସବୁକିଛି ପୋଡ଼ିଜଳି ପାଉଁଶ ହୋଇଯାଇଥିଲା । ନିଜର ଅନ୍ତରର ଅଗ୍ନୀକୁ ମୋ ଉପରେ ଉଜାଡ଼ି ଦେଇଥିଲେ ସେ । ବୋଉର ସବୁବେଳର ଗାଳିକୁ କିନ୍ତୁ ମୁଁ କେବେ ମୋ ମନରେ ଧରେନି । ହେଲେ ତା'ର ସେ ପଦିଏ କଥା ଯେମିତି ମୋର ଶରୀର ପ୍ରତିଟି ରକ୍ତକଣିକା ସ‌ହ ମିଶି ଯାଇଥିଲା ଏବଂ ସଭିଏଁ ମୋତେ ଉପ‌ହାସ କରୁଥିଲେ ।

ଏତିବେଳେ ମୋ ଭଉଣୀ କଲେଜ ଯିବା ପାଇଁ ସକାଳୁ ବାହାରିସାରିବା ପରେ ମୋ କବାଟ ବାଡ଼େଇ ଡାକିଲ ଆଉ ତାକୁ କଲେଜ ଛାଡ଼ିଦେବାକୁ କ‌ହିଲା । ମୋ ତରଫରୁ କୌଣସି ପ୍ରକାରର ଉତ୍ତର ନ ପାଇ ସେ ବି ଚୁପ୍‌ଚାପ୍ ଖାଇବା ଆରମ୍ଭ କଲା ଆଉ ବୋଉକୁ କ‌ହିଲା ଆଜି ମୁଁ କଲେଜ ବସ୍‌ରେ ପଲେଇ ଯାଉଛି, ଭାଇ ଉଠିଲେ କ‌ହିବୁ ମୋତେ କିନ୍ତୁ ସେ ଆଜି ଆଣିବାକୁ ଯିବ । କଲେଜରୁ ଆସିଲା ବେଳେ କିଛି ପିଲା ମୋ ସ‌ହ ଖରାପ ବ୍ୟବ‌ହାର କରୁଛନ୍ତି, ସେ ଗଲେ ସେମାନେ ଆଉ କେବେ ସେମିତି କରିବେନି ।

ଏହାପରେ ବାପା ବି ଯିବାକୁ ବାହାରିଲେ, ଗଲାବେଳେ ବୋଉକୁ କ‌ହିଲେ ଗଡ୍ରେଜରୁ ଲାପ୍‌ଟପ୍‌ଟା ବାହାର କରିକି ଟେବୁଲ ଉପରେ ରଖିଦିଅ, ଯେମିତି ପୁଅ ଉଠିଲେ ଦେଖିକି ବ‌ହୁତ ଖୁସି ହେବ । ମୁଁ ତାଙ୍କୁ କିଛିଦିନ ତଳେ ଲାପ୍‌ଟପ୍ ଆଣିଦେବାକୁ କ‌ହିଥିଲି, ହେଲେ ସେ ଗୋଟିଏ ସର୍ତ୍ତ ରଖିଥିଲେ କି ମୁଁ ପରୀକ୍ଷାରେ ଭଲ ନମ୍ବର ରଖିଲେ ସେ ପରଦିନ ଲାପ୍‌ଟପ୍ କିଣିଆଣିବେ ବୋଲି । କିନ୍ତୁ ଏ କ'ଣ ସେ ମୋର ପରୀକ୍ଷା ଫଳ ଜାଣିବା ଆଗରୁ ହିଁ ଲାପ୍‌ଟପ୍ ଆଣିଦେଇଥିଲେ । ଏହି କଥା ତାଙ୍କର ମୋ ପ୍ରତି ଥିବା ଭଲ ପାଇବାର ଗଭୀରତାକୁ ଦର୍ଶାଉଥିଲା । ସେ କାଲି ଏତେ ଗାଳି କରିଥିଲେ ବୋଲି ବି ଅନୁତାପ କଲେ ଆଉ ‌ବୋଉକୁ କ‌ହିଲେ, "ପୁଅଟାକୁ ସମସ୍ତେ ମିଶି ଏତେ ଗାଳି କରିଦେବାଟା ବି ଭଲ ହେଲାନି ।" ଏହା କ‌ହି ସାରିବା ପରେ ସେ ବି ଆସି ମୋର କବାଟ ବାଡ଼େଇ ଦୁଇଥର ଡାକି ଦେଇ ଅଫିସ୍ ଚାଲିଗଲେ ।

ସମସ୍ତେ ଯିବା ପରେ ବୋଉ ମୋ ପାଇଁ କ'ଣ ସବୁ ମନପସନ୍ଦର ରୋଷେଇ କରିଥିଲା ବୋଲି କ‌ହିଲା ଆଉ ମୋର କବାଟକୁ ବି ସେ ଦୁଇଥର ବାଡ଼େଇ ଡାକିଲା । କିଛି ଉତ୍ତର ନ ମିଳିବାରୁ ସେ ପୁଣିଥରେ ତା' କାମରେ ଚାଲିଗଲା । ସେତେବେଳେ ମୁଁ ପୁଣିଥରେ ବାପା, ବୋଉ ଆଉ ମୋ ଭଉଣୀ କଥା ମନେ ପକେଇଲି । କାଲି ରାତିରେ ସେମାନେ ମୋତେ ଏତେ ଗାଳି କରିଥିଲେ, ହେଲେ ସକାଳୁ ସେମାନେ ମୋ ପାଇଁ କେତେ କ'ଣ କରୁଛନ୍ତି । ମୋ ଭଉଣୀ ଯିଏକି ମୋତେ ଗାଳି କରିଥିଲା ଆଜି ସେ ମୋର ଭାଇ ହେବାର କର୍ତ୍ତବ୍ୟକୁ ମନେ ପକାଉଥିଲା ଆଉ ମୋ ବାପା ଯିଏକି ମୋତେ ସବୁଠୁ ଅଧିକ ଗାଳି କରିଥିଲେ, ସେ ମୋର ସେ ପରୀକ୍ଷା ଫଳ ବିଷୟରେ କୌଣସି କିଛି ନ ଭାବି ଲାପ୍‌ଟପ୍ ବି କିଣିଆଣିଦେଇଥିଲେ । ବୋଉ ଯିଏକି କାଲି କ‌ହୁଥିଲା, ମୁଁ ଜନ୍ମ‌ବେଳେ କାହିଁକି ମରିଗଲିନି, ସେ ଆଜି ମୋ ପାଇଁ ମୋ ମନପସନ୍ଦର ଖାଇବା ତିଆରି କରିଥିଲା ।

କିନ୍ତୁ ମୁଁ କ'ଣ କଲି, ସେମାନଙ୍କର ଅଭିମାନର କେଇପଦ କଥା ପାଇଁ ଏହି ଭଳି ଗୋଟିଏ ଭୁଲ ନିଷ୍ପତ୍ତି ନେଇଗଲି । ସେମାନଙ୍କର କଥା ଥରୁଟିଏ ବି ଭାବିଲିନି । ଅଭିମାନର କ‌ହିଥିବା କଥାକୁ ସତରେ ପରିଣତ କରିଦେଲି । ଏହି ସମୟରେ ବୋଉ ପୁଣିଥରେ ଆସିଲା, ଏଇଥର କିନ୍ତୁ ସେ ଘରର ତାଲା ଖୋଲି ପଶିବା ପାଇଁ ଚାବି ନେଇ ଆସିଥିଲା । ମୁଁ କିନ୍ତୁ ସେତେବେଳେ ତାକୁ ଭିତରକୁ ଆସିବାକୁ ଅଟକାଉଥିଲି, ବ‌ହୁତ ଜୋର୍‌ରେ ଚିଲାଉଥିଲି ଭିତରକୁ ଆସେନି । ଏହିସବୁ ଦେଖି ତୁ କେବେ ସମ୍ଭାଳି ପାରିବୁନି । କିନ୍ତୁ ମୋର କୌଣସି କଥା କାହାକୁ ବି ଶୁଣାଯାଉନଥିଲା ।



ବି.ଦ୍ର.:ଏହି ଲେଖାଟି ମୁଁ ଅନେକ ଦିନ ତଳେ ଫେସବୁକ୍‌ରେ ଇଂରାଜୀରେ ପଢ଼ିଥିଲି ।


Sunday, 29 October 2017

ଶତାବ୍ଦୀର ଶେଷ ପ୍ରଳୟ

ସଂଗ୍ରାମ କେଶରୀ ସେନାପତି 3:06 pm 0
ଶତାବ୍ଦୀର ଶେଷ ପ୍ରଳୟ

୧୯୯୯ ମହାବାତ୍ୟାକୁ ଆଜି ୧୮ ବର୍ଷ ପୁରିଗଲା । ସେଦିନର ସମ୍ପୂର୍ଣ୍ଣ ଘଟଣାକ୍ରମ ମୋତେ ମନେନଥିଲେ ବି କିଛି କିଛି ମନେ ଅଛି ।

ସଦ୍ୟ ଦୁର୍ଗାପୂଜା ଶେଷ ହୋଇଥାଏ । ଆମ ଘରେ ମାଆ, ବାପା, ମୁଁ, ଆମ ଝିଅ କଥା କ‌ହିବା ବି ଶିଖିନଥିଲା । ମୋର ଜଣେ ମାଉସୀ ଆଉ ତା' କୁନି ଝିଅ ଆମ ଘରେ ଥିଲେ । ବାତ୍ୟା ଆରମ୍ଭରେ କ'ଣ ଆଉ କେମିତି ଥିଲା ସେ ବିଷୟ ମୋତେ ଜଣାନାହିଁ । ଆମର ଘରକୁ ଲାଗି ଗୋଟେ ଲମ୍ବଦାଣ୍ଡି ଘର ଥିଲା । ସେଇଠି ଗୋଟେ ପଟେ ରୋଷେଇ ଘର ଓ ଅନ୍ୟପଟେ ଗୁହାଳ ଥିଲା । ସକାଳୁ ଉଠିଲାବେଳକୁ ସେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ବାପା ରାତିରେ ଗାଈଦୁଇଟିଙ୍କୁ ବାଛୁରୀ ସ‌ହ ଆଉ ଗୋଟିଏ ଘରକୁ ଆଣିଦେଇଥିଲେ । ଏକୁଟିଆ ସେ ସବୁତକ ଜିନିଷ ରୋଷେଇ ଘରୁ ଆଣିପାରିନଥିଲେ । ଭାଗ୍ୟ ଭଲ ଥିଲା, ରୋଷେଇ ଘରେ ଥିବା ଚାଉଳବସ୍ତା ସବୁ ଆମ ଶୋଇଲା ଘରକୁ କିଛିଦିନ ଆଗରୁ ଆଣିଦେଇଥିଲେ ।

ସେତେବେଳେ ଆମ ଗାଁରେ ବିଜୁଳି ଆଲୁଅ ନଥିଲା, ତେଣୁ ବାତ୍ୟା ବିଷୟରେ ସତେ ଜ୍ଞାନ କାହାକୁ ମିଳିପାରିନଥିଲା । ଅନେକଙ୍କର ଘର ଭାଙ୍ଗିଗଲା, ସବୁଗଛ ଉପୁଡ଼ି ପଡ଼ିଥିଲା । ଆମର ଶୋଇବା ଘରକୁ ଛାଡ଼ିଦେଲେ ଆମର ଆଉ ଘର ନଥିଲା । ଅନ୍ୟଘରଟିରେ ଗାଈମାନେ । ସେଇ ଗୋଟିଏ ଘରେ ରୋଷେଇ ଠାରୁ ଆରମ୍ଭ କରି ସବୁକିଛି । ସେତେବେଳେ ଯାହାହେଉ ରେଡ଼ିଓ ଗୋଟିଏ ଥିଲା, ସେ ଥିଲା ଆମ ସଭିଙ୍କର ସାହାଭରଷା । ବାଡ଼ିରେ ଥିବା ସବୁଯାକ ଅମୃତଭଣ୍ଡା ଆଉ କଦଳୀଗଛ ଭାଙ୍ଗିଯାଇଥିଲା । ସେ ହିଁ ଥିଲା ଆମମାନଙ୍କର ଆହାର । ଆଖପାଖର ପଡ଼ୋଶୀଙ୍କର ବି ସମଦଶା । ଅନେକଙ୍କର ଘରେ ବି ପାଣିପଶିଯାଇଥିଲା । ବର୍ଷାଦିନ ହୋଇଥିବାରୁ ମାଛ ଧରିବା ପାଇଁ ଲୋକମାନେ କେନାଲଯାଏଁ ସବୁ ନାଳ କରିଥିଲେ ଆଉ ସେ ନାଳ ଦେଇ ପ୍ରାୟ ସବୁ ପାଣି ବାହାରିଗଲା । ତ‌ଥାପି ଅନେକ କିଛି କ୍ଷତି କରିଦେଇଥିଲା ।

ବାତ୍ୟା ଶେଷ ହେବା ପରେ ଅନେକ ରିଲିଫ୍ ଆସିଲା । ପିଲଥିନ୍‌ଠାରୁ ଆରମ୍ଭ କରି ଚୁଡ଼ାଗୁଡ଼ ଯାଏଁ ଆସିଲା । ବୋଧେ ସେତେବେଳେ ଆମେ ସବୁଠୁ ଅଧିକା ହେଲିକପ୍ଟର ଉଡ଼ିବା ଦେଖିଥିବୁ । ଦିନ‌କୁ ୪/୫ଟି ହେଲକପ୍ଟର ଆକାଶରେ ଉଡ଼ୁଥିଲା । ମହାବାତ୍ୟା ଶେଷରେ ଆମ ଗାଁରେ ବୋଧେ ସବୁଠୁ ଅଧିକ ମାଙ୍କଡ଼ମାନେ ମରିଯାଇଥିଲେ । ସେମାନେ ରହୁଥିବା ସବୁଯାକ ବଡ଼ ଗଛ ଉପୁଡ଼ି ପଡ଼ିଥିଲା । ଦୈବାତ୍ ଉପୁଡ଼ିଥିବା ଗଛଗୁଡ଼ିକ କାହାରି ଘର ଉପରେ ପଡ଼ି କାହାରି ଜୀବନ ନେଇନଥିଲା ।

ମହାବାତ୍ୟାକୁ ଅନେକ ଦିନ ହେଇଗଲାଣି, ତ‌ଥାପି ଲୋକଙ୍କ ମନରୁ ସେ କୋକୁଆ ଭୟ ଏବେଯାଏଁ ଯାଇନି । ଆଜିବି ଅକ୍ଟୋବର ୨୯ ଆସିଲେ ଲୋକମାନେ ଆଗାମୀ ୭ଦିନ ପାଇଁ ଖାଇବା ଜିନିଷ ଆଣି ଘର ରଖିଦେଉଛନ୍ତି । ଶତାବ୍ଦୀ ଏହି ଶେଷ ପ୍ରଳୟ ବିଗତ ଶତାବ୍ଦୀ ସବୁଠାରୁ ବଡ଼ ଭୟ ହୋଇ ଜାଗିରହିଛି ଲୋକଙ୍କ ମନରେ, ପ୍ରାଣରେ ।

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ୧୮ବର୍ଷ ପୂର୍ବର ସେଇ ଲୋମହର୍ଷଣକାରୀ ଦୃଶ୍ୟର ବାଲୁକାକଳା


Thursday, 26 October 2017

ରଜ ହାଟ

ସଂଗ୍ରାମ କେଶରୀ ସେନାପତି 3:21 pm 0
ରଜ ହାଟ
ମୁଖ୍ୟତଃ ଗାଁମାନଙ୍କରେ ହାଟ ବସିଥାଏ । କେଉଁଠି କେଉଁଠି ସପ୍ତାହରେ ଥରେ ତ' ପୁଣି କେଉଁଠି ସପ୍ତାହରେ ଦୁଇଥର । ଗୋଟିଏ ନିର୍ଦ୍ଧିଷ୍ଠ ଜାଗା ଥାଏ, ଯେଉଁଠି ଆଖାପଖର କିଛି ଉଠାଦୋକାନୀମାନେ ଆସି ଦୋକାନ କରନ୍ତି । କେଉଁ କେଉଁ ହାଟ ସକାଳୁ ସଞ୍ଜ ଯାଏଁ ବସେ ଆଉ କେଉଁଠି ସଞ୍ଜବେଳିଆ ହାଟ ବି ବସେ । ଆମ ଗାଁଠାରୁ ଚାରି କିଲୋମିଟର ଦୂରରେ ଗୋଟେ ହାଟ ବସେ । ସେଇଟା ସପ୍ତାହରେ ଦୁଇଦିନ, ବୁଧବାର ଆଉ ରବିବାର ବସେ । ଆମର ଏହି ହାଟ‌ଟି ଦିନ ବେଳେ ହିଁ ବସେ । ସକାଳ ୮ଟାରୁ ଅପରାହ୍ନଯାଏଁ ହାଟରେ ଭିଡ଼ ଜମିଥାଏ । ନାନା ରକମର ଜିନିଷ ସବୁ ହାଟରେ ମିଳୁଥିବାରୁ ବ‌ହୁତ ଲୋକ ଭିଡ଼ ଜମେଇଥାନ୍ତି । ହାଟରେ ବିକ୍ରି କରିବା ପାଇଁ ବାହାରୁ ପରିବାଚାଷୀମାନେ ମଧ୍ୟ ପରିବା ଧରିକି ଆସିଥାନ୍ତି ।

ମୁଁ ଆଗରୁ ବ‌ହୁତ‌ଥର ହାଟକୁ ଯାଇଥିଲି । ବାପାଙ୍କ ସ‌ହିତ ପ୍ରାୟ ସବୁବେଳେ ଯାଏ । ଆମର କିଛି ପର୍ବପର୍ବାଣୀ (ରଜ, ଦୁତିବାହାନ, ପ୍ରଥମାଷ୍ଟମୀ, ବଡ଼ଓଷା) ସମୟରେ ହାଟରେ ପ୍ରବଳ ଭିଡ଼ ଲାଗିଥାଏ । ମୋର ଯେତେବେଳେ ଯୁକ୍ତ ଦୁଇ ସରିଲା, ସେହିବର୍ଷ ରଜ ପୂର୍ବଦିନ ବୁଧବାର ପଡ଼ିଥିଲା ଆଉ ହାଟ ବି ବ‌ହୁତ ଭିଡ଼ ଥିଲା । ସେଦିନ ବାପା ନ ଥିବାରୁ ହାଟ କରିବା ଦାୟିତ୍ୱଟା ମୋ ଉପରେ ପଡ଼ିଗଲା । ଅବଶ୍ୟ ଛୋଟବେଳୁ ମୁଁ ସବୁବେଳେ ତେଜରାତି ସଉଦା ଆଣୁଥିଲି, ହେଲେ ହାଟରୁ ପରିବା କିଣବାର ଜ୍ଞାନ ନ ଥିଲା । ତ‌ଥାପି ଚିରାଚରିତ ଢଙ୍ଗରେ ତିନୋଟି ବ୍ୟାଗ୍ ନେଇକି ସାଇକେଲଟା ଧରି ବାହାରିଗଲି । ଗଲାବେଳେ ମାଆ କ‌ହିଥିଲା ହାଟରେ ଯାହା ସୁବିଧା ଥିବା ଦେଖିକି ଆଣିବୁ । ମୁଁ ପଚାରିଦେଲି କି କ'ଣ କ'ଣ ଆଣିବା ଦରକାର । ସେ ସବୁ ପରିବା ନାଁ କ‌ହିଗଲା ଆଉ ତା' ଭିତରୁ ସୁବିଧା ଦେଖିକି ଆଣିବାକୁ କ‌ହିଲା । ମୁଁ ହାଟରେ ପ‌ହ‌ଞ୍ଚିଲାବେଳକୁ ବ‌ହୁତ ଭିଡ଼ ଲାଗିଯାଇଥିଲା । ହାଟରେ ଥିବା ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିଲେ ସେତେବେଳେ ପାଞ୍ଚଟଙ୍କା ପଡ଼ୁଥିଲା, ସେଥିପାଇଁ କିଛି ଦୂରରେ ଲୋକମାନେ ରଖିଥିବା ଜାଗାରେ ସାଇକେଲଟିକୁ ରଖିଦେଲି । ହାଟ ସଉଦା କରିବା ପାଇଁ ଗଲି । ମୋତେ ତ' ଦର କଷିବା ଜଣା  ନଥିଲା, ତେଣୁ ଆଖିରେ ଯାହା ଯାହା ପରିବା ପଡ଼ିଲା, ତାକୁ ସବୁତକ କିଣିଦେଲି । ତିନିଟା ଯାକ ବ୍ୟାଗ୍ ଭର୍ତ୍ତି ହେଇଗଲା ପରେ ଆଉ କିଛି କିଣିହେବନି ଭାବିକି ଫେରିଲି ।

ରଜ ପାଇଁ ଆଉ କିଛି ତେଜରାତି ସଉଦା ବି କିଣିବାର ଥିଲା, ହେଲେ ବ୍ୟାଗ୍ ନ ଥିବାରୁ ଆଉ ଗୋଟିଏ ବ୍ୟାଗ୍ କିଣିଲି । ହାଟର ଅନତି ଦୂରରେ ଥିବା ତେଜରାତି ଦୋକାନରୁ ସଉଦା କରିବାଟା ଭଲ ଭାବିଲି, କାରଣ ସବୁଯାକ ବ୍ୟାଗ୍‌କୁ ଆଉ କୋଉଠିକି ବୋହିକି ନେବା କଷ୍ଟ । ଚାରିଟା ବ୍ୟାଗ୍, ସବୁଯାକ ପୁଣି ଭର୍ତ୍ତି ହୋଇକି ଥାଏ । ତେଣୁ ସେ ତେଜରାତି ଦୋକାନରୁ ଛୋଟ ରଶି ଆଣିକି ଦୁଇଟା ପଛପଟ କେରିଅରରେ ଝୁଲେଇଲି । ଆଉ ଦୁଇଟି ଆଗରେ ଟଙ୍ଗେଇକି ଆଣିଲି । ପ୍ରବଳ ଖରାରେ ଏତେ ଜିନିଷ ନେଇକି ଘରକୁ ଆସିଲା ବେଳକୁ କିନ୍ତୁ ମୋତେ ଦେଖିକି ସବୁ ଆଶ୍ଚର୍ଯ୍ୟ । କାରଣ ମୁଁ ସେଦିନ ରଜ ପାଇଁ ୯୭୦ଟଙ୍କାର ପରିବା କିଣିଦେଇଥିଲି ଖାଲି । ପ୍ରକୃତରେ ମୁଁ କିଣିଲାବେଳେ ଟଙ୍କା ହିସାବ ନ କରିକି କିଣିଦେଲି, ଘରେ ପ‌ହ‌ଞ୍ଚିକି ହିସାବ କରିବାରୁ ଏତେ ଚାଲିଯାଇଛି ବୋଲି ଜଣାପଡ଼ିଲା । ଏହି କଥା ପବନ ବେଗରେ ଚାରିଆଡ଼େ ଖେଳିଗଲା, ତା' ପରେ ଜୁଆଡ଼େ ଗଲେ ସେମାନେ ମୋର ଏମିତି କଟାକ୍ଷ କଲେ କ‌ହିବାକୁ ନାହିଁ ।

Wednesday, 25 October 2017

ପ୍ରଥମ ପିକ୍‌ନିକ୍

ସଂଗ୍ରାମ କେଶରୀ ସେନାପତି 1:20 am 0
ପ୍ରଥମ ପିକ୍‌ନିକ୍
ସମସ୍ତେ ପିକ୍‌ନିକ୍‌ରେ ପ୍ରାୟ ଯିବାକୁ ପସନ୍ଦ କରନ୍ତି । ମୁଁ ଯେବେ ପ୍ରଥମଥର ଯାଇଥିଲି, ସେ ବିଷୟରେ ମୋତେ ସେତେଟା ଧାରଣା ହିଁ ନାହିଁ । କାରଣ ମୋତେ ସେତେବେଳେ ୩ ବର୍ଷ ହେଇଥିଲା ବୋଧେ । ସେଇଟା ଥିଲା ମୋ ବାପାଙ୍କ ସ୍କୁଲ ପିଲାଙ୍କର ଶେଷ ପିକ୍‌ନିକ୍ ଆଉ ମୋର ପ୍ରଥମ । ସେତେବେଳେ ମୁଁ ସବୁବେଳେ ବାପାଙ୍କ ସ‌ହ ସବୁଆଡ଼େ ଯାଏ । ତାଙ୍କ ସ‌ହ ସ୍କୁଲକୁ ବି ଯାଏ । ଏମିତିକି ସେ ତାସ୍ ଖେଳିବାକୁ ଗଲାବେଳେ ମୁଁ ଯାଏ । ତା' ପରେ ଭାଇ ବି ଯାଉଥିଲା, ସେଇଥିପାଇଁ ମୁଁ ବି ଗଲି । ସେତେବେଳେ ମୋତେ ଖାଲି ବାପା, ବିଶୁଆ ଭାଇ (ସେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ପୁରୀରେ ପଢ଼ୁଥିଲା ସେତେବେଳେ ।), ନବଘନ ଭାଇ, ନାରଣ ସାର୍‌ଙ୍କ ବିଷୟରେ ହିଁ ମନେ ଅଛି । ଆମ ସ‌ହ ଆହୁରି ଅନେକ ଯାଇଥିଲେ ଅବଶ୍ୟ ।

ବସ୍‌ରେ ଗଲାବେଳେ ମୋତେ ବାନ୍ତି ହୁଏ, ସେଇଥିପାଇଁ ବୋଧେ ମୋତେ ବସ୍‌ରେ ଯିବା ଆଦୌ ମନେ ନାହିଁ । କାରଣ ବସ୍ ଚାଲିଲା ବେଳକୁ ମୁଁ ଶୋଇଯାଇଥିବି । ତ‌ଥାପି ଏବେ ବି କିଛି କିଛି ମନେ ଅଛି । ସେତେବେଳେ ଆମେ ପୁରୀ ଆଉ ଚିଲିକା ଯାଇଥିଲୁ । ପୁରୀ ମନ୍ଦିରକୁ ଯେତେବେଳେ ସମସ୍ତେ ଯାଇଥିଲେ, ମୁଁ ଯାଇନଥିଲି । ଜଣେ ସାର୍‌ଙ୍କ ସ‌ହ ମୁଁ ବାହାରେ ବୁଲାବୁଲି କରୁଥିଲି ବୋଲି ମୋର ମନେ ଅଛି । ସେତେବେଳେ ମୁଁ ପ୍ରଥମେ ଗୋଟିଏ ବାଇସ୍କୋପ୍ (କ୍ୟାମେରା ଭଳିଆ ଦେଖିବାକୁ, ସେଇଥିରେ ଗୋଟେ ପରେ ଗୋଟେ ଛବି ଦେଖାଯାଏ ) । ବୋଧେ ସେବେଠୁ ମୋରେ କ୍ୟାମେରା ପ୍ରତି ମୋହ ଆରମ୍ଭ ହୋଇଥିଲା । ସମୁଦ୍ର ପାଖର ଦୃଶ୍ୟ ଏବେ ବି ମୋତେ ଭଲରେ ମନେ ଅଛି । ପୁଅମାନେ ସବୁ ସମୁଦ୍ରରେ ଗା‌ଧେଇଲେ, ହେଲେ ଝିଅମାନଙ୍କୁ ସମୁଦ୍ରରେ ପଶିବା ମନା ଥିଲା । ଭାଇ ମୋତେ ସମୁଦ୍ର ପାଣି ପାଖକୁ ଆଉ ଛୋଟ ଛୋଟ ଲ‌ହଡ଼ୀ ପାଖକୁ ନେଇଯିବାଟା ମୋତେ ମନେ ଅଛି ।

ତା'ପରେ ବିଶୁଆ ଭାଇ ପାଖକୁ ଆମେ ଯାଇଥିଲୁ କି ସେ ଆସିଥିଲା, ସେଇଟା ବି ଠିକ୍‌ରେ ମନେ ନାହିଁ । କିନ୍ତୁ ସେ ମୋ ପାଇଁ ଗୋଟେ ବଡ଼ ବେଲୁନ୍ କିଣିଥିଲା, ସେଇଟା ମୋତେ ମନେ ଅଛି । ଏବେ ବି ସେହି ପ୍ରଥମ ଯାତ୍ରାର ଗୋଟିଏ ମାତ୍ର ଫଟୋ ଅଛି । ସେଇଟା ବି ବିଶୁଆ ଭାଇ ସ‌ହ । ତା' ପରେ ଆମେ ଚିଲିକା ଯାଇଥିଲୁ । ସେଇଠି କେବଳ ଗୋଟିଏ ଦୃଶ୍ୟ ମନେ ଅଛି । ଚିଲିକାରେ ମଟର ଚାଳିତ ଆଉ କାତମରା ଡଙ୍ଗା । ମୋତେ ଖାଲି ଡଙ୍ଗା ବୋଲି ହିଁ ଜଣାଥିଲା । ଉଭୟ ଡଙ୍ଗା ଭିତରେ ପାର୍ଥକ୍ୟ କ'ଣ ଜଣାନଥିଲା । ବଡ଼ ହେଲାପରେ ସେଇଟା ଜଣା ପଡ଼ିଲା ।

ଏମିତିରେ ଅଧା ଅଧା ଝାପ୍‌ସା ସ୍ମୃତିରେ ଶେଷ ହୋଇଯାଇଥିଲା ମୋର ପ୍ରଥମ ପିକ୍‌ନିକ୍ । ଆମେ କେତେବେଳେ ଘରୁ ବାହାରିଥିଲୁ, ସେ ବିଷୟରେ ବି ମୋତେ ଜଣାନାହିଁ ଆଉ ସେମିତି କେତେବେଳେ ଆସିକି ଘର ପ‌ହ‌ଞ୍ଚିଲୁ, ସେ ବିଷୟରେ ବି କିଛି ଜଣା ନାହିଁ । ସେତେବେଳେ ବି ଅଧିକ ସମୟ ଶୋଉଥିଲି, ଏବେ ବି ସେମିତି ବ‌ହୁତ ସମୟ ଧରି ଶୋଉଛି । ସମୟ ସ‌ହ ଅନେକ କିଛି ବଦଳିଗଲାଣି, ବୋଧେ ଏଇ ଶୋଇବା ଗୁଣ‌ଟା ବଦଳିନାହିଁ କି କ'ଣ ।

Tuesday, 17 October 2017

ଗର୍ଭଣା ସଂକ୍ରାନ୍ତି

ସଂଗ୍ରାମ କେଶରୀ ସେନାପତି 4:08 pm 0
ଗର୍ଭଣା ସଂକ୍ରାନ୍ତି
ଓଡ଼ିଶାର ପର୍ବପର୍ବାଣିଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ । ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଇଂରାଜୀ ମାସ ଅକ୍ଟୋବରରେ ପଡେ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । ଗୃହମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି -ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ ।


ଗର୍ଭଣା ସଂକ୍ରାନ୍ତିରେ କ୍ଷେତରେ ପୋତାହେବା ପୂର୍ବରୁ ଘରେ ପୂଜା କରାଯାଏ ।

* All these contents are copied from Odia Wikipedia.
* Garbhana Sankranti is one of the important festivals like Akshaya Trutiya.
* In Akshaya Trutiya the farmers start the process of cultivation.
* And this is the festival during the cultivation process.

Friday, 15 September 2017

Software Freedom Day (ସଫ୍ଟଓଏର ସ୍ୱାଧୀନତା ଦିବସ)

ସଂଗ୍ରାମ କେଶରୀ ସେନାପତି 10:44 pm 0
Software Freedom Day (ସଫ୍ଟଓଏର ସ୍ୱାଧୀନତା ଦିବସ)

ଆଜିର ଏହି ଦୁନିଆରେ ଆମେ ପ୍ରାୟତଃ ଡିଜିଟାଲ ଦୁନିଆରେ ସବୁକିଛି କରୁଛନ୍ତି । ଏହି ଡିଜିଟାଲ ଦୁନିଆର ମୁଖ୍ୟ ଉପାଦନା ଦୁଇଟି ହେଲା ଇଣ୍ଟରନେଟ ଆଉ କମ୍ପ୍ୟୁଟର । ଆଉ ଏହିସବୁକୁ ଚଳେଇବା ପାଇଁ ଆମକୁ ଦରକାର ହୋଇଥାଏ ସଫ୍ଟଓଏର । ସଫ୍ଟଓଏର ବିଷୟରେ ପ୍ରାୟ ସଭିଏଁ ଏବ ଉଣା ଅଧିକେ ଜାଣିଲେଣି । ହେଲେ ଆମେ ବ୍ୟବ‌ହାର କରୁଥିବା ସବୁଯାକ ସଫ୍ଟଓଏର ଉପରେ ଆମର ଅଧିକାର ନ ଥାଏ । ଆମେ ଅଧିକାଂଶ ସଫ୍ଟଓଏର ଆମେ ଚୋରାରେ ବ୍ୟବ‌ହାର କରୁଛେ । କାରଣ ଏହିସବୁ ସଫ୍ଟଓଏରକୁ କିଣିବାକୁ ହେଲେ ଆମକୁ ଟଙ୍କା ଦରକାର । ଆଉ ଯଦି ଆମେ ଚୋରାରେ ପାଉଛନ୍ତି, ତେବେ ଟଙ୍କା କିଏ ବା କାହିଁକି ଖର୍ଚ୍ଚ କରିବାକୁ ଚାହିଁବ ଯେ । ହେଲେ ଏହିସବୁ ସଫ୍ଟଓଏରର ନିର୍ମାତା ଯଦି ଏହି ଚୋରା ବିଷୟରେ ଜାଣିବେ ତେବେ ସେମାନେ ଆମମାନଙ୍କ ଉପରେ ନିଶ୍ଚୟ ରୂପରେ ସେମାନଙ୍କର ନିୟମ ଉଲଘଂନ ଏବଂ ଚୋରିର ଦଫା ଗୋଟାଏ ଲେଖାଏଁ ଲଗେଇଦେବେ । ଏହି ସବୁ ଉପରେ ଶୁଭାଶିଷ ଭାଇ ଗତବର୍ଷ "ସଫ୍ଟଓଏର ସ୍ୱାଧୀନତା ଦିବସ: ଆମ ହାତେ ଆମ କୋଡ଼ ଲେଖିବା" ଶୀର୍ଷକ ଲେଖାଟିଏ ଲେଖିଥିଲେ, ତାକୁ ପଢ଼ିଲେ, ଏହି ବିଷୟରେ ଅଧିକ ସୂଚନା ପାଇପାରିବେ ।

ମାତ୍ର ଅନେକ କିଛି ସଫ୍ଟଓଏର ଯଦି ଯାହାକୁ ଆମେ ସ୍ୱାଧିନ ଭାବରେ ବ୍ୟବ‌ହାର କରିପାରିବା । ଏମିତିକି କିଛି ସଫ୍ଟଓଏର ଅଛି, ଯାହାକୁ ଆମେ ମୁକ୍ତଭାବରେ ବ୍ୟବ‌ହାର କରିପାରିବା । ଏହି ସବୁ ସଫ୍ଟଓଏରକୁ ଆମେ ମଧ୍ୟ ଆମର ଦରକାର ଅନୁସାରେ ବଦଳେଇପାରିବା । ମାତ୍ର ଆମେ ସେମାନଙ୍କର ମୂଳ ଆଧାରକୁ ବଦଳି କରିପାରିବା ନାହିଁ । ଯେମିତି ଆମେ ବିଦେଶୀଙ୍କଠାରୁ ସ୍ୱାଧୀନ ହେଇଛେ, ହେଲେ ନିଜ ଦେଶର ସମ୍ବିଧାନ ଅଧିନରେ ଆମେ ଅଛୁ । ସେହିଭଳି ଆମେ ସେହି ସଫ୍ଟଓଏରର ମୂଳ କୋଡ଼୍‌କୁ ବଦଳେଇପାରିବା ମାତ୍ର, ସେମାନଙ୍କର ନାମ ମଧ୍ୟ ଉଲ୍ଲେଖ ହେବା ଦରକାର । ଉଇକିମିଡ଼ିଆର କମନ୍‌ସ୍‌ରେ ଯଦି ଆମେ କୌଣସି ଫଟୋ, ଭିଡ଼ିଓ କିମ୍ବା ଅଡ଼ିଓ ଫାଇଲ ଅପଲୋଡ଼ କରୁଛେ, ଏହାକୁ ସାଧାରଣ ଲୋକ ବିନା ମୂଲ୍ୟରେ ବ୍ୟବ‌ହାର କରିପାରିବେ । ମାତ୍ର, ସେମାନେ ଏହି ଫାଇଲଗୁଡ଼ିକୁ ସେମାନଙ୍କର ନିଜ ପରିଚୟରେ ବ୍ୟବ‌ହାର କରିପାରିବେ ନାହିଁ । ସେମାନେ ଯେଉଁଠି ଏହିସବୁ ଫାଇଲର ବ୍ୟବ‌ହାର କରିବେ, ସେଇଠି ସେମାନେ ଏହି ଫାଇଲଟିର ଉଦ୍ଧୃତି ଏବଂ ଉପଦେଷ୍ଟାଙ୍କ ବିଷୟରେ ଉଲ୍ଲେଖ କରିବା ଅନିର୍ବାଯ୍ୟ । ସେହିଭଳି ହେଉଛି ଏହି ସଫ୍ଟଓଏର ଫ୍ରିଡମ୍ । ଆମେ ତାକୁ ବ୍ୟବ‌ହାର କରିପାରିବା, ଏମିତିକି ବଦଳେଇ ପାରିବା, ମାତ୍ର ବଦଳେଇଲା ପରେ ମୂଳ ସୃଷ୍ଟିକର୍ତ୍ତାଙ୍କ ବିଷୟରେ ଉଲ୍ଲେଖ କରିବା ନିହାତି ଦରକାର । ଯେ କୌଣସି ବ୍ୟକ୍ତିବିଶେଷ ଏହି ସବୁ ସଫ୍ଟଓଏରକୁ ଯେପରି ସୂଚାରୁରୂପେ ବ୍ୟବ‌ହାର କରିପାରିବ ଏବଂ ସେଥିରେ ନିୟମ‌ଭୁକ୍ତ ଥିବା ସାଧାରଣ ସୂଚନା ସେମାନଙ୍କୁ ପ୍ରାପ୍ତ ହେବ, ସେ ବିଷୟରେ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ଜଗତ ସାରା ୨୦୦୪ ମସିହାରୁ ସେପ୍ଟେମ୍ବର ମାସର ତୃତୀୟ ସପ୍ତାହରେ “ସଫ୍ଟଓଏର ଫ୍ରିଡ଼ମ ଡେ” ବା “ସଫ୍ଟଓଏର ସ୍ୱାଧୀନତା ଦିବସ” ପାଳିତ ହୋଇଆସୁଛି ।



ଏଇ ବର୍ଷ ଆମେ ୨୦୧୭ରେ ଆମର ଓଡ଼ିଆ ଉଇକିପଡ଼ିଆ ବ୍ୟବ‌ହାରକାରୀ ସଂଘ ତରଫରୁ ଭୁବନେଶ୍ୱରରେ ସମ୍ବାଦ ଭବନ ପରିସରରେ ଏହି କାର୍ଯ୍ୟକ୍ରମଟି ପାଳନ କରିବାର ଯୋଜନା ରହିଛି । ଏହିସବୁ ସ୍ୱାଧୀନତା ବିଷୟରେ ସାଧାରଣ ଲୋକଙ୍କୁ ଅବଗତି ପାଇଁ ଏହିଭଳି କିଛି କାର୍ଯ୍ୟକ୍ରମମାନ ଆୟୋଜନ କରିବା ନିତ୍ୟାନ୍ତ ଆବଶ୍ୟକ ।