ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Saturday, 31 December 2016

ବିଦାୟ ୨୦୧୬

ସଂଗ୍ରାମ କେଶରୀ ସେନାପତି 9:06 pm
ବିଦାୟ ୨୦୧୬
ଯାହାର ଆଦି ଅଛି, ତା'ର ଅନ୍ତ ଅଛି । ଯାହା ଆରମ୍ଭ ହୋଇଛି, ସେ ନିଶ୍ଚୟ ଶେଷ ହେବ । ଅନେକ ଉତ୍ସାହ ଆଉ ଆଡ଼ମ୍ବର ସ‌ହ ଆସିଥିଲା ନବ ବର୍ଷ ୨୦୧୬ । ଆଉ ଦିନ ପରେ ଦିନ ଗଡ଼ିଚାଲିଲା, ଶେଷରେ ତା'ର ବି ବିଦାୟର ସମୟ ଆସିଗଲା । ବିତିଗଲା ୩୬୬ଦିନ ଆଉ ସମୟ ସରିବାକୁ ବସିଲା । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଖୁବ୍ ନିକଟରେ ବିଦା ହେଇଯିବ ୨୦୧୬ ଏହି ଧରାପୃଷ୍ଠରୁ ଆଉ ପାଦ ଥାପିବ ୨୦୧୭ । ଆରମ୍ଭ ହେବ ଆଉ ଏକ ନବବର୍ଷ ।

Saturday, 10 December 2016

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କର ମନ୍ଦିର

ସଂଗ୍ରାମ କେଶରୀ ସେନାପତି 10:09 am
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କର ମନ୍ଦିର
ମାଆ ଭଦ୍ରକଳୀ ହେଉଛନ୍ତି ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ । ଲୋକ‌କଥାନୁସାରେ ମାଆ ଭଦ୍ରକାଳୀଙ୍କର ନାମାନୁସାରେ ଭଦ୍ରକର ନାମ ରଖାଯାଇଛି ।  ମାଆ ଭଦ୍ରକାଳୀଙ୍କୁ ଆଦି ଶକ୍ତି ବୋଲି ମଧ୍ୟ ଆମର ପୂରାଣରେ ବିବେଚନା କରାଯାଇଛି । ପ୍ରାଚୀନ ମନୁସ୍ମୃତି ଏବଂ ତନ୍ତ୍ରଶାସ୍ତ୍ର ଅନୁସାରେ ଜଣାଯାଏ ଯେ, ୩ୟ-୪ର୍ଥ ଶତାବ୍ଦୀରୁ ୧୨ଶ ଶତାବ୍ଦୀ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶକ୍ତିପୀଠଗୁଡ଼ିକ ପ୍ରସିଦ୍ଧିଲାଭ କରିଥିଲା । ତନ୍ତ୍ର ଶାସ୍ତ୍ରାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପୀଠ ଭାଗରେ ଗଣାଯାଏ ।

ଏକୈବ ଶକ୍ତି ପରମେଶ୍ୱରସ୍ୟ,
ବିବିଧା ବଦନ୍ତି ବ୍ୟବ‌ହାର କାଳେ,
ଭୋଗେ ତୁ ଭବାନି ପୁରୁଷେଷୁ ଲକ୍ଷ୍ମୀ,
ଶକ୍ତେ ତୁ ଦୁର୍ଗା ପ୍ରଳୟେ ତୁ କାଳି ।।

ମାଆ ଆଦିଶକ୍ତିଙ୍କର ପ୍ରଳୟର ରୂପ ହେଉଛନ୍ତି ମାଆ କାଳୀ ଏବଂ ଭଦ୍ରକାଳୀ ମାଆ ଆଦିଶକ୍ତିଙ୍କର ଏକ ପ୍ରଳୟ କାଳୀନ ରୂପ ବୋଲି ମଧ୍ୟ ଅନେକ ମତ ଦିଅନ୍ତି । ଆଉ କେହି କେହି ମାଆଙ୍କୁ ମହାକାଳ ଶିବଙ୍କର ଶକ୍ତି ବୋଲି ମଧ୍ୟ କ‌ହିଥିଲେ ।

ମାଆ ଭଦ୍ରକଳୀଙ୍କର ମନ୍ଦିର ଭଦ୍ରକ ସ‌ହ ଉପକଣ୍ଠରୁ ପ୍ରାୟ ୭କିଲୋମିଟର ଦୂରରେ ଅବସ୍ଥିତ । ଅହାରପଦା ଗ୍ରାମରେ ସାଳନ୍ଦୀ ନ‌ଦୀ କୂଳରେ ମାଆ ଭଦ୍ରକାଳୀଙ୍କର ଏବେକାର ମନ୍ଦିରଟି ଅବସ୍ଥିତ ।

ଓଡ଼ିଶା ପର୍ଯ୍ୟଟନ ତରଫରୁ ମନ୍ଦିର ଆଗରେ ଲଗାଯାଇଥିବା ଫଳକ ।
ମା' ଭଦ୍ରକାଳୀ ମନ୍ଦିରର ପ୍ରବେଶଦ୍ଵାର ।
ଭୋଗଦୋକାନଠାରୁ ମୁଖ୍ୟ ପ୍ରବେଶଦ୍ଵାରର ଛବି ।
 ବର୍ତ୍ତମାନର ମନ୍ଦିରରେ ମାଆ ଭଦ୍ରକାଳୀଙ୍କର ଚତୁର୍ଭୁଜା ମୂର୍ତ୍ତୀ ପୂଜା ପାଉଛି । ଚତୁର୍ଭୁଜା ମାଆ ଭଦ୍ରକାଳୀ ଏଠାରେ ସିଂହପୃଷ୍ଠରେ ପଦ୍ମାସନରେ ବିଜେ କରିଛନ୍ତି । ମାଆ ଉପର ଉପର ଦକ୍ଷିଣ ହସ୍ତରେ ଖଡ୍ଘ ଧାରଣ କରିବା ସ‌ହ ବାମ ହସ୍ତରେ ଖର୍ପର ଧାରଣ କରିଛନ୍ତି ଏବଂ ତଳ ବାମ ହସ୍ତରେ ଜପାମାଳଳି ଧାରଣ କରିବା ସ‌ହ ଦକ୍ଷିଣ ହସ୍ତରେ ବାଳକୃଷ୍ଣଙ୍କୁ କୋଳରେ ଧରିଛନ୍ତି । ଏହା ହେଉଛି ଏକମାତ୍ର ଶକ୍ତିପୀଠ ଯେଉଁଠି ମାଆ କାଳୀ ବାଳକୃଷ୍ଣଙ୍କୁ କୋଳରେ ଧାରଣ କରିଛନ୍ତି ।

ମା' ଭଦ୍ରକାଳୀ ।
ମାଆ ଭଦ୍ରକାଳୀଙ୍କର ମୁଖ୍ୟ ମନ୍ଦିରର ପ୍ରବେଶଦ୍ୱାର ।

ଇତିହାସ ଅନୁସାରେ ମାଆ ଭଦ୍ରକାଳୀଙ୍କର ପୂରାତନ ମନ୍ଦିରଟି ଅନ୍ୟ ଏକ ସ୍ଥାନରେ ଥିଲା । ଓଡ଼ିଶାରେ ମୁସଲମାନ ଶାସନ ସମୟରେ ବାରମ୍ବାର ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ହେଉଥିଲା । କ୍ରମେ ସେହି ମନ୍ଦିରଟି ଧ୍ୱଂସାଭିମୁଖି ହେଲା, ଫଳରେ ମାଆଙ୍କର ମନ୍ଦିର ଏବେକାର ଆହାରପଦା ନିକଟକୁ ସ୍ଥାନାନ୍ତର ହେଲା । ଏହିଠାରେ ମୁଖ୍ୟ ମନ୍ଦିର ସମେତ ସମୁଦାୟ ୩ଗୋଟି ମନ୍ଦିର ଅଛି । ମୁଖ୍ୟ ମନ୍ଦିରରେ ମାଆ ଭଦ୍ରକାଳୀ ପୂଜା ପାଉଥିବା ବେଳେ ଅନ୍ୟଦ୍ୱୟ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ବଡ଼ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପୂଜା ପାଉଛନ୍ତି । ଅନ୍ୟ ଏକ ମନ୍ଦିରରେ ମହାଦେବ ଭଦ୍ରେଶ୍ୱର ନାମରେ ପୂଜିତ ହେଉଛନ୍ତି । 

ଭଦ୍ରକାଳୀ ମନ୍ଦିର ବେଢ଼ାରେ ଥିବା ଜଗନ୍ନାଥ ମନ୍ଦିରର ଉଦ୍‌ଘାଟନ ଫଳକ ।
ଜଗନ୍ନାଥ ମନ୍ଦିର ସାମ୍ନାରେ ଥିବା ଗରୁଡ଼ ସ୍ତମ୍ଭ ।
ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ।
ବାବା ଶ୍ରୀ ଭଦ୍ରେଶ୍ୱରଙ୍କର ମନ୍ଦିର ।
ମନ୍ଦିର ପ୍ରାଙ୍ଗଣରେ ଥିବା ନବଗ୍ରହ‌ଙ୍କର ମୂର୍ତ୍ତୀ ସମୂହ ।
ସୌରଜଗତର ବୈଜ୍ଞାନିକଙ୍କ ମତାନୁସାରେ ସୌରମଣ୍ଡଳରେ ସମୁଦାୟ ୯ଟି ଗ୍ରହ ଅଛି । କିନ୍ତୁ ଅନେକ ପ୍ରାଚୀନ କାଳରୁ ଆମ ସଂସ୍କୃତି ଏବଂ ପରମ୍ପରାରେ ମଧ୍ୟ ନବ ଗ୍ରହ‌ଙ୍କୁ ପୂଜା କରିବାର ନିଦର୍ଶନ ରହିଛି । ମାତ୍ର ବୈଜ୍ଞାନିକମାନଙ୍କର ଗ୍ରହର ବର୍ଣ୍ଣନା ଏବଂ ପୂରାତନ ଶାସ୍ତ୍ରରେ ଗ୍ରହର ବର୍ଣ୍ଣାନା ଟିକେ ଅଲଗା ରହିଛି । ପୂରାତନ ଶାସ୍ତ୍ରରେ ସୂର୍ଯଙ୍କୁ ପ୍ରଥମ ଗ୍ରହର ଆଖ୍ୟ ମିଳିଥିବା ବେଳେ ବୈଜ୍ଞାନିକ ତାଙ୍କୁ ଗ୍ରହ ଭାବରେ ଗଣନା କରିନାହାନ୍ତି । ସେହିଭଳି ବୈଜ୍ଞାନିକମାନେ ମଧ୍ୟ ଚନ୍ଦ୍ରଙ୍କୁ ଏକ ଗ୍ରହ ନୁହେଁ ବରଂ ଏକ ଉପଗ୍ରହ ଭାବରେ ଦର୍ଶାଇଛନ୍ତି । ବୁଧ, ଶୁକ୍ର, ମଙ୍ଗଳ ଏବଂ ଶନି ପୂରାତନ କାଳର ଗଣନାରେ ଥିଲେ ଏବଂ ବୈଜ୍ଞାନିକମାନଙ୍କର ଗଣନାରେ ମଧ୍ୟ ଅଛନ୍ତି । ସେହିଭଳି ଅନ୍ୟ ଦୁଇ ଗ୍ରହ ରାହୁ ଏବଂ କେତୁ ମଧ୍ୟ ବୈଜ୍ଞାନିକମାନଙ୍କର ଗଣନାରେ ସ୍ଥାନ ପାଇନାହାନ୍ତି । କିନ୍ତୁ ଏବେ ବି ଆମର ଜ୍ୟୋତିଷବିଷାରଦମାନେ ସେହି ପୂରାତନ ନବଗ୍ରହ‌ଙ୍କର ଚଳନ‌କୁ ଲକ୍ଷ୍ୟକରି ଦିନ, ମାସ ଏବଂ ବର୍ଷ ନିର୍ଦ୍ଧାରଣ କରୁଛନ୍ତି ଏବଂ ଅମେ ମଧ୍ୟ ଏହି ପୂରାତନ ନବଗ୍ରହ‌ଙ୍କୁ ପୂଜା କରୁଅଛେ ।

ଭଦ୍ରକାଳୀ ମନ୍ଦିର ପରିସରରେ ଥିବା ଆଉ କିଛି ମୂର୍ତ୍ତୀର ଚିତ୍ର:

* ଶ୍ରୀ ମହାବିଷ୍ଣୁ ନେଇଥିବା ଦଶ ଅବତାରର ମୂର୍ତ୍ତୀ ମଧ୍ୟ ଭଦ୍ରକାଳୀଙ୍କର ମନ୍ଦିର ପରିସରରେ ରହିଛି ।
ମସ୍ୟ ଅବତାର, କଚ୍ଛପ ଅବତାର, ବରାହ ଅବତାର ଏବଂ ନୃସିଂହ ଅବତାର ।
 
ବାମନ ଅବତାର, ପର୍ଶୁରାମ ଅବତାର ଏବଂ ରାମ ଅବତାର ।

 
ହଳଧର ଅବତାର, ବୁଦ୍ଧ ଅବତାର ଏବଂ କଳ୍କୀ ଅବତାର ।

 * ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଦଶ ମହାବିଦ୍ୟାଙ୍କର ରୂପ ଦର୍ଶିତ ହୋଇଛି ।
















ମାଆ ଭଦ୍ରକାଳୀ ମନ୍ଦିର ପରିସରରେ କାଳୀପୂଜା ସମୟରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ସାତଦିନ ବ୍ୟାପି ଅଖଣ୍ଡ ଯଜ୍ଞ ହେବା ସ‌ହ ମାଆଙ୍କର ନାମ ସଂକୀର୍ତ୍ତନ ମଧ୍ୟ ହୋଇଥାଏ । ଏବଂ ସାତଦିନରେ ସପ୍ତମାତୃକା ବେଶରେ ସୁସଜ୍ଜିତ ହୋଇଥାନ୍ତି ମାଆ ଭଦ୍ରକାଳୀ ।

ମାଆ ଭଦ୍ରକାଳୀଙ୍କର ମୁଖ୍ୟ ମନ୍ଦିର ସାମ୍ନାରେ ଥିବା ଏହି ଯଜ୍ଞଶାଳାରେ ସପ୍ତଦିବସ ବ୍ୟାପି ଯଜ୍ଞକରାଯାଏ ।

ସପ୍ତମାତୃକା ଯଜ୍ଞସମୟରେ ଯଜ୍ଞକୁଣ୍ଡରେ ସୁସଜ୍ଜିତ କଳସ ଏବଂ ଅଖଣ୍ଡ ଅଗ୍ନି ।

 ମାଆ ଭଦ୍ରକାଳୀଙ୍କର ପୀଠରେ ଅନୁଷ୍ଠିତ ହେଉଥିବା ସପ୍ତମାତୃକା ବେଶ ସମୂହ:


୧. ବେଦମାତା ବେଶ:

କାଳୀ ପୂଜା ସମୟରେ ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞର ପ୍ରଥମ ଦିନର ବେଶ ହେଉଛି ବେଦମାତା ବେଶ । ବେଦମାତା ବେଶରେ ମାଆ ଭଦ୍ରକାଳୀ ପଦ୍ମ ଆସନରେ ବିରାଜମାନ କରିବା ସ‌ହ ହଂସ ବାହାନ ସାଜିଥାନ୍ତି । ଏହି ବେଶରେ ମାଆଙ୍କର ମୁଖମଣ୍ଡଳ ହଳଦିଆ ରଙ୍ଗ ହେବା ସ‌ହ ହଳଦିଆ ରଙ୍ଗର ପାଟବସ୍ତ୍ର ପରିଧାନ କରିଥାନ୍ତି ଏବଂ ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଦକ୍ଷିଣ ହସ୍ତରେ ଜପାମାଳୀ ଏବଂ ବାମ ହସ୍ତରେ ଶଙ୍ଖ ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।

ଭଦ୍ର ଶବ୍ଦର ଅର୍ଥ ହେଉଛି କଲ୍ୟାଣ । ଉଦିତ୍ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟ ସଦୃର୍ଶ ଏହି ପୀଠର ମା' ଶାନ୍ତ, ଶିଷ୍ଟ, ଭଦ୍ର ଓ କଲ୍ୟାଣମୟୀ ରୂପେ ବିରାଜମାନ । ବେଦ ହେଉଛି ସର୍ବଜ୍ଞାନର ଭଣ୍ଡାର । ବେଦମାତା ବେଶରେ ମା'ଙ୍କୁ ଦର୍ଶନ କଲେ ଭକ୍ତର ଜ୍ଞାନ ଚକ୍ଷୁ ଉନ୍ମୁକ୍ତ ହୁଏ । ଭକ୍ତ ସବୁ କ୍ଷେତ୍ରରେ ବିଜୟୀ ହୁଏ ବୋଲି ବିଶ୍ୱାସ ରହିଛି । ସଂସାରରୁ ଅଜ୍ଞାନ ରୂପକ ଅନ୍ଧକାରକୁ ବିନାଶ କରି ଜ୍ଞାନାଲୋକରେ ଦୀପ୍ତ କରିବା ସକାଶେ ଆଲୋକର ପର୍ବ ଦୀପାବଳୀର ପ୍ରଥମ ଦିନରେ ମା' ବେଦମାତା ରୂପରେ ଦର୍ଶନ ଦେଇଥାନ୍ତି ।

ବେଦମାତା ବେଶରେ ମାଆ ଭଦ୍ରକାଳୀ

୨. ମହାକାଳୀ ବେଶ:

ବିଶ୍ୱଶାନ୍ତି ମହାଯଜ୍ଞର ଦ୍ୱିତୀୟ ଦିନର ବେଶ ହେଉଛି ମହାକାଳୀ ବେଶ । ମା' ଭଦ୍ରକାଳୀ ମହାକାଳୀ ବେଶରେ ନାଲି ପାଟ ବସ୍ତ୍ର ପରିଧାନ କରିବାସ‌ହ ମା'ଙ୍କର ମୁଖ ମଣ୍ଡଳ ଶ୍ୟାମଳ ବର୍ଣ୍ଣ ହୋଇଥାଏ । ମୁକ୍ତକେଶ, ରକ୍ତ ଜିହ୍ୱା ଏବଂ ହାତରେ ଖଡ଼୍‌ଗ ଓ ତ୍ରିଶୂଳ ଧାରଣ କରି ମୁଣ୍ଡମାଳରେ ମା' ସାଜିଥାନ୍ତି ଉଗ୍ରରୂପା ।

ମା' ଭଦ୍ରକାଳୀ ପରମ ବୈଷ୍ଣବୀ ଓ ଜଗତ କଲ୍ୟାଣକାରୀ ଅଟନ୍ତି । ମା ନିଜ କୋଳରେ ବାଳ କୃଷ୍ଣଙ୍କ ବିଗ୍ରହକୁ ଧାରଣ କରି ସ୍ନେହ‌ମୟୀ ଓ ମଙ୍ଗଳମୟୀର ପରିଚୟ ଦେଇଥାନ୍ତି । କଳିଯୁଗରେ ସଂସାରରୁ ପାପର ବିନାଶ ସ‌ହିତ ଗର୍ବ, ଅହଂକାର ଓ ଆସୁରିକ ପ୍ରବୃତିକୁ ବିନାଶ କରି ସତ୍ୟ-ଧର୍ମର ବାର୍ତ୍ତା ଦେଇଥା'ନ୍ତି ମା' ।
ମହାକାଳୀ ବେଶରେ ମାଆ ଭଦ୍ରକାଳୀ ।

୩. ରାଜରାଜେଶ୍ୱରୀ ବେଶ:

ମହାଯଜ୍ଞର ତୃତୀୟ ଦିନରେ ମା' ଭଦ୍ରକାଳୀ ରାଜରାଜେଶ୍ୱରୀ ବେଶରେ ସୁସଜ୍ଜିତ ହୋଇଥାନ୍ତି । ଏହି ବେଶରେ ମା' ସିଂହ ଓ ହସ୍ତୀ ବାହାନରେ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଗୋଲାପି ପାଟ ବସ୍ତ୍ର ପରିଧାନ କରିଥାନ୍ତି । ଶଙ୍ଖ-ଚକ୍ର, ଗଦା, ପଦ୍ମ ସ‌ହିତ ଚତୁର୍ଦ୍ଧା ମୂର୍ତ୍ତିରେ ମା' ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ ବୋଲି ସମଗ୍ର ଜଗତକୁ ବାର୍ତ୍ତା ଦେଇଥାନ୍ତି ।

ମା' ଭଦ୍ରକାଳୀଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହେବା ସ‌ହ ଉତରତ୍ତୋର ଉନ୍ନତି ଏବଂ ପଦମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରହିଥାଏ ବୋଲି ବିଶ୍ୱାସ ରହିଛି ।
ରାଜରାଜେଶ୍ୱରୀ ବେଶରେ ମାଆ ଭଦ୍ରକାଳୀ ।

୪. ସିଂହବାହିନୀ ବେଶ:

ବିଶ୍ୱଶାନ୍ତି ମହାଯଜ୍ଞର ଚତୁର୍ଥଦିନରେ ବେଶ ହେଉଛି ସିଂହବାହିନୀ ବେଶ । ଏହି ସିଂହବାହିନୀ ବେଶରେ ସିଂହ ସାଜିଥାନ୍ତି ମା' ଭଦ୍ରକାଳୀଙ୍କର ବାହାନ । ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ, ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଚାରି ହାତରେ ଖଡ଼୍‌ଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ପ୍ରକଟିତ ହୋଇଥାନ୍ତି ମା' ଭଦ୍ରକାଳୀ ।

ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଟ ଖଣ୍ଡନ ତ‌ଥା ସମସ୍ତ ବିପଦ ଦୂର ହୁଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ ।
ସିଂହବାହିନୀ ବେଶରେ ମାଆ ଭଦ୍ରକାଳୀ ।

୫. ଜଗଦ୍ଧାତ୍ରୀ ବେଶ:

ସପ୍ତମାତୃକା ବେଶର ପଞ୍ଚମ ଦିନର ବେଶ ହେଉଛି ଜଗଦ୍ଧାତ୍ରୀ ବେଶ । ଏହି ବେଶରେ ବାଘ ବାହାନ ସାଜିଥିବା ବେଳେ ମା' ଭଦ୍ରକାଳୀଙ୍କର ମୁଖମଣ୍ଡଳ କୃଷ୍ଣ ବର୍ଣ୍ଣ ହୋଇଥାଏ । ମା' ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଥାନ୍ତି । ହସ୍ତରେ ଖଡ଼୍‌ଗ, ଗଦା, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଥାନ୍ତି ।

ଆଦ୍ୟାଶକ୍ତି ମା' ଭଦ୍ରକାଳୀ ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ । ଜଗଦ୍ଧାତ୍ରୀ ବେଶରେ ମା'ଙ୍କୁ ଦର୍ଶନ କଲେ ଭକ୍ତର ମାନସିକ ପୂରଣ ହୋଇଥାଏ ବୋଲି ଦୃଢ଼ ବିଶ୍ୱାସ ରହିଛି ।
ଜଗଦ୍ଧାତ୍ରୀ ବେଶରେ ମାଆ ଭଦ୍ରକାଳୀ ।

୬. ମହାସରସ୍ୱତୀ ବେଶ:

ସପ୍ତମାତୃକାବେଶରେ ଷଷ୍ଠଦିନର ବେଶ ହେଉଛି ମହାସରସ୍ୱତୀ ବେଶ । ଏହି ବେଶରେ ହଂସ ମା' ଭଦ୍ରକାଳୀଙ୍କର ବାହାନ ହୋଇଥିବା ବେଳେ ମୁଖମଣ୍ଡଳ ଶ୍ୱେତ ବର୍ଣ୍ଣା ହୋଇଥାଏ । ମା' ଭଦ୍ରକାଳୀ ଶ୍ୱେତ ବସ୍ତ୍ର ପରିଧାନ କରିବା ସ‌ହ ପଦ୍ମାସନରେ ବିରାଜମାନ କରିଥାନ୍ତି । ଏହି ବେଶରେ ମା' ଭଦ୍ରକାଳୀ ହସ୍ତଯୁଗଳରେ ବୀଣା, ତୃତୀୟ ଓ ଚତୁର୍ଥ ହସ୍ତରେ ଜପାମାଳି ଏବଂ ପୁସ୍ତକ ଧାରଣ କରିଥାନ୍ତି । ସ୍ୱର୍ଣ୍ଣ ଏବଂ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତୀରେ ପ୍ରକଟ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।

ମହାସରସ୍ୱତୀ ବେଶରେ ମା' ଭଦ୍ରକାଳୀଙ୍କୁ ଦର୍ଶନ କଲେ ବିଦ୍ୟା, ବୁଦ୍ଧି ଓ ଜ୍ଞାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସଂସାରରୁ ଅଜ୍ଞାନ ଓ ଅନ୍ଧକାରକୁ ଦୂରକରି ଜ୍ଞାନଲୋକରେ ଦିପ୍ତ କରିବା ସକାଶେ ମା' ଭଦ୍ରକାଳୀ ମହାସରସ୍ୱତୀ ବେଶ ଧାରଣ କରିଥାନ୍ତି ।
ମହାସରସ୍ୱତୀ ବେଶରେ ମାଆ ଭଦ୍ରକାଳୀ ।

୭. ମହାଲକ୍ଷ୍ମୀ ବେଶ:

ମା' ଭଦ୍ରକାଳୀଙ୍କର ସପ୍ତମାତୃକା ବେଶ ମଧ୍ୟରେ ମହାଲକ୍ଷ୍ମୀ ବେଶ ହେଉଛି ଅନ୍ତିମ ବା ସପ୍ତମ ବେଶ । ମହାଲକ୍ଷ୍ମୀ ବେଶରେ ମା' ଭଦ୍ରକାଳୀ ହଳଦିଆ ବସ୍ତ୍ର ପରିଧାନ କରିବା ସ‌ହ ମା'ଙ୍କର ମୁଖମଣ୍ଡଳ ହଳଦୀଆ ବର୍ଣ୍ଣ ହୋଇଥାଏ । ପଦ୍ମାସନରେ ମା' ଭଦ୍ରକାଳୀ ବିରାଜମାନ କରିଥିବା ବେଳେ ହସ୍ତୀ ଏବଂ ପେଚା ତାଙ୍କର ବାହାନ ହୋଇଥାନ୍ତି । ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାରରେ ସଜ୍ଜିତ ହୋଇ ମା' ଭଦ୍ରକାଳୀ ଚାରି ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥାନ୍ତି ।

ମହାଲକ୍ଷ୍ମୀ ବେଶରେ ମା' ଭଦ୍ରକାଳୀଙ୍କୁ ଦର୍ଶନ କଲେ ଧନ, ଜନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସପ୍ତମାତୃକା ବିଶ୍ୱଶାନ୍ତି ମହାଯଜ୍ଞର ଅନ୍ତିମ ଦିନ ହୋଇଥିବାରୁ ଏହିଦିନରେ ପୂର୍ଣ୍ଣାହୂତି ଦେଖିବା ପାଇଁ ଅନେକ ଭକ୍ତଙ୍କର ଭିଡ଼ ଲାଗିଥାଏ ।
ମହାଲକ୍ଷ୍ମୀ ବେଶରେ ମାଆ ଭଦ୍ରକାଳୀ ।


Friday, 9 December 2016

ମୋ ବିଷୟରେ

ସଂଗ୍ରାମ କେଶରୀ ସେନାପତି 9:09 pm
ମୋ ବିଷୟରେ
         ମୁଁ ସଂଗ୍ରାମ କେଶରୀ ସେନାପତି । ପ୍ରାୟ ସଭିଏଁ ମୋତେ ଗପୁ ବୋଲି ଡାକନ୍ତି । ଏପରିକି ସ୍କୁଲ କି କଲେଜକୁ ମୁଁ ଯେତେବେଳେ ପ୍ରଥମେ ଯାଏ, ସମସ୍ତେ ସଂଗ୍ରାମ ବୋଲି ଡାକନ୍ତି ଆଉ ଧିରେ ଧିରେ ସେ ଡାକ ନାଆଁଟା ବି ଗପୁ ବି ବଦଳିଯାଏ । କେହି କେହି ଭାବନ୍ତି ଏହି ନାମଟି ବୋଧ‌ହୁଏ ପିଲାମାନେ କେହି ଦେଇଛନ୍ତି କାରଣ ମୁଁ ସାଙ୍ଗମାନଙ୍କ ସ‌ହ ଟିକେ ଅଧିକା ଗପେ । ସେଇଥିପାଇଁ ପରା ଲେଖିଦିଏ କି, "ଯେତେ ଗପିଲେ ବି ମୁଁ ଗପୁଥିବି" । ହେଲେ କେବେ କେବେ ଗପି ଗପି ମୋ ମୁଣ୍ଡ ବିନ୍ଧେ । ନାଆଁଟା ଗପୁ ହେଲେ ସବୁବେଳେ ଖାଲି ଗପେନି କେବେ କେବେ କିଛି କାମ ବି କରିଦେଇଥାଏ ।  ଆଉ କେହି କେହି ତ ମୋ ଗପ ଶୁଣି ଦୁଃଖ ଅବସ୍ଥାରୁ ଖୁସି ଅବସ୍ଥାକୁ ଆସିଯାଇଛନ୍ତି । ମୁଁ କେବେ କେବେ ବି ଲେଖିଦିଏ ଆଉ ତ କେବେ କେବେ କିଛି ଫଟୋ ବି ଉଠେଇଥାଏ ।

Wednesday, 30 November 2016

ମାନସିକ ଚିନ୍ତାଧାରା

ସଂଗ୍ରାମ କେଶରୀ ସେନାପତି 12:05 am
ମାନସିକ ଚିନ୍ତାଧାରା
Manasika Chintadhara (ମାନସିକ ଚିନ୍ତାଧାରା) Blog by Sangram Keshari Senapati

ଏହି ଲେଖାଟି ଆମେ ଭୋଗୁଥିବା କିଛି ଅସୁବିଧାର କାରଣ ସମ୍ବନ୍ଧରେ ଲେଖାଯାଇଛି ।

ଆମେମାନେ ଓଡ଼ିଶାରେ ବିଭିନ୍ନ ପ୍ରକାରର ରାସ୍ତାରେ ଯାତାୟତ କରୁଛେ । ସେହି ସବୁ ରାସ୍ତାଗୁଡ଼ିକ କୋଉଠି ଅଣଓସାରିଆ ତ ପୁଣି କୋଉଠି ଭାଙ୍ଗିଯାଇଛି ଆଉ ଏହି ସବୁ କାରଣ ପାଇଁ ଆମେ ସରକାରଙ୍କୁ ଅତି ସନ୍ତର୍ପଣରେ ଦୋଷାରପ କରିଥାଉ । ଏମିତି କିଛି ମଧ୍ୟ ଘଟଣା ଘଟୁଛି, ଯାହା ଆମ ଦ୍ୱାରା ସୃଷ୍ଟି ହେଉଛି କିନ୍ତୁ ଆମେ ସେଇଟା ପ୍ରଶାସନର ଭୁଲ ବୋଲି ବତେଇ ଚୁପ ଚାପ ବସିଯାଉଛେ ।

ଆଜିକାଲି ସ‌ହର ବଜାର ମାନଙ୍କରେ ପୌରପାଳିକା ତରଫରୁ କଙ୍କ୍ରିଟ୍ ରାସ୍ତା ତିଆରି ହେଉଛି, ଜଳ ନିଷ୍କାସନ ପାଇଁ ଡ୍ରେନର ମଧ୍ୟ ବ୍ୟବସ୍ଥା କରା‌ଯାଉଛି, ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇବା ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଡଷ୍ଟବିନମାନ ମଧ୍ୟ ରଖାଯାଉଛି । ଏତେ ସବୁ ସୁବିଧା କରିବା ପରେ ମଧ୍ୟ ଅଳ୍ପ ବର୍ଷାରେ କଙ୍କ୍ରିଟ ରାସ୍ତା ଉପରେ କାଦୁଅ ହେଇଯାଉଛି, ବର୍ଷାଜଳ ନିଷ୍କାସନ ପାଇଁ ନିର୍ମାଣ ହୋଇଥିବା ଡ୍ରେନରେ ବର୍ଷାଜଳ ନିଷ୍କାସିତ ହେବା ପରିବର୍ତ୍ତେ ରାସ୍ତା ଉପରେ ଜଳ ପ୍ରବାହିତ ହୋଇଥାଏ ।

Bad parking in Bhadrak
(ଅଣ-ଓସାରିଆ ରାସ୍ତା ଉପରେ ଗାଡ଼ି ପାର୍କିଂ)

ଏହି ସବୁ କାରଣ ପାଇଁ ଆମେ ସରକାର ତ‌ଥା ପ୍ରାଶାସନ‌କୁ ସଦାସର୍ବଦା ଦାୟୀ କରିଥାଉ । ହଁ ପ୍ରଶାସନର କିଞ୍ଚିତ ଅବେହେଳା ରହୁଛି, ମାତ୍ର ସବୁକିଛି ଖାଲି ପ୍ରଶାସନ ବୁଝିବ ବୋଲି ତ ନାହିଁ । ଆମର ମଧ୍ୟ କିଛି କର୍ତ୍ତବ୍ୟ ତ‌ଥା ଦାୟିତ୍ୱ ଅଛି । ପ୍ରଶାସନ ତରଫରୁ କଙ୍କ୍ରିଟ ରାସ୍ତାଟିଏ ନିର୍ମାଣ ହେବା ବେଳେ ତ ଅନେକ ଦୁର୍ନୀତି ହେଉଛି ଏବଂ ରାସ୍ତାଟିର ନିର୍ମାଣର ମାନ କମୁଛି । ରାସ୍ତାଟି ନିର୍ମିତ ହୋଇଯିବା ପରେ ଲୋକମାନେ ସେହି ରାସ୍ତାଟିକୁ ମଧ୍ୟ ନିଜ କାମରେ ଲାଗାଇ ଦେଉଛନ୍ତି, ଯେପରିକି ସେହି ରାସ୍ତା ପରେ ବାଲି କୁଢ଼େଇବା, ଧାନ ସୁଖାଇବା, ଇତ୍ୟାଦି ଇତ୍ୟାଦି । ଏହି ସବୁ ଜିନିଷକୁ ଉଠାଇକି ନେବା ପରେ ମଧ୍ୟ କିଛି ମାଟି ଅଂଶ ସେହି ରାସ୍ତା ଉପରେ ଜମିକି ରହୁଛି । ତେଣେ ଅଳିଆ ଆବର୍ଜନାକୁ ପକାଇବା ପାଇଁ ରଖାଯାଇଥିବା ଡଷ୍ଟବିନ ବଦଳରେ ଲୋକମାନେ ଜଳ ନିଷ୍କାସନ ପାଇଁ ନିର୍ମୀତ ହୋଇଥିବା ଡ୍ରେନମାନଙ୍କରେ ପକାଇ ଦେଉଛନ୍ତି । ସେହି ସବୁ ଅଳିଆ ଭିତରୁ କିଛି ପରିମାଣରେ ଭାସିଯାଉଥିବା ବେଳେ ଆଉ କିଛି ସେହି ସ୍ଥାନରେ ପଡ଼ି ରହୁଛି । ଏମିତି ସବୁ ପଡ଼ିବା ଦ୍ୱାରା ଡ୍ରେନଟି ମଧ୍ୟ ଆସ୍ତେ ଆସ୍ତେ ପୋତି ହେବାରେ ଲାଗିଥାଏ ।

Bhadrak Bus Stand during rainy season

ଏହି ସବୁ ଭିତରେ ହଠାତ ଦିନେ ଅଦିନିଆ ବର୍ଷାଟିଏ ହୋଇଗଲେ ବର୍ଷାଜଳର ନିଷ୍କାସନ ଡ୍ରେନରେ ପର୍ଯାପ୍ତ ପରିମାଣରେ ଜଳ ନିଷ୍କାସିତ ହୋଇପାରି ନ ଥାଏ । ସେହି ଜଳ ସବୁ ରାସ୍ତା ଉପରକୁ ଆସିଯାଇଥାଏ । ଡ୍ରେନରୁ ଜଳ ରାସ୍ତାକୁ ଆସିବା ଭିତରେ ଡ୍ରେନରେ ପୋତି ହୋଇ ରହିଥିବା କିଛି ବର୍ଜ୍ୟବସ୍ତୁ ମଧ୍ୟ ରାସ୍ତାକୁ ଆସିଯାଏ ଏବଂ ଆଗରୁ ରାସ୍ତା ଉପରେ ଗଚ୍ଛିତ ଥିବା କିଛି ବାଲି, ମାଟି ସ‌ହ ମିଶି ରାସ୍ତାକୁ ମଧ୍ୟ ଖରାପ କରାଏ । ଏହି ସବୁ କାରଣରୁ ଆମମାନଙ୍କୁ ରକ୍ଷା ପାଇବାକୁ ହେଲେ ଆମକୁ ଆମର ଘରୁ ବାହାରୁଥିବା ସମସ୍ତ ଅଳିଆ କିମ୍ବା ବର୍ଜ୍ୟବସ୍ତୁର ସୁବିନିଯୋଗ କରିବା ସ‌ହ ଉଚିତ ସ୍ଥାନରେ ପକାଇବା ଦରକାର । ଆମ ଘର ଆଗରେ ରହିଥିବା ରାସ୍ତାଟିକୁ ସଫା କରିବା କାର୍ଯ୍ୟ ଆମର । କାରଣ ପ୍ରଶାସନ ସବୁକିଛି କରିପାରିବ ନାହିଁ, ଯେବେଯାଏ ଆମେ ସଜାଗ ନ ହୋଇଛି ଆମର କେବେହେଲେ ଉନ୍ନତି ହୋଇପାରିବ ନାହିଁ ।

Indian Traffic failure

ସେହିଭଳି ଆମେ ରାସ୍ତାରେ ଯିବାବେଳେ ଅନେକ ସମୟରେ ଗାଡ଼ି ଜାମ ହୋଇଯାଇଥାଏ । ଏହାର ଏକମାତ୍ର କାରଣ ହେଉଛି, ଲୋକମାନଙ୍କ ପାଖରେ ଧୈର୍ଯ୍ୟ ଶକ୍ତିର ଅଭାବ । ଏକ ଅଣଓସାରିଆ ରାସ୍ତାରେ ଗୋଟିଏ ଗାଡ଼ିଟି ଅପରପାର୍ଶ୍ୱରୁ ଆସୁଥିବା ଗାଡ଼ିକୁ ଅତିକ୍ରମ କରୁଥିବା ବେଳେ ଛୋଟ ଛୋଟ ଗାଡ଼ିରେ ଆସୁଥିବା କିଛି ଲୋକ ଆଗେ ପ‌ହ‌ଞ୍ଚିବା ଲକ୍ଷରେ ଡାହାଣ ପଟକୁ ମାଡ଼ିଯାଆନ୍ତି ଏବଂ ତାଙ୍କ ଦେଖାଦେଖି ଆଉ କିଛି ଛୋଟ ଗାଡ଼ିବାଲାଏ ଡାହାର ପଟକୁ ମାଡ଼ିଯାଇଥାନ୍ତି । ଏହା ଫଳରେ ବୀପରିତ ଦିଗରୁ ଆସୁଥିବା ବଡ଼ ଗାଡ଼ି କିମ୍ୱା ଛୋଟ ଗାଡ଼ିଟିକୁ ଯିବା ପାଇଁ ଆଉ ରାସ୍ତା ମିଳେନି । ଏହି ସବୁ କାରଣ ପାଇଁ ଅନେକ ସମୟରେ ରାସ୍ତାରେ ଜାମ ହୋଇଥାଏ ।

Indian Traffic failure in Bhadrak

ଯଦି ଏହି ସମୟରେ ଛୋଟ ଗାଡ଼ିବାଲାଏ ଡାହାଣ ପଟକୁ ନ ଯାଇ ମାତ୍ର କେଇ କ୍ଷଣ ବାମ ପଟରେ ଅପେକ୍ଷା କରିଥାନ୍ତେ, ତାହେଲେ ରାସ୍ତା ଜାମ ହେବା ବଦଳରେ ସବୁ ଗାଡ଼ିଗୁଡ଼ିକ ସୁରୁଖୁରୁରେ ଯାତାୟତ କରିପାରନ୍ତେ । ଏହି ସବୁ କାରଣ ପାଇଁ ଆମେ ପ୍ରଶାସନ‌କୁ ହିଁ ଦାୟୀ କରୁ କି ପ୍ରଶାସନ ରାସ୍ତା କାହିଁକି ବଡ଼ କରୁନାହାନ୍ତି । ସେପଟେ ପ୍ରଶାସନ ରାସ୍ତା ବଡ଼ କରିବାକୁ ଚାହିଁଲେ ରାସ୍ତାର ଜାଗାକୁ ଅବରୋଧ କରି ରଖିଥିବା ଲୋକମାନେ ପୁନଃ ପ୍ରଶାସନ‌କୁ ହିଁ ଦାୟୀ କରିଥାନ୍ତି । ତେଣୁ ଆମେ ସର୍ବଦା ପ୍ରାଶାସନ‌କୁ ଦାୟୀ କରିବା ପରିବର୍ତ୍ତେ ପ୍ରଶାସନ କରୁଥିବା କିଛି କାର୍ଯ୍ୟରେ ତାଙ୍କୁ ସ‌ହଯୋଗ କଲେ ଅନ୍ତ‌ତଃ ପକ୍ଷେ ଏହିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁ ନ ଥାନ୍ତା ।

Tuesday, 4 October 2016

ବିଦ୍ୟାର ମହାମନ୍ଦିରରେ ରାଜନୀତି

ସଂଗ୍ରାମ କେଶରୀ ସେନାପତି 10:41 pm
ବିଦ୍ୟାର ମହାମନ୍ଦିରରେ ରାଜନୀତି
ବିଦ୍ୟାର ମହାମନ୍ଦିରରେ ରାଜନୀତି

ଏବେ ଯେତେବେଳେ ଟିଭି ଖୋଲିଦେଲେ ସବୁବେଳେ "ବ୍ରେକିଙ୍ଗ ନ୍ୟୁଜ"ରେ ଗୋଟିଏ କଥା ସିନିଶ୍ଚିତ ଦେଖାଉଥିବ କି ନିର୍ବାଚନ ପାଇଁ ମହାବିଦ୍ୟାଳୟରେ ଭଙ୍ଗାରୁଜା । କେଉଁଠାରେ ପୋଡ଼ାଜଳା କରି ମହାବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା ହେଲାଣି ତ ପୁଣି କେଉଁଠି ମହାବିଦ୍ୟାଳୟ କତୃପକ୍ଷଙ୍କ ପକ୍ଷରୁ ନିର୍ବାଚନ ବାତିଲ କରାଗଲାଣି । ଅନେକ ସ୍ଥାନରେ ବିଦ୍ୟାର୍ଥୀଗଣ ନିଜ ନିଜ ମଧ୍ୟରେ ଶତ୍ରୁତା ଆଚରଣ କରି ଗଣ୍ଡଗୋଳ କଲେଣି ।

ପୁରାତନ ଯୁଗରୁ ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କୁ ବିଦ୍ୟାର ମନ୍ଦିର ଆକ୍ଷ୍ୟା ଦିଆଯାଇଆସିଛି । ଯେଉଁଠାରେ ଗୁରୁମାନଙ୍କୁ ଆରାଧ୍ୟ ରୂପେ ପୂଜା କରାଯାଏ, ସେହି ସ୍ଥାନ ଏହି ନିର୍ବାଚନ ସମୟରେ ପାଲଟିଯାଉଛି ଏକ ଯୁଦ୍ଧକ୍ଷେତ୍ର । ଯେଉଁଠାରେ ନ ଥାଏ ଭକ୍ତିଭାବ କି ଭୟ, ଥାଏ କେବଳ ପ୍ରତିହିଂସା । କେବେ କେବେ ତ ଏହି ଛାତ୍ରଛାତ୍ରୀମାନେ ସେମାନଙ୍କର ରାଗ ସୁଝାଉଛନ୍ତି ସାଧାରଣ ଲୋକଙ୍କ ଉପରେ । କଲେଜରେ ସୃଷ୍ଟି ହେଉଥିବା ପରିସ୍ଥିତି ପାଇଁ ସେମାନେ ଓହ୍ଲାଇ ଆସୁଛନ୍ତି ରାଜରାସ୍ତାକୁ ଏବଂ ଅବୋରଧ କରୁଛନ୍ତି, ଯାହା ଫଳରେ ସାଧାରଣ ଲୋକେ ଅନେକ ଅସୁବିଧାର ମଧ୍ୟ ସମ୍ମୁଖିନ ହେଉଛନ୍ତି । ଏବେ ତ କିଛି ରାଜନୈତିକ ନେତାଙ୍କ ହସ୍ତକ୍ଷେପରେ କଲେଜ ନିର୍ବାଚନ ସାଧାରଣ ନିର୍ବାଚନର ରୂପ ନେବାକୁ ବସିଲାଣି ।

ମହାବିଦ୍ୟାଳୟ ଭଳି ଏକ ପବିତ୍ର ସ୍ଥାନରେ ଏହି ନିର୍ବାଚନର ନିଶା ଏହାର ପବିତ୍ରତାକୁ ନଷ୍ଟ କରୁଛି । କେତେକ ପିଲାଙ୍କ ମତରେ ଗଣତନ୍ତ୍ର ହେଉଛି ସାଧାରଣ ଜନତାର ଅଧିକାର, ସେଥିପାଇଁ ମହାବିଦ୍ୟାଳୟରେ ପିଲାମାନେ ମଧ୍ୟ ଏହାକୁ ଉପଭୋଗ କରିବା ଦରକାର । କିନ୍ତୁ ଏମାନେ ଭୁଲିଯାଉଛନ୍ତି କି ମହାବିଦ୍ୟାଳୟରେ ନିର୍ବାଚନ ହେଲେ ଛାତ୍ରଛାତ୍ରୀମାନେ ଗଣତନ୍ତ୍ରକୁ ଉପଭୋଗ କରୁନାହାନ୍ତି ବରଂ ବିପରୀତମୁଖି ହେଉଛନ୍ତି । ମହାବିଦ୍ୟାଳୟରେ ସେମାନଙ୍କରେ ପ୍ରକୃତ କାର୍ଯ୍ୟକୁ ଛାଡ଼ି ସେମାନେ ନିର୍ବାଚନ ପଛରେ ଗୋଡ଼ାଉଛନ୍ତି । ନିଜର ପ୍ରକୃତ କର୍ତ୍ତବ୍ୟକୁ ଭୁଲିଯାଉଛନ୍ତି । ବିଦ୍ୟାଅର୍ଜନ ବଦଳରେ ଅନ୍ୟଆଡ଼େ ବେଶି ମନ ବଳାଉଛନ୍ତି । ସେଥିପାଇଁ ମହାବିଦ୍ୟାଳୟ ମାନଙ୍କରେ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିବା ଉଚିତ ହେବ । ଯହା ଫଳରେ ମହାବିଦ୍ୟାଳୟକୁ ଅଧ୍ୟୟନ ପାଇଁ ଆସୁଥିବା ଛାତ୍ରଛାତ୍ରୀମାନେ ବିଦ୍ୟାଗ୍ରହଣରେ ଅଧିକ ଧ୍ୟାନ ଦେବେ ଏବଂ ନିର୍ବାଚନ ସମୟରେ ବିଦ୍ୟାଳୟରେ ଘଟୁଥିବା ଅଘଟଣ କମ ହେବ, ଆରକ୍ଷୀଅଧିକାରୀ ଗଣ ଲୋକଙ୍କ ସୁରକ୍ଷା ପାଇଁ ଅଧିକ ସମୟ ଦେଇପାରିବେ ଏବଂ ମୁଖ୍ୟତଃ ମହାବିଦ୍ୟାଳୟରେ ଘଟୁଥିବା କ୍ଷୟକ୍ଷତିକୁ କମ୍ କରାଯାଇପାରିବ ।

Monday, 5 September 2016

ସମାଜ କଲ୍ୟାଣରେ ଗୁରୁଙ୍କ ଭୂମିକା

ସଂଗ୍ରାମ କେଶରୀ ସେନାପତି 9:12 am
ସମାଜ କଲ୍ୟାଣରେ ଗୁରୁଙ୍କ ଭୂମିକା
ସମାଜ କଲ୍ୟାଣରେ ଗୁରୁଙ୍କ ଭୂମିକା

ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରେ ଜ୍ଞାନର ଆଲୋକ ପ୍ରଦାନ କରି ଆମ ଜୀବନ‌କୁ ସୁନ୍ଦର କରି ଗଢ଼ି ତୋଳନ୍ତି । କେବଳ ଯିଏ ଆମକୁ ଶିକ୍ଷାନୁଷ୍ଠାନରେ ଶିକ୍ଷା ଦିଅନ୍ତି, ସେମାନେ ଖାଲି ଆମର ଗୁରୁ ନୁହ‌ନ୍ତି । ଆମ ଜୀବନରେ ଆମେ ଯାହାଠାରୁ କିଛି ବି ଶିକ୍ଷାଲାଭ କରିଥାଉ, ଏମିତି କି ସେ ବୟସରେ ଛୋଟ ହେଲେ ମଧ୍ୟ ସେ ଆମର ଗୁରୁ । ଗୁରୁଙ୍କ ସମ୍ମାନାର୍ଥେ ଆଜିର ଏହି ଗୁରୁ ଦିବସ ପାଳନ ଆମ ସମାଜରେ ଗୁରୁ-ଶିଷ୍ୟର ସମ୍ପର୍କ‌କୁ ଆହୁରି ନିବିଡ଼ କରୁଛି । ଗୁରୁଦିବସରେ ହିଁ କେବଳ ଗୁରୁଙ୍କୁ ପୂଜା କରାଯାଏନି ବରଂ ସବୁଦିନେ ହୃଦୟର ଏହି ମନ୍ଦିରରେ ଗୁରୁଙ୍କୁ ପୂଜା କରାଯାଏ । ଗୁରୁଙ୍କ ବିନା ଏହି ସମାଜ ଚାଲିପାରିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଆମକୁ କାହାଠାରୁ କିଛି ନା କିଛି ଶିକ୍ଷା କରିବାକୁ ପଡ଼ିଥାଏ । ଜୀବନରେ ଆମେ ଯେତେ ଆଗକୁ ଆଗକୁ ଯିବା ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଅନେକ ଗୁରୁଙ୍କ ଠାରୁ ବ‌ହୁତ କିଛି ଶିକ୍ଷା କରିବାକୁ ପଡ଼ିଥାଏ ।

ଗୁରୁଦିବସ ବିଷୟରେ କିଛି କ‌ହିଲା ବେଳେ ପ୍ରାୟ ଅନେକ ଗୋଟିଏ ବଡ଼ ଉଦାହରଣ ଦିଅନ୍ତି ଏକଲବ୍ୟ ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର । ସେତେବେଳେ ଗୁରୁ ଦକ୍ଷିଣା ଦେବାକୁ ଯାଇ ଏକଲବ୍ୟ ଗୁରୁଙ୍କୁ ତାଙ୍କର ଆଙ୍ଗୁଠି ଦାନ କରିଦେଇଥିଲେ । ଏଥିରେ ଗୁରୁ ସ୍ୱାର୍ଥପର ଭଳି ଦୃଶ୍ୟ ହୁଅନ୍ତି କିନ୍ତୁ ପ୍ରକୃତ କଥା ସେପରି ନୁହେଁ । ଗୁରୁ ଦ୍ରୋଣାଚାର୍ଯ୍ୟ ଗୁରୁ ଦକ୍ଷିଣା ମାଗିବା ଆଗରୁ ଏକଲବ୍ୟ ଏକ କାର୍ଯ୍ୟ କରିଥିଲେ, ଏକାଥରେ ଗୋଟିଏ କୁକୁର ମୁହଁରେ ୭ଟି ଶର ବିନ୍ଧିଦେଇଥିଲେ । ଗୋଟିଏ କୁକୁର ଭୁକିବାରୁ ସେ ତା'କୁ ସାତୋଟି ଶର ମାରିଦେଇଥିଲେ । ଯିଏକି ଗୋଟିଏ କୁକୁରର ସାମାନ୍ୟ ଭୁକିବାରେ ସାତୋଟି ଶର ବିନ୍ଧିଦେଇଥିଲେ । ଏହାର ଅର୍ଥ ହେଉଛି ସେ  ତାଙ୍କ ବିଦ୍ୟାର ଅପ‌ପ୍ରୟୋଗ କରିଥିଲେ, ସେଥିପାଇଁ ଗୁରୁ ଦ୍ରୋଣାଚାର୍ଯ୍ୟ ଗୁରୁଦକ୍ଷିଣାରେ ତାଙ୍କର ଆଙ୍ଗୁଠି ମାଗିଥିଲେ ।

ଗୁରୁ ହିଁ ସଦା ସର୍ବଦା ସମାଜର ତ‌ଥା ଶିଷ୍ୟମାନଙ୍କର ମଙ୍ଗଳ କାମନା କରିଥାନ୍ତି । ସେଥିପାଇଁ ସେ ଏହିଭଳି ପଦକ୍ଷେପ ନେଇଥାନ୍ତି । ଗୁରୁ ଦେଇଥିବା ଶିକ୍ଷାକୁ ସେମାନେ ଭଲ କାର୍ଯ୍ୟରେ ଲଗାଇବା ଦରକାର ।

ଆଜି ଏହି ଗୁରୁଦିବସରେ ଶପଥ କରିବା ଦରକାର କି ଆମେ ଆମର ଗୁରୁଙ୍କଠାରୁ ପାଇଥିବା ଶିକ୍ଷାକୁ ଉଚିତ ମାର୍ଗରେ ଏବଂ ସମାଜର ମଙ୍ଗଳ ପାଇଁ ସର୍ବଜନ ହିତରେ ପ୍ରୟୋଗ କରିବା ।

ଗୁରୁ ବ୍ରହ୍ମା...ଗୁରୁ ବିଷ୍ଣୁ... ଗୁରୁଦେବ ମହେଶ୍ୱର...!
ଗୁରୁ ସାକ୍ଷାତ୍‌ ପରଂବ୍ରହ୍ମ...ତସ୍ମୈବ ଶ୍ରୀ ଗୁରୁବୈ ନମଃ ।

ଗୁରୁଦିବସରେ ଗଣେଶ ପୂଜା

ସଂଗ୍ରାମ କେଶରୀ ସେନାପତି 9:06 am
ଗୁରୁଦିବସରେ ଗଣେଶ ପୂଜା
ନମୋ ଗଣେଶ ବିଘ୍ନେଶ ଗିରିଜା ନନ୍ଦନଂ ପ୍ରଭୋ ।
ମମ ବିଘ୍ନ ନିହତ୍ୟାଶୁ ଗଣାଧିପତୟେ ନମଃ ।।