ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Monday, 8 February 2016

୨୦୧୫ ବର୍ଷରେ ଟ୍ୱିଟରରେ ଓଡ଼ିଶାର ଟ୍ରେଣ୍ଡ

ସଂଗ୍ରାମ କେଶରୀ ସେନାପତି 3:11 pm
୨୦୧୫ ବର୍ଷରେ ଟ୍ୱିଟରରେ ଓଡ଼ିଶାର ଟ୍ରେଣ୍ଡ
ସୋଶିଆଲ ମିଡ଼ିଆର ଆଗମନ ପରେ ସାମ୍ବାଦପତ୍ରର ସଂଜ୍ଞା ବଦଳିଯାଇଛି । କୌଣସି ସମ୍ବାଦ ବା ତ‌ଥ୍ୟକୁ ଜନସାଧାରଣଙ୍କ ପାଖରେ ପ‌ହ‌ଞ୍ଚାଇବା ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ପାଲିଟିଛି । ଯଦିଓ କିଛି ଅଗ୍ରଗାମୀ ଓଡ଼ିଆ ଫେସବୁକ ବା ଟ୍ୱିଟରରେ ବ‌ହୁ ସମୟ ଧରି ସକ୍ରିୟ ଥିଲେ, କିନ୍ତୁ ଗୋଷ୍ଠୀବଦ୍ଧ ଭାବେ ଓଡ଼ିଶା କିମ୍ବା ଏହାର କୌଣସି ବୈଶିଷ୍ଟ୍ୟକୁ କେବେ ପ୍ରୋତ୍ସାହିତ କରାଯାଇନଥିଲା । ବିଶେଷକରି ଟ୍ୱିଟରରେ ଅନେକଗୁଡ଼ିଏ ବିଷୟର ଟ୍ରେଣ୍ଡ ବା ଧାରା ସୃଷ୍ଟି ହୋଇଥାଏ । ଗୋଟିଏ ସମୟରେ କୌଣସି ନିର୍ଦ୍ଧିଷ୍ଟ ବିଷୟ ଉପରେ ଅଧିକ ଆଲୋଚନା ହେଲେ ଏହି ବିଷୟଟି ଟ୍ରେଣ୍ଡ ହୋଇଥାଏ, ଯାହାକି ଅଣଓଡ଼ିଆ ବ୍ୟବ‌ହାରକାରୀଙ୍କୁ ଏହି ବିଷୟ ପ୍ରତି ଆକୃଷ୍ଟ କରେ । ତେଣୁ ଓଡ଼ିଶାକୁ ପ୍ରଦର୍ଶନ କରିବା ପାଇଁ ଏହା ଏକ ଉଚିତ ମାଧ୍ୟମ ହୋଇପାରେ ବୋଲି ଚିନ୍ତା କରି ଏକ ମିଳିତ ଉଦ୍ୟମ ଆରମ୍ଭ ହେଲା । ଗତ ୨୦୧୫ ବର୍ଷରେ କିଛି ଉତ୍ସୁକ ଓଡ଼ିଆଙ୍କ ଆହ୍ୱାନ‌କ୍ରମେ ପ୍ରଥମଥର ପାଇଁ #PakhalaDibasa ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବ‌ହୁ ଲୋକ ଏଥିରେ ଉତ୍ସାହର ସ‌ହ ଭାଗ ନେଇଥିଲେ । ପଖାଳ ଉପରେ କବିତା ରଚନାଠାରୁ ଆରମ୍ଭ କରି ଭଳିକି ଭଳି ଫଟୋ ଟୁଇଟ କରି ମାର୍ଚ୍ଚ ୨୦ ଜାତୀୟ ସ୍ତରରେ ପଖାଳ ଦିବସର ମାନ୍ୟତା ପାଇଲା । ପ୍ରଥମ ଉଦ୍ୟମରେ ସଫଳତାର ସ୍ୱାଦ ଚାଖିବା ପରେ ଓଡ଼ିଆ ସମ୍ପ୍ରଦାୟ ଆଉ ପଛକୁ ଚାହିଁନଥିଲା । ପରବର୍ତ୍ତୀ ସମୟରେ ଉତ୍କଳ ଦିବସକୁ ସୋଶିଆଲ ସାଇଟରେ ଏଭଳି ପାଳନ କରାଗଲା ଯାହା ଫଳରେ ବ‌ହୁ ଇତିହାସ, ଭୂଗୋଳ ତ‌ଥା ସାହିତ୍ୟ ସମ୍ପର୍କରେ କେତେକ ନୂଆ ନୂଆ ଅଜଣା ତ‌ଥ୍ୟ ଲୋକଲୋଚନ‌କୁ ଆସିଲା ଏବଂ #UtkalaDibasa ଟ୍ରେଣ୍ଡ ହେଲା । ପରେ ପରେ ନବକଳେବର ରଥଯାତ୍ରା ଟ୍ରେଣ୍ଡ ଆସିଲା । ସରକାରୀ ସ୍ତରରେ ମଧ୍ୟ ଏଥର ନବକଳେବରର ପ୍ରଚାର ପାଇଁ ସୋଶିଆଲ ସାଇଟର ବ୍ୟବ‌ହାର କରାଯାଇଥିଲା । #NabakalebaraRathJatra ଟ୍ରେଣ୍ଡଟି ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏବଂ ସବୁଠାରୁ ଅଧିକ ସମୟ ଧରି ପ୍ରଥମ ସ୍ଥାନରେ ରହିଥିଲା । ଯାହା ଫଳରେ ସାରା ବିଶ୍ୱ ରଥଯାତ୍ରା ସମ୍ପର୍କରେ ସମସ୍ତ ତ‌ଥ୍ୟ ସ‌ହଜରେ ଜାଣିପାରିଲା । ପରେ ପାଳିତ ହେଲା ରସଗୋଲା ଦିବସ । ରସଗୋଲା ଓଡ଼ିଶାର ବୋଲି ପ୍ରମାଣିତ କରିବା ପାଇଁ ବ‌ହୁ ଓଡ଼ିଆ ଅକ୍ଳାନ୍ତ ଉଦ୍ୟମ କଲେ । ବ‌ହୁ ତ‌ଥ୍ୟ ଟୁଇଟ କରାଗଲା । ଫଳରେ ଏବେ ଓଡ଼ିଶା ରସଗୋଲା ନିଜର ବୋଲି ଦାବି କରୁଥିଲାବେଳେ ପଡ଼ୋଶୀ ରାଜ୍ୟ ପଶ୍ଚିମ‌ବଙ୍ଗ ତା'ର ବୋଲି ଦାବି କରିବା ଦ୍ୱାରା ଏହା ବିଚାରାଧୀନ ରହିଛି । ସଫଳତା ମିଳିବା ପରେ ଓଡ଼ିଆ ଟୁଇଟିଆଳୀମାନେ ଅଧିକ ସଂଖ୍ୟାରେ ଏଥିରେ ଯୋଜନାବଦ୍ଧ ଭାବରେ ଭାଗ ନେବାରେ ଲାଗିଲେ । ସେହିଭଳି ରଜ ପର୍ବ ସମୟରେ ଓଡ଼ିଶାର ପୁରପଲ୍ଲୀରେ ରଜ କେମିତି ପାଳନ ହୁଏ, ପିଠାପଣାର ଅୟୋଜନ, ରଜ ଗୀତ ତ‌ଥା ରଜ ସମୟରେ ଖେଳାଯାଉଥିବା ବାଗୁଡ଼ି ଖେଳ ବିଷୟରେ ବ‌ହୁ ତ‌ଥ୍ୟ ଲୋକଲୋଚନ‌କୁ ଆଣିବା ପାଇଁ #RajaParba ଟ୍ରେଣ୍ଡ ହେଲା । ନୂଆଖାଇ ସମୟରେ #NuakhaiJuhar ହାସ୍ ଟ୍ୟାଗଟି ମଧ୍ୟ ବେଶ କିଛି ସମୟ ଧରି ସାରା ଭାରତରେ ପ୍ରଥମ ସ୍ଥାନରେ ରହିଥିଲା । ଏଥିରେ ପଶ୍ଚିମ ଓଡ଼ିଶା ଓ ଏହି ପର୍ବ ସମ୍ବନ୍ଧରେ ଲୋକେ ବ‌ହୁ ତ‌ଥ୍ୟ ଜାଣିବାକୁ ପାଇଲେ । ସେହିଭଳି ଭାଗବତ ଟୁଙ୍ଗିର ଟ୍ରେଣ୍ଡ ମଧ୍ୟ ଆରମ୍ଭ ହେଲା । ଭାଗବତ ଟୁଙ୍ଗୀ ସଂସ୍କୃତିକୁ ପୁନଶ୍ଚ ଉଜ୍ଜୀବିତ କରାଇବା ସ‌ହ ଯୁବପିଢ଼ିକୁ ଏଥି ସ‌ହ ପରିଚୟ କରାଇବା ଏହାର ମୁଖ୍ୟ ଉଦେଶ୍ୟ ଥିଲା । ଏଥିରେ ମଧ୍ୟ ବ‌ହୁ ଓଡ଼ିଆ ଟୁଇଟାଳୀମାନେ ଭାଗ ନେଇଥିଲେ । ଫଳରେ ଭାଗବତଜନ୍ମ ଦିନ ପ୍ରଥମ କରି ଓଡ଼ିଆ ଶବ୍ଦ #ଭାଗବତ ଟ୍ରେଣ୍ଡ ହେଲା । ଏହି ଟ୍ରେଣ୍ଡଟି କିଛି ସମୟ ଧରି ପ୍ରଥମ ସ୍ଥାନରେ ମଧ୍ୟ ରହିଥିଲା । ସେହିଭଳି ବ‌ହୁ ମହାପୁରୁଷ ଓଡ଼ିଶା ମାଟିରେ ଜନ୍ମ ନେଇ ଦେଶ ବିଦେଶରେ ଓଡ଼ିଶାକୁ ଗୌରାବାନ୍ନିତ କରିଥିଲେ । ସେମିତି ଜଣେ ଯୁଗପୁରୁଷ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ଏହି ଯୋଗ୍ୟ ସନ୍ତାନଙ୍କ ଜନ୍ମଦିନରେ ଓଡ଼ିଆ ଟୁଇଟାଳୀମାନେ #Utkalamani ଟ୍ରେଣ୍ଡ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେହିଭଳି #DurgaPujaInOdisha, #OdishaPatachitra, #IncredibleChilika ଆଦି ଟ୍ରେଣ୍ଡ କରି ଟୁଇଟାଳୀମାନେ ବେଶ ସୁନ୍ଦର ସୁନ୍ଦର ଫଟୋ ଓ ତ‌ଥ୍ୟମାନ ଉପସ୍ଥାପନ କରିଥିଲେ । ଓଡ଼ିଶାରେ ବୌଦ୍ଧ ଧର୍ମାବଲମ୍ବୀଙ୍କର ବିଶେଷ ସ୍ଥାନ ରହିଛି । ତେଣୁ ଟୁଇଟାଳୀମାନେ #KalingaBudha ଟ୍ରେଣ୍ଡ କରି ଇତିହାସକୁ ଉଜ୍ଜୀବିତ କରିଥିଲେ । କାର୍ତ୍ତିକ ପୂର୍ଣିମା ସମୟରେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସ ସମ୍ପର୍କିତ ତ‌ଥ୍ୟ ଲୋକଲୋଚନ‌କୁ ଆଣିବା ପାଇଁ ତ‌ଥା ଓଡ଼ିଶାର ସର୍ବବୃହତ ମେଳା ବାଲିଯାତ୍ରା ବିଷୟରେ ସଭିଙ୍କୁ ଜଣାଇବାକୁ #Balijatra ଟ୍ରେଣ୍ଡରେ ବ‌ହୁଳମାତ୍ରାରେ ଫଟୋ ଓ ତ‌ଥ୍ୟ ପୋଷ୍ଟ କରାଯାଇଥିଲା । ଓଡ଼ିଶାର ପ୍ରାଚୀନ‌ ପ୍ରସ୍ତରକଳାର ଉତ୍କୃଷ୍ଟ ଉପାଦେୟ କୋଣାର୍କ ମନ୍ଦିରର ଐତିହ୍ୟ ତ‌ଥା କୋଣାର୍କ ମହୋତ୍ସବକୁ ବିଶ୍ୱ ସମୁଦାୟରେ ପ‌ହ‌ଞ୍ଚାଇବା ପାଇଁ ଡ଼ିସେମ୍ବର ୧ରେ #Konark ଟ୍ରେଣ୍ଡ ହୋଇଥିଲା । ଏଥିରେ ଖାଲି ଭାରତୀୟମାନେ ନୁହେଁ ଅଣଭାରତୀୟମାନେ ମଧ୍ୟ ଭାଗ ନେଇଥିଲେ । ତେଣୁ ସୋଶିଆଲ ମିଡ଼ିଆରେ ୨୦୧୫ରେ ଓଡ଼ିଶା ପାଇଁ ଉଲ୍ଲେଖନୀୟ ବା ଏକ ଗୁରୁତୁପୂର୍ଣ୍ଣ ମାଇଲଖୁଣ୍ଟ ଥିଲା କ‌ହିଲେ ଅତ୍ୟୁକ୍ତି ହେବନାହିଁ । ୨୦୧୬ ଆରମ୍ଭରୁ ଜାନୁଆରୀ ୧୪ରେ ମଧ୍ୟ ବିଶ୍ୱପ୍ରସିଦ୍ଧ ଧୁନୁଯାତ୍ରାକୁ ଟ୍ରେଣ୍ଡ କରାଯାଇଥିଲା । ଆଗକୁ ଆ‌ହୁରି ମଧ୍ୟ ଏହି ଟ୍ରେଣ୍ଡ ଜାରି ରହିବ ଓ ଓଡ଼ିଆ ଟୁଇଟାଳୀମାନେ ବ‌ହୁଳ ଭାବରେ ଭାଗ ନେବେ ବୋଲି ଆଶା ।

Saturday, 30 January 2016

କେତେ ସ୍ୱଚ୍ଛ ଆମ ପରିବେଶ?

ସଂଗ୍ରାମ କେଶରୀ ସେନାପତି 9:14 pm
କେତେ ସ୍ୱଚ୍ଛ ଆମ ପରିବେଶ?



ସର୍ବପ୍ରଥମେ ସଭିଙ୍କୁ ୨୦୧୬ର ଅଭିନନ୍ଦନ । ସଭିଙ୍କୁ ମୋର ପ୍ରଣାମ, ଆପଣଙ୍କ ସୁଭାଷିଶ କାମନା କରି ୨୦୧୬ର ପ୍ରଥମ ଲେଖା ଲେଖୁଛି । ଆମେ ସଭିଏଁ ସବୁବେଳେ ସଫସୁତୁରା ରହିବାକୁ ପସନ୍ଦ କରୁ, ସେଥିପାଇଁ ଆମ କପଡ଼ା ଠାରୁ ଆରମ୍ଭ କରି ଆମର ଘରଯାଏ ଆମେ ସଫାସୁତୁରା କରି ସଜେଇଥାଉ । ଘରଟିଏ ସଫା ରହିଲେ ସଭିଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ, ଆମେ ସଫା କପଡ଼ାଟିଏ ପିନ୍ଧିଲେ ସଭିଏଁ ପସନ୍ଦ କରିବେ । ଆମେ ବି ଛୋଟବେଳୁ ପଢ଼ିଛୁ, "ସାଇତି ରଖିବା, ସଜେଇ ରଖିବା" ।

Wednesday, 30 December 2015

ଅନୁଭୂତିରେ ୨୦୧୫

ସଂଗ୍ରାମ କେଶରୀ ସେନାପତି 2:06 pm
ଅନୁଭୂତିରେ ୨୦୧୫
ଆଉ ମାତ୍ର କିଛି ସମୟ ପରେ ବିଦାୟ ନେଇଯିବ ବର୍ଷ ୨୦୧୫, ଯାହାକି ଆଉ କେବେ ଆସିବନି । ୨୦୧୫ ବର୍ଷ ଛାଡ଼ିଯାଇଛି ଅନେକ କିଛି ସ୍ମୃତି । ସବୁଠାରୁ ବଡ଼ ସ୍ମୃତି ହେଲା ମହାପ୍ରଭୁ ଜଗନ୍ନାଥଙ୍କର ନବକଳେବର, ନିଜର ପୂର୍ବ ବିଗ୍ରହ ତ୍ୟାଗ କରି ଏକ ନୂଆ ବିଗ୍ରହରେ ପ୍ରବେଶ କରିଥିଲେ । ଏମିତି ଅନେକ ଛୋଟ ବଡ଼ ଘଟଣାରେ ପୂରି ରହିଛି ବର୍ଷ ୨୦୧୫ । ସେଥିରୁ ମୋର ନିଜର କିଛି ଅନ୍ତରଙ୍ଗ ମୂହୁର୍ତ୍ତକୁ ନେଇ ଏଇ ଲେଖା ।

Saturday, 21 November 2015

କର୍ତ୍ତବ୍ୟ

ସଂଗ୍ରାମ କେଶରୀ ସେନାପତି 9:45 pm
କର୍ତ୍ତବ୍ୟ
ନମସ୍କାର!
ଆଜି ମାନେ ନଭେମ୍ବର ୨୧, ୨୦୧୫ରେ ସନ୍ଧ୍ୟାବେଳେ ଭବାନୀପାଟଣା ସ‌ହରରେ ବୁଲୁବୁଲୁ ଜଣେ ଲୋକ‌କୁ ଦେଖିଲି, ଯାହାକୁ ମୁଁ ଗତ କିଛିଦିନ ତଳେ ସେହି ପାଖାପାଖି ଜାଗାରେ ବୁଲିବାର ଦେଖୁଥିଲି । ଲୋକଟି ଚିରିଯାଇଥିବା ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛି, ମୁହଁରେ ଲମ୍ବା ଲମ୍ବା ଅଳ୍ପ ପାଚିଥିବା ଦାଢ଼ି । ଦେଖିଲେ ଲାଗୁଛି କି' ତା'ର ମସ୍ତିଷ୍କ ବିକୃତି ଅଛି ଓ ପାଖ ଲୋକଙ୍କଠାରୁ ମଧ୍ୟ ସେହି କଥା ପଚାରି ବୁଝିଲି । ସେଠି ଥିବା ଦୋକାନୀଙ୍କ ଅନୁସାରେ, "ସେ ପାଗଳଟାଏ, ଏଇଠି କିଛି ଦିନ ହେଲେ ବୁଲୁଛି, ପାଖ ଦୁର୍ଗାମଣ୍ଡପ ପାଖରେ ରାତିରେ ଶୋଉଛି" ।

ସନ୍ଧ୍ୟା ସମୟ, ତା'ପରେ ପୁଣି ଶନିବାର, ସେଥିପାଇଁ ବଜାର ପୂରା ଭିଡ଼ ଥିଲା ଓ ଲୋକମାନେ ଠେଲାଗାଡ଼ିରେ ବିକ୍ରି ହେଉଥିବା ଚାଟ୍, ଗୁପଚୁପ, ମକା, ପକୁଡ଼ି, ଚଣା ଆଦି ଦୋକନାମାନଙ୍କରୁ କିଣିକି ଖାଉଥିଲେ । ଏହି ସବୁ ଦୋକାନମାନେ ପ୍ରାୟତଃ ଜିନିଷ ଖବରକାଗଜ କିମ୍ବା ପଲିଥିନ ଜରିରେ ଦିଅନ୍ତି । ଲୋକମାନେ ଖାଇସାରିବା ପରେ ସେହି କାଗଜ କିମ୍ବା ପଲିଥିନ‌କୁ ଆଖପାଖରେ ରଖାଯାଇଥିବା ଅଳିଆଗଦାରେ ନ ପକାଇବାରେ ବେଶି ଆନନ୍ଦ ପାଅନ୍ତି ଓ ସ‌ହରରେ ଅଧିକ ଅଳିଆ ହେଉଛି ବୋଲି ଅଭିଯୋଗ କରନ୍ତି । ଏମିତିକି ରାସ୍ତା ଉପରେ ପଡ଼ିଥିବା କିଛି ଅଳିଆ ଯାହାକି କିଛି ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ, ସେ ସବୁ କାହାରି ଆଖିକୁ ଦିଶେ ନାହିଁ । ଆଜି ବି ସେମିତି ଅନେକଲୋକ ରାସ୍ତା ଉପରେ ଅନେକ କାଗଜ ପାକାଉଥିଲେ ଓ ସେହି ଦାଢ଼ିଆ ଲୋକଟି ପ୍ରତ୍ୟେକ କାଗଜକୁ ଗୋଟାଇ ଗୋଟିଏ ଜାଗାରେ ଠୁଳ କରୁଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇ ସେ ଲୋକଟି ପାଖକୁ ଯାଇ ପଚରିଲି, "ଆପଣ ଏ ସବୁକୁ କାହିଁକି ସଫା କରୁଛନ୍ତି" ? ସେ ଉତ୍ତରରେ କ‌ହିଲେ, "ମୁଁ ଅଳିଆରେ ଶୋଇପାରେ ହେଲେ ମୋତେ ଅଳିଆ ଦେଖିବାକୁ ଭଲ ଲାଗେନି, ସେଥିପାଇଁ ଏଇସବୁକୁ ଗୋଟିଏ ଜାଗାରେ ଠୁଳ କରି ରାତିରେ ନିଆଁ ଲଗାଇଦିଏ ।"

ସେ ଲୋକଟିର କଥା ଶୁଣି ଏମିତି ଲାଗିଲା, "ନିଜକୁ ଓ ନିଜର ଘରକୁ ସଫା ରଖୁଥିବା ଲୋକମାନେ ହିଁ ବାହାର ପରିବେଶକୁ ଅଧିକ ଅଳିଆ କରୁଛିନ୍ତି" । ସେ ଦୁନିଆକୁ ସଫା ରଖିବାକୁ ନିଜର କର୍ତ୍ତବ୍ୟ କରିଚାଲିଛି ଏବଂ ଅନ୍ୟମାନେ ପରିବେଶ ପରିଷ୍କାର ପ୍ରତି ନିଜର କର୍ତ୍ତବ୍ୟ ଭୁଲିବାରେ ଲାଗିଛିନ୍ତି ।

Monday, 9 November 2015

ଦୀପାବଳୀରେ ଅଧିକ ଶବ୍ଦ କରୁଥିବା କିମ୍ବା ଅଧିକ ଧୁଆଁ ବାହାରୁଥିବା ବାଣର ପ୍ରଭାବ

ସଂଗ୍ରାମ କେଶରୀ ସେନାପତି 11:15 am
ଦୀପାବଳୀରେ ଅଧିକ ଶବ୍ଦ କରୁଥିବା କିମ୍ବା ଅଧିକ ଧୁଆଁ ବାହାରୁଥିବା ବାଣର ପ୍ରଭାବ
ପବିତ୍ର କାଳୀପୂଜା ଓ ଦୀପାବଳୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । କାଳୀପୂଜାରେ ମାଆ କାଳୀଙ୍କର ଆରାଧନା କରାଯାଏ ଓ ଦୀପାବଳୀକୁ ଆଲୋକର ପର୍ବ ଭାବରେ ଗଣନା କରାଯାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।

Thursday, 29 October 2015

ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମତିଥିର ଯୋଗଦାନରେ ମୋ ଅନୁଭୂତି

ସଂଗ୍ରାମ କେଶରୀ ସେନାପତି 9:37 pm
ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମତିଥିର ଯୋଗଦାନରେ ମୋ ଅନୁଭୂତି
ଓଡ଼ିଆ ଭାଷା ଶାସ୍ତ୍ରୀୟଭାଷାର ମାନ୍ୟତା ପାଇସାରିଛି । ଏବେ ସବୁସ୍ଥାନରେ ଓଡ଼ିଆ ଭାଷାର ବ୍ୟବ‌ହାର ହୋଇପାରିବ । ଓଡ଼ିଆ ଭାଷା ବ‌ହୁ ଦିନରୁ ପ୍ରଚଳିତ ହୋଇଆସିଛି, ତେଣୁ ଓଡ଼ିଆ ଭାଷାରେ ଅନେକ ବ‌ହି ଓ ଲେଖାମାନ ଅନେକ ଲେଖକଙ୍କ ଦ୍ୱାରା ଲେଖାଯାଇଛି । ଏହି ବ‌ହିମାନଙ୍କ ମଧ୍ୟରୁ ଅନେକ ପାଠକମାନଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି । ଆଜି ବି ଏମିତି କିଛି ପାଠକ ଅଛନ୍ତି, ଯେଉଁମାନେ ଏହି ସବୁ ବ‌ହିକୁ ପଢ଼ିବାକୁ ସୁଯୋଗ ପାଇନାହାନ୍ତି । ଏହାର କାରଣ ହେଉଛି, ଏହି ବ‌ହିମାନ ସବୁସ୍ଥାନରେ ଉପଲବ୍ଧ ହେଉନାହିଁ କିମ୍ବା କେହି କେହି ଏହାର ମୂଲ୍ୟଦେଇ କିଣିବାକୁ ସାମର୍ଥ୍ୟ ନୁହ‌ନ୍ତି ।

Thursday, 15 October 2015

ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ

ସଂଗ୍ରାମ କେଶରୀ ସେନାପତି 10:51 am
ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ

 

ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ (Position of Odia Language and its future impact in our life)

"ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ ।"
ବିଦ୍ୟା ହେଉଛି ଅମୂଲ୍ୟ, କୌଣସି ମୂଲ ଦେଇ ବି ବିଦ୍ୟାକୁ ମାପି ହେବନି, କାରଣ ବିଦ୍ୟା କାହାଠାରୁ କିଣି ହୁଏ ନାହିଁ ଏହା କେବଳ ସ୍ୱଶିକ୍ଷାରୁ ହିଁ ମିଳିଥାଏ । ବିଦ୍ୟା ହେଉଛି ଏକ ଏମିତି ଜିନିଷ ତାହା ଅନୁଭବରୁ ହିଁ ମଣିଷକୁ ଜ୍ଞାତ ହୋଇଥାଏ । ଚୋରଟିଏ ଚୋରିକରିବାକୁ ଆସିଲେ ସବୁକିଛି ଚୋରି କରିପାରିବ, ହେଲେ କେବେ କାହାର ବିଦ୍ୟାକୁ ଚୋରିକରି ନେଇପାରିବ ନାହିଁ । କୌଣସି ଜିନିଷକୁ ଖର୍ଚ୍ଚ କଲେ ତାହା ଦିନେ ନା ଦିନେ ସରିଯାଏ, ହେଲେ ବିଦ୍ୟାକୁ ଯେତେ ଅଧିକ ଖର୍ଚ୍ଚ କରିବ ସେ ସେତେ ଅଧିକ ଅଧିକ ହୋଇ ବଢ଼ିଚାଲିଥିବ ।

“ବିଦ୍ୟା ଦ‌ଦାତି ବିନୟଂ”, ଅର୍ଥାତ୍ ବିଦ୍ୟାରୁ ବିନମ୍ରତା ଭାବ ଜାତ ହୋଇଥାଏ, ଯେଉଁ ବିନମ୍ରତା ଭାବ ମନୁଷ୍ୟକୁ ଦୁନିଆରେ ଉଚ୍ଚ ସ୍ଥାନରେ ଅଧିଷ୍ଠିତ କରାଇବା ସ‌ହିତ ସଭିଙ୍କର ପ୍ରିୟପାତ୍ର କରାଇଥାଏ । କଥାରେ ଅଛି ରାଜା ନିଜ ରାଜ୍ୟରେ ପୂଜା ପାଏ, କିନ୍ତୁ ଜ୍ଞାନୀଲୋକଟିଏ ସର୍ବତ୍ର ପୂଜା ପାଏ । ବିଦ୍ୟା ଏପରି ଏକ ଧନ ଯାହାକୁ ଯେତେ ବାଣ୍ଟିଲେ ମଧ୍ୟ ସରେ ନାହିଁ, ବରଂ ବିଦ୍ୟାଦାନ ଦ୍ୱାରା ନିଜର ବିଦ୍ୟାର ପରିମାଣ ବଢ଼େ ଏବଂ ସେହି ବିଦ୍ୟା ଦୁନିଆକୁ ଆଗକୁ ଆଗକୁ ନେବାରେ ସାହାଯ୍ୟ କରେ । ବିଦ୍ୟା ଅର୍ଜନ କଲେ ଅନେକ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ଏବଂ ଏହି ଅର୍ଜିତ ବିଦ୍ୟାକୁ ବଣ୍ଟନ କଲେ ସେହି ଅର୍ଜିତ ପୁଣ୍ୟ ଅପେକ୍ଷା ଅଧିକ ପୁଣ୍ୟଫଳ ପ୍ରାପ୍ତ ହୁଏ ।

ଅଧୁନା ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ଶିକ୍ଷାପଦ୍ଧତି କିନ୍ତୁ ବିଦ୍ୟାପ୍ରାପ୍ତି ପାଇଁ ନୁହେଁ, ବରଂ କେବଳ ବିଦ୍ୟାକୁ ଧନ ଉପାର୍ଜନର ମାଧ୍ୟମ ଭାବରେ ଅଧ୍ୟୟନ କରାଯାଉଛି । ଆମର ଓଡ଼ିଶାର ବିଦ୍ୟାଳୟମାନଙ୍କ କଥା ଆଖିଆଗକୁ ନିଆଗଲେ, ଆମେ ଦେଖିବା କି ଆମର ଓଡ଼ିଆ ବିଦ୍ୟାଳୟକୁ ପିଲାମାନେ ବିଦ୍ୟାଅଧ୍ୟୟନ କରିବାକୁ ପସନ୍ଦ କରୁନାହାନ୍ତି । ବ‌ହୁତ କମ୍ ପିଲାମାନେ ଓଡ଼ିଆ ସରକାରୀ ବିଦ୍ୟାଳୟମାନଙ୍କରେ ପଢ଼ୁଛନ୍ତି, ଯେଉଁମାନେ ବେସରକାରୀ ବିଦ୍ୟାଳୟମାନଙ୍କରେ ସେମାନଙ୍କର ମାସିକ ଖର୍ଚ୍ଚ ଦେଇପାରିବେନାହିଁ, ସେମାନେ ହିଁ ସରକାରୀ ବିଦ୍ୟାଳୟକୁ ଆସୁଛନ୍ତି । ସରକାରୀ ବିଦ୍ୟାଳୟର କଥା ତ ସଭିଙ୍କୁ ଉଣା ଅଧିକେ ଜଣାଅଛି, ଏବେ ଟିକେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉପରକୁ ଆସିବା । ଓଡ଼ିଶାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ଅନେକ, ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏହି ବିଦ୍ୟାଳୟମାନ ଗଢ଼ିଉଠିଛି । ଅଭିଭାବକମାନଙ୍କ ଅନୁସାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାମାନେ ପଢ଼ିଲେ ସେମାନେ ଅଧିକ କିଛି ଶିଖିପାରିବେ ଓ ଭବିଷ୍ୟତରେ ବ‌ହୁତ ଉପରକୁ ଯିବେ । ହେଲେ ଏହି ବିଦ୍ୟାଳୟମାନଙ୍କରେ ପଢ଼ିବା ଦ୍ୱାରା ପିଲାମାନଙ୍କ ଉପରେ କେଉଁଭଳି ପ୍ରଭାବ ପଡ଼ୁଛି ସେ ଉପରେ ଟିକେ ନ‌ଜର ପକାଇବା ।

ପିଲାଟିଏ ଟିକେ ଟିକେ କଥା କ‌ହିବା ଆଗରୁ ତାକୁ ଛାଡ଼ିଲେ ଖେଳ ସ୍କୁଲ୍‌ରେ । ଯେଉଁ ସମୟରେ ସେ ନିଜର ପିତାମାତାଙ୍କ ପାଖରେ ଅଧିକ ସମୟ ରହିବା ଦରକାର ସେହି ସମୟରେ ସେ ଦିନରେ ସମୟ ବିତାଏ ଖେଳ ସ୍କୁଲ୍‌ରେ । ଧିରେ ଧିରେ ବଡ଼ ହେବା ବେଳକୁ ତାକୁ ପୁଣି ପଠାଇ ଦିଅନ୍ତି ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ, ସେଠାରେ ଓଡ଼ିଆ କ‌ହିବା ମନା, କେବଳ ଇଂରାଜୀରେ କ‌ଥାବାର୍ତ୍ତା । ବିଦ୍ୟାଳୟ ପରିସରରେ ଓଡ଼ିଆ କ‌ହିଲେ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ସେହି ପିଲାମାନଙ୍କର ଅଭିଭବକଙ୍କୁ ତାଗିଦ୍ କରାଯାଏ କି ପିଲା ଯେମିତି ଘରେ ଓଡ଼ିଆରେ ବି କଥାବାର୍ତ୍ତା ନ କରେ ସେଥିପ୍ରତି ଧ୍ୟାନ ଦେବାକୁ । ସେ‌ହିଠାରୁ ଆରମ୍ଭ ହୁଏ ନିଜର ମାତୃଭାଷା ପ୍ରତି ଭିନ୍ନ ଧାରଣା, ଯାହାକି ତାକୁ ଏକ ଭୁଲ୍ ଭଳି ପରିଲକ୍ଷିତ ହୋଇଥାଏ । ସେ ତା’ର ମନେ ମନେ ସ୍ଥିର କରିନେଇଥାଏ କି, ଯଦି ସେ ଏହି ଭାଷାର ବ୍ୟବ‌ହାର ଦ୍ୱାରା କିଛି ଅସୁବିଧା ଭୋଗ କରୁଛି, ତେବେ କାହିଁକି ସେ ସେହି ଭାଷାର ବ୍ୟବ‌ହାର କରିବ । କେତେ କେତେ ସ୍ଥାନରେ ଏପରି ହୋଇଥାଏ କି, ପିଲାମାନଙ୍କର ଅଭିଭାବକ ଶିକ୍ଷକ ସେମାନଙ୍କୁ ଏମିତି ଲୋକଙ୍କ ସ‌ହ ମିଶିବାକୁ ସୁଯୋଗ ଦିଅନ୍ତି, ଯେଉଁମାନେ କେବଳ ଇଂରାଜୀରେ କଥାବାର୍ତ୍ତା କରିବେ । ଏମିତିକି ସେମାନଙ୍କର ବୃଦ୍ଧ ଜେଜେବାପା କିମ୍ବା ଜେଜେମାଆଙ୍କ ସ‌ହ ମିଶିବାକୁ ସୁଯୋଗ ଦିଅନ୍ତିନି, କାହିଁକି ନା ସେମାନେ ଇଂରାଜୀ ଜାଣିନାହାନ୍ତି । ଗୋଟିଏ ଘରେ ରହୁଥିଲେ ବି ପିଲାମାନଙ୍କୁ ସେମାନଙ୍କ ସ‌ହ ମିଶିବାକୁ ଦିଆଯାଏନି ।

ଏବେ ସରକାରଙ୍କ ନିୟମକୁ ମାନିବାକୁ ଯାଇ କିଛି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିଜର ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମମାନ ଯୋଡ଼ିଲେ । ସେହି ପାଠ୍ୟ ଖସଡ଼ା ଅନୁସାରେ ପିଲାମାନେ ଓଡ଼ିଆ କେବଳ ସେହି ଶ୍ରେଣୀଗୃହ ମଧ୍ୟରେ ପଢ଼ିବେ ଓ କ‌ହିବେ । ଶ୍ରେଣୀଗୃହ ବାହାରେ ସେହି ବିଷୟରେ କିଛି ଆଲେଚୋନା କରିବେ ନାହିଁ । ସେହି ପାଠ ପୁଣି ଆରମ୍ଭରୁ ଶିକ୍ଷାଦାନ କରାଯିବନି, ଷଷ୍ଠ ଶ୍ରେଣୀରେ ପିଲାମାନେ ଓଡ଼ିଆ ଶିଖିବେ, କେବଳ ଏକ ପାଠରେ ଉତ୍ତୀର୍ଣ ହେବା ପାଇଁ । ବିଦ୍ୟାଳୟ ପାଠ ସରିବା ପରେ ସେମାନେ କେବେ ଆଉ ଓଡ଼ିଆ ଭାଷାକୁ ଦେଖନ୍ତିନି କିମ୍ବା ପଢ଼ନ୍ତିନି । ଫଳ ସ୍ୱରୂପ ସେମାନେ ଓଡ଼ିଆ ଲିପି ଠିକ୍‌ରେ ପଢ଼ିପାରନ୍ତିନି ଓ ଓଡ଼ିଆ ଠିକ୍‌ରେ କ‌ହିପାରନ୍ତିନି ।

ଏହି ପାଠ ପଢ଼ା କେବଳ ନିଜର ଜୀବନରେ ଅର୍ଥ ଉପାର୍ଜନର ମାଧ୍ୟମ ଭାବରେ ବ୍ୟବ‌‌ହାର କରାଯାଉଛି । ବିଦ୍ୟଳୟମାନଙ୍କରେ ବିଦ୍ୟାଦାନ ପରିବର୍ତ୍ତେ ବିକ୍ରି କରାଯାଉଛି କ‌ହିଲେ କିଛି ଅତ୍ୟୁକ୍ତି ହେବନାହିଁ ବୋଲି ମୋର ମନେ ହେଉଛି । ପିଲାମାନେ ଏମିତି ନିଜର ମାତୃଭାଷାଠାରୁ ଦୂରେଇ ରହିବା କାରଣରୁ ନିଜର ପିତାମାତାଙ୍କ ଠାରୁ ମଧ୍ୟ ଦୂରେଇ ଯାଅନ୍ତି । ଶେଷରେ ମାତାପିତା ଅନ୍ୟକାହାର ଦୋଷ ଦିଅନ୍ତି, ଦୁନିଆର ଦୋଷ ଦିଅନ୍ତି, ନିଜ କର୍ମର ଦୋଷ ଦିଅନ୍ତି । ହେଲେ ପ୍ରକୃତରେ ଭୁଲ୍ କୋଉଠି ସେକଥା ଜାଣିବାକୁ ଚେଷ୍ଟା କରନ୍ତିନି ।

ଏହି ସବୁ କଥା କ‌ହିବାର ତାତ୍ପର୍ଯ୍ୟ ହେଉଛି କି ନିଜର ପିଲାମାନଙ୍କୁ ନିଜର ମାତୃଭାଷାଠାରୁ ଦୂରେଇ ରଖନ୍ତୁନି, ଯଦି ସେମାନଙ୍କୁ ସେମାନଙ୍କ ମାତୃଭାଷାଠାରୁ ଦୂରେଇ ରଖିବେ, ସେମାନେ ବଡ଼ ହେଲା ପରେ ଆପଣମାନଙ୍କ ଠାରୁ ଦୂରେଇ ଯିବେ ।