କର୍ତ୍ତବ୍ୟ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Saturday 21 November 2015

କର୍ତ୍ତବ୍ୟ

ନମସ୍କାର!
ଆଜି ମାନେ ନଭେମ୍ବର ୨୧, ୨୦୧୫ରେ ସନ୍ଧ୍ୟାବେଳେ ଭବାନୀପାଟଣା ସ‌ହରରେ ବୁଲୁବୁଲୁ ଜଣେ ଲୋକ‌କୁ ଦେଖିଲି, ଯାହାକୁ ମୁଁ ଗତ କିଛିଦିନ ତଳେ ସେହି ପାଖାପାଖି ଜାଗାରେ ବୁଲିବାର ଦେଖୁଥିଲି । ଲୋକଟି ଚିରିଯାଇଥିବା ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛି, ମୁହଁରେ ଲମ୍ବା ଲମ୍ବା ଅଳ୍ପ ପାଚିଥିବା ଦାଢ଼ି । ଦେଖିଲେ ଲାଗୁଛି କି' ତା'ର ମସ୍ତିଷ୍କ ବିକୃତି ଅଛି ଓ ପାଖ ଲୋକଙ୍କଠାରୁ ମଧ୍ୟ ସେହି କଥା ପଚାରି ବୁଝିଲି । ସେଠି ଥିବା ଦୋକାନୀଙ୍କ ଅନୁସାରେ, "ସେ ପାଗଳଟାଏ, ଏଇଠି କିଛି ଦିନ ହେଲେ ବୁଲୁଛି, ପାଖ ଦୁର୍ଗାମଣ୍ଡପ ପାଖରେ ରାତିରେ ଶୋଉଛି" ।

ସନ୍ଧ୍ୟା ସମୟ, ତା'ପରେ ପୁଣି ଶନିବାର, ସେଥିପାଇଁ ବଜାର ପୂରା ଭିଡ଼ ଥିଲା ଓ ଲୋକମାନେ ଠେଲାଗାଡ଼ିରେ ବିକ୍ରି ହେଉଥିବା ଚାଟ୍, ଗୁପଚୁପ, ମକା, ପକୁଡ଼ି, ଚଣା ଆଦି ଦୋକନାମାନଙ୍କରୁ କିଣିକି ଖାଉଥିଲେ । ଏହି ସବୁ ଦୋକାନମାନେ ପ୍ରାୟତଃ ଜିନିଷ ଖବରକାଗଜ କିମ୍ବା ପଲିଥିନ ଜରିରେ ଦିଅନ୍ତି । ଲୋକମାନେ ଖାଇସାରିବା ପରେ ସେହି କାଗଜ କିମ୍ବା ପଲିଥିନ‌କୁ ଆଖପାଖରେ ରଖାଯାଇଥିବା ଅଳିଆଗଦାରେ ନ ପକାଇବାରେ ବେଶି ଆନନ୍ଦ ପାଅନ୍ତି ଓ ସ‌ହରରେ ଅଧିକ ଅଳିଆ ହେଉଛି ବୋଲି ଅଭିଯୋଗ କରନ୍ତି । ଏମିତିକି ରାସ୍ତା ଉପରେ ପଡ଼ିଥିବା କିଛି ଅଳିଆ ଯାହାକି କିଛି ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ, ସେ ସବୁ କାହାରି ଆଖିକୁ ଦିଶେ ନାହିଁ । ଆଜି ବି ସେମିତି ଅନେକଲୋକ ରାସ୍ତା ଉପରେ ଅନେକ କାଗଜ ପାକାଉଥିଲେ ଓ ସେହି ଦାଢ଼ିଆ ଲୋକଟି ପ୍ରତ୍ୟେକ କାଗଜକୁ ଗୋଟାଇ ଗୋଟିଏ ଜାଗାରେ ଠୁଳ କରୁଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇ ସେ ଲୋକଟି ପାଖକୁ ଯାଇ ପଚରିଲି, "ଆପଣ ଏ ସବୁକୁ କାହିଁକି ସଫା କରୁଛନ୍ତି" ? ସେ ଉତ୍ତରରେ କ‌ହିଲେ, "ମୁଁ ଅଳିଆରେ ଶୋଇପାରେ ହେଲେ ମୋତେ ଅଳିଆ ଦେଖିବାକୁ ଭଲ ଲାଗେନି, ସେଥିପାଇଁ ଏଇସବୁକୁ ଗୋଟିଏ ଜାଗାରେ ଠୁଳ କରି ରାତିରେ ନିଆଁ ଲଗାଇଦିଏ ।"

ସେ ଲୋକଟିର କଥା ଶୁଣି ଏମିତି ଲାଗିଲା, "ନିଜକୁ ଓ ନିଜର ଘରକୁ ସଫା ରଖୁଥିବା ଲୋକମାନେ ହିଁ ବାହାର ପରିବେଶକୁ ଅଧିକ ଅଳିଆ କରୁଛିନ୍ତି" । ସେ ଦୁନିଆକୁ ସଫା ରଖିବାକୁ ନିଜର କର୍ତ୍ତବ୍ୟ କରିଚାଲିଛି ଏବଂ ଅନ୍ୟମାନେ ପରିବେଶ ପରିଷ୍କାର ପ୍ରତି ନିଜର କର୍ତ୍ତବ୍ୟ ଭୁଲିବାରେ ଲାଗିଛିନ୍ତି ।