ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମତିଥିର ଯୋଗଦାନରେ ମୋ ଅନୁଭୂତି - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Thursday 29 October 2015

ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମତିଥିର ଯୋଗଦାନରେ ମୋ ଅନୁଭୂତି

ଓଡ଼ିଆ ଭାଷା ଶାସ୍ତ୍ରୀୟଭାଷାର ମାନ୍ୟତା ପାଇସାରିଛି । ଏବେ ସବୁସ୍ଥାନରେ ଓଡ଼ିଆ ଭାଷାର ବ୍ୟବ‌ହାର ହୋଇପାରିବ । ଓଡ଼ିଆ ଭାଷା ବ‌ହୁ ଦିନରୁ ପ୍ରଚଳିତ ହୋଇଆସିଛି, ତେଣୁ ଓଡ଼ିଆ ଭାଷାରେ ଅନେକ ବ‌ହି ଓ ଲେଖାମାନ ଅନେକ ଲେଖକଙ୍କ ଦ୍ୱାରା ଲେଖାଯାଇଛି । ଏହି ବ‌ହିମାନଙ୍କ ମଧ୍ୟରୁ ଅନେକ ପାଠକମାନଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି । ଆଜି ବି ଏମିତି କିଛି ପାଠକ ଅଛନ୍ତି, ଯେଉଁମାନେ ଏହି ସବୁ ବ‌ହିକୁ ପଢ଼ିବାକୁ ସୁଯୋଗ ପାଇନାହାନ୍ତି । ଏହାର କାରଣ ହେଉଛି, ଏହି ବ‌ହିମାନ ସବୁସ୍ଥାନରେ ଉପଲବ୍ଧ ହେଉନାହିଁ କିମ୍ବା କେହି କେହି ଏହାର ମୂଲ୍ୟଦେଇ କିଣିବାକୁ ସାମର୍ଥ୍ୟ ନୁହ‌ନ୍ତି ।
ସେଥିପାଇଁ ଓଡ଼ିଆ ଉଇକିପାଠାଗାରର ଆରମ୍ଭ ହୋଇଥିଲା । ପୂର୍ବରୁ ଓଡ଼ିଆ ଉଇକିପିଡ଼ିଆ ଆରମ୍ଭ ହୋଇସାରିଥିଲେ ହେଁ ଓଡ଼ିଆ ଉଇକିପାଠାଗାର ପୂର୍ବ ବର୍ଷରୁ ଆରମ୍ଭ ହୋଇଛି ।

ଏହି ଗୋଟେ ବର୍ଷ ମଧ୍ୟରେ ଓଡ଼ିଆ ଉଇକିପାଠାଗରରେ ୨୦୬ ଖଣ୍ଡ ବ‌ହି ଲେଖା ସମାପ୍ତ ହୋଇଛି । ଉଇକିପାଠାଗାରକୁ ଅକ୍ଟୋବର ୨୦ରେ ବର୍ଷେ ପୂରଣ ହୋଇଥିଲେ ହେଁ, ଅକ୍ଟୋବର ୨୫ରେ ଏହାର ପ୍ରଥମ ଜନ୍ମତିଥି Institute of Management for Agricultural Extension(IMAGE)ରେ ପାଳନ କରାଯାଇଥିଲା । ଜଣେ ସକ୍ରିୟ ଓଡ଼ିଆ ୱିକିଆଳି ହିସାବରେ ମୁଁ ମଧ୍ୟ ଉକ୍ତ ଆୟୋଜନରେ ଅଂଶଗ୍ରହଣ କରିଥିଲି ଓ ଏହାର ଅନୁଭୂତି ବିଷୟରେ କିଛି ଲେଖୁଛି ।

ପୂର୍ବରୁ ଅନେକ ସ୍ଥାନରେ ଜନ୍ମତିଥିଗୁଡ଼ିକରେ ଅଂଶଗ୍ରହଣ କରିସାରିଥିଲେ ମଧ୍ୟ ଏହି ଅୟୋଜନରେ ଅଂଶଗ୍ରହଣ କରିବାରେ ମିଳିଥିଲା ଏକ ନିଆରା ଅନୁଭୂତି । କାରଣ ଏହା ଥିଲା ଭାଷାଭିତ୍ତିରେ ଏକ ଗୋଷ୍ଠୀ, ଯେଉଁଠି ସଭିଏଁ ଆମର ମାତୃଭାଷା ପାଇଁ କାର୍ଯ୍ୟ କରୁଛନ୍ତି । ପ୍ରଥମ କରି ଅନେକ ନୂଆ ଉଇକିଆଳିଙ୍କ ସ‌ହ ବନ୍ଧୁତା, ନୂଆ କଥା ଶିକ୍ଷା କରିବା ତ‌ଥା ମିଳିମିଶି କର୍ଯ୍ୟ କରିବାରେ ସୁଫଳ ମିଳିବାର ଉଦାହରଣ ଦେଖିବାକୁ ମିଳିଥିଲା । ପ୍ରଥମେ ସବୁ ଉଇକିଆଳି ବନ୍ଧୁମାନଙ୍କ ସ‌ହ ମିଶିବାର ସୁଯୋଗ ମିଳିଲା । ପରେ ପରେ ସଭିଙ୍କ ସ‌ହ ମିଶି ଉଇକିପାଠାଗାର ଓ ଉଇକିପିଡ଼ିଆ ବିଷୟରେ ଆଲୋଚନା କରିବାର ସୁଯୋଗ ମିଳିଲା । ଏଠାରେ ସବୁ ବୟସର ଉଇକିଆଳିମାନେ ଏକାଠୀ ବସି ନିଜ ନିଜର ମତ ପ୍ରଦାନ କଲେ । ସମସ୍ତ ବିଷୟରେ ଆଲୋଚନାରେ କିଛିକିଛି ନୂଆ ଜିନିଷ ଶିଖିବାକୁ ମିଳିଥିଲା । ଶେଷରେ ସନ୍ଧ୍ୟା ୫ଟାରେ ଅତିଥିମାନେ ଅସିଥିଲେ । ଅତିଥିମାନଙ୍କ ଦ୍ୱାରା ଛେନାପୋଡ଼ କଟାଯାଇଥିଲା ଓ ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଭାଷା ବିଷୟରେ ଅନେକ କିଛି ଜାଣିବାକୁ ପାଇଥିଲି । ଉକ୍ତ ସଭାରେ ଡଃ ସୁବାସ ଚନ୍ଦ୍ର ରାଉତଙ୍କ ଦ୍ୱାରା ଅତିଥିମାନଙ୍କର ସ୍ୱାଗତ ପର୍ବ ଅନୁଷ୍ଠିତ ହୋଇଥିଲା । ବ‌ହିମାନଙ୍କୁ ଡିଜିଟାଇଜ୍ କରିବାର କାରଣ ବିଷୟରେ ସୃଜନିକାର ଜୀବନ ପଣ୍ଡା ମହୋଦୟ ବୁଝାଇଥିଲେ । ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପାଠାଗାର ବିଷୟରେ ଓଡ଼ିଆ ଉଇକିପିଡ଼ିଆର ପରିଚାଳକ ମୃତ୍ୟଞ୍ଜୟ କର ଓ ସୁଭାସିଷ ପାଣିଗ୍ରାହୀ ମହୋଦୟ ଉପସ୍ଥାପନା କରିଥିଲେ । ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟକୁ ଆଗକୁ ନେବାର ପରାମର୍ଶ ଅତିଥିମାନେ ପ୍ରଦାନ କରିଥିଲେ ।

ଏହି ସଭାରେ ଯୋଗଦାନ ମୋ ପାଇଁ ଏକ ଭିନ୍ନ ଅନୁଭୂତି ଆଣିଦେଇଥିଲା । ଏହି ସଭାରେ ଯୋଗଦେବା ପରେ ମୋତେ ମଧ୍ୟ ମୋର ମାତୃଭଷା ବିଷୟରେ ଅନେକ କିଛି ତ‌ଥ୍ୟ ଜାଣିବାକୁ ମିଳିଲା ।