ଶିକ୍ଷା ଓ ସମାଜ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Sunday, 19 April 2015

ଶିକ୍ଷା ଓ ସମାଜ

ସଂସ୍କୃତି ଓ ସମାଜ ପରସ୍ପରର ପରିପୂରକ । ସମାଜକୁ ଛାଡ଼ି ସଂସ୍କୃତି କିମ୍ବା ସଂସ୍କୃତି ବିନା ସମାଜ ଗଠନ ଅସମ୍ଭବ । ଏହା ମନୁଷ୍ୟକୁ ତାହାର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରାଇଥାଏ ଏବଂ ଜଣେ ସାମାଜିକ ଜୀବ ହିସାବରେ ଅବତୀର୍ଣ୍ଣ କରାଇଥାଏ । ସମାଜରେ ନିଜ ପ୍ରତି, ପିତାମାତାଙ୍କ ପ୍ରତି, ପରିବାର ପ୍ରତି ତଥା ଦେଶ ପ୍ରତି ମଣିଷର ବିଭିନ୍ନ କର୍ତ୍ତବ୍ୟ ରହିଛି । ଏହିସବୁ ମୌଳିକ ସଂସ୍କୃତି ମନୁଷ୍ୟକୁ ମୁଖ୍ୟତଃ ଶିକ୍ଷା ମଧ୍ୟରେ ହିଁ ପ୍ରାପ୍ତ ହୋଇଥାଏ । ଶିକ୍ଷା ମାଧ୍ୟମରେ ମଣିଷର ସାଧନା ବା ଅଧ୍ୟବସାୟର ଆବଶ୍ୟକତା ରହିଛି । ଏହି ସାଧନା ହିଁ ରହିଥାଏ ତା'ର ସେ ସଫଳତାର ଚାବିକାଠି ।

ଏଣୁ ଶାସ୍ତ୍ରରେ କୁହାଯାଇଛି -

 "ଉଦ୍ୟମେ ହି ସିଦ୍ଧନ୍ତି କାର୍ଯାଣି ନ ମନାରଥୈଃ ।
ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶ୍ୟନ୍ତି ମୁଖେ ମୃଗାଃ ।।"


ଏହା ମଣିଷକୁ ଦୁଃସାହାସିକ ପ୍ରେରଣା ଯୋଗାଇଥାଏ । ତେବେ ଦୁଃସାହସିକତାର ଅର୍ଥ ଅପରିଣାମଦର୍ଶିତା ନୁହେଁ । ମଣିଷ ଦୁଃସାହସି ନ ହେଲେ ରହସ୍ୟ ଭେଦ କରିପାରିବ ନାହିଁ । କିନ୍ତୁ, କେବେ କେବେ ଗୁଡାଏ ଅନ୍ଧବିଶ୍ୱାସ ଓ କୁସଂସ୍କାରର ବଶବର୍ତ୍ତୀ ହୋଇ ସେ ନିଜର ସ୍ୱାଭାବିକତାକୁ ଭୁଲିଯାଇଥାଏ ଏବଂ ପଶୁଙ୍କ ପରି ଜୀବନଯାପନ କରିଥାଏ । ଦୁଃସାହସିକତା ଓ ପ୍ରତିକୂଳ ପରିବେଶ ମନୁଷ୍ୟ ଜୀବନ ସହ  ଓତପ୍ରୋତଃ ଭାବେ ଜଡ଼ିତ । ଏଣୁ ଜଣେ ମନୁଷ୍ୟ ଚେଷ୍ଟା ନ କରିବା ଅପେକ୍ଷା ଚେଷ୍ଟା କରି ଶତବାର ବିଫଳ ହେବା ବହୁଗୁଣରେ ଶ୍ରେୟସ୍କର ।

ମଣିଷ ଅଭିଜ୍ଞତାରୁ ଶିଖେ । ବିଫଳତା ତାକୁ ଦୁଃସାହାସୀ କରାଏ । ଜୀବନରେ ସୁଖ ଓ ଦୁଃଖ ପ୍ରତ୍ୟେକ ମୁହୁର୍ତ୍ତକୁ ଆପଣେଇ ନନେଲେ ମଣିଷ ଭିତରେ ମଣିଷ ପଣିଆର ଅଙ୍କୁରୋଦ୍‌ଗମ ହେବ ନାହିଁ ।

"ବିଦ୍ୟା ଦଦାତି ବିନୟମ୍, ବିନୟାତ୍ ଯାତି ପାତ୍ରତ୍ୱାମ୍ ।
ପାତ୍ରତ୍ୱାତ୍ ଧନମାପ୍ନୋତି, ଧନାତ୍ ଧର୍ମ ତତଃ ସୁଖମ୍ ।।"
 
ଶିକ୍ଷିତ ବ୍ୟକ୍ତି ଶିଷ୍ଟ ଓ ବିନୟୀ ହେବା ଉଚିତ । ମଣିଷର ମହନୀୟତାର ବିକାଶ ପାଇଁ ସେ ସତ୍ୟ, ଧର୍ମ, ଶାନ୍ତି, ପ୍ରେମ ଓ ଅହିଂସା ଆଦି ମାନବୀୟ ମୂଲ୍ୟବୋଧ ଦ୍ୱାରା ନିଜ ଜୀବନକୁ ପରିପୃଷ୍ଠ କରିବା ଉଚିତ୍ । ସୁଖ, ଦୁଃଖ, ବିପଦ, ସବୁସମୟରେ ସମସ୍ତ ସମ୍ପର୍କକୁ ବଜାୟ ରଖିପାରୁଥିବା ସମ୍ଭାବାସନ୍ନ ବ୍ୟକ୍ତି ହିଁ ସଭ୍ୟ ଓ ଶିକ୍ଷିତ ।

ସଫଳତାର ଶୀର୍ଷକୁ ଉନ୍ନୀତ ହେବାପାଇଁ ପ୍ରୟାସୀ ମଣିଷକୁ ସମୟ ସମୟରେ ବିଫଳତାର ସ୍ୱାଦ ଚାଖିବାକୁ ପଡିଥାଏ । ତାହା ନ ହେଲେ ଜୀବନଟା ରୁଚିହୀନ, ରଙ୍ଗହୀନ ଓ ସ୍ୱାଧୀନ ହୋଇଯାଏ । ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ନ ହେଲେ ମଣିଷ କେବେ ବଡ଼ ହୋଇପାରିବ ନାହିଁ ।

ସେହିପରି ସଂସାରରେ ସମସ୍ତେ ରୂପା ଚାମଚ ତୁଣ୍ଡରେ ଧରି ଜନ୍ମ ନେଇ ନଥାନ୍ତି, କି କେହି ଜନ୍ମ ହେବାକ୍ଷଣି ଶିକ୍ଷିତ ବା ଜ୍ଞାନୀ ହୋଇଯାନ୍ତି ନାହିଁ । ସଂକ୍ଷେପରେ କହିବାକୁ ଗଲେ ଶିକ୍ଷା, ମଣିଷର ଚିନ୍ତା ଓ ଚେତନାକୁ ପରିମାର୍ଜିତ କରି ତା' ଭିତରେ ଏକ ମହାନୀୟ
ବ୍ୟକ୍ତିତ୍ୱର ବିକାଶ କରାଇଥାଏ, ଯାହାକି ତା'କୁ ଜ୍ଞାନ ପ୍ରାପ୍ତି ଆଡ଼କୁ ବାଟ କଢ଼ାଇ ନିଏ ।

ଆଧୁନିକ ମାନବ, ଯନ୍ତ୍ରଶକ୍ତିର ବ୍ୟାପକ ଅଭିବୃଦ୍ଧି ଘଟାଇ ନିଜେ ଯନ୍ତ୍ରର ଦାସ ବନିଯାଇଛି । ନା ତା'କୁ କାର୍ଯ୍ୟରେ ମିଳୁଛି ଆନନ୍ଦ ନା ପରିତୃପ୍ତି । ଏହାଦ୍ୱାରା କର୍ତ୍ତବ୍ୟନିଷ୍ଠ ମଣିଷ ଅକର୍ତ୍ତବ୍ୟନିଷ୍ଠ ହୋଇ କମ୍ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବାର ରାସ୍ତା ଖୋଜି ପାରିଛି ସତ, କିନ୍ତୁ ଏକଥା ଭୁଲି ଯାଇଛି ଯେ ତାହାର ସମସ୍ତ ସମ୍ୱଳ ସୀମିତ ଏବଂ ସମସ୍ତ ଆଶା ଅସୀମ । ସୀମିତ ସମ୍ୱଳ ମଧ୍ୟରେ ଅସୀମ ଅଭାବକୁ ପୂରଣ କରିବା ସମ୍ପୂର୍ଣ୍ଣ ଅସମ୍ଭବ । ତେଣୁ ଔଷଧ ରାଗରେ ତାଟିଆ କାମୁଡ଼ିବା ପରି, ମଣିଷ ବିନା ପରିଶ୍ରମରେ କିପରି ଅଧିକ ଉପାର୍ଜନ କରି ନିଜର ଆର୍ଥିକ ଅଭିବୃଦ୍ଧି କରିପାରିବ, ସେଥିପାଇଁ ସୂକ୍ଷ୍ମ ଉପାୟମାନ ବାହାର କରିଚାଲିଛି । ଶ୍ରମର ମହତ୍ତ୍ୱକୁ ଆଜି ସେ ଭୁଲିଯାଇଛି । ଶିକ୍ଷିତ ହେବା ନାଁରେ ନିଜର ଚରିତ୍ର ସ୍ଖଳନ କରିଚାଲିଛି ।

ଏଇ ତ ହେଉଛି ଆଜିର ଶିକ୍ଷା ଓ ସମାଜ ???