ଜୀବନ ଯନ୍ତାରେ ମଣିଷ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Friday, 4 March 2016

ଜୀବନ ଯନ୍ତାରେ ମଣିଷ

ସତରେ ମଣିଷର ଜୀବନ ଏକ ଯନ୍ତା ସଦୃଶ, ଯେଉଁଠି ପ୍ରତ୍ୟେକ ମଣିଷର ଜୀବନ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାରେ ଜଳିଥାଏ ଓ ପ୍ରତିଦିନ ଡରି ଡରି ବଞ୍ଚିଥାଏ । କାହିଁକି ନା, ମଣିଷର ରାତ୍ରୀର ନିଦ୍ରା ଶେଷ ହେଲା ପରେ ଏକ ସୁବର୍ଣ୍ଣ ସକାଳର ଆଗମନରେ ତା'ର ଦୈନନ୍ଦିନ କର୍ମମୟ ଜୀବନ ସ‌ହିତ ରଙ୍ଗିନ ଦୁନିଆର ରଙ୍ଗମଞ୍ଚରେ ଅଭିନୟର ମଧ୍ୟ ଅୟମାରମ୍ଭ ହୋଇଥାଏ ।
ସେହି ରଙ୍ଗମଞ୍ଚରେ ତା'କୁ ଅନେକ କିଛି ଭୂମିକା ଦେଇ ଗତି କରିବାକୁ ପଡ଼େ । ଯେତେବେଳେ ମଣିଷଟିଏ ଲକ୍ଷ୍ୟ ହାସଲ କରିବା ପାଇଁ ଆଗକୁ ଆଗକୁ ପାଦ ବଢ଼ାଏ, ସେତେବେଳେ ତା' ଜୀବନରେ ବାଧାବିଘ୍ନ ଓ ସମସ୍ୟା ସୃଷ୍ଟି ହୋଇଥାଏ । ପ୍ରକୃତ ଜୀବନରେ ଯେଉଁ ମଣିଷ ଧୈର୍ଯ୍ୟ ଓ ସାହସର ସ‌ହିତ ଦୁଃଖ, କଷ୍ଟ ଓ ଜଞ୍ଜାଳର ମୁକାବିଲା କରିପାରେ, ଶେଷରେ ଏହି ଜୀବନ ଯୁଦ୍ଧରେ ସେ ହିଁ ବିଜୟ ହାସଲ କରିବାକୁ ସକ୍ଷମ ହୁଏ ଏବଂ ଯିଏ ଏ ସବୁର ମୁକାବିଲା କରି ନପାରେ, ସେ ଏହି ଯୁଦ୍ଧରେ ହାରିଯାଏ ।

ମଣିଷ ଯେତେବେଳେ ଜୀବନ ରାସ୍ତାର ଦୋଛକିରେ ଠିଆ ହୋଇ ଲକ୍ଷ୍ୟ କରେ, ତା'କୁ ଦୁଇଟି ରାସ୍ତା ଦେଖା ହୋଇଥାଏ । ଏକ ସୁନ୍ଦର ଫୁଲ ବିଛା ରାସ୍ତା ଏବଂ ଅନ୍ୟଟି କଣ୍ଟାଭରା ଓ ବିପଦପୂର୍ଣ୍ଣ ରାସ୍ତା । ଫୁଲଭରା ସ‌ହଜ ରାସ୍ତାରେ ଯାତ୍ରା କଲେ, ଶେଷରେ କଣ୍ଟାବୁଦା ନିକଟରେ ପ‌ହ‌ଞ୍ଚିବାକୁ ପଡ଼େ ଏବଂ କଣ୍ଟାଭରା ବିପଦପୂର୍ଣ୍ଣ ରାସ୍ତାରେ ଚାଲିଲେ ଶେଷରେ ଫୁଲର ସ୍ପର୍ଶ ମିଳିଥାଏ । ସେ କେଉଁ ରାସ୍ତାକୁ ବାଛିନେବ, ଦ୍ୱିଧାରେ ପଡ଼ିଯାଏ । ସେହି ସମୟରେ ଯେଉଁ ମଣିଷ ବୁଦ୍ଧି ଓ ବିବେକ ଖଟାଇ ସାମାନ୍ୟ କଷ୍ଟ କରି କଣ୍ଟାଭରା ରାସ୍ତାରେ ଯାତ୍ରା କରେ, ସେ ହିଁ ଶେଷରେ ସୁଖପାଏ । କିନ୍ତୁ, ଜୀବନ ବାଟରେ ନିଜର ସ୍ୱାର୍ଥକୁ ସାକାର କରିବାରେ ଲାଗିଥିବା ମଣିଷ‌ଟି କେବେ ରାସ୍ତାକୁ ହରାଇଥାଏ ତ ପୁଣି କେବେ ଲକ୍ଷ୍ୟସ୍ଥଳକୁ । ପ୍ରତ୍ୟେକ ମଣିଷର ଜୀବନରେ ଏକ ସୁଦୀର୍ଘ କର୍ମ‌ପଥ ରହିଛି, ଯେଉଁଠି ଟିକିଏ ଭୁଲରେ ଭବିଷ୍ୟତ ରାସ୍ତା ବନ୍ଦ ହୋଇଯାଇପାରେ । ମଣିଷ ତା' ଜୀବନର ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ କର୍ତ୍ତବ୍ୟ କରି ଚାଲିଛି । ସେଥିପାଇଁ ତା'କୁ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣା ଜୁଇରେ ଜଳି ଛଟପଟ ହେବାକୁ ପଡ଼ୁଛି । ସତରେ କ'ଣ ମଣିଷ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତିବନ୍ଧକ ରୂପକ ଦିଗ୍‌ବଳୟକୁ ଅତିକ୍ରମ କରି ପାରିବ ଓ ଏହି ସଂସାର ଜଞ୍ଜାଳର ଶିକୁଳିରୁ ମୁକୁଳି ପାରିବ?

ଯେତେବେଳେ ମଣିଷଟିଏ ଘରୁ ବାହରକୁ ପାଦ ରଖେ, ସେ ବିପଦର ସାମ୍ନା କରିବାକୁ ଭୟ କରେ । ମଣିଷକୁ ଜାଣିବାକୁ ହେବ ଯେ, ଏହି କର୍ମମୟ ଜୀବନ ପଥରେ ଆଗକୁ ଆଗକୁ ଯିବାକୁ ହେଲେ ପ୍ରତି ମୁହୂର୍ତ୍ତରେ ବିପଦ ଓ ବାଧାବିଘ୍ନର ସମ୍ମୁଖିନ ହେବାକୁ ପଡ଼ିବ ଏବଂ ପ୍ରତି କ୍ଷଣରେ ଜୀବନର ଖସଡ଼ା ବାଟରେ ଖୁବ ଯତ୍ନର ସ‌ହକାରେ ନିୟନ୍ତ୍ରଣ ରଖି ପାଦ ଥାପି ଥାପି ଚାଲିବାକୁ ପଡ଼ିବ । କିଏ ଜାଣେ କାହାର ଜୀବନ ଯାତ୍ରାରେ କେବେ ଭଟ୍ଟା ପଡ଼ିଯିବ ! ତେଣୁ, ମନୁଷ୍ୟ ଜୀବନର ପ୍ରତିଟି ମୁହୂର୍ତ୍ତକୁ ମୂଲ୍ୟବାନ ଭାବି, କେବେ ବିପଥଗାମୀ ନ ହୋଇ ସତ୍ୟ ଓ ଧର୍ମକୁ ଆପଣେଇ ନେବାକୁ ହେବ । ଧନ ନଷ୍ଟ ହୋଇଗଲେ ପୁନର୍ବାର ଅର୍ଜନ କରିହୁଏ, କିନ୍ତୁ ଧର୍ମ ନଷ୍ଟ ହେଲେ ତାହା ଜୀବନ‌କୁ ନର୍କ ସଦୃଶ କରିଦେଇଥାଏ । ତେଣୁ, ଜୀବନର ଉପଯୋଗୀ ସମୟକୁ କେବେ ବ୍ୟର୍ଥ ହେବାକୁ ଦେବା ଉଚିତ ନୁହେଁ । ବ୍ୟସ୍ତବ‌ହୁଳ ଜୀବନ ମଧ୍ୟରେ ଯେଉଁ ମନୁଷ୍ୟ ଠିକ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରେ, ସେ ହିଁ ତା'ର ଚଲାପଥକୁ କୁସୁମିତ କରିଥାଏ । କିନ୍ତୁ, ଯିଏ କର୍ତ୍ତବ୍ୟ ପଥରୁ ଓହରି ଯାଇ ଜୀବନର ମାୟା ଜାଲରେ ଛନ୍ଦି ହୋଇଯାଏ, ସେ ସାରା ଜୀବନ ଏହି ଜୀବନ ଯନ୍ତାରେ ବନ୍ଦି ହୋଇ ରହିଯାଏ ।