ସୁ-ମନ୍ତ୍ର - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Wednesday 17 February 2016

ସୁ-ମନ୍ତ୍ର

ଆଜି ସକାଳୁ ସକାଳୁ ଓ-ଟିଭିର ଏକ କାର୍ଯ୍ୟକ୍ରମ "ସର୍ବେଭବନ୍ତୁ ସୁଖିନଃ"ରେ ଏକ କଥା ଶୁଣିଲି, ଯାହା ମୋ ମନ‌କୁ ଛୁଇଁଯାଇଥିଲା । ସେହି କଥାକୁ ଏଠାରେ ବର୍ଣ୍ଣନା କରୁଛି ।


ଘରେ ଘରେ ଶାଶୁ ବୋହୁଙ୍କ ସମ୍ପର୍କ ବିଷୟରେ ସଭିଙ୍କୁ ଉଣା ଅଧିକେ ଜଣା ଥିବ, ଯେଉଁ ସମ୍ପର୍କ ଅହି-ନ‌କୁଳ ସମ୍ପର୍କ କ‌ହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ସେହିଭଳି ଗୋଟିଏ ପରିବାରରେ ଶାଶୁବୋହୂଙ୍କର କେବେ ସମ୍ପର୍କ ଭଲ ହେଉନଥିଲା । ଥରେ ଶାଶୁବୋହୂଙ୍କ ମଧ୍ୟରେ ବ‌ହୁତ ଜୋରରେ ଝଗଡ଼ା ହେଲା, ଶାଶୁକୁ ମାରିବା ପାଇଁ ବୋହୂ ମନରେ ଆସିଲା ଏକ ଅଦ୍ଭୁତ ଚିନ୍ତାଧାରା । ସେଥିପାଇଁ ସେ ଜଣେ ତାନ୍ତ୍ରିକଙ୍କ ପାଖକୁ ଗଲା ଏବଂ କିଛି ମନ୍ତୁରା ବିଷ ଔଷଧ ଦେବାକୁ ଅନୁରୋଧ କଲା, ଯାହାକି ଶାଶୂଙ୍କୁ ମାରିବାରେ ସାହାଯ୍ୟ କରିବ । କିନ୍ତୁ ସେହି ତାନ୍ତ୍ରିକ ମନା କଲେ, ସେ ବୋହୂଟି ବ‌ହୁତ କାକୁତି ମିନତି ହେଲା । ଜଣେ ନାରୀର ଏତେ କାକୁତି ମିନତି ଦେଖି ତାନ୍ତ୍ରିକ ଜଣକ ଗୋଟିଏ ବୋତଲରେ କିଛି ଔଷଧ ଆଣିକି ମନ୍ତ୍ର ଉଚ୍ଚରଣ କରି ସେହି ସ୍ତ୍ରୀ ଲୋକ‌କୁ ଦେଲେ ଏବଂ କ‌ହିଲେ, ଏହି ଔଷଧ ତିନିମାସ ମଧ୍ୟରେ ଧିରେ ଧିରେ ବିଷାକ୍ତ ହେବ ଏବଂ ଏହି ତିନି ମାନ ମଧ୍ୟରେ ଯଦି ଶାଶୁଙ୍କୁ କିଛି ଖରାପ କରିକି କ‌ହିବେ ଏହି ଔଷଧ କାମ କରିବନାହିଁ । ବୋହୂଟି ସେହି ଔଷଧକୁ ନେଇ ଲୁଚେଇକି ରଖିଲା । ତା' ଶାଶୁ ଯେତେ ଯାହା କ‌ହିଲେ ମଧ୍ୟ ସେ ଚୁପ ରହିଲା, କିଛି କିଛି କ‌ଥାରେ ମଧ୍ୟ ନିଜକୁ ସମ୍ଭାଳି ନେଲା । ବୋହୂର ଏହିଭଳି ବ୍ୟବ‌ହାର ଦେଖିକି, ଶାଶୁ ଆଶ୍ଚର୍ଯ୍ୟଚକିତ ହେଲା ଏବଂ ସେ ମଧ୍ୟ ନିଜର ସ୍ୱଭାବ ବଦାଳାଇଦେଲା । କେବେ ବି ସେ ତା'ର ବୋହୂକୁ କିଛି କ‌ହିଲାନି, ଧିରେ ଧିରେ ଶାଶୁ ବୋହୂଙ୍କର ସମ୍ପର୍କ ବ‌ହୁତ ଭଲ ହୋଇଗଲା ।

ତିନିମାସ ପରେ ବୋହୂ ସେହି ତାନ୍ତ୍ରିକଙ୍କ ପାଖକୁ ଗଲା ଏବଂ ସେହି ତାଙ୍କୁ ସେହି ବିଷ ଔଷଧ ବୋତଲଟି ଫରେଇଦେଇ କ‌ହିଲା, ମୋର ଭୁଲ ହୋଇଯାଇଥିଲା ମୁଁ ମୋ ଶାଶୁଙ୍କୁ ମାରିବାକୁ ଚାହୁଁନାହିଁ, ସେଥିପାଇଁ ଆପଣ ଏହି ବୋତଲଟିକୁ ଫେରାଇନିଅନ୍ତୁ । ଏହା ଶୁଣି ସେହି ତାନ୍ତ୍ରିକ ଜଣକ ତା' ଠାରୁ ସେହି ବୋତଲଟିକୁ ନେଇଗଲେ ଏବଂ ନିଜେ ତାକୁ ପିଇଗଲେ । ଏହା ଦେଖି ସେହି ବୋହୂଟି ଆଶ୍ଚର୍ଯ୍ୟରେ ପଚାରିଲା, ତାକୁ ବୁଝାଇବାକୁ ଯାଇ ସେହି ତାନ୍ତ୍ରିକ ଜଣକ କ‌ହିଲେ: ଏହା କୌଣସି ବିଷ ନୁହେଁ, ଏହା ସାଧାରଣ ଜଳ । ମୁଁ କରିଥିବା ମନ୍ତ୍ର କୌଣସି ବିଷ ପାଇଁ ମନ୍ତ୍ର ନୁହେଁ, ତମର ମନ‌କୁ ବଦଳେଇବାକୁ ସୁ-ମନ୍ତ୍ର ।