ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି

ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Breaking

Wednesday, 7 February 2024

ମାୟା ଗୋଲାପ

ସଂଗ୍ରାମ କେଶରୀ ସେନାପତି 3:31 pm 0
ମାୟା ଗୋଲାପ
Odia Story Maya Golap by Sangram Keshari Senapati

ସମୀର ଛୋଟବେଳୁ ତଳ କ୍ଲାସର ପଢ଼ୁଥିବା ମାୟାକୁ ବହୁତ ଭଲ ପାଏ । ମାୟାର ବାପା ସମୀର ଗାଆଁ ଡାକ୍ତରଖାନାରେ ଚାକିରୀ କରୁଥିଲେ, ତେଣୁ ସେ ସେଇ ଗାଆଁ ସ୍କୁଲରେ ସ୍କୁଲରେ ପଢ଼ୁଥିଲା । ତୃତୀୟ ଶ୍ରେଣୀରେ ପଢ଼ିଲାବେଳେ ଦିନେ ସ୍କୁଲରେ ୧ମ ଶ୍ରେଣୀରେ ଦିଦିଙ୍କ ପାଖରେ ଛିଡ଼ା ହୋଇଥିବା ଗୋଟିଏ ପରୀ ଉପରେ ନଜର ପଡ଼ିଥିଲା ତା'ର ଆଉ ସେହି ନଜରରେ ଅଟକିଯାଇଥିଲା ସେ । ଦୁଇସାଙ୍ଗ ଚାଲିଯାଇଥିଲେ ଆଗକୁ ଆଉ ସମୀର ରହିଯାଇଥିଲା ସେହି ପ୍ରଥମ ଶ୍ରେଣୀ ଆଗରେ ।

ସେଦିନ ଦିଦିଙ୍କ ନଜର ପଡ଼ିଲାପରେ ତାକୁ ସିନା ଘଉଡ଼େଇ ଦେଇଥିଲେ, ହେଲେ ମାୟାକୁ ଖୋଜିବାରେ ସେ ଆଦୌ ହେଳା କରିନଥିଲା । ମାୟା ତା' ବାପାମାଆଙ୍କ ସହିତ ଅଳ୍ପ କିଛିଦିନ ତଳେ ତାଙ୍କ ଗାଆଁକୁ ଆସିଥିଲା ଆଉ ଆସିବାପରେ ତା' ବାପାମାଆ ତାଙ୍କ ଝିଅର ଏହି ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିଲେ । ସେମାନେ ସମୀର ଘରଠାରୁ କିଛି ଦୂରରେ ରହୁଥିଲେ ଆଉ ସମୀରକୁ ଏ ବିଷୟରେ କିଛି ଜଣାନଥିଲା ।

ସେଦିନ ସ୍କୁଲରୁ ସାଙ୍ଗମାନଙ୍କ ସହିତ ଫେରିବା ପରିବର୍ତ୍ତେ ସେ ଏକା ଚାଲୁଥିବା ମାୟା ସହିତ ମିଶିକି ଘରକୁ ଫେରିବାକୁ ମନ ବଳେଇଥିଲା । ମାୟାର ସେଠାରେ କେହି ସାଙ୍ଗ ନଥିଲେ, ତେଣୁ ସେ ବି ସମୀରକୁ ନିଜର ସାଙ୍ଗ ଭାବି ଚାଲିଥିଲା ତା' ସହିତ । ସ୍କୁଲ ଠାରୁ ବେଶି ଦୂର ନଥିଲା ମାୟାର ଘର । ସମୀର ତାକୁ ତା' ଘରେ ଛାଡ଼ି ନିଜ ଘରକୁ ଯାଇଥିଲା ଆଉ ପରଦିନ ସାଙ୍ଗ ହୋଇ ସ୍କୁଲ ଯିବାକୁ ମାୟାକୁ କହି ବିଦାୟ ନେଇଥିଲା । ଏମିତି ସ୍କୁଲ ଯିବା ଆସିବା ଭିତରେ ମାୟା ସହିତ ତା'ର ବନ୍ଧୁତା ବଢ଼ିଥିଲା । ଯେହେତୁ ସମୀର ଘର ମାୟାର ଘରଠାରୁ ବେଶି ଦୂର ନଥିଲା, ତେଣୁ ସ୍କୁଲ ପରେ ଆଉ ଛୁଟିଦିନରେ ସେମାନେ ଏକାଠି ଖେଳାବୁଲା ବି କରିବାକୁ ଲାଗିଲେ । ସମୀରକୁ ମାୟାର ମାଆବାପା ବି ଭଲରେ ଚିହ୍ନିସାରିଥିଲେ ଆଉ ମାୟା ବି ବେଳେବେଳେ ସମୀର ଘରକୁ ଯାଉଥିଲା । ଏହା ଭିତରେ ଉଭୟର ପରିବାର ଲୋକ ପରସ୍ପରକୁ ଚିହ୍ନିସାରିଥିଲେ ।

ହେଲେ ସମୀର ଖୁସି ବେଶିଦିନ ପାଇଁ ନଥିଲା । ମାୟାର ବାପାଙ୍କୁ କିଛିଦିନର ପ୍ରମୋଶନ ହୋଇଗଲା ଆଉ ତାଙ୍କୁ ସହରର ବଡ଼ ଡାକ୍ତରଖାନାକୁ ବଦଳି ହୋଇ ଆସିବାକୁ ପଡ଼ିଲା । ମାୟାର ସ୍କୁଲ ଅଧାରୁ ସାର୍ଟିଫିକେଟ୍ ଆଣି ସେମାନେ ଚାଲି ଆସିଥିଲେ ସହରକୁ । ସେଦିନ ଗାଆଁ ଛାଡ଼ିଲାବେଳେ ମାୟାର ଆଖିରେ କେମିତି ଗୋଟେ ଦୁଃଖ ଦେଖିପାରୁଥିଲା ସମୀର ଆଉ ମାୟା ଗଲାବେଳେ ସମୀରକୁ ଗୋଟିଏ ଗୋଲାପ ଫୁଲ ଦେଇ ଯାଇଥିଲା ।

ଗୋଲାପି ରଙ୍ଗର ସେ ଗୋଲାପ ଫୁଲଟିକୁ ସମୀର ସାଙ୍ଗରେ ନେଇ ଘରକୁ ଆସିଥିଲା ଆଉ ତାକୁ ସାଇତିକୁ ରଖିବାକୁ ସ୍ଥିର କରିଥିଲା । ଫୁଲଟିକୁ ସେଦିନ ଅନେକ ସମୟ ଯାଏଁ ଧରି ବସିଥିଲା ସେ । ତା' ବାପାମାଆ ଦେଖି ମନେମନେ ହସିଥିଲେ ଆଉ ପିଲାଟିର ପିଲାଳିଆମି ପାଇଁ ତାକୁ କିଛି ନକହି ତା' ଅବସ୍ଥାରେ ଛାଡ଼ି ଦେଇଥିଲେ । ସେମାନେ ଭାବିଥିଲେ ଦିନେ ଦୁଇଦିନରେ ଗୋଲାପ ଫୁଲଟା ବି ମଉଳିଯିବ ଆଉ ସମୀର ବି ମାୟାକୁ ଧୀରେ ଧୀରେ ଭୁଲିଯିବ ।

ହେଲେ ଆଶ୍ଚର୍ଯ୍ୟର କଥା ଥିଲା କି ସେ ଗୋଲାପ ଫୁଲଟା ମଉଳିବାର ନାଁ ହିଁ ଧରୁନଥିଲା, ସେମିତି ସତେଜ ଥିଲା ସେ । ସମୀର ସେ ଫୁଲଟାକୁ ତା' ପଢ଼ାଘରେ ଗୋଟେ ଛୋଟ ଫୁଲଦାନୀରେ ସାଇତି ରଖିଥିଲା ଆଉ ସ୍କୁଲକୁ ଯିବାବେଳେ ତାକୁ ଦେଖିକି ଯାଏ ତ ପୁଣି ଫେରିଲାପରେ ଆସିକି ତାକୁ ଦେଖେ । ସେତେବେଳେ ତ ଆଜିକାଲିକା ଭଳିଆ ମୋବାଇଲ୍ ଫୋନ୍ ନଥିଲା କି ସମୀର ଘରେ ଲ୍ୟାଣ୍ଡଫୋନ୍ ନଥିଲା, ତେଣୁ ମାୟା ଗଲାପରେ ତା'ର କୌଣସି ଖୋଜ୍ ଖବର ନଥିଲା । ହେଲେ ସେ ଗୋଲାପଟି ସମୀରକୁ ସବୁଦିନେ ମାୟା କଥା ମନେ ପକାଇଦିଏ ।

ଏହା ଭିତରେ ଅନେକ ବର୍ଷ ବିତି ସାରିଥିଲା ଆଉ ସମୀର ବଡ଼ ହୋଇଚାଲିଥିଲା । ସେ ବଡ଼ ହେବା ସହିତ ନୂଆ ନୂଆ ସାଙ୍ଗକ ସହ ମିଶିଲା ଆଉ ଧୀରେ ଧୀରେ ମାୟାକୁ ଭୁଲିବାକୁ ଲାଗିଥିଲା । ଗୋଲାପ ଫୁଲଟି କିନ୍ତୁ ସେମିତି ସତେଜ ଥିଲା, ହେଲେ ତା'ର ରଙ୍ଗ ଧୀରେ ଧୀରେ ଫିକା ପଡ଼ିବାକୁ ଲାଗିଥିଲା ।

ମାଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖିଲା ପରେ ସମୀର ‌+୨ ଏକ ନାମକରା ଆବାସିକ ବିଦ୍ୟାଳୟରେ ପଢ଼ିଲା ଆଉ ଭଲ ନମ୍ବର ରଖି ଏକ ଇଞ୍ଜିନିୟରିଂ କଲେଜରେ ମଧ୍ୟ ପଢ଼ିବା ଆରମ୍ଭ କଲା । ସେତେବେଳକୁ ସେ ମାୟାକୁ ସମ୍ପୂର୍ଣ୍ଣରୂପେ ଭୁଲି ସାରିଥାଏ । ହେଲେ ସେ ଗୋଲାପଟି କିନ୍ତୁ ସେମିତି ତାଙ୍କ ଘରେ ଥିଲା, ବାସ୍ ତା'ର ସ୍ଥାନ ପରିବର୍ତ୍ତନ ହୋଇ ସାରିଥିଲା । ଫୁଲଦାନୀ ସହ ସେ ଗୋଟିଏ ପୁରୁଣା ବାସ୍କ ଭିତରେ ବନ୍ଦ ହୋଇଯାଇଥିଲା ।

ଯଦିଓ ଏହା ଭିତରେ ସମୀରର ଅନେକ ନୂଆ ସାଙ୍ଗ ହୋଇଥିଲେ, ହେଲେ କୌଣସି ଝିଅଙ୍କ ସହିତ ସେତେ ନିଡ଼ିବ ବନ୍ଧୁତା ହେଇନଥିଲା ତା'ର । କିନ୍ତୁ ଇଞ୍ଜିନିୟରିଂ ପଢ଼ିବା ସମୟରେ ସହପାଠିନୀ ସ୍ୱାଗତିକା ସହିତ ତା'ର ଖାଲି ବନ୍ଧୁତା ନୁହେଁ ପ୍ରେମ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା । ଏମିତି ଦେଖୁ ଦେଖୁ ଇଞ୍ଜିନିୟରିଂର ୩ୟରେ ସେ ପାଦ ଥାପିଥିଲା ।

ଅନେକ ବର୍ଷ ତଳୁ ତା' ବାପାଙ୍କର ବି ସହରକୁ ବଦଳି ହୋଇ ସାରିଥିଲା ଆଉ ସେମାନେ ସହରରେ ଗୋଟିଏ ଘର କିଣି ସାରିଥିଲେ । ୨ୟ ବର୍ଷର ପରୀକ୍ଷା ସରିବାପରେ ସେ ଯେତେବେଳେ ଘରକୁ ଯାଇଥିଲା, ସେହି ସମୟରେ ସେମାନଙ୍କର ଗାଆଁ ଘରୁ ସବୁ ଜିନିଷପତ୍ର ସହରକୁ ଆସିବାର ଥିଲା । ନୂଆ ଘରକୁ ପୁରୁଣା ଘରୁ କେବଳ କିଛି ବଛା ବଛା ଜିନିଷ ନେବାକୁ ତାଗିଦ୍ କରିଥିଲେ ତା' ମାଆ । ତେଣୁ ସେ ଅନେକ ବଛାବଛି ପରେ ଅଳ୍ପ କେତୋଟି ଜିନିଷ ସାଙ୍ଗରେ ନେବାକୁ ବାଛିଲା । ପୁରୁଣା କାଠ ବାକ୍ସଟା ଝାଡ଼ୁ ଝାଡ଼ୁ ସେଥିରେ ପଡ଼ିଥିବା ଗୋଟିଏ ଧଳା ରଙ୍ଗର ଗୋଲାପ ଫୁଲକୁ ସାଙ୍ଗରେ ମଧ୍ୟ ନେଇଯାଇଥିଲା ।

ନୂଆ ଘରେ ସମୀର ପାଇଁ ଥିଲା ଏକ ଭିନ୍ନ କୋଠରୀ, ସେ ତାକୁ ଭଲ ଭାବରେ ସଜେଇବାକୁ ଚାହୁଁଥିଲା । ତା' ରୁମ୍‌ର ସବୁକିଛି ମନଧ୍ୟାନ ଦେଇ ସଜେଇ ରଖିଥିଲା ସେ । ସ୍ୱାଗତିକା ଦେଇଥିବା ଫୁଲଦାନୀରେ ପୁରୁଣା ଘରୁ ଆଣିଥିବା ସେ ଧଳା ଗୋଲାପଟା ବଢ଼ିଆ ଦିଶୁଥିଲା, ତେଣୁ ତାକୁ ନିଜ ପଢ଼ା ଟେବୁଲ ଉପରେ ହିଁ ରଖିଥିଲା ସେ । ଏମିତି ବାକିତକ ଜିନିଷକୁ ସଜେଇ ଖାଲି ଘରଟାର ରୂପ ବଦଳେଇ ଦେଇଥିଲା ସେ ।

ପୁରୁଣା ଘରୁ ଜିନିଷ ଆଣି ନୂଆ ଘରେ ସବୁ ଜିନିଷ ସଜାଡ଼ୁ ସଜାଡ଼ୁ ସମୟ କେତେବେଳେ ସରିଗଲା, ସେ ଜାଣିପାରିଲାନି ଆଉ ୩ୟ ବର୍ଷର ପାଠପଢ଼ା ମଧ୍ୟ ଆରମ୍ଭ ହୋଇଥିଲା । ଗାଆଁରୁ ତା' ବାପାମାଆ ସହରକୁ ଆସିଯିବା ଫଳରେ ସେ ବି ଆଉ ହଷ୍ଟେଲରେ ରହିଲାନି, ଘରେ ହିଁ ରହିଲା । ଏଥର ଘରୁ ଯିବାଆସିବ କରିବ କଲେଜକୁ ।

+୩ୟ ବର୍ଷର ପାଠପଢ଼ା ଆରମ୍ଭ ହେବା ସହିତ କଲେଜକୁ ଆସିଲେ ୧ମ ବର୍ଷର ଛାତ୍ରଛାତ୍ରୀମାନେ । ଏମିତି ଦିନେ କଲେଜ ଲାଇବ୍ରେରୀରେ ବସି ପଢ଼ୁଥିବାବେଳେ ସମୀର ନଜର ପଡ଼ିଲା ଗୋଟିଏ ଝିଅ ଉପରେ, ଯିଏକି ଦୂରରେ ଥିବା ଏକ ଟେବୁଲ ଉପରେ ବସି ସମୀରକୁ ହିଁ ଏକଲୟରେ ଚାହିଁଥିଲା । ସେ ଝିଅଟିର ଆଖି ଦୁଇଟି ସମୀରକୁ ଆକର୍ଷିତ କରିଥିଲା, ମାତ୍ର ସେଠାକୁ ଯାଇ କିଛି ପଚାରିବା ଆଗରୁ ସ୍ୱାଗତିକା ଆସି ପହଞ୍ଚିଯାଇଥିଲା ସମୀର ପାଖରେ ଆଉ କେଉଁଆଡ଼େ ଅନ୍ତର୍ଦ୍ଧ୍ୟାନ ହୋଇଯାଇଥିଲା ସେ ଝିଅଟି ।

ସେଦିନ ସମୀର ଘରକୁ ଫେରିବା ପରେ ତା' ପଢ଼ା ଟେବୁଲ ଉପରେ ଥୁଆ ହୋଇଥିବା ଗୋଲାପ ଫୁଲରେ ପରିବର୍ତ୍ତନ ଲକ୍ଷ୍ୟ କରିଥିଲା; ସେ ଫୁଲଟିର ରଙ୍ଗ ବଦଳଯାଇ ଧଳରୁ ଇଷତ୍ ଗୋଲାପି ହେବାକୁ ଲାଗିଥିଲା । ଅନେକ ବର୍ଷ ତଳୁ ଘରେ ପଡ଼ିରହିଥିବା ଗୋଲାପର କାହାଣୀକୁ ଯେତେ ମନେ ପକେଇବାକୁ ଚେଷ୍ଟା କଲେ ବି ସେ ମନେ ପକେଇ ପାରିଲାନି କି ଏକଥା ଘରେ କାହାକୁ ପଚାରି ବି ପାରିଲାନି । ବାସ୍ ରଙ୍ଗ ବଳିବାକୁ ନେଇ ମନରେ ଟିକେ ଦ୍ୱନ୍ଦ ଉପୁଜିଥିଲା ତା'ର ।

ପରଦିନଠାରୁ କଲେଜରେ ତା'ର ପାଠପଢ଼ାରେ ସେମିତି ମନ ଲାଗିଲାନି, ଚାରିଆଡ଼େ ସେ ଆଖି ବୁଲେଇ ସେ ଝିଅଟିକୁ ହିଁ ଖୋଜୁଥିଲା । ତା'ର ଏ ବ୍ୟବହାର ଦେଖି ସ୍ୱାଗତିକା ମଧ୍ୟ ତା' ଉପରେ ଟିକେ ଚିଡ଼ି ଯାଇଥିଲା, ହେଲେ ତାକୁ ତା' ବାଟରେ ଛାଡ଼ିଦେଇ ସେ ବି ପାଠ ପଢ଼ାରେ ମନ ବଳେଇଥିଲା ।

କିଛିଦିନ ପରେ ପୁଣିଥରେ ସମୀର ସେ ଝିଅଟିକୁ ଦେଖିଥିଲା, ହେଲେ ଏଥର ସେ ଝିଅଟି ସମୀର ଠାରୁ ଦୂରରେ ନଥିଲା ସେ ବସିଥିବା ସିଟ୍‌ର କଡ଼ରେ ହିଁ ବସିଥିଲା । ଲାଇବ୍ରେରୀରେ ସମୀର ଅନେକ ସମୟ ଧରି ବସିଥିଲା, ହେଲେ କେତେବେଳେ ତା' ବାଆଁ ପଟେ ସେ ଝିଅଟି ଆସି ବସିଯାଇଥିଲା ତା'ର ଧ୍ୟାନ ହିଁ ନଥିଲ ଆଉ ହଠାତ୍ ବାଆଁ ପଟ ଚୌକିରେ ନଜର ପଡ଼ିବାରୁ ସେ ଚମକି ପଡ଼ିଥିଲା ।

ମନ ଭିତରେ ସିନା ଚମକିଥିଲା, ହେଲେ ସେ ଝିଅଟି କିଏ ଆଉ ତାକୁ କାହିଁକି ଏମିତି ଚାହୁଁଥିଲା ବୋଲି ସେ ଜାଣିବାକୁ ବ୍ୟଗ୍ର ଥିଲା । ସେ ଝିଅଟିର ଚାହାଣୀ ଆଜି ବି ସେଦିନ ପରି ଥିଲା ଆଉ ମୁହଁରେ ଏକ ସୁନ୍ଦର ହସ ଭରି ରହିଥିଲା । ହେଲେ ସମୀର ପାଖରେ ପ୍ରଶ୍ନ ହିଁ ପ୍ରଶ୍ନ ଭରି ରହିଥିଲା ।

- ହାଏ, ତମେ କିଏ? ତମ ନାଁ କ'ଣ? ସେଦିନ ତମେ ମୋତେ ଏମିତି କାହିଁକି ଅନେଇ ରହିଥିଲ? ଆଉ ତା'ପରେ କୁଆଡ଼େ ଉଭାନ ହେଇଯାଇଥିଲ?

ପ୍ରଶ୍ନ ପରେ ପ୍ରଶ୍ନ କରିଚାଲିଲା ସମୀର । ଝିଅଟିକୁ ଉତ୍ତର ଦେବାକୁ ସମୟ ମଧ୍ୟ ଦେଲା ନାହିଁ ।

- ହେଲୋ ସମୀର । ମୁଁ ମାୟା ।

- ମାୟା?

- ଭୁଲିଯାଇଛ ନା କ'ଣ ମୋତେ?

- ନାହିଁ, ହେଲେ ଜାଣିପାରୁନାହିଁ ।

- ହଁ, ଏହା ଭିତରେ ଅନେକ ବର୍ଷ ବିତିଗଲାଣି ଆଉ ତମେ ବି କେତେ ବଡ଼ ହେଇଗଲଣି !

- ଅନେକ ବର୍ଷ? ମାନେ ତମେ କ'ଣ ଆଗରୁ ମୋତେ ଜାଣିଛ?

- ହଁ ଜାଣିଛି ।

- କେମିତି? ମୋତେ ତ କିଛି ମନେ ନାହିଁ?

- ମୋତେ ମନେ ରଖିନାହଁ, ହେଲେ ମୁଁ ଦେଇଥିଲେ ସେ ଗୋଲାପ ଫୁଲଟିକୁ ସାଇତି ରଖିଛ?

- ଗୋଲାପ ଫୁଲ?

- ହଁ, ଗାଁ ଛାଡ଼ିବାବେଳେ ମୁଁ ଦେଇଥିବା ସେ ଗୋଲାପ ଫୁଲଟିକୁ ଆଜି ବି ତମେ ସାଇତି ରଖିଛ ନା?

- ଆରେ ହଁ, ମନେ ପଡ଼ିଲା । ମୋ ପାଖରେ ଗୋଟେ ଗୋଲାପ ଫୁଲ ଅଛି, ଜଣାନାହିଁ କେବେଠାରୁ ମୋ ପାଖରେ ଅଛି । ଧଳା ଗୋଲପଟା କାହିଁକି କେଜାଣି ସେଦିନ ତମକୁ ଦେଖିଲା ପରଠାରୁ ଇଷତ୍ ଗୋଲାପି ହୋଇଯାଇଛି ।

- ମୁଁ ତ ମନେ ନାହିଁ, ହେଲେ ମୁଁ ଦେଇଥିବା ସେ ଗୋଲାପ ଫୁଲଟା ଯାହାହେଉ ତମ ପାଖରେ ଏବେ ବି ସେମିତି ଅଛି । ହଁ ମୁଁ ଆସିଗଲିଣି ଆଉ ଏବେ ସେଇଟା ପୁଣି ଗୋଲାପି ହୋଇଯିବ ।

ଏତିକି କଥୋପକଥନ ଭିତରେ ସ୍ୱାଗତିକା ଆସି ପହଞ୍ଚିଗଲା ଆଉ ମାୟା ଓ ସମୀର କଥାରେ ପୂର୍ଣ୍ଣଛେଦ ପକାଇ ସମୀରକୁ କ୍ଲାସ ପାଇଁ ଲେଟ୍ ହେଉଛି କହିକି ସାଙ୍ଗରେ ନେଇଗଲା ।

ସମୀର କ୍ଲାସ୍ ସାରି ମାୟାକୁ ଖୋଜିଲା, ହେଲେ କେଉଁଠି ବି ପାଇଲାନି । ଶେଷରେ ଘରକୁ ପଳେଇଗଲା । ଘରକୁ ଯାଇ ଦେଖେ ତ ସେ ଗୋଲାପ ଫୁଲଟି ଆଉ ଟିକେ ରଙ୍ଗୀନ ହୋଇଯାଇଛି । ଏହାପରେ ରୋଷେଇ ଘରେ ରୋଷେଇ କରୁଥିବା ତା' ମାଆକୁ ଯାଇ ସେ ସେହି ଫୁଲ ବିଷୟରେ ପଚାରିଲା । ଏତେଦିନ ପରେ ସେ ସେହି ଫୁଲ କଥା ପଚାରୁଥିବା ଶୁଣି ତା' ବି ଆଶ୍ଚର୍ଯ୍ୟ ହେଲେ ଆଉ ସେ ଜାଣି ବି ନଥିଲେ କି ସେ ଫୁଲଟା ପୁରୁଣା ଘରକୁ ନୂଆ ଘରକୁ ବି ଆସିଛି ବୋଲି ।

ସେ ସମୀରକୁ ମାୟା କଥା ମନେ ପକେଲେ ଆଉ ତା' ମାଆଙ୍କ ଠାରୁ ସବୁକଥା ଶୁଣି ସମୀର ମାୟା କହିଥିବା କଥାକୁ ମନେ ପକାଇ ଖୁବ୍ ହସିଥିଲା ମନେ ମନେ । ମନ ଭିତରେ କେମିତି ଗୋଟିଏ ଅଜଣା ଖୁସି ଫୁଟିଥିଲା ତା'ର ଆଉ ହୃଦୟର କେଉଁ ଏକ ଅଜଣା ଜାଗାରେ ହଜି ଯାଇଥିବା ମାୟାର ସ୍ମୃତି ଉଦ୍‌ଜୀବିତ ହୋଇ ଉଠିଥିଲା ତା' ଭିତରେ ।

ମାଆଙ୍କ ସହ କଥା ହୋଇହୋଇ ସେ ଖାଇବା ସାରି ଯେତେବେଳେ ରୁମ୍‌କୁ ଆସି ଦେଖିଲା, ସେ ଫୁଲଟା ସମ୍ପୂର୍ଣ୍ଣ ଗୋଲାପି ରଙ୍ଗକୁ ପରିବର୍ତ୍ତିତ ହୋଇସାରିଥିଲା । ଏ ରଙ୍ଗ ବଦଳାଉଥିବା ଫୁଲକୁ ଦେଖି ସେ ଯେତେ ଆଶ୍ଚର୍ଯ୍ୟ ହୋଇଥିଲା, ମାୟାର ସେ ସୁନ୍ଦର ଆଖିଯୋଡ଼ିକ କଥା ଭାବି ଉତ୍‌ଫୁଲ୍ଲିତ ହୋଇ ଉଠିଥିଲା ।

ମାୟା ଦେଇଥିବା ସେ ଗୋଲାପଟି ସଜ ତୋଳା ହୋଇଥିବା ଗୋଲାପ ପରି ବାସୁଥିଲା ଆଉ ସମୀର ମାୟାକୁ ନେଇ ପୁଣିଥରେ ସ୍ୱପ୍ନ ରାଇଜରେ ହଜି ଯାଉଥିଲା ।

Tuesday, 19 December 2023

ଗପ ପାଇଁ ମୋତେ ମିଳିଲା ଉଦୟରାଗ ସମ୍ମାନ

ସଂଗ୍ରାମ କେଶରୀ ସେନାପତି 10:18 pm 0
ଗପ ପାଇଁ ମୋତେ ମିଳିଲା ଉଦୟରାଗ ସମ୍ମାନ
Udayaraga Samman to Sangram Keshari Senapati

ଗପ ଲେଖିବା ଆରମ୍ଭ ହୋଇଥିଲା ଆମ କଲେଜ ପତ୍ରିକା ପାଇଁ । ଏହାପରେ କିଛି କିଛି ଗପ ଲେଖି ସେୟାର୍ କରିଥିଲି ମୋ ବ୍ଲଗ୍‍‍ରେ । ଉଭୟ ଓଡ଼ିଆ ଇଂରାଜୀରେ କିଛି କିଛି ଭୁଲ୍ ଠିକ୍ ଲେଖିବା ମୋର ଗୋଟେ କାମ ଥିଲା ୨୦୧୫ ଓ ୧୬ରେ । ଏହାପରେ ୨୦୧୭ରେ ତିନୋଟି ଗପ ଆହ୍ୱାନ ଇ-ପତ୍ରିକାରେ ପ୍ରକାଶ ପାଇବା ପରେ ଏକ ମୁଦ୍ରିତ ପତ୍ରିକାକୁ ଗପ ପଠେଇଥିଲି ଆଉ ତାହା ପ୍ରକାଶିତ ହୋଇନଥିଲା ।

ଏହା ପ୍ରକାଶିତ ନହେବାର ଦୁଃଖରୁ ଜାଗି ଉଠିଥିଲା ଏକ ଇ-ପତ୍ରିକା ସମ୍ପାଦନା ଓ ପ୍ରକାଶନର ଇଚ୍ଛା; ୨୦୧୮ ଜାନୁଆରୀରେ ପ୍ରଥମ ତ୍ରୟୋମାସିକ ପତ୍ରିକା ଭାବରେ ଆରମ୍ଭ ହେଲା ଓ ସେହି ବର୍ଷ ନୀଳାଦ୍ରିବିଜେରୁ ଶୁଭପଲ୍ଲବ ରୂପେ ପ୍ରକାଶ ପାଇବା ଆରମ୍ଭ କଲା । ଏହା ପରଠାରୁ ଗପ ଲେଖିବା ବନ୍ଦ ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କବିତା ମୋ ଦ୍ୱାରା ହୁଏନି, ହଁ ଦୁଇ ଚାରିଧାରି ଗାରେଇ ଦେଇପାରେ, କାହାର ଲେଖା କବିତାକୁ ସଜାଡ଼ିବାକୁ ଚେଷ୍ଟା କରେ, କିନ୍ତୁ ମନ ଛୁଆଁ କବିତାଟିଏ ନିଜେ ଲେଖିପାରେନା ।

୨୦୧୭ ମସିହାରେ କଲେଜ ଡାଏରୀର ୮୦ ପ୍ରତିଶତରୁ ଅଧିକ ଲେଖିକି ଡିଲିଟ୍ କରିବା ପରେ ପ୍ରତିଥର ଗପ ଲେଖିବାକୁ ଭାବିଲାବେଳେ ସେବେକାର କଷ୍ଟ ମନେ ପଡ଼ିଯାଏ । ତଥାପି ମଝିରେ ମଝିରେ ଏମିତି ଟିକେ କ'ଣ ଗାରେଇ ଦିଏ । ଗତଥର କଥା ନବ ପ୍ରତିଭା ଓ ଉଦୟରାଗ ପାଇଁ ଗପ ଲେଖିବାକୁ ଚେଷ୍ଟା କରି ବିଫଳ ହେବାପରେ କଲେଜ ଡାଏରୀକୁ ସମ୍ପୂର୍ଣ୍ଣ ନ କରିପାରିବାର ଭୟ ମନକୁ ଭାରାକ୍ରନ୍ତ କରିଦିଏ । ତଥାପି ଏଥର ଉଦୟରାଗ ପ୍ରତିଯୋଗିତା ବେଳେ ଜଣଙ୍କୁ ଠାରୁ ନିର୍ଦ୍ଦେଶ ଆସିଥିଲା ଯେମିତି ବି ହେଲେ ଗପ ପଠେଇବାକୁ । ତେଣୁ ବାଧ୍ୟ ହୋଇଥିଲି ପୁଣିଥରେ କିଛି ଲେଖିବାକୁ । ହଁ ଏଥର ବି ବଫଳ ହେଲି, ହେଲେ ଅଧାଲେଖା ଗପ ଦୁଇଟିକୁ ସମସ୍ତ କରିପାରିଥିଲି । ଗପ ଦୁଇଟି ପ୍ରତିଯୋଗିତାର ସମୟ ସରିବାର କିଛି ସମୟ ପୂର୍ବରୁ ଇ-ମେଲ୍ କରିଥିଲି । ଏତେ ବର୍ଷ ପରେ ଶେଷ କରିଥିବା ଗପଟି ବଛାଯିବା ଓ ଏହାକୁ ନେଇ କୌଣସି ସମ୍ମାନ ପାଇବା ନିହାତି ଭାବରେ ମୋ ପାଇଁ ଏକ ଅକୁହା ମୁହୂର୍ତ୍ତ ।

ଧନ୍ୟବାଦ ଉଦୟରାଗର ସ୍ରଷ୍ଟା ତଥା ଉତ୍‍ସାହିତ୍ୟର ଆୟୋଜକ ସରୋଜ ଭାଇଙ୍କୁ, ଏମିତି ଏକ ପ୍ରତିଯୋଗିତା କରିଥିବାରୁ ଆଉ ମୋର ଗପଟିକୁ ବାଛିଥିବାରୁ ।

- ସଂଗ୍ରାମ କେଶରୀ ସେନାପତି

Full video: https://youtu.be/6Hj7dtF6XhE

Thursday, 16 February 2023

ହାଇ ହିଲ୍

ସଂଗ୍ରାମ କେଶରୀ ସେନାପତି 9:01 pm 2
ହାଇ ହିଲ୍
Odia Story High Heel (ହାଇ ହିଲ୍) by Sangram Keshari Senapati

ମିଶ୍ର ବାବୁଙ୍କର ଅଲିଅଳି ଝିଅ ବନ୍ୟା । ପିଲାଟି ଦିନରୁ ସବୁବେଳେ ହସ ହସ ମୁହଁ ତା'ର । ସବୁଥିରେ ତା'ର ଭଲ, କେବଳ ଗୋଟିଏ ଜିନିଷକୁ ଛାଡ଼ିଲେ; ଯେତେ ବନ୍‌ଭିଟା ପିଇଲେ ବି ମନଲାଖି ଉଚ୍ଚତା ପାଇପାରିଲାନି ସେ । ପିଲାଦିନରୁ ଉଚ୍ଚତା ପ୍ରତି ଦୁର୍ବଳତା ଥିବାରୁ ନିଜକୁ ଡେଙ୍ଗା ଦେଖାଇବାକୁ ହାଇ ହିଲ୍ ପିନ୍ଧିବାକୁ ଭାରି ମନ ହୁଏ ତା'ର । କିନ୍ତୁ ଏମିତି ହାଇ ହିଲ୍ ପିନ୍ଧିଲେ ଗୋଡ଼ ତଥା ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ତାଗିଦ୍ କରନ୍ତି ମିଶ୍ର ବାବୁ ।

କଲେଜ ପଢ଼ିବାବେଳେ କେବେ କେମିତି ଫଙ୍କସନ୍‌ରେ ସେ ରୁମ୍‌ମେଟ୍‌ର ହିଲ୍ ପିନ୍ଧେ ଆଉ ସେଦିନ ସବୁଠାରୁ ବେଶି ଖୁସି ହୁଏ ସିଏ । ଏମିତି ଭିତରେ ପାଠପଢ଼ା ସରିଗଲା ଆଉ ସ୍ନାତକୋତ୍ତର ସାରିବା ପରେ ମାତ୍ର କେଇଟା ଦିନ ଘରେ ରହିଛି କି ନାହିଁ, ବାହାଘର ପାଇଁ ଭଲ ପ୍ରସ୍ତାବଟିଏ ଆସିଲା ଆଉ ସଭିଙ୍କ ହଁରେ ସେ ବି ହଁ ଭରିଲା । ଅବଶ୍ୟ ପିଲାଟିର ଉଚ୍ଚତା ଟିକେ ଅଧିକ ଥିଲା ଆଉ ବନ୍ୟାକୁ ଯେମିତି ପସନ୍ଦ ଥିଲା ସେମିତି ପୁଅଟିଏ ହିଁ ମିଳିଥିଲା, ହେଲେ ଏକାସାଙ୍ଗରେ ଛିଡ଼ାହେଲେ ତା'ର ଉଚ୍ଚତା କମ୍ ଲାଗିବ ବୋଲି ଟିକେ ମନଦୁଃଖ କରୁଥିଲା ସେ ।

ଯାହା ଯେମିତି ହେଉ ବାହାଘର ସରିଗଲା ଆଉ ଯେତେବେଳେ ସେ ରିସେପ୍ସନ୍‌ର ଫଟୋ ଦେଖିଲା, ବଡ଼ ମନଦୁଃଖ ହେଲା ତା'ର । ସ୍ୱାମୀଙ୍କ ସହିତ ଫଟୋଗୁଡ଼ାରେ ବହୁତ ସାନ ଲାଗୁଥିଲା ସେ । ସେଇଥିପାଇଁ ଫଟୋ ଫ୍ରେମ ପାଇଁ ଫଟୋ ବାଛିବାବେଳେ ସେ ଛିଡ଼ା ହୋଇଥିବା ଫଟୋଗୁଡ଼ିକୁ ପ୍ରାଧାନ୍ୟତା ଦେଇନଥିଲେ ।

ବିଭାଘରର ମାତ୍ର କେଇଟା ଦିନ ପରେ ଆସିଗଲା ଭାଲେଣ୍ଟାଇଲ୍ ଡେ । ରକ୍ଷଣଶିଳ ପରିବାର ପାଇଁ ଏସବୁର ଅଭିଜ୍ଞତା ନଥିବା ବନ୍ୟା କିନ୍ତୁ ସେଦିନ ଆଶ୍ଚର୍ଯ୍ୟ ହୋଇଥିଲେ, ଯେତେବେଳେ ସକାଳୁ ସକାଳୁ ସ୍ୱାମୀ ତାକୁ ହଳେ ଜୋତା ଭାଲେଣ୍ଟାଇନ୍ ଡେ ପାଇଁ ଗିଫ୍ଟରେ ଦେଇଥିଲେ ଆଉ ସନ୍ଧ୍ୟାରେ ପାଖ ରେସ୍ତେରାଁରେ ମିଶିକି ଖାଇବାକୁ ଯିବାକୁ ପ୍ରସ୍ତାବ ଦେଇଥିଲେ ।

Odia Story High Heel (ହାଇ ହିଲ୍) by Sangram Keshari Senapati

ବିବାହର ଏଇ କିଛି ଦିନ ଭିତରେ ଉଭୟ ସ୍ୱାମୀସ୍ତ୍ରୀ ପରସ୍ପରଙ୍କୁ ଜାଣୁଥିବାବେଳେ ତାଙ୍କ ମନକଥା ଜାଣିପାରି ସ୍ୱାମୀ ତାଙ୍କୁ ଏହି ସୁନ୍ଦର ହିଲ୍ ହଳକ ଗିପ୍ଟ କରିଥିବାରୁ ସେ ବହୁତ ଖୁସି ହେଲେ ଆଉ ସ୍ୱାମୀ ଅଫିସ୍ ଯିବା ପରେ ପିନ୍ଧିକି ପରଖିନେଲେ କେମିତି ଲାଗୁଛି ତାଙ୍କ ରାଜକୁମାରଙ୍କ ପସନ୍ଦର ପ୍ରଥମ ଉପହାରଟି ।

- ସଂଗ୍ରାମ କେଶରୀ ସେନାପତି

Odia Story based on High Heels

ଏହି ଗପଟି ଇଂରାଜୀରେ ପଢ଼ନ୍ତୁ: https://blogs.gapu.in/2023/04/short-story-high-heel.html

Wednesday, 13 July 2022

ପ୍ରେମମ୍: ରିମିକ୍ସର ରିମିକ୍ସ

ସଂଗ୍ରାମ କେଶରୀ ସେନାପତି 6:42 pm 0
ପ୍ରେମମ୍: ରିମିକ୍ସର ରିମିକ୍ସ
Odia Movie Premam Review by Sangram Keshari Senapati

୨୦୧୧ ମସିହାରେ ତେଲୁଗୁ ଭାଷାରେ ଗୋଟିଏ କଥାଚିତ୍ର ମୁକ୍ତିଲାଭ କରିଥିଲା; ପିଲା ଜମିନ୍‌ଦାର୍ । ୨୦୧୩ କି ୧୪ ମସିହାରେ ତାକୁ ଦେଖିଲା ପରେ ଥରକରେ ମନ ପୂରିନଥିଲା । ଆଉ ଏତେଦିନ ପରେ କାଲି ରାତିରେ ପୁଣିଥରେ ଗୋଟିଏ ଓଡ଼ିଆ କଥାଚିତ୍ର ଦେଖୁଦେଖୁ ସେ ପୁରୁଣା ଦୃଶ୍ୟ ଆସିଗଲା ଆଗରେ । ସେ ଓଡ଼ିଆ କଥାଚିତ୍ରଟି ହେଉଛି ପ୍ରେମମ୍

ବାବୁଶାନ୍ ଓ ପ୍ରକୃତି ମିଶ୍ରଙ୍କ ଅଭିନୀତ ଏକ ପ୍ରେମଭରା କଥାଚିତ୍ର ହେଉଛି ପ୍ରେମମ୍ । କିଛିଦିନ ତଳେ ଯେତେବେଳେ ଏହି କଥାଚିତ୍ରଟିର ଟ୍ରେଲର୍ ଆସିଥିଲା, ସେତେବେଳେ ଅନେକ ତାକୁ ମାଲାୟଲମ୍ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିବା କଥାଚିତ୍ର ପ୍ରେମମ୍‌ର କପି (ରିମେକ୍) ବୋଲି କହିଥିଲେ, ହେଲେ ଏଥିରେ ସେ କାହାଣୀରୁ ଧାଡ଼ିଟିଏ ବି ନାହିଁ, ବାସ୍ ନାମ ହିଁ ସମାନ ।

କାହାଣୀ ଆରମ୍ଭ ହୁଏ ଗୋଟେ ବଦମାସିଆ ଧନୀଘରର ପିଲା ସଞ୍ଜୁ ଶାସ୍ତ୍ରୀଠାରୁ । ସଞ୍ଜୁ କହିଲେ ଓଡ଼ିଆ କଥାଚିତ୍ର ଜଗତରେ ଜଣଙ୍କୁ ହିଁ ବୁଝାଏ, ସେ ଆଉ କେହି ନୁହନ୍ତି ବାବୁଶାନ୍ ମହାନ୍ତି । ଏ ସଞ୍ଜୁର କାହାଣୀ ଆରମ୍ଭ ହୋଇଥିଲା ସଞ୍ଜୁ ଓ ସଞ୍ଜନା କଥାଚିତ୍ରରୁ । ତା'ପରେ ବୋଧେ ୮/୧୦ ଖଣ୍ଡେ କଥାଚିତ୍ରରେ ତାଙ୍କ ଚରିତ୍ରର ନାମ ରହିଛି ସଞ୍ଜୁ । ତେବେ ସେ ଯାହା ବି ହେଉ ଆରମ୍ଭରୁ ହିଁ କଥାଚିତ୍ରର ଦୁର୍ବଳ ନିର୍ଦ୍ଦେଶନା ବିଷୟରେ ଜଣାପଡ଼େ, ଏମିତିକି ଆରମ୍ଭର ୧୦-୧୫ ମିନିଟ୍‌ରେ ଚିତ୍ରନାଟ୍ୟ ତାଳମେଳ ନଖାଇବା ବିଷୟରେ ଧାରଣା ଚାଲିଆସେ ।

ସମ୍ପୂର୍ଣ୍ଣ କଥାଚିତ୍ରଟି ୨ ଘଣ୍ଟା ୨୨ ମିନିଟ୍‌ର, ହେଲେ ଏହାକୁ ବହୁତ କମ୍ କରାଯାଇ ପାରିଥାନ୍ତା । ଅଧିକ ଲମ୍ବା କରିବା ଯୋଜନାରେ ଅନେକ ସ୍ଥାନରେ କାହାଣୀ ବାରମ୍ବାର ବଦଳିବା ପରି ଲାଗେ । ସେ ଯାହା ବି ହେଉ ସଞ୍ଜୁ ତା'ର କାଣ୍ଡ ପରେ ଥାନାରୁ ତ ମୁକୁଳିଯାଏ, ହେଲେ ମହାବିଦ୍ୟାଳୟର ଅଧକ୍ଷଙ୍କ ଦଣ୍ଡରୁ ବଞ୍ଚି ପାରେନାହିଁ; ପହଞ୍ଚେ କେଉଁ ଏକ ଗୁରୁକୁଳରେ । ସେଇଠି ପହଞ୍ଚିବା ପରଠାରୁ ଲାଗେ ପ୍ରେମମ୍ ନୁହେଁ ପିଲା ଜମିନ୍‌ଦାର ଆରମ୍ଭ ହେଇଗଲା । ସେଇଠି ସେ ପରୀକ୍ଷା ଦେବନି ବୋଲି ହାତ ଭାଙ୍ଗିବାର ନାଟକ କରିଥିଲା, ଏଇଠି ନାଟକରେ ଅଭିନୟ କରିବନି ବୋଲି ହାତ ଭାଙ୍ଗିବାର ମିଛ ଅଭିନୟ । ଯାହାହେଉ ଗୋଳିଆମିଶା କରିକି ସଂସ୍କୃତ କେଇଧାଡ଼ି ପୂରେଇ ଦେଇକି ନାଟକରେ ଅଭିନୟ କରିଦିଅନ୍ତି ।

ନାଟକ ସରୁସରୁ ନାୟିକାକୁ ବି ପ୍ରେମ ହେଇଯାଏ ଆଉ ତା'ପରେ କାହାଣୀର କିଛି ଭାଗ ସିଦ୍ଧାର୍ଥର ଓଏ୍ ଫିଲ୍‌ ସହ ମିଶିଯାଏ ହେଲେ ପ୍ରଭାସଙ୍କର ରାଧେଶ୍ୟାମ୍ ଢାଞ୍ଚାରେ । ବାସ୍ ତା'ପରେ ନାୟକ ଲାଗିପଡ଼େ ପ୍ରେମିକାକୁ ବଞ୍ଚେଇବାକୁ ଆଉ ସେଠାଏ ଆବିର୍ଭାବ ହୁଅନ୍ତି ନାୟକର ବାପା । ସେଇଠି ବି ସେମାନଙ୍କର ପୁରୁଣା କାହାଣୀ ସିଦ୍ଧାର୍ଥ ଓ ତମନ୍ନା ଭାଟିଆ ଅଭିନୀତ କୁଞ୍ଚମ୍ ଇଷ୍ଟମ୍ କୁଞ୍ଚମ୍ କଷ୍ଟମ୍ ସହ ଘାଣ୍ଟି ହେଇଯାଏ ।

ତା'ପରେ ପରଦାକୁ ଆସନ୍ତି ସିଦ୍ଧାନ୍ତ ମହାପାତ୍ର ନକଲି ଦାନ୍ତ ଓ ନକଲି ଚୁଟି ଲଗେଇକି । ଯଦିଓ କେହି କେହି ଏହାକୁ ରସିକ ନାଗର ସହିତ ତୁଳନା କରିଥିଲେ, କିନ୍ତୁ ଏହା ଭିନ୍ନ ହେଲେ ଚୁଟି ନକଲି ବୋଲି ଭଲରେ ବାରିହୋଇ ପଡ଼େ । ତା'ପରେ ସେ ତାଙ୍କର ପୂର୍ବର ଟିକେ କାହଣୀ ବଖାଣିକି କାହାଣୀକୁ ଆଗକୁ ବଢ଼ାନ୍ତି । ୨ୟ ଭାଗରେ କାହାଣୀ ଆଉ ଅଭିନୟ ଟିକେ ଚଳନୀୟ । ଆଉ ଶେଷଦୃଶ୍ୟଟି ନିହାତି ଭାବରେ ଭଲ ହୋଇଛି । ହେଲେ ତା'ପରେ ଦେଖାଇଥିବା କିଛି ଦୃଶ୍ୟଟି ଅନେକ କଥାଚିତ୍ରରେ ଦେଖିଥିବେ । ଏମିତିକି ଓଡ଼ିଆ କଥାଚିତ୍ର ଗୋଟେ ଶୁଆ ଗୋଟ ସାରୀରେ ବି ଏମିତି କିଛି ଦେଖିଥିବେ ।

କଥାଚିତ୍ରଟିର କେତେଜଣ ଜଣାଶୁଣା ଅଭିନେତାଙ୍କ ସହିତ ଅନେକ ନୂଆ କଳାକାର ଅଛନ୍ତି ଯେଉଁମାନଙ୍କୁ ଅଭିନୟରେ ଅନେକ କିଛି ଶିଖିବାକୁ ହେବ । କେତେକ ଜାଗାରେ ପୁରଣା କଳାକାରଙ୍କ ଅଭିନୟ ବି ଟିକେ ଅଖାଡ଼ୁଆ ଲାଗିବ । ମୋଟ୍ ଉପରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟିର ପୂରା ଖରାପ କହିହେବ ନାହିଁ କାରଣ ଏବେ ପସ୍ତୁତ ହେଉଥିବା ଅନେକ ଓଡ଼ିଆ କଥାଚିତ୍ର ତୁଳନାରେ କିଛିଟା ଭଲ ଅଛି । ନାହିଁ ମାମୁଁଠାରୁ କଣାମାମୁଁ ଭଲ ନ୍ୟାୟରେ ଦେଖିପାରିବେ ।

କଥାଚିତ୍ରଟି ଡିଜ୍ନି ପ୍ଲସ୍ ହଟ୍‌ଷ୍ଟାର୍‌ରେ ଉପଲବ୍ଧ ଅଛି, ମାଗଣାରେ ଦେଖିପାରିବେ । ଆଉ ହଁ କିଛି ଆଶା ରଖିକି ଦେଖିବେ ନାହିଁ, ନହେଲେ ମନ ଉଣା ହେବ । ମାଗଣାରେ ଏତିକି ମିଳିବ ବୋଲି ଭାବିକି ଦେଖିଦେବେ ।

- ଗପୁ

Tuesday, 8 February 2022

ଗୋଲାପ ଜଳ

ସଂଗ୍ରାମ କେଶରୀ ସେନାପତି 12:08 am 0
ଗୋଲାପ ଜଳ
Golap Jal (Rose Water)

ଗତବର୍ଷ ଗୋଲାପ ଦେବାକୁ ଡର ଲାଗୁଥିଲା, ହେଲେ ସେ ଗୋଲାପ ଦେଇ ସେ ଡରକୁ ଦୂରେଇ ଦେଇଥିଲେ ଆଉ ଏହି ବର୍ଷେ ଭିତରେ ଆମ ଦୂରତା ଶୂନ୍ୟ ହୋଇଯାଇଥିଲା କହିଲେ ଚଳେ । ରୋଜ୍‌ ଡେ'ରେ ମୁଁ ତ୍ରିୟା ପାଇଁ ଗୋଟିଏ ନୁହେଁ ଆମ ବଗିଚାରୁ କିଛି ଗୋଲାପ ତୋଳି ଗୋଟିଏ ଫୁଲ ତୋଡ଼ା କରି ନେଇଥିଲି । ନାଲି ନୁହେଁ ଗୋଲାପି ରଙ୍ଗର ଗୋଲାପ; ଆଉ ସେ ଚଷମା ପିନ୍ଧି ନାହାନ୍ତି ବୋଲି ନାଲି ତାଙ୍କୁ ଗୋଲାପି ଲାଗୁଛି କହି ଭୁଲେଇ ଦେଇଥିଲି ।

ଏବର୍ଷର ରୋଜ୍ ଡେ, ଗତ ବର୍ଷର ସ୍ମୃତିକୁ ମନେ ପକାଇ ପ୍ରାୟ ସରିଗଲା । ପ୍ରପୋଜ୍ ଡେ'ରେ ସେମିତି କିଛି ନଥିଲା ବାସ୍ ତାଙ୍କ କାମ ପାଇଁ ସେ ଆଉ ଆସିନଥିଲେ କିନ୍ତୁ ଚକୋଲେଟ୍ ଡେ'ରେ ଭେଟ ହେଲା ପୁଣି ସେଇଠି; ସେହି ପାର୍କରେ, ସେହି ସମାନ ବେଞ୍ଚ ଉପରେ ଯେଉଁଠି ସେ ମୋ ସ୍ଥାନରେ ବସିଥିଲେ । ସେବେ ସିନା ମନରେ ଡର ଥିଲା, ଗୋଟିଏ ବେଞ୍ଚରେ ବସିଲେ ବି ବେଶ୍ କିଛି ଦୂରତା ରହୁଥିଲା, ହେଲେ ଏବେ ସେ ଦୂରତା ଆଉ ନାହିଁ; ତାଙ୍କ ବାସ୍ନା ଏବେ ମୋ ଦେହରେ ସମାହିତ ହୁଏ ।

Golapa Jala, a story by Sangram Keshari Senapati on Rose Day

ଆଜି କିନ୍ତୁ ତାଙ୍କ ଦେହରୁ କିଛି ଅଲଗା ବାସ୍ନା ଆସୁଥିଲା, ଯାହାକି ତାଙ୍କର ସେ ପରିଚିତ ଅତରର ବାସ୍ନାଠାରୁ ଭିନ୍ନ ଥିଲା, ହଁ ଗୋଲାପର ବାସ୍ନା ଥିଲା । ନିଜକୁ ସମ୍ଭାଳି ନପାରି ପଚାରିଦେଲି, "ଆଜି କ'ଣ ଗୋଲାପର ବାସ୍ନା? ରୋଜ୍ ଡେ'ର ଗୋଲାପଗୁଡ଼ା କ'ଣ ଖୁସିରେ ଖାଇଦେଇଥିଲ କି?"

ଫିଁ କିନା ହସିଦେଇ ସେ କହିଲେ, "ନାହିଁ ଖାଇନାହିଁ, ବୋଳି ହୋଇ ପଡ଼ିଛି ।" ଯଦିଓ ମୋର ପ୍ରଶ୍ନ ବ୍ୟଙ୍ଗ ଥିଲା, କିନ୍ତୁ ତାଙ୍କ ଉତ୍ତରକୁ ବୁଝିବା ସହଜ ନଥିଲା । "ବୋଳି ହୋଇ ପଡ଼ିଛ ମାନେ", ଆଶ୍ଚର୍ଯ୍ୟ ହୋଇ ମୁଁ ପୁଣି ପ୍ରଶ୍ନ କଲି ।

"ତମେ ଦେଇଥିବା ଗୋଲାପକୁ କ'ଣ କରିବି ବୋଲି ଭାବୁଥିଲି । ସାଇତି ରଖିଲେ ଗୋଲାପ ରହିବ ସତ, ହେଲେ ବାସ୍ନା ରହିବ ନାହିଁ । ତେଣୁ ୟୁ-ଟ୍ୟୁବ୍ ଦେଖି ସେ ଗୋଲାପଗୁଡ଼ାକୁ ଗୋଲାପ ଜଳ କରିଦେଇଛି । ସେ ଗୋଲାପ ଭିତରେ ମୁଁ ତୁମକୁ ଅନୁଭବ କରୁଥିଲି, ଆଉ ସେ ଜଳରେ ତମର ବାସ୍ନାକୁ ।"

ସଂଗ୍ରାମ କେଶରୀ ସେନାପତି (ଗପୁ)

Tuesday, 1 February 2022

ନାରୀ ସୁରକ୍ଷା

ସଂଗ୍ରାମ କେଶରୀ ସେନାପତି 11:24 pm 0
ନାରୀ ସୁରକ୍ଷା
Nari Suraksha (ନାରୀ ସୁରକ୍ଷା): An article on Women Safety by Sangram Keshari Senapati

ଏଇ କିଛିଦିନ ତଳେ ଏମିତି ଟୁଇଟର୍‌ରେ ଗୋଟେ ଭିଡିଓ ଦେଖିଲେ, ଯାହାକୁ ଦେଖିକି ଇଚ୍ଛା ହେଉଥିଲା ଏହାକୁ ଅପ୍‌ଲୋଡ୍ କରିଥିବା ସେ ପିଲାକୁ ଦୁଇ ଚାରି ଚାପୁଡ଼ା ଲଗେଇକି ଗୋପନୀୟତା ବିଷୟରେ ଗୋଟେ ପଦ କଥା ଶିଖେଇବାକୁ । ଭିଡିଓ ଗୋଟିଏ ଝିଅର ଥିଲା, ଯିଏକି ବଳାତ୍କାରର ଶିକାର ହୋଇ ଏକ ମେଡିକାଲରେ ପଡ଼ିଥିଲେ । ସେ ଭିଡିଓଟିରେ ଝିଅଟିର ମୁହଁ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଥିଲା ।

ଆମେ ଏ ସମାଜରେ ବଦନାମକୁ ଅଧିକ ଡରୁ, ଲୋକେ କ'ଣ କହିବେ ତାକୁ ଅଧିକ ଡରୁ । ଯାହା ଉଚିତ, ତାକୁ ଲୋକଲଜ୍ୟା ଯୋଗୁଁ ଗ୍ରହଣ କରିବାକୁ ଡରୁ । ଏବେ ଆମେ ଖବର କାଗଜ କିମ୍ବା ଟିଭିରେ ଦୁଷ୍ମର୍ମ ବଢ଼ୁଥିବା ଦେଖୁଛେ; କିନ୍ତୁ ସତ ହେଉଛି ଯେ ଲୋକେ ଏବେ ସଚେତନ ହେଲେଣି, ଆଉ ଏହାର ପ୍ରତିବାଦ କରିବାର ସାହାସ ମଧ୍ୟ କରୁଛନ୍ତି । ଏସବୁ ପାଇଁ ଅଧିକାଂଶ ଲୋକେ ନାରୀର ପୋଷାକକୁ ଦୋଷ ଦେଉଛନ୍ତି ତ କେହି ପୁଣି ଝିଅମାନଙ୍କୁ ଦୋଷ ଦେବାକୁ ପଛାଉ ନାହାନ୍ତି ।

ଏଠାରେ ପ୍ରଶ୍ନ ଉଠେ ନାରୀର ସୁରକ୍ଷାର । ଆଜିର ସମାଜରେ କେତେ ସୁରକ୍ଷିତ ନାରୀମାନେ? ନାରୀକୁ ସବୁବେଳେ ଅବଳା, ଦୁର୍ବଳା ଭାବରେ ଗଣାଯାଇଛି । କିନ୍ତୁ ଆମେ ଭୁଲି ଯାଉଛେ ଯେ ନାରୀ ହେଉଛି ଶକ୍ତି ସ୍ୱରୂପିଣୀ । ଯେବେ ସମାଜରେ ଅନ୍ୟାୟ, ଅନିତି ବଢ଼ିଛି, ସେବେ ନାରୀ ହିଁ ସମାଜକୁ ରକ୍ଷା କରିଛି; କେବେ ଦୁର୍ଗା ସାଜି ମହିଷାସୁରର ସଂହାର କରିଛି ତ କେବେ ଦ୍ରୌପଦୀ ସାଜି କିଛି ପାପୀଙ୍କର ସଂହାର ପାଇଁ ନିଜକୁ ସମର୍ପି ଦେଇଛି ।

ତେଣୁ ନାରୀମାନଙ୍କୁ ନିଜର ସୁରକ୍ଷା ପାଇଁ କାହା ଉପରେ ନିର୍ଭରଶୀଳ ନ ହୋଇ ନିଜେ ନିଜକୁ ସୁରକ୍ଷା ଦେବା ଉଚିତ । କିନ୍ତୁ କେମିତି? ନାରୀଟିଏ ନିଜ ପୁଅ/ଝିଅକୁ ମୂଳରୁ ଉଚିତ ଶିକ୍ଷା ଦେବା ଉଚିତ । କାହାକୁ କେମିତି ସମ୍ମାନ ଦିଆଯାଏ, ତାକୁ ଶିଖେଇବା ଉଚିତ । ସବୁକିଛି ନିଜକୁ ଶିଖେଇବାକୁ ହେବ, କାରଣ ମାଆଟିଏ ହେଉଛି ପିଲାର ପ୍ରଥମ ଗୁରୁ । ମୂଳରୁ ଶିକ୍ଷା ଠିକ୍ ରହିଲେ, ବଡ଼ ହେଲେ ପୁଅଟିଏ ନାରୀକୁ ସୁରକ୍ଷା ଦେଇପାରିବ ଆଉ ସମାଜର ସଂସ୍କାରକ ଭାବରେ ନିଜକୁ ପ୍ରତିଷ୍ଠା କରିପାରିବ ।

- ସଂଗ୍ରାମ କେଶରୀ ସେନାପତି
ପ୍ରତିଷ୍ଠାତା/ସମ୍ପାଦକ, ଶୁଭପଲ୍ଲବ ଓଡ଼ିଆ ପତ୍ରିକା

Monday, 17 May 2021

ମତୁଆଲା ମଧୁପ

ସଂଗ୍ରାମ କେଶରୀ ସେନାପତି 9:35 pm 0
ମତୁଆଲା ମଧୁପ
ମତୁଆଲା ମଧୁପ - Matuala Madhupa Odia Poem by Sangram Keshari Senapati


ତାକୁ କ'ଣ ଛୁଇଁ ହୁଏ?
ନା ସେ ଧରା ଦିଏ ଯେ,
ବାସ୍ କେବଳ ଚାହିଁ ହୁଏ ଆଉ
ବାର୍ ବାର୍ ତା' ପ୍ରେମରେ ପଡ଼ିହୁଏ...


ମୁଁ ତୁମ ପ୍ରେମରେ ମତୁଆଲା ହୋଇ
ମଧୁପ ପ୍ରାୟ ଘୂରିବୁଲେ ତମ ଚତୁଃପାର୍ଶ୍ୱେ ।
କାଳେ ମୋ ସ୍ପର୍ଶରେ ତମକୁ ଆଘାତ ଲାଗିବ,
ସେଥିପାଇଁ ବିନା ଛୁଆଁରେ ଫେରି ଚାଲିଆସେ ॥