ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Sunday, 29 October 2017

ଶତାବ୍ଦୀର ଶେଷ ପ୍ରଳୟ

ସଂଗ୍ରାମ କେଶରୀ ସେନାପତି 3:06 pm 0
ଶତାବ୍ଦୀର ଶେଷ ପ୍ରଳୟ

୧୯୯୯ ମହାବାତ୍ୟାକୁ ଆଜି ୧୮ ବର୍ଷ ପୁରିଗଲା । ସେଦିନର ସମ୍ପୂର୍ଣ୍ଣ ଘଟଣାକ୍ରମ ମୋତେ ମନେନଥିଲେ ବି କିଛି କିଛି ମନେ ଅଛି ।

ସଦ୍ୟ ଦୁର୍ଗାପୂଜା ଶେଷ ହୋଇଥାଏ । ଆମ ଘରେ ମାଆ, ବାପା, ମୁଁ, ଆମ ଝିଅ କଥା କ‌ହିବା ବି ଶିଖିନଥିଲା । ମୋର ଜଣେ ମାଉସୀ ଆଉ ତା' କୁନି ଝିଅ ଆମ ଘରେ ଥିଲେ । ବାତ୍ୟା ଆରମ୍ଭରେ କ'ଣ ଆଉ କେମିତି ଥିଲା ସେ ବିଷୟ ମୋତେ ଜଣାନାହିଁ । ଆମର ଘରକୁ ଲାଗି ଗୋଟେ ଲମ୍ବଦାଣ୍ଡି ଘର ଥିଲା । ସେଇଠି ଗୋଟେ ପଟେ ରୋଷେଇ ଘର ଓ ଅନ୍ୟପଟେ ଗୁହାଳ ଥିଲା । ସକାଳୁ ଉଠିଲାବେଳକୁ ସେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ବାପା ରାତିରେ ଗାଈଦୁଇଟିଙ୍କୁ ବାଛୁରୀ ସ‌ହ ଆଉ ଗୋଟିଏ ଘରକୁ ଆଣିଦେଇଥିଲେ । ଏକୁଟିଆ ସେ ସବୁତକ ଜିନିଷ ରୋଷେଇ ଘରୁ ଆଣିପାରିନଥିଲେ । ଭାଗ୍ୟ ଭଲ ଥିଲା, ରୋଷେଇ ଘରେ ଥିବା ଚାଉଳବସ୍ତା ସବୁ ଆମ ଶୋଇଲା ଘରକୁ କିଛିଦିନ ଆଗରୁ ଆଣିଦେଇଥିଲେ ।

ସେତେବେଳେ ଆମ ଗାଁରେ ବିଜୁଳି ଆଲୁଅ ନଥିଲା, ତେଣୁ ବାତ୍ୟା ବିଷୟରେ ସତେ ଜ୍ଞାନ କାହାକୁ ମିଳିପାରିନଥିଲା । ଅନେକଙ୍କର ଘର ଭାଙ୍ଗିଗଲା, ସବୁଗଛ ଉପୁଡ଼ି ପଡ଼ିଥିଲା । ଆମର ଶୋଇବା ଘରକୁ ଛାଡ଼ିଦେଲେ ଆମର ଆଉ ଘର ନଥିଲା । ଅନ୍ୟଘରଟିରେ ଗାଈମାନେ । ସେଇ ଗୋଟିଏ ଘରେ ରୋଷେଇ ଠାରୁ ଆରମ୍ଭ କରି ସବୁକିଛି । ସେତେବେଳେ ଯାହାହେଉ ରେଡ଼ିଓ ଗୋଟିଏ ଥିଲା, ସେ ଥିଲା ଆମ ସଭିଙ୍କର ସାହାଭରଷା । ବାଡ଼ିରେ ଥିବା ସବୁଯାକ ଅମୃତଭଣ୍ଡା ଆଉ କଦଳୀଗଛ ଭାଙ୍ଗିଯାଇଥିଲା । ସେ ହିଁ ଥିଲା ଆମମାନଙ୍କର ଆହାର । ଆଖପାଖର ପଡ଼ୋଶୀଙ୍କର ବି ସମଦଶା । ଅନେକଙ୍କର ଘରେ ବି ପାଣିପଶିଯାଇଥିଲା । ବର୍ଷାଦିନ ହୋଇଥିବାରୁ ମାଛ ଧରିବା ପାଇଁ ଲୋକମାନେ କେନାଲଯାଏଁ ସବୁ ନାଳ କରିଥିଲେ ଆଉ ସେ ନାଳ ଦେଇ ପ୍ରାୟ ସବୁ ପାଣି ବାହାରିଗଲା । ତ‌ଥାପି ଅନେକ କିଛି କ୍ଷତି କରିଦେଇଥିଲା ।

ବାତ୍ୟା ଶେଷ ହେବା ପରେ ଅନେକ ରିଲିଫ୍ ଆସିଲା । ପିଲଥିନ୍‌ଠାରୁ ଆରମ୍ଭ କରି ଚୁଡ଼ାଗୁଡ଼ ଯାଏଁ ଆସିଲା । ବୋଧେ ସେତେବେଳେ ଆମେ ସବୁଠୁ ଅଧିକା ହେଲିକପ୍ଟର ଉଡ଼ିବା ଦେଖିଥିବୁ । ଦିନ‌କୁ ୪/୫ଟି ହେଲକପ୍ଟର ଆକାଶରେ ଉଡ଼ୁଥିଲା । ମହାବାତ୍ୟା ଶେଷରେ ଆମ ଗାଁରେ ବୋଧେ ସବୁଠୁ ଅଧିକ ମାଙ୍କଡ଼ମାନେ ମରିଯାଇଥିଲେ । ସେମାନେ ରହୁଥିବା ସବୁଯାକ ବଡ଼ ଗଛ ଉପୁଡ଼ି ପଡ଼ିଥିଲା । ଦୈବାତ୍ ଉପୁଡ଼ିଥିବା ଗଛଗୁଡ଼ିକ କାହାରି ଘର ଉପରେ ପଡ଼ି କାହାରି ଜୀବନ ନେଇନଥିଲା ।

ମହାବାତ୍ୟାକୁ ଅନେକ ଦିନ ହେଇଗଲାଣି, ତ‌ଥାପି ଲୋକଙ୍କ ମନରୁ ସେ କୋକୁଆ ଭୟ ଏବେଯାଏଁ ଯାଇନି । ଆଜିବି ଅକ୍ଟୋବର ୨୯ ଆସିଲେ ଲୋକମାନେ ଆଗାମୀ ୭ଦିନ ପାଇଁ ଖାଇବା ଜିନିଷ ଆଣି ଘର ରଖିଦେଉଛନ୍ତି । ଶତାବ୍ଦୀ ଏହି ଶେଷ ପ୍ରଳୟ ବିଗତ ଶତାବ୍ଦୀ ସବୁଠାରୁ ବଡ଼ ଭୟ ହୋଇ ଜାଗିରହିଛି ଲୋକଙ୍କ ମନରେ, ପ୍ରାଣରେ ।

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ୧୮ବର୍ଷ ପୂର୍ବର ସେଇ ଲୋମହର୍ଷଣକାରୀ ଦୃଶ୍ୟର ବାଲୁକାକଳା


Thursday, 26 October 2017

ରଜ ହାଟ

ସଂଗ୍ରାମ କେଶରୀ ସେନାପତି 3:21 pm 0
ରଜ ହାଟ
ମୁଖ୍ୟତଃ ଗାଁମାନଙ୍କରେ ହାଟ ବସିଥାଏ । କେଉଁଠି କେଉଁଠି ସପ୍ତାହରେ ଥରେ ତ' ପୁଣି କେଉଁଠି ସପ୍ତାହରେ ଦୁଇଥର । ଗୋଟିଏ ନିର୍ଦ୍ଧିଷ୍ଠ ଜାଗା ଥାଏ, ଯେଉଁଠି ଆଖାପଖର କିଛି ଉଠାଦୋକାନୀମାନେ ଆସି ଦୋକାନ କରନ୍ତି । କେଉଁ କେଉଁ ହାଟ ସକାଳୁ ସଞ୍ଜ ଯାଏଁ ବସେ ଆଉ କେଉଁଠି ସଞ୍ଜବେଳିଆ ହାଟ ବି ବସେ । ଆମ ଗାଁଠାରୁ ଚାରି କିଲୋମିଟର ଦୂରରେ ଗୋଟେ ହାଟ ବସେ । ସେଇଟା ସପ୍ତାହରେ ଦୁଇଦିନ, ବୁଧବାର ଆଉ ରବିବାର ବସେ । ଆମର ଏହି ହାଟ‌ଟି ଦିନ ବେଳେ ହିଁ ବସେ । ସକାଳ ୮ଟାରୁ ଅପରାହ୍ନଯାଏଁ ହାଟରେ ଭିଡ଼ ଜମିଥାଏ । ନାନା ରକମର ଜିନିଷ ସବୁ ହାଟରେ ମିଳୁଥିବାରୁ ବ‌ହୁତ ଲୋକ ଭିଡ଼ ଜମେଇଥାନ୍ତି । ହାଟରେ ବିକ୍ରି କରିବା ପାଇଁ ବାହାରୁ ପରିବାଚାଷୀମାନେ ମଧ୍ୟ ପରିବା ଧରିକି ଆସିଥାନ୍ତି ।

ମୁଁ ଆଗରୁ ବ‌ହୁତ‌ଥର ହାଟକୁ ଯାଇଥିଲି । ବାପାଙ୍କ ସ‌ହିତ ପ୍ରାୟ ସବୁବେଳେ ଯାଏ । ଆମର କିଛି ପର୍ବପର୍ବାଣୀ (ରଜ, ଦୁତିବାହାନ, ପ୍ରଥମାଷ୍ଟମୀ, ବଡ଼ଓଷା) ସମୟରେ ହାଟରେ ପ୍ରବଳ ଭିଡ଼ ଲାଗିଥାଏ । ମୋର ଯେତେବେଳେ ଯୁକ୍ତ ଦୁଇ ସରିଲା, ସେହିବର୍ଷ ରଜ ପୂର୍ବଦିନ ବୁଧବାର ପଡ଼ିଥିଲା ଆଉ ହାଟ ବି ବ‌ହୁତ ଭିଡ଼ ଥିଲା । ସେଦିନ ବାପା ନ ଥିବାରୁ ହାଟ କରିବା ଦାୟିତ୍ୱଟା ମୋ ଉପରେ ପଡ଼ିଗଲା । ଅବଶ୍ୟ ଛୋଟବେଳୁ ମୁଁ ସବୁବେଳେ ତେଜରାତି ସଉଦା ଆଣୁଥିଲି, ହେଲେ ହାଟରୁ ପରିବା କିଣବାର ଜ୍ଞାନ ନ ଥିଲା । ତ‌ଥାପି ଚିରାଚରିତ ଢଙ୍ଗରେ ତିନୋଟି ବ୍ୟାଗ୍ ନେଇକି ସାଇକେଲଟା ଧରି ବାହାରିଗଲି । ଗଲାବେଳେ ମାଆ କ‌ହିଥିଲା ହାଟରେ ଯାହା ସୁବିଧା ଥିବା ଦେଖିକି ଆଣିବୁ । ମୁଁ ପଚାରିଦେଲି କି କ'ଣ କ'ଣ ଆଣିବା ଦରକାର । ସେ ସବୁ ପରିବା ନାଁ କ‌ହିଗଲା ଆଉ ତା' ଭିତରୁ ସୁବିଧା ଦେଖିକି ଆଣିବାକୁ କ‌ହିଲା । ମୁଁ ହାଟରେ ପ‌ହ‌ଞ୍ଚିଲାବେଳକୁ ବ‌ହୁତ ଭିଡ଼ ଲାଗିଯାଇଥିଲା । ହାଟରେ ଥିବା ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିଲେ ସେତେବେଳେ ପାଞ୍ଚଟଙ୍କା ପଡ଼ୁଥିଲା, ସେଥିପାଇଁ କିଛି ଦୂରରେ ଲୋକମାନେ ରଖିଥିବା ଜାଗାରେ ସାଇକେଲଟିକୁ ରଖିଦେଲି । ହାଟ ସଉଦା କରିବା ପାଇଁ ଗଲି । ମୋତେ ତ' ଦର କଷିବା ଜଣା  ନଥିଲା, ତେଣୁ ଆଖିରେ ଯାହା ଯାହା ପରିବା ପଡ଼ିଲା, ତାକୁ ସବୁତକ କିଣିଦେଲି । ତିନିଟା ଯାକ ବ୍ୟାଗ୍ ଭର୍ତ୍ତି ହେଇଗଲା ପରେ ଆଉ କିଛି କିଣିହେବନି ଭାବିକି ଫେରିଲି ।

ରଜ ପାଇଁ ଆଉ କିଛି ତେଜରାତି ସଉଦା ବି କିଣିବାର ଥିଲା, ହେଲେ ବ୍ୟାଗ୍ ନ ଥିବାରୁ ଆଉ ଗୋଟିଏ ବ୍ୟାଗ୍ କିଣିଲି । ହାଟର ଅନତି ଦୂରରେ ଥିବା ତେଜରାତି ଦୋକାନରୁ ସଉଦା କରିବାଟା ଭଲ ଭାବିଲି, କାରଣ ସବୁଯାକ ବ୍ୟାଗ୍‌କୁ ଆଉ କୋଉଠିକି ବୋହିକି ନେବା କଷ୍ଟ । ଚାରିଟା ବ୍ୟାଗ୍, ସବୁଯାକ ପୁଣି ଭର୍ତ୍ତି ହୋଇକି ଥାଏ । ତେଣୁ ସେ ତେଜରାତି ଦୋକାନରୁ ଛୋଟ ରଶି ଆଣିକି ଦୁଇଟା ପଛପଟ କେରିଅରରେ ଝୁଲେଇଲି । ଆଉ ଦୁଇଟି ଆଗରେ ଟଙ୍ଗେଇକି ଆଣିଲି । ପ୍ରବଳ ଖରାରେ ଏତେ ଜିନିଷ ନେଇକି ଘରକୁ ଆସିଲା ବେଳକୁ କିନ୍ତୁ ମୋତେ ଦେଖିକି ସବୁ ଆଶ୍ଚର୍ଯ୍ୟ । କାରଣ ମୁଁ ସେଦିନ ରଜ ପାଇଁ ୯୭୦ଟଙ୍କାର ପରିବା କିଣିଦେଇଥିଲି ଖାଲି । ପ୍ରକୃତରେ ମୁଁ କିଣିଲାବେଳେ ଟଙ୍କା ହିସାବ ନ କରିକି କିଣିଦେଲି, ଘରେ ପ‌ହ‌ଞ୍ଚିକି ହିସାବ କରିବାରୁ ଏତେ ଚାଲିଯାଇଛି ବୋଲି ଜଣାପଡ଼ିଲା । ଏହି କଥା ପବନ ବେଗରେ ଚାରିଆଡ଼େ ଖେଳିଗଲା, ତା' ପରେ ଜୁଆଡ଼େ ଗଲେ ସେମାନେ ମୋର ଏମିତି କଟାକ୍ଷ କଲେ କ‌ହିବାକୁ ନାହିଁ ।

Wednesday, 25 October 2017

ପ୍ରଥମ ପିକ୍‌ନିକ୍

ସଂଗ୍ରାମ କେଶରୀ ସେନାପତି 1:20 am 0
ପ୍ରଥମ ପିକ୍‌ନିକ୍
ସମସ୍ତେ ପିକ୍‌ନିକ୍‌ରେ ପ୍ରାୟ ଯିବାକୁ ପସନ୍ଦ କରନ୍ତି । ମୁଁ ଯେବେ ପ୍ରଥମଥର ଯାଇଥିଲି, ସେ ବିଷୟରେ ମୋତେ ସେତେଟା ଧାରଣା ହିଁ ନାହିଁ । କାରଣ ମୋତେ ସେତେବେଳେ ୩ ବର୍ଷ ହେଇଥିଲା ବୋଧେ । ସେଇଟା ଥିଲା ମୋ ବାପାଙ୍କ ସ୍କୁଲ ପିଲାଙ୍କର ଶେଷ ପିକ୍‌ନିକ୍ ଆଉ ମୋର ପ୍ରଥମ । ସେତେବେଳେ ମୁଁ ସବୁବେଳେ ବାପାଙ୍କ ସ‌ହ ସବୁଆଡ଼େ ଯାଏ । ତାଙ୍କ ସ‌ହ ସ୍କୁଲକୁ ବି ଯାଏ । ଏମିତିକି ସେ ତାସ୍ ଖେଳିବାକୁ ଗଲାବେଳେ ମୁଁ ଯାଏ । ତା' ପରେ ଭାଇ ବି ଯାଉଥିଲା, ସେଇଥିପାଇଁ ମୁଁ ବି ଗଲି । ସେତେବେଳେ ମୋତେ ଖାଲି ବାପା, ବିଶୁଆ ଭାଇ (ସେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ପୁରୀରେ ପଢ଼ୁଥିଲା ସେତେବେଳେ ।), ନବଘନ ଭାଇ, ନାରଣ ସାର୍‌ଙ୍କ ବିଷୟରେ ହିଁ ମନେ ଅଛି । ଆମ ସ‌ହ ଆହୁରି ଅନେକ ଯାଇଥିଲେ ଅବଶ୍ୟ ।

ବସ୍‌ରେ ଗଲାବେଳେ ମୋତେ ବାନ୍ତି ହୁଏ, ସେଇଥିପାଇଁ ବୋଧେ ମୋତେ ବସ୍‌ରେ ଯିବା ଆଦୌ ମନେ ନାହିଁ । କାରଣ ବସ୍ ଚାଲିଲା ବେଳକୁ ମୁଁ ଶୋଇଯାଇଥିବି । ତ‌ଥାପି ଏବେ ବି କିଛି କିଛି ମନେ ଅଛି । ସେତେବେଳେ ଆମେ ପୁରୀ ଆଉ ଚିଲିକା ଯାଇଥିଲୁ । ପୁରୀ ମନ୍ଦିରକୁ ଯେତେବେଳେ ସମସ୍ତେ ଯାଇଥିଲେ, ମୁଁ ଯାଇନଥିଲି । ଜଣେ ସାର୍‌ଙ୍କ ସ‌ହ ମୁଁ ବାହାରେ ବୁଲାବୁଲି କରୁଥିଲି ବୋଲି ମୋର ମନେ ଅଛି । ସେତେବେଳେ ମୁଁ ପ୍ରଥମେ ଗୋଟିଏ ବାଇସ୍କୋପ୍ (କ୍ୟାମେରା ଭଳିଆ ଦେଖିବାକୁ, ସେଇଥିରେ ଗୋଟେ ପରେ ଗୋଟେ ଛବି ଦେଖାଯାଏ ) । ବୋଧେ ସେବେଠୁ ମୋରେ କ୍ୟାମେରା ପ୍ରତି ମୋହ ଆରମ୍ଭ ହୋଇଥିଲା । ସମୁଦ୍ର ପାଖର ଦୃଶ୍ୟ ଏବେ ବି ମୋତେ ଭଲରେ ମନେ ଅଛି । ପୁଅମାନେ ସବୁ ସମୁଦ୍ରରେ ଗା‌ଧେଇଲେ, ହେଲେ ଝିଅମାନଙ୍କୁ ସମୁଦ୍ରରେ ପଶିବା ମନା ଥିଲା । ଭାଇ ମୋତେ ସମୁଦ୍ର ପାଣି ପାଖକୁ ଆଉ ଛୋଟ ଛୋଟ ଲ‌ହଡ଼ୀ ପାଖକୁ ନେଇଯିବାଟା ମୋତେ ମନେ ଅଛି ।

ତା'ପରେ ବିଶୁଆ ଭାଇ ପାଖକୁ ଆମେ ଯାଇଥିଲୁ କି ସେ ଆସିଥିଲା, ସେଇଟା ବି ଠିକ୍‌ରେ ମନେ ନାହିଁ । କିନ୍ତୁ ସେ ମୋ ପାଇଁ ଗୋଟେ ବଡ଼ ବେଲୁନ୍ କିଣିଥିଲା, ସେଇଟା ମୋତେ ମନେ ଅଛି । ଏବେ ବି ସେହି ପ୍ରଥମ ଯାତ୍ରାର ଗୋଟିଏ ମାତ୍ର ଫଟୋ ଅଛି । ସେଇଟା ବି ବିଶୁଆ ଭାଇ ସ‌ହ । ତା' ପରେ ଆମେ ଚିଲିକା ଯାଇଥିଲୁ । ସେଇଠି କେବଳ ଗୋଟିଏ ଦୃଶ୍ୟ ମନେ ଅଛି । ଚିଲିକାରେ ମଟର ଚାଳିତ ଆଉ କାତମରା ଡଙ୍ଗା । ମୋତେ ଖାଲି ଡଙ୍ଗା ବୋଲି ହିଁ ଜଣାଥିଲା । ଉଭୟ ଡଙ୍ଗା ଭିତରେ ପାର୍ଥକ୍ୟ କ'ଣ ଜଣାନଥିଲା । ବଡ଼ ହେଲାପରେ ସେଇଟା ଜଣା ପଡ଼ିଲା ।

ଏମିତିରେ ଅଧା ଅଧା ଝାପ୍‌ସା ସ୍ମୃତିରେ ଶେଷ ହୋଇଯାଇଥିଲା ମୋର ପ୍ରଥମ ପିକ୍‌ନିକ୍ । ଆମେ କେତେବେଳେ ଘରୁ ବାହାରିଥିଲୁ, ସେ ବିଷୟରେ ବି ମୋତେ ଜଣାନାହିଁ ଆଉ ସେମିତି କେତେବେଳେ ଆସିକି ଘର ପ‌ହ‌ଞ୍ଚିଲୁ, ସେ ବିଷୟରେ ବି କିଛି ଜଣା ନାହିଁ । ସେତେବେଳେ ବି ଅଧିକ ସମୟ ଶୋଉଥିଲି, ଏବେ ବି ସେମିତି ବ‌ହୁତ ସମୟ ଧରି ଶୋଉଛି । ସମୟ ସ‌ହ ଅନେକ କିଛି ବଦଳିଗଲାଣି, ବୋଧେ ଏଇ ଶୋଇବା ଗୁଣ‌ଟା ବଦଳିନାହିଁ କି କ'ଣ ।

Tuesday, 17 October 2017

ଗର୍ଭଣା ସଂକ୍ରାନ୍ତି

ସଂଗ୍ରାମ କେଶରୀ ସେନାପତି 4:08 pm 0
ଗର୍ଭଣା ସଂକ୍ରାନ୍ତି
ଓଡ଼ିଶାର ପର୍ବପର୍ବାଣିଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ । ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଇଂରାଜୀ ମାସ ଅକ୍ଟୋବରରେ ପଡେ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । ଗୃହମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି -ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ ।


ଗର୍ଭଣା ସଂକ୍ରାନ୍ତିରେ କ୍ଷେତରେ ପୋତାହେବା ପୂର୍ବରୁ ଘରେ ପୂଜା କରାଯାଏ ।

* All these contents are copied from Odia Wikipedia.
* Garbhana Sankranti is one of the important festivals like Akshaya Trutiya.
* In Akshaya Trutiya the farmers start the process of cultivation.
* And this is the festival during the cultivation process.

Friday, 15 September 2017

Software Freedom Day (ସଫ୍ଟଓଏର ସ୍ୱାଧୀନତା ଦିବସ)

ସଂଗ୍ରାମ କେଶରୀ ସେନାପତି 10:44 pm 0
Software Freedom Day (ସଫ୍ଟଓଏର ସ୍ୱାଧୀନତା ଦିବସ)

ଆଜିର ଏହି ଦୁନିଆରେ ଆମେ ପ୍ରାୟତଃ ଡିଜିଟାଲ ଦୁନିଆରେ ସବୁକିଛି କରୁଛନ୍ତି । ଏହି ଡିଜିଟାଲ ଦୁନିଆର ମୁଖ୍ୟ ଉପାଦନା ଦୁଇଟି ହେଲା ଇଣ୍ଟରନେଟ ଆଉ କମ୍ପ୍ୟୁଟର । ଆଉ ଏହିସବୁକୁ ଚଳେଇବା ପାଇଁ ଆମକୁ ଦରକାର ହୋଇଥାଏ ସଫ୍ଟଓଏର । ସଫ୍ଟଓଏର ବିଷୟରେ ପ୍ରାୟ ସଭିଏଁ ଏବ ଉଣା ଅଧିକେ ଜାଣିଲେଣି । ହେଲେ ଆମେ ବ୍ୟବ‌ହାର କରୁଥିବା ସବୁଯାକ ସଫ୍ଟଓଏର ଉପରେ ଆମର ଅଧିକାର ନ ଥାଏ । ଆମେ ଅଧିକାଂଶ ସଫ୍ଟଓଏର ଆମେ ଚୋରାରେ ବ୍ୟବ‌ହାର କରୁଛେ । କାରଣ ଏହିସବୁ ସଫ୍ଟଓଏରକୁ କିଣିବାକୁ ହେଲେ ଆମକୁ ଟଙ୍କା ଦରକାର । ଆଉ ଯଦି ଆମେ ଚୋରାରେ ପାଉଛନ୍ତି, ତେବେ ଟଙ୍କା କିଏ ବା କାହିଁକି ଖର୍ଚ୍ଚ କରିବାକୁ ଚାହିଁବ ଯେ । ହେଲେ ଏହିସବୁ ସଫ୍ଟଓଏରର ନିର୍ମାତା ଯଦି ଏହି ଚୋରା ବିଷୟରେ ଜାଣିବେ ତେବେ ସେମାନେ ଆମମାନଙ୍କ ଉପରେ ନିଶ୍ଚୟ ରୂପରେ ସେମାନଙ୍କର ନିୟମ ଉଲଘଂନ ଏବଂ ଚୋରିର ଦଫା ଗୋଟାଏ ଲେଖାଏଁ ଲଗେଇଦେବେ । ଏହି ସବୁ ଉପରେ ଶୁଭାଶିଷ ଭାଇ ଗତବର୍ଷ "ସଫ୍ଟଓଏର ସ୍ୱାଧୀନତା ଦିବସ: ଆମ ହାତେ ଆମ କୋଡ଼ ଲେଖିବା" ଶୀର୍ଷକ ଲେଖାଟିଏ ଲେଖିଥିଲେ, ତାକୁ ପଢ଼ିଲେ, ଏହି ବିଷୟରେ ଅଧିକ ସୂଚନା ପାଇପାରିବେ ।

ମାତ୍ର ଅନେକ କିଛି ସଫ୍ଟଓଏର ଯଦି ଯାହାକୁ ଆମେ ସ୍ୱାଧିନ ଭାବରେ ବ୍ୟବ‌ହାର କରିପାରିବା । ଏମିତିକି କିଛି ସଫ୍ଟଓଏର ଅଛି, ଯାହାକୁ ଆମେ ମୁକ୍ତଭାବରେ ବ୍ୟବ‌ହାର କରିପାରିବା । ଏହି ସବୁ ସଫ୍ଟଓଏରକୁ ଆମେ ମଧ୍ୟ ଆମର ଦରକାର ଅନୁସାରେ ବଦଳେଇପାରିବା । ମାତ୍ର ଆମେ ସେମାନଙ୍କର ମୂଳ ଆଧାରକୁ ବଦଳି କରିପାରିବା ନାହିଁ । ଯେମିତି ଆମେ ବିଦେଶୀଙ୍କଠାରୁ ସ୍ୱାଧୀନ ହେଇଛେ, ହେଲେ ନିଜ ଦେଶର ସମ୍ବିଧାନ ଅଧିନରେ ଆମେ ଅଛୁ । ସେହିଭଳି ଆମେ ସେହି ସଫ୍ଟଓଏରର ମୂଳ କୋଡ଼୍‌କୁ ବଦଳେଇପାରିବା ମାତ୍ର, ସେମାନଙ୍କର ନାମ ମଧ୍ୟ ଉଲ୍ଲେଖ ହେବା ଦରକାର । ଉଇକିମିଡ଼ିଆର କମନ୍‌ସ୍‌ରେ ଯଦି ଆମେ କୌଣସି ଫଟୋ, ଭିଡ଼ିଓ କିମ୍ବା ଅଡ଼ିଓ ଫାଇଲ ଅପଲୋଡ଼ କରୁଛେ, ଏହାକୁ ସାଧାରଣ ଲୋକ ବିନା ମୂଲ୍ୟରେ ବ୍ୟବ‌ହାର କରିପାରିବେ । ମାତ୍ର, ସେମାନେ ଏହି ଫାଇଲଗୁଡ଼ିକୁ ସେମାନଙ୍କର ନିଜ ପରିଚୟରେ ବ୍ୟବ‌ହାର କରିପାରିବେ ନାହିଁ । ସେମାନେ ଯେଉଁଠି ଏହିସବୁ ଫାଇଲର ବ୍ୟବ‌ହାର କରିବେ, ସେଇଠି ସେମାନେ ଏହି ଫାଇଲଟିର ଉଦ୍ଧୃତି ଏବଂ ଉପଦେଷ୍ଟାଙ୍କ ବିଷୟରେ ଉଲ୍ଲେଖ କରିବା ଅନିର୍ବାଯ୍ୟ । ସେହିଭଳି ହେଉଛି ଏହି ସଫ୍ଟଓଏର ଫ୍ରିଡମ୍ । ଆମେ ତାକୁ ବ୍ୟବ‌ହାର କରିପାରିବା, ଏମିତିକି ବଦଳେଇ ପାରିବା, ମାତ୍ର ବଦଳେଇଲା ପରେ ମୂଳ ସୃଷ୍ଟିକର୍ତ୍ତାଙ୍କ ବିଷୟରେ ଉଲ୍ଲେଖ କରିବା ନିହାତି ଦରକାର । ଯେ କୌଣସି ବ୍ୟକ୍ତିବିଶେଷ ଏହି ସବୁ ସଫ୍ଟଓଏରକୁ ଯେପରି ସୂଚାରୁରୂପେ ବ୍ୟବ‌ହାର କରିପାରିବ ଏବଂ ସେଥିରେ ନିୟମ‌ଭୁକ୍ତ ଥିବା ସାଧାରଣ ସୂଚନା ସେମାନଙ୍କୁ ପ୍ରାପ୍ତ ହେବ, ସେ ବିଷୟରେ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ଜଗତ ସାରା ୨୦୦୪ ମସିହାରୁ ସେପ୍ଟେମ୍ବର ମାସର ତୃତୀୟ ସପ୍ତାହରେ “ସଫ୍ଟଓଏର ଫ୍ରିଡ଼ମ ଡେ” ବା “ସଫ୍ଟଓଏର ସ୍ୱାଧୀନତା ଦିବସ” ପାଳିତ ହୋଇଆସୁଛି ।



ଏଇ ବର୍ଷ ଆମେ ୨୦୧୭ରେ ଆମର ଓଡ଼ିଆ ଉଇକିପଡ଼ିଆ ବ୍ୟବ‌ହାରକାରୀ ସଂଘ ତରଫରୁ ଭୁବନେଶ୍ୱରରେ ସମ୍ବାଦ ଭବନ ପରିସରରେ ଏହି କାର୍ଯ୍ୟକ୍ରମଟି ପାଳନ କରିବାର ଯୋଜନା ରହିଛି । ଏହିସବୁ ସ୍ୱାଧୀନତା ବିଷୟରେ ସାଧାରଣ ଲୋକଙ୍କୁ ଅବଗତି ପାଇଁ ଏହିଭଳି କିଛି କାର୍ଯ୍ୟକ୍ରମମାନ ଆୟୋଜନ କରିବା ନିତ୍ୟାନ୍ତ ଆବଶ୍ୟକ ।

Tuesday, 12 September 2017

#BlueWhaleChallenge: ଅଫେରା ପଥର ଯାତ୍ରୀ

ସଂଗ୍ରାମ କେଶରୀ ସେନାପତି 12:13 am 6
#BlueWhaleChallenge: ଅଫେରା ପଥର ଯାତ୍ରୀ

ଏବେ ସୋସିଆଲ ମିଡ଼ିଆରେ, ଟିଭିରେ, ଖବରକାଗଜରେ, ରାମ୍‌ରହିମ୍ ପରେ ଅଧିକ ଚର୍ଚ୍ଚା ଚାଲିଥିବା ବିଷୟଟି ହେଉଛି #BlueWhaleChallenge । ଏହି ଖେଳରେ ଅନେକ ଶିକାର ହେଉଛନ୍ତି । ଶେଷରେ କିଛି ପିଲା ଆତ୍ମହତ୍ୟା ମଧ୍ୟ କରିସାରିଲେଣି । ଅନେକ ମଧ୍ୟ ଏହି ବିଷୟ ଉପରେ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । ଏମିତିକି ଖବରକାଗଜରେ ବି ଅନେକ ପ୍ରକାରର ସାବଧାନତା ସୂଚନା ଦିଆଯାଉଛି । ତ‌ଥାପି ଏବେ ଅଧିକ ସଂଖ୍ୟକ ପିଲା ଏହି ଖେଳରେ ମାତିଯାଉଛନ୍ତି । ଏତେ ବୁଝେଇବା ପରେ ବି ସେମାନେ କେମିତି ପୁଣିଥରେ ସେ ଖେଳରେ ପଶିଯାଉଛନ୍ତି?
ମୁଁ କେଉଁଠୁ ଗୋଟେ କଥା ଶୁଣିଥିଲି ମନେ ନାହିଁ, କିନ୍ତୁ ସେ କଥାଟି ମନେ ଅଛି । ତମେ ଯଦି କାହାକୁ କୌଣସି ଜିନିଷ କରିବାକୁ ମନା କରିବ, ସେତେବେଳେ ସେମାନଙ୍କୁ ସେଇଟା କରିବାର ଆଗ୍ରହ ଅଧିକ ବଢ଼ିବ । ସେଇଥିପାଇଁ ସେମାନେ ସେହି ଜିନିଷ‌ଟା କେମିତି ଆଉ କ'ଣ ହେଇଥିବ, ସେହି ବିଷୟରେ ଜାଣିବା ପାଇଁ ସେହି ମନାକରିଥିବା କାମକୁ କରିବେ । ଏହିସବୁ ମୋ ସ‌ହ ବି ହୋଇଥାଏ । ଯଦି କିଏ ମନା କରିବ, ଏହି ଜିନିଷ‌ଟାରେ ଲାଗିବୁନି, ମୋତେ ତ' ସେଇଥିରେ ଲାଗିବାରେ ବେଶି ଇଚ୍ଛା ହୁଏ । ଅନେକଙ୍କୁ ଏହି ଖେଳ ବିଷୟରେ ଜଣାନଥିବ । ମାତ୍ର ସବୁଜାଗାରେ ସେହି ଗୋଟିଏ ଚର୍ଚ୍ଚା ଦେଖିକି, ସେମାନେ ବି ସେଇ ଖେଳଟି କିଭଳି ପ୍ରକାରର ହୋଇଥାଏ ବୋଲି ଦେଖିବା ପାଇଁ ସେହି ବିଷୟରେ ଖୋଜିଥାନ୍ତି, ଆଉ ଧିରେ ଧିରେ ସେ ବିଷୟରେ ଖୋଜୁ ଖୋଜୁ ନିଜେ ତା' ଭିତରେ ହଜିଯାଆନ୍ତି । କେବେ କେବେ ଗଭୀର ସମୁଦ୍ରରେ ମୁକ୍ତା ଖୋଜିଲା ବେଳେ ନୀଳତିମିର ଖାଦ୍ୟ ପାଲଟିଲା ଭଳି, ଏହିଠାରେ ବି ଠିକ୍ ସେହିପରି ହେଉଛି, କଳ୍ପନିକ ନୀଳତିମିର ଶିକାର ପାଲଟି ଯାଉଛନ୍ତି ।

(ଏହି ଖେଳରୁ ନିବୃତ ରହିବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ।)


ଏହିସବୁ ଖେଳ ଭିତରୁ ବାହାରିବା ବା କାହାକୁ କେମିତି ଦୂରେଇ ରହିବା ବିଷୟରେ ମୋତେ ସେମିତି କିଛି ଜଣା ନାହିଁ । କିନ୍ତୁ ଯେଉଁମାନେ ଶିକାର ହେଉଛନ୍ତି, ସେମାନେ ଏହିସବୁ ବିଷୟରେ ପଶୁଛନ୍ତି କେମିତି? ଇଣ୍ଟରନେଟରେ ଖୋଜିଲେ ଏହି ଖେଳ ବିଷୟରେ କାଇଁ ସେମିତି କିଛି ନିର୍ଦ୍ଦିଷ୍ଟ ଲିଙ୍କ ବି ନାହିଁ, ତ‌ଥାପି ସେମାନେ ଖେଳିବାର ଉତ୍ସ ଜାଣୁଛନ୍ତି କିପରି? ଏମିତିକି ସେହି ଖେଳର ଉଦ୍ଭାବକ ବି ଏବେ କାରାଗାରରେ । ତ‌ଥାପି ସେହିସବୁର ପରିଚାଳନା କିଏ କରୁଛି? ଏମିତି ହେଉ ନାହିଁ ତ, ଆମରି ଆଖପାଖରେ କେହି ସେହି ଖେଳର ନାଁ ନେଇକି ଏମିତି ସବୁ କାର୍ଯ୍ୟ କରୁଥାଇପାରେ । ସେ ସବୁ ଯାହା ବି ହେଉ ନା କାହିଁକି, ଏହି ଖେଳରୁ ବିରତ ରହିବାପାଇଁ ସଭିଙ୍କୁ ସଜାଗ ରହିବାକୁ ପଡ଼ିବ । ପୋକଟିକୁ ଜଣାଥାଏ କି ସେ ନିଆଁକୁ ଗଲେ, ତାକୁ ମିରିବାକୁ ପଡ଼ିବ । ତ‌ଥାପି ସେମାନେ ସେହି ନିଆଁ ଉପରକୁ ଡେଇଁ ପଡ଼ିଥାନ୍ତି । ଏଇଠି ବି ସେଇଆ ହେଉଛି, ସବୁ ଜାଣିବା ପରେ ବି ସେମାନଙ୍କର ପରିଣତି ମୃତ୍ୟୁ ଜାଣି ବି ସେମାନେ ସେଇଥିରେ ପଶୁଛନ୍ତି । କ୍ଷଣିକର ଖୁସି ହିଁ ସାରା ଜୀବନ‌ ପାଇଁ ଅନ୍ୟର ଖୁସି ଛଡ଼ାଇନେଉଛି । ଏହି ଅଫେରା ପଥର ଯାତ୍ରୀକୁ, ତା' ପରିବାର ପାଇଁ ହିଁ ଫେରିବାକୁ ହେବ । ଏହି କଥାଟିକୁ ସଭିଙ୍କୁ ବୁଝିବାକୁ ହେବ ।

Wednesday, 23 August 2017

ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ

ସଂଗ୍ରାମ କେଶରୀ ସେନାପତି 8:22 pm 0
ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ
ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ

ଆଉ ଅଳ୍ପଦିନ ପରେ ଆମେ ପ୍ରାୟ ସଭିଏଁ ପାଳନ କରିବେ ଗୁରୁଦିବସ । ଏହା ଏକ ଏମିତି ଦିନ, ଯେଉଁଦିନ ଛାତ୍ରଛାତ୍ରୀମାନେ ସେମାନଙ୍କର ଗୁରୁମାନଙ୍କର ପୂଜା କରନ୍ତି । ଆମ ଭାରତୀୟ ସଂସ୍କୃତିରେ ଗୁରୁମାନଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି । ଦ୍ରୋଣାଚାର୍ଯ୍ୟଙ୍କ ଶିଷ୍ୟ ଏକଲବ୍ୟଙ୍କ ବିଷୟରେ ପ୍ରାୟତଃ ସଭିଙ୍କୁ ଜଣାଥିବ । ବୋଧହୁଏ, ସବୁସ୍ଥାନରେ ଗୁରୁଭକ୍ତିର ଉଦାହରଣ ଦେଲେ ଆମେ ଏକଲବ୍ୟଙ୍କର ଉଦାହରଣ‌ଟି ଦେଇଥାଉ । ସେ ଦ୍ରୋଣାଚାର୍ଯ୍ୟଙ୍କର ସିଧାସଳଖ ଶିଷ୍ୟ ନ ଥିଲେ, ସେ କେବେଳ ଦ୍ରୋଣାଚାର୍ଯ୍ୟଙ୍କୁ ତାଙ୍କର ଗୁରୁ ଭାବରେ ମାନିଥିଲେ ଆଉ ଯେତେବେଳେ ଗୁରୁଭକ୍ତିର କଥା ଆସିଲା, ସେତେବେଳେ ସେ ତାଙ୍କର ଆଙ୍ଗୁଠି କାଟି ସମର୍ପିଦେବାକୁ ପଛାଇନଥିଲେ । କାରଣ, ସେ ଦ୍ରୋଣାଚାର୍ଯ୍ୟଙ୍କୁ ତାଙ୍କର ଗୁରୁ ଭାବରେ ମାନିଥିଲେ । ସେହି ମହାଭାରତ ପର୍ବରେ ଆଉ ଏକ ମଧ୍ୟ ଉଦାହରଣ ଅଛି ଶ୍ରୀକୃଷ୍ଣ ଏବଂ ବେଲାଳସନଙ୍କର । ବେଲାଳସନ ମଧ୍ୟ କୃଷ୍ଣଙ୍କୁ ତାଙ୍କୁ ଗୁରୁ ଭାବରେ ମାନିଥିଲେ, ଯାହାଫଳରେ ସେ କୃଷ୍ଣଙ୍କ ଆଗରେ ତାଙ୍କ ଶିର ସମର୍ପିଦେଇଥିଲେ । ଏମିତିକି ଭାରତର ଇତିହାସ ଦେଖିଲେ, ଗୁରୁଙ୍କ ସମ୍ମାନ ବିଷୟରେ ଅନେକ ଉଦାହରଣ ଆମେ ପାଇପାରିବା ।

କୌଣସି ବ୍ୟକ୍ତି ବିଶେଷ ତାଙ୍କ ଜୀବନରେ ସଫଳତାର ଶୀର୍ଷରେ ପ‌ହ‌ଞ୍ଚିବାକୁ ହେଲେ ତାଙ୍କୁ ଦରକାର ହୋଇଥାନ୍ତି ଜଣେ ସୁଦକ୍ଷ ଗୁରୁ । ଆମର ଭାରତର ପ୍ରଥମ ଉପରାଷ୍ଟ୍ରପତି ତ‌ଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଅନୁସାରେ ଗୁରୁ ହିଁ ଜଣେ ଲୋକର ଚରିତ୍ରକୁ ଉତ୍ତମ କରି ଗଢ଼ିଥାନ୍ତି । ସେଇଥିପାଇଁ ସେ ତାଙ୍କ ଜନ୍ମଦିନ‌କୁ ଗୁରୁଦିବସ ରୂପେ ପାଳନ କରିବାର ପ୍ରସ୍ତାବ ରଖିଥିଲେ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଏହା ପାରିତ ହୋଇ ଗୁରୁଦିବସ ରୂପେ ପାଳନ ହେଇଆସୁଛି । ମାତ୍ର ଗୁରୁଭକ୍ତି, ଗୁରୁଙ୍କ ସ୍ଥାନ ଉଚ୍ଚରେ ଆଦି କଥାସବୁ ଏବେ କୁଆଡ଼େ ହଜି ଗଲାଣି । ଏବେ ସେଇ ଗୁରୁମାନେ ତାଙ୍କ ଜୀବନରେ ବଞ୍ଚିବାକୁ କରୁଛନ୍ତି ଅନେକ ସଂଘର୍ଷ । ଏମିତିକି, ଏବେ ଯଦି ଆମେ କାହାକୁ କ‌ହିବା ଭବିଷ୍ୟତରେ ଜଣେ ଶିକ୍ଷକ ହେବାକୁ, ସେ ସିଧା ମନା କରିକି କ‌ହିବ ଭିକ୍ଷାବୃତ୍ତି କଲେ ଅଧିକ ଉପାର୍ଜନ ହେଇପାରିବ । ଏଇଠି ଗୋଟେ କଥା ଆସିପାରେ କି ଯଦି ସେ ଗୁରୁ ରୂପରେ ବିଦ୍ୟାଦାନ କରିବାକୁ ଚାହୁଁଛନ୍ତି, ତେବେ ଅର୍ଥ କ’ଣ ଦରକାର । ଅର୍ଥ ଦରକାର ହେବନି କେମିତି, ଏବେ ତ’ ସବୁଜିନିଷ ପାଇଁ ଅର୍ଥ ହିଁ ଅର୍ଥ ଦରକାର । ସାଧାରଣ ଜିନିଷ‌ଟିଏ ପାଇଁ ଅନେକ ଅର୍ଥ ଦରକାର । ଆଉ ଯଦି ଆପଣଙ୍କ ପାଖରେ ଅର୍ଥ ନାହିଁ, ତେବେ ଜୀନରେ ବଞ୍ଚିରହିବା କେତେ କଷ୍ଟକର, ସେଇଟା ଏବେ କୌଣସି ଭିକାରୀକୁ ନୁହେଁ, ବରଂ ୧୮ ବର୍ଷ ମାଗଣାରେ ପଢ଼ାଇବା ପରେ ମାସକୁ ମାତ୍ର କେଇଟା ଟଙ୍କା ପାଉଥିବା ସେ ବ୍ଲକଗ୍ରାଣ୍ଟ ଶିକ୍ଷକମାନଙ୍କୁ ପଚାରନ୍ତୁ । ସେମାନେ ବି ମଣିଷ, ସେମାନଙ୍କର ବି ପରିବାର ଅଛି । ସେମାନଙ୍କର ପରିବାର ଚଳିବା ପାଇଁ ବି ଅର୍ଥ ଦରକାର । ଆଉ ସେମାନେ ଶିକ୍ଷକ ବୋଲି, ସେମାନଙ୍କୁ କେହି ମାଗଣାରେ କିଛି ଦେଇଦେଉନାହାନ୍ତି । ହେଲେ ସେମାନଙ୍କ ପ୍ରତି କାହାରି ନିଘା ନାହିଁ । ନା ଅଛି ସରକାରର ନା ଅଛି ପ୍ରଶାସନର । ଏକଦା ସେମାନେ ଆମରଣ ଅନଶନରେ ବସିଥିଲେ ଦରମା ଗଣ୍ଡାଏ ପାଇଁ । ତା’ ପରେ ସେମାନଙ୍କୁ ମିଳିଲା କିଛି ଅର୍ଥ, ହେଲେ ଆଜିର ଏହି ମ‌ହ‌ଙ୍ଗା ଦୁନିଆରେ ସେତିକି ପାରିଶ୍ରମିକରେ ସେମାନେ କେମିତି ଚଳିବେ, ସେ ପ୍ରତି ବି ଚିନ୍ତା କରିବା ନିହାତି ଦରକାର ।

ଆମର ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ପରା କୁଆଡ଼େ ସଭିଏଁ ସମାନ । ହେଲେ ସେମାନଙ୍କ ପ୍ରତି ଏଭଳି ଅବ‌ହେଳା କ’ଣ ପାଇଁ? ସେମାନେ ବି ତାଙ୍କର ଛାତ୍ରମାନଙ୍କୁ ସେତିକି ପାଠ ପଢ଼ାଉଛନ୍ତି । ମାତ୍ର ପାରିଶ୍ରମିକ ମିଳୁଛି ସରକାରୀ ଶିକ୍ଷକ ତୁଳନାରେ ୩ ଭାଗରୁ ଭାଗେ । ସେମାନେ କ’ଣ ଷଣ୍ଢ ମାରିଥିଲେ? ଏମିତିକି ଅନେକ ଶିକ୍ଷକ ଅଛନ୍ତି, ଯେଉଁମାନେ ତାଙ୍କ ଜୀବନର ୧୫ବର୍ଷରୁ ଅଧିକ ସମୟ ସେହି ବିଦ୍ୟାଳୟରେ ମାଗଣାରେ ପଢ଼ାଇ ଶେଷ କରିଦେଇଛନ୍ତି, ହେଲେ ଯଦି କେବେ ତାଙ୍କ ପରିବାରର କାହାର ଦେହ ଖରାପ ହୁଏ, ସେମାନେ ତାଙ୍କୁ ଭଲ ଡାକ୍ତରଙ୍କ ପାଖରେ ବି ଚିକିତ୍ସା କରାପାରନ୍ତିନି । ପୂର୍ବବର୍ଷମାନଙ୍କ ଭଳି ଏହି ବର୍ଷବି ଓଡ଼ିଶାର ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକମାନେ ଆନ୍ଦୋଳନରେ ବସିଛନ୍ତି । ଏଇ ଖରା, ବର୍ଷାରେ ସେମାନେ ସରକାରଙ୍କ ପାଖରେ ସେମାନଙ୍କର ଦାବି ଜଣାଇବାକୁ ବସିଛନ୍ତି, ହେଲେ ସେମାନଙ୍କ କଥା ଶୁଣୁଛି କିଏ? ଏମିତିକି ସାତ ଦିନ ଶେଷରେ ବି ସରକାରଙ୍କର କୌଣସି ପ୍ରତିନିଧି ସେମାନଙ୍କ ପାଖରେ ପ‌ହ‌ଞ୍ଚିନଥିଲେ । ଗୁରୁ ପରା ଶ୍ରେଷ୍ଠ ସମ୍ମାନର ଅଧିକାରୀ । ହେଲେ ସାତ ଦିନ ପରେ ବି ସେମାନଙ୍କୁ ଆଡ଼ ଆଖିରେ ନ ଦେଖିବା କେଉଁ ପ୍ରକାରର ସମ୍ମାନ? ଏଣେ ଆମର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଶ୍ରେଷ୍ଠ ପ୍ରଶାସକର ସମ୍ମାନ । ହଁ ସେ ଦୀର୍ଘ ୧୭ ବର୍ଷ ଧରି ରାଜ୍ୟରେ ରାଜ କରୁଛନ୍ତି ବୋଲି ତାଙ୍କୁ ମିଳିଲା । ସେ ଦାବି କରୁଛନ୍ତି କି ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅନେକ ପାଦ ଆଗେଇଛି, ହେଲେ ଯେଉଁମାନଙ୍କ ପାଇଁ ଏଇ ଶିକ୍ଷା ଆଗେଇଛି କି ଆଗେଇବ, ସେମାନଙ୍କ ପ୍ରତି ଏତେ ହେୟଜ୍ଞାନ କ’ଣ ପାଇଁ?