ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Wednesday, 20 January 2021

ବିଦାୟ ରବି ମିଶ୍ର

ସଂଗ୍ରାମ କେଶରୀ ସେନାପତି 3:23 pm 0
ବିଦାୟ ରବି ମିଶ୍ର

ବିଦାୟ ରବି ମିଶ୍ର - Rabi Mishra Odia Actor passed away on 20 January 2020

ସରକାରୀ ଚାକିରୀ ଥିଲା ତାଙ୍କର ପେଶା ଆଉ ଅଭିନୟ ଥିଲା ନିଶା । ୧୯୭୯ ମସିହାରୁ ରାମାୟଣର ସୁଗ୍ରୀବ ଭୂମିକାରୁ ୨୦୨୦ର ହେ ପ୍ରଭୁ ଧାରାବାହିକର ଜେଜେ ଭୂମିକା ଭିତରେ ସେ ଏମିତି କିଛି ଛାପ ଛାଡ଼ିଯାଇଛନ୍ତି ଓଡ଼ିଆ ଦର୍ଶକଙ୍କ ମନରେ ଯାହା ଅନେକ ବର୍ଷଯାଏଁ ଉଜ୍ଜୀବିତ ହୋଇବ ଓଡ଼ିଆ ପ୍ରାଣରେ ।

କେତେବେଳେ ସେ ଖଳନାୟକ ସାଜି ନେଉଳ ପୋଷୁଥିଲେ ତ ପୁଣି କେବେ ଗୋପାଳ ଭାଣ୍ଡ ସାଜି ଦର୍ଶକମାନଙ୍କୁ ହସେଇ ହସେଇ ବେଦମ କରାଉଥିଲେ ଆଉ ପୁଣି କେବେ ଲକ୍ଷ୍ମୀର ଅଭିସାର କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାତେଇଥିଲେ । ହୁଏତ ଆରମ୍ଭରୁ ଅଭିନୟ ପ୍ରତି ଆକର୍ଷିତ ନଥିଲେ ସେ, କିନ୍ତୁ ଶେଷ ନିଶ୍ୱାସ ତାଙ୍କର ସେହି ଅଭିନୟରେ ଥିଲା ।

ନାଟକର ଶେଷ ଦୃଶ୍ୟରେ ହୃଦ୍‌ଘାତର ଅଭିନୟ କରୁକରୁ ଯେ ସତରେ ସେ ହୃଦ୍‌ଘାତରେ ଚାଲିଯିବେ ତାହା କେହି ଭାବିନଥିଲେ । ସେହି ମହାନ କଳାକାର ରବି ମିଶ୍ରଙ୍କୁ ଶୁଭପଲ୍ଲବ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ ଏବଂ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରୁଛୁ ।

Wednesday, 16 December 2020

ଗୋଲାପ... - କଲେଜଡାଏରୀ

ସଂଗ୍ରାମ କେଶରୀ ସେନାପତି 9:37 am 0
ଗୋଲାପ... - କଲେଜଡାଏରୀ
Golapa - College Diary - ଗୋଲାପ... - କଲେଜଡାଏରୀ

ତୁମକୁ ଦେବାପାଇଁ କେବେ ବି ଗୋଲାପ କିଣିନାହିଁ,
କାଳେ ମଉଳିଗଲେ କେଉଁଠି ଫପୋଡ଼ିଦେବ ବୋଲି ।

ହେଲେ ତମେ ଦେଇଥିବା ପ୍ରତିଟି ଗୋଲାପକୁ ଆଜି ସାଇତି ରଖିଛି,
ଏବେ ବି କଲେଜ ଡାଏରୀ ଖୋଲିଲେ ସେ ମଉଳା ଗୋପାଲ ଝଲସୁଛି ।

Thursday, 13 February 2020

ତୁମ ଅପେକ୍ଷାରେ

ସଂଗ୍ରାମ କେଶରୀ ସେନାପତି 1:41 am 0
ତୁମ ଅପେକ୍ଷାରେ

"ଆଉଥରେ ଆଜି ମୋ ମନର ସେ ଅକୁହା
କଥାକୁ ତମ ଆଗେ ଖୋଲି କହିବାକୁ ଚାହୁଁଛି,
ତମେ ତ ଜାଣିଛ ମୁଁ ତମକୁ କେତେ ଭଲ ପାଉଛି ।"
ଦିନ ପରେ ଦିନ ଗଡ଼ିଚାଲିଛି ଆଉ ଯେତେ ଅଧିକ ସମୟ ବିତି ଚାଲିଛି, ବୋଧେ ସାପର ବିଷ ଚରିଗଲା ଭଳିଆ ଆମର ସେହି କେଇଦିନର ସମ୍ପର୍କର ମିଠା ସ୍ମୃତିସବୁ ମୋ ଭିତରେ ବଢ଼ିବଢ଼ି ଚାଲିଛି । ମୋ ମନର ମାନସ ପଟଳରେ ବାରମ୍ବାର ସେହି ଛବିସବୁ ଆସି ଘୁରିବୁଲୁଛି । ସେଦିନର ସେ ଶେଷ ସାକ୍ଷାତ କଥା ମଧ୍ୟ ଆଜି ସବୁଠୁ ଅଧିକ ପଡ଼ୁଛି ଆଉ ସେଦିନ ତମକୁ କହିପାରିନଥିବା ସେହି କେଇପଦ କଥା ଯେମିତି ମୋତେ ସବୁବେଳେ ଅଟ୍ଟହାସ୍ୟ କରୁଛି ।

ବିନି ତମର ମନେ ଅଛି ନା ତିନି ବର୍ଷ ତଳେ ଯେତେବେଳେ ତମେ ପ୍ରଥମଥର ମୋତେ ଭେଟିବାକୁ ଆସିଥିଲ? ହୁଏତ ତମର ସେ କଥା ସବୁ ମନେ ନଥିବ, କିନ୍ତୁ ମୋର ଭଲ ଭାବରେ ମନେ ଅଛି । ଏହି ଯେଉଁ ସିମେଣ୍ଟର ଚୌକି ଦେଖୁଛ, ସେଇଠି ହିଁ ଆମେ ପ୍ରଥମେ ବସିଥିଲେ । ପ୍ରଥମେ କ'ଣ ଯେ, ଯେତେବେଳେ ଆସୁଥିଲେ ସବୁବେଳେ ହିଁ ଏଇଠି ବସୁଥିଲେ । ସେଦିନ ପ୍ରଥମେ ଦେଖାରେ ତମେ ଯେତିକି ଉତ୍ସାହିତ ଥିଲ, ତମ ଭିତରେ ଥିବା ସେତିକି ଡର ମୁଁ ଭଲ ଭାବରେ ଦେଖିପାରୁଥିଲି ।

ସେ ଡର ଭିତରେ ତମର କଥାସବୁ ଯେତେ ଧୀରେ ଶୁଭୁଥିଲା, ସେତେ ଅଧିକ ମିଠା ଲାଗୁଥିଲା । ପ୍ରଥମେ ଦେଖାର ପ୍ରଥମ ଅନୁଭୂତି ସବୁଠାରୁ ନିଆରା ଅବଶ୍ୟ, ବୋଧେ ସେଦିନର ସେ ମିଠା ଅନୁଭୂତି ସହ ତମର ସେ ଡର ଆଉ ଲାଜ ମିଶା ଆଳାପ ତାକୁ ଦୀର୍ଘସ୍ଥାୟୀ କରିବାକୁ ବାଧ୍ୟ କରିଦେଇଥିଲା । ଏହାପରେ ଅବଶ୍ୟ ଅନେକ ଥର ଦେଖାହେଇଛି, କିନ୍ତୁ ପ୍ରତ୍ୟେକ ଭାଲେଣ୍ଟାଇନ୍ ଡେ'ରେ ଦେଖାହେବାର ସେ ଯେଉଁ ପ୍ରତିଜ୍ଞା ବୋଧେ ତମେ ଭୁଲିଯାଇଛ ! ହେଲେ ଦେଖ ମୁଁ ଆଦୌ ଭୁଲିନି, ସେଇଥିପାଇଁ ତ ଖାଲି ଭାଲେଣ୍ଟାଇନ୍ ଡେ'ରେ ନୁହେଁ ପ୍ରତ୍ୟେକ ଦିନ ଏଠାକୁ ଆସୁଛି ଆଉ କାଳେ କେବେ ତମ ସହ ଦେଖାହେଇଯିବ ସେହି ଆଶା ନେଇ ପାର୍କ ଖୋଲିବାଠାରୁ ବନ୍ଦ ହେବାଯାଏଁ ଏଠାରେ ବସୁଛି ।

Wednesday, 12 February 2020

ଦିଲ୍ଲୀରେ ମୋଦିଙ୍କ ବିଶାଳ ବିଜୟ

ସଂଗ୍ରାମ କେଶରୀ ସେନାପତି 1:30 am 1
ଦିଲ୍ଲୀରେ ମୋଦିଙ୍କ ବିଶାଳ ବିଜୟ

୨୦୨୦ ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ବିଶାଳ ବିଜୟ ପାଇଁ ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣମାନେ କହିବେ, ଶୀର୍ଷକରେ ମୋଦି ଜିତିଲେ ବୋଲି ମିଛ କଥାଗୁଡ଼ା ଲେଖିକି କ'ଣ ୟୁ-ଟ୍ୟୁବ୍ ଭିଡ଼ିଓ ଭଳିଆ ଆଉ କିଛି ଦେଖେଇଲୁଣି; ତେଣୁ ଅଧିକ ବକର ବକର ନ ହେଇକି ସିଧା ମୁଁ ମୋର ମନ୍ତବ୍ୟ ରଖୁଛି । ଅବଶ୍ୟ ୟୁ-ଟ୍ୟୁବ୍ କଥା ଉଠିଲାଣି ମାନେ ଆଗତୁରା ସୂଚେଇ ଦେବାକୁ ଚାହେଁ କି, ଏହା କେବେଳ ଏକ ବ୍ୟଙ୍ଗାତ୍ମକ ଢଙ୍ଗରେ ଲେଖୁଛି, ଆଦୌ ଦେହକୁ ନେବେନି । ଆମେ ଏବେଯାଏଁ ବି ଅଣରାଜନୈତିକ ହେଇକି ଅଛୁ । ଚାଲନ୍ତୁ ଏବେ ଆରମ୍ଭ କରିବା ।

୨୦୧୪ ସାଧାରଣ ନିର୍ବାଚନରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟ ବିଜୟୀ ହେବାପରେ ସେହି ବର୍ଷ ସ୍ୱାଧୀନତା ଦିବସ ଦିନ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିବା ଯୋଜନା ବିଷୟରେ ଜଣେଇଲେ ଏବଂ ପରେ ୨ ଅକ୍ଟୋବର ୨୦୧୪ରେ ହାତରେ "ଝାଡ଼ୁ" ଧରି ଏହାକୁ ବିଧିବଦ୍ଧ ଭାବରେ ଶୁଭାରମ୍ଭ କଲେ । ଗାନ୍ଧୀ ଜୟନ୍ତି ଅବସରରେ ଗାନ୍ଧୀଙ୍କର ସେ ରାମରାଜ୍ୟ ଗଠନ ଦିଗରେ ସେ ପାଦେ ଅଗ୍ରସର ହେଲେ ଆଉ ଅଳିଆ ପୂର୍ଣ୍ଣ ରାମରାଜ୍ୟ କରିବା ଆଗରୁ ସ୍ୱଚ୍ଛ ରାମରାଜ୍ୟ କରିବାକୁ ନିଷ୍ପତ୍ତି ନେଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଝାଡ଼ୁ ଧରି ଆଗେଇ ଆସିବାକୁ ଆହ୍ୱାନ ଦେଲେ ।

ତା'ପରେ ଅନେକ ଲୋକ ହାତରେ ଝାଡ଼ୁ ଧରି କେମିତି କ'ଣ ସବୁ କ'ଣ ଆଉ କେତେ ଅଳିଆ ସଫା କଲେ, ତାହା ତ ଆପଣମାନେ ଜାଣିଛନ୍ତି । ସେ ଯାହା ବି ହେଉ ଖବରରେ ରହିବାକୁ ହେଉ ବା ସୋସିଆଲ ମିଡିଆରେ ପ୍ରଶଂସା ସାଉଁଣ୍ଟିବାକୁ ହେଉ, ଲୋକେ ତ ଝାଡ଼ୁ ଧରିଲେ ହାତରେ । ଯଦି ଆମେ ମଦର ଟେରେସାଙ୍କ କଥାକୁ ମନେ ପକାଇବା, "ତମେ ନିଜେ ନିଜ ଘର ଆଗକୁ ପରିଷ୍କାର ରଖ, ଦେଖିବ ଦୁନିଆ ସଫା ହେଇଯିବ ।" ସେହି ଧାରାରେ ଲୋକମାନେ ବି ନିଜ ଅଞ୍ଚଳ ସଫା ରଖିବାର ଦାୟିତ୍ୱ ନିଜ ହାତକୁ ନେଇ ଝାଡ଼ୁ ଧରି ବାହାରି ପଡ଼ିଲେ, ଆଉ ସଭିଏଁ ସେ ଝାଡ଼ୁ ପ୍ରେମରେ ଉବୁଟୁବୁ ହେଲେ ।

କିନ୍ତୁ ସ୍ୱଚ୍ଛ ଭାରତ ଯୋଜନାରେ ଏ ଝାଡ଼ୁ ଧରି ଫଟୋ ଉଠାଇବାକୁ ଆହ୍ୱାନ ଦେବା ଆଗରୁ ବୋଧେ ମୋଦି ଆଜ୍ଞା ଗୋଟିଏ କଥାକୁ ବୋଧେ ଭୁଲିଯାଇଥିଲେ ଆଉ ତାହା ହେଉଛି ଝାଡ଼ୁ ଆଉ ସାଧାରଣ ଝାଡ଼ୁ ହୋଇନାହିଁ । ୨୦୧୨ ପରେ ସେ ଆମ୍ ଆଦ୍‌ମିର ଏକ ଦଳୀୟ ଚିହ୍ନ ହୋଇସାରିଛି । ଇଏ ହେଉଛି ସେହି ଦଳ ଯେଉଁ ଦଳ ଏଥର ନିର୍ବଚନରେ ଏତେ ସଂଖ୍ୟାରେ ବିଜୟୀ ହେଲା । ହୁଏତ ସାଧାରଣ ଜନମାନସ ଝାଡ଼ୁଧରି ବୁଲିଥିବା ଆମ୍ ଆଦ୍‌ମିର କର୍ମକର୍ତ୍ତା ତଥା କେଜରିୱାଲ ଆଜ୍ଞାଙ୍କର ଅନୁଗାମୀମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଚାର କରୁଥିବା କିମ୍ବା ସ୍ୱଚ୍ଛ ଭାରତ ଅଭିଯାନରେ ସ୍ୱଚ୍ଛତା ପାଇଁ କାମ କରୁଥିବା ମୋଦୀଙ୍କ ଅନୁଗାମୀ ଭାବି ଭୋଟ୍ ବାଡ଼େଇଦେଲେ ।

ଏହି ପରାଜୟ ପାଇଁ ମୋଦି ଆଜ୍ଞା ଦୁଃଖ ନ କରି ଖୁସି ହେବାକୁ ଅନୁରୋଧ । ସଭିଙ୍କ ହାତରେ ଝାଡ଼ୁ ଧରାଇ ଭାରତକୁ ସ୍ୱଚ୍ଛତା ଅଭିମୁଖେ ନେଇଯିବା ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଆଜି ଲୋକମାନେ ପୂରଣ କରିଛନ୍ତି । ଲୋକମାନେ ଫୁଲ ବଦଳରେ ଝାଡ଼ୁକୁ ଅଧିକ ପସନ୍ଦ କରିଛନ୍ତି । ରାଜନୀତିରେ ତେଣିକି ଯେତେ ଛକାପଞ୍ଜା ଥାଉ ନା କାହିଁକି, ଦେଶକୁ ସ୍ୱଚ୍ଛ କରିବା ପାଇଁ ମଧ୍ୟ ହାତରେ ଝାଡ଼ୁ ଉଠାନ୍ତୁ ଆଉ ଯଦି ବି ଝାଡ଼ୁ ଉଠାଇ ପାରୁନାହାନ୍ତି, ତେବେ ଅଳିଆ ଆବର୍ଜନ ସେହି ସ୍ଥାନରେ ପକାନ୍ତୁ, ଯେଉଁସ୍ଥାନରେ ଲୋକମାନେ ଝାଡ଼ୁ ଉଠାଉଛନ୍ତି ।

ଶେଷରେ ମୋଦି ଆଜ୍ଞାଙ୍କୁ ମଧ୍ୟ ଏହି ବିଜୟ ପାଇଁ ଶୁଭେଚ୍ଛା ଜଣାଇବି । ଦିଲ୍ଲୀରେ ସରକାର ଗଠନରେ ସଫଳ ହୋଇନପାରିଲେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନର ସ୍ୱପ୍ନ କିନ୍ତୁ ଫଳବତୀ ହେବାକୁ ଯାଉଛି ।

Saturday, 1 February 2020

ପୁଅମାନେ ରୋଷେଇ ଶିଖିବା କ'ଣ ସତରେ ଜରୁରୀ?

ସଂଗ୍ରାମ କେଶରୀ ସେନାପତି 12:33 am 0
ପୁଅମାନେ ରୋଷେଇ ଶିଖିବା କ'ଣ ସତରେ ଜରୁରୀ?

ମୁଁ ଷଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରଥମଥର ପାଇଁ ନିଜ ହାତରେ ନିଜ ପାଇଁ ରୋଷେଇ କରିଥିଲି । ପୂର୍ବରୁ ଯଦିଓ କେବେ ଗ୍ୟାସ୍ ବି ଲଗେଇନଥିଲି, ଦିନେ ଘରେ କେହି ନଥିବାବେଳେ ଭୋକର ଜ୍ୱାଳା ମେଣ୍ଟେଇବା ପାଇଁ ରୋଷେଇ କରିବା ନିହାତି ଜରୁରୀ ହୋଇ ପଡ଼ିଥିଲା । ଅବଶ୍ୟ ପ୍ରଥମ ରୋଷେଇ ସେତେ ଭଲ ହୋଇନଥିଲା, କିନ୍ତୁ ଖରାପ ବି ହୋଇନଥିଲି । ପରେ ଅନେକ ସମୟରେ ଘରେ କେହି ନଥିବାବେଳେ ମୁଁ ରୋଷେଇ କରିଛି, କିନ୍ତୁ ଇଂଜିନିୟରିଂର ପ୍ରଥମ ବର୍ଷରେ ରୋଷେଇ ନିଜେ କରିବା କେତେ ଜରୁରୀ ସେ ବିଷୟରେ ଅବଗତ ହିଁ ହେଲି । ଦିନେ ଜିଲ୍ଲା କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା, ତେଣୁ ସକାଳଠାରୁ ସନ୍ଧ୍ୟାଯାଏଁ ଭବାନୀପାଟଣା ସହରର ସମସ୍ତ ଦୋକାନ ବନ୍ଦ ଥାଏ, ଫଳରେ ଦିନସାରା ଉପାସ ରହିବାକୁ ପଡ଼ିଲା । ସନ୍ଧ୍ୟାରେ କିନ୍ତୁ ଗୋଟିଏ ସାଙ୍ଗ ଦେଖାହେଲା, ଯାହାର ରୁମ୍‌ରେ ସେମାନେ ନିଜେ ରୋଷେଇ କରୁଥିଲେ, ତେଣୁ ତାଙ୍କପାଇଁ ବନ୍ଦର କୌଣସି ପ୍ରଭାବ ପଡ଼ିଲାନାହିଁ । ଏହାପରଠାରୁ ଆମେ ବି ନିଜେ ନିଜ ରୁମ୍‌ରେ ରୋଷେଇ କଲୁ ଆଉ ଇଂଜିନିୟରିଂରେ ଆମେ ବୈଷୟିକ ବିଦ୍ୟା ଯାହା ଶିଖୁ କି ନଶିଖୁ ରୋଷେଇ ବିଦ୍ୟାଟା ଭଲରେ ଶିଖିଗଲୁ ।

ହେଲେ ଆଜି ୭ ବର୍ଷ ପରେ ପୁଣିଥରେ ସେ ବିଷୟରେ କାହିଁକି ଆଲୋଚନା କରୁଛି? ଏହାର କାରଣ ହେଲା, କିଛିଦିନ ତଳେ ଏକ କାର୍ଯ୍ୟକ୍ରମରେ ନାରୀ ସମ୍ମାନ ଉପରେ ଭାଷଣ ଦେଉଦେଉ ପୋଲିସ୍ କମିଶନର୍ ଡ. ସୁଧାଂଶୁ ଷଡ଼ଙ୍ଗୀ ପଦେ କହିଥିଲେ, "ଯେଉଁ ପୁଅମାନେ ରୋଷେଇ ଶିଖିନାହାନ୍ତି, ତାଙ୍କୁ ଝିଅମାନେ ବିବାହ କରିବା ଉଚିତ ନୁହେଁ ।" ଏହି କଥାର ସାରମର୍ମ କ'ଣ ଥିଲା? ଆଉ ସେ ଏହି କଥା କେତେବେଳେ କେଉଁ ସମୟରେ ଆଉ କେଉଁ ସ୍ଥାନରେ କହିଥିଲେ, ସେ ବିଷୟରେ ଅବଗତ ହେବା ପୂର୍ବରୁ ଅନେକ ନିଜେ ନିଜର ମତ ରଖିଦେଲେ । କିଏ ତାଙ୍କୁ ସିଧାସଳଖ ବିରୋଧ କଲା ତ ପୁଣି କିଏ କେତେ କଟାକ୍ଷ କଲା ।

ଏ ସ୍ୱାଧୀନ ଦେଶରେ ସ୍ୱ-ମତ ରଖିବାର ଅଧିକାର ସମସ୍ତଙ୍କର ଅଛି, ତେଣୁ ସେ ତାଙ୍କର ମତ ରଖିଲେ । ହେଲେ ତାଙ୍କୁ ବିରୋଧ କରୁଥିବା ଲୋକଙ୍କୁ ମୋର ପ୍ରଶ୍ନ, ଯଦି ଆପଣ ରୋଷେଇ କରିବା ଶିଖିବେ ତେବେ କ'ଣ ପାପ ଲାଗିବ ନା ମୃତ୍ୟୁପରେ ଆପଣ ନର୍କକୁ ଯିବେ ବୋଲି ଆପଣଙ୍କର ଜ୍ୟୋତିଷ ମହାଶୟ କହିଛନ୍ତି? ରୋଷେଇ ଶିଖିଥିଲେ ବେଳଅବେଳରେ ବି ସାହାଯ୍ୟ ତ ହୋଇପାରିବ । ଅବଶ୍ୟ କେତେଜଣ ମତ ଦେଲେ କି ଆଜିର ସ୍ମାର୍ଟ ଫୋନ୍‌ର ସ୍ମାର୍ଟ ଯୁଗରେ ଯେତେବେଳେ ଅନ୍‌ଲାଇନ୍‌ରେ ଖାଇବା ଅର୍ଡ଼ର୍ କଲେ ୩୦ ମିନିଟ୍‌ରେ ପହଞ୍ଛୁଛି, ରୋଷେଇ ଶିଖିବା ଦରକାର କ'ଣ? ସେମାନଙ୍କ ପାଇଁ ଗୋଟିଏ ଉପଦେଶ, ଗତବର୍ଷ ଫନି ବାତ୍ୟାରେ ଭୁବନେଶ୍ୱରରେ ଥିବା ବନ୍ଧୁମାନଙ୍କୁ ଥରେ ପଚାରନ୍ତୁ କେମିତି ଥିଲେ ସେମାନେ ।

ନାରୀ ସଶକ୍ତିକରଣ ପାଇଁ ଖାଲି କଥାରେ କହିଲେ କି ଭାଷଣ ଦେଇଦେଲେ ହେବନି, ନାରୀକୁ ବୁଝିବା ଦରକାର, ପ୍ରତ୍ୟେକ ପାହାଚରେ ପାଦ ସହ ପାଦ ମିଶେଇ ଚାଲିବା ଆବଶ୍ୟକ । ଏ ଦେଶର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ନାରୀକୁ କେତେ ସମ୍ମାନ କରୁଥିଲା, ତାହା ପୋଥିପୁରାଣରେ ହଜିଯିବା ପୂର୍ବରୁ ନାରୀଶକ୍ତିର ମହତ୍ୱ ବୁଝିବା ଦରକାର । "ଝିଅ ଜନମ ଚୂଲି ମୁଣ୍ଡକୁ" ପଦକୁ ଯଦି ଆପଣେଇ ବସିବେ, ତେବେ ଆପଣ ବି ସେହି ସମୟକୁ ଫେରିଯିବେ, ଯେଉଁ ସମୟରେ ଏହି ପଦଟି ରଚନା କରାଯାଇଥିଲା ।

ସଂଗ୍ରାମ କେଶରୀ ସେନାପତି
ସମ୍ପାଦକ, ଶୁଭପଲ୍ଲବ
ମୋ- 7008899643

ବି.ଦ୍ର.: ଏହି ଲେଖାଟି ୨୦୨୦ ମସିହାର ଜାନୁଆରୀ ମାସ ୨୨ ତାରିଖରେ ଓଡ଼ିଆ ରିପୋର୍ଟର ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହି ଲିଙ୍କ୍ https://epaper.odishareporter.in/c/48204149 ଜରିଆରେ ଏହାକୁ ମଧ୍ୟ ପଢ଼ିପାରିବେ ।

Thursday, 23 January 2020

ବଡ଼ ଲୋକଙ୍କ ଜୀବନି: ବୀର ସୁରେନ୍ଦ୍ର ସାଏ

ସଂଗ୍ରାମ କେଶରୀ ସେନାପତି 12:55 pm 0
ବଡ଼ ଲୋକଙ୍କ ଜୀବନି: ବୀର ସୁରେନ୍ଦ୍ର ସାଏ

ଯଦିଓ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ପଲାସୀ ଯୁଦ୍ଧପରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଗଣନା କରାଯାଏ, କିନ୍ତୁ ଏହାର ୩୦ ପୂର୍ବରୁ ଜଣେ ଅଗ୍ରଣୀ ନେତା ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହି ବୀର ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ଆଜିର ଦିନରେ ଅର୍ଥାତ ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିବା ସୁରେନ୍ଦ୍ର ସାଏ ୧୮୨୭ ମସିହାରେ ସମ୍ବଲପୁରର ଉତ୍ତରାଧିକାରୀ ପଦକୁ ନେଇ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ସୁରେନ୍ଦ୍ର ସାଏଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧରେ ଇଂରେଜମାନଙ୍କୁ ଅସ୍ତବ୍ୟସ୍ତ କରାପାଇଥିଲେ । ଏହି ଆନ୍ଦୋଳନ ୧୩ ବର୍ଷ ଯାଏଁ ଚାଲିଥିଲା । ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ହାତରେ ବନ୍ଦୀହେବାରୁ ଏହି ଆନ୍ଦୋଳନର ଯବନିକା ପଡ଼ିଥିଲା ।

ସୁରେନ୍ଦ୍ର ସାଏଙ୍କୁ ମାତ୍ର ପାଞ୍ଚ ବର୍ଷର ଜେଲ୍ ଦଣ୍ଡ ଦିଆଯାଇଥିଲେ ମଧ୍ୟ ତାଙ୍କର ଦଣ୍ଡ ଅବଧି ଶେଷ ହେବାପରେ ବି ତାଙ୍କୁ ଇଂରେଜମାନେ ମୁକ୍ତ କରିନଥିଲେ, କିନ୍ତୁ ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ କିଛି ରାମଗଡ଼ର କିଛି ଜବାନମାନେ ଜେଲ୍ ଭାଙ୍ଗି ସାଏଙ୍କ ସମେତ ୩୨ ଜଣଙ୍କୁ ମୁକ୍ତ କରିଥିଲେ । ୧୭ ବର୍ଷ ପରେ ମୁକ୍ତ ହୋଇଥିବା ସାଏଙ୍କୁ ଧରାଇଦେବାପାଇଁ ଇଂରେଜ ସରକାର ସେ ସମୟରେ ୨୫୦ ଟଙ୍କାର ମୁଣ୍ଡ ଜାମିନ ମଧ୍ୟ ରଖିଥିଲେ ।

ମୁକ୍ତିପରେ ସୁରେନ୍ଦ୍ର ସାଏ ପୁଣିଥରେ ସମ୍ବଲପୁରବାସୀଙ୍କୁ ମେଳି କରି ପୁନର୍ବାର ପାହାଡ଼ ଉହାଡ଼ରେ ଲୁଚିରହି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଥିଲେ । ସେ ସମୟରେ ଇଂରେଜାମାନଙ୍କର ଆଧୁନିକ ଯନ୍ତ୍ରପାତି ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ । ପରବର୍ତ୍ତୀ ସମୟରେ ୧୯୬୨ ମସିହାରେ ଇଂରେଜ ମେଜର ଇମ୍ପେଙ୍କ ଶାନ୍ତିପୂର୍ଣ୍ଣ ଆହ୍ୱାନକ୍ରମେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରି ସ୍ୱଭାବିକ ଜୀବନ ବଞ୍ଚିବା ଆରମ୍ଭ କରିଥିଲେ । କିନ୍ତୁ ଇମ୍ପଙ୍କ ମୃତ୍ୟୁପରେ ୧୯୬୪ ମସିହାରେ ସୁରେନ୍ଦ୍ର ସାଏଙ୍କୁ ଶୋଇଥିବା ଅବସ୍ଥାରେ ଗିରିଫ କରାଯାଇଥିଲା ଏବଂ ତାଙ୍କୁ ଆଜୀବନ କାରବାସ ଦିଆଯାଇଥିଲା । ୧୮୮୪ ମସିହାର ଫେବୃଆରୀ ମାସ ୨୮ ତାରିଖରେ ସୁରେନ୍ଦ୍ର ସାଏ ଆଜୀବନ କାରାବାସ କାଟୁଥିବାବେଳେ ଅସୁରଗଡ଼ ଦୁର୍ଗରେ ମୃତ୍ୟୁବରଣ କରିଥିଲେ ।

Friday, 12 October 2018

ସତ ହେଇଥିବା ସ୍ୱପ୍ନ

ସଂଗ୍ରାମ କେଶରୀ ସେନାପତି 7:45 am 3
ସତ ହେଇଥିବା ସ୍ୱପ୍ନ

"ନଈକୂଳିଆ ଜନ, ଛାଡ଼ିଯିବାକୁ ବଳେନି ମନ ।" ନଈର ସେ ସୁନ୍ଦର ଦୃଶ୍ୟ ଦେଖିବାକୁ ମନ ସବୁବେଳେ ବ୍ୟାକୁଳ ଥାଏ । ପିଲାଠୁ ବୁଢ଼ା ସଭିଏଁ ସେ ଦୃଶ୍ୟକୁ ଉପଭୋଗ କରନ୍ତି । ନଈ ବା ସମୁଦ୍ରଠାରୁ କୋଶ କୋଶ ଦୂରରେ ଥିବା ଆମ ଭଳିଆ ଲୋକେ ଭାବନ୍ତି, ଆମ ଘର ସେଇ ପାଖରେ ହୋଇଥାନ୍ତା କି ! ସେଇଥିପାଇଁ ତ ନଈକୂଳରେ ଅଥବା ସମୁଦ୍ର କୂଳରେ ଘରଟିଏ କରିବାକୁ ଅଧିକାଂଶ ଲୋକ ଇଚ୍ଛା କରନ୍ତି । କିନ୍ତୁ ଶାନ୍ତ ଆଉ ନିର୍ମଳ ତ‌ଥା ମନଲୋଭା ସ୍ୱଭାବର ନଈ ବି କେବେ କେବେ ତାଣ୍ଡବ କରିବସେ ।

ସକାଳୁ ସକାଳୁ ଡାକବାଜି ଯନ୍ତ୍ର ସାହାଯ୍ୟରେ, ଦୂରଦର୍ଶନରେ, ଖବରକାଗଜରେ, ଏମିତିକି ସୋସିଆଲ ମିଡ଼ିଆରେ ସବୁଆଡ଼େ ପ୍ରଚାର ଚାଲିଥିଲା ସେ ଗୋଟିଏ କଥା, "ଭୟଙ୍କର ରୂପ ନେଉଛି ତିତ୍‌ଲି ।" ସବୁ ଲୋକମାନଙ୍କ ମନରେ ଛାନକା ପଶିଥିଲା, ମନେ ପଡ଼ିଯାଉଥିଲା ପୂର୍ବରୁ ଘଟିଥିବା ଦୃଶ୍ୟସବୁ । ସମୁଦ୍ରକୂଳିଆ ଲୋକମାନଙ୍କୁ ସିନା ସୁରକ୍ଷିତ ସ୍ଥାନ‌କୁ ସ୍ଥାନାନ୍ତର କରିନିଆଗଲା, ମାତ୍ର ଏ ନଈକୂଳିଆ ଲୋକଙ୍କୁ ପଚାରୁଛି କିଏ । 

ନଈକୂଳରେ ଇନ୍ଦିରାବାସ ଘରଟିଏ କରିଥିବା ସନାତନ ବାବୁ କିନ୍ତୁ ସେତେଟା ବ୍ୟସ୍ତ ବିବ୍ରତ ନ ଥାଆନ୍ତି । ପୂର୍ବ ବାତ୍ୟାରେ ସିନା ପକ୍କା ଘରଟିଏ ନଥିଲା, ତେଣୁ ଘର ଭାଙ୍ଗିଯିବାକୁ ବ‌ହୁତ ହଇରାଣ ହେଇଥିଲେ, ଏଥର କିନ୍ତୁ ନିଜର ପିଅନ ଚାକିରୀରୁ କିଛି ସଞ୍ଚିତ ଅର୍ଥ ଆଉ ସରକାରଙ୍କ ସହାୟତାରେ ଏହି ସୁନ୍ଦର ଘରଟି ତୋଳିଥିଲେ । ଦୁଇ ବଖରା ଘରଟିରେ ସେ ଆଉ ତାଙ୍କ ପୁଣି ନବ ବିବାହିତ ବ‌ଧୂ ସାଙ୍ଗରେ ତାଙ୍କ ପୁଅ । ଏହି ଚାରି ଜଣରେ ତାଙ୍କର ପରିବାର । ଖାଲି ଖାଇବା ଜିନିଷପତ୍ର ସବୁ ରଖିଦେଇ ସେ ଖୁସିରେ ଥାଆନ୍ତି କି ଏଥର ବନ୍ୟା କି ବାତ୍ୟାରେ ସେ ଆଉ ଉଚ୍ଚାସ୍ଥାନଟିଏ ଖୋଜିବେନି, ଯଦି ସେମିତି ଅଧିକ ହୁଏ, ନିଜ ଘର ଉପରେ ଏବେ ତ ଛାତଟିଏ ଅଛି, ତା' ଉପରକୁ ଯାଇପାରିବେ ।

ସନାତନ ବାବୁ ତ ପରିବାର ସ‌ହିତ ଘରେ ଶାନ୍ତିରେ ଶୋଇଥିଲେ । ସେ ସ୍ୱପ୍ନ ଦେଖିଲେ, ବାତ୍ୟା ସ୍ଥଳଭାଗ ଛୁଇଁସାରିଲାଣି ଆଉ ପବନ ମଧ୍ୟ ଭୟଙ୍କର ହେବାରେ ଲାଗିଛି । ବଡ଼ ବଡ଼ ଗଛସବୁ ଭାଙ୍ଗି ଭୂଇଁରେ ଲୋଟିପଡ଼ିଲାଣି । ତୁହାକୁ ତୁହା ବର୍ଷା ମଧ୍ୟ ହେବାରେ ଲାଗିଛି । ସନାତନ ବାବୁ ସ୍ୱପ୍ନରେ ମଧ୍ୟ ଜାଣିପାରୁଥିଲେ ଏହା ତାଙ୍କର ସ୍ୱପ୍ନ ବୋଲି । ତା'ପରେ ଦେଖିଲେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ଆଉ ଧୀରେ ଧୀରେ ନଈର ପାଣି ତାଙ୍କ ଘର ଭିତରକୁ ପଶିବାକୁ ଲାଗୁଛି । ମାତ୍ର ସନାତନ ବାବୁ ତ ଇନ୍ଦିରାବାସ ଘରେ ଅଛନ୍ତି, ପକ୍କା ଘରେ । ସ୍ୱପ୍ନ କ'ଣ ସତ ହୁଏ ଯେ, ତାଙ୍କ ଘରେ ସତରେ ପାଣି ପଶିଥିବ ।

ଏହି ସମୟରେ ତାଙ୍କୁ କେହି ଜଣେ ଉଠିବାକୁ ବାଧ୍ୟ କରୁଥିବା ଅନୁଭବ କଲେ ସିଏ । ହେଲେ ଇଏ କ'ଣ, ସେ ଯାହାସବୁ ଦେଖୁଥିଲେ ସେ ସବୁ ସ୍ୱପ୍ନ ଏବେ ବାସ୍ତବତାରେ ପରିଣତ ହୋଇଯାଇଛି । ତାଙ୍କ ଘର ଆଉ ସେ ସ୍ଥାନରେ ନାହିଁ, ଏବେ ସେମାନେ ନଦୀ ମଧ୍ୟରେ ଅଛନ୍ତି । ଭୟଙ୍କର ଗର୍ଜନ କରୁଥିବା ନଦୀଟି ଏବେ ସେମାନଙ୍କୁ ସେମାନଙ୍କର ଘରସହ ହିଁ ଗ୍ରାସ କରିଯାଇଛି । କିଛି କରିବାକୁ ଯୋଜନା କରିବା ଆଗରୁ ଏକ ବଡ଼ ଭଉଁରୀ ଆସି ତାଙ୍କୁ ଚିରନିଦ୍ରାରେ ଶୁଆଇଦେଲା, ପୁଣିଥରେ ସ୍ୱପ୍ନ ଦେଖିବାକୁ ସାରା ପରିବାରକୁ ସ୍ୱପ୍ନ ରାଇଜକୁ ପଠାଇଦେଲା ।