ସେ ଆଉ ତାଙ୍କ ଧୂଆଁ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Wednesday, 11 November 2020

ସେ ଆଉ ତାଙ୍କ ଧୂଆଁ

Se Au Tanka Duan - College Diary - ସେ ଆଉ ତାଙ୍କ ଧୁଆଁ

ଇଏ ମୋର ସେ କଲେଜ ବେଳର କଥା, ଯେତେବେଳକୁ ମୁଁ କଲେଜରେ ତିନିବର୍ଷ ପାଠ ପଢ଼ା ଶେଷ କରିବାକୁ ବସିଥିଲି । ଇଞ୍ଜିନିୟିରଂ କଲେଜରେ ଯୁଗ୍ମ ସେମିଷ୍ଟାରରେ ପାଠପଢ଼ା କମ୍ ଥାଏ ଆଉ ବାକି ସବୁ ଜିନିଷ ଅଧିକ ଥାଏ । ଯଦିଓ କଲେଜ କ୍ୟାମ୍ପସରେ ସବୁବେଳେ ବସନ୍ତ ଋତୁ ଚାଲିଥାଏ, କିନ୍ତୁ ଏହି ସମୟରେ ଦୁଇଟି ବସନ୍ତ ଦେଖିବାକୁ ମିଳେ । ଏମିତି ଏକ ଦ୍ୱେତ ବସନ୍ତର ସୁଲୁସୁଲିଆ ପବନ ଖାଇବାକୁ ମୁଁ ଏକ ଗଛ ମୂଳରେ ବସିଥାଏ । ହଠାତ୍ ଗୋଟିଏ ଝିଅ ଆସି ମୋତେ ଲାଇଟର୍ ମାଗିଲା ।

ଯଦିଓ ମୋ ପାଖରେ ଲାଇଟର୍ ନଥିଲା, ତଥାପି ମୁଁ ଖୋଜିବାର ମିଛ ଅଭିନୟ ଟିକିଏ କଲି । କରିନଥାନ୍ତି ବା କେମିତି, ସେ ପରା ସେହି ଝିଅ ଯାହାକୁ ଦେଖିଲେ ମୋର ହୃଦ୍‌ସ୍ପନ୍ଦନ ଆପେ ଆପେ ଟିକେ ବଢ଼ିଯାଏ, ଯାହାକୁ ଦେଖିବାକୁ ମୁଁ ଅନେକ ସମୟରେ କଲେଜ ଯାଇବି କି ଅନୁପସ୍ଥିତ ରୁହେ, ଯାହା ସହ କଥା ହେବା ପାଇଁ ଚେଷ୍ଟା କରି ମଧ୍ୟ କେବେ କଥା ହେବାର ସାହାସ ଜୁଟାଇ ପାରିନାହିଁ । ଆଉ ସେ ଆଜି ପୁଣି ମୋ ସହ ତା' ଆଡ଼ୁ ଆଗ କଥା ହେଇଛି, ତା' ସାଙ୍ଗରେ ପୁଣି କିଛି ଗୋଟିଏ ଜିନିଷ ମାଗୁଛି; ସତେ ଯେମିତି ସେ ଲାଇଟର୍ ନୁହେଁ ମୋର ସେ ତୀବ୍ର ଗତିରେ ଚାଲୁଥିବା ହୃଦୟଟା ମାଗୁଛି ।

ମୋତେ ତ ଜଣାଥିଲା କି ମୋ ପାଖରେ ଲାଇଟ୍‌ର୍ ନାହିଁ, ତଥାପି ତା' ସାଙ୍ଗରେ କଥା ହେବା ବାହାନାରେ ମନା କରିବା ପୂର୍ବରୁ ପଚାରିଦେଲି,

- ଲାଇଟ‌ର୍ କ'ଣ ଦରକାର ଥିଲା କି?
- ସିଗାରେଟ୍ ଜଲାଇବାକୁ ।
- ସିଗାରେଟ୍???
- ହଁ, କ'ଣ ଅସୁବିଧା ଅଛି କି?
- ମୁଁ କ'ଣ କହୁଥିଲି କି...
- ଥାଉ କିଛି କହିବା ଦରକାର ନାହିଁ, ଝିଅ ହେଲି ବୋଲି କ'ଣ ସିଗାରେଟ୍ ଟାଣି ପାରିବିନି କି?
- ନାହିଁ ସେ କଥା ମୁଁ କହୁନି, କିନ୍ତୁ କଲେଜରେ?
- ହଁ କଲେଜ ହେଲା ତ କ'ଣ ହେଇଗଲା?

ଏତିକିବେଳକୁ ମୁଁ ମୋର ବ୍ୟାଗ୍ ଆଉ ପକେଟ୍ ସବୁଠି ଖୋଜିବାର ଅଭିନୟ କରିସାରିଥାଏ, ଅଧିକ ସମୟ ନେଇ ଶେଷରେ ମନା କଲେ, ହୁଏତ ସେ ଆହୁରି ରାଗିଯିବ, ତେଣୁ ବାଧ୍ୟ ହୋଇ ଏହି କଥୋପକଥନକୁ ପୂର୍ଣ୍ଣଛେଦ ପକାଇବାକୁ ଯାଇ କହିଲି, "ନାହିଁ, ମୋ ପାଖେ କାଇଁ ନାହିଁ, ବୋଧେ ରୁମ୍‌ରେ ରହିଯାଇଥିବ ।"

ଏତିକି ଶୁଣିସାରି ମୁହଁକୁ ଛିଞ୍ଚାଡ଼ି ସେ ଯିବାକୁ ଉଦ୍ୟତ ଧୀରେ ଧୀରେ ବୋଧେ ମୋତେ କିଛି ଗାଳି କରି ଯିବାକୁ ଉଦ୍ୟତ ହେଲା । ଆଉ ସେ ବୁଲିପଡ଼ିକି ଯିବାବେଳକୁ ମୁଁ ଅତି ନମ୍ର ସ୍ୱରରେ କହଲି, "ସରି ।"

ମୋତେ ଲାଗିଥିଲା, ମୋର ସେ ସରି କହିବାରେ ହୁଏତ ଏହି କଥୋପକଥନ ସରିଗଲା, କିନ୍ତୁ ସେ ସରି ଶୁଣିବାପରେ ଟିକିଏ ରହିଗଲା ଆଉ ପୁଣିଥରେ ମୋ ପାଖକୁ ଫେରିକି ଆସିଲା ଆଉ ମୁଁ ବସିଥିବା ସେ ଛୋଟ ସିମେଣ୍ଟ ବେଞ୍ଚଟି ଉପରେ ବସିଲା ।

ଯାହା ସହ କଥା ହେବାକୁ ଏତେ ଦିନ ଧରି ଚେଷ୍ଟା କରି ଆସୁଥିଲି, ଆଉ ସେ ପୁଣି ମୋ ପାଖରେ ବସିଛି, ହେଲେ କଥୋପକଥନ ଆରମ୍ଭ କରିବାକୁ ମୁଁ ଶବ୍ଦ କିଛି ପାଉନଥିଲି । ପ୍ରତ୍ୟେକ ଦିନ ରାତିରେ ଡାଏରୀରେ ତା' ବିଷୟରେ ଲେଖିଲାବେଳେ ଦୂରରୁ ତା'ର ପ୍ରତ୍ୟେକ ନିଶ୍ୱାସକୁ ବର୍ଣ୍ଣନା କରିପାରୁଥିଲି, କିନ୍ତୁ ଏବେ ଅତି ନିକଟରୁ ସେ ନିଶ୍ୱାସକୁ କାହିଁକି ସେମିତି ଅନୁଭବ କରିପାରୁନାହିଁ? ଅବଶ୍ୟ ଅନୁଭବ କରିନପାରିବାର କାରଣ ଥିଲା, ସେ ନିଶ୍ୱାସରେ ଭାସି ଆସୁଥିବା ସେ ସିଗାରେଟ୍‌ର ଧୂଆଁ । ପୂର୍ବରୁ ଦୂରରୁ ମୁଁ ଯେଉଁ ପ୍ରେମର ଧୂଆଁକୁ ଅନୁଭବ କରୁଥିଲି, ଆଜି ତାହା ସତେ ଯେମିତି ସେ ସିଗାରେଟ୍‌ର ଧୂଆଁରେ ଜଳି ଯାଇଥିଲା । ଏମିତି ଲାଗୁଥିଲା କି ପୂର୍ବରୁ ସେ ୨/୩ଟି ଏକାସାଙ୍ଗରେ ଜଳାଇଥିଲା ।

ଏଥର ସେ ତା'ଆଡ଼ୁ ନୀରବତାକୁ ଭଙ୍ଗ କରି ମୋତେ ପଚାରିଲା,

- ତୁ କାହାକୁ କେବେ ପ୍ରେମ କରିଛୁ?
- ହଁ, କିନ୍ତୁ କାହିଁକି?
- କେବେ ପ୍ରେମରେ ଆଘାତ ପାଇଛୁ?
- ନାହିଁ ଏବେଯାଏଁ ତ ପାଇନାହିଁ ।
- ତା'ହେଲେ ତୁ କି ପ୍ରେମ କରୁଛୁ?
- ମୋର ପରା ଏକତରଫା ପ୍ରେମ, ଯେଉଁଠି ପାଇବାର ଆଶା ନାହିଁ, ଖାଲି ପ୍ରେମ କରିବାର ଆଶା ଅଛି ।
- ବଡ଼ ଭାଗ୍ୟବାନ ତା'ହେଲେ ।
- ହଁ ସେବେଯାଏଁ, ଯେବେଯାଏଁ ଏହି ଏକତରଫା ପ୍ରେମଟା ଦୁଇଆଡ଼ୁ ହେବାର ଦେଖାଯାଉଥିବ ।
- କେବେ ଆଘାତ ପାଇଲେ ଜାଣିବୁ ତା'ହେଲେ ।
- ଆପଣ କାହାକୁ ପ୍ରେମ କରୁଛନ୍ତି କି?
- ହଁ.... କରୁଥିଲି ।

ଏ କରୁଥିଲି ପଦକ ଶୁଣିକି ସତେ ଯେମିତି ମୋର ଏ ରକ୍ତମାଂସ ଶରୀରଟା ଏକ ଫୁଲ ଭରା ସବୁଜ ଉଦ୍ୟାନ ପାଲଟିଯାଇଥିଲା ଆଉ ମୋର ଆତ୍ମା ଗୋଟିଏ ପ୍ରଜାପତି ହୋଇ ତା' ଭିତରେ ମନଖୋଲା ଉଡ଼ିବୁଲୁଥିଲା ।

- କରୁଥିଲି ମାନେ?
- ଏବେ ସେ ଆଉ କାହା ସାଥୀରେ ।
- ଆଉ ଏ ସିଗାରେଟ୍?
- ତା'ର ସିଗାରେଟ୍ ଭାରି ପସନ୍ଦ ଥିଲା, ମୁଁ ତାକୁ ସବୁବେଳେ କିନ୍ତୁ ସିଗାରେଟ୍ ଟାଣିବାକୁ ବାରଣ କରୁଥିଲି । ବୋଧେ ସେଇଥିପାଇଁ ସେ ମୋ ଠାରୁ ଦୂରେଇଗଲା ।
- ଆଉ ସେ ଗଲା ପରେ ଆପଣ ନିଜେ ଆରମ୍ଭ କରିଦେଲେ ।
- ହଁ ।
- କିନ୍ତୁ କାହିଁକି?
- ମୁଁ ତାକୁ ଭୁଲିବାକୁ ଚାହିଁଲେ ବି ପାରୁନାହିଁ, ସେଇଥିପାଇଁ ଏହି ସିଗାରେଟ୍ ଟାଣୁଛି, ହୁଏତ ଏହାର ଧୂଆଁରେ ତା'ର ପ୍ରେମର ଧୂଆଁ ମିଳେଇଯିବ ।
- କିନ୍ତୁ, ଏ ଧୂଆଁ କ'ଣ ତାଙ୍କ କଥା ଭୁଲିବାକୁ ଦେଉଛି?
- ନାହିଁ, ହେଲେ ଏବେ ବି ମୁଁ ଚେଷ୍ଟା ଜାରି ରଖିଛି ।
- ଗୋଟିଏ କଥା କହିବି?
- ହଁ କହ, ଶୁଣିବାକୁ ତ ବସିଛି ।
- ଆପଣ ତାକୁ ଭୁଲିବାକୁ ଏ ସିଗାରେଟର ଧୂଆଁକୁ ଅନୁଭବ କରୁଛନ୍ତି, କିନ୍ତୁ କେବେ ଭାବିଛନ୍ତି ସେ ଧୂଆଁରେ ପୁଣି ଆପଣ କାହାକୁ ଅନୁଭବ କରୁଛନ୍ତି?
- ତାକୁ?
- ହଁ, ଧୂଆଁର ପ୍ରତ୍ୟେକ କଣିକାରେ ତାଙ୍କର ସେ ପ୍ରେମକୁ ଆପଣ ଖୋଜୁଛନ୍ତି, ସେଇଥିପାଇଁ ତାଙ୍କୁ କେବେ ଭୁଲିପାରୁନାହାନ୍ତି ।
- ଯେଉଁ ଧୂଆଁର ଗନ୍ଧକୁ ମୁଁ ଏତେ ଘୃଣା କରୁଥିଲି, ସେ ଧୂଆଁରେ କେମିତି ମୁଁ ତାକୁ ଖୋଜିବି?
- ଏ ପ୍ରେମ ପରା ଏମିତି ଏକ ଅନୁଭବ, ଯିଏକୁ ଶତ୍ରୁକୁ ବି ନିଜର କରେଇଦେବେ ଆଉ ଏ ତ ସାମାନ୍ୟ ଧୂଆଁଟିକକ ।

ଏହା ପରେ ସେ କିଛି ନକହି ସିଧା ଉଠିପଡ଼ି ଚାଲଗିଲା ଆଉ ଗଲାବେଳେ ହାତରେ ଧରିଥିବା ସେ ସିଗାରେଟ ଖଣ୍ଡଟିକୁ ସେ ବେଞ୍ଚ ଉପରେ ଛାଡ଼ିଦେଇଗଲା । ହୁଏତ ଏବେ ମୋତେ ତା'ର ସେ ସ୍ୱାଦ ଚଖେଇବାକୁ ଚାହୁଁଥିଲା ।

No comments:

Post a Comment