କରୋନା କାହାଣୀ: ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ଛୁଇଁଲାଣି - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Wednesday, 18 March 2020

କରୋନା କାହାଣୀ: ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ଛୁଇଁଲାଣି


ଧୀରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଜି ସୁଦ୍ଧା ସାରା ବିଶ୍ୱରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଛୁଇଁଲାଣି ଆଉ ଭାରତରେ ଆଜି ଆଉ ଜଣଙ୍କର ମୃତ୍ୟୁ ହେବା ସହ ଆକ୍ରାନ୍ତ ସଂଖ୍ୟା ୧୪୭ ହେଲାଣି । ଦୁବାଇରୁ ଫେରିଥିବା ଜଣେ ୬୪ ବର୍ଷୀୟ ମହିଳା ଆଜି ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ମୃତ୍ୟୁବରଣ କରିଛନ୍ତି । ତେଣୁ କାଲି ଆଲମ୍ପିକ୍ସ ନ ଘୁଞ୍ଜାଇବାକୁ ଦୃଢ଼ୋକ୍ତି ଦେଉଥିବା ଅଲମ୍ପିକ୍ସ ଆସୋସିଏସନ୍‌ର ସମିତି ଉପମୁଖ୍ୟ କରୋନାରେ ଆକ୍ରାନ୍ତ ହେଇଛନ୍ତି ।

ଆଜି ମୋର ମୁଣ୍ଡ ବିନ୍ଧା ନ କମିବାରୁ ମୁଁ ରକ୍ତ ପରୀକ୍ଷା ପାଇଁ ଯାଇଥିଲି, ଆଉ ଯାହା ବାହାରିଲା ତାହା ମୋତେ ମଧ୍ୟ ପ୍ରଥମେ ବିଶ୍ୱାସ ହେଲାନାହିଁ । ଥଣ୍ଡାଯୋଗୁଁ ଇସନଫିଲିଆ ବଢ଼ିଯାଇଥିବାବେଳେ ଜ୍ୱର ନଥାଇ ମଧ୍ୟ ଟାଇଫଏଡ୍ ବହୁତ ବଢ଼ିଯାଇଛି । ଏବେ ପୂର୍ବରୁ ଖାଉଥିବା ଔଷଧ ସହିତ ଏବେ ନୂଆ କିଛି ଯୋଡ଼ିବାକୁ ପଡ଼ିଲା । ପାଥୋଲୋଜିରେ ମଧ୍ୟ ରକ୍ତ ପରୀକ୍ଷା କରିବା ଆଗରୁ ପଚାରୁଛନ୍ତି, କରୋନାର ଭୟାବହତା ଉଣାଅଧିକେ ସଭିଙ୍କ ପାଖରେ ପହଞ୍ଛୁଛି । 

ତେଣେ ଭାରତରେ କରୋନା ପାଇଁ ପରୀକ୍ଷା କରିବାକୁ ଥିବା କିଟ୍‌ର ଅଭାବ ଦେଖାଯାଇଛି । ତେଣୁ ଭାରତ ସମୟ ବାହାର ଦେଶରୁ କିଛି ଆମଦାନୀ ପାଇଁ ଲାଗିପଡ଼ିଛନ୍ତି । ଦେଶର ବିଭନ୍ନ ସ୍ଥାନରେ ଏବେକାର ସ୍ଥିତିକୁ ଆଖି ଆଗରେ ରଖି ସବୁକିଛି ବନ୍ଦ କରାଯାଉଛି । ଭାରତ ନେଇଥିବା ପଦକ୍ଷେପ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିଛି; କିନ୍ତୁ ଲୋକେ କେତେ ସଚେତନ ତାହା ଅନୁମାନ ହିଁ କରିହେଉନି । ମୋ ଭିତରେ ଯେମିତି ଭୟ ବଢ଼ିଚାଲଛି, ହୁଏତ ଲୋକାମାନଙ୍କ ମଧ୍ୟରେ ସେମିତି ଭୟ ଥାଇପାରେ, କିନ୍ତୁ ଅନ୍ୟ ଆଗରେ କେହି ପ୍ରକାଶ କରିପାରୁନାହାନ୍ତି । 

ଏହି ଭୂତାଣୁର ଭୟାବହତା ପାଇଁ ଦିନକୁ ୧୨ କୋଟିର ଡିଜେଲ ବିକ୍ରି କମିଥିବା ସୂଚନା ମିଳିଛି । ମାନ୍ଦାବସ୍ଥାକୁ ଦେଶ ଗତି କରୁଥିବା ଦର୍ଶେଇ ଅନେକ ଏବେବି ଅଫିସ୍ ଯିବାରେ ଲାଗିଛନ୍ତି । ପରୀକ୍ଷାର ଶେଷ ୫ ମିନିଟ୍‌ରେ କଲମର ବେଗ ବଢ଼ିଲା ଭଳିଆ ଏମାନେ ମଧ୍ୟ ସେମିତି କିଛି କରୁଛନ୍ତି । ଅନେକ ଶିକ୍ଷିତ ଲୋକମାନେ ମଧ୍ୟ ଏ ବିଷୟରେ ସମ୍ପୂର୍ଣ୍ଣ ସଚେତନ ହେବାକୁ ଚାହୁଁନାହାନ୍ତି ବୋଧେ ।

ସବୁ ପରେ ବି ବ୍ୟାଙ୍କ୍ ଆଉ ଏଟିଏମ୍‌ରେ ଟଙ୍କା ଦେଣ-ନେଣ ବନ୍ଦ କରିହେବନାହିଁ, ତେଣୁ ସେସବୁ ସ୍ଥାନରେ ସାନିଟାଇଜର୍, ସାବୁନ ଇତ୍ୟାଦି ରଖାଯିବା ସହ କରୋନା ସଚେତନତା ଉପରେ ପୋଷ୍ଟର୍‌ ଲଗାଯାଉଛି । ଏ ସବୁ ପରେ ବି ଏଯାଏଁ ମଦ ଦୋକାନ ଏବଂ ବାର୍ ସେମିତି ଖୋଲା ରହୁଛି; ଅବଶ୍ୟ ରାଜଧାନୀରେ ବାର୍‌ରେ ଏବେ ନୃତ୍ୟ କରିବା ବନ୍ଦ କରିଦିଆଯାଇଛି ।

ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଆଗମନ କମିଛି, ସନ୍ଧାରେ ପହଡ଼ ପଡ଼ିଯାଉଛି ଆଉ ଅବଢ଼ାର ବିକ୍ରି ମଧ୍ୟ କମିଛି । ତଥାପି ଅଧିକ ସଚେତନତା ଆବଶ୍ୟକ ପଡ଼ୁଛି । ଏହି ସମୟରେ ବାରୁଣୀ ସ୍ନାନ ବନ୍ଦ କରିବା ଭଳି ମନ୍ଦିରରେ ମଧ୍ୟ ଦର୍ଶନ ବନ୍ଦ କରିଦେଲେ ହୁଅନ୍ତା । କିନ୍ତୁ ଏ ସବୁ ପରେ ବି ଏକ ଦୁଃଖଦ ବିଷୟ ହେଉଛି କି ମାଲେସିଆର ଏକ ଧାର୍ମିକ ସ୍ଥଳରେ ରୁଣ୍ଡ ହେଇଥିବା ଶ୍ରଦ୍ଧାଳୁମାନଙ୍କଠାରେ ଅଧିକମାତ୍ରାରେ କରୋନା ଭୂତାଣୁ ସଂକ୍ରମଣ ହୋଇଛି ।

ବିଦେଶରୁ ଫେରିଥିବା ଇଞ୍ଜିନିୟର୍‌ମାନଙ୍କୁ କମ୍ପାନୀ ନ ଯାଇ ଘରୁ ଥାଇ କାମ କରିବାକୁ କୁହାଯାଇଛି । ଏବେ ବି ସନ୍ଦିଗ୍ଧ ହସ୍ପାତାଳରୁ ଲୁଚି ପଳାଇବାରେ ଲାଗିଛନ୍ତି । ସେମିତି ଜଣେ ଯୁବକ ଲୁଚି ପଳାଇଥିଲେ, ଯାହାଙ୍କୁ ତାଙ୍କ ଶଶୁରଘରୁ ଉଦ୍ଧାର କରଯାଇଥିଲା । ଭାଗ୍ୟ ଭଲ କି ସେ ପିଲା ଆକ୍ରାନ୍ତ ହୋଇନାହିଁ ।

ସରକାରୀ ସ୍ତରରେ ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି; ବାହାରେ ଛେପ ପକାଇବାକୁ ବାରମ୍ବାର ମନା କରିବା ସତ୍ତ୍ୱେ ଅନେକ ଲୋକ ଏବେ ବି ବାହାରେ ପାନ ଛେପ ପକାଉଛନ୍ତି । ରାସ୍ତାଘାଟରେ ଏବେ ବି ସେମିତି ଦୃଶ୍ୟ ଦେଖିବାକୁ ମିଳୁଛି । କରୋନା ଭୟରେ ଏବେ ଗାଡ଼ି ଚାଳନମାନେ ମଦ ପିଇଛନ୍ତି କି ନାହିଁ ପରୀକ୍ଷା ମଧ କରାଯାଉନାହିଁ । ଅନେକ ଲୋକ ସତର୍କ ଥିବା କଥା ଦେଖିବାକୁ ମଧ୍ୟ ମିଳୁଛି, ଫଳ ସ୍ୱରୂପ ୬ ଦିନରେ ୧ଲକ୍ଷରୁ ଅଧିକ ଲୋକ ଟିକେଟ୍ କ୍ୟାନ୍‌ସେଲ୍ କରିଲେଣି । ରେଳ ବିଭାଗର କିଛି ଟ୍ରେନ୍ ମଧ୍ୟ ବାତିଲ୍ ହେବାରେ ଲାଗିଛି । ଲୋକେ ନିଜ ନିଜର ଘରେ ସୁରକ୍ଷିତ ରହୁଛନ୍ତି ।

ଏ ସମୟରେ କିଛି ଦୁଃଖଦ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ମୃତ୍ୟୁର ଅନ୍ୟନାମ ଏବେ କରୋନା ସାଜିଥିବାବେଳେ ମୃତ୍ୟପରେ ବାପାର ଅନ୍ତିମ ଦର୍ଶନ କରି ମୁଖାଗ୍ନି ଦେବାକୁ ପୁଅ ମଧ୍ୟ ପହଞ୍ଚିପାରୁନାହିଁ । ବିଦେଶରୁ ଆସୁଥିବା ସମସ୍ତ ବିମାନସେବା ବନ୍ଦ ପରେ ବାପାଙ୍କର ଶେଷ ଦର୍ଶନ କରିପାରିଲାନି ପୁଅଟିଏ ।

ଏହିଭଳି ସ୍ଥିତିରେ ଓଡ଼ିଆ ମନୋରଞ୍ଜନ ଦୁନିଆରେ ପୁଣିଥରେ କିଛି ବିବାଦ ଦେଖାଦେଇଛି । କିଛି ବର୍ଷ ତଳେ ଏଞ୍ଜେଲ ପ୍ରିୟା ନାଁ'ରେ ଫେସ୍‌ବୁକ୍‌ର ଫେକ୍ ଆଇଡି ଚଲାଉଥିବା ଝିଅକୁ ସୁକୁଟି ସାହୁ ବୋଲି  କହ ଚର୍ଚ୍ଚାରେ ଥିବା ଓଡ଼ିଆ କଣ୍ଠଶିଳ୍ପୀ କିନ୍ତୁ ଏଥର ଝିଅକୁ କରୋନା ଭାଇରସ୍ ସହ ତୁଳନା କରିଛନ୍ତି । ଏବେ କିନ୍ତୁ ତାଙ୍କୁ ଅନେକ ସ୍ଥାନରେ ବିରୋଧ କରିଯାଇଛି ଆଉ କେତେକ ତାଙ୍କର ନାରୀଜାତି ପ୍ରତି ଏହି ଅପାମାନକୁ ନେଇ ଥାନାରେ ଏତଲା ଦେଇଛନ୍ତି । ଏହି ଭଳି ସମ୍ବେଦନପୂର୍ଣ୍ଣ ସମୟରେ ଏମିତି ଜିନିଷକୁ ନେଇ ବ୍ୟବସାୟ କରିବା ଆଦୌ ଗ୍ରହଣୀୟ ନୁହେଁ । ଏ ସବୁ ଭିତରେ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକର ସମସ୍ତ ସୁଟିଂ ବନ୍ଦ କରିଦିଆଯାଇଛି ।

କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ନେଇ ଚାରିଆଡ଼େ ଆତଙ୍କ ଖେଳିଚାଲିଛି, ତେଣୁ ଆଜିଠୁ କୋର୍ଟରେ କିଛି କାମ ନଥିଲେ ମଧ୍ୟ ଖାଲିରେ ଯାଇ ବସୁଥିବା ଓକିଲମାନେ ଏବେ ଆଉ କୋର୍ଟକୁ ନ ଯିବାକୁ ନିଷ୍ପତ୍ତ ନେଇଛନ୍ତି; କେବଳ କାମ ଥିବା ଓକିଲମାନେ ହିଁ ଯିବେ ଏବଂ ବାକିମାନେ ଘରେ ଥାଇ କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ବିଦେଶରୁ ଫେରିବାପରେ ସ୍ବଇଚ୍ଛାରେ ୧୪ ଦିନିଆ ଆଇସୋଲେସନରେ ରହିଛନ୍ତି ଭାରତୀୟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ । ଏମିତି ସଭିଏଁ କଲେ ଏହି ରୋଗ ବ୍ୟାପିବାରେ କିଛିଟା କମ୍ ହେଇପାରେ ବୋଲି ଆଶା କରାଯାଇଛି ।

ଏବେ ରାଜ୍ୟରେ ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର କପଡ଼ାର ମାସ୍କ ମିଳୁଛି, ଯାହାକୁ ବ୍ୟବହାର କରିବା ଉଚିତ କି ନାହିଁ ଆମେ ଆଗରୁ ଲେଖି ବି ସାରିଛୁ । ଏବେ ମାସ୍କ ଆଉ ସାନିଟାଇଜର୍‌ର ଜରୁରୀ ଅଧିକ ପଡ଼ିବା ଫଳରେ ଦରକାର ଥିବା ଲୋକମାନଙ୍କୁ ମିଳୁନାହିଁ । ତେଣୁ ଜରୁରୀ ନ ଥିଲେ ମାସ୍କ ନ ପିନ୍ଧିବାକୁ ସୁବ୍ରତ ବାଗ୍‌ଚୀ ଅନୁରୋଧ କରିଛନ୍ତି । ତେଣୁ ଓଡ଼ିଶାରେ ନବୀନ ପଟ୍ଟନାୟକ ନେଉଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି ।

୧୯୯୯ ମହାବାତ୍ୟା ସମୟରେ ଓଡ଼ିଶାର ସେ ଦୃଶ୍ୟକୁ ଅନୁଭବ କରିବାପରେ ଏହି ରାଜ୍ୟକୁ ଗଢ଼ିଚାଲିଥିବା ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫାଇଲିନ୍, ଫନି ଭଳି ବଡ଼ ବଡ଼ ବାତ୍ୟାକୁ ଦୃଢ଼ତାର ସହ ସାମ୍ନା କରିଥିଲେ । କିନ୍ତୁ ସେ ଏହି ରୋଗର ଭୟାବହତା ପାଇଁ ଏହାକୁ ଏହି ଶତାବ୍ଦୀର ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି । ଆଜିଠାରୁ ସିବିଏସ୍‌ଇ ପରୀକ୍ଷା ମଧ୍ୟ ମାର୍ଚ୍ଚ ୩୧ ଯାଏଁ ସ୍ଥଗିତ କରିଦିଆଯାଇଛି । କିନ୍ତୁ ଆଜି ଓଡ଼ିଶା ବୋର୍ଡ଼ର ମେଟ୍ରିକ୍ ଖାତାଦେଖା କାର୍ଯ୍ୟ ଆରମ୍ଭ ହୋଇଛି ।

ଏହି ଭିତରେ ଚୀନର ଅନେକ ଆକ୍ରାନ୍ତ ସୁସ୍ଥ ହେଉଥିବାବେଳେ ଇଟାଲୀରେ ସ୍ଥିତି ଖରାପ ହେବାପରେ ଲାଗିଛି । ତେଣେ ବ୍ଲଡ୍‌ଗ୍ରୁପ୍‌କୁ ନେଇ ମଧ୍ୟ କରୋନା ସଂକ୍ରମଣ ଉପରେ ଚର୍ଚ୍ଚା ଜୋର୍ ଧରିଛି । ହୁଏତ ଏହି ଚର୍ଚ୍ଚା କିଛି ଲୋକଙ୍କ ମନରେ ଅଧିକ ଭୟ ସୃଷ୍ଟି କରିପାରେ । ଅବଶ୍ୟ ମୋ ଭିତରର ଭୟ କିଛିଟା କମୁଥିବା ବେଳେ ତଥାପି ଆଉ କିଛି ଖବର ଏହାକୁ ବଢ଼ାଇବାରେ ଲାଗିଛି ।

No comments:

Post a Comment