କରୋନା କାହାଣୀ: କ୍ୱାରେଣ୍ଟାଇନ୍‌ରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Tuesday, 17 March 2020

କରୋନା କାହାଣୀ: କ୍ୱାରେଣ୍ଟାଇନ୍‌ରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ


କ୍ୱାରେଣ୍ଟାଇନ୍‌ରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପରିବାର; covid19.odisha.gov.in ପୋର୍ଟାଲ୍‌ରେ ରେଜିଷ୍ଟର କଲେ ମହାରାଜା ଏବଂ ଆଇଏଏସ୍ ଭିନିଲ କ୍ରିଷ୍ଣା । କରୋନା ଯୋଗୁଁ ଭାରତରେ ଗଲା ଆଉ ଜଣଙ୍କ ଜୀବନ; ଏବେ ୩ରେ ପହଞ୍ଚିଲା କରୋନା ମୃତକଙ୍କ ସଂଖ୍ୟା । ମହାରାଷ୍ଟ୍ରର ଜଣେ ୬୪ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି । ଆମେରିକା ନୌସେନା‌ରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ । ୨ ଆମେରିକୀୟ ଏମର୍ଜେନ୍ସି ଡାକ୍ତର ମଧ୍ୟ ଗୁରୁତର । ଫ୍ରାନ୍ସ ଆଉ ସ୍ପେନ୍‌‌ର ସ୍ଥିତି ମଧ୍ୟ ସାଂଘାତିକ; ୧୫୮ ରାଷ୍ଟ୍ରରେ କ‌ରୋନା, ମୃତ୍ୟୁସଂଖ୍ୟା ୬,୬୦୦ ଟପିଲା ।

କରୋନା ପ୍ରଭାବରେ ସେନ୍‌ସେକ୍‌ସ ପୁଣି ଖସିଲା ୨୭୧୩ ପଏଣ୍ଟ୍‌ । ଏଥର ଖାଲି ସ୍କୁଲ୍‌ର କ୍ଲାସ୍ ଛୁଟି ନୁହେଁ ପରୀକ୍ଷା ମଧ୍ୟ ବାତିଲ୍‌; ମାର୍ଚ୍ଚ ୩୧ ଯାଏଁ ଆସିବେନି ଶିକ୍ଷକ ଶିକ୍ଷୟିତ୍ରୀ । ଅନେକ ଜିଲ୍ଲାରେ ୧୪୪ ଧାରା ଜାରି ରହିଛି । ଆଉ ୩୨ ୟୁରୋପୀୟ ଦେଶ ଉପରେ କଟକଣା ଲଗାଇଲା ଭାରତ; ବସ୍‌ରେ ମଧ୍ୟ ଓଭର୍‌ଲୋଡିଂ ମନା; ବିଭନ୍ନ ସ୍ଥାନରେ ସାପ୍ତାହିକ ହାଟ ମଧ୍ୟ ବନ୍ଦ କରାଗଲା ।

ଏ ଭିତରେ ମୁଣ୍ଡ ବିନ୍ଧା କମିନାହିଁ । ତଥାପି ଭୟ ବଢ଼ିବାରେ ଲାଗିଛି । ଦୁଇଦିନର ଔଷଧ ଆଜି ଶେଷ ହେଇଯିବ; ଲାଗୁଛି କାଲି ସକାଳୁ ଯାଇକି ରକ୍ତ ପରୀକ୍ଷା କରିବାକୁ ହେବ । ଇସନ‌ଫିଲିଆ, ମ୍ୟାଲେରିଆ ସହ ଟାଇଫଏଡ୍ ଟେଷ୍ଟ କରିକି ପ୍ରଥମେ ଦେଖିବାକୁ ହେବ, ତା'ପରେ ଦେଖିବା ।

ଫେବୃଆରୀରୁ ମାର୍ଚ୍ଚ ୧୨ ମଧ୍ୟରେ ଓଡ଼ିଶା ଆସିଛନ୍ତି ୫୦୭୮ ପର୍ଯ୍ୟଟକ । କେତେ ଫେରିଛନ୍ତି, କେତେ ଅଛନ୍ତି? ତଥ୍ୟ ଖୋଜା ଚାଲିଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ କଟକଣା; କରୋନା ସତର୍କତାକୁ ଦୃଷ୍ଟିରେ ରଖି ୩୧ ଯାଏ ଭିତରକନିକା ବନ୍ଦ । କରୋନା ସନ୍ଦେହରେ ବିଦେଶୀ ନାଗରିକଙ୍କୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଲା ପୁଲିସ ।

ଏ ସବୁ ପରେ ବି ବାର୍‌ରେ ଲାଗିନାହିଁ କରୋନା କଟକଣା; ଶହଶହ ଲୋକଙ୍କର ସମାଗମ ହେଉଥିବାରୁ ମହାମାରୀ ବ୍ୟାପିବା ଆଶଙ୍କା ବଢ଼ିବାରେ ଲାଗିଛି । ଆର୍‌ଟିଓ କାର୍ଯ୍ୟାଳୟରେ ଲମ୍ବା ଲାଇନ୍‌କୁ ମଧ୍ୟ କାହାର ଦୃଷ୍ଟି ନାହିଁ ବୋଲି ଅଭିଯୋଗ ପରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନସ ଟେଷ୍ଟ ଉପରେ ଲାଗିଲା ରୋକ ।

କରୋନା ମୁକାବିଲା ପାଇଁ ବିଧାନସଭା ପରିସରକୁ ସଭିଙ୍କ ପ୍ରବେଶ ମନା, କେବଳ କର୍ମଚାରୀ, ମନ୍ତ୍ରୀ ଓ ବିଧାୟକ ଯାଇପାରିବେ । ସବୁ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଏବେ ଥର୍ମାଲ ସ୍କାନିଂ ଲାଗିବା ସହ ସାଇଟାନିଟାଇଜର ମଧ୍ୟ ଉପଲବ୍ଧ ହେବ ବୋଲି ସୂଚନା ଦେଲେ ରାଜ୍ୟ ସରକାର; କିନ୍ତୁ ଥଣ୍ଡା, କାଶ, ସର୍ଦ୍ଦିି ବା ଛିଙ୍କରେ ପୀଡ଼ିତ ଥିବା କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା COVID-19 ପଞ୍ଜୀକରଣର ପ୍ରଥମ ଦିନରେ ୧୨୩୯ ବିଦେଶ ଫେରନ୍ତା ପଞ୍ଜୀକରଣ କରିଥିବା ସୂଚନା ଦେଇଛନ୍ତି ମୁଖପାତ୍ର ସୁବ୍ରତ ବାଗ୍‌ଚୀ । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଓଡ଼ିଶାର ପ୍ରଥମ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ଅଛି ।

ଏବେ ବି ଲୋକମାନେ ମଧ୍ୟ ଅଯଥାରେ ବିଭିନ୍ନ ସ୍ଥାନରେ ଗହଳି କରୁଛନ୍ତି, ଭୟାବହତାକୁ ବୁଝିବାକୁ ଚେଷ୍ଟା ମଧ୍ୟ କରୁନାହାନ୍ତି । ରେଳ ଷ୍ଟେସନରେ ଭିଡ଼ କମାଇବାକୁ ପ୍ଲାଟଫର୍ମ ଟିକେଟ ମୂଲ୍ୟ ୫୦ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରେଳ ବିଭାଗ । ପୂର୍ବତଟ ରେଳର ୧ଲକ୍ଷରୁ ଅଧିକ ଟିକେଟ ବାତିଲ୍; ୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ମଧ୍ୟ ବାତିଲ ହୋଇଯାଇଛି ।

ଭାରତରେ କରୋନାର ପ୍ରଭାବ ଷ୍ଟେଜ୍‌-୨ରେ ସୀମିତ ଥିବା ବିଶ୍ୱାସ କରାଯାଉଛି ଆଉ ଏ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଛି । ତଥାପି ଗୁଜବ ବଢ଼ିବାରେ ଲାଗିଛି; ଏଥର ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ କରୋନା ନେଇ ଅପପ୍ରଚାର କରିଯାଇଥିଲା । ଅବଶ୍ୟ ପରେ କେନ୍ଦ୍ରାପଡ଼ାରୁ ଚାରି ଜଣଙ୍କୁ ପୋଲିସ୍ ଗିରଫ କରିଛି ।

ବିଶ୍ୱ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ବନ୍ଦ ହେବାରେ ଲାଗିଛି । ବର୍ଲିନ୍‌ରେ ହେବାକୁ ହେବାକୁ ଉଇକିମିଡିଆ ସମିଟ୍ ମଧ୍ୟ ବନ୍ଦ ହେଇଯାଇଛି । ଉଇକିମାନିଆ ବନ୍ଦ ହେବାର ସୂଚନା ମଧ୍ୟ ମିଳୁଛି; କିନ୍ତୁ ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟରେ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ସୂଚନା ଦେଇଛନ୍ତି । ବିଶ୍ୱାସ କରିବାକୁ ଏବେ ମଧ୍ୟ ଟିକେ ସମୟ ଲାଗିବ, ହେଇପାରେ ଏହି ଭିତରେ କିଛି କଥା ମଧ୍ୟ ବଦଳିପାରେ ।

No comments:

Post a Comment