କରୋନା କାହାଣୀ: ହସ୍ପାତାଳରୁ କରୋନା ସନ୍ଦିଗ୍ଧ ଫେରାର୍ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Sunday, 15 March 2020

କରୋନା କାହାଣୀ: ହସ୍ପାତାଳରୁ କରୋନା ସନ୍ଦିଗ୍ଧ ଫେରାର୍


ଆଜି ସୁଦ୍ଧା ୧୪୯ ରାଷ୍ଟ୍ରରେ ୧,୪୯,୧୮୧ ଜଣ କରୋନା ଆକ୍ରାନ୍ତ ଆଉ ମୃତ୍ୟୁସଂଖ୍ୟା ୫,୫୫୧ ଛୁଇଁଲାଣି । ଇଉରୋପୀୟ ରାଷ୍ଟ୍ରରେ ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି; ଇଟାଲିରେ ୧୨୬୬, ସ୍ପେନ୍‌ରେ ୧୩୬ ମୃତ । ଇରାନରେ ମର ଶରୀର ପୋତିବାକୁ ଅଧିକରୁ ଅଧିକ କବର ବି ଲୋଡ଼ା ପଡ଼ୁଛି ବୋଲି ସାଟେଲାଇଟ୍ ଫଟୋରୁ ଜଣା ପଡ଼ୁଛି । ଭାରତରେ ଷ୍ଟେଜ୍‌-୨ରେ ପହଞ୍ଚିଲା କରୋନାର ଏହି କରୁଣା ଦୃଶ୍ୟ, ଷ୍ଟେଜ୍‌-୩କୁ ରୋକିବା ପାଇଁ ୩୦ ଦିନ ସମୟ ଲାଗିବ ବୋଲି ଆଶା । ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି; ଏବେଯାଏଁ ମୃତ୍ୟୁ ୨ରେ ହିଁ ଅଛି ।

ଆଜି ମୋର OPSC ପରୀକ୍ଷା ଥିଲା, ତେଣୁ ଡର ଥିଲେ ବି ଯିବାକୁ ହେଲା । ବସ୍‌ରେ ଯଦିଓ ସିଟ୍ ନୁହେଁ ସ୍ଲିପର୍ ମିଳିଲା, ହେଲେ ବାହାନଗା ପୂର୍ବରୁ ବାରିକପୁର ହାଟ ପାଖରେ ଦୁଇଟି ଟ୍ରକ୍ ସାମ୍ନାସାମ୍ନି ଧକ୍କା ହେବାଫଳରେ ରାସ୍ତା ଜାମ୍ ହେଇଯାଇଥିଲା ଆଉ ଆମେ ଯାଉଥିବା ବସ୍‌ଟି ଫେରିଆସିଲା । ଅଲଗା ଗୋଟିଏ ବସ୍‌ରେ ଗଲୁ, ପ୍ରବଳ ଭିଡ଼ ଥିଲା । କରୋନା ଭୂତାଣୁର ଟିକେ ଅଂଶ ଯଦି ସେଇଠି ଥିବ, ନିଶ୍ଚେ ସଭିଙ୍କୁ ଆକ୍ରାନ୍ତ କରିବାର ଅବସ୍ଥା ଥିଲା ସେଇଠି । ତଥାପି ପରୀକ୍ଷା ଆରମ୍ଭ ହେବା ସମୟ ଆଗରୁ ମୁଁ ପହଞ୍ଚିଗଲି ଗଭର୍ଣମେଣ୍ଟ ଆଇ.ଟି.ଆଇ., ବାଲେଶ୍ୱରରେ ।

ହେଲେ ଦୁଃଖରେ ବିଷୟ ଏହିକି ଯେ, ସେଠାକାର ୱାସ୍‌ରୁମ୍‌ରେ ପାଣି ଟୋପାଏ ବି ନାହିଁ, ଆଉ ପରିଷ୍କାର ପରିଚ୍ଛନ୍ନତାର କଥା ତ କହିଲେ ନସରେ । ଅଭିଯୋଗ କରିବୁ କାହାକୁ? ଶୁଣିବ କିଏ? ଇଏ ପରା ସରକାରୀ ଜାଗା, ସବୁଥିରେ ସରକାରୀ ଅନୁମୋଦନ ଲୋଡ଼ା ଆଉ ଯଦି ଏହାକୁ ସଫା କରିବାକୁ ଅଭିଯୋଗ କରିବା, ତେବେ ଆର ବର୍ଷ ହେଇଯାଇପାରେ । ଏଇଥିରେ ଆମେ କ'ଣ କରୋନାକୁ ରୋକିବାକୁ ସଫାସୁତୁରା ରଖିବା ବୋଲି ଆଶା କରିବା ! ଯାହା ବି ହେଉ, ପରୀକ୍ଷା ଶେଷ ହେଇଗଲା ।

ଆଜିଠାରୁ ମୋର ମୁଣ୍ଡ ବିନ୍ଧା ଆରମ୍ଭ ହେଲା; ପ୍ରଥମେ ଗୋଟିଏ ପଟ ଆଉ ପରେ ଧୀରେ ଧୀରେ ବଢ଼ିବାକୁ ଲାଗିଲା । ଲାଗୁଛି ଯେମିତି କରୋନାର ଭୟ ଆଉ ବସରେ ସେ ଭିଡ଼ ଭିତରେ ଛିଡ଼ା ହେଇକି ଯିବାର ଭୟ ମୋ ମୁଣ୍ଡର ଏମିତି ଅବସ୍ଥା କରିଛି ।

ଆସନ୍ତୁ ଦେଖିନେବା କରୋନାର ଆଉ କିଛି କଥା । ବିଭିନ୍ନ ସ୍ଥାନରେ ଜନଗହଳି ଟିକେ କମିବାରେ ଲାଗିଛି ଆଉ ଅଘୋଷିତ କର୍ଫ୍ୟୁ ହେଲାଭଳି ଅନୁଭବ ହେଉଛି । ଏହି ସମୟରେ ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସଭା-ସମିତି, ପ୍ରେକ୍ଷାଳୟ, ଜିମ୍‌, ସୁଇମିଂ ପୁଲ୍‌, ମଲ୍ ଆଦି ବନ୍ଦ ହେଇଯାଇଛି । ତଥାପି କିଛି ସ୍ଥାନରେ ମେଳନ ଚାଲିଥିବାରୁ ଯାତ୍ରା ମଧ୍ୟ ହେଉଥିଲା । ଅବଶ୍ୟ ରାତି ଅଧରେ ଅଧାରୁ ଯାତ୍ରାକୁ ବନ୍ଦ କରାଯାଇଛି, ଯାହାକି ଏକ ଭଲ ଖବର ଭାବରେ ଆମେ ଗ୍ରହଣ କରିବା ।

ଆଜି ବି ଏତେ ଦିନ ପରେ ୨୦୨୦ ମସିହାରେ ବଧୂ ନିର୍ଯ୍ୟାତନା ହେଉଛି । ବିବାହର ମାତ୍ର ୧୨ ଦିନ ପରେ ଜଣେ ନବବଧୂକୁ କରୋନା ହେଇଥିବା ଦର୍ଶାଇ ତାଙ୍କର ପରିବାର ଲୋକ ନିର୍ଯାତନା ଦେଇଥିଲେ । ବିନା ପରୀକ୍ଷାର କାହାକୁ କ'ଣ ଏମିତି କେହି କହିପାରିବେ? ଆଉ ଯଦି ବା ତାକୁ ହେଇଛି, ସେଥିରେ ତା'ର ଭୁଲ୍ ରହିଲା କେଉଁଠି? ଅବଶ୍ୟ ଅଭିଯୋଗ ପରେ ତାଙ୍କ ସ୍ବାମୀ ଓ ଶ୍ବଶୁରଙ୍କୁ ପୋଲିସ୍ ଗିରଫ କରିଛି ଆଉ ଗିରଫ ପରେ ଅନ୍ୟ ଏକ ସତ ମଧ୍ୟ ଜଣାପଡ଼ିଛି ଯେ, କରୋନା ଖାଲି ବାହାନା ଥିଲା, ମୂଳ ଉଦ୍ଦେଶ୍ୟ ତ ଯୌତୁକରେ ଥିଲା ।

ଆଜି ରାୟଗଡ଼ା ଜିଲ୍ଲାପାଳ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଦେଲେ । କିନ୍ତୁ ସେମାନେ ଅଫିସ୍ ଆସିଲେ କ'ଣ କରିପାରିବେ? ସେମାନେ କ'ଣ କରୋନା ପାଇଁ କିଛି ପ୍ରତିଷେଧକ ତିଆରି କରିପାରିବେ? ଲୋକମାନେ ଏବେ ମଧ୍ୟ ସଚେତନ ହେଉନାହାନ୍ତି, ସେଇଥିପାଇଁ ତ ଅନେକ ସ୍ଥାନରେ ପୋଲିସ୍ ତରଫରୁ ୧୪୪ ଧାରା ଜାରି କରାଯାଇଛି । ମେଳାମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି । ଆଜି କୋଚିରୁ ଦୁବାଇ ଯାଉଥିବା ଏକ ବିମାନରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ଫଳରେ ବାକିମାନଙ୍କୁ ମଧ୍ୟ ପରୀକ୍ଷା କରାଯିବା ସହ ସମସ୍ତ ୨୬୯ ଜଣ ଯାତ୍ରୀଙ୍କୁ ଓହ୍ଲେଇ ଦେଇଥିଲେ ।

ଏହା ଭିତରେ କିଛି ଦୁଃଖଦ ଖବର ମଧ୍ୟ ଆସିଛି, ଯାହାକି ଆମ ଲୋକମାନଙ୍କର ବେପରୁଆ ମନୋଭାବକୁ ଦର୍ଶାଉଛି । ବଜାରରେ ମାସ୍କ ଆଉ ସାନିଟାଇଜର୍‌ର ଚାହିଦା ବଢ଼ିବା ସହିତ ଅନେକ ଭୟଭୀତ ହେଇକି ଅଧିକରୁ ଅଧିକ ମାସ୍କ ଆଉ ସାନିଟାଇଜର୍ କିଣିବାରେ ଲାଗିଛନ୍ତି । ଫଳରେ ଏହି ସବୁର ଅଭାବ ବଢ଼ିବାରେ ଲାଗିଛି । ଏହି ଅଭାବର ଲାଭ ଉଠେଇ କିଛି ଅସାମାଜିକ ଲୋକ ନକଲି ମାସ୍କ ଓ ସାନିଟାଇଜର ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି । ଅବଶ୍ୟ ଏହି ଅଭିଯୋଗରେ ତିନିଜଣଙ୍କୁ ପୁଲିସ ଗିରଫ କରିଛି ।

ଏହାଠାରୁ ବଡ଼ ଏକ ବେପରୁଆ କାହାଣୀ ଆସିଛି, ଯେଉଁଠି ପୁରୀ ଆଉ ବ୍ରହ୍ମପୁର ବଡ଼ ମେଡିକାଲରୁ ଜଣେ ଲେଖାଏଁ କରୋନା ସନ୍ଦିଗ୍ଧ ଲୁଚିକି ପଳେଇଛନ୍ତି । ଏ ପରିସ୍ଥିତିରେ ଏମିତି ଫେରାର୍ ହେଇଯାଇଥିବା ବ୍ୟକ୍ତିମାନେ ଅପାଠୁଆ ନୁହନ୍ତି, କିନ୍ତୁ ମୂର୍ଖ ।

ଆଗାମୀ କାଲି କ'ଣ ହେବ ସେ ବିଷୟରେ ଅଧିକ ଧାରଣା ନାହିଁ । ଏ ମୁଣ୍ଡ ବିନ୍ଧା ଭୟ ପାଇଁ ଯଦି ହେଇଥାଏ ତ ଭଲ କଥା । ତା'ଛଡ଼ା ଦୀଲ୍ଲିରୁ ଫେରିବାର ୧୫ ଦିନରୁ ଅଧିକ ହେଇଗଲାଣି, ହେଲେ ବି ସେ ଭୟ ମନରୁ ଯାଇନି ଆଉ ଆଜି ବସ୍‌ର ଏହି ଭିଡ଼ ବି ଭୟକୁ ଅଧିକ ବଢ଼େଇବା ପାଇଁ ଖୋରାକ୍ ଯୋଗେଇଛି ।

No comments:

Post a Comment