କରୋନା କାହାଣୀ: ଭାରତରେ ଦ୍ରୁତଗତିରେ ବଢ଼ୁଛି ସଂକ୍ରମଣ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Friday, 20 March 2020

କରୋନା କାହାଣୀ: ଭାରତରେ ଦ୍ରୁତଗତିରେ ବଢ଼ୁଛି ସଂକ୍ରମଣ


କରୋନା ଭୂତାଣୁର ସଂକ୍ରମଣ ଏବେ ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆକ୍ରାନ୍ତ ସଂଖ୍ୟା ୧୭୫ରୁ ୨୨୩ଯାଏଁ ପହଞ୍ଚିସାରିଲାଣି । ବିଶ୍ୱବ୍ୟାପୀ ୨୨୭,୭୬୪ ଜଣ ଭାଇରସ୍ ଆକ୍ରାନ୍ତ ହୋଇସାରିଥିବାବେଳେ ୯,୩୦୮ ଜଣଙ୍କ ମୃତ୍ୟୁ ହୋଇଗଲାଣି, ଯେଉଁଥିରେ ଚୀନ୍‌ର ମୃତ୍ୟୁସଂଖ୍ୟାକୁ ଇଟାଲୀ ଟପିଗଲାଣି । ଇଟାଲୀରେ ଅଳ୍ପଦିନ ମଧ୍ୟରେ ୩୪୦୫ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ଚାଇନାରେ ୩୨୪୫ ଜଣ ପ୍ରାଣ ହରାଇଛନ୍ତି । ଇରାନ୍‌ରେ ପ୍ରତ୍ୟେକ ୧୦ ମିନିଟ୍‌ରେ ଜଣଙ୍କର କରୋନା ଭାଇରସ୍‌ରେ ମୃତ୍ୟୁ ହେଉଥିବାବେଳେ ୫୦ ଜଣ ଏହି ଭାଇରସ୍‌‌ରେ ଆକ୍ରାନ୍ତ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତରେ ମୃତ୍ୟୁସଂଖ୍ୟା ମଧ୍ୟ ୫ରେ ପହଞ୍ଚିଗଲାଣି । ରାଜସ୍ଥାନର ଜୟପୁରର ଫୋର୍ଟିସ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୭୨ ବର୍ଷୀୟ ଇଟାଲୀ ନାଗରିକଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ କରୋନା ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ପୁଣି ଥରେ ସେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଛନ୍ତି । ଯଦି ସେ କରୋନା ଭୂତାଣୁରେ ଦାଉରୁ ରକ୍ଷା ପାଇଥିଲା, ତେବେ ପୁଣି ମୃତ୍ୟୁବରଣ କେମିତି କଲେ? ସେ କ'ଣ ସତରେ ଆରୋଗ୍ୟ ହୋଇଥିଲେ, ନା ଏହା କୌଣସି ପ୍ରକାରର ଭୁଲ୍ ଥିଲା?

ଆଜି ଓଡ଼ିଶାରେ ମାଟ୍ରିକ୍ ପରୀକ୍ଷା ଖାତାଦେଖା ମଧ୍ୟ ବନ୍ଦ କରାଗଲା । ଯଦିଓ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ସହ ଖାତା ଦେଖିବା ଆରମ୍ଭ ହୋଇଥିଲା, କିନ୍ତୁ ଭାରତ ବର୍ଷରେ ଆରମ୍ଭ ହୋଇଥିବା ଏହି ଦୃତ ସଂକ୍ରମଣ କିନ୍ତୁ ପରୀକ୍ଷା ଓ ମୂଲ୍ୟାୟନ ଉଭୟକୁ ଘୁଞ୍ଚାଇଦିଆଗଲା । ଅଧିକ ସଂକ୍ରମଣକୁ ରୋକିବାପାଇଁ ଯାତ୍ରାପାର୍ଟିଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଆଉ ଲୋକସେବା ଭବନର ସମସ୍ତ ଗ୍ରୁପ୍-ସି ଓ ଗ୍ରୁପ୍-ଡି କର୍ମକଚାରୀଙ୍କୁ ଆଗାମୀ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ଦେଇଦିଆଯାଇଛି ।

ଧୀରେ ଧୀରେ ଦୋକାନ ବଜାର ବନ୍ଦ ହେବାରେ ଲାଗିଛି, କିନ୍ତୁ ମଦ ଦୋକାନ ଏପର୍ଯ୍ୟନ୍ତ ଖୋଲା ରହିଛି; ଅବଶ୍ୟ ବାର୍ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିଦିଆଯାଇଛି । ତଥାପି ମଦ ଦୋକାନକୁ ଲୋକମାନେ ଧାଡ଼ିରେ ଯିବେ ଏବଂ ସେଠାରେ ଥିବା ସାନିଟାଇଜର୍ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି ।

ପଞ୍ଜାବରେ ମଧ୍ୟ ଆଜି ମଧ୍ୟରାତ୍ରରୁ ସମସ୍ତ ଯାତ୍ରୀ ପରିବହନ ବନ୍ଦ କରାଯାଉଛି । ମହାରାଷ୍ଟ୍ରର ୪ଟି ସହରକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଆଉ ବିଶ୍ୱ ସ୍ତରରେ ଏହି ଭୂତାଣୁକୁ ନେଇ ମଧ୍ୟ ଅନେକ ପ୍ରକାରର ଝଗଡ଼ା ଆରମ୍ଭ ହେବାକୁ ଲାଗିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ଚୀନ୍ ଉପରେ ମଧ୍ୟ ତାଙ୍କର ରାଗ ଦେଖାଇଛନ୍ତି । ଚାଇନା ଏହି ଭୂତାଣୁ ସମ୍ପର୍କରେ ତଥ୍ୟ ଲୁଚାଇଥିବା କଥାକୁ ନେଇ ସେ କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି ।

ବିଶ୍ୱର ଅନ୍ୟତମ ବଡ଼ ଫିଲ୍ମ ଫେଷ୍ଟିଭାଲ୍ "କାନ୍"କୁ ମଧ୍ୟ ସ୍ଥଗିତ ରଖିଦିଆଯାଇଛି, ଯାହାକି ଏହି ଭୂତାଣୁର ଭୟାବହତାକୁ ନିଶ୍ଚିତରୂପେ ଦର୍ଶାଉଛି । ତେଣୁ ଭାରତରେ ଜନଗଣନା ମଧ୍ୟ ସ୍ଥଗିତ ହୋଇପାରେ, ଏହି ଉପରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । କରୋନା ସମ୍ପର୍କିତ ବୈଠକକୁ ଛାଡ଼ି ଆଉ କୌଣସି ପ୍ରକାରର ବୈଠକ ବସିପାରିବ ନାହିଁ ବୋଲି ମଧ୍ୟ ସରକାରୀ ସ୍ତରରେ ଘୋଷଣା ହେବାସହ କୌଣସି ସ୍ଥାନରେ ବି ୭ ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ । ଏହା ନିଶ୍ଚିତ ରୂପରେ ଲୋକମାନଙ୍କ ଉପରେ କିଛିଟା ପ୍ରଭାବ ପକାଇବବ ବୋଲି ଆଶା ।

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡ଼ି ସମସ୍ତ ଦୋକାନ ବଜାର ବନ୍ଦ ରହିବ ଏବଂ ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଅନୁସାରେ ଗାଡ଼ି ମଧ୍ୟ ଚାଲିବ, ଫଳରେ ଜନଗହଳି କିଞ୍ଚିତ୍ କମିବାର ଆଶା କରାଯାଉଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ତାଳି ଆଉ ଥାଳି ବଜାଇବା କଥାକୁ କିନ୍ତୁ ଲୋକେ ବିରୋଧ କରୁଛନ୍ତି, ବିରୋଧୀଦଳ ମଧ୍ୟ ବିରୋଧ କରୁଛନ୍ତି । ହେଲେ ବି ଓଡ଼ିଶାରୁ ଅନେକ ଲୋକ ଏହାକୁ ସମର୍ଥନ କରୁଛନ୍ତି ।

ଏହା ଭିତରେ ଆଜି ଏକ ବଡ଼ ଘଟଣା ମଧ୍ୟ ଘଟିଛି, ଯାହାକି ହୁଏତ ଏହି କରୋନାର ଭୟାବହତା ଭିତରେ ଚାପି ହୋଇଯାଇଛି । ୨୦୧୨ ମସିହାର ଦିଲ୍ଲୀ ଗଣ-ବଳାତ୍କାର ଘଟଣାର ଚାରି ଅଭିଯୁକ୍ତଙ୍କର ଅନେକ ଚାଲାକ ପଦକ୍ଷେପ ପରେ ଶେଷରେ ଆଜି ସକାଳେ ଫାଶୀ ପାଇଛନ୍ତି । ଦୀର୍ଘ ୭ ବର୍ଷର ଏହି ଲଢ଼େଇ ହୁଏତ ଆଜି ବିଶ୍ୱର ନହେଲା ନାହିଁ ଜାତୀୟ ମିଡିଆ ସବୁ ବଡ଼ ବଡ଼ ଗଣମାଧ୍ୟମରେ ଅତିକମରେ ୭ ଦିନ ଚାଲିଥାନ୍ତା । ହେଲେ ହୁଏତ ଏହା ମାତ୍ର ୭ ମିନିଟ୍‌ର ଖବର ହୋଇ ରହିଗଲା, କିନ୍ତୁ ଏକ ମାଆର ସେ ସଂଘର୍ଷମୟ ଯାତ୍ରା ଆଉ ଝିଅ ପାଇଁ ନ୍ୟାୟ ଭିକ୍ଷା ନିଶ୍ଚେ ଅନେକ ଲୋକଙ୍କ ମନରେ ଅନେକ ଦିନଯାଏଁ ରହିବ ।

No comments:

Post a Comment