କରୋନା କାହାଣୀ: ଭାରତରେ ୨ୟ ମୃତ୍ୟୁ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Saturday, 14 March 2020

କରୋନା କାହାଣୀ: ଭାରତରେ ୨ୟ ମୃତ୍ୟୁ


କରୋନାର କାହାଣୀ ଆହୁରି କରୁଣ ହେବାରେ ଲାଗିଛି । ଦିନ ପରେ ଦିନ ଗଡ଼ିବାରେ ଲାଗିଛି ଆଉ ଆଜିସୁଦ୍ଧା ୧୧୩ ରାଷ୍ଟ୍ର ୫୧୧୬ଙ୍କର ମୃତ୍ୟୁ ହୋଇଗଲାଣି । ମାଉଣ୍ଟ ଏଭେରେଷ୍ଟ ଚଢ଼ିବାକୁ ବନ୍ଦ କଲେଣି ଚୀନ ଆଉ ନେପାଳ ଭଳି ଦେଶ । ଭାରତ ବିଭିନ୍ନ ଦେଶ ସହ ବିମାନ ସେବା ବନ୍ଦ କରିବାରେ ଲାଗିଥିବାବେଳେ ସୀମା ସେପଟରକୁ ରେଳ ଆଉ ବସ୍ ଚଳାଚଳ ବନ୍ଦ ହେଲାଣି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ ବି କରୋନା ପାଇଁ ଭୟଭୀତ ହେବାକୁ ଲାଗିଛନ୍ତି, ନିଜ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରେଇବା ସହ ହାତ ନ ମିଳେଇ ଲୋକଙ୍କୁ ନମସ୍କାର କରିବା ଆରମ୍ଭ କଲେଣି ।

ଦିଲ୍ଲୀର ଜଣେ ୬୯ ବର୍ଷୀୟ ମହିଳା କରୋନାର ଶିକାର ହୋଇଥିବାବେଳେ କେରଳ କୋଟ୍ଟାୟାମ ହସ୍ପିଟାଲରେ ଜଣେ କରୋନା ସନ୍ଦିଗ୍ଧ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାପରେ ଓଡ଼ିଶାରେ ବାଚସ୍ପତି ବିଧାନ ସଭା ମୁଲତବୀ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍, କଲେଜକୁ ବନ୍ଦ କରିବା ସହ ଟିଉସନ୍ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ଯେତେ ସହଜରେ ନେଉଥିଲୁ, ଏବେ ଆଉ ସେମିତି ହେବାଭଳି ଲାଗୁନାହିଁ । ସ୍କୁଲ୍ ବନ୍ଦ, କିନ୍ତୁ ପରୀକ୍ଷା ହେବ । ଆଉ ପରୀକ୍ଷା ବେଳେ କ'ଣ ସତରେ କରୋନା ବ୍ୟାପିବନି?

ବିଭିନ୍ନ ଦେଶରୁ ଭାରତୀୟଙ୍କୁ ଫେରେଇ ଆଣିବା କାର୍ଯ୍ୟ ମଧ୍ୟ ଚାଲିଛି । ବିନା ଦର୍ଶକରେ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ୍ ମ୍ୟାଚ୍ ଦଶର୍କ ବିହୀନ କରିବା ପାଇଁ ଚିନ୍ତା କରିବା ପରେ ଏହାକୁ ବନ୍ଦ ମଧ୍ୟ କରାଗଲା ଆଜି । ଅପ୍ରେଲ ୧୫ରୁ ଆରମ୍ଭ ହେବାକୁ ଥିବା IPL ମଧ୍ୟ ଘୁଞ୍ଚିଗଲା । ବଡ଼ ବଡ଼ ଲୋକମାନେ ସତର୍କତାମୂଳକ ଭିଡ଼ିଓ ତିଆରି କରି ସେୟାର କରୁଛନ୍ତି ।

କିନ୍ତୁ ତଥାପି ଏହି ସମୟରେ ବି ଆମର ଲୋକମାନେ ଗୁଜବ ଖେଳେଇବାରେ ବ୍ୟସ୍ତ ଅଛନ୍ତି । କେତେବେଳେ ଜଗନ୍ନାଥଙ୍କର ନାଁ କହିକି ସୂର୍ଯ୍ୟୋଦୟ ପୂର୍ବରୁ ତୁଳସୀପତ୍ର ଖାଇଲେଣି ତ ପୁଣି କେବେ ଆହୁରି କେତେ କ'ଣ କଲେଣି । ଖାଲି ଲୋକମାନେ ନୁହନ୍ତି, ବିଭିନ୍ନ ସଂଗଠନ ତରଫରୁ ମଧ୍ୟ କିଛି ଏମିତି ପ୍ରଚାର ଚାଲିଛି, ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ବାରମ୍ବାର ଖଣ୍ଡନ କରୁଛି । ତଥାପି ଲୋକମାନେ ମାନିବାକୁ ନାରାଜ ।

ଏମିତି ଗୁଜବ ଖେଳେଇ କେହି କେହି ଗିରଫ ମଧ୍ୟ ହେଲେଣି । ହେଲେ ଅନେକ ସତ କ'ଣ ଜାଣିବାକୁ ଚାହୁଁନାହାନ୍ତି । ଏବେ ତ ପରିସ୍ଥିତି ଏମିତି ହେଲାଣି ଯେ, ଯଦି ସତ ଖବର କିଛି ବି ଆସୁଛି, ତାହା ସତ କି ମିଛି ଜଣାପଡ଼ୁନି ।

ଏ ସବୁ ଭିତରେ ଗୋଟିଏ ଖୁସିର କଥା ହେଉଛି କି ଭାରତ ବର୍ଷରେ ୧୦ ଆକ୍ରାନ୍ତ ସୁସ୍ଥ ହେଲେଣି । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ କିଛିଟା ଆଶା ସଞ୍ଚାର ହେବାରେ ଲାଗିଛି । ଓଡ଼ିଶାର କିନ୍ତୁ ଚାରିଆଡ଼େ ଆକ୍ରାନ୍ତ ହେବା ଆଶଙ୍କା କରି ଲୋକମାନେ ଭୟଭୀତ ହେବାରେ ଲାଗିଛନ୍ତି । ୮୩ ଆକ୍ରାନ୍ତ ଭାରତୀୟମାନଙ୍କ ମଧ୍ୟରୁ ଓଡ଼ିଶାରୁ ଯଦିଓ ଏ ପର୍ଯ୍ୟନ୍ତ କେହି ବି ନାହାନ୍ତି, ତଥାପି ସତର୍କତା ମୂଳକ ସରକାରୀ ଏବଂ ଡାକ୍ତରୀ ପଦକ୍ଷେପକୁ ମାନିବା ନିହାତି ଆବଶ୍ୟକ ।

ଆଜି ରାଜ୍ୟ ସରକାର ସୁବ୍ରତ ବାଗ୍‌ଚୀଙ୍କୁ ଏକ ନୂଆ ଦାୟିତ୍ୱ ଦେଇଛନ୍ତି; ସଚେତନତା ସୃଷ୍ଟି କରିବା ଉପରେ ବିଭିନ୍ନ ସଂଗଠନକୁ ଏବେ ସେ ନିୟନ୍ତ୍ରଣ କରିବେ । ତଥାପି ରାଜ୍ୟରେ ୧୪୧ ଜଣ ଲୋକ ନିରୀକ୍ଷଣରେ ଅଛନ୍ତି । ଆଗକୁ ଭଲ ହେବ ବୋଲି ଆଶା କରିବା ଦରକାର ପଡ଼ୁଛି ।

କାଲି ପରୀକ୍ଷା ପାଇଁ ମୋତେ କିନ୍ତୁ ବସରେ ଯିବାକୁ ହେବ । ଭୟ ତ ଅଛି ନିଶ୍ଚୟ; କିନ୍ତୁ ଯିବାକୁ ହେବ । ସ୍କୁଲ୍ ସିନା ବନ୍ଦ ହେଇଗଲା, ହେଲେ ଏ ପରୀକ୍ଷା?

No comments:

Post a Comment