କରୋନା କାହାଣୀ: କ୍ବାରାଣ୍ଟିନ୍‌ରେ ୪୦ ହଜାର ଭାରତୀୟ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Thursday, 19 March 2020

କରୋନା କାହାଣୀ: କ୍ବାରାଣ୍ଟିନ୍‌ରେ ୪୦ ହଜାର ଭାରତୀୟ


ସମଗ୍ର ବିଶ୍ୱରେ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ଭାରତରେ ମଧ୍ୟ ରୋଗୀଙ୍କ ସଂଖ୍ୟା ବଢ଼ିବା ଆରମ୍ଭ କଲାଣି ଆଉ ମୃତ୍ୟୁ ସଂଖ୍ୟା ମଧ୍ୟ ଆଜି ୪ରେ ପହଞ୍ଚିଛି । ଜର୍ମାନୀରୁ ଆସିଥିବା ଜଣେ ୭୨ ବର୍ଷୀୟ ବୃଦ୍ଧ ଆଜି ପୁଣି କରୋନା ଆକ୍ରାନ୍ତରେ ମୃତ୍ୟବରଣ କରିଛନ୍ତି । ଆଉ ଏହି ପରିପ୍ରେକ୍ଷୀରେ ଯାହା ଅନୁମାନ କରାଯାଇଛି, ତାହା ଭୟକୁ ଅଧିକ ବଢ଼ାଇବାରେ ଲାଗିଛି । ଅନୁମାନ କରାଯାଇଥିବା ତଥ୍ୟ ଅନୁସାରେ ଆମେରିକାରେ ୨୨ ଲକ୍ଷ ଏବଂ ବ୍ରିଟେନ୍‌ରେ ୫ ଲକ୍ଷ ଲୋକଙ୍କ ଜୀବନ ଯାଇପାରେ । ଏବେ ଖାଲି ୨୨ରେ ନୁହେଁ, ଲକ୍ଷରେ ପହଞ୍ଚିଗଲାଣି; ଯାହାକି କେତେ ଭୟାବହ ହେବ ତାହା ଭାବିଲାବେଳକୁ ମଧ୍ୟ ହୃଦ୍‌ସ୍ପନ୍ଦନ ବଢ଼ିବାରେ ଲାଗିଛି ।

ଏ ସବୁ ଭିତରେ ଚୀନରୁ ଆରମ୍ଭ ହୋଇଥିବା ଏହି କରୋନା ଭୂତାଣୁ ଏବେ ଚୀନ୍ ଆଉ ଦକ୍ଷିଣ କୋରିଆରେ କମିବାରେ ଲାଗିଛି; ହୁଏତ ସେମାନଙ୍କର ଏହି କ୍ୟାରେଣ୍ଟାଇନ୍ ବ୍ୟବସ୍ଥା ଯୋଗୁଁ ଆମେ କିଛିଟା ସୁରକ୍ଷିତ ହେଇପାରିବା । ଏହି ରୋଗର ଭୟାବହତା ଖାଲି ମୋତେ ନୁହେଁ, ସମଗ୍ର ବିଶ୍ୱକୁ ଘାରିଛି, ସେଇଥିପାଇଁ ତ ୩୦ ଦିନ ଯାଏଁ ସବୁ ସୀମା ବନ୍ଦ କରିସାରିଲାଣି ଇଉରୋପ । ଏବେସୁଦ୍ଧା ୧୭୦ଟି ଦେଶକୁ ବ୍ୟାପିଗଲାଣି କରୋନା ଭୂତାଣୁ ।

ବିଦେଶରେ ଥିବା ୨୭୬ ଭାରତୀୟ ଆକ୍ରାନ୍ତ ହେଇସାରିଛନ୍ତି, ଯେଉଁଥିରୁ ଇରାନ୍‌ରେ ଅଛନ୍ତି ୨୫୫ ଆଉ ୟୁଏଇରେ ୧୨ । ସେନାବାହିନୀର ଜଣେ ଯବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତେଣୁ ତାଙ୍କର ସମସ୍ତ ସହକର୍ମୀ ଏବେ କ୍ବାରାଣ୍ଟିନ୍‌ରେ । ଏବେସୁଦ୍ଧା ଦେଶରେ ୧୭୦ରୁ ଅଧିକ ଆକ୍ରାନ୍ତ ହେବାସହ ପାଖାପାଖି ୪୦,୦୦୦ରୁ ଅଧିକ ଲୋକ କ୍ବାରାଣ୍ଟିନ୍‌ରେ ରହିଲେଣି ।

ଯୁଦ୍ଧାକାଳୀନ ଭିତ୍ତରେ ରାଜ୍ୟର ସବୁ ସରକାରୀ ଚିକିତ୍ସାଳୟରେ କରୋନା ୱାର୍ଡ ନିର୍ମାଣ ପାଇଁ ସରକାର ଯୋଜନା ଆରମ୍ଭ କରିଛନ୍ତି । ତେଣୁ ସବୁ ମନ୍ଦିର, ମସ୍‌ଜିଦ୍, ଗୀର୍ଜା ଆଦିରେ ପ୍ରବେଶ ନିଶେଦ୍ଧ କରାଗଲାଣି । କିନ୍ତୁ ଏତେ ସବୁ କଟକଣା ସତ୍ତ୍ୱେ ରାୟଗଡ଼ାରେ ଗୋଟିଏ ବିବାହ ଭୋଜିର ଆୟୋଜନ ହୋଇଥିଲା, ଯେଉଁଠି ଅଳ୍ପ ନୁହେଁ, ୪୦୦ରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ରୋଷେଇ ମଧ୍ୟ ସରିଥିଲା । ଅବଶ୍ୟ ଖାଦ୍ୟକୁ ନଷ୍ଟ ହେବାକୁ ନ ଦେଇ ଜିଲ୍ଲା ପ୍ରଶାସନ ଉଚିତ ସମୟରେ ପହଞ୍ଚି ଅଳ୍ପ ଅଳ୍ପ ଲୋକଙ୍କୁ ଭିତରକୁ ଛାଡ଼ିଥିଲେ ।

ତେଣେ ଆମର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭଉଣୀ ଗୀତ ମେହେଟ୍ଟାଙ୍କ ନାମ ପଞ୍ଜୀକରଣ କରାଇବା ସହିତ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି । ସବୁ ହସ୍ପାତାଳରେ କ୍ୱାରେଣ୍ଟାଇନ୍‌ ସୁବିଧା ନ ଥିବାରୁ ଏବେ ହୋଟେଲ୍‌ରେ ମଧ୍ୟ ବ୍ୟବସ୍ଥା କରିବା ନିଷ୍ପତ୍ତି ନିଆଯାଇଛି । ଯାହାହେଉ ଶେଷରେ ଓପିଏସ୍‌ସି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ଲିଖିତ ଓ ମୌଖିକ ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି ।

ଏହି ସମୟରେ ସବୁଠାରୁ ଅଧିକ ଦାୟିତ୍ୱ ରହିଛି ଡାକ୍ତରମାନଙ୍କର । ସେମିତି ଜଣେ ଡାକ୍ତର ହେଲେ ଏଡିଏମ୍‌ଓ ଡ. ଅଶୋକ ଦାସ, ଯିଏକି ଘରେ ମା'ଙ୍କର ମରଶରୀରକୁ ଛାଡ଼ି ଡ୍ୟୁଟି କରିବାକୁ ଯାଇଥିଲେ । ଏହି ଭିତରେ ସମ୍ବଲପୁର ରେଳ ଷ୍ଟେସନ୍‌ରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଏକ ଟ୍ରେନ୍‌ରେ ଯାଉଥିବା ଜଣେ ବୃଦ୍ଧ ବ୍ୟକ୍ତି କାଶରେ ଖକାର ପଡ଼ିବାର, ତାଙ୍କୁ ରେଳରୁ ଓହ୍ଲାଇ ଦିଆଯାଇଥିଲା, କିନ୍ତୁ ତାଙ୍କୁ ହସ୍ପାତାଳକୁ ନେବାପାଇଁ ଆମ୍ବୁଲାନ୍ସର ସୁବିଧା କରାଇବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଯାଇଥିଲା ।

ଏବେ ସମ୍ପୂର୍ଣ୍ଣ ବିଶ୍ୱ ଆତଙ୍କରେ ଥିବାବେଳେ ବିଭିନ୍ନ ଲୋକମାନଙ୍କଠାରୁ ସତର୍କତାମୂଳକ ବାର୍ତ୍ତା ଆସିବାରେ ଲାଗିଛି । ଲୋକମାନଙ୍କୁ ଆତଙ୍କିତ ନହେବାକୁ ସଭିଏଁ ପରାମର୍ଶ ଦେଉଛନ୍ତି, ଯେଉଁଥିରେ ଆଜି ଆମର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ୍ ତାଙ୍କର ମତାମତ ମଧ୍ୟ ରଖିଛନ୍ତି । ଏ ସବୁ ଭିତରେ ସରକାର ମଧ୍ୟ ଏକ ବଡ଼ ଘୋଷଣା କରିଛନ୍ତି; ସରକାରୀ କର୍ମଚାରୀଙ୍କୁ ଥଣ୍ଡା-ଜ୍ୱର ହୋଇଥିଲେ ମିଳିବ ୧୪ ଦିନର ଛୁଟି ।

ଏବେ ବି ଗାଁମାନଙ୍କରେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନ ନେଇ ଅନ୍ଧବିଶ୍ୱାସକୁ ଅଧିକ ଗ୍ରହଣ କରାଯାଉଛି । ଯାହାର ଫଳସ୍ୱରୂପ ବାଙ୍ଗାଲୋରରୁ ଆସିଥିବା ଏକ ପରିବାରକୁ ଗାଁ'ଲୋକେ ତାଙ୍କୁ ଗାଁ ଭିତରକୁ ପଶିବାକୁ ବାରଣ କରିଛନ୍ତି । ଖାଲି ଗାଁ ଲୋକେ କ'ଣ ରାଷ୍ଟ୍ରିୟ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଖରାରେ ୧୫ ମିନିଟ୍ ଲେଖାଏଁ ବସିବା ଭଳି ଅବାନ୍ତର ନିରାକରଣ ବ୍ୟବସ୍ଥା କଥା ଲୋକମାନଙ୍କୁ କହୁଛନ୍ତି । ଓଡ଼ିଶା ସରକାରଙ୍କ କରୋନା ନିବାରଣ କମିଟିର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଲୋକମାନଙ୍କୁ ସାଙ୍ଗରେ ନ ଗାଧୋଇବାକୁ, ପୋଖରୀରେ ନ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି ।

ଏହି ସମୟରେ ଭଡ଼ାଟିଆମାନଙ୍କୁ ଘରୁ ବାହାର କରିପାରିବେନାହିଁ ବୋଲି ସରକାର ଘୋଷଣା କରିଛନ୍ତି ଆଉ ନିୟମ ମଧ୍ୟ କଡ଼ାକଡ଼ି ହେବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ପାଖାପଖି ୫୦ ଶତକଡ଼ା କର୍ମଚାରୀଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଅଯାଇଛି । ତେଣେ ଜେଲ୍‌ର କଏଦୀମାନଙ୍କୁ ତାଙ୍କର ସମ୍ପର୍କୀୟମାନେ ଏବେ ମୁହାଁମୁହିଁ ନ ଭେଟି ସ୍କାଏପି ମାଧ୍ୟମରେ ଭେଟିବାର ବନ୍ଦୋବସ୍ତ କରାଯାଇଛି ଆଉ ସାରା ଓଡ଼ିଶାରେ କଏଦୀମାନଙ୍କୁ ଭେଟିବାକୁ ବାରଣ କରାଯାଇଛି ।

ଆମର ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଆଦିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଏବେଯାଏଁ କେତେକ ସ୍ଥାନରେ କୋଚିଂ ଚାଲୁରହିଛି । ଅନିର୍ଦ୍ଧିଷ୍ଟ କାଳପାଇଁ ପରୀକ୍ଷା ବନ୍ଦ କରାଯାଇଥିବାବେଳେ ଏହି ସମୟରେ ୨/୩ ଘଣ୍ଟା ପଢ଼ି ପିଲାମାନେ କ'ଣ ଅଧିକ ଓପାଡ଼ି ପକେଇବେ ବୋଲି ଏ ଅଭିଭାବକ ଆଉ ଶିକ୍ଷକମାନେ ଭାବୁଛନ୍ତି, ତାହା ମୁଁ କାଇଁ ଜାଣିପାରୁନି । ଏକଦା ସ୍ୱଭାବ କବି ଗଙ୍ଗାଧର ମେହେର କହିଥିଲେ, "ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମୀ ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ।" ଏବେ ସେମିତି ଏକ ପରିସ୍ଥିତି ଆସିଛି ଲାଗୁଛି । ଏ ଶିକ୍ଷକ, ଯିଏକି ପିଲାମାନଙ୍କୁ ଶିକ୍ଷାଦେବେ, ସେମାନେ ଏ ରୋଗର ଭୟାବହତା ବିଷୟରେ ଜାଣିପାରୁନାହାନ୍ତି, ତେବେ ସେମାନଙ୍କର ଏ ଶିକ୍ଷା ଆମର ଭବିଷ୍ୟତର ପିଲାମାନଙ୍କୁ କ'ଣ ସଚେତନ ନାଗରିକ କରି ଗଢ଼ି ତୋଳିବ? ସେଇଥିପାଇଁ ତ ଏବେ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରି କେତେକଙ୍କୁ ଗିରଫ ମଧ୍ୟ କରାଯାଉଛି ।

ଆଉ ତ କେହି କେହି ଆକ୍ରାନ୍ତଙ୍କ ସଂଖ୍ୟା ଦେଖାଇ ଥଟ୍ଟା କରୁଥିବାବେଳେ କେହି କେହି ଏହାର ହସର ଉଡ଼େଇ ଦେଉଛନ୍ତି । କିନ୍ତୁ ଆଜିର ୨ୟ ଆକ୍ରାନ୍ତ ବିଷୟରେ ଜାଣିବାପରେ ହୁଏତ ସେମାନଙ୍କର ହସର ଯବନିକା ପଡ଼ିପାରେ । ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଥମ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ୨ୟ ଆକ୍ରାନ୍ତ ଚିହ୍ନଟ କିନ୍ତୁ ମୋ ଭଳି ଅନେକଙ୍କ ଭିତରେ ଭୟ ସଞ୍ଚାର ତ ନିହାତି କରିଥିବ । ଯେତେ ଯାହା କଲେ ବି ମୋତେ ଟାଇଫଏଡ୍ ହେଇଥିବା ଜାଣିଲା ପରେ ବି, ନିୟମିତ ଔଷଧ ଖାଇଲାପରେ ବି ମନ କିନ୍ତୁ ସ୍ଥିର ହେଉନାହିଁ । ଏ ଭିତରର ଭୟ କାହା ଆଗରୁ ମଧ୍ୟ ପ୍ରକାଶ କରିହେଉନାହିଁ । ବାହାର ଦେଶରେ ଘଟୁଥିବା ତଥ୍ୟକୁ ଦେଖିବାପରେ କେମିତି ମନ ସ୍ଥିର ହେବ ଯେ... ଯେତେ କମେଡ଼ି ଦେଖିଲେ କି ଫିଲ୍ମ ଆଉ ସିରିଜ୍ ଦେଖିଲେ ବି ରାତିରେ ଶୋଇବା ପୂର୍ବରୁ ମନରେ ସେ ଦୃଶ୍ୟସବୁ ଆପେ ଆପେ ଆସିଯାଉଛି ।

ଆଜି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପୁଣିଥରେ ରାତି ୮ଟାବେଳେ ଉଦ୍‌ବୋଧନ ଦେଇଥିଲେ । ୨୦୧୬ର ସେ ବିମୁଦ୍ରୀକରଣ ସମୟରେ ରାତି ୮ଟାବେଳେ ୫୦୦ ଆଉ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ କରିବାର ନଷ୍ପତ୍ତି ଭଳି ଆଜି ସେ ୧୪ ଘଣ୍ଟା ଧରି ଦେଶ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଆସନ୍ତା ରବିବାର ଅର୍ଥାତ ମାର୍ଚ୍ଚ ୨୨ ତାରିଖରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରଖି ଜନତା କର୍ଫ୍ୟୁ ପାଇଁ ମୋଦିଙ୍କର ଏକ ଅନୁରୋଧ ହୁଏତ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ସହୟକ ହେବ । ଅବଶ୍ୟ ଏହି ଖବରକୁ ନେଇ ଲୋକମାନେ କିଛି ନା କିଛି ମିଥ୍ୟା ଆରୋପ-ପ୍ରତ୍ୟାରୋପ କରିବେ ବୋଲି ମୋତେ କାଇଁ ଲାଗୁଛି ।

ଆଉ ଶେଷରେ ମୋଦି ଆଜ୍ଞା ଏକଥା ବି କହିଲେ କି ସେଦିନ ସନ୍ଧ୍ୟା ୫ଟାରେ ୫ ମିନିଟ୍ ପାଇଁ ଘରେ ଥାଇ, ଦୁଆର ମୁହଁରେ, ଝରକା ପାଖରେ କିମ୍ବା ବାଲ୍କୋନୀରେ ତାଳି କିମ୍ବା ଥାଳି ବଜାଇ ସେହି ଲୋକମାନଙ୍କୁ ଧନ୍ୟବାଦ ଜଣାଇବା, ଯେଉଁମାନେ ଏହି ପରିସ୍ଥିତିରେ ତାଙ୍କ ଜୀବନକୁ ବାଜି ଲଗାଇ ଆମ ପାଇଁ କାର୍ଯ୍ୟ କରୁଛନ୍ତି । ଏହା ଏକ ଭଲ ପଦକ୍ଷେପ ଅବଶ୍ୟ, କିନ୍ତୁ ସମଗ୍ର ଦେଶର ଲୋକ ଏକା ସମୟରେ ଏତେ ଶବ୍ଦ କରିବା ଦ୍ୱାରା ଧ୍ୱନି ପ୍ରଦୂଷଣ ହେବନି ତ? ଏ ଶବ୍ଦ ପଶୁପକ୍ଷୀମାନଙ୍କ ଉପରେ କିଛି କୁ-ପ୍ରଭାବ ପକାଇବନାହିଁ ତ? କିନ୍ତୁ ଯାହାହେଲେ ବି ଜଣେ ପ୍ରଧାନମନ୍ତ୍ରୀ ଏ ବିଷୟରେ କହିଛନ୍ତି ମାନେ ସେ ତ ପୂର୍ବରୁ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରି ଏଭଳି ମନ୍ତବ୍ୟ ରଖିଥିବେ । ହୁଏତ ଏହି ସମୟରେ ଲୋକମାନଙ୍କର ମନରେ ଥିବା ଭୟକୁ ଦୂର କରିବା ପାଇଁ ଏହା ଏକ ପଦକ୍ଷେପ ହୋଇପାରିଥାଏ ।

No comments:

Post a Comment