କରୋନା କାହାଣୀ: ଓଡ଼ିଶାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Monday, 16 March 2020

କରୋନା କାହାଣୀ: ଓଡ଼ିଶାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ


ଓଡ଼ିଶାର ପ୍ରଥମେ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜି ସୁଦ୍ଧା ୧୫୬ଟି ଦେଶରେ ୬ ହଜାରରୁ ଅଧିକ ମୃତ୍ୟୁବରଣ କଲେଣି ଆଉ ଇଉରୋପ୍‌ରେ ସ୍ଥିତି ଖରାପ ହେବାରେ ଲାଗିଛି । ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ବିଶ୍ୱ ସମୁଦାୟକୁ ଭୟଭୀତ କରାଇପାରିବ ବୋଲି ଦାବି କରୁଥିବା ଆଇଏସ୍‌ ଆତଙ୍କବାଦୀଙ୍କୁ ମଧ୍ୟ କରୋନା ଭୟ ଘାରିଛି । ୭୦୦ ଜାହାଜକୁ ସମୁଦ୍ର ପଥରେ ଭାରତ ମଧ୍ୟକୁ ପ୍ରବେଶ ଅନୁମତି ଦେଲାନି ଭାରତ । ଓଡ଼ିଶାର ବିଭିନ୍ନ ମନ୍ଦିରରେ ଦର୍ଶନ ସମୟରେ ଅନେକ ସତର୍କ ପନ୍ଥା ଗ୍ରହଣ କରାଯାଉଛି । କିଛି ଲୋକ ସଚେତନ ହେଉଥିବା ବେଳେ କିଛି ମୂର୍ଖ ଏହାକୁ ହସରେ ଉଡ଼ାଉଛନ୍ତି । ଏତେ ସବୁ ପରେ ବି ସନ୍ଦିଗ୍ଧ ଚମ୍ପଟ ମାରୁଛନ୍ତି ।

ମୋର ମୁଣ୍ଡ ବିନ୍ଧା କମୁନାହିଁ । ଆଜି ଓଡ଼ିଶାରୁ ଆକ୍ରାନ୍ତ ବିଷୟରେ ଜାଣିବା ପରେ ଭୟ ଏବେ ଆହୁରି ଭିତରେ ବଢ଼ିବାକୁ ଲାଗିଛି । ଥଣ୍ଡା ଯଦିଓ ଆଗରୁ ଛାଡ଼ିନଥିଲା, ତେଣୁ ଆଜି ପୁଣିଥରେ ଘନ ମଉସାଙ୍କୁ ଫୋନ୍ କରିକି ମେଡିସିନ୍ ଆଣିଲି ଆଉ ମେଡିସିନ୍ ଖାଇ କାଲି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।

ଲାଗୁଛି ୨୦୧୩/୧୪ର ସେ ପୁରୁଣା ଦିନ ଏବେ ପୁଣି ଫେରି ଆସିଛି । ଭିତରରେ ଥିବା ଭୟ ଉପରକୁ ଆସିପାରୁନି, କିନ୍ତୁ ଭିତରେ ବି ରହିପାରୁନି । ଏମିତିରେ ୟୁ-ଟ୍ୟୁବ୍‌ରେ ଥିବା ସବୁ ସିରିଜ୍ ଶେଷ ହେଇଗଲାଣି ମୋ ପାଇଁ, ସେଇଥିପାଇଁ ଆଜି Netflixର Subscription ନେଇଗଲି । କିଛି ନହେଲେ Little Thingsର ୨ୟ ଆଉ ୩ୟ Season ଦେଖିପାରିବି । କିଛି ନହେଲେ କିଛି ଫିଲ୍ମ ବି ଦେଖିପାରିବି । ସେବେକାର ଭୟକୁ ଏଡ଼େଇବା ପାଇଁ ମନକୁ ଅନ୍ୟଆଡ଼େ ରଖିବା ଜରୁରୀ ଥିଲା ଆଉ ଏବେ ମଧ୍ୟ । ହୁଏତ ଏ ସବୁ ପରେ କିଛିଟା ବଦଳିପାରେ ।

ଓଡ଼ିଶାର ପ୍ରଥମ ଭୂତାଣୁ ଆକ୍ରାନ୍ତ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ଇଟାଲୀରୁ ଫେରିବା ପରେ ଦିଲ୍ଲୀରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷାପରେ କିଛି ବାହାରିନଥିଲା ଆଉ ସେ କିଛିଦିନ କ୍ବାରେଣ୍ଟିନ୍‌ରେ ରହିବାପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଓଡ଼ିଶା ଫେରିଥିଲେ । ଆଶ୍ଚର୍ଯ୍ୟର କଥା ଏହି କି, କାଲି ଅର୍ଥାତ ୧୫ ତାରିଖ ରାତି ୯ଟାରେ ତାଙ୍କ ରିପୋର୍ଟ ନେଗେଟିଭ୍ ବାହାରିଥିବାବେଳେ ରାତି ୧୨ଟରେ ପଜିଟିଭ୍ ବାହାରିଥିଲା ।

ଏବେ ବି ବିଭିନ୍ନ ସମୟରେ ବିଭିନ୍ନ ଲୋକମାନଙ୍କ ଦ୍ୱାରା WhatsApp ଦ୍ୱାରା ବିଭିନ୍ନ ତଥ୍ୟ ଆସୁଛି । ଅନେକ ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଇଂରାଜୀ ଭାଷାର ଚଳଚ୍ଚିତ୍ର କୋଣ୍ଟାଜିଅନ୍ (Contagion) ସହ ଏବେକାର ପରିସ୍ଥିତିକୁ ତୁଳନା କରିବାରେ ଲାଗିଛନ୍ତି । ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସଚେତନତାମୂଳକ ଭିଡିଓ ସହ ବିଭିନ୍ନ ପ୍ରକାରର ପୋଷ୍ଟ ଆସୁଛି । ଓଡ଼ିଶାର କରୋନା ଭାଇରସ୍ ଉପରେ ନିୟନ୍ତ୍ରଣାତ୍ମକ ଅଦକ୍ଷ ସୁବ୍ରତ ବାଗ୍‌ଚୀ ପ୍ରତ୍ୟେକଦିନ ପ୍ରେସ୍‌ମିଟ୍ କରୁଛନ୍ତି ଆଉ ସବୁକିଛି ପ୍ରାଞ୍ଜଳ ଭାବରେ ବୁଝାଇବା ସହ ବିଭିନ୍ନ ପଦକ୍ଷେପ ବିଷୟରେ କହୁଛନ୍ତି । ହେଲେ ସେଠାରେ ଉପସ୍ଥିତ ଥିବା ଜଣେ ସାମ୍ବାଦିକ ବନ୍ଧୁ ଏହି ଜରୁରୀକାଳୀନ ପରିସ୍ଥିତିକୁ ନେଇ କରିଥିବା ପ୍ରଶ୍ନ ନିହାତି ହାସ୍ୟସ୍ପଦ ଥିଲା । ତଥାପି, ଆମକୁ ସତର୍କ ରହିବାକୁ ହେବ ଆଉ ହଁ ଡରିଲେ ଅସୁବିଧା ।

କିନ୍ତୁ ଏହି କଥା ଅନ୍ୟକୁ କହିବା ସହଜ ଆଉ ନିଜ ଉପରେ ପଡ଼ିଲେ, କ'ଣ ହୁଏ, ତାହା ମୁଁ କିନ୍ତୁ ଅନୁଭବ କରିପାରୁଛି । ଯଦିଓ ଏହି ବିଷୟରେ କାହାକୁ କିଛି କହିପାରୁନି । ଚୁପ୍‌ଚାପ୍ ଏହି ବ୍ଲଗ୍‌ରେ ସେ ବିଷୟରେ କିଛି କିଛି ଲେଖୁଛି ଖାଲି ।

ଆଜି ରାଜସ୍ଥାନର ଜୟପୁରର ତିନିଜଣ କରୋନା ଆକ୍ରାନ୍ତ ରୋଗୀଙ୍କୁ ଡାକ୍ତର ଠିକ୍ କରିଛନ୍ତି; ମ୍ୟାଲେରିଆ, ସ୍ୱାଇନ୍‌ ଫ୍ଲୁ ଏବଂ ଏଚ୍‌ଆଇଭି ପଜିଟିଭ୍‌ ରୋଗୀମାନଙ୍କୁ ଦିଆଯାଉଥିବା ଔଷଧର ମିଳିତ ଅନୁପାନ ଦେଇ ସେମାନେ ଏହି ତିନିଜଣ କରୋନାଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କୁ ସୁସ୍ଥ କରିଛନ୍ତି ବୋଲି ସୂଚନା ଦେଇଛନ୍ତି । ମାତ୍ର ଏସବୁ କ'ଣ ସତରେ ହେଇଛି, ମୋତେ ଅବଶ୍ୟ ଏ ଉପରେ ଏବେ ବି ବିଶ୍ୱାସ ହେଉନି ।

ଆମେରିକା କରୋନା ଭୂତାଣୁର ପ୍ରତିଷେଧକ ପ୍ରସ୍ତୁତ କରିଥିବା କଥା ଦାବି କରୁଥିବାବେଳେ ଆଜିଠାରୁ ପରୀକ୍ଷଣ ଆରମ୍ଭ କରିଥିବା ଜଣେଇଛି ଆଉ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଏକ ଜର୍ମାନୀ କମ୍ପାନୀର ଏହି ପ୍ରତିଷେଧକକୁ କିଣିବାକୁ ଉଦ୍ୟମ କରୁଥିବା କଥା ଜର୍ମାନ ଅଭିଯୋଗ କରିଛି । କିନ୍ତୁ ବିଶ୍ୱ ସ୍ତରରେ ସୃଷ୍ଟି ହେଇଥିବା ଏହି ଜରୁରୀକାଳିନ ପରିସ୍ଥିତିରେ ଏମିତି ଆରୋପ-ପ୍ରତ୍ୟାରୋପ ହାସ୍ୟାସ୍ପଦ ନିହାତି ।

କରୋନା ଆକ୍ରାନ୍ତ ସନ୍ଦିଗ୍ଧଙ୍କ ନାମ ଓ ପରିଚୟ ଗୋପନ ରଖିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ମହୋଦୟ, ଯାହାକି ଏକ ଭଲ ନିଷ୍ପତ୍ତି ନିଶ୍ଚୟ । କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୧ରେ ହେବାକୁ ଥିବା ମହାବାରୁଣୀ ସ୍ନାନକୁ ବନ୍ଦ କରିଲା ଯାଜପୁର ଜିଲ୍ଲା ପ୍ରଶାସନ । ଅଧିକ ଲୋକଙ୍କର ସମାଗମ ସ୍ଥାନକୁ ବନ୍ଦ କରିବା ନିହାତି ଦରକାର ବୋଲି ଲାଗୁଛି । ସତର୍କତା ଅବଲମ୍ବନ ସ୍ୱରୂପ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲ୍ ବନ୍ଦ କରିଦେଲେ ଆଉ ୨୪ ଘଣ୍ଟା ମଧ୍ୟରେ ହଷ୍ଟେଲ୍ ଛାଡ଼ିବାକୁ ପିଲାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ରାଜ୍ୟ ନିର୍ବାଚନ ଆୟୋଗ କରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ମଧ୍ୟ ସ୍ଥଗିତ କରିଛନ୍ତି । କରୋନା ମୁକାବିଲା ପାଇଁ ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର, ଉଲ୍ଲଂଘନ କଲେ ଦଣ୍ଡସ୍ୱରୂପ ଫୌଜଦାରୀ ମାମଲା ମଧ୍ୟ ରୁଜ୍ଜୁ ହେଇପାରେ ବୋଲି ଜଣେଇଲେ କର୍ତ୍ତୃପକ୍ଷ । ମାର୍ଚ୍ଚ ୪ ପରେ ରାଜ୍ୟକୁ ବାହାର ଦେଶରୁ ଆସିଥିବା ସମସ୍ତ ନାଗରିକ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଗଲା । ବିଦେଶରୁ ଆସି ପଞ୍ଜୀକରଣ କରି ଘରେ ଆଇସୋଲେସନ୍‌ରେ ରହିଲେ ପ୍ରୋତ୍ସାହନ ସ୍ୱରୂପ ସରକାର ୧୫ ହଜାର ଟଙ୍କା ଯୋଗେଇ ଦେବାକୁ ପ୍ରତିଶୃତି ମଧ୍ୟ ଦେଲେ ।

ସରକାରଙ୍କ ନୂଆ କଟକଣା ଅନୁସାରେ ୟୁରୋପ, ବ୍ରିଟେନ, ତୁର୍କୀରୁ ଭାରତ ଆସିବା ମନା କରିଦିଆଗଲା । ଅନେକ ସ୍ଥାନରେ ହୋଟେଲ୍ ବୁକିଂ, ଫ୍ଲାଇଟ୍/ଟ୍ରେନ୍ ଟିକେଟ ବୁକିଂ ଆଦି ରଦ୍ଧ କରାଯାଉଛି ।

ଏହା ଭିତରେ କିଛି ଲୋକ ମଧ୍ୟ ଅନ୍ଧବିଶ୍ୱାସକୁ ଆହୁରି ଆପଣେଇ ନେଉଛନ୍ତି । ମାଲକାନଗିରି ସଦର ମହକୁମାସ୍ଥିତ ଏମଭି-୨ ଗ୍ରାମର ଗ୍ରାମବାସୀ ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ସରକାର ଜନଗହଳିରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଉଥିବାବେଳେ ସେମାନେ ଏକତ୍ରିତ ହେଲେ ଆଉ ଏହି ଘଟଣାକୁ କିଛି ବୁଦ୍ଧିଜୀବି ମଧ୍ୟ ପ୍ରଶଂସା କରୁଛନ୍ତି । ଅବଶ୍ୟ ସେମାନେ ସଚେତନ ରହିବା ଦରକାର, କିନ୍ତୁ ଏଭଳି ନୁହେଁ । ଏହା ଭୟଭୀତ ହେବାର ଲକ୍ଷଣ ।

No comments:

Post a Comment